Friday, March 19, 2021

ଯାତ୍ରା ଆୟୋଜନ ଚର୍ଚ୍ଚା

 #ବ୍ରହ୍ମପୁର ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୧ ଆୟୋଜନ ନିମନ୍ତେ ମାର୍ଚ୍ଚ ୧୯ ଶୁକ୍ରବାର ରାତ୍ରୀ ପ୍ରଥମ ପ୍ରହରରେ ଦେବାଙ୍ଗ କୁଳ ଓ ଜନପଦ ସଭାରେ କାର୍ଯ୍ୟକ୍ରମ ଚୁଡ଼ାନ୍ତ କରି ଦ୍ୱିତୀୟ ପ୍ରହରରେ ବଡ଼ ଠାକୁରାଣୀ ମନ୍ଦିରକୁ ଶୋଭାଯାତ୍ରା ଏବଂ ଆଜ୍ଞାମାଳ ପ୍ରାପ୍ତି ତଥା ଶନିବାର ପ୍ରଥମ ପ୍ରହରରେ ଶୁଭଖୁଣ୍ଟ ସ୍ଥାପନ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା । ଏ ସଂପର୍କରେ ବଡ଼ ବଜାର ସଂଲଗ୍ନ ସାହୀଗୁଡ଼ିକରେ ପୂର୍ବାହ୍ନରୁ ଡ଼େଣ୍ଡୁରା ଦିଆଯାଇ ସମସ୍ତ ପୂର୍ବପ୍ରସ୍ତୁତି ମଧ୍ୟ ସରିଥିଲା ।

