Sunday, April 30, 2017

ଠାକୁରାଣୀ ଯାତ୍ରା ଶେଷଦିବସ

ଲୋକମହୋତ୍ସବ ପାଳନ ଅବସରରେ ଦେବଦେବୀ ଓ ଆୟୋଜକଙ୍କ ମଧ୍ୟରେ ପାରିବାରିକ ସଂପର୍କ କଳ୍ପନା କରାଯାଇଥାଏ l ସମ୍ୱଲପୁର ଶୀତଳ ଷଷ୍ଠୀ ଭଳି ରାଜ୍ୟର ବିଭିନ୍ନ ଲୋକଉତ୍ସବରେ ଏହି ରୀତି ଦେଖିବାକୁ ମିଳିଥାଏ l ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବଡ଼ ଠାକୁରାଣୀ ନିଜ ମନ୍ଦିର ଶ୍ୱଶୁରାଳୟରୁ ପିତ୍ରାଳୟ ଦେଶୀବେହେରାଙ୍କ ବାସଭବନକୁ ସାମୟିକଭାବେ ଆସିଥାନ୍ତି ବୋଲି କୁହାଯାଏ l ଏଠାକାର ସାମାଜିକ ବ୍ୟବସ୍ଥାରେ ଝିଅଙ୍କ ପାଇଁ ଶାଶୁଘର ଓ ବାପଘରର କିଛି ଚାଲିଚଳେଣୀ ଯାତ୍ରା ପାଳନରେ ପ୍ରତିବିମ୍ୱିତ ହୋଇଥାଏ l ବାପଘରଭାବେ ଦେଶୀବେହେରାଙ୍କ ପକ୍ଷରୁ ଝିଅକୁ ନିମନ୍ତ୍ରଣ କରିବା ରୀତିନୀତି ଯାତ୍ରା ଆରମ୍ଭରେ ପାଳିତ ହେଉଥିବା ବେଳେ ଯାତ୍ରା ଶେଷରେ ଶାଶୁଘର ବଡ଼ ଠାକୁରାଣୀ ମନ୍ଦିରରୁ ଏହି ଅଞ୍ଚଳରେ ପ୍ରଚଳିତ ବୋହୁ ଡ଼ାକରା ପଦ୍ଧତି ଅନୁସରଣ କରାଯାଇଥାଏ l ସପ୍ତଦଶ ଶତାଦ୍ଦୀ ଶେଷ ଭାଗରେ ପ୍ରତିଷ୍ଠିତ ମହୁରି ରାଜବାଟୀ ଚର୍ତୁଦିଗରେ ଗଢ଼ି ଉଠୁଥିବା ଜନବସତିକୁ ନେଇ ବ୍ରହ୍ମପୁରର କ୍ରମବିକାଶ ପର ଶହେ ବର୍ଷ ଉତ୍ତାରେ ଅଷ୍ଟଦଶ ଶତାଦ୍ଦୀ ଶେଷଭାଗରେ ଆଭ୍ୟନ୍ତରୀଣ ଆନ୍ଧ୍ର ପ୍ରଦେଶରୁ ବୁଣାକାର ‘ଦେବାଙ୍ଗ’ ସମ୍ପ୍ରଦାୟ ବ୍ରହ୍ମପୁରରେ ପହଞ୍ଚିବାର ପରବର୍ତ୍ତୀ ଶହେ ବର୍ଷ ପରେ ସୀମାନ୍ତ ଆନ୍ଧ୍ର ପ୍ରଦେଶରୁ ବୈଶ୍ୟ ‘କୁମୁଟି’ ସଂପ୍ରଦାୟ ବ୍ରହ୍ମପୁରରେ ପହଞ୍ଚି ବ୍ୟବସାୟରେ ସଂପୃକ୍ତ ହୋଇଥିବା ଅନୁମାନ କରାଯାଏ l ଏହି ସମୟସୀମାରେ ବିକଶିତ ଠାକୁରାଣୀ ଯାତ୍ରାରେ ‘ଦେବାଙ୍ଗ’ ସମ୍ପ୍ରଦାୟ ବାପଘର ଭାବେ ଚିହ୍ନିତ ହୋଇଥିବା ବେଳେ ‘କୁମୁଟି’ ସଂପ୍ରଦାୟ ଶାଶୁଘରର ପ୍ରତିନିଧିତ୍ୱ କରିବା ପ୍ରଥା ଲାଗୁ ହୋଇଥିଲା l

ଯାତ୍ରା ଶେଷଦିବସ ସ୍ଥିର ହେବାପରେ ବଡ଼ ଠାକୁରାଣୀ ମନ୍ଦିରରୁ ମଧ୍ୟାହ୍ନରେ ସହସ୍ରାକ୍ଷି ଘଟ ଦେଶୀବେହେରାଙ୍କ ବାସଭବନରେ ପହଞ୍ଚିଥାଏ l ବ୍ରହ୍ମପୁରର ପୂର୍ବ ଉପକଣ୍ଠ ଆଙ୍କୁଲିଗ୍ରାମର କୁମ୍ଭାରପଲ୍ଲୀର କୁମ୍ଭକାରମାନେ ବହୁ-ଛିଦ୍ର-ଯୁକ୍ତ ଏକ ସ୍ୱତନ୍ତ୍ର ମାଟି ହାଣ୍ଡି ନିର୍ମାଣ କରି ଯୋଗାଇଥାନ୍ତି l ଏହାକୁ ବହୁ ରଙ୍ଗରେ ଚିତ୍ରିତ କରାଯାଇଥାଏ l ଦେଶୀବେହେରାଙ୍କ ଘରେ ଏହାକୁ ପୂଜାପାଠ କରାଯାଇଥାଏ l ରାତିରେ ପ୍ରତ୍ୟାବର୍ତ୍ତନ ଘଟ ଶୋଭାଯାତ୍ରାରେ କୁମୁଟି ସଂପ୍ରଦାୟ ପାରମ୍ପରିକ ମୁଖ୍ୟଙ୍କ ପତ୍ନୀ ସହସ୍ରାକ୍ଷି ଘଟ ମଣ୍ଡନ କରି ପୁରୋଭାଗରେ ଯିବା ବେଳେ ତା’ପଛରେ ଦେଶୀବେହେରାଙ୍କ ପତ୍ନୀ ମୁଖ୍ୟ ଘଟ ମଣ୍ଡନ କରି ଯିବା ପ୍ରଥା ଚଳି ଆସିଛି l ସହସ୍ରାକ୍ଷି ଘଟ ଯାତ୍ରା ପଥକୁ ଆଲୋକିତ କରିଥାଏ ବୋଲି ବିଶ୍ୱାସ କରାଯାଏ l

ଠାକୁରାଣୀଙ୍କୁ ନିମନ୍ତ୍ରଣ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳର ପୁରୁଷମାନେ ସାମିଲ ହେଉଥିବାବେଳେ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରାରେ ବିବାହିତ ମହିଳାମାନେ ଅଂଶ ଗ୍ରହଣ କରିଥାନ୍ତି l ଆଖପାଖ ଅଞ୍ଚଳରେ ଦୀର୍ଘବର୍ଷ ଧରି ବସବାସ କରୁଥିବା ବହୁ ପରିବାରରୁ ପ୍ରତିନିଧିତ୍ୱ କରି ମହିଳାମାନେ ଏହି ଶୋଭାଯାତ୍ରାରେ ଯୋଗ ଦେଇଥାନ୍ତି l କେତେକ ମହିଳା ଏଥିଲାଗି ମାନସିକ କରିଥିବା ବେଳେ ଅନ୍ୟ କେତେକ ପାରମ୍ପରିକ ପାରିବାରିକ ରୀତିନୀତି ଭାବେ ପାଳନ କରିଥାନ୍ତି l

ଯାତ୍ରା ଶେଷଦିନ ଘଟ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ମହିଳାମାନେ ନିଜ ନିଜ ଘରେ ମଧ୍ୟାହ୍ନରୁ ଇଷ୍ଟଦେବୀଙ୍କ ନିକଟରେ ଘଟ ସ୍ଥାପନ କରି ପୂଜାଅର୍ଚ୍ଚନା କରିଥାନ୍ତି l ଅଧିକାଂଶ ମୂର୍ତ୍ତିକା ଘଟ ସ୍ଥାପନ କରୁଥିବାବେଳେ କେହି କେହି ପିତ୍ତଳ ବା କଂସା ଘଟ ମଧ୍ୟ ସ୍ଥାପନ କରିଥାନ୍ତି l ମହିଳାମାନେ ଦିନ ସାରା ଉପବାସ ରହି କେବଳ ପୂଜାପ୍ରସାଦ ହିଁ ଗ୍ରହଣ କରିଥାନ୍ତି l ସମସ୍ତେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି l ସଂଧ୍ୟାରେ ଘଟ ମଣ୍ଡନ କରି ଦେଶୀବେହେରା ସାହୀସ୍ଥ ଅସ୍ଥାୟୀ ମଣ୍ଡପଠାରେ ଏକତ୍ରୀତ ହୋଇଥାନ୍ତି l ମଧ୍ୟରାତ୍ରୀରେ ମୁଖ୍ୟଘଟ ବଡ଼ ଠାକୁରାଣୀ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବାପରେ ସଭିଏଁ ନିଜ ନିଜ ଘଟ ମଣ୍ଡନ କରି ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି l

ପ୍ରତ୍ୟାବର୍ତ୍ତନ ଘଟ ଶୋଭାଯାତ୍ରା ରାତି ୧୨ ଘଣ୍ଟା ପରେ ଦେଶୀବେହେରା ସାହୀରୁ ଆରମ୍ଭ ହୋଇଥାଏ l ଏହା ମହୁରି ରାଜାବାଟୀ ରାସ୍ତା, ବଡ଼ ବଜାର ମୁଖ୍ୟ ରାସ୍ତା, ସାନ୍ତାରାଣୀ ସାହୀ, ମାର୍ଥାପେଟା ସାହୀ, କେଉଟ ସାହୀ, ଶଙ୍କରପୁର ସାହୀ, ବାଚୁବାରୀ ସାହୀ, କେଦାରେଶ୍ୱର ମନ୍ଦିର ରାସ୍ତା, ଚନ୍ଦ୍ରମା ସାହୀ, ଖାସ୍ପା ସାହୀ, ଜଉରା ସାହୀରେ ମାଉସୀମା ଘର ଦେଇ ପୁଣି ଖାସ୍ପା ସାହୀ, ପୁଡିପେଦୀ ସାହୀ, ଖରୁଡ଼ା ସାହୀ ହୋଇ ବଡ଼ ଠାକୁରାଣୀ ମନ୍ଦିରରେ ଭୋର ସାଢ଼େ ତିନିରୁ ଚାରିଟା ବେଳେ ପହଞ୍ଚିଥାଏ l ସେଠାରେ ମୁଖ୍ୟ ଘଟ ସହ ପାର୍ଶ୍ୱ ଘଟଗୁଡ଼ିକୁ ମନ୍ଦିରର ରତ୍ନସିଂହାସନରେ ସ୍ଥାପନ କରିବାପରେ ଶୋଭାଯାତ୍ରାରେ ଆସିଥିବା ହଜାର ହଜାର ଘଟଧାରୀ ସାଧାରଣ ମହିଳା ମନ୍ଦିର ପ୍ରାଙ୍ଗଣରେ ଘଟ ବିସର୍ଜନ କରିଥାନ୍ତି l ଏହି କାର୍ଯ୍ୟକ୍ରମ ସକାଳ ଯାଏଁ ଚାଲିଥାଏ l


ଘଟ ଶୋଭାଯାତ୍ରା କାଳରେ ସମଗ୍ର ଯାତ୍ରାପଥକୁ ଭକ୍ତମାନେ ଝାଡୁ ମାରି ସାଙ୍କେତିକ ଭାବେ ସଫା କରନ୍ତି ଏବଂ ଘଟ ଶୋଭାଯାତ୍ରାକୁ ସ୍ୱାଗତ କରି ରାସ୍ତାରେ ନୂତନ ବସ୍ତ୍ର, ପୁଷ୍ପ ପାରିଥାନ୍ତି l ଘଟ ଶୋଭାଯାତ୍ରା ଓ ଦର୍ଶକମାନଙ୍କ ଭିଡ ସ୍ଥାନୀୟ ସାହୀଗୁଡ଼ିକର ଯୁବକମାନେ ନିୟନ୍ତ୍ରିତ କରାଇଥାନ୍ତି l ପ୍ରଶାସନ ପକ୍ଷରୁ ପ୍ରାୟ ୧୫ ପ୍ଳାଟୁନ ପୋଲିସ ନିୟୋଜିତ ହୋଇଥାଏ l ଆକଳନ ଅନୁଯାୟୀ ପ୍ରାୟ ଦୁଇଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ଯୋଗ ଦେଇଥାନ୍ତି l

