Sunday, April 14, 2019

ରଥ ପ୍ରଦର୍ଶନ ପରମ୍ପରା

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଳନର ଶେଷ ସପ୍ତାହକ ଯାତ୍ରାସ୍ଥଳ ବଡ଼ ବଜାର ଓ ଆଖପାଖ ଅଞ୍ଚଳରେ ରଥ ଓ କଳାକୁଞ୍ଜ ପ୍ରଦର୍ଶନର ପରମ୍ପରା ରହିଆସିଛି । ଦେଶବିଦେଶର ଶୋଭାଯାତ୍ରାଭିତ୍ତିକ ବାର୍ଷିକ ବା ଦ୍ୱି-ବାର୍ଷିକକାର୍ନିଭଲସ୍ତରୀୟ ମହୋତ୍ସବଗୁଡ଼ିକରେ ମୃର୍ତ୍ତି ଓ ପ୍ରତିକୃତି ବା ମଡ଼େଲ ପ୍ରଦର୍ଶନ ମୁଖ୍ୟସ୍ଥାନ ଅଧିକାର କରିଥାଏ । ବ୍ରାଜିଲର ରିଓ-ଡ଼ି-ଜେନାରିଓ ଠାରୁ ଆମ ଦେଶର ଗୋଆ ଯାଏଁ ସର୍ବତ୍ର ଏହି ପ୍ରଥା ଦେଖିବାକୁ ମିଳେ । ୨୦୧୩ ମସିହା ଠାକୁରାଣୀ ଯାତ୍ରାରେ ୨୦ ଗୋଟି ରଥ ଓ ୫୪ ଗୋଟି କଳାକୁଞ୍ଜ ପ୍ରଦର୍ଶିତ ହୋଇଥିଲା । ୨୦୧୫ରେ ୨୧ଗୋଟି ରଥ ଓ ୪୮ ଗୋଟି କଳାକୁଞ୍ଜ ପ୍ରଦର୍ଶିତ ହୋଇଥିଲା । ଅତୀତରେ କେବଳ ରଥ ନିର୍ମାଣ କରାଯାଇ ପ୍ରଦର୍ଶନ କରାଯାଉଥିବା ବେଳେ ୧୯୬୩ ମସିହାରୁ କଳାକୁଞ୍ଜ ନିର୍ମାଣ ଧାରା ଆରମ୍ଭ ହୋଇଥିଲା । ଇତି ମଧ୍ୟରେ କେତେକ ରଥ ନିର୍ମାଣ ବନ୍ଦ ହୋଇ ସାରିଥିବା କିମ୍ୱା କିଛିକାଳ ବନ୍ଦ ହୋଇ ପୁନର୍ବାର ନିର୍ମିତ ହୋଇଥିବା ବେଳେ କଳାକୁଞ୍ଜ ସଂଖ୍ୟା ବଢ଼ିବାରେ ଲାଗିଛି ।

ଏଠାକାର ରଥ ଓ କଳାକୁଞ୍ଜ ନିର୍ମାଣ ତଥା ପ୍ରଦର୍ଶନ ଲାଗି କେତେକ ନୀତିନିୟମ ପାଳିତ ହୋଇଥାଏ । ବଡ଼ ଠାକୁରାଣୀ ମନ୍ଦିରରୁ ଇଟାମଲ୍ଲୀ ଫୁଲ ଗୁମ୍ଫା ଦେଶୀ ବେହେରା ସାହୀର ଅସ୍ଥାୟୀ ମଣ୍ଡପକୁ ଶୋଭାଯାତ୍ରାରେ ଅଣାଯିବା ସହ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥାଏ । ଠାକୁରାଣୀଙ୍କ ପ୍ରତୀକ ଏହି ଫୁଲ ଗୁମ୍ଫା ତୃତୀୟ ଦିବସରେ ମୁଖ୍ୟ ଘଟରେ ସ୍ଥାପନ କରାଯିବା ପରେ ପ୍ରତ୍ୟେହ ସଂଧ୍ୟାରେ ମୁଖ୍ୟଘଟ ସହ ଆଠଗୋଟି ପାର୍ଶ୍ୱଘଟକୁ ମଣ୍ଡନ କରି ଆଖପାଖ ସାହୀ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ । ସାହୀ ପରିକ୍ରମା କାଳରେ ବିଭିନ୍ନ ସାହୀରେ ରଥ ଓ କଳାକୁଞ୍ଜ ନିର୍ମାଣ ଲାଗି ନିମନ୍ତ୍ରଣ କରାଯାଇଥାଏ । ପ୍ରାଥମିକ ଭାବେ ଯାତ୍ରାର ଚ଼ତୁର୍ଥ ଦିବସରେ ଧର୍ମଝାଣ୍ଡାକୁ ନିମନ୍ତ୍ରଣ ପରେ ଅନ୍ୟାନ୍ୟ ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ କରାଯାଏ ।

ପାରମ୍ପରିକ ଭାବେ ଯାତ୍ରା ଆରମ୍ଭର ଦୁଇରୁ ତିନି ସପ୍ତାହ ମଧ୍ୟରେ ପ୍ରଥମେ ଦୋଳି କିମ୍ୱାବିଞ୍ଚଣା ରଥ ଉନ୍ମୋଚ଼ିତ ହୋଇଥାଏ । ଦୋଳି, ବିଞ୍ଚଣା ଓ ବୋଇତ ରଥ ସର୍ବାପେକ୍ଷା ପୁରାତନ ରଥ ରୂପେ ପରିଚ଼ିତ । ଏଗୁଡ଼ିକର ନିର୍ମାଣ ଶୈଳୀ ଅତ୍ୟନ୍ତ ସରଳ ଏବଂ ନବୀକରଣରେ ଅପେକ୍ଷାକୃତ କମ ଅର୍ଥ ବ୍ୟୟ ହୋଇଥାଏ । ଦୋଳି ରଥରେ ଚ଼ାରିଗୋଟି ଦୋଳି ଥାଏ ପ୍ରଥମ ଦିନ ଏଥିରେ ବସିବା ପାଇଁ ପିଲାମାନେ ମାନସିକ କରିଥାନ୍ତି । ବିଞ୍ଚଣା ରଥ ପୂର୍ବେ ଦେବାଙ୍ଗ ସମ୍ପ୍ରଦାୟ ଦ୍ୱାରା ନିର୍ମିତ ହେଉଥିବା ବେଳେ ବର୍ତ୍ତମାନ ବାଚୁୱାରିସାହୀ ବାସିନ୍ଦାଙ୍କ ଦ୍ୱାରା ନିର୍ମିତ ହେଉଛି । ବିଞ୍ଚଣା ରଥ ଉନ୍ମୋଚ଼ନ ବେଳେ ଏଥିରେ ଜଣେ କୃଷ୍ଣ ଓ ଚ଼ାରିଜଣ ରାଧା ବେଶଧାରୀ ବସିବା ଦେଖାଯାଇଥାଏ । ବୋଇତ ରଥ ନିର୍ମାଣ କିଛି ବର୍ଷ ବନ୍ଦ ହୋଇ ଯାଇଥିଲା ।

ଠାକୁରାଣୀ ଯାତ୍ରାର ଅନ୍ୟାନ୍ୟ ପୁରାତନ ରଥ ମଧ୍ୟରେ ଶଙ୍କରପୁରସାହୀରରାମଚ଼ନ୍ଦ୍ର ରଥ ଅନ୍ୟତମ । ପୂର୍ବେ ଏହି ରଥରେ ଚକ ଲାଗୁଥିଲା ଏବଂ ରଥ ଟଣା ହୋଇ ବଡ଼ ବଜାରକୁ ଅଣାଯାଉଥିଲା । କିନ୍ତୁ ବର୍ତ୍ତମାନ ଶଙ୍କରପୁରସାହୀରେ ହିଁ ପ୍ରଦର୍ଶିତ ହେଉଅଛି । ଅପରପକ୍ଷେ ଜେନା ସାହୀର ବୀର ଲକ୍ଷ୍ମଣ ରଥ ଆଜି ଯାଏଁ ବଡ଼ ବଜାରରେ ପ୍ରଦର୍ଶିତ ହେବା ପାଇଁ ଅଣାଯାଉଛି । ଏହି ରଥଟି ୧୯୦୫ ମସିହାରୁ ନିୟମିତ ଭାବେ ପ୍ରସ୍ତୁତ ହେବା ଜଣାଯାଇଥାଏ । ବୀର ଲକ୍ଷ୍ମଣ ରଥର ମୂର୍ତ୍ତି ସାମଗ୍ରୀ ସବୁ ଜେନା ସାହୀର ଶ୍ରୀ ଶ୍ରୀବୃନ୍ଦାବନ ଚନ୍ଦ୍ର ଯୁଗଳ ମହାପ୍ରଭୁଙ୍କ ମନ୍ଦିରରେ ସାଇତି ରଖାଯାଇ ପ୍ରତିଥର ଯାତ୍ରାରେ ପ୍ରଦର୍ଶିତ ହୋଇଥାଏ । ଏହାକୁ ମରାମତକରି ପ୍ରଦର୍ଶନ ଯୋଗ୍ୟ କରିବା ପାଇଁ ୧୦ ରୁ ୧୨ ଦିନ ସମୟ ଏବଂ ୫୦ ରୁ ୬୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ପୁରୁଣା ବ୍ରହ୍ମପୁର ଚନ୍ଦ୍ରଶେଖର ସାହୀର ଶ୍ରୀ ହନୁମାନ ରଥକୁ ଅତୀତରେ ତେଲୁଗୁ ବ୍ରାହ୍ମଣ ସମ୍ପ୍ରଦାୟ ପକ୍ଷରୁ ନିର୍ମାଣ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସାହୀ ବାସିନ୍ଦାମାନେ ନିର୍ମାଣ କରୁଛନ୍ତି । ଷଣ୍ଢ ମହାନ୍ତି ସାହୀରଶିବାଋଢ଼ କାଳୀ ରଥ ୧୯୨୭ ମସିହାରୁ ନିର୍ମିତ ହେଉଥିବା କୁହାଯାଏ । ଏଠାରେ କାଳୀଙ୍କ ମୂର୍ତ୍ତିର ଉଚ୍ଚତା ୧୭ ଫୁଟ । ମଞ୍ଜୁଷାର କାରିଗରମାନେ ଏହାର ନିର୍ମାଣ କାର୍ଯ୍ୟ ତଦାରଖ କରିଥାନ୍ତି । ୨୦୧୫ରେ ଏହାର ନବୀକରଣ ଖର୍ଚ୍ଚ ଅଢ଼େଇଲକ୍ଷ ବୋଲି କୁହାଯାଇଥିଲା ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ରଥ ପ୍ରଦର୍ଶନ ଯାତ୍ରୀ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ ରୂପେ ବିବେଚ଼ିତ ହୋଇଥାଏ । ରଥ ଗୁଡ଼ିକରେ ଶୋଭାପାଉଥିବା ମୂର୍ତ୍ତିଗୁଡ଼ିକର ଭାଗ ଭାଗ କରି ସାଇତି ରଖି ଯାତ୍ରା ପରେ ଯାତ୍ରା ପ୍ରଦର୍ଶିତ କରାଯାଉଥିଲେ ହେଁ ଏହାର ନବୀକରଣ ତଥା ଆନୁସଙ୍ଗିକ ସାଜସଜ୍ଜା ପାଇଁ ବିପୁଳ ଖର୍ଚ୍ଚ ହୋଇଥାଏ । ସମୟେ ସମୟେ ଏହି ମୂର୍ତ୍ତିଗୁଡ଼ିକର ଭାବଭଙ୍ଗୀକୁ ମଧ୍ୟ ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଥାଏ ।