ତେବେ ଦେଶବ୍ୟାପୀ ‘କୋଭିଡ଼-୧୯’ର ଦ୍ୱିତୀୟ ତରଙ୍ଗ ସଂକ୍ରମଣ ଆଶଙ୍କାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଇଦିଆଯିବା ପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିସନର ଅନୁରୂପ ନିର୍ଦ୍ଦେଶନାମା ଜାରି କଲେ । ଶନିବାର ଦିନ ରାଜ୍ୟରେ ୧୧୦ ଜଣ ୨୨ ଗୋଟି ଜିଲ୍ଲାରୁ ସଂକ୍ରମିତ ହୋଇଥିବା ହିସାବ ଜଣାପଡ଼ିବା ପରେ ରିଲିଫ କମିସନରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ଦୋଳ ଓ ହୋଲି ଉତ୍ସବ ସର୍ବସାଧାରଣରେ ପାଳନ ନିମନ୍ତେ ବାରଣ କରାଯାଇଛି । ମନ୍ଦିର ଭିତରେ କୋଭିଡ଼ ଗାଇଡ଼ଲାଇନ ମାନି ଧାର୍ମିକ ରୀତିନୀତି ପାଳିତ ହେବ । ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯିବା ନିମନ୍ତେ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ମୁଖ୍ୟ ଶାସନ ସଚ଼ିବ ପତ୍ର ଲେଖିଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।
ଏହି ପରିସ୍ଥିତିରେ ବ୍ରହ୍ମପୁର ଠାକୁରାଣୀଯାତ୍ରା ୨୦୨୧ ପାଳନ ନିମନ୍ତେ ନିଷ୍ପତ୍ତି ଗ୍ରହଣ ଲାଗି କୁଳ ଓ ଜନପଦ ସଭା ଆୟୋଜନ ପୂର୍ବରୁ ଆୟୋଜକଙ୍କ ସହ ମହାନଗର ନିଗମ କମିସନର ଓ ଉପଜିଲ୍ଲାପାଳଙ୍କ ଆଲୋଚ଼ନା ହୋଇଥିଲା । ସଂଭବତଃ ପରିସ୍ଥିତି ଅନୁଧ୍ୟାନ କରି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୧୯ ଶୁକ୍ରବାର ରାତିରେ ଶୁଭଖୁଣ୍ଟ ସ୍ଥାପନ ଆପାତତଃ ସ୍ଥଗିତ ରଖାଗଲା ବୋଲି ଆୟୋଜକ ଘୋଷଣା କରିଛନ୍ତି ।
ବ୍ରହ୍ମପୁର ଠାକୁରାଣୀ ଯାତ୍ରା ୨୦୨୧ ଯେ କୋଭିଡ଼ କଟକଣା ମାନି ଆୟୋଜନ କରିବାକୁ ପଡ଼ିବ ଏଥିରେ ସନ୍ଦେହ ନାହିଁ, ତେବେ ଯାତ୍ରା ଅନୁଷ୍ଠିତ ହେବ ନା ନାହିଁ, ଯଦି ହେବ କେତେଦିନ ହେବ ଏବଂ କେଉଁ ପଦ୍ଧତି ଅନୁସରଣ କରାଯିବ ତାହା ସମୟକ୍ରମେ ନିର୍ଦ୍ଧାରିତ ହେବ । ଏଠାରେ କେତେଗୋଟି ବିଷୟ ଚର୍ଚ୍ଚାର ପରିସରକୁ ଆସେ ।
ଆଇନତଃ ମହାମାରୀ କାଳରେ ଧାର୍ମିକ, ସାଂସ୍କୃତିକ, ରାଜନୀତିକ କାହିଁକି ବିବାହ, ଶୁଦ୍ଧିକ୍ରିୟା ଭଳି ସାମାଜିକ କାର୍ଯ୍ୟ ଆୟୋଜନ ପାଇଁ ମଧ୍ୟ ପ୍ରଶାସନର ଅନୁମତି ପ୍ରଯୁଜ୍ୟ । ଏହି ମେଳନଗୁଡ଼ିକରେ କୋଭିଡ଼ ଗାଇଡ଼ଲାଇନର ଉଲଂଘନ ହେଲେ ଅନୁମତି ପ୍ରାପ୍ତ ଆୟୋଜକ ଦାୟୀ ରହିବେ ।
ପ୍ରଚଳିତ ନୀତି ଅନୁଯାୟୀ ଧାର୍ମିକ ରୀତିନୀତି ପାଳନରେ ବାରଣ ନାହିଁ । କିନ୍ତୁ ଜନସମାଗମ ନିଷେଧ । ଠାକୁରାଣୀ ଯାତ୍ରାର ଦୁଇଗୋଟି ଦିଗ ରହିଛି । ଏକ ପକ୍ଷରେ ନୀତିକାନ୍ତି ପାଳନ ଓ ଅପରପକ୍ଷରେ ଆନନ୍ଦ ଉଲ୍ଲାସରେ ନଗରବାସୀଙ୍କ ପୂଜାର୍ଚ୍ଚନା, ଶୋଭାଯାତ୍ରାରେ ଅଂଶଗ୍ରହଣ, ବେଶଧାରଣ, ରଥ-କଳାକୁଞ୍ଜ-ଆଲୋକସଜ୍ଜା ଉପଭୋଗ, ଅତିଥି ସତ୍କାରରେ ଅଂଶଗ୍ରହଣ ରହିଥାଏ । କୋଭିଡ଼ କଟକଣାରେ ରୀତିନୀତି ପାଳିତ ହୋଇପାରିବ, ତେବେ ଜନସାଧାରଣଙ୍କ ଅଂଶଗ୍ରହଣ ସଂଭବପର ନୁହ । ତେଣୁ ଯାତ୍ରା ଆୟୋଜନ ଲାଗି ବିକଳ୍ପ ନୀତିନିର୍ଦ୍ଧାରଣ ଆବଶ୍ୟକ ।
ଭର୍ଚୁଆଲ ପରିବେଶ ଯାତ୍ରା ପାଳନର ଏକ ବିକଳ୍ପ । ଠାକୁରାଣୀ ଯାତ୍ରା ସହ ସହରବାସୀଙ୍କ ଗଭୀର ଭାବାବେଗ ସଂପର୍କ ରହିଛି । ପାରମ୍ପରିକ ଯାତ୍ରା ବନ୍ଦ କରିଦେବା ଅପେକ୍ଷା ଗତବର୍ଷର ପୁରୀ ରଥଯାତ୍ରା ବା ଗୋସାଇଁନୂଆଗାଁର କାଳୁଆ ଯାତ୍ରା ଭଳି ରୀତିନୀତିରେ ଉତ୍ସବ ପାଳନକୁ ସୀମିତ ରଖି ସୋସିଆଲ ମିଡ଼ିଆ, ଓଭର-ଦି-ଟପ ଓ ଟେଲିଭିଜନ ମଞ୍ଚର ବ୍ୟାପକ ଉପଯୋଗରେ ସର୍ବସାଧାରଣରେ ଯାତ୍ରାର ମାହୋଲ ସୃଷ୍ଟି ସର୍ଜନଶୀଳ କାର୍ଯ୍ୟକ୍ରମ ଆୟୋଜନରେ ଦକ୍ଷତା ଆବଶ୍ୟକ କରେ । ବ୍ରହ୍ମପୁରର ଅର୍ଦ୍ଧାଧିକ ଜନସାଧାରଣ ଇଣ୍ଟରନେଟ ସଂଯୁକ୍ତ ଓ ସ୍ମାର୍ଟଫୋନ ଜରିଆରେ ସୋସିଆଲ ମିଡ଼ିଆରେ ପହଞ୍ଚି ସାରିଥିବା ତଥା ଦୈନିକଭତ୍ତିରେ ହାରାହାରି ଚାରିଘଣ୍ଟା ଯାଏଁ ଫୋନ ପରଦାରେ ବିତାଉଥିବା ହେତୁ ଜନଜୀବନରେ ବୈଷୟିକ ପ୍ରଗତିର ପ୍ରଭାବକୁ ଅଣଦେଖା କରାଯାଇ ପାରେନା ।

