Friday, March 12, 2021

ଠାକୁରାଣୀ ଯାତ୍ରା ୨୦୨୧

ମହାମାରୀଜନିତ ଅନିଶ୍ଚିତତା ମଧ୍ୟରେ #ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଳନ ନିମନ୍ତେ ନୀତିଗତଭାବେ ସ୍ଥିର ହୋଇଥିବା ସମ୍ୱାଦ ସହରବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଦେଇଛି । ଯାତ୍ରା ଆୟୋଜକଙ୍କ ପକ୍ଷରୁ ସ୍ଥାନୀୟ ପ୍ରଶାସନ ନିକଟରେ ଅନୁମତି ଆବେଦନ ପରେ ବ୍ରହ୍ମପୁର ମହାନଗର ନିଗମ ତତ୍ତ୍ୱାବଧାନରେ କୋଭିଡ଼ କଟକଣା ମାନି ଯାତ୍ରା ପାଳନ ନିମନ୍ତେ ସବୁଜ ସଙ୍କେତ ଦିଆ ଯାଇଥିବା ପ୍ରକାଶ ।

 

ଯାତ୍ରା ଆୟୋଜନ ସଂପର୍କରେ ଆଲୋଚନା ଲାଗି ମହାନଗର ନିଗମ ପ୍ରଶାସକଙ୍କ ସହ ଆୟୋଜକ ଫେବୃୟାରୀ ୧୦ ତାରିଖରେ ଏକତ୍ରୀତ ହୋଇଥିଲେ । ଏହି ଅବସରରେ ସାତଗୋଟି ମୁଖ୍ୟ ବିଷୟପ୍ରତି ଗୁରୁତ୍ୱ ଆରୋପ କରାଯାଇଥିବା ଜଣାଯାଏ । ପ୍ରଥମତଃ, ଠାକୁରାଣୀ ଯାତ୍ରା ଅବସରରେ ଅସ୍ଥାୟୀ ମନ୍ଦିରରେ ଘଟ ସ୍ଥାପନ ନିମନ୍ତେ ନିର୍ମିତ ପିଣ୍ଡି ଉପରକୁ ଭକ୍ତ କିମ୍ୱା ପୂଜକ ଉଭୟଙ୍କୁ ପ୍ରବେଶ ବାରଣ କରାଯିବ । ପିଣ୍ଡିଠାରୁ ଦୂରତ୍ୱ ଅବଲମ୍ୱନ କରି ଦର୍ଶନ ଓ ପୂଜାପାଠ କରାଯାଇପାରିବ । ଏହା ଦ୍ୱାରା ଅସ୍ଥାୟୀ ମନ୍ଦିରରରେ ଜନଗହଳି ନିୟନ୍ତ୍ରଣ କରାଯିବ ।

 

ଦ୍ୱିତୀୟତଃ, ଯାତ୍ରା ଅବଧିରେ ପ୍ରତ୍ୟେହ ସନ୍ଧ୍ୟାରେ ଘଟ ପରିକ୍ରମାରେ କେତେକ କଟକଣା ଲାଗୁ ହେବ । ପୂର୍ବ ତୁଳନାରେ ଚଳିତ ବର୍ଷ ସାହୀ ସଂଖ୍ୟା କମାଇ ଦିଆଯିବ । ଘଟଧାରୀଙ୍କ ପାଦ ଧୋଇ ପୂଜାଅର୍ଚ୍ଚନା ନିମନ୍ତେ ମହିଳାମାନଙ୍କୁ ଅନୁମତି ମିଳିବ ନାହିଁ ।

 

ତୃତୀୟତଃ, ଘଟ ଶୋଭାଯାତ୍ରାରେ ଦୁଇ ଶହ ବ୍ୟକ୍ତି ଯୋଗ ଦେଇ ପାରିବେ । ଯେକୌଣସି ଆଗ୍ରହୀ ଜନସାଧାରଣଙ୍କ ବ୍ୟତିରେକେ କେବଳ ମନୋନୀତ ସ୍ୱେଚ୍ଛାସେବୀଙ୍କୁ ନେଇ ଘଟ ପରିକ୍ରମା ଆୟୋଜିତ ହେବ । ଯାତ୍ରାପାଳନର ରୀତିନୀତିରେ ପାରମ୍ପରିକ ଭାବେ ଡ଼େରା ଦେବାଙ୍ଗ ସଂପ୍ରଦାୟର ସଂପୃକ୍ତି ହେତୁ ସେଇମାନେ ହିଁ ଅଧିକ ସଂଖ୍ୟକ ସାମିଲ ହେବା ସ୍ୱାଭାବିକ ।