ଗତ ୨୦୧୩ ମସିହା ଯାତ୍ରାରେ କାଳୁ ପାତ୍ର ସାହୀରଜ୍ୱାଳାମୁଖୀ ରଥ ଆରମ୍ଭର ୭୫ ବାର୍ଷକୀପ୍ଳାଟିନମ ଜୁବୁଲି ପାଳନ କରାଯାଇଥିଲା । କଂସାରୀ ସାହୀରେ ପ୍ରଦର୍ଶିତ ପର୍ଶୁରାମ ରଥର ରୂପ ପରିବର୍ତ୍ତନ ହୋଇଥିଲା । ପୂର୍ବରୁ ପର୍ଶୁରାମଙ୍କଚ଼େହରା ଉଗ୍ର ରୂପ ଧାରଣ କରୁଥିବା ବେଳେ ଗତ ଥର୨୦୧୩ ଯାତ୍ରାରେ ଶାନ୍ତ ଚ଼େହରାଚ଼ିତ୍ରଣ କରାଯାଇଥିଲା ।

Saturday, April 13, 2019

ସାମୂହିକ ପ୍ରଚ଼େଷ୍ଟାରେ ରଥ ନିର୍ମାଣ

ବିଗତ ଦୁଇଶହରୁ ଅଧିକ ବର୍ଷ ଧରି ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକ ମହୋତ୍ସବ ରୂପେ ଗଢ଼ି ଉଠିଛି । ଲୋକ ମହୋତ୍ସବଗୁଡ଼ିକ ଆୟୋଜନରେ ସ୍ଥାନୀୟ ବାସିନ୍ଦାଗଣ ପୂର୍ଣ୍ଣ ସହଯୋଗ କରିଥାନ୍ତି । କିମ୍ୱଦନ୍ତୀ ପ୍ରକାରେ ବୁଣାକରଦେବାଙ୍ଗ ସମ୍ପ୍ରଦାୟ ମୁଖ୍ୟ ଦେଶୀ ବେହେରା ସ୍ୱପ୍ନାଦେଶ ପାଇବା ପରେ ଯାତ୍ରା ଆୟୋଜନ ସକାଶେ ପ୍ରଥମେ ନିଜ ସମ୍ପ୍ରଦାୟର ମୁଖିଆମାନଙ୍କ ସହଯୋଗ ଲୋଡ଼ିଥିଲେ । ପ୍ରାଥମିକ ଅବସ୍ଥାରେ ଯାତ୍ରା ପାଳନ ଦେବାଙ୍ଗ ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ଥିଲା । ସ୍ଥାନୀୟ ଲୋକେ ଯାତ୍ରାରେ ଅଂଶଗ୍ରହଣ କରୁଥିଲେ ହେଁ ଆୟୋଜନର ଦାୟିତ୍ୱ ସେମାନେ ହିଁ ନିର୍ବାହ କରୁଥିଲେ । ବର୍ତ୍ତମାନ ମଧ୍ୟ ଯାତ୍ରା ତିଥି ନିର୍ଦ୍ଧାରଣଲାଗିଦେଶୀବେହେରା କୁଳ ସଭାର ସମ୍ମତ୍ତି ଲୋଡ଼ିଥାନ୍ତି ଏବଂ ଯାତ୍ରାରେ ମୁଖ୍ୟ ଘଟ ସମେତ ଆଠ ଗୋଟି ପାର୍ଶ୍ୱଘଟଦେବାଙ୍ଗ ସଂପ୍ରଦାୟର ମହିଳାମାନେ ହିଁ ଧାରଣ କରିଥାନ୍ତି ।

ଅତୀତରେ ବ୍ରହ୍ମପୁରର ଦେବାଙ୍ଗ ସଂପ୍ରଦାୟ ୧୮ ଗୋଟି ସାହୀରେ ବସବାସ କରୁଥିଲେ ଏବଂ ଏଠାକାର ସଂପ୍ରଦାୟକୁ ୧୮ ଗୋଟି ମଣ୍ଡଳରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ମଣ୍ଡଳରେ ଜଣେ ସେନାପତି ମନୋନୀତ ହୋଇଥିଲେ । ଠାକୁରାଣୀ ଯାତ୍ରା ଆୟୋଜନ ସକାଶେ ଏହି ସେନାପତିମାନେ ମୁଖ୍ୟଭୂମିକା ଗ୍ରହଣ କରୁଥିଲେ । କାଳକ୍ରମେ ରଥ ପ୍ରଦର୍ଶନ ପରମ୍ପରା ଆରମ୍ଭ ହେବା ପରେ ସେମାନେ ରଥ ନିର୍ମାଣର ଦାୟିତ୍ୱରେ ତୁଲାଉଥିଲେ । ରଥଗୁଡ଼ିକ ବିଭିନ୍ନ ସାହୀରେ ନିର୍ମିତ ହୋଇ ଯାତ୍ରାସ୍ଥଳବଡ଼ ବଜାରକୁ ଅଣା ଯାଉଥିଲା । ଏଗୁଡ଼ିକୁ ଟାଣି ଟାଣି ନିଆଯାଉଥିବା ହେତୁ ରଥ ବୋଲି ନାମିତ ହୋଇଥିଲା ।

ବର୍ତ୍ତମାନ ସୁଦ୍ଧା ଏହି ପରମ୍ପରାର ସ୍ମୃତି କମଳାବାରିସାହୀରଧର୍ମଝଣ୍ଡା କ୍ଷେତ୍ରରେ ଦେଖିବାକୁ ମିଳେ । ଯାତ୍ରା ଆରମ୍ଭର ପଞ୍ଚମ ଦିବସରେ ଅସ୍ଥାୟୀ ମଣ୍ଡପ ସାମ୍ନାରେ ଧର୍ମଝଣ୍ଡା ସ୍ଥାପନ କରାଯାଇଥାଏ । ଏହା କମଳାବାରିସାହୀରେ ପ୍ରସ୍ତୁତ ହୋଇ ସେଠାକାର ବାସିନ୍ଦାଙ୍କ ସହାୟତାରେ ଦେଶୀବେହେରାସାହୀକୁ ଅଣାଯାଇଥାଏ । କୁହାଯାଏ ଯେ କମଳାବାରିସାହୀରେ ବସବାସ କରୁଥିବା ଦେବାଙ୍ଗ ସଂପ୍ରଦାୟର ସେନାପତିଙ୍କ ତତ୍ତ୍ୱାବଧାନରେଧର୍ମଝଣ୍ଡା ପ୍ରସ୍ତୁତ ହେଉଥିଲା । ତେବେ ବର୍ତ୍ତମାନ ଉକ୍ତ ସାହୀରେ ସେନାପତିଙ୍କ କେହି ବଂଶଧର ନାହାନ୍ତି । ତଥାପି ପ୍ରଥା ଅନୁଯାୟୀ କମଳାବାରିସାହୀର ବାସିନ୍ଦାମାନେ ଧର୍ମଝାଣ୍ଡା ପ୍ରସ୍ତୁତି କାର୍ଯ୍ୟ ତୁଲାଇ ଆସୁଛନ୍ତି ।

ଧର୍ମଝାଣ୍ଡା ଭଳି ଅନ୍ୟାନ୍ୟ ରଥଗୁଡ଼ିକ ମଧ୍ୟ ପ୍ରାଥମିକ ଅବସ୍ଥାରେ ଦେବାଙ୍ଗ ସେନାପତିଙ୍କ ନେତୃତ୍ୱରେ ନିର୍ମିତ ହେଉଥିଲା ଏବଂ ରଥ ନିର୍ମାଣରେ ସହଯୋଗ କରୁଥିବା ସ୍ଥାନୀୟ ବାସିନ୍ଦାମାନେ ପରବର୍ତ୍ତୀ କାଳରେ ରଥ ନିର୍ମାଣର ଭାର ଗ୍ରହଣ କରିଛନ୍ତି ବୋଲି ଅନୁମାନ କରାଯାଇପାରେ । ଊନବିଂଶ ଶତାଦ୍ଦୀର ଶେଷଭାଗ ତଥା ବିଂଶ ଶତାଦ୍ଦୀର ପ୍ରଥମ ଭାଗ ସୁଦ୍ଧା ବ୍ରହ୍ମପୁର ପାଟର ଆଦର ରହିଥିଲା । ଏହା ଏକ ଲାଭଜନକ ବ୍ୟବସାୟ ରୂପେ ପରିଗଣିତ ହେଉଥିଲା । ବ୍ୟବସାୟରେ ସମୃଦ୍ଧି ଦେବାଙ୍ଗ ସଂପ୍ରଦାୟର ବୁଣାକରମାନଙ୍କୁଯାକଜମକରେ ଯାତ୍ରା ଆୟୋଜନ ଲାଗି ସାମର୍ଥ୍ୟ ଯୋଗାଉଥିଲା । ତେବେ ପ୍ରଥମ ବିଶ୍ୱଯୁଦ୍ଧପରଠାରୁ ବଜାରରେ କମ ମୂଲ୍ୟରେ ପାଟର ବିକଳ୍ପ ବସ୍ତ୍ର ପ୍ରବେଶ ତଥା ସ୍ୱାଧୀନୋତ୍ତର ଅବସ୍ଥାରେ ଦେଶରେ ବିପୁଳ ପରିମାଣରେ ଟେରିନ ବସ୍ତ୍ର ଉତ୍ପାଦନ ହସ୍ତତନ୍ତ ପାଟ ଶିଳ୍ପର ଭିତ୍ତିଭୂମିକୁ ଧୂଳିସାତ କରିଦେଲା । ଦେଶୀବେହେରାସାହୀପଡ଼ୋଶୀ ଅଞ୍ଚଳରୁ ଯେଉଁ ସବୁ ରଥ ନିର୍ମିତ ହେଉଥିଲା ତାହା କ୍ରମଶଃ ଦେବାଙ୍ଗ ସଂପ୍ରଦାୟ ବଦଳରେ ସ୍ଥାନୀୟ ବାସିନ୍ଦାଙ୍କ ପୃଷ୍ଠପୋଷକତା ଗଢ଼ି ଉଠିଲା । ବିଭିନ୍ନ ସାହୀରେ ରଥ ନିର୍ମାଣ ପରେ ଯାତ୍ରାସ୍ଥଳୀକୁ ଟାଣି ଟାଣି ନେବା ପ୍ରଥା ବନ୍ଦ ହୋଇ ସଂପୃକ୍ତ ସାହୀଗୁଡ଼ିକରେ ହିଁ ପ୍ରଦର୍ଶନର ବ୍ୟବସ୍ଥା କରାଗଲା ।

ଶଙ୍କରପୁରସାହୀରରାମଚ଼ନ୍ଦ୍ର ରଥ ଏକ ପୁରାତନ ରଥ । ପୂର୍ବେ ଏହି ରଥରେ ଚକ ଲାଗୁଥିଲା । ଶଙ୍କରପୁରସାହୀଠାରେ ରଥ ନିର୍ମାଣ କାମ ସରିବାପରେବଡ଼ ବଜାର ଛକକୁ ଟାଣି ଟାଣି ଅଣାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ରଥ ଶଙ୍କରପୁରସାହୀରେ ହିଁ ପ୍ରଦର୍ଶିତ ହେଉଅଛି । ରାମଚ଼ନ୍ଦ୍ର ରଥ ସହ ଜେନା ସାହୀର ଲକ୍ଷ୍ମଣ ରଥ ଓ ସୀତାରାମ ସାହୀର ନାଗାର୍ଜୁନ ରଥରେ ମୂର୍ତ୍ତି ଏକା କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କୁହାଯାଏ ।