Friday, March 12, 2021

ଠାକୁରାଣୀ ଯାତ୍ରା ୨୦୨୧

ମହାମାରୀଜନିତ ଅନିଶ୍ଚିତତା ମଧ୍ୟରେ #ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଳନ ନିମନ୍ତେ ନୀତିଗତଭାବେ ସ୍ଥିର ହୋଇଥିବା ସମ୍ୱାଦ ସହରବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଦେଇଛି । ଯାତ୍ରା ଆୟୋଜକଙ୍କ ପକ୍ଷରୁ ସ୍ଥାନୀୟ ପ୍ରଶାସନ ନିକଟରେ ଅନୁମତି ଆବେଦନ ପରେ ବ୍ରହ୍ମପୁର ମହାନଗର ନିଗମ ତତ୍ତ୍ୱାବଧାନରେ କୋଭିଡ଼ କଟକଣା ମାନି ଯାତ୍ରା ପାଳନ ନିମନ୍ତେ ସବୁଜ ସଙ୍କେତ ଦିଆ ଯାଇଥିବା ପ୍ରକାଶ ।

 

ଯାତ୍ରା ଆୟୋଜନ ସଂପର୍କରେ ଆଲୋଚନା ଲାଗି ମହାନଗର ନିଗମ ପ୍ରଶାସକଙ୍କ ସହ ଆୟୋଜକ ଫେବୃୟାରୀ ୧୦ ତାରିଖରେ ଏକତ୍ରୀତ ହୋଇଥିଲେ । ଏହି ଅବସରରେ ସାତଗୋଟି ମୁଖ୍ୟ ବିଷୟପ୍ରତି ଗୁରୁତ୍ୱ ଆରୋପ କରାଯାଇଥିବା ଜଣାଯାଏ । ପ୍ରଥମତଃ, ଠାକୁରାଣୀ ଯାତ୍ରା ଅବସରରେ ଅସ୍ଥାୟୀ ମନ୍ଦିରରେ ଘଟ ସ୍ଥାପନ ନିମନ୍ତେ ନିର୍ମିତ ପିଣ୍ଡି ଉପରକୁ ଭକ୍ତ କିମ୍ୱା ପୂଜକ ଉଭୟଙ୍କୁ ପ୍ରବେଶ ବାରଣ କରାଯିବ । ପିଣ୍ଡିଠାରୁ ଦୂରତ୍ୱ ଅବଲମ୍ୱନ କରି ଦର୍ଶନ ଓ ପୂଜାପାଠ କରାଯାଇପାରିବ । ଏହା ଦ୍ୱାରା ଅସ୍ଥାୟୀ ମନ୍ଦିରରରେ ଜନଗହଳି ନିୟନ୍ତ୍ରଣ କରାଯିବ ।

 

ଦ୍ୱିତୀୟତଃ, ଯାତ୍ରା ଅବଧିରେ ପ୍ରତ୍ୟେହ ସନ୍ଧ୍ୟାରେ ଘଟ ପରିକ୍ରମାରେ କେତେକ କଟକଣା ଲାଗୁ ହେବ । ପୂର୍ବ ତୁଳନାରେ ଚଳିତ ବର୍ଷ ସାହୀ ସଂଖ୍ୟା କମାଇ ଦିଆଯିବ । ଘଟଧାରୀଙ୍କ ପାଦ ଧୋଇ ପୂଜାଅର୍ଚ୍ଚନା ନିମନ୍ତେ ମହିଳାମାନଙ୍କୁ ଅନୁମତି ମିଳିବ ନାହିଁ ।

 

ତୃତୀୟତଃ, ଘଟ ଶୋଭାଯାତ୍ରାରେ ଦୁଇ ଶହ ବ୍ୟକ୍ତି ଯୋଗ ଦେଇ ପାରିବେ । ଯେକୌଣସି ଆଗ୍ରହୀ ଜନସାଧାରଣଙ୍କ ବ୍ୟତିରେକେ କେବଳ ମନୋନୀତ ସ୍ୱେଚ୍ଛାସେବୀଙ୍କୁ ନେଇ ଘଟ ପରିକ୍ରମା ଆୟୋଜିତ ହେବ । ଯାତ୍ରାପାଳନର ରୀତିନୀତିରେ ପାରମ୍ପରିକ ଭାବେ ଡ଼େରା ଦେବାଙ୍ଗ ସଂପ୍ରଦାୟର ସଂପୃକ୍ତି ହେତୁ ସେଇମାନେ ହିଁ ଅଧିକ ସଂଖ୍ୟକ ସାମିଲ ହେବା ସ୍ୱାଭାବିକ ।

 

ଚ଼ତୁର୍ଥତଃ, ମାନସିକ କରିଥିବା ବ୍ୟକ୍ତିବିଶେଷଙ୍କୁ ବେଶ ଧାରଣ ନିମନ୍ତେ ସୁଯୋଗ ପ୍ରଦାନ କରାଯିବ ନାହିଁ । ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବେଶ ଧାରଣ ଯାତ୍ରାର ଉପସ୍ଥିତି ବଡ଼ବଜାରରୁ ସମଗ୍ର ସହର ଓ ସହରତଳି ଅଞ୍ଚଳକୁ ପରିବ୍ୟାପ୍ତ କରିଥାଏ । ଏତଦ୍ୱାରା ଜନସାଧାରଣଙ୍କୁ ଯାତ୍ରାରେ ସାମିଲ ହେବା ସୁଯୋଗ ମିଳିଥାଏ । କିନ୍ତୁ ବେଶ ପଟୁଆରରେ ଶାରିରୀକ ଦୂରତ୍ୱ ବଜାୟ ରଖିବା ସଂଭବ ନଥିବା ହେତୁ କୋଭିଡ଼ କଟକଣାରେ ବେଶଧାରଣକୁ ଅନୁମତି ଦିଆନଯିବା ସ୍ଥିରୀକୃତ ହୋଇଥିବା ଜଣାଯାଏ ।

 

ପଞ୍ଚମତଃ, ରଥ ଓ କଳାକୁ୍ଞ୍ଜ ସାଙ୍ଗକୁ ସାହୀଗୁ଼ଡ଼ିକରେ ସନ୍ଧ୍ୟାରେ ଆଲୋକସଜ୍ଜା ବନ୍ଦ ରହିବ । ଏତଦ୍ୱାରା ଏକପକ୍ଷରେ ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଭିଡ଼ କମାଇବା ସଂଭବପର ହେବା ସ୍ଥଳେ ଅପରପକ୍ଷରେ ଯାତ୍ରାର ଆଡ଼ମ୍ୱର ପ୍ରଭାବିତ ହେବ । ରଥ ଓ କଳାକୁଞ୍ଜ ବିଭିନ୍ନ ସାହୀ ବାସିନ୍ଦାଙ୍କଠାରୁ ଚାନ୍ଦାଭେଦା କରି ଆୟୋଜିତ ହୋଇଥାଏ । ଯାତ୍ରାର ଶେଷ ସପ୍ତାହରେ ୫୦ ସରିକି ରଥ ଓ କଳାକୁଞ୍ଜ ବାହାରେ । ମହାମାରୀରେ ଦୀର୍ଘ ବର୍ଷକ ଧରି ମାନ୍ଦା ଅର୍ଥନୀତିକ ଅବସ୍ଥା ହେତୁ ହୁଏତ ଚଳିତବର୍ଷ ଜାକଜମକରେ ଆୟୋଜନ ସଂଭବପର ହୋଇପାରି ନଥାନ୍ତା ।

 

ଷଷ୍ଠତଃ, ଯାତ୍ରା ଅବସରରେ ଅସ୍ଥାୟୀ ମନ୍ଦିରରେ ଶୁଖିଲା ଓ ଅନ୍ନଭୋଗ ବଣ୍ଟନଠାରୁ ଆରମ୍ଭ କରି ଯାତ୍ରା ଦେଖଣାହାରୀଙ୍କ ମଧ୍ୟରେ ଜଳପାନ ବ୍ୟବସ୍ଥା ବିଗତ କିଛି ବର୍ଷରୁ ଜମିଥିଲା । ଚଳିତ ବର୍ଷ ସମସ୍ତ ରକମ ଭୋଗ ଓ ଖାଦ୍ୟପାନୀୟ ବିତରଣ ବନ୍ଦ ରହିବ ।

 

ସପ୍ତମତଃ, ପରମ୍ପରା ଅନୁଯାୟୀ ବ୍ରହ୍ମପୁର ଠାକୁରାଣୀଯାତ୍ରାରେ ଠାକୁରାଣୀ ବାପଘର ଆସୁଥିବା ବିଧି ହେତୁ ଠାକୁରାଣୀମନ୍ଦିର ସନ୍ନିକଟ ବିଭିନ୍ନ ସାହୀବସ୍ତିରେ ସ୍ଥାୟୀ ବସବାସ କରୁଥିବା ପରିବାରବର୍ଗଙ୍କ ପକ୍ଷରୁ ବିବାହିତା ଝିଅମାନଙ୍କୁ ଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଥାଏ । ଯାତ୍ରା ପାଳନ ଅବସରରେ ପାରିବାରିକ ସୌହାଦ୍ଦ୍ୟ ବୃଦ୍ଧି ନିମନ୍ତେ ପ୍ରଚଳିତ ଏହି ଧାରା ଚଳିତବର୍ଷ ପାଇଁ ବନ୍ଦ ରଖିବାକୁ କୁହାଯାଇଛି । ବାହାର ଜିଲ୍ଲାର ଆତ୍ମୀୟଙ୍କୁ ସହର ଆସିବାକୁ ମନା କରାଯିବ ।

 

ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଯାତ୍ରା ଆୟୋଜକ ଏହିଭଳି କେତେକ ସର୍ତ୍ତାବଳୀ ପାଳନ କରିବା ନିମନ୍ତେ ବିଧିବଦ୍ଧ ସତ୍ୟପାଠ ପ୍ରସ୍ତୁତ କରି ଦାଖଲ କରିବେ । ଉଲଂଘନ ନିମନ୍ତେ ଆୟୋଜକ ଦାୟୀ ରହିବେ ।

 

ଯାତ୍ରା ତିଥି ନିର୍ଦ୍ଧାରିତ ହେବା ପରେ ଘଟ ସ୍ଥାପନ ନିମନ୍ତେ ଦେଶୀବେହରା ସାହୀରେ ଅସ୍ଥାୟୀ ମନ୍ଦିର ପୌର ପ୍ରଶାସନ ପକ୍ଷରୁ ନିର୍ମାଣ ଲାଗି ସହାୟତା ଯୋଗାଇ ଦିଆଯାଇଥାଏ । ଅସ୍ଥାୟୀ ମନ୍ଦିର ସଂଲଗ୍ନ ସୁଉଚ୍ଚ ଛାମୁଣ୍ଡିଆ ଦେଶୀବେହରା ସାହୀର ବ୍ୟବସାୟୀ ଓ ପରିବହନ ଶ୍ରମିକଙ୍କ ତତ୍ତ୍ୱାବଧାନରେ ନିର୍ମିତ ହୁଏ । ଏଥି ନିମନ୍ତେ ନିୟମିତ ବର୍ହିଆଗତ ମାଲବାହୀ ଯାନବାହାନରୁ ଚାନ୍ଦା ସଂଗ୍ରହ ହୋଇ ଗଚ୍ଛିତ ରହିଥାଏ । ଯାତ୍ରା ତିଥି ନିର୍ଦ୍ଧାରିତ ହେବା ମାତ୍ରେ ଅସ୍ଥାୟୀ ମନ୍ଦିର ଓ ସଂଲଗ୍ନ ଛାମୁଣ୍ଡିଆ ନିର୍ମିତ ହୋଇଥାଏ ।

 

ମହାମାରୀରେ ୨୦୨୧ ଦ୍ୱି-ବାର୍ଷିକ ଯାତ୍ରା ଆୟୋଜିତ ହେଉଥିବା ହେତୁ ଶାରିରୀକ ଦୂରତ୍ୱ କଟକଣାରେ ଯାତ୍ରା କାର୍ଣ୍ଣିଭଲର ସ୍ୱାଦ ଉଭେଇ ଯିବ । କିନ୍ତୁ ସହରର ଅନ୍ୟୂନ ୪୨ ପ୍ରତିଶତ ଯାଏଁ ପରିବାର ଇଣ୍ଟରନେଟ ଏବଂ ୯୫ ପ୍ରତିଶତରୁ ଅଧିକ ଟେଲିଭିଜନ ଯୋଗେ ସଂଯୁକ୍ତ ଥିବା ହେତୁ କ୍ରମଶଃ ଯାତ୍ରା ଉପଭୋଗ କିପରି ଭର୍ଚୁଆଲ ପରିବେଶକୁ ଉତ୍ତୀର୍ଣ୍ଣ ହେବ ତାହା ଦେଖିବାକୁ ରହିଲା ।

(ଅନୁପମ ଭାରତ ବ୍ରହ୍ମପୁର ସଂସ୍କରଣ / ୧୩ ମାର୍ଚ୍ଚ ୨୦୨୧/ ପୃଷ୍ଠା : ୫)