 

ଚ଼ତୁର୍ଥତଃ, ମାନସିକ କରିଥିବା ବ୍ୟକ୍ତିବିଶେଷଙ୍କୁ ବେଶ ଧାରଣ ନିମନ୍ତେ ସୁଯୋଗ ପ୍ରଦାନ କରାଯିବ ନାହିଁ । ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବେଶ ଧାରଣ ଯାତ୍ରାର ଉପସ୍ଥିତି ବଡ଼ବଜାରରୁ ସମଗ୍ର ସହର ଓ ସହରତଳି ଅଞ୍ଚଳକୁ ପରିବ୍ୟାପ୍ତ କରିଥାଏ । ଏତଦ୍ୱାରା ଜନସାଧାରଣଙ୍କୁ ଯାତ୍ରାରେ ସାମିଲ ହେବା ସୁଯୋଗ ମିଳିଥାଏ । କିନ୍ତୁ ବେଶ ପଟୁଆରରେ ଶାରିରୀକ ଦୂରତ୍ୱ ବଜାୟ ରଖିବା ସଂଭବ ନଥିବା ହେତୁ କୋଭିଡ଼ କଟକଣାରେ ବେଶଧାରଣକୁ ଅନୁମତି ଦିଆନଯିବା ସ୍ଥିରୀକୃତ ହୋଇଥିବା ଜଣାଯାଏ ।

 

ପଞ୍ଚମତଃ, ରଥ ଓ କଳାକୁ୍ଞ୍ଜ ସାଙ୍ଗକୁ ସାହୀଗୁ଼ଡ଼ିକରେ ସନ୍ଧ୍ୟାରେ ଆଲୋକସଜ୍ଜା ବନ୍ଦ ରହିବ । ଏତଦ୍ୱାରା ଏକପକ୍ଷରେ ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଭିଡ଼ କମାଇବା ସଂଭବପର ହେବା ସ୍ଥଳେ ଅପରପକ୍ଷରେ ଯାତ୍ରାର ଆଡ଼ମ୍ୱର ପ୍ରଭାବିତ ହେବ । ରଥ ଓ କଳାକୁଞ୍ଜ ବିଭିନ୍ନ ସାହୀ ବାସିନ୍ଦାଙ୍କଠାରୁ ଚାନ୍ଦାଭେଦା କରି ଆୟୋଜିତ ହୋଇଥାଏ । ଯାତ୍ରାର ଶେଷ ସପ୍ତାହରେ ୫୦ ସରିକି ରଥ ଓ କଳାକୁଞ୍ଜ ବାହାରେ । ମହାମାରୀରେ ଦୀର୍ଘ ବର୍ଷକ ଧରି ମାନ୍ଦା ଅର୍ଥନୀତିକ ଅବସ୍ଥା ହେତୁ ହୁଏତ ଚଳିତବର୍ଷ ଜାକଜମକରେ ଆୟୋଜନ ସଂଭବପର ହୋଇପାରି ନଥାନ୍ତା ।

 

ଷଷ୍ଠତଃ, ଯାତ୍ରା ଅବସରରେ ଅସ୍ଥାୟୀ ମନ୍ଦିରରେ ଶୁଖିଲା ଓ ଅନ୍ନଭୋଗ ବଣ୍ଟନଠାରୁ ଆରମ୍ଭ କରି ଯାତ୍ରା ଦେଖଣାହାରୀଙ୍କ ମଧ୍ୟରେ ଜଳପାନ ବ୍ୟବସ୍ଥା ବିଗତ କିଛି ବର୍ଷରୁ ଜମିଥିଲା । ଚଳିତ ବର୍ଷ ସମସ୍ତ ରକମ ଭୋଗ ଓ ଖାଦ୍ୟପାନୀୟ ବିତରଣ ବନ୍ଦ ରହିବ ।

 