Saturday, April 29, 2017

ଠାକୁରାଣୀ ଯାତ୍ରା ଇ-ବୁକ


ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପରମ୍ପରା ଅଧ୍ୟୟନ କରି ବିଗତ ଚ଼ାରି ଦଶନ୍ଧୀଧରି ସ୍ଥାନୀୟ ପତ୍ରପତ୍ରିକା, ସଂବାଦପତ୍ର, ରେଡ଼ିଓ ଓ ଟେଲିଭିଜନ ନିମନ୍ତେ ସମୟେ ସମୟେ ମୁଁ ଲେଖାଲେଖି କରିଥାଏ l ୨୦୧୩ ଯାତ୍ରାରେ ସୋସିଆଲ ମିଡ଼ିଆ ଉପଯୋଗରେ ଏକ ବ୍ଳଗ ଆରମ୍ଭ କରିଥିବାବେଳେ ଚଳିତ ୨୦୧୭ ଯାତ୍ରା ଅବସରରେ ଏକ ଇ-ବୁକ ପ୍ରଯୋଜନା କରିଛି l ‘ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପରମ୍ପରା’ ଶୀର୍ଷକ ଇ-ବୁକଟି ସଂଗ୍ରହ କରିବା ନିମନ୍ତେ ଆପଣ ନିଜ ଇ-ମେଲ ଆଇଡ଼ିରୁ ଏହାର ପ୍ରକାଶକଙ୍କୁ ଅନୁରୋଧ ଜଣାଇଲେ ଫେରନ୍ତା ଇ-ମେଲରେ ଇ-ବୁକଟି ବିନାମୂଲ୍ୟରେ ଯୋଗାଇଦିଆଯିବ:
pmdigidocu@gmail.com

ଯାତ୍ରା କେମିତି ଆରମ୍ଭ ହୁଏ ?

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସ୍ଥାନୀୟ ପାଟ ବୁଣାକାର ‘ଦେବାଙ୍ଗ’ ବା ଡ଼େରା ସଂପ୍ରଦାୟ କର୍ତ୍ତୃତ୍ୱରେ ପରିଚ଼ାଳିତ ହେଉଥିବା ହେତୁ ଆପାତତଃ ସେମାନଙ୍କଦ୍ୱାରା ହିଁ ଯାତ୍ରା ପରମ୍ପରା ଆରମ୍ଭ ହୋଇଥିବା ଧରିନିଆଯାଇଥାଏ l ତେବେ ଅଷ୍ଟଦଶ ଶତାଦ୍ଦୀର ଅଷ୍ଟମ ଦଶକ ବେଳକୁ ‘ଦେବାଙ୍ଗ’ ପରିବାରବର୍ଗ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ଅଞ୍ଚଳରୁ ଆସି ମହୁରି ରାଜ ନିବାସ ସମ୍ମୁଖରେ ପ୍ରଥମେ ତମ୍ୱୁଟାଣି (ବା ଡ଼େରା ପକାଇ) ତଥା ପରେ ସ୍ଥାୟୀ ବାସଗୃହ ନିର୍ମାଣକରି ବସବାସ ଆରମ୍ଭ କରିବା ପ୍ରାୟ ଏକ ଶହବର୍ଷ ପୂର୍ବରୁ ‘ବ୍ରହ୍ମପୁର’ ଜନପଦ ସୃଷ୍ଟି ହୋଇଥିବା ପ୍ରମାଣ ମିଳେ l ମନ୍ଦିରମାଳିନୀ ‘ବ୍ରହ୍ମପୁର’ରେ ଠାକୁରାଣୀ ରାଜନଅର ସମୀପ ଅଳ୍ପ ଦୂରରେ ଦେବାଳୟରେ ପୂଜିତ ହେଉଥିବାବେଳେ ଦେବୀଙ୍କ ନଗର ପରିକ୍ରମା ପରମ୍ପରା ଡ଼େରାମାନଙ୍କ ପୃଷ୍ଠପୋଷକତାରେ ପ୍ରବର୍ତ୍ତିତ ହୋଇଥିବା ଅନୁମାନ କରାଯାଇପାରେ l କାଳକ୍ରମେ ବ୍ରହ୍ମପୁର ବ୍ୟାବସାୟିକ ପେଣ୍ଠରୂପେ ଗଢ଼ିଉଠିବା ଅବସରରେ ଠାକୁରାଣୀ ଯାତ୍ରା ଏକ ଲୋକମହୋତ୍ସବରୂପେ ପ୍ରସିଦ୍ଧି ଲାଭକରିଥିବା ଜଣାଯାଏ l

ଯାତ୍ରାରେ ଧାର୍ମିକ ରୀତିନୀତିକୁ ବାଦଦେଲେ ମାନସିକଧାରୀଙ୍କ ବେଶଧାରଣ, ଘଟ ଶୋଭାଯାତ୍ରା, ରଥ ଓ କଳାକୁଞ୍ଜ ନିର୍ମାଣ ସ୍ଥାନୀୟ ଅଧିବାସୀଙ୍କ ସର୍ଜନଶୀଳତାର ପରିଚ଼ୟ ଦେଇଥାଏ l ବେଳେବେଳେ ପ୍ରଶ୍ନ ଉଠେ ବେଶଧାରଣ ପରମ୍ପରା କିପରି ଆରମ୍ଭ ହେଲା ଅଥବା ରଥ ନିର୍ମାଣ କାହିଁକି କରାଗଲା ଇତ୍ୟାଦି l ତାତ୍ତ୍ୱିକ ଅନୁଶୀଳନ କଲେ ଯାତ୍ରାର ଏଭଳି ବିଭବମାନ ଦେଶବିଦେଶର ଅନ୍ୟାନ୍ୟ ଉତ୍ସବାନୁଷ୍ଠାନ ଅନୁକରଣରେ ପ୍ରଥମେ ପ୍ରଯୋଜିତ ହୋଇ ପରବର୍ତ୍ତୀ ଅବସ୍ଥାରେ ଲୋକପ୍ରିୟ ପରମ୍ପରାରେ ପରିଣତ ହୋଇଥିବା ନିର୍ଯ୍ୟାସ ମିଳିଥାଏ l

ଉଦାହରଣ ସ୍ୱରୂପ ରଥ ନିର୍ମାଣ ବିଚ଼ାରକୁ ନିଆଯାଉ l ସାଧାରଣ ଦର୍ଶକମାନଙ୍କୁ ଯାତ୍ରାପ୍ରତି ଆକର୍ଷିତ କରିବା ନିମନ୍ତେ ବିଭିନ୍ନ ରଥ ନିର୍ମାଣ ଆରମ୍ଭ ହୋଇଥିଲା l ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ବେଶ ପ୍ରଦର୍ଶନ ଏ ଦିଗରେ ପ୍ରଯୋଜକଙ୍କୁ ଅନୁପ୍ରାଣିତ କରିଥାଇପାରେ l ଡ଼େରା ବସତି ଆଖପାଖ ଅଞ୍ଚଳର ଜନସାଧାରଣ ଯାତ୍ରାରେ ପ୍ରତ୍ୟକ୍ଷ ଅଂଶଗ୍ରହଣକରି ନିଜ ନିଜ ବସ୍ତିରେ ରଥାରୁଢ଼ ପ୍ରତିମା ସାଜସଜ୍ଜାକରି ରଥ ଟାଣି ଯାତ୍ରାସ୍ଥଳକୁ ଆଣୁଥିଲେ l ତେବେ କାଳକ୍ରମେ ଯାତ୍ରୀଭିଡ଼ ବଢ଼ିବା ତଥା ଅଧିକ ସଂଖ୍ୟକ ରଥ ଯାତ୍ରାସ୍ଥଳରେ ପ୍ରଦର୍ଶନ ଯାତାୟତଜନିତ ସମସ୍ୟା ସୃଷ୍ଟି କରିବାପରେ ବଡ଼ବଜାର ରଥ ପ୍ରଦର୍ଶନ ବଦଳରେ ଆଖପାଖ ବସ୍ତିଗୁଡ଼ିକରେ ରଥନିର୍ମାଣ କରାଯାଇଥିଲା l ତେବେ ବିଂଶ ଶତାଦ୍ଦୀର ସପ୍ତମ ଦଶକ ବେଳକୁ ବିଭିନ୍ନ ବସ୍ତିରେ କଳାକୁଞ୍ଜ ନିର୍ମାଣ ଆରମ୍ଭ ହୋଇ କ୍ରମଶଃ ଲୋକାଦୃତ ହୋଇଥିଲା l ତାହାର ପୂର୍ବରୁ ଯାତ୍ରାରେ କଳାକୁଞ୍ଜ ପ୍ରଦର୍ଶନର ପରମ୍ପରା ନଥିଲା l

ଦକ୍ଷିଣ ଆମେରିକା, ଆଫ୍ରିକା ସମେତ ସ୍ପେନ, ପର୍ତ୍ତୁଗାଲ ତଥା ଭାରତର ବିଭିନ୍ନ ଅଞ୍ଚଳରେ ପଶୁପକ୍ଷୀ, ପୌରାଣିକ ଚ଼ରିତ୍ର ସମ୍ୱଳିତ ବେଶଧାରଣର ଉଦାହରଣ ଦେଖିବାକୁ ମିଳିଥାଏ l ବ୍ରହ୍ମପୁର ଏକ ବ୍ୟାବସାୟିକ ପେଣ୍ଠରୂପେ ଗଢ଼ି ଉଠିଥିବା ତଥା ଦେଶବିଦେଶର ବ୍ୟବସାୟୀମାନେ ଏଠାକୁ ନିୟମିତ ଆତଯାତ ହେଉଥିବା ହେତୁ ସେମାନଙ୍କ ଅନୁଭୂତିରୁ ମାନସିକଧାରୀଙ୍କ କ୍ଷେତ୍ରରେ ଏଭଳି ବେଶ ଧାରଣ ପ୍ରଥା ଆରମ୍ଭ ହୋଇଥିବା ଯୁକ୍ତି ପ୍ରଣିଧାନଯୋଗ୍ୟ l ଅପରପକ୍ଷରେ ସ୍ଥାନୀୟ ସର୍ଜନଶୀଳତା କାଚବାଲା, ଶୁଖୁଆବାଲୀ ବା ପୋଲିସ ଭଳି ସାମାଜିକ ଚ଼ରିତ୍ର ଆଧାରିତ ବେଶ ପ୍ରଚଳନରେ ପର୍ଯ୍ୟବେସିତ l ଭାପୁର ବଜାରର ମେଦିନା ବେଶ ବା ବିଜିପୁର ଦରିଦ୍ର ପଞ୍ଚାକ୍ଷର, ବୁଦ୍ଧଂ ଶରଣଂ ଗଚ୍ଛାମି ବେଶ କିପରି କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରଚ଼େଷ୍ଟାରେ ଯେ ପ୍ରଯୋଜିତ ହୋଇଥିଲା ତାହା ନିକଟ ଅତୀତର ଇତିହାସରୁ ପ୍ରମାଣିତ l ଅର୍ଥାତ ଠାକୁରାଣୀଯାତ୍ରା ପରି ଏକ ଲୋକମହୋତ୍ସବର ବିଭିନ୍ନ ବିଭବ ସର୍ଜନାତ୍ମକଭାବେ କିଛି ବ୍ୟକ୍ତି ବିଶେଷଙ୍କ କଳ୍ପନା ପ୍ରସୂତ ହୋଇଥାଏ l


ଆମଦେଶରେ ‘କାର୍ଣ୍ଣିଭଲ’ ବା ଆନନ୍ଦତ୍ସୋବ ପର୍ଯ୍ୟାୟରେ ଗୋଆ କାର୍ଣ୍ଣିଭଲ ପ୍ରମୁଖ ସ୍ଥାନ ଅଧିକାର କରିଥାଏ l ପ୍ରତିବର୍ଷ ଫେବୃୟାରୀ ମାସ ଶେଷ ସପ୍ତାହରେ ଗୋଆ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଲୋକଉତ୍ସବର ଉତ୍ପତ୍ତି ବୃତ୍ତାନ୍ତ ଦେଶର ଅନ୍ୟାନ୍ୟ ଲୋକମହୋତ୍ସବର ବିସ୍ମୃତ ଇତିହାସ ଅଧ୍ୟୟନରେ ସହାୟକ ହୋଇପାରିବ l ବ୍ରାଜିଲର ବିଶ୍ୱବିଖ୍ୟାତ ରିଓ କାର୍ଣ୍ଣିଭଲ ସଂପର୍କରେ ପତ୍ରପତ୍ରିକାରୁ ଅବଗତ ହୋଇ ଗୋଆର ଟିମୋଟୋ ଫର୍ଣ୍ଣାଡ଼ିଜ ନାମକ ଜନୈକ ବ୍ୟକ୍ତି ୧୯୬୫ ଫେବୃୟାରୀ ମାସରେ ବ୍ୟକ୍ତିଗତ ଉଦ୍ୟମରେ ଏକ ଶୋଭାଯାତ୍ରା ଆୟୋଜନ କରିଥିଲେ l ମାତ୍ର ପାଞ୍ଚ ଟଙ୍କାରେ ଶଗଡ଼ଗାଡ଼ିଖଣ୍ଡେ ଭଡ଼ା କରି ଟଙ୍କାଏ ଖର୍ଚ୍ଚରେ ସାଜସଜ୍ଜା କରି ୧୫ ଜଣ ସାଙ୍ଗସାଥିଙ୍କ ଗହଣରେ ଗୋଆର ରାଜଧାନୀ ପାନାଜୀରେ ଏକ କିଲୋମିଟର ପଥ ଏହି ବର୍ଣ୍ଣାଢ୍ୟ ଶୋଭାଯାତ୍ରା ପରିକ୍ରମା ଆୟୋଜନ କରିଥିଲେ l ଫର୍ଣ୍ଣାଡ଼ିଜ ରାଜକୀୟ ବେଶଭୂଷା ପରିହିତ ହୋଇ ରଥାରୁଢ଼ ହୋଇଥିବାବେଳେ ସାଥିରେ ଥିବା ସାଥିମାନେ ଗିଟାର ଓ ବଙ୍ଗୋ ବାଦ୍ୟଯନ୍ତ୍ର ବ୍ୟବହାରରେ ପର୍ତ୍ତୁଗୀଜ ସଂଙ୍ଗୀତ ଗାନ କରୁଥିଲେ l ଏହା ଗୋଆବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା l ପରବର୍ଷ ମଧ୍ୟ ଫର୍ଣ୍ଣାଡ଼ିଜ ଅନୁରୂପ କାର୍ଣ୍ଣିଭଲ ଆୟୋଜନ କଲେ l ତତ୍ ପରବର୍ଷ ୧୯୬୭ରେ ଗୋଆ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଦୟାନନ୍ଦ ବନ୍ଦୋକର ସରକାରଙ୍କ ପକ୍ଷରୁ ଏହି କାର୍ଣ୍ଣିଭଲ ଆୟୋଜନର ନିଷ୍ପତ୍ତି ନେଇଥିଲେ ଏବଂ କାଳକ୍ରମେ ବିଗତ ୫୦ ବର୍ଷ ମଧ୍ୟରେ ଏହା ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ଆକର୍ଷଣରେ ପରିଣତ ହୋଇଛି l ଅଶୀବର୍ଷ ବୟସ୍କ ଟିମୋଟୋ ଫର୍ଣ୍ଣାଡ଼ିଜ ଗୋଆ କାର୍ଣ୍ଣିଭଲ ସଂପର୍କରେ ନିକଟରେ ପତ୍ରପତ୍ରିକାକୁ ସାକ୍ଷାତକାର ଦେଇ ନିଜ ଅନୁଭୂତି ବଖାଣିଛନ୍ତି l ଅତଏବ ବ୍ରହ୍ମପୁର ଠାକୁରାଣୀଯାତ୍ରା ଆୟୋଜନର ଉତ୍ପତ୍ତି ହେଉ ବା ବେଶ ଧାରଣ, ରଥ ଓ କଳାକୁଞ୍ଜ ପ୍ରଦର୍ଶନରେ ଅନୁରୂପ ଧାରା ପ୍ରତିଫଳିତ ହୋଇଥିବା ବିଚ଼ାର ଯୁକ୍ତିଯୁକ୍ତ ମନେହୁଏ l 

Friday, April 28, 2017

ଯାତ୍ରା ଆରମ୍ଭର କାଳ ଗଣନା

ମହୁରି ରାଜ୍ୟର ରାଜଧାନୀ ରୂପେ ବ୍ରହ୍ମପୁର ଗଢି ଉଠିଥିଲା l ଐତିହାସିକ ତଥ୍ୟ ଅନୁଯାୟୀ ଓଡ଼ିଶାର ଗଜପତି ରାଜା ପୁରୁଷୋତ୍ତମ ଦେବ ପଞ୍ଚଦଶ ଶତାଦ୍ଦୀର ଶେଷଭାଗରେ ମହୁରି ରାଜ୍ୟ ପ୍ରତିଷ୍ଠା କରିଥିଲେ l କେରାଣ୍ଡିମାଳ ପର୍ବତ ପାଦ ଦେଶରେ ବର୍ତ୍ତମାନର ବ୍ରହ୍ମପୁର-ଚିକିଟି ରାସ୍ତା କଡ଼ର ମହୁଡ଼ା ଗ୍ରାମ ନିକଟରେ ପ୍ରସ୍ତର ନିର୍ମିତ ଦୁର୍ଗରେ ମହୁରି ରାଜ ପରିବାର ବାସ କରୁଥିଲେ l ତେବେ ସେଠାରୁ ୧୨ କିଲୋମିଟର ଦୂରବର୍ତ୍ତୀ ଏକ ସମତଳ ସ୍ଥାନରେ ୧୬୬୨ ରୁ ୧୬୭୨ ଖ୍ରୀଷ୍ଟାଦ୍ଦ ମଧ୍ୟରେ ନୂତନ ରାଜବାଟୀ ନିର୍ମାଣ କରି ମହୁରି ରାଜ ପରିବାର ଚାଲି ଆସିଥିଲେ l ତାହା ବର୍ତ୍ତମାନ ବ୍ରହ୍ମପୁରର ବଡ଼ବଜାର ଅଞ୍ଚଳ ଭାବେ ପରିଚିତ l ୧୬୭୨ ଖ୍ରୀଷ୍ଟାଦ୍ଦରେ ହରିଡ଼ାଖଣ୍ଡିଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ୱାମୀ ମନ୍ଦିର ପ୍ରତିଷ୍ଠିତ ହୋଇଥିଲା l ମନ୍ଦିର ଓ ରାଜବାଟୀ ମଧ୍ୟରେ ସମୟକ୍ରମେ ବହୁ ମଠ ମନ୍ଦିର ସ୍ଥାପିତ ହେବା ପରେ ଗଢ଼ିଉଠୁଥିବା ଜନବସତିକୁ ‘ଦେବତାମାନଙ୍କ ନିବାସ ସ୍ଥଳ’ ବା ବ୍ରହ୍ମପୁର ନାମିତ କରାଯାଇଥିଲା l ୧୯୩୨ ଖ୍ରୀଷ୍ଟାଦ୍ଦରେ ମାନ୍ଦ୍ରାଜରୁ ପ୍ରକାଶିତ ଟି.ଜେ.ମାଲଟବୀଙ୍କ ‘ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନୁଆଲ’ର ୪୭ ପୃଷ୍ଠାରେ ଏହା ଲିପିବଦ୍ଧ ହୋଇଛି l ବ୍ରହ୍ମପୁର ସହରର ଉତ୍ପତ୍ତି ସଂପର୍କରେ ଏହା ହିଁ ପ୍ରାଚୀନତମ ପ୍ରାମାଣିକ ଗ୍ରନ୍ଥ l

ହରିହର ନରେନ୍ଦ୍ର ଦେବଙ୍କ ପିତା ନାରାୟଣ ଦେବଙ୍କ ରାଜତ୍ୱ ସମୟରେ ମହୁରି ରାଜ୍ୟ ଇଂରେଜମାନଙ୍କ ଶାସନାଧୀନ ହୋଇଥିଲା l ୧୭୭୦ ମସିହା ଫେବୃୟାରୀ ୧୦ ତାରିଖ ଦିନ ନାରାୟଣ ଦେବଙ୍କ ମୃତ୍ୟୁ ଘଟିଲା ଏବଂ ତାଙ୍କରି ପୁତ୍ର ହରିହର ନରେନ୍ଦ୍ର ଦେବ ୧୨ ବର୍ଷ ବୟସରେ ରାଜସିଂହାସନ ଆରୋହଣ କଲେ l ୧୭୮୨ ଡ଼ିସେମ୍ୱର ୧୦ ତାରିଖ ଦିନ ହରିହର ନରେନ୍ଦ୍ର ଦେବଙ୍କୁ ହତ୍ୟା କରାଗଲା l ଏହି ସମୟସୀମାରେ ହରିହର ନରେନ୍ଦ୍ରଦେବ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ ଏବଂ ‘ଦେବାଙ୍ଗ’ ବୁଣାକାର ପରିବାରବର୍ଗ ବ୍ରହ୍ମପୁର ଆଗମନ କରି ମହୁରି ରାଜବାଟୀ ନିକଟରେ ବସତି ସ୍ଥାପନ କରିଥିଲେ l ଅନୁମାନ କରାଯାଇପାରେ ଯେ, ‘ଦେବାଙ୍ଗ’ ସଂପ୍ରଦାୟଙ୍କ ବସତି ସ୍ଥାପନ ଓ ବ୍ୟବସାୟ ଆରମ୍ଭ ପରେ ଅଷ୍ଟାଦଶ ଶତାଦ୍ଦୀର ଅଷ୍ଟମ ଦଶକରେ ହିଁ ଠାକୁରାଣୀଯାତ୍ରା ଆରମ୍ଭ ହୋଇଥିଲା l ଏହି ହିସାବରେ ବ୍ରହ୍ମପୁର ଠାକୁରାଣୀଯାତ୍ରା ପ୍ରାୟ ୨୪୦ ବର୍ଷର ପୁରାତନ ପରମ୍ପରା l

ବ୍ରହ୍ମପୁର ଠାକୁରାଣୀ ଯାତ୍ରା କ୍ରମଶଃ ପ୍ରାଧାନ୍ୟ ଲାଭ କରି ଯାକଜମକରେ ପାଳିତ ହେବାରେ ଲାଗିଲା l ଇଂରେଜମାନଙ୍କ ମହୁରି ରାଜ୍ୟ ଆଗମନ ପରଠୁ ବରାବର ଅଶାନ୍ତି ଲାଗି ରହିଥିଲା l ୧୮୩୫ ମସିହାରେ ମହୁରି ରାଜା ବ୍ରିଟିଶ ସରକାରଙ୍କୁ ସଲାମି କର ଦେଇ ନପାରିବା ହେତୁ ବ୍ରହ୍ମପୁର ସହରକୁ ଉକ୍ତ ସଲାମି ବକେୟା ଅର୍ଥ ବଦଳରେ ରାଜାଙ୍କଠାରୁ ଇଂରେଜ ସରକାର କିଣିନେଇଥିଲେ l ୧୮୫୦ ମସିହାରେ ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟକୁ ଇଂରେଜ ସରକାର ବାଜ୍ୟାପ୍ତ କରିଦେଲେ l ଫଳରେ ଏଠାରେ କେତୋଟି ଜିଲ୍ଲାସ୍ତରୀୟ ସରକାରୀ କାର୍ଯ୍ୟାଳୟ ସ୍ଥାପିତ ହେଲା ଏବଂ କ୍ରମଶଃ ଏକ ବାଣିଜ୍ୟ ପେଣ୍ଠରୂପେ ଗଢ଼ି ଉଠିଲା l

୧୮୬୫-୬୬ରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା l ତାହାର ପ୍ରଭାବ ଊନବିଂଶ ଶଦାଦ୍ଦୀ ଶେଷ ଯାଏଁ ବଳବତ୍ତର ରହିଥାଇପାରେ l ଅତଏବ ବିଂଶ ଶତାଦ୍ଦୀର ଆରମ୍ଭରୁ ହିଁ ବ୍ରହ୍ମପୁରରେ ଯାକଜମକରେ ଯାତ୍ରା ପାଳନ ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଥିବ ବୋଲି ବିଶ୍ୱାସ କରାଯାଏ l ସେହି ସମୟବେଳକୁ ଗୋପାଳପୁର ବନ୍ଦରର ବିକାଶ, ବ୍ରହ୍ମପୁରକୁ ରେଳପଥ ସଂଯୋଗ ତଥା ସ୍ୱାଧୀନତାପରବର୍ତ୍ତୀ ଅବସ୍ଥାରେ ୪୯ ନମ୍ୱର ଜାତୀୟ ରାଜପଥରେ ମୋଟର ଯାନ ଯୋଗେ ମାଲ ପରିବହନ କ୍ରମଶଃ ବ୍ରହ୍ମପୁରକୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟାବସାୟିକ କେନ୍ଦ୍ର ରୂପେ ଗଢ଼ି ତୋଳିଲା l ଏଠାକାର ବ୍ୟାବସାୟିକ ଅଭିବୃଦ୍ଧି ଠାକୁରାଣୀଯାତ୍ରା ଆୟୋଜନରେ ସହାୟକ ହୋଇଥିଲା ବୋଲି କୁହାଯାଇପାରେ l


ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ପ୍ରାୟ ୨୧ ଗୋଟି ରଥ ଓ ୩୦ ଗୋଟି କଳାକୁଞ୍ଜ ନିର୍ମିତ ହୋଇଥାଏ l ଅତୀତରେ ରଥଗୁଡ଼ିକ କେବଳ ବଡ଼ ବଜାରରେ ହିଁ ପ୍ରଦର୍ଶିତ ହେଉଥିଲା l ଆଖପାଖ ସାହୀର ଲୋକେ ଚାନ୍ଦାଭେଦାରେ ରଥ ନିର୍ମାଣ ପରେ ସେଗୁଡ଼ିକ ବଡ଼ବଜାର ଅଞ୍ଚଳକୁ ଟାଣି ଆଣୁଥିଲେ l ବର୍ତ୍ତମାନ ସୁଦ୍ଧା ୧୯୦୫ରୁ ଆରମ୍ଭ ହୋଇଥିବା ଜେନାସାହୀର ବୀର ଲକ୍ଷ୍ମଣ ରଥ ବଡ଼ବଜାର ଛକରେ ପ୍ରଦର୍ଶିତ ହୋଇଥାଏ l ସହରରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା ହେବାପରେ ରଙ୍ଗବେରଙ୍ଗ ଆଲୋକ ସଂଯୋଗରେ ରଥ ଓ ରାଜରାସ୍ତାଗୁଡ଼ିକର ସୌନ୍ଦର୍ଯ୍ୟ ବଢ଼ିଥିଲା l କ୍ରମଶଃ କେବଳ ବଡ଼ବଜାର ପରିବର୍ତ୍ତେ ଆଖପାଖ ଅଞ୍ଚଳରେ ମଧ୍ୟ ରଥ ନିର୍ମିତ ହେଲା l ମାର୍ଥାପେଟାର ନାରାୟଣ, ଷଣ୍ଢମହାନ୍ତି ସାହୀରେ ୧୯୨୭ରୁ ଶିବରୂଢ଼ାକାଳୀ ଓ କାଳୁପାତ୍ର ସାହୀରେ ୧୯୩୯ରୁ ଜ୍ଜାଳାମୁଖୀ ରଥ ଅତି ପୂରାତନ ରଥ ତାଲିକାରେ ପର୍ଯ୍ୟାୟଭୁକ୍ତ ହୋଇଥାଏ l ୧୯୬୧ ଯାତ୍ରାରେ କେତେକ ସାହୀରେ କଳାକୁଞ୍ଜ ନିର୍ମାଣ ଆରମ୍ଭ ହୋଇଥିଲା l ଯାତ୍ରା ଅବସରରେ ଶେଷ ସପ୍ତାହରେ ଅଧିକ ସଂଖ୍ୟାରେ ରଥ ଓ କଳାକୁଞ୍ଜ ପ୍ରଦର୍ଶନର ପରମ୍ପରା ଆରମ୍ଭ ହେବା ପରେ ହିଁ ବ୍ରହ୍ମପୁର ଠାକୁରାଣୀଯାତ୍ରା ଆଡ଼ମ୍ୱର ସହକାରେ ପାଳିତ ହେବାରେ ଲାଗିଲା ବୋଲି କୁହାଯାଇପାରେ l 

Thursday, April 27, 2017

ବେଶଧାରଣ ପରମ୍ପରା

ଠାକୁରାଣୀ ଯାତ୍ରା ଅବସରରେ ପୂର୍ବ ମାନସିକ ଜନିତ କାରଣ ବା ସ୍ୱତଃପ୍ରବୃତଭାବେ ଅନେକ ବ୍ୟକ୍ତି ବିଭିନ୍ନ ବେଶ ଧାରଣ କରିବା ପରମ୍ପରା ଚଳିଆସିଛି l ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ମାନସିକ ଅନୁଯାୟୀ ଲୋକେ ବାଳ କାଟି ଲଣ୍ଡା ହୋଇଥାନ୍ତି କିମ୍ୱା ବଳି ଦେଇଥାନ୍ତି l ତେବେ ଠାକୁରାଣୀ ଯାତ୍ରା ଅବସରରେ ରୋଗବ୍ୟାଧିରୁ ଉଦ୍ଧାର ବା ସଙ୍କଟମୋଚନ ଆଶାରେ ମାନସିକ କରିଥିବା ବ୍ୟକ୍ତିବିଶେଷ ବିଭିନ୍ନ ବେଶଧାରଣ କରି ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଥାନ୍ତି l କେବଳ ପୁରୁଷମାନେ, ସାଧାରଣତଃ ବାଳକ ଓ ଯୁବକମାନେ ଏହି ବେଶ ଧାରଣରେ ଅଂଶଗ୍ରହଣ କରିଥାନ୍ତି l

ବିଭିନ୍ନ ଲୋକଉତ୍ସବ ଅବସରରେ, ମୁଖ୍ୟତଃ ‘କାର୍ନିଭାଲ’ ଧରଣର ଯାତ୍ରାମାନଙ୍କରେ ପ୍ରାକ୍-ଐତିହାସିକ କାଳରୁ ମନୁଷ୍ୟ ବିଭିନ୍ନ ପଶୁପକ୍ଷୀ ବା ବିଚିତ୍ର ଚରିତ୍ରର ବେଶ ଧାରଣ କରି ନୃତ୍ୟଗୀତରେ ଅଂଶଗ୍ରହଣ କରିବା ପରମ୍ପରା ରହିଛି l ଯାତ୍ରାମହୋତ୍ସବ ଅବସରରେ ବିଶ୍ୱର ବିଭିନ୍ନ ପ୍ରାନ୍ତର ଆଦିବାସୀମାନେ ବିଭିନ୍ନ ଧରଣର ପଶୁପକ୍ଷୀଙ୍କ ବେଶ ପରିଧାନ କରି ନୃତ୍ୟଗୀତରେ ଅଂଶଗ୍ରହଣ କରିଥାନ୍ତି l ଆଫ୍ରିକୀୟ ଓ ଲାଟିନ ଆମେରକୀୟ ଦେଶପୁଞ୍ଜରେ ଏହି ଧରଣର ଯାତ୍ରାଗୁଡ଼ିକ ପର୍ଯ୍ୟଟନ ଆକର୍ଷଣ ରୂପେ ଆନ୍ତର୍ଜାତିକସ୍ତରରେ ପରିଗଣିତ ହୋଇଥାଏ l

ଠାକୁରାଣୀ ଯାତ୍ରାରେ ପାରମ୍ପରିକଭାବେ ବାଘ, ହନୁମାନ ଇତ୍ୟାଦି ଜୀବଜନ୍ତୁ ସାଙ୍ଗକୁ ଶିବ, କୃଷ୍ଣ, ବଳରାମ, ରାମଚନ୍ଦ୍ର, ଲକ୍ଷ୍ମଣ, ସୀତା, ନାରଦ ଇତ୍ୟାଦି ପୌରାଣିକ ଚରିତ୍ର, ବାବାଜି, ଜ୍ୟୋତିଷ, ଡାହାଣୀ, ଦହିବାଲୀ, ଶୁଖୁଆବାଲୀ, ଅତର ବିକ୍ରେତା, ଆଦିବାସୀ, ଫେରିବାଲା, ପୋଲିସ ଇତ୍ୟାଦି ସାମାଜିକ ଚରିତ୍ରଙ୍କ ଅନୁକରଣରେ ବେଶ ପରିଧାନ କରାଯାଇଥାଏ l ପୁରୁଷମାନଙ୍କ ନାରୀବେଶ ଧାରଣ ଓ ସହର ପରିଭ୍ରମଣ ମଧ୍ୟ ଏକ କୌତୁହଳୋଦ୍ଦୀପକ ଦୃଶ୍ୟ l

ଠାକୁରାଣୀ ଯାତ୍ରା ଅବସରରେ ପୂର୍ବମାନସିକ କାରଣରୁ ସାଧାରଣତଃ କମ୍ ବୟସର ବାଳକଙ୍କ ଠାରୁ ଆରମ୍ଭ କରି ମଧ୍ୟ-ବୟସ୍କଙ୍କ ପର୍ଯ୍ୟନ୍ତ ପୁରୁଷମାନେ ବେଶ ଧାରଣ କରିଥାନ୍ତି l ପୁରୁଣା ସହରରେ ଯେତେବେଳେ ଶିଶୁଟିଏ ସାଂଘାତିକଭାବେ ବ୍ୟାଧିଗ୍ରସ୍ତ ହୋଇପଡ଼େ ଚିକିତ୍ସା ଅବସରରେ ତା’ର ମାଆ ଗୋସାଇଁ ମା’ ବା ଆଈ ଏପରି କେହି ଜଣେ ବଡ଼ ଠାକୁରାଣୀଙ୍କଠାରେ ସହଣିକ କରିବସନ୍ତି ଯେ ନିଜ ପୁଅ ବା ନାତି ରୋଗମୁକ୍ତ ହୋଇଗଲେ ଆସନ୍ତା ଠାକୁରାଣୀ ଯାତ୍ରାରେ ବାବାଜୀ, କୃଷ୍ଣ ଅମକ ସମକ ବେଶ ଧାରଣ କରିବ l ପୁତ୍ର ସନ୍ତାନଟି ଭଲ ହୋଇଥାଏ ଏବଂ ପରବର୍ଷ ଠାକୁରାଣୀ ଯାତ୍ରା ଅବସରରେ ବେଶ ଧାରଣ କରେ l

ଏକ ନିର୍ଦ୍ଦିଷ୍ଟ ଦିବସରେ ବେଶ ଧାରଣ କରିବା ନିର୍ଦ୍ଧାରିତ ହେବା ପରେ ସେହିଦିନ ପୂର୍ବାହ୍ନରେ ବେଶ ଧାରଣ କରିବା ଶିଶୁ, ଯୁବକ ବା ବ୍ୟକ୍ତିଜଣକ ପ୍ରଥମେ ବେଶଭୁଷାରେ ସଜ୍ଜିତ ହୋଇ ଦେଶୀବେହେରା ସାହୀର ଅସ୍ଥାୟୀ ମନ୍ଦିରକୁ ଯାଇଥାଏ l କେତେକ କ୍ଷେତ୍ରରେ ବେଶଧାରୀଙ୍କ ସହ ବାଦ୍ୟବାଦକ ସହଯୋଗିତା କରୁଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ବାଦ୍ୟ ବାଦକମାନଙ୍କ ଆବଶ୍ୟକତା ନଥାଏ l ବେଶ ଧାରଣ କରିଥିବା ବ୍ୟକ୍ତି ଓ ବାଦକମାନେ ଠାକୁରାଣୀଙ୍କଠାରେ ପୂଜା ଅର୍ଚ୍ଚନା ସାରି ସାହୀ ସାହୀ ବୁଲି ନିଜ ପରିଚିତ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିଥାନ୍ତି l ପ୍ରତ୍ୟେକେ ବେଶ ଧାରଣ କରିଥିବା ବ୍ୟକ୍ତିଙ୍କୁ କିଛି ଅର୍ଥ ଉପହାର ସ୍ୱରୂପ ଦେଇଥାନ୍ତି l ଏହି ଅର୍ଥର ପରିମାଣ ସାଧାରଣତଃ ବେଶଧାରଣ କରିଥିବା ବ୍ୟକ୍ତିର ଅର୍ଥନୀତିକ ଓ ସାମାଜିକ ପ୍ରତିପତ୍ତି ଉପରେ ନିର୍ଭର କରିଥାଏ l ବସ୍ତି ଭ୍ରମଣ ପରେ ବେଶଧାରଣ କରିଥିବା ବ୍ୟକ୍ତି ପୁନର୍ବାର ଠାକୁରାଣୀଙ୍କ ଦର୍ଶନ କରି ବେଶ ଉତୁରାଇଥାଏ l

ଠାକୁରାଣୀ ଯାତ୍ରା ପାଳନର ଶେଷ ସପ୍ତାହଟି ବ୍ରହ୍ମପୁର ସହର ଉତ୍ସବମୁଖର ହୋଇଉଠେ l ଚୈତ୍ର ମାସର ଉଦୁଉଦିଆ ଖରାବେଳ l ରାସ୍ତାରେ ଦେଖିବେ ତ ହନୁମାନଟିଏ ମୋଟର ସାଇକେଲ ଚଢ଼ି ଚାଲିଛି l ହଠାତ୍ ବାଦ୍ୟ ବାଜି ଉଠେ l ବାଘଟିଏ ଦୌଡ଼ିଆସେ ବା ଡ଼ାହାଣୀଟିଏ ନାଚି ଉଠେ l ଏକ ଅଦ୍ ଭୂତ ‘ସରାରିଆଲିଜିମ୍’ ଦୃଶ୍ୟାବଳୀରେ ସହର ଭରି ଉଠେ l


ବ୍ରହ୍ମପୁରର ଏହି ମୌଳିକ ମହୋତ୍ସବରେ ଧନୀଗରିବ ଜାତିଭେଦର ବାଛବିଚାର ନାହିଁ l ଭିକାରୀଟିଏ ଦେହସାରା ଅଙ୍ଗାର କଳା ବୋଳି ସେଥିରେ ଧଳାଛିଟ ଦେଇ ମୁଣ୍ଡରେ କାଉ ପରଖଣ୍ଡେ ଗୁଞ୍ଜି ହାତରେ ପଥର ଖଣ୍ଡେ ଧରି ଚିତ୍କାର କରି ଉଠୁଛି, ‘ଛୋଡ଼ ଗାଜିଆ ଛାଡ଼ି ଦେ ବାଟ, ଦୁଇ ବରଷରେ ଥରେ ଗାଜିଆ ନାଟ’ ତ ସହରର କୌଣସି ଏକ ବିଶିଷ୍ଟ ଧନୀକ ବ୍ୟକ୍ତିଙ୍କ ଅଲିଅଳ ପୁତ୍ର ପୁଙ୍ଗୁଳା ଦେହରେ କୌପୁନୀଖଣ୍ଡେ ମାରି କଅଁଳ ସ୍ୱରରେ କହୁଛି ‘ଜୟ ବାବାଜୀ କୀ ଜୟ’ l 

Wednesday, April 26, 2017

ଯାତ୍ରାରେ ସର୍ଜନଶୀଳତାର ପରିପ୍ରକାଶ

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ‘କାର୍ଣ୍ଣିଭଲ’ସ୍ତରୀୟ ଲୋକମହୋତ୍ସବ ପର୍ଯ୍ୟାୟଭୁକ୍ତ ହେଉଥିବା ବେଳେ ପାରମ୍ପରିକ ପୂଜାବିଧିକୁ ବାଦ ଦେଲେ ଅନ୍ୟ ସମସ୍ତ ଆୟୋଜନରେ ସର୍ଜନଶୀଳତା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ଥିବା ଦେଖିବାକୁ ମିଳିଥାଏ l ଏହି ଉତ୍ସବରେ ଶୋଭାଯାତ୍ରା, ବେଶ ଧାରଣ, ରଥ ଓ କଳାକୁଞ୍ଜ ପ୍ରଯୋଜନା ଏବଂ ଯାତ୍ରୀ ଅଭ୍ୟର୍ଥନାକୁ ଚାରିଗୋଟି ମୁଖ୍ୟ ଉପାଦାନ ରୂପେ ଗ୍ରହଣ କରାଯାଇପାରେ l

ପ୍ରଥମତଃ ଶୋଭାଯାତ୍ରା ଆୟୋଜନ ଯାତ୍ରାର ମୁଖ୍ୟ ଆକର୍ଷଣ l ଯାତ୍ରା ତିଥି ନିର୍ଦ୍ଧାରଣ ପରେ ଶୁଭଖୁଣ୍ଟ ନେଇ ଦେଶୀବେହେରାସାହୀରୁ ବଡ଼ ଠାକୁରାଣୀ ମନ୍ଦିର ଯାତ୍ରା ଓ ଫେରନ୍ତା ଯାତ୍ରା, ଠାକୁରାଣୀଙ୍କୁ ନିମନ୍ତ୍ରଣ ଓ ଠାକୁରାଣୀଙ୍କ ଆଗମନ, ପ୍ରତ୍ୟେହ ସନ୍ଧ୍ୟାରେ ଘଟ ପରିକ୍ରମା ଏବଂ ଶେଷ ଦିବସରେ ଘଟ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ମୁଖ୍ୟତଃ ଶୋଭାଯାତ୍ରାରେ ପର୍ଯ୍ୟବେସିତ l ଏହାକୁ ସୁଦୃଶ୍ୟ କରିବା ନିମନ୍ତେ ସର୍ଜନଶୀଳତାର ଆଶ୍ରୟ ନିଆ ଯାଇଥାଏ l ଶୋଭାଯାତ୍ରାରେ ବହୁ ଲୋକଙ୍କ ଅଂଶ ଗ୍ରହଣ, ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି, ସମସ୍ତଙ୍କ ଉତ୍ତମ ପୋଷାକ ପରିଧାନ, ବାଜାବାଜଣା, ଲୋକନୃତ୍ୟ ଏବଂ ଶେଷଦିନ ବେଶଧାରୀଙ୍କ କୋଳାହଳମୟ ପରିବେଶ ବ୍ୟକ୍ତିଗତ, ପାରିବାରିକ ତଥା ସାମୂହିକସ୍ତରରେ ସର୍ଜନଶୀଳତାଲାଗି କ୍ଷେତ୍ର ଉନ୍ମୁକ୍ତ ରଖିଥାଏ l

ଦକ୍ଷିଣ ଆମେରିକା ଓ ଆଫ୍ରିକୀୟ ଦେଶଗୁଡ଼ିକରେ ‘କାର୍ଣ୍ଣିଭଲ’ ପାଳନ ଅବସରରେ ପଶୁପକ୍ଷୀ ତଥା ବିଭିନ୍ନ ଚରିତ୍ର ବେଶ ଧାରଣ କରିବା ଆନ୍ତର୍ଜାତିକ କ୍ଷେତ୍ରରେ ବେଶ୍ ଆଲୋଚିତ l ଆମ ଦେଶର ବିଭିନ୍ନ ପ୍ରାନ୍ତର ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ଅନୁରୂପ ଉଦାହରଣ ଦେଖିବାକୁ ମିଳିଥାଏ l ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବେଶ ଧାରଣରେ ସର୍ଜନଶୀଳତାର ପଟ୍ଟାନ୍ତର ନାହିଁ l ପଶୁପକ୍ଷୀ, ପୌରାଣିକ ଓ ଲୋକ ଚରିତ୍ର ଅନୁକରଣରେ ବେଶଧାରଣ ବିବିଧତା ପରିସ୍ପୁଟନରେ ସହାୟକ ହୋଇଥାଏ l ଅତୀତରେ ଏକ ବ୍ୟାୟମଶାଳାର ସଦସ୍ୟମାନେ ଏକ ଛୋଟ ସର୍କସ ଦଳ ବେଶ ବାହାର କରୁଥିଲେ, ଲୋକପ୍ରିୟ ହିନ୍ଦୀ ଚଳଚ଼ିତ୍ର ‘ଚ଼ନ୍ଦ୍ରଲେଖା’ର ନୃତ୍ୟଗୀତି ଅନୁକରଣରେ ଅନ୍ୟଏକ ବେଶ ସଂଯୋଜନା କରାଯାଉଥିଲା l ଯାତ୍ରା ଶେଷଦିନ ଘଟ ଶୋଭାଯାତ୍ରାରେ ଶବ ବାହକ ବେଶ ପ୍ରତିବର୍ଷ ଦେଖିବାକୁ ମିଳେ l ବେଶ ଧାରଣରେ କୌଣସି ବାରଣ ନାହିଁ l ଏହି କ୍ଷେତ୍ରରେ ସର୍ଜନଶୀଳତା ବା ବେଶ ଧାରଣ ବ୍ୟକ୍ତି ବିଶେଷଙ୍କ କଳ୍ପନା ପ୍ରବଣତାକୁ ଦର୍ଶକଙ୍କ ପକ୍ଷରୁ ପ୍ରଶଂସା ମିଳିଥାଏ l

ରଥ ଓ କଳାକୁଞ୍ଜ ନିର୍ମାଣରେ ସର୍ଜନଶୀଳତା ଭିତ୍ତିଭୂମି ରୂପେ କାର୍ଯ୍ୟ କରିଥାଏ l ରଥ କ୍ଷେତ୍ରରେ ପ୍ରାରମ୍ଭିକଭାବେ ରଥ ନିର୍ମିତ ହେବା ପରେ ରଥରେ ବ୍ୟବହୃତ ସାମଗ୍ରୀକୁ ଯତ୍ନ ସହକାରେ ରଖାଯାଇ ପ୍ରତିଥର ପୁଣି ବ୍ୟବହାର କରାଯାଉଥିବାବେଳେ କଳାକୁଞ୍ଜ କ୍ଷେତ୍ରରେ ପ୍ରତିଥର ନୂଆ ନୂଆ ଦୃଶ୍ୟ ସଂଯୋଜନା କରାଯାଇଥାଏ l ରଥ ସାଜସଜ୍ଜାରେ ସର୍ଜନଶୀଳତାର ପରିପ୍ରକାଶ ଘଟୁଥିବାବେଳେ କଳାକୁଞ୍ଜ ନିର୍ମାଣରେ ଅପେକ୍ଷାକୃତଭାବେ ଅଧିକ କଳ୍ପନା ପ୍ରକାଶର ସୁଯୋଗ ମିଳିଥାଏ l ଏତଦ୍ ବ୍ୟତୀତ ରଥ ଓ କଳାକୁଞ୍ଜର ପରିବେଶ ଓ ଆଖପାଖ ଅଞ୍ଚଳ ସାଜସଜ୍ଜାରେ ମଧ୍ୟ କଳାତ୍ମକ ରୁଚି ପରିସ୍ପୁଟିତ ହୋଇଥାଏ l

ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ସ୍ୱେଚ୍ଛାସେବୀମାନେ ଯାତ୍ରୀ ଅଭ୍ୟର୍ଥନାର ଦାୟିତ୍ୱ ସ୍ୱତଃପ୍ରବୃତଭାବେ ନିର୍ବାହ କରିଥାନ୍ତି l ଘଟ ପରିକ୍ରମା କାଳରେ ଶାନ୍ତିଶୃଙ୍ଖଳା ରକ୍ଷାଠାରୁ ଆରମ୍ଭ କରି ଯାତ୍ରୀଙ୍କୁ ଜଳଯୋଗ ଯୋଗାଇ ଦେବା ଯାଏଁ ବିଭିନ୍ନ କାର୍ଯ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ସମାହିତ ହୋଇଥାଏ l ବିଗତ କିଛି ବର୍ଷ ଧରି ଯାତ୍ରାର ଶେଷ ତିନିଦିନ ବିଭିନ୍ନ ବ୍ୟକ୍ତିବିଶେଷ, ପରିବାର କିମ୍ୱା ଅନୁଷ୍ଠାନ ପକ୍ଷରୁ ଯାତ୍ରୀମାନଙ୍କ ନିମନ୍ତେ ଜଳଯୋଗର ବ୍ୟବସ୍ଥା ସର୍ଜନଶୀଳତାର ଅନ୍ୟତମ ପରିପ୍ରକାଶ l ଅତୀତରେ ସହର ବାହାରୁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ କନ୍ୟାକାପରମେଶ୍ୱରୀ ମନ୍ଦିରଠାରେ ରିହାତି ଦରରେ ମଧ୍ୟାହ୍ନ ଭୋଜନର ସୁବିଧା କରାଯାଉଥିଲା l କିନ୍ତୁ ବର୍ତ୍ତମାନ ସନ୍ଧ୍ୟା  ୫ରୁ ରାତି ୧୧ ଯାଏଁ ବିଭିନ୍ନ ସାହୀରେ ବିଭିନ୍ନ ରକମର ମାଗଣା ଜଳଯୋଗ ବିତରଣ କରାଯାଉଛି l

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଉତ୍ପତ୍ତି ଓ କ୍ରମବିକାଶକୁ ଅନୁଶୀଳନ କଲେ ପ୍ରାଥମିକ ପର୍ଯ୍ୟାୟରେ ଯାତ୍ରା ଆୟୋଜନ ‘ଦେବାଙ୍ଗ’ ବା ଡ଼େରା ବୁଣାକାର ସମ୍ପ୍ରଦାୟଙ୍କ ମଧ୍ୟରେ ସୀମିତ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ଜନସାଧାରଣ ଓ ତୃତୀୟ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶା ତଥା ଉତ୍ତର ଆନ୍ଧ୍ରପ୍ରଦେଶ ସୀମାନ୍ତବାସୀ ସାମିଲ ହୋଇଥିବା ଜଣାଯାଏ l ସଂବାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣ ପ୍ରକାଶନ ଓ ଟେଲିଭିଜନ ସେବାର ପ୍ରସାର ଠାକୁରାଣୀ ଯାତ୍ରାଭଳି ଲୋକଉତ୍ସବଗୁଡ଼ିକର ଟିକିନିଖି ବିବରଣୀ ପ୍ରସାରଣ ଫଳରେ ଯାତ୍ରାର ଲୋକପ୍ରିୟତା ବୃଦ୍ଧିରେ ସହାୟକ ହେଉଛି l ଗଣମାଧ୍ୟମର ଦୃଷ୍ଟିପାତ ଯାତ୍ରା ପାଳନରେ ସର୍ଜନଶୀଳତାକୁ ଶାଣିତ କରାଉଥିବା ମଧ୍ୟ ଲକ୍ଷ୍ୟ କରାଯାଇପାରେ l ଲୋକ ଉତ୍ସବଗୁଡ଼ିକରେ ସ୍ଥାନୀୟ ଅଧିବାସୀଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ରହୁଥିବା ହେତୁ ବିଭିନ୍ନ କଳ୍ପନା ପ୍ରସୂତ ଧାରା ସନ୍ନିବେଶିତ ହେବା ସ୍ୱାଭାବିକ l ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସେହି କାରଣରୁ ଏକ ଚିତ୍ତାକର୍ଷକ ମହୋତ୍ସବ ରୂପେ ଗଢ଼ି ଉଠିଛି l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୬ ଏପ୍ରିଲ ୨୦୧୭

Tuesday, April 25, 2017

ଠାକୁରାଣୀ ଯାତ୍ରାରେ ରଥ

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଅବସରରେ ବିଭିନ୍ନ ରଥ ଓ କଳାକୁଞ୍ଜ ନିର୍ମାଣ କରାଯାଇଥାଏ l ରଥ ଓ କଳାକୁଞ୍ଜଗୁଡ଼ିକ ମଧ୍ୟରେ ତଫାତ୍ ଏହି ଯେ, ରଥଗୁଡ଼ିକର ସାଜସରଞ୍ଜାମ ଥରେ ନିର୍ମିତ ତଥା ପ୍ରଦର୍ଶିତ ହେବା ପରେ ତାହାକୁ ସାଇତି ରଖାଯାଏ ଏବଂ ପର ଥର ଠାକୁରାଣୀ ଯାତ୍ରାବେଳେ ପୁଣି ବ୍ୟବହାର କରାଯାଏ l ଅପରପକ୍ଷେ କଳାକୁଞ୍ଜର ମୂର୍ତ୍ତି ତଥା ସରଞ୍ଜାମଗୁଡ଼ିକ ପ୍ରତିଥର ପରିବର୍ତ୍ତିତ ହେଉଥାଏ l

ଅତୀତରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଅବସରରେ ବହୁ ରଥ ନିର୍ମିତ ହେଉଥିଲା ଏବଂ ସବୁ ରଥଗୁଡ଼ିକ ବଡ଼ବଜାରରେ ସ୍ଥାପିତହେବା ପରମ୍ପରା ପ୍ରଚଳିତ ଥିଲା l ସେ ସମୟରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଚରିତ୍ରଭିତ୍ତିକ ରଥ ଦୁଇ ଦଳଙ୍କ ଦ୍ୱାରା ପ୍ରତିଯୋଗିତା ମନୋଭାବ ନେଇ ନିର୍ମିତ ହେଉଥିଲା ଏବଂ ସାଜସଜ୍ଜାରେ ଏକ ଦଳ କିପରି ଅନ୍ୟ ଦଳକୁ ନ୍ୟୂନ କରିଦେବ ସେ ଦିଗରେ ଉଦ୍ୟମ ଜାରୀ ରହୁଥିଲା l ଉଦାହରଣ ସ୍ୱରୂପ ବଡ଼ବଜାର ଛକରେ ଗୋଟିଏ ପର୍ଶୁରାମ ରଥ ଏକ ଖରୁଡ଼ା ପରିବାରଙ୍କ ଦ୍ୱାରା ନିର୍ମିତ ହେଉଥିବାବେଳେ ଅନ୍ୟ ଗୋଟିଏ ପର୍ଶୁରାମ ରଥ ବୈଶ୍ୟ ସଂପ୍ରଦାୟଙ୍କ ଦ୍ୱାରା ସାମୂହିକ ଉଦ୍ୟମରେ ନିର୍ମିତ ହେଉଥିଲା l ଦୁଇ ଦଳଙ୍କ ମଧ୍ୟରୁ ସାଜସଜ୍ଜାରେ ଜାହାର ଜିତାପଟ ହେବ ସେ ଦିଗରେ ପ୍ରତିଯୋଗିତା ଚାଲୁଥିଲା l ସେହିପରି ରାମଚ଼ନ୍ଦ୍ର, ଲକ୍ଷ୍ମଣ ଇତ୍ୟାଦି ରଥ ନିର୍ମାଣ କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା ଦେଖିବାକୁ ମିଳୁଥିଲା l କାଳକ୍ରମେ ଆୟୋଜକଙ୍କ ମଧ୍ୟରୁ ପ୍ରତିଯୋଗିତା ମନୋଭାବ ଉଭେଇ ଯାଇଛି ଏବଂ କେତେକ କ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ସ୍ଥଳେ ଅନ୍ୟ କେତେକ କ୍ଷେତ୍ରରେ ଯାତ୍ରାର ଶେଷ ଦୁଇ ତିନିଦିନ ପାଇଁ ରଥ ପ୍ରଦର୍ଶନର ବ୍ୟବସ୍ଥା କରାଯାଉଛି l

ରଥ ନିର୍ମାଣରେ ଶିଥିଳତା ଦେଖାଦେବା ପରେ ବଜାର ଓ ପୁରୁଣା ବ୍ରହ୍ମପୁରର ବିଭିନ୍ନ ବସ୍ତିରେ କଳାକୁଞ୍ଜ ନିର୍ମାଣ ପ୍ରଥା ଆରମ୍ଭ ହୋଇଥିଲା l ଅତୀତରେ ଏସବୁ ଅଞ୍ଚଳର ଲୋକେ ନିଜ ଉଦ୍ୟମରେ ରଥ ନିର୍ମାଣ କରି ବଡ଼ବଜାର ମୁଖ୍ୟ ରାସ୍ତାରେ ସ୍ଥାପନ କରୁଥିବାବେଳେ ବର୍ତ୍ତମାନ ନିଜ ସାହୀରେ କଳାକୁଞ୍ଜ ନିର୍ମାଣ ପ୍ରତି ଧ୍ୟାନ ଦେଉଛନ୍ତି l ପୂର୍ବେ ରଥଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଚରିତ୍ର, ଭଙ୍ଗୀ ଓ ସାଜସଜ୍ଜାକୁ ନେଇ ଗଢ଼ି ଉଠୁଥିବାବେଳେ ବର୍ତ୍ତମାନ କଳାକୁଞ୍ଜ ନିର୍ମାଣ ଦିଗରେ ସୃଜନଶୀଳତା ଦେଖାଦେଇଛି l

ଠାକୁରାଣୀ ଯାତ୍ରା ଅବସରରେ ରଥ ଓ କଳାକୁଞ୍ଜମାନ ନିର୍ମିତ ହେବାପରେ ଜନସମାଗମ ବଢ଼ିଥାଏ l ରାମଚ଼ନ୍ଦ୍ର, ଲକ୍ଷ୍ମଣ, ନାଗାର୍ଜ୍ଜୁନ, ନାରାୟଣ, ଜ୍ୱଳାମୁଖୀ, କାଳୀ, ବନଦୁର୍ଗା ଇତ୍ୟାଦି ବହୁରଥ ନିର୍ମାଣ ସରଞ୍ଜାମ ସାଇତି ରଖାଯାଇଥାଏ l ସେଗୁଡ଼ିକ ପ୍ରତିବର୍ଷ ମରାମତକରି ରଙ୍ଗଦେଇ ଆଲୋକସଜ୍ଜା ସହ ରଥ ନିର୍ମିତ ହୋଇଥାଏ l ପ୍ରତ୍ୟେକଟି ରଥକୁ ଆକର୍ଷଣୀୟ କରିବା ଦିଗରେ ତାହାର ଆୟୋଜକମାନଙ୍କ ନିଷ୍ଠାର ପରିଚୟ ମିଳିଥାଏ l

ଠାକୁରାଣୀ ଯାତ୍ରାରେ ପ୍ରଥମେ ବାଚୁବାରି ସାହୀର ବିଂଚଣା ରଥ ବାହାରିଥାଏ l ଏହି ରଥଟିର ଆକୃତି ଏକ ହାତପଙ୍ଖା ବା ବିଞ୍ଚଣା ଭଳି l ସାଧାରଣତଃ ପିଲାଏ ଏଥିରେ ଚଢ଼ାଉଠାକରି ଖେଳିଥାନ୍ତି l ଏଥିରେ କୌଣସି ଦେବଦେବୀଙ୍କ ମୂର୍ତ୍ତି ନଥାଏ l ବିଞ୍ଚଣା ରଥରେ ପିଲାଙ୍କୁ ବସାହେବା ନିମନ୍ତେ କେତେକ କ୍ଷେତ୍ରରେ ମାଆବାପାମାନେ ଆଗରୁ ମାନସିକ କରିଥାନ୍ତି l ଏହି ପିଲାଏ ବିଞ୍ଚଣାରଥ ବାହାରିବା ଦିନ ଉପବାସ ରହିଥାନ୍ତି l

ଦେବଦେବୀଙ୍କ ମୂର୍ତ୍ତି ନଥିବା ଅନ୍ୟ ଏକ ରଥ ହେଲା ବୋଇତ l ଚନ୍ଦ୍ରମା ସାହୀରେ ବୋଇତ ବା ଜାହାଜ ଆକୃତିର ଏହି ରଥ ନିର୍ମାଣ ଊନବିଂଶ ଶତାଦ୍ଦୀର ଶେଷାର୍ଦ୍ଧରୁ ବିଂଶ ଶତାଦ୍ଦୀର ପ୍ରଥମାର୍ଦ୍ଧ ଯାଏଁ ପ୍ରାୟ ଏକ ଶହବର୍ଷ ଧରି ଗୋପାଳପୁର ବନ୍ଦରର ବାଣିଜ୍ୟ କାରବାରର ସ୍ମୃତି ବହନ କରିଥାଏ l ଗୋପାଳପୁର ବନ୍ଦରରେ ବ୍ରହ୍ମପୁର ସହରର ବହୁ ବ୍ୟବସାୟୀ ସଂପୃକ୍ତ ଥିଲେ l ହୁଏତ ସେହିମାନଙ୍କ ପ୍ରୋତ୍ସାହନରେ ବୋଇତ ରଥ ବାହାରୁଥିଲା l

ଶଙ୍କରପୁର ସାହୀର ରାମଚ଼ନ୍ଦ୍ର ରଥ ଏକ ପୁରାତନ ରଥ l ପୂର୍ବେ ଏହି ରଥରେ ଚକ ଲାଗୁଥିଲା l ଶଙ୍କରପୁର ସାହୀଠାରେ ରଥ ନିର୍ମାଣ କାମ ସରିବାପରେ ବଡ଼ବଜାର ଛକକୁ ଟାଣି ଟାଣି ଅଣାଯାଉଥିଲା l କିନ୍ତୁ ବର୍ତ୍ତମାନ ଏହି ରଥ ଶଙ୍କରପୁର ସାହୀରେ ହିଁ ପ୍ରଦର୍ଶିତ ହେଉଅଛି l ରାମଚ଼ନ୍ଦ୍ର ସହ ଜେନା ସାହୀର ଲକ୍ଷ୍ମଣ ରଥ ଓ ସୀତାରାମ ସାହୀର ନାଗାର୍ଜ୍ଜୁନ ରଥର ମୂର୍ତ୍ତି ଏକା କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କୁହାଯାଏ l

ପୁରାତନ ରଥଗୁଡ଼ିକ ମଧ୍ୟରେ ସାନ ଖାସ୍ପା ସାହୀର ହରି-ଅର୍ଜ୍ଜୁନ ରଥ ଅନ୍ୟତମ l ଏହି ରଥଟିର ନିର୍ମାଣ କିଛି ବର୍ଷ ପାଇଁ ବନ୍ଦ ରହିଥିଲା l ହରି-ଅର୍ଜ୍ଜୁନ ରଥରେ ରଥ ମଧ୍ୟରେ ଅନ୍ୟଏକ ରଥ ନିର୍ମିତ ହୋଇଥାଏ l ମହାଭାରତ ଯୁଦ୍ଧ ଅବସରରେ ହରି ସାରଥି ରୂପେ ଅର୍ଜ୍ଜୁନଙ୍କୁ ଉପଦେଶ ଦେଉଥିବା ଦୃଶ୍ୟ ଏଥିରେ ସଂଯୋଜିତ l ପୂର୍ବରୁ ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ନିର୍ମିତ ଏହି ରଥକୁ ଆକର୍ଷଣୀୟ କରିବା ନିମନ୍ତେ ବର୍ତ୍ତମାନ କୋଲକତାର କାରିଗରଙ୍କୁ ନିୟୋଜିତ କରାଯାଉଛି l

ରଥ ପ୍ରସ୍ତୁତି ଏକ ବ୍ୟୟବହୁଳ ଉଦ୍ୟମ l ଉଦାହରଣ ସ୍ୱରୂପ କାଳୁପାତ୍ର ସାହୀର ଜ୍ୱାଳାମୁଖୀ ରଥ ବିଚାରକୁ ନିଆଯାଉ l ରଥ ପ୍ରସ୍ତୁତି କରିବା ନିମନ୍ତେ ବର୍ତ୍ତମାନ ଛଅ-ସାତ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଉଛି l ଏଥି ନିମନ୍ତେ ସ୍ଥାନୀୟ ଜ୍ୱଳାମୁଖୀ ଯୁବକ ସଂଘର ସଦସ୍ୟମାନେ ମିଳିମିଶି ଚାନ୍ଦା ସଂଗ୍ରହ କରିଥାନ୍ତି l କୁହାଯାଏ ଯେ ୧୯୩୯ ମସିହାରେ ଏହି ରଥ ପ୍ରଥମଥର ପାଇଁ ନିର୍ମାଣ କରାଯିବାବେଳେ ୨୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା l ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ମଞ୍ଜୁଷା ଅଞ୍ଚଳର ଜନୈକ ଭକ୍ତ ସେଠାରୁ ଏକ ବିରାଟ କାଠଗଣ୍ଡି ସଂଗ୍ରହ କରି ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଜ୍ୱାଳାମୁଖୀ ମୂର୍ତ୍ତି ନିର୍ମାଣ କରାଇଥିଲେ l ଜ୍ୱାଳାମୁଖୀଙ୍କ ଗଳାରେ ୧୫ ଗୋଟି କଟାମୁଣ୍ଡ ଓ ଅଣ୍ଟାରେ ୨୧ ଗୋଟି ଖଣ୍ଡିଆ ହାତର ମାଳ ଶୋଭା ପାଉଥାଏ l ବାମ ପଟରେ ତାରା ଓ ଡ଼ାହାଣପଟେ କାଳୀ ମୂର୍ତ୍ତି ସ୍ଥାନ ପାଇଥାଏ l ଏଗୁଡ଼ିକର ଉଚ୍ଚତା ଛଅ ଫୁଟ l ଏହି ସବୁ ରଥ ନିର୍ମାଣରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତ୍ୟକ୍ଷ ଯୋଗଦାନ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅନ୍ୟତମ ଉଲ୍ଲେଖଯୋଗ୍ୟ ବିଭବ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୪ ଏପ୍ରିଲ ୨୦୧୭

Monday, April 24, 2017

ଠାକୁରାଣୀ ଯାତ୍ରାରେ ବାଘ ନାଚ

ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବାଘ ନାଚ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ l ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ବାଘ ନାଚ ପ୍ରଚଳିତ ଥିଲେ ହେଁ ଏଠାକାର ବାଘ ନାଚର ସାଜସଜ୍ଜା, ନୃତ୍ୟ ଓ ବାଦ୍ୟ ବିଭିନ୍ନ ଦିଗରୁ ଅପେକ୍ଷାକୃତ ମନମୁଗ୍ଧକର ହୋଇଥାଏ l ସାଧାରଣତଃ ଯାତ୍ରା ଅବସରରେ ପୂର୍ବ-ମାନସିକ କିମ୍ୱା ବ୍ୟକ୍ତିବିଶେଷ ନିଜ ଆଗ୍ରହ ଜନିତ କାରଣରୁ ବେଶ ଧାରଣ କରିଥାନ୍ତି l ବାଘ ନାଚ କରିବା ନିମନ୍ତେ ବ୍ୟକ୍ତିବିଶେଷଙ୍କୁ ନୃତ୍ୟରେ ପରଙ୍ଗମତା ହାସଲ କରିବାକୁ ପଡ଼ିଥାଏ ଏବଂ ଏହି ଦୃଷ୍ଟିରୁ ଅନଭିଜ୍ଞ ବ୍ୟକ୍ତି ବାଘ ବେଶ ଧାରଣ କରିବା ସମ୍ଭବପରେ ହୁଏ ନାହିଁ l

ବ୍ୟାଘ୍ର ଠାକୁରାଣୀଙ୍କ ବାହାନ ହୋଇଥିବା ହେତୁ ଠାକୁରାଣୀ ଯାତ୍ରାରେ ବାଘ ବେଶ ଗୁରୁତ୍ୱ ବହନ କରିଥାଏ l ବାଘ ବେଶ ଧାରଣ କରିବା ପୂର୍ବରୁ ନୃତ୍ୟ ପ୍ରଶିକ୍ଷଣ ଓ ଅଭ୍ୟାସ ଆବଶ୍ୟକତା ପଡ଼ିଥାଏ l ବାଘନାଚ ଶିଖାଇବା ନିମନ୍ତେ ସହରରେ ଗୁରୁ ମଧ୍ୟ ମିଳିଥାନ୍ତି l ଅତୀତରେ ଅଭ୍ୟାସ କରିବା ଲାଗି ବାଦ୍ୟବାଜଣା ଆବଶ୍ୟକ ପଡୁଥିବା ବେଳେ ଆଜିକାଲି ଅଡିଓ ସିଡ଼ିରେ  କାମ ଚଳିଯାଉଛି l ସ୍ଥଳ ବିଶେଷରେ ଦୁଇରୁ ଚାରିମାସ ଏଭଳି ଅଭ୍ୟାସ ଜାରୀ ରହିଥାଏ l

ଆଜକୁ ୪୦ / ୫୦ ବର୍ଷ ପୂର୍ବେ କେବଳ ଠାକୁରାଣୀ ଯାତ୍ରା କାହିଁକି ବର୍ଷତମାମ ବାଘ ନାଚିଲାବାଲାଙ୍କ ସାମାଜିକ ପ୍ରତିଷ୍ଠା ବଳବତ୍ତର ରହୁଥିଲା l ଜଣେ ଭଲ କ୍ରିକେଟର, ଫୁଟବଲର ବା ଚିତ୍ରତାରକାଙ୍କୁ ଯେପରି ପ୍ରାଧାନ୍ୟ ଦିଆଯାଏ, ଜଣେ ଭଲ ବାଘ ନାଚ ନାଚିଲାବାଲା ମଧ୍ୟ ଅନୁରୂପ ଲୋକପ୍ରିୟତା ହାସଲ କରିପାରୁଥିଲେl ସେ ସମୟରେ ହୁଏତ ଆଜିକା ତୁଳନାରେ ଖୁବ୍ କମ୍ ସଂଖ୍ୟକ ବ୍ୟକ୍ତି ବାଘ ବେଶ ଧାରଣ କରୁଥିଲେ ଏବଂ ଏଥିପାଇଁ ସେମାନଙ୍କୁ ରୀତିମତ ପୂର୍ବ-ପ୍ରସ୍ତୁତି ବା ରିହରସାଲ କରିବାକୁ ପଡୁଥିଲା l କେଉଁ ସାହୀର ନାଚିଲାବାଲା କେଉଁ ତାରିଖରେ ବାଘ ବେଶରେ ନାଚିବ ସେଥିପାଇଁ ଲୋକେ ତାରିଖ ଗଣି ଅପେକ୍ଷା କରୁଥିଲେ l ପ୍ରତ୍ୟେକ ବାଘ ସହ ଅନ୍ୟୂନ ୬୦ ରୁ ୧୦୦ ବସ୍ତିବାଲା ତଥା ସାଖା-ସହୋଦର ସହର ପରିଭ୍ରମଣ କରୁଥିଲେ l ବସ୍ତିବାଲାଙ୍କ ମଧ୍ୟରେ ସହଯୋଗ ମନୋଭାବ ଏତାଦୃଶ୍ୟ ନୃତ୍ୟ ଆୟୋଜନରେ ପରିସ୍ଫୁଟିତ ହେଉଥିଲା l ଆଜିକାଲି ତ ଯିଏ ପଇସା ଯୋଗାଡ଼ କରିପାରୁଛି ସେ ବାଘ ନାଚ ପାଇଁ ଆଗେଇ ଆସୁଛି l ନା ପୂର୍ବପ୍ରସ୍ତୁତି ନା ନାଚିବା ଶୈଳୀରେ ପରିପକ୍ୱତା, ନା କୌଣସି ସାମୂହିକ ପ୍ରଚେଷ୍ଟା ବାଘ ନାଚ କ୍ଷେତ୍ରରେ ଦେଖିବାକୁ ମିଳୁଛି l

ବାଘ ନାଚ ଏକ ବ୍ୟୟ ବହୁଳ ବ୍ୟାପାର l ୨୦୧୭ ଯାତ୍ରାବେଳକୁ ବାଘବେଶ ଧାରଣ ନିମନ୍ତେ ଅନ୍ୟୂନ ୧୫ ରୁ ୨୦ ହଜାର ଟଙ୍କା ବ୍ୟୟ ହେଉଥିବା ଜଣାଯାଏ l ବାଘ ନାଚ ପାଇଁ ଅନ୍ତତଃ ପକ୍ଷେ ଦୁଇରୁ ଚାରିଗୋଟି ‘ଚାଙ୍ଗୁ’ ବାଦ୍ୟର ଆବଶ୍ୟକତା ପଡ଼ିଥାଏ l ଡ଼ଜନେ ବାଜଣା ଶୈଳୀରୁ ପ୍ରାୟ ଆଠ ଗୋଟି ବହୁଳ ଭାବେ ବ୍ୟବହୃତ ହୋଇଥାଏ l ବାଦ୍ୟଗୁଡ଼ିକୁ ପ୍ରତି ଘଣ୍ଟାକରେ ଥରେ ନିଆଁ ସେକ ଦେବା ନିମନ୍ତେ ଗୋଟିଏ ସାଇକଲ ରିକ୍ସାରେ ପାଳ ବୋଝେଇ ନାଚ ଦଳ ସହ ସହର ଘୁରି ବୁଲୁ ଥାଏ l ପୂର୍ବେ ପେଟ୍ରୋମାକ୍ସ ଲଣ୍ଠନ ବ୍ୟବହୃତ ହେଉଥିବାବେଳେ ବର୍ତ୍ତମାନ ଜେନେରେଟର ଯୋଗେ ଉଜ୍ଜଳ ଆଲୋକର ବ୍ୟବସ୍ଥା କରାଯାଉଛିl ବାଘର ଶରୀରରେ ବାର୍ଣ୍ଣିସ ଚିତ୍ରଣ, ମୁଣ୍ଡ, ପୋଷାକ, ଫୁଲ ତଥା ଚିତ୍ରକରର ମଜୁରି ବାବଦରେ ଖର୍ଚ୍ଚ ହୁଏ l ଶେଷରେ ବାଘ ନାଚ ସହ ରାତି ତମାମ ଘୁରି ବୁଲିବା ନିମନ୍ତେ ଅନ୍ତତଃ ପକ୍ଷେ କୋଡ଼ିଏ ଏକାଠି ହୁଅନ୍ତି l ବାଘକୁ ଚିତ୍ରିତ କରିବା, ମନ୍ଦିରକୁ ମୁଖା ନେଇ ପୂଜା କରିଆସିବା କାମରେ ମଧ୍ୟ ସେମାନେ ସାମିଲ ହୋଇଥାନ୍ତି l ଏହି ସମସ୍ତଙ୍କ ଦିନକର ଖାଦ୍ୟପେୟ ବାବଦରେ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥାଏ l

ବାଘବେଶ ପାଇଁ ଚିତ୍ରଣ କାର୍ଯ୍ୟ ପୂର୍ବାହ୍ନରୁ ଆରମ୍ଭ ହୋଇଯାଏ l ଶରୀରର ଲୋମ ଖିଅର ହୋଇ ସ୍ନାନାଦି କାର୍ଯ୍ୟ ପରେ ବାର୍ଣ୍ଣିସର ପ୍ରଲେପ ଦିଆଯାଇଥାଏ l ଠାକୁରାଣୀଙ୍କଠାରେ ମୁଖା ପୂଜା ହୋଇଆସିବା ପରେ ବାଦ୍ୟ ବାଦକଙ୍କସହ ବାଘ ପ୍ରଥମେ ଅସ୍ଥାୟୀ ମନ୍ଦିର ଆସି ଦେବୀଙ୍କ ଦର୍ଶନ କରିଥାଏ l ତତ୍ପରେ ନିଜ ପରିଚିତ ପରିବାରଗୁଡ଼ିକୁ ବୁଲି ନାଚିଥାଏ l ଅତୀତରେ ବାଘ ନାଚ ସାରା ରାତି ଚାଲୁଥିଲା l ତେବେ ପୋଲିସ କଟକଣା ଅନୁଯାୟୀ ଆଜିକାଲି ରାତି ୧୧ ରୁ ସକାଳ ୫ ଯାଏଁ ବାଘ ନାଚ ପ୍ରଦର୍ଶନ ବାରଣ କରାଯାଇଛି l

ବାଘ ବେଶ ମୁଖ୍ୟତଃ ଏକକ ନୃତ୍ୟ ରୂପେ ବିକଶିତ ହୋଇ ଆସିଥିଲା l ଖୁବ୍ କମ୍ ସଂଖ୍ୟାରେ ଏକାଧିକ ବ୍ୟକ୍ତି ଏକାଠି ବାଘ ନାଚ କରୁଥିଲେ l ତେବେ ବିଗତ କିଛି ବର୍ଷ ଧରି ବହୁ ସଂଖ୍ୟକ ବ୍ୟକ୍ତି ବାଘବେଶ ଧାରଣ କରି ଏକାଠି ନୃତ୍ୟରେ ଭାଗନେବା ପରମ୍ପରା ଦେଖିବାକୁ ମିଳୁଛି l ଗତ ୨୦୧୫ ଯାତ୍ରା ଅବସରରେ ଅନ୍ୟାନ୍ୟ ବାଘ ଦଳଙ୍କ ସହ କାମ୍ପ ସାହୀର ୯ ଜଣ ଓ ତୁଳସୀନଗରର ୩୧ ଜଣିଆ ବାଘ ନାଚଦଳ ଦୃଷ୍ଟି ଆକର୍ଷଣ କରିଥିଲା l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୩ ଏପ୍ରିଲ ୨୦୧୭

Sunday, April 23, 2017

ଯାତ୍ରାରେ ସାମୂହିକ ବେଶ

ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଏକକ ବେଶ ବ୍ୟତୀତ କେତେକ ବସ୍ତି ଆନୁକୂଲ୍ୟରେ ସାମୂହିକ ବେଶମାନ ଆୟୋଜନ କରାଯାଏ l ବାଲାଜୀପେଣ୍ଠ ସାହୀ କପିଳେଶ୍ୱର ବ୍ୟାୟାମଶାଳା ପକ୍ଷରୁ ସର୍କସ, ବାଲୁଙ୍କେଶ୍ୱର ସାହୀରୁ ଚନ୍ଦ୍ରଲେଖା ନୃତ୍ୟ, ଶଙ୍କରପୁର ସାହୀର କୁସ୍ତିକସରତ, ଦଳୁଆ ସାହୀର ପାଇକ ନାଚ, କୁମ୍ଭାର ସାହୀର ଘଣ୍ଟ ଆଖଡ଼ା ତଥା ଶଗଡ଼ିଆ ସାହୀ, ମାର୍ଥା ସାହୀ ଓ ବାଉରି ସାହୀ ଇତ୍ୟାଦି ଆନୁକୂଲ୍ୟରେ ବାଡ଼ି ଆଖଡ଼ା ଆୟୋଜନର ନଜିର ରହିଛି l ଏହି ଧରଣର ସାମୂହିକ ବେଶମାନଙ୍କରେ ୨୦ ରୁ ୨୦୦ ଜଣ ଯାଏଁ ବ୍ୟକ୍ତି ଅଂଶଗ୍ରହଣ କରିଥାନ୍ତି l ପୂର୍ବରୁ ଆୟୋଜିତ ସର୍କସ, ଚନ୍ଦ୍ରଲେଖା ନୃତ୍ୟଭଳି କେତେକ ସାମୂହିକ ବେଶ ବର୍ତ୍ତମାନ ଆଉ ବାହାରୁ ନାହିଁ l ତେବେ ଯାତ୍ରା ଅବସରରେ ବିଜିପୁର ବାସିନ୍ଦାମାନଙ୍କ ଦ୍ୱାରା ଆୟୋଜିତ ‘ଦରିଦ୍ର ପଞ୍ଚାକ୍ଷର ପାର୍ଟି’ ଓ ‘ବୁଦ୍ଧଂ ଶରଣଂ ଗଚ୍ଛାମି’ ବେଶ ସହରବାସୀଙ୍କ ମଧ୍ୟରେ ବେଶ୍ କୌତୁହଳ ସୃଷ୍ଟି କରିଥାଏ l
୧୯୩୬ ମସିହାରୁ ‘ଦରିଦ୍ର ପଞ୍ଚାକ୍ଷର ପାର୍ଟି’ ବେଶ ପ୍ରତିଟି ଠାକୁରାଣୀ ଯାତ୍ରା ଅବସରରେ ନିୟମିତ ବାହାରୁଛି l ବିଜିପୁର ଅଞ୍ଚଳର ଜଣେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସାଂଗଠନିକ ପ୍ରଚେଷ୍ଟାରେ ଏହିଭିଳି ଏକ ସାମୂହିକ ବେଶର ପରିକଳ୍ପନା କରାଯାଇଥିଲା l ଆଧୁନିକ ଯୁଗରେ ମଠ ମନ୍ଦିରରେ ଅବସ୍ଥାପିତ କେତେକ ମହନ୍ତଙ୍କ ବିଧର୍ମୀ କାର୍ଯ୍ୟକଳାପର ସମାଲୋଚନା ଏହି ବେଶ ମାଧ୍ୟମରେ ପ୍ରଦର୍ଶନ କରାଯାଇଥାଏ l ‘ଦରିଦ୍ର ପଞ୍ଚାକ୍ଷର ପାର୍ଟି’ ଶୋଭାଯାତ୍ରାରେ ଜଣେ ମହନ୍ତ ବେଶଧାରୀ ବ୍ୟକ୍ତି ଦଳେ ଆଧୁନିକ ବେଶଭୂଷା ପରିହିତା ନାରୀ ବେଶଧାରୀ ପୁରୁଷଙ୍କ ମଧ୍ୟରେ ରଥାରୁଢ ହୋଇ ମଉଜ ମଜଲିସରେ ବ୍ୟସ୍ତ ରହନ୍ତି l ତାଙ୍କରି ଚେଲାମାନେ ମହନ୍ତଙ୍କ ରଥ ସହ ସହରର କେତେକ ନିର୍ଦ୍ଦିଷ୍ଟ ମୁଖ୍ୟରାସ୍ତା ପରିଭ୍ରମଣ କରି ଠାକୁରାଣୀ ଯାତ୍ରାସ୍ଥଳ ଦେଶୀବେହେରା ସାହୀରେ ପହଞ୍ଚି ଦେବୀଙ୍କ ଦର୍ଶନ ସାରି ପୁଣି ବିଜିପୁର ଫେରିଥାଆନ୍ତି l ଏହି ଶୋଭାଯାତ୍ରାରେ ହାସ୍ୟରସାତ୍ମକ ତଥା ସମାଲୋଚନାମୂଳକ କେତୋଟି ଗୀତ ଅନବରତ ବୋଲାଯାଇଥାଏ l
‘ଦରିଦ୍ର ପଞ୍ଚାକ୍ଷର ପାର୍ଟି’ ବେଶରେ ଯୋଗ ଦେବା ନିମନ୍ତେ ବିଜିପୁର ଅଞ୍ଚଳର ବାସିନ୍ଦାମାନେ ପୂର୍ବରୁ ମାନସିକ କରିଥାଆନ୍ତି l ତେବେ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କୁ ଏଥିରେ ଅଂଶଗ୍ରହଣ କରିବା ନିମନ୍ତେ ବାରଣ ନାହିଁ l ବିଜିପୁର ଅଞ୍ଚଳର ସ୍ଥାୟୀ ବାସିନ୍ଦାମାନେ କାର୍ଯ୍ୟକ୍ଷେତ୍ରରେ ସହର ବାହାରେ ଅବସ୍ଥାପିତ ହୋଇଥିଲେ ହେଁ ଯାତ୍ରାରେ ବେଶଧାରଣ କରିବା ନିମନ୍ତେ ଆସୁଥିବା ଦେଖାଯାଏ l ସାଧାରଣତଃ ଠାକୁରାଣୀ ଯାତ୍ରା ଶେଷ ହେବା ୩ / ୪ ଦିନ ପୂର୍ବରୁ ‘ଦରିଦ୍ର ପଞ୍ଚାକ୍ଷର ପାର୍ଟି’ ବେଶ ବାହାରିଥାଏ l ଏହି ବେଶରେ ଅଂଶଗ୍ରହଣ କରିବା ନିମନ୍ତେ ଇଚ୍ଛୁକ ବ୍ୟକ୍ତିମାନେ ପାର୍ଟିର ସଭାପତିଙ୍କ ନେତୃତ୍ୱରେ ଏକତ୍ରର ହୋଇ ଲଣ୍ଡା ହୋଇଥାନ୍ତି ଏବଂ ସାମାନ୍ୟ ଜଳଯୋଗ ପରେ ସନ୍ଧ୍ୟାରେ ନଗର ପରିକ୍ରମାରେ ବାହାରି ପ୍ରଥମେ ବିଜିପୁରର ସମସ୍ତ ସାହୀ ବୁଲି ସହରର ରାଜରାସ୍ତାଦେଇ ଠାକୁରାଣୀଙ୍କ ଦର୍ଶନ ପାଇଁ ଯାଇଥାନ୍ତି l ଏମାନେ କାହାଠାରୁ କୌଣସି ଉପହାର ଗ୍ରହଣ କରନ୍ତି ନାହିଁ l
‘ବୁଦ୍ଧଂ-ଶରଣଂ-ଗଚ୍ଛାମି’ ବେଶରେ ୨୦ ବା ୨୧ ଜଣ ମଧ୍ୟବୟସ୍କ ବ୍ୟକ୍ତି ବୌଦ୍ଧଭିକ୍ଷୁ ବେଶ ଧାରଣ କରି ଶୋଭାଯାତ୍ରାରେ ସହରର ରାଜରାସ୍ତା ପରିକ୍ରମା କରି ଠାକୁରାଣୀଙ୍କ ଦର୍ଶନ ଲାଗି ଯାଇଥାନ୍ତି l ସେମାନେ ଭିକ୍ଷା ପାତ୍ର ଧରିଥାନ୍ତି ଏବଂ ସମ୍ପୂର୍ଣ୍ଣ ନୀରବତା ପାଳନ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରନ୍ତି l ଯେଉଁମାନେ ‘ଦରିଦ୍ର ପଞ୍ଚାକ୍ଷର ପାର୍ଟି’  ବେଶରେ ଅଂଶଗ୍ରହଣ କରି ଲଣ୍ଡା ହୋଇଥାନ୍ତି ସେମାନଙ୍କ ମଧ୍ୟରୁ ସୁସ୍ଥ ସବଳ ଚେହେରା ଥିବା କୋଡିଏ ଜଣଙ୍କୁ ନିର୍ବାଚନ କରି ହିଁ ଏହି ବେଶ ବାହାର କରାଯାଇଥାଏ l କୌଣସି ନୂଆ ବ୍ୟକ୍ତିକୁ ଗ୍ରହଣ କରାଯାଏ ନାହିଁ l ଏହି ବେଶ ସହ ୧୯୪୫ ମସିହା ବେଳକୁ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚିତ୍ର ‘ଅଙ୍ଗୁଳିମାଳା’ର ଏକ ଗୀତ ଗାନ କରାଯାଉଛି l ଏହି ବେଶ ସାଧାରଣତଃ ‘ଦରିଦ୍ର ପଞ୍ଚାକ୍ଷର ପାର୍ଟି’ ବେଶ ବାହାରିବା ପରଦିନ ଆୟୋଜିତ ହୋଇଥାଏ l ‘ବୁଦ୍ଧଂ-ଶରଣଂ-ଗଚ୍ଛାମି’ ବେଶ ଦର୍ଶକଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି କରିଥାଏ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୧ ଏପ୍ରିଲ ୨୦୧୭