ପୁରାତନ ରଥଗୁଡ଼ିକ ମଧ୍ୟରେ ସାନ ଖାସ୍ପାସାହୀର ହରି-ଅର୍ଜ୍ଜୁନ ରଥ ଅନ୍ୟତମ । ଏହି ରଥଟିର ନିର୍ମାଣ କିଛି ବର୍ଷ ପାଇଁ ବନ୍ଦ ରହିଥିଲା । ହରି-ଅର୍ଜ୍ଜୁନ ରଥରେ ରଥ ମଧ୍ୟରେ ଅନ୍ୟଏକ ରଥ ନିର୍ମିତ ହୋଇଥାଏ । ମହାଭାରତ ଯୁଦ୍ଧ ଅବସରରେ ହରି ସାରଥି ରୂପେ ଅର୍ଜ୍ଜୁନଙ୍କୁ ଉପଦେଶ ଦେଉଥିବା ଦୃଶ୍ୟ ଏଥିରେ ସଂଯୋଜିତ । ପୂର୍ବରୁ ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ନିର୍ମିତ ଏହି ରଥକୁ ଆକର୍ଷଣୀୟ କରିବା ନିମନ୍ତେ ବର୍ତ୍ତମାନ କୋଲକତାର କାରିଗରଙ୍କୁ ନିୟୋଜିତ କରାଯାଉଛି ।

ରଥ ପ୍ରସ୍ତୁତି ଏକ ବ୍ୟୟବହୁଳ ଉଦ୍ୟମ । ଉଦାହରଣ ସ୍ୱରୂପକାଳୁପାତ୍ରସାହୀରଜ୍ୱାଳାମୁଖୀ ରଥ ବିଚ଼ାରକୁ ନିଆଯାଉ । ରଥ ପ୍ରସ୍ତୁତି କରିବା ନିମନ୍ତେ ୨୦୧୫ ଯାତ୍ରାରେ ଛଅ ଲକ୍ଷ ଟଙ୍କାର ବଜେଟ ହୋଇଥିବା ପ୍ରକାଶ । ଏଥି ନିମନ୍ତେ ସ୍ଥାନୀୟ ଜ୍ୱାଳାମୁଖୀ ଯୁବକ ସଂଘର ସଦସ୍ୟମାନେ ମିଳିମିଶି ଚ଼ାନ୍ଦା ସଂଗ୍ରହ କରିଥାନ୍ତି । କୁହାଯାଏ ଯେ ୧୯୩୯ ମସିହାରେ ଏହି ରଥ ପ୍ରଥମଥର ପାଇଁ ନିର୍ମାଣ କରାଯିବାବେଳେ ୨୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା । ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ମଞ୍ଜୁଷା ଅଞ୍ଚଳର ଜନୈକ ଭକ୍ତ ସେଠାରୁ ଏକ ବିରାଟ କାଠଗଣ୍ଡି ସଂଗ୍ରହ କରି ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଜ୍ୱାଳାମୁଖୀ ମୂର୍ତ୍ତି ନିର୍ମାଣ କରାଇଥିଲେ । ଜ୍ୱାଳାମୁଖୀଙ୍କ ଗଳାରେ ୧୫ ଗୋଟି କଟାମୁଣ୍ଡ ଓ ଅଣ୍ଟାରେ ୨୧ ଗୋଟି ଖଣ୍ଡିଆ ହାତର ମାଳ ଶୋଭା ପାଉଥାଏ । ବାମ ପଟରେ ତାରା ଓ ଡ଼ାହାଣପଟେ କାଳୀ ମୂର୍ତ୍ତି ସ୍ଥାନ ପାଇଥାଏ । ଏଗୁଡ଼ିକର ଉଚ୍ଚତା ଛଅ ଫୁଟ । ଏହି ସବୁ ରଥ ନିର୍ମାଣରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତ୍ୟକ୍ଷ ଯୋଗଦାନ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅନ୍ୟତମ ଉଲ୍ଲେଖଯୋଗ୍ୟ ବିଭବ ।

Friday, April 12, 2019

ଠାକୁରାଣୀ ଯାତ୍ରାରେ ରଥ

ଠାକୁରାଣୀ ଯାତ୍ରା ଅବସରରେ ବିଭିନ୍ନ ରଥ ଓ କଳାକୁଞ୍ଜ ନିର୍ମାଣ କରାଯାଇଥାଏ । ରଥ ଓ କଳାକୁଞ୍ଜଗୁଡ଼ିକ ମଧ୍ୟରେ ତଫାତ୍ ଏହି ଯେ, ରଥଗୁଡ଼ିକରସାଜସରଞ୍ଜାମ ଥରେ ନିର୍ମିତ ତଥା ପ୍ରଦର୍ଶିତ ହେବା ପରେ ସାଇତି ରଖାଯାଏ ଏବଂ ପ୍ରତି ଠାକୁରାଣୀ ଯାତ୍ରାବେଳେ ପୁଣି ବ୍ୟବହାର କରାଯାଏ । ଅପର ପକ୍ଷେ କଳାକୁଞ୍ଜର ମୂର୍ତ୍ତି ତଥା ସରଞ୍ଜାମଗୁଡ଼ିକପ୍ରତିଥର ପରିବର୍ତ୍ତିତ ହୋଇ ନୂଆ ଗଢ଼ା ଯାଉଥାଏ ।

ଅତୀତରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଅବସରରେ ବହୁ ରଥ ନିର୍ମିତ ହେଉଥିଲା ଏବଂ ସବୁ ରଥଗୁଡ଼ିକବଡ଼ବଜାରରେ ସ୍ଥାପିତ ହେବା ପରମ୍ପରା ପ୍ରଚଳିତ ଥିଲା । ସ୍ୱାଧୀନତା ପୂର୍ବବର୍ତ୍ତୀ ୨୦-୨୫ ବର୍ଷ ଏବଂ ସ୍ୱାଧୀନତା ପରବର୍ତ୍ତୀ ୨୦-୨୫ ବର୍ଷ ଯାତ୍ରା ପାଳନରେ ରଥ ନିର୍ମାଣ ଦିଗରେ ଚାକଚକ୍ୟ ଆଣିଦେଇଥିଲା । ବିଦ୍ୟୁତ ଆଲୋକର ପ୍ରଚଳନ ପରେ ରଙ୍ଗବେରଙ୍ଗୀଆଲୋକସଜ୍ଜାଦର୍ଶକବର୍ଗଙ୍କୁ ଚକିତ କରିଦେଉଥିଲା ।

ସେ ସମୟରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ମୂର୍ତ୍ତି ବିଶିଷ୍ଟ ରଥ ଦୁଇ ଦଳଙ୍କ ଦ୍ୱାରା ପ୍ରତିଯୋଗିତା ମନୋଭାବ ନେଇ ନିର୍ମିତ ହେଉଥିଲା ଏବଂ ସାଜସଜ୍ଜାରେ ଏକ ଦଳ କିପରି ଅନ୍ୟ ଦଳକୁ ନ୍ୟୂନ କରିଦେବ ସେ ଦିଗରେ ଉଦ୍ୟମ ଜାରୀ ରହୁଥିଲା । ଉଦାହରଣ ସ୍ୱରୂପବଡ଼ବଜାର ଛକରେ ଗୋଟିଏ ପର୍ଶୁରାମ ରଥ ଜନୈକ ଖରୁଡ଼ା ପରିବାରଙ୍କ ଦ୍ୱାରା ନିର୍ମିତ ହେଉଥିବାବେଳେ ଅନ୍ୟ ଗୋଟିଏ ପର୍ଶୁରାମ ରଥ ବୈଶ୍ୟ ସଂପ୍ରଦାୟଙ୍କ ଦ୍ୱାରା ସାମୂହିକ ଉଦ୍ୟମରେ ନିର୍ମିତ ହେଉଥିଲା । ଦୁଇ ଦଳଙ୍କ ମଧ୍ୟରୁ ସାଜସଜ୍ଜାରେ କାହାର ଜିତାପଟ ହେବ ସେ ଦିଗରେ ପ୍ରତିଯୋଗିତା ଚାଲୁଥିଲା । ସେହିପରି ରାମଚନ୍ଦ୍ର, ଲକ୍ଷ୍ମଣ ଇତ୍ୟାଦି ରଥ ନିର୍ମାଣ କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା ଦେଖିବାକୁ ମିଳୁଥିଲା । କାଳକ୍ରମେ ଆୟୋଜକଙ୍କ ମଧ୍ୟରୁ ପ୍ରତିଯୋଗିତା ମନୋଭାବ ଉଭେଇ ଯାଇଛି ଏବଂ କେତେକ କ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ସ୍ଥଳେ ଅନ୍ୟ କେତେକ କ୍ଷେତ୍ରରେ ଯାତ୍ରାର ଶେଷ ଦୁଇ ତିନିଦିନ ପାଇଁ ରଥ ନିର୍ମାଣ କରାଯାଉଛି ।

ବିଗତ ୪୦-୫୦ ବର୍ଷ ମଧ୍ୟରେ ରଥ ନିର୍ମାଣରେ ଶିଥିଳତା ଦେଖାଦେବା ପରେ ବଜାର ଓ ପୁରୁଣା ବ୍ରହ୍ମପୁରର ବିଭିନ୍ନ ସାହୀରେ କଳାକୁଞ୍ଜ ନିର୍ମାଣ ପ୍ରଥା ଆରମ୍ଭ ହୋଇଛି ଅତୀତରେ ଏସବୁ ଅଞ୍ଚଳବାସୀ ନିଜ ଉଦ୍ୟମରେ ରଥ ନିର୍ମାଣ କରି ବଡ଼ବଜାର ମୁଖ୍ୟ ରାସ୍ତାରେ ସ୍ଥାପନ କରୁଥିବାସ୍ଥଳେ ବର୍ତ୍ତମାନ ନିଜ ସାହୀରେକଳାକୁଞ୍ଜ ନିର୍ମାଣ ପ୍ରତି ଧ୍ୟାନ ଦେଉଛନ୍ତି । ପୂର୍ବେ ରଥଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଚରିତ୍ର, ନିର୍ଦ୍ଦିଷ୍ଟ ଭଙ୍ଗୀ ଓ ନିର୍ଦ୍ଦିଷ୍ଟ ସାଜସଜ୍ଜାକୁ ନେଇ ଗଢ଼ି ଉଠୁଥିବାବେଳେ ବର୍ତ୍ତମାନ କଳାକୁଞ୍ଜ ନିର୍ମାଣ ଦିଗରେ ସୃଜନଶୀଳତା ଦେଖାଦେଇଛି ।

ଠାକୁରାଣୀ ଯାତ୍ରା ଅବସରରେ ରଥ ଓ କଳାକୁଞ୍ଜମାନ ନିର୍ମିତ ହେବାପରେ ଜନସମାଗମ ବଢ଼ିଥାଏ । ରାମଚ଼ନ୍ଦ୍ର, ଲକ୍ଷ୍ମଣ, ନାଗାର୍ଜୁନ, ନାରାୟଣ, ଜ୍ୱଳାମୁଖୀ, କାଳୀ, ବନଦୁର୍ଗା ଇତ୍ୟାଦି ବହୁରଥ ନିର୍ମାଣ ସରଞ୍ଜାମ ସାଇତି ରଖାଯାଇଥାଏ । ସେଗୁଡ଼ିକ ପ୍ରତିବର୍ଷ ମରାମତକରି ରଙ୍ଗଦେଇ ଆଲୋକ ସଜ୍ଜା ସହ ରଥରେ ପ୍ରଦର୍ଶିତ ହୋଇଥାଏ । ପ୍ରତ୍ୟେକଟି ରଥକୁ ଆକର୍ଷଣୀୟ କରିବା ଦଗରେ ତାହାର ଆୟୋଜକମାନଙ୍କ ନିଷ୍ଠାର ପରିଚୟ ଦେଇଥାଏ ।

ଠାକୁରାଣୀ ଯାତ୍ରାରେ ପ୍ରଥମେ ବାଚୁବାରିସାହୀରବିଞ୍ଚଣା ରଥ ବାହାରିଥାଏ । ଏହି ରଥଟିର ଆକୃତି ଏକ ହାତପଙ୍ଖା ବା ବିଞ୍ଚଣା ଭଳି । ସାଧାରଣତଃ ପିଲାଏ ଏଥିରେ ଚଢ଼ାଉଠାକରି ଖେଳିଥାନ୍ତି । ଏଥିରେ କୌଣସି ଦେବଦେବୀଙ୍କ ମୂର୍ତ୍ତି ନଥାଏ । ବିଞ୍ଚଣା ରଥରେ ପିଲାଙ୍କୁ ବସାଇବା ନିମନ୍ତେ କେତେକ କ୍ଷେତ୍ରରେ ଅଭିଭାବକମାନେ ଆଗରୁ ମାନସିକ କରିଥାନ୍ତି । ଏଥିଲାଗି ପିଲାଏ ବିଞ୍ଚଣାରଥ ବାହାରିବା ଦିନ ଉପବାସ ରହିଥାନ୍ତି । ତେବେ ବିନା ମାନସିକରେ ପିଲାଏ ମଧ୍ୟ ବିଞ୍ଚଣା ରଥ ଆରୋହଣ କରିବା ପ୍ରଥା ପ୍ରଚଳିତ ।

ଅତୀତରେ ଠାକୁରାଣୀ ଯାତ୍ରା ଅବସରରେ ପ୍ରାୟ ୨୫ ଗୋଟି ରଥ ନିର୍ମିତ ହେଉଥିବା ସୂଚ଼ନା ମିଳେ । ସେ ସମୟରେ କଳାକୁଞ୍ଜ ପ୍ରଦର୍ଶିତ ହେଉନଥିଲା ଏବଂ ସମସ୍ତ ରଥ କେବଳ ବଡ଼ବଜାରରେ ହିଁ ସ୍ଥାପିତ ହେଉଥିଲା । ବିଭିନ୍ନ ସାହୀର ବାସିନ୍ଦାମାନେ ନିଜ ନିଜ ମଧ୍ୟରେ ଚାନ୍ଦାଭେଦା କରି ରଥ ନିର୍ମାଣ ସରଞ୍ଜାମ ଯୋଗାଡ଼ କରୁଥିଲେ ଏବଂ କେତେକ କ୍ଷେତ୍ରରେ ରଥଗୁଡ଼ିକ ଅର୍ଦ୍ଧାଧିକ ନିର୍ମିତ ହୋଇ ବଡ଼ ବଜାର ମୁଖ୍ୟ ରାସ୍ତା ଉପରେ ସ୍ଥାପନ ହେବା ନିମନ୍ତେ ଟାଣି ଅଣାଯାଉଥିଲା । କାଳକ୍ରମେ ବଡ଼ବଜାରରେ ରଥ ନିର୍ମାଣ ଦିଗରେ ବିଭିନ୍ନ ବିଭିନ୍ନସାହୀର ବାସିନ୍ଦାମାନେ ଆଗ୍ରହୀ ହେଲେ ନାହିଁ ଏବଂ ଏହା ବଦଳରେ ଠାକୁରାଣୀ ଯାତ୍ରା ଅବସରରେ ନିଜ ନିଜସାହୀରେକଳାକୁଞ୍ଜମାନ ନିର୍ମାଣ କରିବାକୁ ଲାଗିଲେ । ଶଙ୍କରପୁରସାହୀ ଓ କେଉଟ ସାହୀଠାରେ ରାମଚନ୍ଦ୍ର, ଜେନା ସାହୀରେ ଲକ୍ଷ୍ମଣ, ପିତାମୁଣ୍ଡାସାହୀରେ ନାରାୟଣ, ନୃସିଂହ ଦେଉଳ ସାହୀରେ ହରି ଅର୍ଜ୍ଜୁନ, ପୁରୁଣା ବ୍ରହ୍ମପୁର ସାହୀରେ କର୍ଣ୍ଣ, ସୀତାରାମ ସାହୀରେନାଗାର୍ଜ୍ଜୁନ, କାଳୁପାତ୍ରସାହୀରେଜ୍ଜଳାମୁଖୀ, ଷଣ୍ଢ ମହାନ୍ତି ସାହୀରେ କାଳୀ, ଆଗା ସାହୀରେ କନକ ଦୁର୍ଗା, ବାଚୁୱାରିସାହୀରେବିଞ୍ଚଣା ଓ କଂସାରୀ ସାହୀରେପର୍ଶୁରାମ ରଥ ବାହାରିଥାଏ ।

ମହୁରି ରାଜଉଆସ ସମ୍ମୁଖରେ ଅତୀତରେ ରାବଣ ରଥ ନିର୍ମିତ ହେଉଥିଲା । କିଛିଦିନ ଧରି ରାବଣ ରଥ ନିର୍ମାଣ ବନ୍ଦ ହେବା ପରେ ରମ୍ଭାରୁ ଭଡ଼ାସୂତ୍ରରେ ଆଣି ପାତାଳ ଭୈରବୀ ରଥ ପ୍ରଦର୍ଶିତ ହୋଇଥିଲା । ତେବେ ସେଥିରେ ନିଆଁ ଲାଗିଯିବା ପରଠାରୁ ସେଠି ଆଉ କୌଣସି ରଥ ନିର୍ମିତ ହେଉନାହିଁ । କ୍ରିଷ୍ଣାପେଟାସାହୀରେକାମଧେନୁ, ଗାଦିବାରିସାହୀର ନରସିଂହ ଓ ଖାସ୍ପାସାହୀରେ ହନୁମାନ ରଥ ନିର୍ମାଣ ମଧ୍ୟ କିଛି ବର୍ଷ ଧରି ବନ୍ଦ ରହିଛି ।

ଦେବଦେବୀଙ୍କ ମୂର୍ତ୍ତି ନଥିବା ଅନ୍ୟଏକ ରଥ ହେଲା ବୋଇତ । ଚନ୍ଦ୍ରମା ସାହୀରେବୋଇତ ବା ଜାହାଜ ଆକୃତିର ଏହି ରଥ ନିର୍ମାଣ ଊନବିଂଶ ଶତାଦ୍ଦୀର ଶେଷାର୍ଦ୍ଧରୁ ବିଂଶ ଶତାଦ୍ଦୀର ପ୍ରଥମାର୍ଦ୍ଧ ଯାଏଁ ପ୍ରାୟ ପଚ଼ାଶ ବର୍ଷ ଧରି ଗୋପାଳପୁର ବନ୍ଦରର ବାଣିଜ୍ୟ କାରବାରର ସ୍ମୃତି ବହନ କରୁଥିଲା । ଗୋପାଳପୁର ବନ୍ଦର ଦେଇ ରପ୍ତାନୀ ଓ ଆମଦାନୀରେ ବ୍ରହ୍ମପୁର ସହରର ବହୁ ବ୍ୟବସାୟୀ ସଂପୃକ୍ତ ଥିଲେ । ହୁଏତ ସେହିମାନଙ୍କ ପ୍ରୋତ୍ସାହନରେ ଚନ୍ଦ୍ରମା ସାହୀରେବୋଇତ ରଥ ବାହାରୁଥିଲା । ଗତ କିଛିବର୍ଷ ହେବ ଆଉ ବୋଇତ ରଥ ବାହାରୁନାହିଁ ।

ବ୍ରହ୍ମପୁର ଯେତେବେଳେ ଏକ ଛୋଟ ସହର ଥିଲା, ସେତେବେଳେ ଏଠି ଫୁଟପାଥ ଦୋକାନୀଙ୍କ ଭିଡ଼ ନଥିଲା । ଦୁଇ ବର୍ଷରେ ଥରେ ଠାକୁରାଣୀ ଯାତ୍ରା ଅବସରରେ ଫୁଟପାଥ ଦୋକାନୀମାନେ ଆସି ପହଞ୍ଚୁଥିଲେ । ହରେକ ମାଲ ଚାରି ଅଣା, ଆଠ ଅଣା, ଏକ ଟଙ୍କାସ୍ୱର ସହରବାସୀଙ୍କୁ କେବଳ ଠାକୁରାଣୀ ଯାତ୍ରାବେଳେ ଶୁଣିବାକୁ ମିଳୁଥିଲା । ଫୁଟପାଥ ଦୋକାନରୁ କିଛି କିଣାକିଣି କରିବା ଯାତ୍ରାର ଏକ ବିଶିଷ୍ଟ ଆକର୍ଷଣ ଥିଲା । ପିଲାଙ୍କ ଖେଳନାଠାରୁ ଆରମ୍ଭ କରି ପ୍ଲାଷ୍ଟିକଘରକରଣା, ବିଭିନ୍ନ ମନୋହରି ଜିନିଷ ପସନ୍ଦ କରି କିଣିବାରେ ଯେଉଁ ଆନନ୍ଦ ହୁଏତ ଆଜି ଆଉ ଉପଭୋଗ କରିହେଉନାହିଁ କାରଣ ବର୍ତ୍ତମାନ ତ ପ୍ରତିଦିନ ସହରର ରାସ୍ତାଘାଟ ଏକ ଯାତ୍ରାର ପରିବେଶ ଗଢ଼ି ତୋଳିଥାଏ ଏବଂ ହରେକ ମାଲରୁ କିଣିବାର ଅନୁଭୂତି ଆଉ ରୋମାଞ୍ଚ ଆଣିଦିଏ ନାହିଁମଲ ଓ ଅନ-ଲାଇନ ସଂସ୍କୃତି ଫୁଟପାଥ ଦୋକାନୀଙ୍କୁ ଇତିହାସର ପୃଷ୍ଠା ସୀମିତ ରଖିବାଭଳି ପରିସ୍ଥିତି ସୃଷ୍ଟି କଲାଣୀ କହିଲେ ଅତ୍ୟୁକ୍ତି ହେବନାହିଁ ।

ଏଠି ଠାକୁରାଣୀ ଯାତ୍ରାବେଳେ ସର୍କସ ବେଳେବେଳେ ଆସେ ଓ ଅନେକ ସମୟରେ ପ୍ରଦର୍ଶନୀର ଆୟୋଜନ ହୁଏ । କ୍ରମଶଃ ତାହା ବି ବନ୍ଦ ହୋଇଗଲାଣି । ବଡ଼ବଜାରରେ ଯାତ୍ରା ସାଙ୍ଗକୁ ବରାକ୍ସରେ ସର୍କସ ଆଉ ପ୍ରଦର୍ଶନୀ ପୁରାଦମ୍ ରେ ଏକ ମନୋରଞ୍ଜନର ପ୍ୟାକେଜ ଆଉ ଉପଭୋଗ କରିହେଉନାହିଁ । ବାରାକ୍ସ ଗ୍ରାଉଣ୍ଡକୁ କିଛି ଦିନ ମିଲେଟରୀକ୍ୱାର୍ଟରସ ଓ ତାପରେ ଷ୍ଟାଡ଼ିୟମ ନାମରେ ଡ଼ଜନେ ପିଲାଙ୍କ କ୍ରୀଡ଼ାଭ୍ୟାସ ପାଇଁ ସହରର ଏତେ ବଡ଼ ସର୍ବସାଧାରଣ ସ୍ଥଳଟିଏ ସୁଉଚ୍ଚ ପାଚେରୀ ଦ୍ୱାରା ଆବଦ୍ଧ କରିଦେବା ପରେ ବାରାକ୍ସରେ ସର୍କସର ଆଉ ମଜା ନାହିଁ । ବର୍ତ୍ତମାନ ସିଟି ହାଇସ୍କୁଲ ଖେଳପଡ଼ିଆ ଓ ସେଣ୍ଟ ଷ୍ଟିଫନ୍ସ ଚର୍ଚ୍ଚ ପ୍ରାଙ୍ଗଣରେ ସେହିଧରଣରଆମୋଦପ୍ରମୋଦ ଆୟୋଜନ ହେଉଛି । ମେରି-ଗୋ-ରାଉଣ୍ଡରେ ଆକାଶକୁ ଚଢ଼ି ମର୍ତ୍ତ୍ୟକୁ ଖସିବାରେ ସେ ଯେଉଁ ଭୟାତୁର ଆନନ୍ଦ… କମ ବୟସର ପିଲାଙ୍କ ପାଇଁ ଠାକୁରାଣୀ ଯାତ୍ରା ହିଁ ଥିଲା ଖରାଦିନିଆଆମୋଦପ୍ରମୋଦର ଏକ ବିଶିଷ୍ଟ ସୁଯୋଗ ।

Thursday, April 11, 2019

ଯାତ୍ରାରେ ସାମୂହିକ ବେଶ

ଏକକ ବେଶ ବ୍ୟତୀତ ସହରର କେତେକ ସାହୀ ଆନୁକୂଲ୍ୟେ ସାମୂହିକ ବେଶ ଆୟୋଜନ କରାଯାଏ । ବାଲାଜୀପେଣ୍ଠସାହୀକପିଳେଶ୍ୱରବ୍ୟାୟମଶାଳା ପକ୍ଷରୁ ସର୍କସ, ବାଲୁଙ୍କେଶ୍ୱରସାହୀରୁ ଚନ୍ଦ୍ରଲେଖା ନୃତ୍ୟ, ଶଙ୍କରପୁରସାହୀରକୁସ୍ତିକସରତ, ଦଳୁଆସାହୀର ପାଇକ ନାଚ଼, କୁମ୍ଭାର ସାହୀର ଘଣ୍ଟ ଆଖାଡ଼ା, ତଥା ଶଗଡ଼ିଆସାହୀ, ମାର୍ଥାସାହୀ ଓ ବାଉରି ସାହୀ ଇତ୍ୟାଦି ଆନୁକୁଲ୍ୟରେ ବାଡ଼ିଆଖାଡ଼ାର ଆୟୋଜନର ନଜିର ରହିଛି । ଏହି ଧରଣର ସାମୂହିକ ବେଶମାନଙ୍କରେ ୨୦ ରୁ ୨୦୦ ଜଣ ଯାଏଁ ବ୍ୟକ୍ତି ଅଂଶଗ୍ରହଣ କରିଥାନ୍ତି । ଲୋକନୃତ୍ୟସମ୍ୱଳିତରୂପନାଚ ଇତ୍ୟାଦିରେ ୨ ରୁ ୫ ଜଣ ଅଂଶଗ୍ରହଣ କରିବା ଦେଖାଯାଏ ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଅବସରରେ ବିଜିପୁର ବାସିନ୍ଦାମାନଙ୍କ ଦ୍ୱାରା ଆୟୋଜିତ ଦରିଦ୍ର ପଞ୍ଚାକ୍ଷର ପାର୍ଟିବୁଦ୍ଧଂଶରଣଂଗଚ୍ଛାମି ବେଶ ସହରବାସୀଙ୍କ ମଧ୍ୟରେ ବେଶ୍ କୌତୁହଳ ସୃଷ୍ଟି କରିଥାଏ ।

୧୯୩୬ ମସିହାରୁ ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶ ପ୍ରତି ଠାକୁରାଣୀ ଯାତ୍ରା ଅବସରରେ ନିୟମିତ ବାହାରୁଛି । ବିଜିପୁର ଅଞ୍ଚଳର ଜଣେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସାଂଗଠନିକ ପ୍ରଚେଷ୍ଟାରେ ଏହିଭଳି ଏକ ସାମୂହିକ ବେଶର ପରିକଳ୍ପନା କରାଯାଇଥିଲା । ଆଧୁନିକ ଯୁଗରେ ମଠ ମନ୍ଦିରରେ ଅବସ୍ଥାପିତ କେତେକ ମହନ୍ତଙ୍କ ବିଧର୍ମୀ କାର୍ଯ୍ୟକଳାପର ସମାଲୋଚନା ଏହି ବେଶ ମାଧ୍ୟମରେ ପ୍ରଦର୍ଶନ କରାଯାଇଥାଏ । ଦରିଦ୍ର ପଞ୍ଚାକ୍ଷର ପାର୍ଟି ଶୋଭାଯାତ୍ରାରେ ଜଣେ ମହନ୍ତ ବେଶଧାରୀ ବ୍ୟକ୍ତି ଦଳେ ଆଧୁନିକ ବେଶଭୂଷା ପରିହିତ ନାରୀ ବେଶଧାରୀ ପୁରୁଷଙ୍କ ମଧ୍ୟରେ ରଥାଋଢ଼ ହୋଇ ମଉଜ ମଜଲିସରେ ବ୍ୟସ୍ତ ରହନ୍ତି । ତାଙ୍କରି ଚେଲାମାନେ ମହନ୍ତଙ୍କ ରଥ ସହ ସହରର କେତେକ ନିର୍ଦ୍ଦିଷ୍ଟ ମୁଖ୍ୟରାସ୍ତା ପରିଭ୍ରମଣ କରି ଠାକୁରାଣୀ ଯାତ୍ରାସ୍ଥଳଦେଶୀବେହେରାସାହୀରେ ପହଞ୍ଚି ଦେବୀଙ୍କ ଦର୍ଶନ ସାରି ପୁଣି ବିଜିପୁର ଫେରିଥାଆନ୍ତି । ଏହି ଶୋଭାଯାତ୍ରାରେ ହାସ୍ୟରସାତ୍ମକ ତଥା ସମାଲୋଚନାମୂଳକ କେତୋଟି ଗୀତ ଅନବରତ ବୋଲାଯାଇଥାଏ ।

ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶରେ ଯୋଗ ଦେବା ନିମନ୍ତେ ବିଜିପୁର ଅଞ୍ଚଳର ବାସିନ୍ଦାମାନେ ପୂର୍ବରୁ ମାନସିକ କରିଥାଆନ୍ତି । ତେବେ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କୁ ଏଥିରେ ଅଂଶଗ୍ରହଣ କରିବା ନିମନ୍ତେ କୌଣସି ବାଧାବନ୍ଧନ ନାହିଁ । ବିଜିପୁର ଅଞ୍ଚଳର ସ୍ଥାୟୀ ବାସିନ୍ଦାମାନେ କାର୍ଯ୍ୟକ୍ଷେତ୍ରରେ ସହର ବାହାରେ ଅବସ୍ଥାପିତ ହୋଇଥିଲେ ହେଁ ଯାତ୍ରାରେ ବେଶଧାରଣ କରିବା ନିମନ୍ତେ ଆସୁଥିବା ଦେଖାଯାଏ । ସାଧାରଣତଃ ଠାକୁରାଣୀ ଯାତ୍ରା ଶେଷ ହେବା ୩/୪ ଦିନ ପୂର୍ବରୁ ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶ ବାହାରିଥାଏ । ଏହି ବେଶରେ ଅଂଶଗ୍ରହଣ କରିବା ନିମନ୍ତେ ଇଚ୍ଛୁକ ବ୍ୟକ୍ତିମାନେ ପାର୍ଟିର ସଭାପତିଙ୍କ ଠାରେ ପୂର୍ବରୁ ଚାନ୍ଦା ଦେଇ କୂପନ ସଂଗ୍ରହ କରିଥାନ୍ତି । ବେଶ ଧାରଣ ଦିନ ପୂର୍ବାହ୍ନରୁ ସମସ୍ତେ ବିଜିପୁରଠାରେ ସମବେତ ହୋଇ ଲଣ୍ଡା ହୋଇଥାନ୍ତି ଏବଂ ସାମାନ୍ୟ ଜଳଯୋଗ ପରେ ସନ୍ଧ୍ୟା ଘ.୪.୩୦ ମି.ରେ ନଗର ପରିକ୍ରମାରେ ବାହାରି ପ୍ରଥମେ ବିଜିପୁରର ସମସ୍ତ ସାହୀ ବୁଲି ଏକ ନିର୍ଦ୍ଧିଷ୍ଟ ରାଜରାସ୍ତାଦେଇ ଠାକୁରାଣୀଙ୍କ ଦର୍ଶନ ପାଇଁ ଯାଇଥାନ୍ତି । ଏମାନେ କାହାଠାରୁ କୌଣସି ଉପହାର ଗ୍ରହଣ କରନ୍ତି ନାହିଁ । ସ୍ଥଳବିଶେଷରେ ଶୋଭାଯାତ୍ରା ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ବ୍ୟକ୍ତିବିଶେଷ ଜଳଯୋଗରେ ଆପ୍ୟାୟିତ କରିଥାଆନ୍ତି । ତେବେ ଜଳଯୋଗ ଫଳରେ ସମୟ ବ୍ୟୟ ଓ ଶୋଭାଯାତ୍ରା ଆୟୋଜନରେ ବିଭ୍ରାଟ ଦେଖାଯାଉଥିବାରୁ ୧୯୯୭ ମସିହାରୁ ରାସ୍ତାରେ ଜଳଯୋଗ ଗ୍ରହଣ ବାରଣ କରାଯାଇଛି ।

ଦରିଦ୍ର ପଞ୍ଚାକ୍ଷର ପାର୍ଟିରେ କେତେଜଣ ଅଂଶଗ୍ରହଣ କରିବେ ତାହାର କୌଣସି ନିର୍ଦ୍ଦିଷ୍ଟତା ନଥାଏ । ତେବେ ତାହା ପ୍ରାୟ ୧୫୦ ରୁ ୨୦୦ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ରହିଥାଏ । ଛୋଟ ଛୋଟ ବାଳକଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ମଧ୍ୟ ଏଥିରେ ବେଶ ଧାରଣ କରିଥାନ୍ତି । ଏହି ବେଶର ପ୍ରଥମ ସଂଗଠକଙ୍କ ଦ୍ୱାରା ରଚିତ ସାତ ଗୋଟି ହାସ୍ୟମୂଳକ ଗୀତ ସାଙ୍ଗକୁ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସଂଗଠକମାନଙ୍କ ଦ୍ୱାରା ରଚିତ ନୂତନ ଗୀତମାନଯୋଡ଼ା ଯାଇଛି । ସେଗୁଡ଼ିକ ଶୋଭାଯାତ୍ରାରେ ଅଡ଼ିଓ ପ୍ଳେୟାରରେଲାଉଡ଼ସ୍ପିକରରେ ବଜାଯାଇଥାଏ । ଗତ କିଛିବର୍ଷରୁନରେନ୍ଦ୍ରପୁରରଯୋଡ଼ିଶଙ୍ଖ ଶୋଭାଯାତ୍ରାର ଅଗ୍ରଭାଗରେ ସନ୍ନିବେଶିତ ହୋଇଛି ।

ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶରେ ଅଶ୍ଳିଳତାର ଛାପ ଦେଖିବାକୁ ମିଳେ ବୋଲି ସମାଲୋଚ଼ନା ହୁଏ । ତେବେ ସାମାଜିକ ରୀତିନୀତି ବ୍ୟବସ୍ଥାର ରସପୂର୍ଣ୍ଣ ବିଦ୍ରୁପ ଯେ ଏହି ବେଶର ମୂଳ ଆଧାର ଏହାକୁ ଅସ୍ୱୀକାର କରି ହେବନାହିଁ । ଏହି ଶୋଭାଯାତ୍ରାର ପତାକା ଶାବଳା ଶୁଖୁଆ ହୋଇଥିବାବେଳେ ଏଥିରେ ଅଂଶଗ୍ରହଣ କରୁଥିବା ବେଶଧାରୀମାନେ ଗଳାରେ ରୁଦ୍ରାକ୍ଷ ବଦଳରେ ଗେଣ୍ଡା, ଶାମୂକା ମାଳ କାନରେ ଆଳୁ, ଲେମ୍ୱୁ ତଥା ଚୂଳରେ ବେଲୁନ ବାନ୍ଧି ଥାଆନ୍ତି । ଶୋଭାଯାତ୍ରାରେ ବୋଲା ଯାଉଥିବା ଗୀତରେ ସାମାଜିକ ରୀତିନୀତିର ସମାଲୋଚନା ଶୁଣିବାକୁ ମିଳେ । ଯଥା :“ମଦ ହାମାର ସାଥିରେ ସଖା । ଶୁଣ୍ଢି ହାମାର ବନ୍ଧୁରେ । ମଦ ପାନ ମହା ପୂଣ୍ୟ । କାହିଁକି ତୁ ନିନ୍ଦୁରେ….କିମ୍ୱାମାଷ୍ଟର ସଙ୍ଗେ ପିଲାଏ ବୁଲିଲେ ସିଗାରେଟ ବିଡ଼ି ଖାଇଲେ । ହରିବୋଲ, ହରିବୋଲ, ହରିବୋଲ ଭାଇରେ । ଘଟିଲା କଳି, ଦେଇଛି ଗିଳି ଧର୍ମାଧର୍ମ ନାହିଁରେ । ଇତ୍ୟାଦି ।

ଦରିଦ୍ର ପଞ୍ଚାକ୍ଷର ପାର୍ଟିରେ ଅଂଶଗ୍ରହଣ କରିଥିବା ସମସ୍ତ ବେଶଧାରୀ ଧଳା ଧୋତିଖଣ୍ଡେସନ୍ନ୍ୟାସୀଙ୍କ ଭଳି ପରିଧାନ କରନ୍ତି । ଏହି ଶୋଭାଯାତ୍ରାରେ ଆଇନ ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପୋଲିସର ସହାୟତା ନିଆଯାଇଥାଏ । ଏହି ଶୋଭାଯାତ୍ରା ସାଧାରଣତଃ ସଂଧ୍ୟା ଘ.୪.୩୦ମି ରେ ବାହାରି ଘ.୬.୩୦ମି ଯାଏଁ ବିଜିପୁରର ସମସ୍ତ ସାହୀ ବୁଲି ଘ.୭ ରେ କମାପଲ୍ଲୀ, ଘ.୭.୩୦ ମିରେ କୋର୍ଟପେଟା, ଘ. ୮.୩୦ ମି ରେ କଲେଜ, ଘ. ୯ରେ ପୁରୁଣା ବସଷ୍ଟାଣ୍ଡ, ଘ. ୯.୩୦ ମିରେଗିରିମାର୍କେଟ ଓ ଘ.୧୦ରେ ହନୁମାନ ବଜାର ଦେଇ ଘ.୧୧ ବେଳକୁ ଠାକୁରାଣୀଙ୍କ ପୀଠରେ ପହଞ୍ଚି ଥାଏ ।

ବୁଦ୍ଧଂ-ଶରଣଂ-ଗଚ୍ଛାମି ବେଶରେ ୨୦ ବା ୨୧ ଜଣ ମଧ୍ୟବୟସ୍କ ବ୍ୟକ୍ତି ବୌଦ୍ଧଭିକ୍ଷୁ ବେଶ ଧାରଣ କରି ଶୋଭାଯାତ୍ରାରେ ସହରର ରାଜରାସ୍ତା ପରିକ୍ରମା କରି ଠାକୁରାଣୀଙ୍କ ଦର୍ଶନ ଲାଗି ଯାଇଥାନ୍ତି । ସେମାନେ ଭିକ୍ଷା ପାତ୍ର ଧରିଥାନ୍ତି ଏବଂ ସମ୍ପୂର୍ଣ୍ଣ ନୀରବତା ପାଳନ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରନ୍ତି ।

ଯେଉଁମାନେ ଦରିଦ୍ର ପ଼ଞ୍ଚାକ୍ଷର ପାର୍ଟି ବେଶରେ ଅଂଶଗ୍ରହଣ କରି ଲଣ୍ଡା ହୋଇଥାନ୍ତି ସେମାନଙ୍କ ମଧ୍ୟରୁ ସୁସ୍ଥ ସବଳ ଚେହେରା ଥିବା ବ୍ୟକ୍ତିଙ୍କୁ ନିର୍ବାଚନ କରି ହିଁ ଏହି ବେଶ ବାହାର କରାଯାଇଥାଏ । କୌଣସି ନୂଆ ବ୍ୟକ୍ତିକୁ ଗ୍ରହଣ କରାଯାଏ ନାହିଁ । ଏହି ବେଶ ସହ ୧୯୪୫ ମସିହା ବେଳକୁ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚିତ୍ରଅଙ୍ଗୁଳିମାଳାର ଗୀତ ଗାନ କରାଯାଉଛି । ବୁଦ୍ଧଂ-ଶରଣଂ-ଗଚ୍ଛାମି ବେଶ ଦର୍ଶକଙ୍କ ମଧ୍ୟରେ ବେଶ୍ କୌତୁହଳ ସୃଷ୍ଟି କରିଥାଏ ।

Wednesday, April 10, 2019

ବାଘ ନାଚ଼


ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବାଘ ନାଚ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ବାଘ ନାଚ ପ୍ରଚଳିତ ଥିଲେ ହେଁ ଏଠାକାର ବାଘ ନାଚ ସାଜସଜ୍ଜା, ନୃତ୍ୟ ଓ ବାଦ୍ୟ ବିଭିନ୍ନ ଦିଗରୁ ଅପେକ୍ଷାକୃତ ମନମୁଗ୍ଧକର ହୋଇଥାଏ । ସାଧାରଣତଃ ଯାତ୍ରା ଅବସରରେ ପୂର୍ବ-ମାନସିକ କିମ୍ୱା ନିଜ ଆଗ୍ରହ ଜନିତ କାରଣରୁ ବେଶ ଧାରଣ କରିଥାନ୍ତି । ବାଘ ନାଚ କରିବା ନିମନ୍ତେ ବ୍ୟକ୍ତିବିଶେଷଙ୍କୁ ନୃତ୍ୟରେ ପାରଙ୍ଗମ ହେବାକୁ ପଡ଼ିଥାଏ ଏବଂ ଏହି ଦୃଷ୍ଟିରୁ ଅନଭିଜ୍ଞମାନେ ବାଘ ବେଶ ଧାରଣ କରିବା ସମ୍ଭବପର ହୁଏ ନାହିଁ ।

ଆଜକୁ ୪୦/୫୦ ବର୍ଷ ପୂର୍ବେ କେବଳ ଠାକୁରାଣୀ ଯାତ୍ରା କାହିଁକି ବର୍ଷତମାମ ବାଘ ନାଚିଲାବାଲାଙ୍କ ସାମାଜିକ ପ୍ରତିଷ୍ଠା ବଳବତ୍ତର ରହୁଥିଲା । ଜଣେ ଭଲ କ୍ରିକେଟର, ଫୁଟବଲର ବା ଚିତ୍ରତାରକା ଯେପରି ସ୍ୱତନ୍ତ୍ରପରିଚ଼ୟ ସୃଷ୍ଟି କରିଥାନ୍ତି, ସେଭଳି ଜଣେ ଭଲ ବାଘ ନାଚ ନାଚିଲାବାଲା ମଧ୍ୟ ଅନୁରୂପ ଲୋକପ୍ରିୟତା ହାସଲ କରିପାରୁଥିଲେ । ସେ ସମୟରେ ହୁଏତ ଆଜିକା ତୁଳନାରେ ଖୁବ୍ କମ୍ ସଂଖ୍ୟକ ବ୍ୟକ୍ତି ବାଘ ବେଶ ଧାରଣ କରୁଥିଲେ ଏବଂ ଏଥିପାଇଁ ସେମାନଙ୍କୁ ରୀତିମତ ପୂର୍ବ-ପ୍ରସ୍ତୁତି ବା ରିହାରସାଲ କରିବାକୁ ପଡ଼ୁଥିଲାକେଉଁ ସାହୀରନାଚିଲାବାଲା କେଉଁ ତାରିଖରେ ବାଘ ବେଶରେ ନାଚିବ ସେଥିପାଇଁ ଲୋକେ ତାରିଖ ଗଣି ଅପେକ୍ଷା କରୁଥିଲେ । ପ୍ରତ୍ୟେକ ବାଘ ସହ ଅନ୍ୟୂନ ୬୦ ରୁ ୧୦୦ ସାହୀବାଲା ତଥା ସଖା-ସହୋଦର ସହର ପରିଭ୍ରମଣ କରୁଥିଲେ । ସାହୀବାଲାଙ୍କ ମଧ୍ୟରେ ଭାଇଚ଼ାରାଏତାଦୃଶ୍ୟ ନୃତ୍ୟ ଆୟୋଜନରେ ପରିସ୍ଫୁଟିତ ହେଉଥିଲା । ଆଜିକାଲି ତ ଯିଏ ବେଶଧାରଣ ପାଇଁ ପଇସା ଯୋଗାଡ଼ କରିପାରୁଛି ସେ ବାଘ ନାଚ ପାଇଁ ଆଗେଇ ଆସୁଛି । ନା ପୂର୍ବପ୍ରସ୍ତୁତି ନା ନାଚିବା ଶୈଳୀରେ ପରିପକ୍ୱତା, ନା କୌଣସି ସାମୂହିକ ପ୍ରଚେଷ୍ଟା ବାଘ ନାଚ କ୍ଷେତ୍ରରେ ଦେଖିବାକୁ ମିଳୁଛି ।