ସପ୍ତମତଃ, ପରମ୍ପରା ଅନୁଯାୟୀ ବ୍ରହ୍ମପୁର ଠାକୁରାଣୀଯାତ୍ରାରେ ଠାକୁରାଣୀ ବାପଘର ଆସୁଥିବା ବିଧି ହେତୁ ଠାକୁରାଣୀମନ୍ଦିର ସନ୍ନିକଟ ବିଭିନ୍ନ ସାହୀବସ୍ତିରେ ସ୍ଥାୟୀ ବସବାସ କରୁଥିବା ପରିବାରବର୍ଗଙ୍କ ପକ୍ଷରୁ ବିବାହିତା ଝିଅମାନଙ୍କୁ ଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଥାଏ । ଯାତ୍ରା ପାଳନ ଅବସରରେ ପାରିବାରିକ ସୌହାଦ୍ଦ୍ୟ ବୃଦ୍ଧି ନିମନ୍ତେ ପ୍ରଚଳିତ ଏହି ଧାରା ଚଳିତବର୍ଷ ପାଇଁ ବନ୍ଦ ରଖିବାକୁ କୁହାଯାଇଛି । ବାହାର ଜିଲ୍ଲାର ଆତ୍ମୀୟଙ୍କୁ ସହର ଆସିବାକୁ ମନା କରାଯିବ ।

 

ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଯାତ୍ରା ଆୟୋଜକ ଏହିଭଳି କେତେକ ସର୍ତ୍ତାବଳୀ ପାଳନ କରିବା ନିମନ୍ତେ ବିଧିବଦ୍ଧ ସତ୍ୟପାଠ ପ୍ରସ୍ତୁତ କରି ଦାଖଲ କରିବେ । ଉଲଂଘନ ନିମନ୍ତେ ଆୟୋଜକ ଦାୟୀ ରହିବେ ।

 

ଯାତ୍ରା ତିଥି ନିର୍ଦ୍ଧାରିତ ହେବା ପରେ ଘଟ ସ୍ଥାପନ ନିମନ୍ତେ ଦେଶୀବେହରା ସାହୀରେ ଅସ୍ଥାୟୀ ମନ୍ଦିର ପୌର ପ୍ରଶାସନ ପକ୍ଷରୁ ନିର୍ମାଣ ଲାଗି ସହାୟତା ଯୋଗାଇ ଦିଆଯାଇଥାଏ । ଅସ୍ଥାୟୀ ମନ୍ଦିର ସଂଲଗ୍ନ ସୁଉଚ୍ଚ ଛାମୁଣ୍ଡିଆ ଦେଶୀବେହରା ସାହୀର ବ୍ୟବସାୟୀ ଓ ପରିବହନ ଶ୍ରମିକଙ୍କ ତତ୍ତ୍ୱାବଧାନରେ ନିର୍ମିତ ହୁଏ । ଏଥି ନିମନ୍ତେ ନିୟମିତ ବର୍ହିଆଗତ ମାଲବାହୀ ଯାନବାହାନରୁ ଚାନ୍ଦା ସଂଗ୍ରହ ହୋଇ ଗଚ୍ଛିତ ରହିଥାଏ । ଯାତ୍ରା ତିଥି ନିର୍ଦ୍ଧାରିତ ହେବା ମାତ୍ରେ ଅସ୍ଥାୟୀ ମନ୍ଦିର ଓ ସଂଲଗ୍ନ ଛାମୁଣ୍ଡିଆ ନିର୍ମିତ ହୋଇଥାଏ ।

 

ମହାମାରୀରେ ୨୦୨୧ ଦ୍ୱି-ବାର୍ଷିକ ଯାତ୍ରା ଆୟୋଜିତ ହେଉଥିବା ହେତୁ ଶାରିରୀକ ଦୂରତ୍ୱ କଟକଣାରେ ଯାତ୍ରା କାର୍ଣ୍ଣିଭଲର ସ୍ୱାଦ ଉଭେଇ ଯିବ । କିନ୍ତୁ ସହରର ଅନ୍ୟୂନ ୪୨ ପ୍ରତିଶତ ଯାଏଁ ପରିବାର ଇଣ୍ଟରନେଟ ଏବଂ ୯୫ ପ୍ରତିଶତରୁ ଅଧିକ ଟେଲିଭିଜନ ଯୋଗେ ସଂଯୁକ୍ତ ଥିବା ହେତୁ କ୍ରମଶଃ ଯାତ୍ରା ଉପଭୋଗ କିପରି ଭର୍ଚୁଆଲ ପରିବେଶକୁ ଉତ୍ତୀର୍ଣ୍ଣ ହେବ ତାହା ଦେଖିବାକୁ ରହିଲା ।

(ଅନୁପମ ଭାରତ ବ୍ରହ୍ମପୁର ସଂସ୍କରଣ / ୧୩ ମାର୍ଚ୍ଚ ୨୦୨୧/ ପୃଷ୍ଠା : ୫)

No comments: