Thursday, April 4, 2019

ଯାତ୍ରାରେ ଭୋଗ


ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାରମ୍ପରିକ ଭାବେ ତେଲୁଗୁ ଭାଷାଭାଷୀ ବୁଣାକର ଦେବାଙ୍ଗ ସଂପ୍ରଦାୟଦ୍ୱାରା ଆୟୋଜିତ ହୋଇଥାଏ । ସହରରେ ଦେବାଙ୍ଗ ସଂପ୍ରଦାୟ ୧୮ ଗୋଟି ବସ୍ତି ବା ମଣ୍ଡଳରେ ବିଚ୍ଛୁରିତ ହୋଇ ବସବାସ କରୁଥିବା କୁହାଯାଏ । ପ୍ରତ୍ୟେକ ମଣ୍ଡଳଲାଗି ଜଣେ ସେନାପତି ନିଯୁକ୍ତ ହୋଇଥାନ୍ତି । ତେବେ ସହରର ଦେବାଙ୍ଗ ସଂପ୍ରଦାୟର ମୁଖ୍ୟ ରୂପେ ଦେଶୀ ବେହେରାଙ୍କୁ ମାନ୍ୟତା ମିଳିଥାଏ । ୧୭୮୨ ମସିହାରେ କିଛି ବର୍ଷ ପୂର୍ବରୁ ଦାକ୍ଷିଣାତ୍ୟର ରାଜମହେନ୍ଦ୍ରୀ ଅଞ୍ଚଳରୁ ଏହି ବୁଣାକାରମାନେ ମହୁରି ରାଜାଙ୍କ କୃପାରେ ବ୍ରହ୍ମପୁରରେ ପହଞ୍ଚି ରାଜନଅରର ଆଖପାଖ ଅଞ୍ଚଳରେ ବସତି ସ୍ଥାପନ କରିବାପରେ ସେମାନଙ୍କ ମୁଖ୍ୟଙ୍କୁ ମହୁରି ରାଜା ଦେଶୀ ବେହେରା ଉପାଧି ପ୍ରଦାନ କରିଥିଲେ । ସେହି ଦିନୁ ବଂଶାନୁକ୍ରମିକ ଭାବେ ଦେଶୀବେହେରା ନିଯୁକ୍ତ ହୋଇ ଆସୁଛନ୍ତି ।

ଠାକୁରାଣୀ ଯାତ୍ରା ପାଳନ ଅବସରରେ ଅସ୍ଥାୟୀ ମଣ୍ଡପରେ ସ୍ଥାପିତ ଘଟ ପୂଜାଅର୍ଚ୍ଚନା କରିବା ଲାଗି ଭକ୍ତମାନେ ପ୍ରଭାତରୁ ରାତ୍ରୀ ଯାଏଁ ସୁଯୋଗ ପାଇଥାନ୍ତି । ସକାଳ ୫ ରୁ ରାତି ୧୧ ଯାଏଁ ଯାତ୍ରୀଙ୍କ ଭିଡ଼ ଲାଗି ରହିଥାଏ । ଭକ୍ତମାନେ ନଡିଆ, କଦଳୀ ସହ ଗଜାମୁଆଁ ଭୋଗ ଲଗାଇ ଥାନ୍ତି । ଯାତ୍ରାରେ ଗଜା ମୁଆଁ ଭୋଗ ଲଗାଇବାକୁ କେତେକ ମାନସିକ ମଧ୍ୟ କରିଥାନ୍ତି । ଏଠାରେ ଭକ୍ତମାନଙ୍କ ପକ୍ଷରୁ ଶୁଙ୍ଖୁଡ଼ିଭୋଗ କରାଯିବା ନିଷେଧ । ବଡ଼ ଠାକୁରାଣୀ ମନ୍ଦିରରେ ମଧ୍ୟ ଶୁଙ୍ଖୁଡ଼ି ବା ରନ୍ଧା ଦ୍ରବ୍ୟ ଭୋଗ ହୁଏ ନାହିଁ । ମାନସିକ ରଖିଥିବା ଭକ୍ତମାନେ ମନ୍ଦିର ବେଢ଼ାରେ ଥିବା ନିମଗଛଠାରେ ଶୁଙ୍ଖୁଡ଼ି ଭୋଗ ଲଗାଇଥାନ୍ତି । ସନ୍ଧ୍ୟାରେ ଘଟ ପରିକ୍ରମା କାଳରେ ମଧ୍ୟ ଏହି ନିୟମ ବଳବତ୍ତର ରହେ ।

ଯାତ୍ରା ପରିଚ଼ାଳନା ସମିତି ପକ୍ଷରୁ ଦୈନିକ ପ୍ରାୟ ୧୪ ଗୋଟି ଭୋଗର ବ୍ୟବସ୍ଥା କରାଯାଇଥାଏ । ସକାଳ ୫ ରୁ ୬ ଘଣ୍ଟା ମଧ୍ୟରେ କୁଙ୍କୁମାର୍ଜନା, ସକାଳ ୮ ଘଣ୍ଟାରେ ବାଳଭୋଗ, ମଧ୍ୟାହ୍ନ ୧ ଘଣ୍ଟା ୩୦ ମିନଟ ଓ ରାତି ୧୦ ଘଣ୍ଟାରେ ରାଜଭୋଗ, ସକାଳ ୧୦ ଘଣ୍ଟାରୁ ଅପରାହ୍ନ ୨ ଘଣ୍ଟା ମଧ୍ୟରେ ତିନି ପର୍ଯ୍ୟାୟରେ ଏବଂ ସନ୍ଧ୍ୟା ୪ ଘଣ୍ଟାରୁ ରାତି ୮ ଘଣ୍ଟା ମଧ୍ୟରେ ଆଉ ତିନି ପର୍ଯ୍ୟାୟରେ ଅନ୍ନପ୍ରସାଦ ଭୋଗ ହୋଇଥାଏ । ଏହା ବ୍ୟତୀତ ସକାଳ ୭ ଘଣ୍ଟାରୁ ଅପରାହ୍ନ ୨ ଘଣ୍ଟା ମଧ୍ୟରେ ଜଳଦାନ ଓ ନବାତପଣା ଭୋଗର ମଧ୍ୟ ବ୍ୟବସ୍ଥା କରାଯାଇଥାଏ । ଏହି ସମସ୍ତ ଭୋଗ ପ୍ରସ୍ତୁତି ନିମନ୍ତେ ଯାତ୍ରା ପରିଚ଼ାଳନା ସମିତି ପକ୍ଷରୁ ଆଗ୍ରହୀ ଭକ୍ତମାନଙ୍କଠାରୁ ଦାନ ସଂଗ୍ରହ କରାଯାଇଥାଏ ।

ପ୍ରତ୍ୟେହ ପ୍ରଯୋଜିତ ଛଅଗୋଟି ଅନ୍ନଦାନରୁ ଚ଼ାରିଗୋଟିରୁ ପ୍ରତ୍ୟେକଟି ଲାଗି ଟ.୫,୦୦୧ ଏବଂ ଦୁଇଗୋଟିରୁ ପ୍ରତ୍ୟେକଟି ଲାଗି ଟ.୧୦,୦୦୧ ତଥା ପ୍ରତ୍ୟେକ ରାଜଭୋଗ ଲାଗି ଟ.୧୦,୦୦୧ ସଂଗ୍ରହ କରାଯାଇଥାଏ । ସେହିପରି ଜଳଦାନ ପାଇଁ ଟ.୨,୫୦୧ ରୁ ଟ.୫,୦୦୧ ଓ ନବାତ ପଣା ପାଇଁ ଟ.୫,୦୦୧ ସଂଗୃହୀତ ହୋଇଥାଏ । ସାମୂହିକ କୁଙ୍କୁମାର୍ଜନା ନିମନ୍ତେ ଟ.୨୦୧ ଓ ବାଳଭୋଗ ନିମନ୍ତେ ଟ.୧,୦୦୧ ସଂଗୃହୀତ ହୋଇଥାଏ । ଅସ୍ଥାୟୀ ମଣ୍ଡପରେ ଭୋଗନୀତି ଦର ତାଲିକା ଯାତ୍ରା ପରିଚ଼ାଳନା ସମିତି କାର୍ଯ୍ୟାଳୟରେ ବିଜ୍ଞପ୍ତି ଆକାରରେ ପ୍ରକାଶ କରାଯାଇଥାଏ ଏବଂ ଭକ୍ତମାନେ ସେଠାରେ ଦାନ ଦଖଲ କରିଥାନ୍ତି ।

ଠାକୁରାଣୀ ଯାତ୍ରା ଅବସରରେ ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଘରେଘରେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତିର ପ୍ରଥା ଚଳି ଆସିଛି । ଯାତ୍ରାର ଶେଷ ସପ୍ତାହରେ ବିବାହିତା କନ୍ୟା ଓ ଅନ୍ୟତ୍ର ବସବାସ କରୁଥିବା ଆତ୍ମୀୟସ୍ୱଜନମାନେ ଆସୁଥିବା ହେତୁ ପରିବାରଗୁଡ଼ିକରେ ଅତିଥି ପରିଚ଼ର୍ଯ୍ୟା ଲାଗିରହେ । ଏତଦ୍ ବ୍ୟତୀତ ଯାତ୍ରାରେ ଯୋଗଦେବା ପାଇଁ ସହରବାହାରୁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ ଭଳିକିଭଳି ମିଷ୍ଟାନ୍ନ ଦୋକାନ ଖୋଲିଥାଏ ।

Wednesday, April 3, 2019

ଯାତ୍ରା ଆୟୋଜନରେ ପ୍ରଥା ପରମ୍ପରା

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକ ମହୋତ୍ସବ ଭାବେ ଦୀର୍ଘ ଦୁଇଶହ ବର୍ଷରୁ ଅଧିକ ସମୟ ଧରି ଗଢ଼ି ଉଠିଥିବା ହେତୁ ବିଭିନ୍ନ ଧାର୍ମିକ, ସାମାଜିକ ଓ ପାରିପାର୍ଶ୍ୱିକ ରୀତିନୀତି ଏହାର ପରମ୍ପରାକୁ ରୁଦ୍ଧିମନ୍ତ କରିଥିବା ଲକ୍ଷ୍ୟ କରାଯାଇପାରେ । ଲୋକ ମହୋତ୍ସବର ବିଭବଗୁଡ଼ିକ ପରିବର୍ତ୍ତନଶୀଳ । ଆବଶ୍ୟକସ୍ଥଳେ କିଛି ନୂତନତ୍ୱ ସଂଯୋଗ ହେଉଥିବା ବେଳେ କିଛି ପୁରାତନ ତତ୍ତ୍ୱ ମଧ୍ୟ ସମୟଗର୍ଭରେ ବିଲୀନ ହୋଇଯାଇଥାଏ ।

ପ୍ରଥା ପରମ୍ପରାରେ ପରିବର୍ତ୍ତନ ଧାରାରେ ଦେଶୀ ବେହେରା ସାହୀରେ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ନିର୍ମାଣ ଶୈଳୀ ପର୍ଯ୍ୟବେସିତ । ଅସ୍ଥାୟୀ ମଣ୍ଡପଟି ଝାଉଁ କାଠ (ବ୍ରହ୍ମପୁରରେ ଯାହାକୁ ଚ଼ାବୁକ କାଠ କୁହାଯାଏ) ଓ ନଡ଼ା ଛପରରେ ନିର୍ମିତ ହୋଇଥାଏ । ଝାଉଁ କାଠ ଛତ୍ରପୁର ତାମ୍ପରା (ଏକ ପ୍ରାକୃତିକ କ୍ଷୁଦ୍ର ହ୍ରଦ) ଝାଉଁ ଜଙ୍ଗଲରୁ ସଂଗ୍ରହ କରାଯାଇଥାଏ । ତେବେ ବାତ୍ୟାରେ ସେଠାକାର ଝାଉଁ ଜଙ୍ଗଲ ନଷ୍ଟଭଷ୍ଟ ହୋଇଯାଉଥିବା ତଥା ଆବଶ୍ୟକୀୟ ମାପର କାଠ ପାଇବାରେ ଅସୁବିଧା କାରଣରୁ ଆନ୍ଧ୍ର ଉପକୂଳ ଅଞ୍ଚଳରୁ ମଧ୍ୟ ଝାଉଁ କାଠ ଅଣାଯାଇଥାଏ । ଅସ୍ଥାୟୀ ମଣ୍ଡପଟିରେ ୨୨ ଗୋଟି କାଠ ଏବଂ ମଣ୍ଡପକୁ ଲାଗି ଗଢ଼ାଯାଉଥିବା ଛାମୁଣ୍ଡିଆରେ ୧୨ ଗୋଟି କାଠ ବ୍ୟବହୃତ ହୁଏ । ମଣ୍ଡପର ଆୟତନ ୩୨୪ ବର୍ଗଫୁଟ ଓ ଛାମୁଣ୍ଡିଆର ଆୟତନ ୪୫୦ ବର୍ଗଫୁଟ । ଭୂମିଠାରୁ ଦେଢ଼ଫୁଟ ଉଚ୍ଚରେ ସିମେଣ୍ଟ ଚ଼ଟାଣ ଗଢ଼ାଯାଇ ୩ ଫୁଟ ଚଉଡ଼ା ଓ ୧୫ ଫୁଟ ଲମ୍ୱାରେ ଘଟ ସ୍ଥାପନ ପାଇଁ ପିଣ୍ଡି ନିର୍ମାଣ କରାଯାଏ । ଅସ୍ଥାୟୀ ମଣ୍ଡପର ଉଚ୍ଚତା ୧୧ ଫୁଟ ରହୁଥିବା ବେଳେ ଛାମୁଣ୍ଡିଆର ଉଚ୍ଚତା ୧୩ ଫୁଟ । ମଣ୍ଡପର ଚ଼ତୁଃପାର୍ଶ୍ୱ ଇଟା ସିମେଣ୍ଟରେ ୬ ଫୁଟର କାନ୍ଥ ଉଠାଯାଇ ବଳକା ୫ ଫୁଟକୁ ବାଉଁଶ ଜାଲିରେ ଆଚ୍ଛାଦିତ କରାଯାଉଥିବାବେଳେ ଛାମୁଣ୍ଡିଆର ଦୁଇ ପାର୍ଶ୍ୱ ବାଉଁଶ ଜାଲି ବ୍ୟବହୃତ ହୋଇଥାଏ । ଛାମୁଣ୍ଡିଆର ଛାତରେ ନଡ଼ିଆ ବାହୁଙ୍ଗା ପକାଯାଇଥାଏ । ମଣ୍ଡପ ନିର୍ମାଣପାଇଁ ମୁଖ୍ୟ ମହାରଣାଙ୍କ ପରିବାରର ସଦସ୍ୟଙ୍କ ସମେତ ଅନ୍ୟ କେତେ ଜଣ ମିସ୍ତ୍ରୀ ନିୟୋଜିତ ହୋଇଥାନ୍ତି । ସାଧାରଣତଃ ନିର୍ମାଣ କାର୍ଯ୍ୟ ଅନ୍ୟୂନ ୧୨ ଦିନ ଧରି ଚ଼ାଲିଥାଏ ।

ଅସ୍ଥାୟୀ ମଣ୍ଡପରେ ନଅ ଗୋଟି ଘଟ ପୂଜା କରାଯାଇଥାଏ ଏବଂ ସମସ୍ତ ଘଟ ସାହୀ ପରିକ୍ରମାରେ ନିଆଯାଇଥାଏ । ଯାତ୍ରାର ତୃତୀୟ ଦିବସ ସଂଧ୍ୟାରେ ମୁଖ୍ୟ ଘଟରେ ବଡ଼ ଠାକୁରାଣୀ ମନ୍ଦିରରୁ ଆସିଥିବା ଇଟା ମଲ୍ଲୀ ଫୁଲ ଗୁମ୍ଫା ଆଜ୍ଞାମାଳ ରଖାଯାଇ ପୂଜା କରାଯାଏ । ଅନ୍ୟ ପାର୍ଶ୍ୱଘଟଗୁଡ଼ିକ ମଧ୍ୟରୁ ଦ୍ୱିତୀୟରେ ମା ବ୍ରାହ୍ମୀ, ତୃତୀୟରେ ମାମାହେଶ୍ୱରୀ, ଚ଼ତୁର୍ଥରେ ମାକୁମାରୀ, ପଞ୍ଚମରେ ମାବୈଷ୍ଣବୀ, ଷଷ୍ଠରେ ମାବାରାହୀ, ସପ୍ତମରେ ମାଇନ୍ଦ୍ରାଣୀ, ଅଷ୍ଟମରେ ମାମହାଲକ୍ଷ୍ମୀ ଓ ନବମ ଘଟରେ ମାଶିବାୟୀ ପୂଜିତ ହୋଇଥାନ୍ତି । ଏହି ଘଟଗୁଡ଼ିକ ବିଭିନ୍ନ ରଙ୍ଗରେ ଚ଼ିତ୍ରିତ କରାଯାଇଥାଏ । ଠାକୁରାଣୀଙ୍କ ଘଟ ରକ୍ତବର୍ଣ୍ଣ ଚ଼ିତ୍ରିତ ହୋଇଥିବା ବେଳେ ମାବ୍ରାହ୍ମୀଙ୍କ ଘଟ ହଳଦୀ ବର୍ଣ୍ଣ, ମାମାହେଶ୍ୱରୀଙ୍କ ଘଟ ଚମ୍ପା ବର୍ଣ୍ଣ, ମାକୁମାରୀଙ୍କ ଘଟ ଗୋଲାପୀ ବର୍ଣ୍ଣ, ମାବୈଷ୍ଣବୀଙ୍କ ଘଟ ତମ୍ୱାଳ ବର୍ଣ୍ଣ,  ମାବରାହୀଙ୍କ ଘଟ ଧୂମ୍ର ବର୍ଣ୍ଣ, ମାଇନ୍ଦ୍ରାଣୀଙ୍କ ଘଟ ଇନ୍ଦ୍ରନୀଳ ବର୍ଣ୍ଣ, ମାମହାଲକ୍ଷ୍ମୀଙ୍କ ଘଟ ସ୍ୱର୍ଣ୍ଣବର୍ଣ୍ଣ ଓ ମାଶିବାୟୀଙ୍କ ଘଟ ଶ୍ୟାମ ବର୍ଣ୍ଣରେ ଚ଼ିତ୍ରିତ ହୋଇଥାଏ । ସମସ୍ତ ଘଟରେ ବିଭିନ୍ନ ପୂଜା ସାମଗ୍ରୀ ଭର୍ତ୍ତି କରାଯାଇଥାଏ । ଘଟପୂଜା ଆରମ୍ଭ ହେବା ପୂର୍ବରୁ ସମସ୍ତ ଘଟକୁ ହଳଦୀ ଓ ଚ଼ାଉଳ ବଟା ଲେପ କରାଯିବା ବିଧି ରହିଥିବା ଜଣାଯାଏ । ସାହୀ ପରିକ୍ରମା କାଳରେ ସମସ୍ତ ଘଟକୁ ବିଭିନ୍ନ ଫୁଲହାରରେ ସଜ୍ଜିତ କରାଯାଇଥାଏ ।

ଯାତ୍ରା ଶେଷଦିନ ଘଟ ଶୋଭାଯାତ୍ରାରେ ସ୍ଥାନୀୟ ବାସିନ୍ଦା ମହିଳାମାନେ ନିଜ ନିଜ ପରିବାର ତରଫରୁ ଘଟ ଧାରଣକରି ସାମିଲ ହୋଇଥାନ୍ତି । ହଜାର ହଜାର ସଂଖ୍ୟାରେ ମାନସିକ ଘଟ ପ୍ରସ୍ତୁତି ପାଇଁ ବ୍ରହ୍ମପୁର ସହର ଉପକଣ୍ଠର ଲାଠି ଓ ଚିକରଡ଼ା ଗ୍ରାମର କୁମ୍ଭକାରମାନେ ଯାତ୍ରା ତିଥିର ଅନ୍ୟୂନ ତିନିମାସ ଆଗରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ଏହି ମାଟି କଳସଗୁଡ଼ିକୁ କ୍ଷୀର କିମ୍ୱା ପଞ୍ଚାମୃତରେ ଶୁଦ୍ଧି କରାଯାଇ ବାହାରେ ଚୂନ ଲେପ ତଥା ବିଭିନ୍ନ ରଙ୍ଗରେ ଚ଼ିତ୍ର ଅଙ୍କନ କରାଯିବା ବିଧି ରହିଛି । ପୂଜା ପାଇଁ ଘଟ ପ୍ରସ୍ତୁତି କାର୍ଯ୍ୟ ବଡ଼ ଠାକୁରାଣୀ ମନ୍ଦିରର ପୁଜକମାନଙ୍କ ଦ୍ୱାରା ସମାହିତ ହୋଇଥାଏ । ମାଟି କଳସ ବଦଳରେ ନୂତନ କଂସା ବା ପିତଳ କଳସକୁ ମଧ୍ୟ ଘଟ ରୂପେ ବ୍ୟବହାର ପରମ୍ପରା ରହିଛି ।

ଯାତ୍ରା ଆୟୋଜନରେ ଲାଗୁ ହେଉଥିବା ବିଭିନ୍ନ ନୀତିନିୟମ ପୁରୁଷାନୁକ୍ରମିକଭାବେ ପୀଢ଼ିରୁ ପୀଢ଼ିକୁ ପରିବ୍ୟାପ୍ତ ହେଉଥିବା ଲକ୍ଷ୍ୟ କରାଯାଇପାରେ । ଏଥିଲାଗି ଲିଖିତ ଆକାରରେ କୌଣସି ତଥ୍ୟ ମିଳେ ନାହିଁ ।

Tuesday, April 2, 2019

ଠାକୁରାଣୀ ଯାତ୍ରା ବିଧିବିଧାନ


ଠାକୁରାଣୀ ଯାତ୍ରା ଆୟୋଜନ ଲାଗି କେତେକ ପାରମ୍ପରିକ ବିଧିବିଧାନ ପାଳିତ ହୋଇଥାଏ । ପ୍ରତି ବର୍ଷକ ଅନ୍ତରରେ ଠାକୁରାଣୀ ଯାତ୍ରା ପାଳନ ହେବା ବର୍ଷ ଫାଲଗୁନ ମାସରେ ମହାଶିବରାତ୍ରୀ ପରେ ପରେ ଦେବାଙ୍ଗ ସଂପ୍ରଦାୟର ମୁଖିଆମାନେ ଏକ ବୈଠକରେ ମିଳିତ ହୋଇ ଯାତ୍ରା ଆୟୋଜନର ନିଷ୍ପତ୍ତି ନେଇଥାନ୍ତି । ବ୍ରହ୍ମପୁର ସହରର ବଡ଼ବଜାର, ପୁରୁଣା ବ୍ରହ୍ମପୁରରୁ ହନୁମାନ ବଜାର ଅଞ୍ଚଳ ମଧ୍ୟରେ ୧୮ ଗୋଟି ଦେବାଙ୍ଗ ବସ୍ତି ସ୍ଥାପିତ ହୋଇଥିଲା ଏବଂ ପାରମ୍ପରିକଭାବେ ପ୍ରତି ବସ୍ତିର ମୁଖ୍ୟଭାବେ ଜଣେ ଜଣେ ସେନାପତି ରହିଛନ୍ତି । ଏହି ୧୮ ଜଣ ମୁଖ୍ୟ ନିଷ୍ପତ୍ତି ଗ୍ରହଣ କଲାପରେ ଏକ କୁଳସଭାର ଆହ୍ୱାନ କରାଯାଏ ଏବଂ ନିର୍ଦ୍ଧାରିତ ନିଷ୍ପତ୍ତି ପାଇଁ ସମର୍ଥନ ହାସଲ କରାଯାଏ ।

ଶେଷରେ ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇ ଯାତ୍ରା ଆୟୋଜନଲାଗି ଏକ ସାଧାରଣ ସଭାର ଆୟୋଜନ ହୁଏ ତଥା ସେନାପତି ଓ କୁଳସଭାରେ ଗୃହୀତ ନିଷ୍ପତ୍ତି ପ୍ରତି ପୁନରାୟ ସର୍ବସାଧାରଣଙ୍କ ସମର୍ଥନ ଲୋଡ଼ା ଯାଉଥିଲା । ତେବେ ଠାକୁରାଣୀ ଯାତ୍ରା ଆୟୋଜକମାନଙ୍କ ମଧ୍ୟରେ ପାରିବାରିକ ବିବାଦ ତଥା କୋର୍ଟକଚ଼େରୀ କାରବାର ହେତୁ ଏଣିକି ମୁଖ୍ୟ ଆୟୋଜକ ଦେଶୀବେହେରା ପୁରୋହିତଙ୍କ ପରାମର୍ଶ କ୍ରମେ ତିଥି ନିର୍ଣ୍ଣୟ କରି ଦେବାଙ୍କ ସଂପ୍ରଦାୟ ପ୍ରତିନିଧି ଓ ସହରବାସୀଙ୍କ ମିଳିତ ବୈଠକରେ ଯାତ୍ରା ଆୟୋଜନର ନିଷ୍ପତ୍ତି ଦୃଢ଼ୀକରଣ କରୁଛନ୍ତି ।

ଯାତ୍ରା ଆୟୋଜନ ନିଷ୍ପତ୍ତି ପରେ ଦେଶୀବେହେରାଙ୍କ ଗୃହରେ ବିରାଜମାନ ଦେବୀଙ୍କ ନିକଟରେ ଶୁଭଖୁଣ୍ଟି ପୂଜାଅର୍ଚ୍ଚନା କରାଯାଇ ଶୋଭାଯାତ୍ରାରେ ବଡ଼ ଠାକୁରାଣୀ ମନ୍ଦିରକୁ ନିଆ ଯାଇଥାଏ । ସେଠାରୁ ଆଜ୍ଞାମାଳ ପାଇବା ପରେ ଶୁଭଖୁଣ୍ଟକୁ ଦେଶୀବେହେରାଙ୍କ ଘର ସାମ୍ନାରେ ଅସ୍ଥାୟୀ ମଣ୍ଡପ ନିର୍ମାଣସ୍ଥଳରେ ସ୍ଥାପନ କରାଯାଏ । ନିର୍ଦ୍ଧିଷ୍ଟ ତିଥିରେ ସସ୍ତ୍ରୀକ ଦେଶୀବେହେରା ନଗରବାସୀଙ୍କ ସହ ଶୋଭାଯାତ୍ରାରେ ବଡ଼ ଠାକୁରାଣୀ ମନ୍ଦିର ଯାଇ ଠାକୁରାଣୀଙ୍କୁ ବାପଘରକୁ ନିମନ୍ତ୍ରିତ କରନ୍ତି । ଦେଶୀବେହେରାଙ୍କ ପତ୍ନୀ ଏକ ଚ଼ାଙ୍ଗୁଡ଼ିରେ ଇଟାମଲ୍ଲୀ ଫୁଲ ଠାକୁରାଣୀଙ୍କ ମସ୍ତକରେ ରଖାଯାଇ ଥାଏ । ପରମ୍ପରା ଅନୁଯାୟୀ ଦେବୀଙ୍କ ପ୍ରସନ୍ନତା ପାଇଁ ଅପେକ୍ଷା କରାଯାଏ । ପୂଜା ଅର୍ଚ୍ଚନା ପରେ ସେହି ଇଟାମଲ୍ଲୀ ଫୁଲମାଳକୁ ପୁଣି ଚ଼ାଙ୍ଗୁଡ଼ିରେ ଧରି ଯାତ୍ରାସ୍ଥଳକୁ ଶୋଭାଯାତ୍ରା ଫେରିଥାନ୍ତି । ଦେଶୀବେହେରାଙ୍କ ଘର ସାମ୍ନାରେ ନିର୍ମିତ ଅସ୍ଥାୟୀ ମନ୍ଦିରରେ ଫୁଲମାଳ ରଖାଯାଇ ଯାତ୍ରା ସମୟତକ ପୂଜା କରାଯାଏ ।

ଯାତ୍ରା ଆରମ୍ଭର ତୃତୀୟ ଦିନଠାରୁ ଏହି ଫୁଲମାଳକୁ ଚିତ୍ରିତ ମାଟିହାଣ୍ଡି ଘଟ ମଧ୍ୟରେ ରଖି ପୂଜା କରାଯାଏ । ମୁଖ୍ୟଘଟ ସହ ଅନ୍ୟ ଆଠଗୋଟି ଘଟ ପାର୍ଶ୍ୱଦେବୀମାନଙ୍କ ନାମରେ ପୂଜିତ ହୋଇଥାଏ । ତୃତୀୟ ଦିନ ଘଟ ପୂଜା ଆରମ୍ଭ ହେବା ପରଠୁଁ ଦେବୀଙ୍କ ସାହୀ ପରିକ୍ରମା ମଧ୍ୟ ଆରମ୍ଭ ହୋଇଯାଏ । ସନ୍ଧ୍ୟା ପ୍ରାୟ ୮ ରୁ ୧୧ ଘଣ୍ଟା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଘଟ ସହ ଆଠଗୋଟି ପାର୍ଶ୍ୱଘଟ ଶୋଭାଯାତ୍ରାରେ ସାହୀ ପରିକ୍ରମା କରିଥାନ୍ତି । ମୁଖ୍ୟ ଘଟ ଦେଶୀବେହେରାଙ୍କ ପତ୍ନୀ ମଣ୍ଡନ କରି ପ୍ରତ୍ୟହ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବାବେଳେ ଅନ୍ୟ ଆଠଗୋଟି ଘଟ ଆଠଜଣ ଡ଼େରା ସଂପ୍ରଦାୟ ମୁଖ୍ୟ ସେନାପତିମାନଙ୍କ ପତ୍ନୀମାନେ ମଣ୍ଡନ କରିବା ପରମ୍ପରା ପ୍ରଚଳିତ ।

ମୁଖ୍ୟ ଘଟ ସହ ଅନ୍ୟ ଆଠଗୋଟି ଘଟ ସାହୀ ପରିକ୍ରମା କାଳରେ ପ୍ରଥମେ ମହୁରି ରାଜଉଆସକୁ ଯାଇଥାନ୍ତି । ସେଠି ରାଜ ପରିବାର ଦ୍ୱାରା ପୂଜିତ ହେବା ପରେ ଅନ୍ୟାନ୍ୟ ଅଞ୍ଚଳକୁ ଯାତ୍ରା କରିଥାନ୍ତି । ଯାତ୍ରାର ତୃତୀୟ ଦିନଠାରୁ ସାହୀ ପରିକ୍ରମା ଆରମ୍ଭ ହେବା ପରେ ପ୍ରଥମେ କେତେଦିନ କେବଳ ରାଜ ଉଆସ ଓ ଆଖପାଖ ଅଞ୍ଚଳ ଭ୍ରମଣରେ ଫେରିବା ପରେ କ୍ରମଶଃ ଅନ୍ୟାନ୍ୟ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଥାଏ ।

ଏହି ସାହୀ ପରିକ୍ରମାର ସୀମାରେଖା ସାଧାରଣତଃ ବଡ଼ବଜାର, ପୁରୁଣା ବ୍ରହ୍ମପୁର ଓ କାଠମେଣ୍ଟୁ ଛକ ମଧ୍ୟରେ ସୀମିତ ହୋଇଥାଏ । ପ୍ରତ୍ୟହ ସନ୍ଧ୍ୟାରେ ଏହି ସମସ୍ତ ଅଞ୍ଚଳ ପରିକ୍ରମା କରିବା ସମ୍ଭବପର ନହେବା ଯୋଗୁଁ ଦୈନିକ ମାତ୍ର କେତେଗୋଟି ସାହୀ ପାଳି କରି ପରିକ୍ରମା କରାଯାଇଥାଏ । ଏହି ଅବସରରେ ସଂପୃକ୍ତ ସାହୀବାସିନ୍ଦାମାନେ ନିଜ ଗୃହ ସାମନାରେ ଦେବୀଙ୍କୁ ପୂଜା ଅର୍ଚ୍ଚନା କରିବାର ସୁଯୋଗ ପାଇଥାନ୍ତି । ଠାକୁରାଣୀ ଯାତ୍ରା ଆରମ୍ଭ ହେବା ତୃତୀୟ ଦିବସଠାରୁ ଶେଷ ଯାଏଁ ଏହି ଘଟ ପରିକ୍ରମା ନିୟମିତ ଚାଲିଥାଏ । ଶେଷ ଦିନ ଏହି ନଅଗୋଟି ଘଟ ସହ ମାନସିକ କରିଥିବା ପରିବାରବର୍ଗଙ୍କ ପକ୍ଷରୁ ସ୍ତ୍ରୀଲୋକମାନେ ଘଟ ମଣ୍ଡନ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି । ଅସ୍ଥାୟୀ ମନ୍ଦିରରୁ ଶୋଭାଯାତ୍ରା ବାହାରି ସମସ୍ତ ସାହୀ ପରିକ୍ରମାପୂର୍ବକ ବଡ଼ ଠାକୁରାଣୀ ମନ୍ଦିରରେ ପହଞ୍ଚିଥାଏ ଏବଂ ମନ୍ଦିର ପ୍ରାଙ୍ଗଣରେ ଘଟ ବିସର୍ଜନ ପରେ ସେହି ବର୍ଷର ଠାକୁରାଣୀ ଯାତ୍ରା ଶେଷ ହୋଇଥାଏ ।

Monday, April 1, 2019

କିମ୍ୱଦନ୍ତୀରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା


ମହୁରି ରାଜା ହରିହର ନରେନ୍ଦ୍ର ଦେବଙ୍କ କୃପାରେ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ଅଞ୍ଚଳରୁ ଦେବାଙ୍ଗ ସଂପ୍ରଦାୟର କିଛି ବୁଣାକର ପରିବାର ବ୍ରହ୍ମପୁର ଆସି ରାଜନଅର ସମ୍ମୁଖରେ ବସବାସ କରିଥିଲେ । ପ୍ରାଥମିକ ଭାବେ ସେମାନେ ଡ଼େରା ବା ତମ୍ୱୁ ଟାଣି ବସତି ରଚ଼ନା କରିଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଡ଼େରା ନାମିତ କରିଥିବା କୁହାଯାଏ । ପରବର୍ତ୍ତୀ ଅବସ୍ଥାରେ ସ୍ଥାୟୀଭାବେ ରାଜନଅର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘରଦ୍ୱାର କରି ରହିଥିଲେ । କ୍ରମଶଃ ସେମାନଙ୍କ ବଂଶ ବୃଦ୍ଧି ଘଟିଥିଲା ଏବଂ ୧୮ ଗୋଟି ବସ୍ତିକୁ ସଂପ୍ରସାରିତ ହୋଇଥିଲା ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଉତ୍ପତ୍ତିକୁ ନେଇ ଏକ କିମ୍ୱଦନ୍ତୀ ଶୁଣିବାକୁ ମିଳେ । ଡ଼େରା ବୁଣାକର ସଂପ୍ରଦାୟ ମୁଖିଆଙ୍କୁ ମହୁରିରାଜା ବେହେରା ଉପାଧିରେ ଭୂଷିତ କରିଥିଲେ । ତାଙ୍କରି ବଂଶଧରମାନେ ଆଜି ଦେଶୀବେହେରା ନାମରେ ପରିଚ଼ିତ । ସେ ଥିଲେ ବଡ଼ ଠାକୁରାଣୀଙ୍କ ପରମଭକ୍ତ ଓ ପ୍ରତିଦିନ ସକାଳେ ଫୁଲ ଚାଙ୍ଗୁଡ଼ିଟାଏ ଧରି ଗାଁ ମୁଣ୍ଡ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରୁଥିଲେ ।

ଏକଦା ଚୈତ୍ରମାସ ମଙ୍ଗଳବାର ରାତ୍ରି ସମୟରେ ବେହେରା ନିଜ ଦାଣ୍ଡ ବାରଣ୍ଡାରେ ବିଶ୍ରାମ କରୁଥିବା ଅବସରରେ ରାସ୍ତାରେ କେହି ଜଣେ ଯୁବତୀର କ୍ରନ୍ଦନ ଶୁଣିବାକୁ ପାଇଲେ । ତାହା ପାଖକୁ ଯାଇ କାରଣ ପଚାରିବାରେ ମୁକୁଳା କେଶ କଳା ବସ୍ତ୍ର ପରିହିତା ଯୁବତୀ ଜଣକ କହିଲା ଯେ ସେ ବାପା ଘରକୁ ଯାଉଥିଲା । ରାତିରେ ବାଟ ଭୁଲିଯାଇଛି । ବେହେରା କହିଲେ ଏତେ ରାତିରେ କୁଆଡ଼େ ବାଟ ଖୋଜିବୁ ଝିଅ । ମୁଁ ତ ତୋର ବାପ ସମାନ । ଆଜି ରାତିକ ଆମ ଘରେ ରହିଯାଅ । କାଲି ସକାଳେ ବାଟ ଖୋଜି ଚାଲିଯିବୁ । ଏହି ସମୟରେ ବୁଢ଼ା ଦେଖନ୍ତି ତ ଯୁବତୀ ଜଣକ ସ୍ମିତହାସ୍ୟ ଦେଇ ରାସ୍ତା ଅପରପାର୍ଶ୍ୱର ଲତାଗୁଳ୍ମ ଦେଇ କୁଆଡ଼େ ଉଭେଇଗଲା । କିଛି ସମୟ ଖୋଜାଖୋଜି କରି ସନ୍ଦିଗ୍ଧ ମନରେ ସେ ଘରକୁ ଫେରିଲେ ।

ତତ୍ ପରଦିନ ସକାଳେ ପ୍ରତିଦିନ ଭଳି ଫୁଲଚାଙ୍ଗୁଡ଼ି ଧରି ବୁଢ଼ା ଠାକୁରାଣୀଙ୍କୁ ଉପାସନା କରିବାକୁ ଗଲେ । ତେବେ ଯେତେଥର ସେ ଫୁଲମାଳ ଠାକୁରାଣୀଙ୍କ ମସ୍ତକରେ ରଖୁଥାନ୍ତି ତାହା ତଳକୁ ଖସି ପଡୁଥାଏ । ବୁଢ଼ା ବିଚଳିତ ହୋଇ ଠାକୁରାଣୀଙ୍କ ନିକଟରେ ଅଧିଆ ପଡ଼ିଲେ । କିଛି ସମୟ ପରେ ଶୂନ୍ୟବାଣୀ ହେଲା, ଆଜିଯାଏ ତୁମେ ମୋର ପୂଜା ଅର୍ଚ୍ଚନା କରି ଆସୁଥିଲ । କିନ୍ତୁ ଗତକାଲି ରାତିରେ ପରା ତୁମେ ମୋର ବାପା ହେଲ । ବାପାଙ୍କଠାରୁ ଝିଅ କିପରି ପୂଜା ଗ୍ରହଣ କରିବ ? ତୁମେ ଫେରିବା ରାସ୍ତାରେ ପ୍ରଥମେ ଯାହା ମୁହଁ ଚାହିଁବ ଆଜିଠୁଁ ସେ ହିଁ ମୋର ପୂଜା ଅର୍ଚ୍ଚନା କରିବ । ଅଗତ୍ୟା ଦେଶୀବେହେରା ବୁଢ଼ା ଫେରିଗଲେ ଏବଂ ଫେରନ୍ତା ରାସ୍ତାରେ ଜଣେ ଭଣ୍ଡାରିକୁ ଦେଖିଲେ । ସେହିଦିନୁ ଭଣ୍ଡାରି ସଂପ୍ରଦାୟର ଲୋକମାନେ ହିଁ ବ୍ରହ୍ମପୁର ଠାକୁରାଣୀଙ୍କ ପୂଜକ ହୋଇଛନ୍ତି ।

ଠାକୁରାଣୀଙ୍କ ପୂଜା ଅର୍ଚ୍ଚନାରୁ ଅବ୍ୟାହତ ପରେ ଯୋଡ଼ ହସ୍ତରେ ବୁଢ଼ା ଦେବୀଙ୍କୁ ପ୍ରାର୍ଥନା କଲେ ସେ କଣ ଆଉ କେବେ ଠାକୁରାଣୀଙ୍କ ସେବାର ସୁଯୋଗ ପାଇବେ ନାହିଁ । ଦେବୀ ପ୍ରସନ୍ନ ହୋଇ କହିଲେ, ମୁଁ ତୁମର ଝିଅ । ପ୍ରତି ଦୁଇବର୍ଷରେ ଥରେ ମୁଁ ବାପା ଘର ଯାଇ କିଛି ଦିନ ବିତାଇ ମନ୍ଦିର ଫେରୁଥିବି । ସେହିଦିନୁ ଠାକୁରାଣୀ ଯାତ୍ରା ଆରମ୍ଭ ହୁଏ । ଯାତ୍ରା ଅବସରରେ ଠାକୁରାଣୀ କିଛିଦିନ ପାଇଁ ଦେଶୀବେହେରାଙ୍କ ବାସଗୃହ ସାମ୍ନାରେ ନିର୍ମିତ ଅସ୍ଥାୟୀ କୁଟୀରରେ ରହି ପ୍ରତିଦିନ ସନ୍ଧ୍ୟାରେ ଆଖପାଖ ସାହୀ ପରିକ୍ରମା କରି ପୁଣି ମନ୍ଦିରକୁ ଫେରନ୍ତି ।

ପାରମ୍ପରିକଭାବେ ବ୍ରହ୍ମପୁରର ଦେବାଙ୍ଗ ବୁଣାକାର ସଂପ୍ରଦାୟ ଆନୁକୂଲ୍ୟରେ ଠାକୁରାଣୀ ଯାତ୍ରା ଆୟୋଜିତ ହୋଇଥାଏ । ଦେବାଙ୍ଗ ସଂପ୍ରଦାୟର ମୁଖ୍ୟ ଦେଶୀବେହେରା ଠାକୁରାଣୀ ଯାତ୍ରା ଆୟୋଜନର ତତ୍ତ୍ୱାବଧାନ କରିଥାନ୍ତି । ଦେଶୀବେହେରାଙ୍କ ବାସଗୃହରେ ଠାକୁରାଣୀଙ୍କ ପୀଠ ରହିଛି । ଲୋକ ବିଶ୍ୱାସରେ ଯାତ୍ରା ଅବସରରେ ବଡ଼ ଠାକୁରାଣୀ ନିଜ ବାପା ଘରକୁ ବୁଲି ଆସନ୍ତି । ଯାତ୍ରାର ବିଧିବିଧାନ ପାଳନରେ ବୁଢ଼ାଙ୍କ ବାଉଁଶ ଫୁଲଚ଼ାଙ୍ଗୁଡ଼ିର ସ୍ମୃତି ଆଜିଯାଏଁ ପ୍ରାଧାନ୍ୟ ଲାଭ କରୁଥିବା ଲକ୍ଷ୍ୟ କରାଯାଏ ।

Sunday, March 31, 2019

ଯାତ୍ରା ଆରମ୍ଭର କାଳ ନିର୍ଣ୍ଣୟ


ମହୁରି ରାଜ୍ୟର ରାଜଧାନୀ ରୂପେ ବ୍ରହ୍ମପୁର ଗଢ଼ି ଉଠିଥିଲା । ଐତିହାସିକ ତଥ୍ୟ ଅନୁଯାୟୀ ଓଡ଼ିଶାର ଗଜପତି ପୁରୁଷୋତ୍ତମ ଦେବ ପଞ୍ଚଦଶ ଶତାଦ୍ଦୀ ଶେଷଭାଗରେ ମହୁରି ରାଜ୍ୟ ପ୍ରତିଷ୍ଠା କରିଥିଲେ । କେରାଣ୍ଡିମାଳ ପର୍ବତ ପାଦଦେଶରେ ମହୁରିଗଡ଼ ବା ଅଧୁନା ବ୍ରହ୍ମପୁର-ଚ଼ିକିଟି ରାସ୍ତା କଡ଼ର ମହୁଡ଼ା ଗ୍ରାମ ନିକଟରେ ଏକ ପ୍ରସ୍ତର ନିର୍ମିତ ଦୁର୍ଗରେ ମହୁରି ରାଜ ପରିବାର ବାସ କରୁଥିଲେ । ତେବେ ସେଠାରୁ ୧୨ କିଲୋମିଟର ଦୁରବର୍ତ୍ତୀ ଏକ ସମତଳ ସ୍ଥାନରେ ୧୬୬୨ ରୁ ୧୬୭୨ ଖ୍ରୀଷ୍ଟଦ୍ଦ ମଧ୍ୟରେ ନୂତନ ରାଜବାଟୀ ନିର୍ମାଣ କରି ମହୁରି ରାଜପରିବାର ଚ଼ାଲି ଆସିଥିଲେ ।

୧୬୭୨ ଖ୍ରୀଷ୍ଟାଦ୍ଦରେ ହରିଡ଼ାଖଣ୍ଡିଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ୱାମୀ ମନ୍ଦିର ପ୍ରତିଷ୍ଠିତ ହୋଇଥିଲା । ମନ୍ଦିର ଓ ରାଜବାଟୀ ମଧ୍ୟରେ ସମୟକ୍ରମେ ବହୁ ମଠ ମନ୍ଦିର ସ୍ଥାପିତ ହେବା ପରେ ଗଢ଼ିଉଠୁଥିବା ଜନବସତିକୁ ଦେବତାମାନଙ୍କ ନିବାସ ସ୍ଥଳ ବ୍ରହ୍ମପୁର ନାମିତ କରାଯାଇଥିଲା । ୧୯୩୨ ଖ୍ରୀଷ୍ଟାଦ୍ଦରେ ମାନ୍ଦ୍ରାଜରୁ ପ୍ରକାଶିତ ବି.ଜେ.ମାଲଟବିଙ୍କ ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନୁଆଲର ପୃ.୪୭ରେ ଏହା ଲିପିବଦ୍ଧ ହୋଇଛି । ବ୍ରହ୍ମପୁର ସହରର ଉତ୍ପତ୍ତି ସଂପର୍କରେ ତାହା ହିଁ ପ୍ରାଚ଼ୀନତମ ପ୍ରାମାଣିକ ଗ୍ରନ୍ଥ ।

ହରିହର ନରେନ୍ଦ୍ର ଦେବଙ୍କ ପିତା ନାରାୟଣ ଦେବଙ୍କ ରାଜତ୍ୱ ସମୟରେ ମହୁରି ରାଜ୍ୟ ଇଂରେଜମାନଙ୍କ ଶାସନାଧୀନ ହୋଇଥିଲା । ୧୭୭୦ ମସିହା ଫେବୃୟାରୀ ୧୦ ତାରିଖ ଦିନ ନାରାୟଣ ଦେବଙ୍କ ମୃତ୍ୟୁ ଘଟିଲା ଏବଂ ତାଙ୍କରି ପୁତ୍ର ହରିହର ନରେନ୍ଦ୍ର ଦେବ ୧୨ ବର୍ଷ ବୟସରେ ରାଜସିଂହାସନ ଆରୋହଣ କଲେ । ୧୭୮୨ ଡ଼ିସେମ୍ୱର ୧୦ ତାରିଖ ଦିନ ହରିହର ନରେନ୍ଦ୍ର ଦେବଙ୍କୁ ହତ୍ୟା କରାଗଲା । ଏହି ବାର ବର୍ଷର ସମୟସୀମାରେ ହରିହର ନରେନ୍ଦ୍ରଦେବ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ ଏବଂ ଦେବାଙ୍ଗ ବୁଣାକର ପରିବାରବର୍ଗ ବ୍ରହ୍ମପୁର ଆଗମନ କରି ମହୁରି ରାଜବାଟୀ ନିକଟରେ ବସତି ସ୍ଥାପନ କରିଥିଲେ । ଅନୁମାନ କରାଯାଇପାରେ ଯେ, ଦେବାଙ୍ଗ ସଂପ୍ରଦାୟଙ୍କ ବସତି ସ୍ଥାପନ ଓ ବ୍ୟବସାୟ ଆରମ୍ଭ ପରେ ଅଷ୍ଟାଦଶ ଶତାଦ୍ଦୀର ଅଷ୍ଟମ ଦଶକରେ ହିଁ ଠାକୁରାଣୀଯାତ୍ରା ଆରମ୍ଭ ହୋଇଥିଲା ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରା କେବେଠାରୁ ପ୍ରାଧାନ୍ୟ ଲାଭ କଲା ଓ ଯାକଜମକରେ ପାଳିତ ହେଲା ତାହା ଗବେଷଣା ସାପେକ୍ଷ । ଇଂରେଜମାନଙ୍କ ମହୁରି ରାଜ୍ୟ ଆଗମନ ପରଠୁ ବରାବର ଅଶାନ୍ତି ଲାଗି ରହିଥିଲା । ୧୮୩୫ ମସିହାରେ ମହୁରି ରାଜା ବ୍ରିଟିଶ ସରକାରଙ୍କୁ ସଲାମି କର ଦେଇ ନପାରିବା ହେତୁ ବ୍ରହ୍ମପୁର ସହରକୁ ଉକ୍ତ ବକେୟା ଅର୍ଥ ବଦଳରେ ରାଜାଙ୍କ ଠାରୁ ଇଂରେଜ ସରକାର କିଣିନେଇଥିଲେ । ୧୮୫୦ ମସିହାରେ ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟକୁ ଇଂରେଜ ସରକାର ବାଜ୍ୟାପ୍ତ କରିଦେଲେ । ଫଳରେ ଏଠାରେ କେତୋଟି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ସ୍ଥାପିତ ହେଲା ଏବଂ କ୍ରମଶଃ ଏକ ବାଣିଜ୍ୟ ପେଣ୍ଠରୂପେ ଗଢ଼ି ଉଠିଲା ।

୧୮୬୫ରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା । ଅତଏବ ଊନବିଂଶ ଶତାଦ୍ଦୀର ଶେଷଭାଗରେ ହିଁ ବ୍ରହ୍ମପୁରରେ ଜାକଜମକରେ ଯାତ୍ରା ପାଳନ ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ । ସେହି ସମୟବେଳକୁ ଗୋପାଳପୁର ବନ୍ଦରର ବିକାଶ, ବିଂଶଶତାଦ୍ଦୀ ଆରମ୍ଭରେ ବ୍ରହ୍ମପୁରକୁ ରେଳପଥ ସଂଯୋଗ ତଥା ସ୍ୱାଧୀନତାପରବର୍ତ୍ତୀ ଅବସ୍ଥାରେ ୪୯ ନମ୍ୱର ଜାତୀୟ ରାଜପଥରେ ମୋଟର ଯାନ ଯୋଗେ ମାଲ ପରିବହନ କ୍ରମଶଃ ବ୍ରହ୍ମପୁରକୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟାବସାୟିକ କେନ୍ଦ୍ର ରୂପେ ଗଢ଼ି ତୋଳିଲା । ଏଠାକାର ବ୍ୟାବସାୟିକ ଅଭିବୃଦ୍ଧି ଠାକୁରାଣୀଯାତ୍ରା ଆୟୋଜନରେ ସହାୟକ ହୋଇଥିଲା ବୋଲି କୁହାଯାଇପାରେ ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ପ୍ରାୟ ୩୫ ଗୋଟି ରଥ ଓ କଳାକୁଞ୍ଜ ନିର୍ମିତ ହୋଇଥାଏ । ଅତୀତରେ ରଥଗୁଡ଼ିକ କେବଳ ବଡ଼ ବଜାରରେ ହିଁ ପ୍ରଦର୍ଶିତ ହେଉଥିଲା । ଆଖପାଖ ସାହୀର ଲୋକେ ଚ଼ାନ୍ଦାଭେଦାରେ ରଥ ନିର୍ମାଣ ପରେ ସେଗୁଡ଼ିକ ବଡ଼ ବଜାର ଅଞ୍ଚଳକୁ ଟାଣି ଆଣୁଥିଲେ । ସହରରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା ହେବାପରେ ରଙ୍ଗବେରଙ୍ଗ ଆଲୋକ ସଂଯୋଗରେ ରଥ ଓ ରାଜରାସ୍ତାଗୁଡ଼ିକର ସୌନ୍ଦର୍ଯ୍ୟ ବଢ଼ିଥିଲା । କ୍ରମଶଃ କେବଳ ବଡ଼ ବଜାର ପରିବର୍ତ୍ତେ ଆଖପାଖ ଅଞ୍ଚଳରେ ମଧ୍ୟ ରଥ ନିର୍ମିତ ହେଲା । ୧୯୬୧ ଓ ୬୩ ଯାତ୍ରାରେ ଅଧିକ ସାହୀରେ କଳାକୁଞ୍ଜ ନିର୍ମାଣ ଆରମ୍ଭ ହୋଇଥିଲା । ପ୍ରତି ଯାତ୍ରା ଅବସରରେ ଶେଷ ସପ୍ତାହଟି ରଥ ଓ କଳାକୁଞ୍ଜ ପ୍ରଦର୍ଶନର ପରମ୍ପରା ଯାତ୍ରାକୁ ଆକର୍ଷଣୀୟ କରିଥାଏ ।

Friday, March 29, 2019

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଆୟୋଜନ


ବ୍ରହ୍ମପୁର ସହରର ପାରମ୍ପରିକ ଠାକୁରାଣୀ ଯାତ୍ରା ଦକ୍ଷିଣ ଓଡ଼ିଶା ଓ ଉତ୍ତର-ପୂର୍ବ ଆନ୍ଧ୍ରପ୍ରଦେଶରେ ପ୍ରସିଦ୍ଧ । ପ୍ରତି ବର୍ଷକ ଅନ୍ତରରେ ଥରେ ଚୈତ୍ର ଓ ବୈଶାଖ ମାସରେ ପାଳିତ ହେଉଥିବା ଏହି ଯାତ୍ରା ସହରର ସାମାଜିକ, ସାଂସ୍କୃତିକ ତଥା ଅର୍ଥନୀତି କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଥାଏ । ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀ ଦେବୀ ବଡ଼ ଠାକୁରାଣୀଙ୍କ ଏହି ଯାତ୍ରା-ମହୋତ୍ସବ ପାଳନ ଅବସରରେ ଗ୍ରାମାଞ୍ଚଳରୁ ଅଗଣିତ ଦର୍ଶନାଭିଳାଷୀ ଆକର୍ଷିତ ହୋଇଥାନ୍ତି ।

ଠାକୁରାଣୀ ଯାତ୍ରା କେଉଁ ସମୟରୁ ଆରମ୍ଭ ହୋଇଛି ସେ ସମ୍ପର୍କରେ ଗବେଷଣାଲବ୍ଧ କୌଣସି ନିର୍ଦ୍ଦିଷ୍ଟ ଐତିହାସିକ ତଥ୍ୟ ବର୍ତ୍ତମାନ ଯାଏଁ ଲୋକଲୋଚନକୁ ଆସିପାରିନାହିଁ । ତେବେ କେତେକ କିମ୍ୱଦନ୍ତୀକୁ ପାଥେୟ କରି ଯାତ୍ରାର ଉତ୍ପତ୍ତି ସମ୍ପର୍କରେ ଆଲୋଚ଼ନା କରାଯାଇପାରେ । ଠାକୁରାଣୀ ଯାତ୍ରା ସହ ଆଜି ସୁଦ୍ଧା ଦେବାଙ୍ଗ ବା ଡ଼େରା ବୁଣାକର ସଂପ୍ରଦାୟ ଓ ମହୁରି ରାଜପରିବାରଙ୍କ ସଂଶ୍ଳିଷ୍ଠତାକୁ ବିଚ଼ାରକୁ ନେଇ ମହୁରି ରାଜାଙ୍କ ରାଜମହେନ୍ଦ୍ରୀ ଭ୍ରମଣ କିମ୍ୱଦନ୍ତୀକୁ ପ୍ରାଧାନ୍ୟ ଦିଆଯାଇପାରେ ।

କୁହାଯାଏ ଯେ, ମହୁରି ରାଜା ହରିହର ନରେନ୍ଦ୍ର ଦେବ ଏକଦା ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ ଏବଂ ସେଠାକାର ବୁଣାକରମାନଙ୍କ ଶିଳ୍ପ ଚାତୁର୍ଯ୍ୟରେ ମୁଗଧ୍ ହୋଇଥିଲେ । ରାଜାଙ୍କ ସହ ପରିଚିତ ହେବା ପରେ ରାଜକୃପା ଲାଭ କରି ରାଜମହେନ୍ଦ୍ରୀରୁ କେତେକ ବୁଣାକର ପରିବାର ମହୁରି ରାଜ୍ୟକୁ ଆସି  ବ୍ରହ୍ମପୁରରେ ନୂଆ କରି ଗଢ଼ି ଉଠିଥିବା ମହୁରି ରାଜବାଟୀ ନିକଟରେ ବସତି ସ୍ଥାପନ କରିଥିଲେ । ବଂଶାନୁକ୍ରମିକଭାବେ ସେହିମାନେ ହିଁ ଆଜିକାର ଡ଼େରା ବୁଣାକର ସଂପ୍ରଦାୟରୂପେ ପରିଚିତ ।

ଦାକ୍ଷିଣାତ୍ୟରେ ଘଟ ପୂଜା ପଦ୍ଧତି ପ୍ରଚଳିତ । ବୁଣାକର ସଂପ୍ରଦାୟଙ୍କ ମହୁରି ରାଜ୍ୟକୁ ଆଗମନ ଓ ବ୍ୟବସାୟ ଆରମ୍ଭ ପରେ ସେମାନେ ଦାକ୍ଷିଣାତ୍ୟର ଘଟପୂଜା ପଦ୍ଧତି ଏଠାରେ ପ୍ରଚଳନ କରିଥିବା ଅନୁମାନ କରାଯାଏ । ଡ଼େରାମାନଙ୍କ ପାଟମଠା ବସ୍ତ୍ରର ଖ୍ୟାତି ବଢ଼ିଚାଲିଲା ଏବଂ ସେମାନେ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱଚ୍ଛଳ ହେଲେ । ବ୍ୟାବସାୟିକ ତଥା ଆର୍ଥିକ ସଫଳତା ଆଡ଼ମ୍ୱରପୂର୍ଣ୍ଣ ଓ ବ୍ୟୟବହୁଳ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ପ୍ରଶସ୍ତ କ୍ଷେତ୍ର ଯୋଗାଇଥିଲା ।

ତତ୍ ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁର ବ୍ୟାବସାୟିକ କ୍ଷେତ୍ରରେ କୁମୁଟି ବୈଶ୍ୟ ସଂପ୍ରଦାୟଙ୍କ ପ୍ରାଧାନ୍ୟତା ଅନୁଭବ ହୋଇଥିଲା ଏବଂ ସେମାନଙ୍କ ପକ୍ଷରୁ ମଧ୍ୟ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ସହଯୋଗ ଜାରୀ ରହିଥିଲା । ତେବେ ମୂଳତଃ ଧାର୍ମିକ ତଥା ପାରମ୍ପରିକ ଧାରାକୁ ବାଦ ଦେଇ ବିଶ୍ଳେଷଣ କଲେ ଫସଲ ଆମଦାନୀ ପର ଗ୍ରୀଷ୍ମଋତୁରେ ଏଭଳି ଏକ ଯାତ୍ରା ଆୟୋଜନ ଫଳରେ ଗ୍ରାମାଞ୍ଚଳରୁ ଜନସାଧାରଣ ବ୍ରହ୍ମପୁର ବଜାର ପ୍ରତି ଆକୃଷ୍ଟ ହେବା ଏବଂ ବ୍ୟାବସାୟୀଗଣ ଏଥିରୁ ବ୍ୟବସାୟିକ ଫାଇଦା ପାଇଁ ଏକ ସୁଯୋଗ ସୃଷ୍ଟି କରିବା ଉଦ୍ୟମରେ ଜାକଜମକରେ ଯାତ୍ରା ପାଳନ ଲାଗି ପୃଷ୍ଠପୋଷକତା ଯୋଗାଇଥିବା ସ୍ପଷ୍ଟ ବାରି ହୁଏ ।

ଭାରତବର୍ଷରେ ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ସ୍ୱାଧୀନତାର ପ୍ରାକ୍ କାଳରେ ଦେଶରେ ସର୍ବତ୍ର ଏଭଳି ଧାର୍ମିକ ମେଳନଗୁଡ଼ିକୁ ବ୍ୟାବସାୟିକ ଉନ୍ନତି ବା ସେଲସ୍ ପ୍ରମୋଶନ ପାଇଁ ପ୍ରକୃଷ୍ଟ କ୍ଷେତ୍ର ରୂପେ ବ୍ୟବହାର କରାଯାଉଥିଲା । ଅତୀତରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏହି ଅଞ୍ଚଳର ଜନସମାଗମ ପାଇଁ ଏକ ବିଶିଷ୍ଟ ଉତ୍ସବ ରୂପେ ବିବେଚିତ ହେଉଥିବା ଯୋଗୁଁ ବ୍ୟାବସାୟିକ ପ୍ରଜ୍ଞାପନ କବଳରୁ ଏହାର ମୁକ୍ତି ପାଇବା ସମ୍ଭବପର ନଥିଲା । ତେବେ ଆଜିକାଲିକା ବଜାରଭିତ୍ତିକ ସଭ୍ୟତାରେ ବ୍ୟବସାୟୀମାନେ ବର୍ଷ ସାରା ପ୍ରତିଦିନ ବିଜ୍ଞାପନ ଓ ଭାବମୂର୍ତ୍ତି ବା ବ୍ରାଣ୍ଡ ପ୍ରମୋଶନରେ ଲାଗି ରହୁଥିବା ଯୋଗୁଁ ସ୍ଥାନୀୟ ବ୍ୟବସାୟୀ ଗୋଷ୍ଠୀଙ୍କ ପକ୍ଷରୁ ଏଭଳି ଯାତ୍ରା ପାଳନ ପାଇଁ ପୂର୍ବ ଆଗ୍ରହ ପରିଲକ୍ଷିତ ହେଉ ନାହିଁ । ଅପରପକ୍ଷରେ ଜଗତୀକରଣ ପରବର୍ତ୍ତୀ ଅବସ୍ଥାରେ କ୍ରମଶଃ ସାଧାରଣ ଲୋକେ ଯାତ୍ରାପାଳନରେ ଅଧିକ ସଂଖ୍ୟାରେ ସାମିଲ ହେଉଥିବା ଅନୁଭୂତ ହେଉଛି ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ୨୦୧୯


ବ୍ରହ୍ମପୁରର ପ୍ରସିଦ୍ଧ ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ପାରମ୍ପରିକ ରୀତିରେ ୨୦୧୯ ଗ୍ରୀଷ୍ମଋତୁରେ ଆୟୋଜନଲାଗି ନିର୍ଦ୍ଧାରିତ । ଚଳିତ ବର୍ଷ ମାର୍ଚ୍ଚ ୨୯ ରୁ ଏପ୍ରିଲ ୨୯ ଏକମାସ ବ୍ୟାପୀ ଯାତ୍ରା ଅନୁଷ୍ଠିତ ହେବ । ମାର୍ଚ୍ଚ ୨୯ ଶୁକ୍ରବାର ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ନିମନ୍ତ୍ରଣ କରାଯାଇ ମାର୍ଚ୍ଚ ୩୦ ଶନିବାର ପ୍ରତ୍ୟୁଷରୁ ବଡ଼ବଜାର ଦେଶୀବେହରା ସାହୀସ୍ଥିତ ଅସ୍ଥାୟୀ ପୂଜାମଣ୍ଡପରେ ସ୍ଥାପନ କରାଯାଇଛି । ଯାତ୍ରାପାଳନ ନିମନ୍ତେ ଆୟୋଜକଙ୍କ ପକ୍ଷରୁ ଦୀର୍ଘଦିନରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।