ବାଘ ନାଚ ଏକ ବ୍ୟୟ ବହୁଳ ବ୍ୟାପାର । ବାଘ ନାଚ ପାଇଁ ଅନ୍ତତଃ ପକ୍ଷେ ଚାରିଗୋଟି ଚ଼ାଙ୍ଗୁ ବାଦ୍ୟର ଆବଶ୍ୟକତା ପଡ଼ିଥାଏ । ବାଦ୍ୟଗୁଡ଼ିକୁ ପ୍ରତି ଘଣ୍ଟାକରେ ଥରେ ନିଆଁ ସେକ ଦେବା ନିମନ୍ତେ ଗୋଟିଏ ପାଳ ବୋଝେଇ ଯାନ ନାଚ ଦଳ ସହ ଘୁରି ବୁଲୁ ଥାଏ । ପୂର୍ବେ ପେଟ୍ରୋମାକ୍ସ ଲଣ୍ଠନ ବ୍ୟବହୃତ ହେଉଥିବାବେଳେ ବର୍ତ୍ତମାନ ଜେନେରେଟର ଯୋଗେ ବଲବଆଲୋକର ବ୍ୟବସ୍ଥା କରାଯାଏ । ବାଘର ଶରୀରରେ ବାର୍ଣ୍ଣିସ୍ ଚିତ୍ରଣ, ମୁଣ୍ଡ, ପୋଷାକ, ସ୍ୱତନ୍ତ୍ର ଫୁଲମାଳ ତଥା ଚିତ୍ରକରର ମଜୁରି ବାବଦରେ ଖର୍ଚ୍ଚ ହୁଏ । ଶେଷରେ ବାଘ ନାଚ ସହ ରାତି ତମାମ ଘୁରି ବୁଲିବା ନିମନ୍ତେ ଅନ୍ତତଃ ପକ୍ଷେ କୋଡ଼ିଏ ଜଣ ଏକାଠି ହୋଇଥାନ୍ତି । ବାଘକୁ ଚିତ୍ରିତ କରିବା, ମନ୍ଦିରକୁ ମୁଖା ନେଇ ପୂଜା କରିଆସିବା କାମରେ ମଧ୍ୟ ସେମାନେ ସାମିଲ ହୁଅନ୍ତି । ସମସ୍ତଙ୍କ ଦିନକର ଖାଦ୍ୟପେୟ ବାବଦରେ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ବାଘ ବେଶ ପାଇଁ ଚିତ୍ରଣ କାର୍ଯ୍ୟ ପୂର୍ବାହ୍ନରୁ ଆରମ୍ଭ ହୋଇଯାଏ । ଶରୀରର ଲୋମ ଖିଅର ହୋଇ ସ୍ନାନାଦି କାର୍ଯ୍ୟ ପରେ ବାର୍ଣ୍ଣିସରେ ପ୍ରଲେପ ଦିଆଯାଇଥାଏ । ଠାକୁରାଣୀଙ୍କଠାରେ ମୁଖା ପୂଜା ହୋଇଆସିବା ପରେ ବାଦ୍ୟ ବାଦକଙ୍କସହ ବାଘ ପ୍ରଥମେ ଅସ୍ଥାୟୀ ମନ୍ଦିର ଆସି ଦେବୀଙ୍କ ଦର୍ଶନ କରେ । ତତ୍ପରେ ନିଜ ପରିଚିତ ପରିବାରଗୁଡ଼ିକୁ ବୁଲି ନାଚ଼େ । ଅତୀତରେ ବାଘ ନାଚ ସାରା ରାତି ଚାଲୁଥିଲା । ତେବେ ପୋଲିସ କଟକଣା ଅନୁଯାୟୀ ଆଜିକାଲି ରାତି ୧୧ ରୁ ସକାଳ ୫ ଯାଏଁ ବାଘ ନାଚ ପ୍ରଦର୍ଶନ ବାରଣ କରାଯାଇଛି ।

Tuesday, April 9, 2019

ଯାତ୍ରାରେ ବେଶ ଧାରଣ

ଠାକୁରାଣୀ ଯାତ୍ରା ଅବସରରେ ପୂର୍ବ ମାନସିକ ଜନିତ କାରଣ ବା ସ୍ୱତଃପ୍ରବୃତ୍ତଭାବେ ଅନେକ ବ୍ୟକ୍ତି ବିଭିନ୍ନ ବେଶ ଧାରଣ କରିବା ପରମ୍ପରା ଚଳିଆସିଛି । ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ମାନସିକ ଅନୁଯାୟୀ ଭକ୍ତ ବାଳ କାଟି ଲଣ୍ଡା ହୋଇଥାନ୍ତି କିମ୍ୱା ବଳି ଦେଇଥାନ୍ତି । ତେବେ ଠାକୁରାଣୀ ଯାତ୍ରା ଅବସରରେ ରୋଗବ୍ୟାଧିରୁ ଉଦ୍ଧାର ବା ସଙ୍କଟମୋଚନ ଆଶାରେ ମାନସିକ କରିଥିବା ବ୍ୟକ୍ତିବିଶେଷ ବିଭିନ୍ନ ବେଶଧାରଣ କରି ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଥାନ୍ତି । କେବଳ ପୁରୁଷମାନେ, ସାଧାରଣତଃ ବାଳକ ଓ ଯୁବକମାନେ ବେଶ ଧାରଣରେ ଅଂଶଗ୍ରହଣ କରିଥାନ୍ତି ।

ବିଭିନ୍ନ ଲୋକଉତ୍ସବ ଅବସରରେ ମୁଖ୍ୟତଃ କାର୍ନିଭାଲ ଧରଣର ଯାତ୍ରାମାନଙ୍କରେ ପ୍ରାକ୍-ଐତିହାସିକ କାଳରୁ ମନୁଷ୍ୟ ବିଭିନ୍ନ ପଶୁପକ୍ଷୀ ବା ବିଚିତ୍ର ଚରିତ୍ରର ବେଶ ଧାରଣ କରି ନୃତ୍ୟଗୀତରେ ଅଂଶଗ୍ରହଣ କରିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ । ବିଶ୍ୱର ବିଭିନ୍ନ ପ୍ରାନ୍ତର ଆଦିବାସୀମାନେ ବିଭିନ୍ନ ଧରଣର ପଶୁପକ୍ଷୀଙ୍କ ବେଶ ପରିଧାନ କରି ନୃତ୍ୟଗୀତରେ ସାମିଲ ହୋଇଥାନ୍ତି । ଆଫ୍ରିକୀୟ ଓ ଲାଟିନ ଆମେରିକୀୟ ଦେଶପୁଞ୍ଜରେ ଏହି ଧରଣର ଯାତ୍ରାଗୁଡ଼ିକ ପର୍ଯ୍ୟଟନ ଆକର୍ଷଣ ରୂପେ ଆନ୍ତର୍ଜାତିକସ୍ତରରେ ପରିଗଣିତ ହୋଇଥାଏ ।

ଠାକୁରାଣୀ ଯାତ୍ରାରେ ପାରମ୍ପରିକଭାବେ ବାଘ, ଭାଲୁ, ମାଙ୍କଡ଼ ଇତ୍ୟାଦି ଜୀବଜନ୍ତୁ ସାଙ୍ଗକୁ ଶିବ, କୃଷ୍ଣ, ବଳରାମ, ରାମଚନ୍ଦ୍ର, ଲକ୍ଷ୍ମଣ, ସୀତା, ନାରଦ ଇତ୍ୟାଦି ପୌରାଣିକ ଚରିତ୍ର, ବାବାଜି, ଜ୍ୟୋତିଷ, ଡ଼ାହାଣି, ଦହିବାଲୀ, ଶୁଖୁଆବାଲୀ, ଅତର ବିକ୍ରେତା, ଆଦିବାସୀ, ଫେରିବାଲା, ପୋଲିସ ଇତ୍ୟାଦି ସାମାଜିକ ଚରିତ୍ରଙ୍କ ଅନୁକରଣରେ ବେଶ ପରିଧାନ କରାଯାଇଥାଏ । ପୁରୁଷମାନଙ୍କ ନାରୀବେଶ ଧାରଣ ଏକ କୌତୁହଳୋଦ୍ଦୀପକ ଦୃଶ୍ୟ ।

ଠାକୁରାଣୀ ଯାତ୍ରା ଅବସରରେ ପୂର୍ବମାନସିକ କାରଣରୁ ସାଧାରଣତଃ କମ୍ ବୟସର ବାଳକଙ୍କ ଠାରୁ ଆରମ୍ଭ କରି ମଧ୍ୟ-ବୟସ୍କଙ୍କ ପର୍ଯ୍ୟନ୍ତ ପୁରୁଷମାନେ ବେଶ ଧାରଣ କରିଥାନ୍ତି । ପୁରୁଣା ସହରରେ ଯେତେବେଳେ ଶିଶୁଟିଏ ସାଂଘାତିକଭାବେ ରୋଗରେ ପଡ଼େଚ଼ିକିତ୍ସା ଅବସରରେ ତାର ମାଆ, ଗୋସାଇଁ ମା ବା ଆଈ ଏପରି କେହି ଜଣେ ବଡ଼ ଠାକୁରାଣୀଙ୍କଠାରେ ସହଣିକ କରିବସନ୍ତି ଯେ ନିଜ ପୁଅ ବା ନାତି ରୋଗମୁକ୍ତ ହୋଇଗଲେ ଆସନ୍ତା ଠାକୁରାଣୀ ଯାତ୍ରାରେ ବାବାଜୀ, କୃଷ୍ଣ ଅମକସମକ ବେଶ ଧାରଣ କରିବ । ପୁତ୍ର ସନ୍ତାନଟି ଆରୋଗ୍ୟଲାଭ କରିଥାଏ ଏବଂ ପରବର୍ଷ ଠାକୁରାଣୀ ଯାତ୍ରା ଅବସରରେ ବେଶ ଧାରଣ କରେ ।

ଏକ ନିର୍ଦ୍ଦିଷ୍ଟ ଦିବସରେ ବେଶ ଧାରଣ କରିବା ନିର୍ଦ୍ଧାରିତ ହେବା ପରେ ସେହିଦିନ ପୂର୍ବାହ୍ନରେ ବେଶ ଧାରଣ କରିବା ଶିଶୁ, ଯୁବକ ବା ବ୍ୟକ୍ତିଜଣକ ପ୍ରଥମେ ବେଶଭୁଷାରେ ସଜ୍ଜିତ ହୋଇ ଦେଶୀବେହେରାସାହୀର ଅସ୍ଥାୟୀ ମନ୍ଦିରକୁ ଯାଇଥାଏ । କେତେକ କ୍ଷେତ୍ରରେ ବେଶ ସହ ବାଦ୍ୟବାଦକ ସହଯୋଗିତା କରୁଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ବାଦକମାନଙ୍କ ଆବଶ୍ୟକତା ନଥାଏ । ବେଶ ଧାରଣ କରିଥିବା ବ୍ୟକ୍ତି ଓ ବାଦକମାନେ ଠାକୁରାଣୀଙ୍କ ଠାରେ ପୂଜା ଅର୍ଚ୍ଚନା ସାରି ସାହୀସାହୀ ବୁଲି ନିଜ ପରିଚିତ ପରିବାରବର୍ଗଙ୍କୁ ସାକ୍ଷାତ କରିଥାନ୍ତି । ପ୍ରତ୍ୟେକେ ବେଶ ଧାରଣ କରିଥିବା ବ୍ୟକ୍ତିଙ୍କୁ କିଛି ଅର୍ଥ ଉପହାର ସ୍ୱରୂପ ଦେଇଥାନ୍ତି । ଏହି ଅର୍ଥର ପରିମାଣ ସାଧାରଣତଃ ବେଶ ଧାରଣ କରିଥିବା ବ୍ୟକ୍ତିର ଅର୍ଥନୀତିକ ଓ ସାମାଜିକ ପ୍ରତିପତ୍ତି ଉପରେ ନିର୍ଭରଶୀଳ । ବସ୍ତୀ ଭ୍ରମଣ ପରେ ବେଶ ଧାରଣ କରିଥିବା ବ୍ୟକ୍ତି ପୁନର୍ବାର ଠାକୁରାଣୀଙ୍କ ଦର୍ଶନ କରି ବେଶ ଉତୁରାଇଥାଏ ।

ଠାକୁରାଣୀ ଯାତ୍ରା ଅବସରରେ ଅତୀତରେ ବେଶ ଧାରଣ କ୍ଷେତ୍ରରେ ଅଧିକ ବିବିଧତା ଦେଖିବାକୁ ମିଳୁଥିଲା । କାଳକ୍ରମେ ବେଶର ବିସ୍ତୃତି କ୍ରମଶଃ ସଙ୍କୁଚିତ ହୋଇପଡ଼ିଛି । ପୂର୍ବେ ଯେଉଁ ବେଶଗୁଡ଼ିକ ବହୁ ପରିମାଣରେ ବାହାରୁଥିଲା, ଆଜି ବହୁତ କମ୍ ସଂଖ୍ୟକ ବ୍ୟକ୍ତି ସେହିଭିଳି ବେଶ ଧାରଣ କରୁଛନ୍ତି ।

ଉଦାହରଣସ୍ୱରୂପଛତା ନାଟ କଥା ଧରାଯାଉ । ଏହି ଲୋକନୃତ୍ୟ ପ୍ରଭାବିତ ବେଶରେ ଚାରି ଛଅ ଜଣ ମଧ୍ୟବୟସ୍କ ବ୍ୟକ୍ତି ହାତରେ ଛତା ଧରି କଳା ଚ଼ଷମା ଓ ପଗଡ଼ି ପିନ୍ଧି ଅନ୍ତତଃ ଦୁଇଗୋଟି ଚ଼ାଙ୍ଗୁ ବାଦ୍ୟର ତାଳେ ତାଳେ ନାଚିଥାନ୍ତି । ବର୍ତ୍ତମାନ କାଁଭାଁଛତାନାଟ ଦେଖିବାକୁ ମିଳୁଛି । ସେହିପରି ଛୋଡ଼ଗାଜିଆ ବେଶ ସହରସାରା ଭରି ଯାଉଥିଲା । ଦେହସାରାଅଙ୍ଗାରକଳା ବୋଳି ସେଥିରେ ଖଡ଼ି ଧଳା ଛିଟମାନ ମାରି ଅଖା ଖଣ୍ଡେ ଗୁଡ଼ାଇ ହୋଇ ପଥର ଖଣ୍ଡେ ଆଉ ଭିକ୍ଷା ହାଣ୍ଡିଟିଏ ଧରି ସାହୀସାହୀରେବେଶଧାରୀ କମ୍ ବୟସର ବାଳକମାନେ ଆସି ପହଞ୍ଚୁଥିଲେ । ବୁଲା କୁକୁରମାନେ ଏଭଳି ଅଦ୍ଭୂତ ଜୀବଟିଏ ଦେଖି ଭୁକି ଉଠୁଥିଲେ । ଆଜି ଛୋଡ଼ଗାଜିଆ ବେଶ ବହୁତ କମ୍ ଦେଖିବାକୁ ମିଳୁଛି । ବେଶ ଧାରଣରେ ବିଚିତ୍ରତା କ୍ରମଶଃ କମିଆସୁଛି ।

ଠାକୁରାଣୀ ଯାତ୍ରା ପାଳନର ଶେଷ ସପ୍ତାହଟି ବ୍ରହ୍ମପୁର ସହର ଉତ୍ସବମୁଖର ହୋଇଉଠେ । ଚୈତ୍ର ମାସର ଉଦୁଉଦିଆ ଖରା ବେଳ । ରାସ୍ତାରେ ଦେଖିବେ ତ ହନୁମାନଟିଏ ମୋବାଇଲ ଫୋନରେ ଗପି ଚାଲିଛି ବା କୃଷ୍ଣ ବଳରାମ ବେଶଧାରୀଦୁଇଭାଇ ମଟରସାଇକେଲ ଚଢ଼ି ଚାଲିଛନ୍ତି । ହଠାତ୍ ବାଦ୍ୟ ବାଜି ଉଠେ । ବାଘଟିଏ ଦୌଡ଼ିଆସେ ବା ଡ଼ାହାଣୀଟିଏ ନାଚି ଉଠେ । ଏକ ଉଦ୍ଭୂତସରରିଆଲିଜିମ୍ ଦୃଶ୍ୟାବଳୀରେ ସହର ଭରି ଉଠେ ।

ବ୍ରହ୍ମପୁରର ଏହି ମୌଳିକ ମହୋତ୍ସବରେ ଧନୀଗରିବ ଜାତିଭେଦର ବାଛବିଚାର ନାହିଁ । ଭିକାରୀଟିଏ ଦେହସାରା ଅଙ୍ଗାର କଳା ବୋଳି ସେଥିରେ ଧଳାଛିଟ ଦେଇ ମୁଣ୍ଡରେ କାଉ ପରଖଣ୍ଡେ ଗୁଞ୍ଜି ହାତରେ ପଥର ଖଣ୍ଡେ ଧରିର ଚିତ୍କାର କରି ଉଠୁଛି, ଛୋଡ଼ଗାଜିଆଛାଡ଼ି ଦେ ବାଟ, ଦୁଇ ବରଷରେ ଥରେ ଗାଜିଆ ନାଟ ତ ସହରର କୌଣସି ଏକ ବିଶିଷ୍ଟ ଧନୀକ ବ୍ୟକ୍ତିଙ୍କ ଅଲିଅଳ ପୁତ୍ର ପୁଙ୍ଗୁଳା ଦେହରେ କୌପୁନୀଖଣ୍ଡେ ମାରି କଅଁଳ ସ୍ୱରରେ କହୁଛି ଜୟ ବାବାଜୀ କୀ ଜୟ

Monday, April 8, 2019

ଠାକୁରାଣୀଙ୍କ ସାହୀ ପରିକ୍ରମା


ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ବିଶେଷତ୍ୱ ଏହି ଯେ, ଏହା କୌଣସି ଗୋଟିଏ ଦିନ ଦର୍ଶନାଭିଳାଷୀଙ୍କୁ ଏକତ୍ରୀତ ନକରି ଦୀର୍ଘ ଦିନ ଧରି ଯାତ୍ରୀମାନଙ୍କୁ ଆକର୍ଷିତ କରିଥାଏ । ବିଭିନ୍ନ ରଥ ଓ କଳାକୁଞ୍ଜ ନିର୍ମିତ ହେବା ପରେ ଯାତ୍ରାର ଶେଷ ସପ୍ତାହରେ ଅଧିକ ଲୋକଗହଳି ହୋଇଥାଏ ଏବଂ ଶେଷ ଦିବସରେ ସର୍ବାଧିକ ଜନସମାଗମ ହୋଇଥାଏ । ତେବେ ଯାତ୍ରା ଆରମ୍ଭରୁ ଯାତ୍ରୀଙ୍କ ଭିଡ଼ ଲାଗି ରହିଥାଏ ।

ଠିକ୍ ସେହିପରି ପ୍ରତିଦିନର କାର୍ଯ୍ୟସୂଚ଼ୀକୁ ନିରେଖି ଦେଖିଲେ ଜଣାଯାଏ ଯେ, ଦିନର ବିଭିନ୍ନ ସମୟରେ ବିଭିନ୍ନ ଶ୍ରେଣୀର ଭକ୍ତ ଅସ୍ଥାୟୀ ମନ୍ଦିର ପରିଦର୍ଶନ କରି ପୂଜାଅର୍ଚ୍ଚନା କରିଥାନ୍ତି । ମଧ୍ୟାହ୍ନରେ ଅପେକ୍ଷାକୃତ କମ୍ ଲୋକଗହଳି ରହୁଥିବା ହେତୁ ବୃଦ୍ଧ-ବୃଦ୍ଧା ବା ଗହଳି ପସନ୍ଦ କରୁନଥିବା ଲୋକେ ଦର୍ଶନରେ ଯାଇଥାନ୍ତି । ଏହି ସମୟରେ ଅସ୍ଥାୟୀ ମନ୍ଦିରରେ ୫୦ ରୁ ୧୦୦ ଭକ୍ତଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ପ୍ରଭାତରୁ ସକାଳ ୯ ଘଣ୍ଟା ଯାଏଁ ଏବଂ ଅପରାହ୍ନ ୪ ଘଣ୍ଟା ପରେ ଲୋକଗହଳି ବଢ଼ିଯାଏ । ସନ୍ଧ୍ୟାରେ ଦର୍ଶନ ଲାଗି ଯାଉଥିବା ଭକ୍ତ ସାଧାରଣତଃ ରାତିରେ ଘଟ ସାହୀ ପରିକ୍ରମା କାର୍ଯ୍ୟ ଦେଖିବା ପାଇଁ ଅପେକ୍ଷା କରି ରହୁଥିବା ହେତୁ ଛଅରୁ ନଅଘଣ୍ଟା ଯାଏଁ ଦେଶୀବେହେରା ସାହୀ ସର୍ବାଧିକ ଲୋକାରଣ୍ୟ ହୋଇପଡ଼େ ।

ପ୍ରତିଦିନ ସନ୍ଧ୍ୟାରେ ଠାକୁରାଣୀଙ୍କ ସାହୀ ପରିକ୍ରମାବେଳେ ଅତୀତରେ ସହରର ବିଶିଷ୍ଟ ବ୍ୟକ୍ତିମାନେ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ଜଣାଯାଏ । କ୍ରମଶଃ ସେହି ପରମ୍ପରା ଲୋପ ପାଇଛି । ସାହୀ ପରିକ୍ରମା ବେଳେ ମହୁରି ରାଜାଙ୍କ ବାଦ୍ୟବାଦକ ଦଳ ଅଂଶଗ୍ରହଣ କରୁଥିଲେ । ବର୍ତ୍ତମାନ ତାହାର ସ୍ମୃତିରେ ଯାତ୍ରାର ଶେଷ କିଛି ଦିବସରେ ଏକ ସ୍ୱେଚ୍ଛାସେବକ ବାଦ୍ୟବାଦକ ଦଳ ଶୋଭାଯାତ୍ରାରେ ଭାଗ ନିଅନ୍ତି ।

ଠାକୁରାଣୀଙ୍କ ସାହୀ ପରିକ୍ରମା ପ୍ରକାଶମ ହଲ୍ ନିକଟସ୍ଥ କାମ୍ପ ସାହୀ ପର୍ଯ୍ୟନ୍ତ ଆସିଥାଏ । ଏଥିରୁ ଅନୁମାନ କରାଯାଏ ଯେ, ଜାକଜମକରେ ଠାକୁରାଣୀ ଯାତ୍ରା ପାଳନ ବେଳକୁ ବ୍ରହ୍ମପୁରର ପରିସୀମା କାମ୍ପ ସାହୀ ପର୍ଯ୍ୟନ୍ତ ହିଁ ସୀମିତ ରହିଥିଲା । ଯାତ୍ରା ଶେଷଦିନ ଘଟ ଶୋଭାଯାତ୍ରାରେ କାମ୍ପ ସାହୀର ଜଣେବ୍ୟକ୍ତି ବରକୋଳି ଡ଼ାଳରେ ଛାଞ୍ଚୁଣି, କୁଲା, କୁକୁଡ଼ା ଇତ୍ୟାଦି ବାନ୍ଧି ଯୋଗ ଦିଏ । ଏହି ପ୍ରଥା ପାରମ୍ପରିକ ଭାବେ ପାଳିତ ହୋଇଆସୁଛି ।

ଠାକୁରାଣୀ ଯାତ୍ରା ଅବସରରେ ସାରା ବ୍ରହ୍ମପୁର ଉତ୍ସବମୁଖର ହୋଇପଡ଼େ । ଠାକୁରାଣୀଙ୍କ ଅସ୍ଥାୟୀ ମନ୍ଦିର ବଡ଼ବଜାର ଦେଶୀବେହେରା ସାହୀରେ ପ୍ରତିଷ୍ଠିତ ହେଉଥିଲେ ହେଁ ପ୍ରତ୍ୟେହ ସନ୍ଧ୍ୟାରେ ଠାକୁରାଣୀଙ୍କ ସାହୀ ପରିକ୍ରମା ପୂଜାଅର୍ଚ୍ଚନାର ପରିସରକୁ ପରିବ୍ୟାପ୍ତ କରିଥାଏ । ଅପରପକ୍ଷରେ ମାନସିକ ବେଶଧାରୀମାନେ ସହରର ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଥିବା ହେତୁ ଦିନରାତି ଗହଳଚ଼ହଳ ଓ ବାଜାବାଜଣା ଲାଗି ରହିଥାଏ । ମୁଖ୍ୟତଃ ଯାତ୍ରା ପାଳନର ଶେଷ ସପ୍ତାହରେ ପୁରୁଣା ବ୍ରହ୍ମପୁର ଅଞ୍ଚଳଟି ବେଶଧାରୀଙ୍କ ଗହଣରେ ଉତ୍ସବମୁଖର ହୋଇଉଠେ ।