Friday, April 28, 2023

Development of Temple / ଠାକୁରାଣୀ ମନ୍ଦିର ଉନ୍ନୟନ

 #ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଭିଡ଼ରେ ବଡ଼ ଠାକୁରାଣୀ ମନ୍ଦିର ପରିସର ଉନ୍ନୟନ ପ୍ରକଳ୍ପ ଚର୍ଚ୍ଚା ହଜିଯାଇଥିବା ମନେହୁଏ ! ଉତ୍ସବ ଋତୁରେ ଯାତ୍ରାର କିମ୍ୱଦନ୍ତୀ, ଇତିହାସ, ରୀତିନୀତି, ରଥ, କଳାକୁଞ୍ଜ ଓ ବେଶ ଗଣମାଧ୍ୟମରେ ପ୍ରମୁଖ ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୪ରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ଦିଆଯାଇଥିଲା । ପୂର୍ବରୁ କଟକର ବାଲିଯାତ୍ରା, ଭୁବନେଶ୍ୱରର ମୁକ୍ତେଶ୍ୱର ମହୋତ୍ସବ, କୋଣାର୍କ ମହୋତ୍ସବ, ବରଗଡ଼ର ଧନୁଯାତ୍ରା ଓ କୋରାପୁଟର ପରବ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ପାଇଥିବା ସ୍ଥଳେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଷଷ୍ଠ ମହୋତ୍ସବଭାବେ ସେହି ତାଲିକାରେ ଯୋଡ଼ି ହୋଇଥିଲା । ଏହି ଅବସରରେ ବଡ଼ ଠାକୁରାଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ବାବଦରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ କୋଟି ପନ୍ଦର ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ଏଥି ନିମନ୍ତେ ପ୍ରସ୍ତୁତ ଏକ ଯୋଜନା କାର୍ଯ୍ୟକାରୀ କରିବା ଦାୟିତ୍ୱ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ଓଟିଡ଼ିସି ଗ୍ରହଣ କରିଥିଲା । ତେବେ ବିଭିନ୍ନ କାରଣରୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ

 

କୁହାଯାଏ ଯେ ବଡ଼ ଠାକୁରାଣୀ ମନ୍ଦିର ସଂଲଗ୍ନ ୫୫୪ ଡେସିମିଲି ଜମିରେ ଏକ ଫୁଲ ବଗିଚା ରହିଛି । ବ୍ରହ୍ମପୁରର ସମସ୍ତ ଠାକୁରାଣୀ ମନ୍ଦିର ବେଢାରେ ଅନ୍ତତଃପକ୍ଷେ ମନ୍ଦାର ଓ ଟଗର ଗଛ ଦେଖିବାକୁ ମିଳେ । ଏଠାକାର ଫୁଲ ବର୍ଷତମାମ ପୂଜା ଅର୍ଚ୍ଚନାରେ ବ୍ୟବହୃତ ହୁଏ । ଏହି ବଗିଚାରେ ଏକ ଜନ ସେବା କେନ୍ଦ୍ର ନିର୍ମାଣ କରାଯିବା ବିଚାର କରାଯାଉଛି । ସେଠାରେ ଏକ ଗଭୀର ନଳକୂପ, ଶୌଚାଳୟ ଇତ୍ୟାଦି ସଂଲଗ୍ନ ହେବ । ଏତଦ୍ ବ୍ୟତୀତ ସୁଦୃଶ୍ୟ ପ୍ରବେଶଦ୍ୱାର, ଯାନବାହାନ ରଖିବା ପାଇଁ ପାର୍କିଂ ୟାର୍ଡ, ବିଦ୍ୟୁତ ଆଲୋକ ସଜ୍ଜା ଇତ୍ୟାଦି କାର୍ଯ୍ୟ ହାତକୁ ନିଆଯିବ ।

 

ବଡ଼ ଠାକୁରାଣୀ ମନ୍ଦିର ପରିସର ଉନ୍ନୟନ ପ୍ରକଳ୍ପ ନିମନ୍ତେ ଏକ ପୂର୍ଣ୍ଣାଙ୍ଗ ବିବରଣୀ ଡ଼ିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ମନ୍ଦିରନ୍ୟାସ ଟେମ୍ପଲ ଟ୍ରଷ୍ଟି ଓ ଦେବୋତ୍ତର ବିଭାଗ ଏଣ୍ଡୋମେଣ୍ଟ ଡ଼ିପାର୍ଟମେଣ୍ଟ ପକ୍ଷରୁ ମନ୍ଦିର ପ୍ରାଙ୍ଗଣ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମକୁ ୨୦୧୬ରେ ହସ୍ତାନ୍ତର କରାଯାଇଥିଲା । ତେବେ ଜାଗା ଖାଲି କରିବାରେ ବିବାଦ ଓ ମାଲିମକଦ୍ଦମା ହେତୁ ନିର୍ମାଣ କାମ ଆରମ୍ଭ ହୋଇପାରିନଥିଲା । ଶେଷରେ ୨୦୨୦ରେ ସାମୟିକଭାବେ ଏହି ପ୍ରକଳ୍ପ ସ୍ଥଗିତ ରଖାଯିବା ଘୋଷିତ ହୋଇଥିଲା ।

 

ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନୀୟ ପ୍ରଶାସନ ବ୍ରହ୍ମପୁର ପୌର ନିଗମ ବିଇଏମସି ଓ ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣ ବିଡ଼ିଏ ସହାୟତାରେ ବଡ଼ ଠାକୁରାଣୀ ମନ୍ଦିର ଉନ୍ନୟନ ନିମନ୍ତେ ଅଣ୍ଟା ଭିଡ଼ିଲା । ଏଥିନିମନ୍ତେ ୨୦୨୨ ଜୁନ ଓ ଡ଼ିସେମ୍ୱର ମାସରେ ଦୁଇଗୋଟି ବୈଠକ ଆୟୋଜିତ ହୋଇଥିଲା । ପୌର ନିଗମ ଉନ୍ନୟନ ରୂପରେଖ ପ୍ରସ୍ତୁତି ନିମନ୍ତେ ଭୁବନେଶ୍ୱରର ଏକ ସ୍ଥପତିଙ୍କୁ ନିଯୁକ୍ତି କରିଥିବା ଏବଂ ଉନ୍ନୟନ କାର୍ଯ୍ୟ ପର୍ଯ୍ୟାୟକ୍ରମେ ରୂପାୟନ ନିମନ୍ତେ ସ୍ଥରୀକୃତ ହୋଇଥିବା କୁହାଯାଏ । ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ତାରାତାରିଣୀ ମନ୍ଦିର ନିର୍ମାଣ ଦାୟିତ୍ୱ ବହନ କରିଥିବା ଶିଳ୍ପୀମାନେ ଅଂଶଗ୍ରହଣ କରିବା ଶୁଣିବାକୁ ମିଳେ ।

 

ବ୍ରହ୍ମପୁର ବଡ଼ ଠାକୁରାଣୀ ମନ୍ଦିରର କେତେକ ପୁନଃ ନିର୍ମାଣ କାର୍ଯ୍ୟ ବିଗତ ଶତାଦ୍ଦୀ ଅଷ୍ଟମ-ନବମ ଦଶକରେ ମନ୍ଦିର ନ୍ୟାସ ଉଦ୍ୟମରେ ସମାହିତ ହୋଇଥିଲା । ଏଥି ମଧ୍ୟରେ ମନ୍ଦିର ଓ ବେଢ଼ାରେ ମାର୍ବଲ ଚଟାଣ ଓ ମଣ୍ଡପ ଅନ୍ତର୍ଭୁକ୍ତ । ଏହି ସମସ୍ତ ପୁନଃନିର୍ମାଣ କାର୍ଯ୍ୟ ମନ୍ଦିର ପରିସର ମଧ୍ୟରେ ଆବଦ୍ଧ ରହିଥିଲା । ପୂର୍ବରୁ ମନ୍ଦିର ମଧ୍ୟରେ ଭକ୍ତମାନେ ଦୀପ ପ୍ରଜ୍ୱଳନ କରୁଥିଲେ । ପରେ ଏହି ବ୍ୟବସ୍ଥା ମନ୍ଦିର ସମ୍ମୁଖ ଭାଗକୁ ସ୍ଥାନାନ୍ତରିତ କରାଯାଇଥିଲା । ପୁରୁଷ ଓ ମହିଳା ଭକ୍ତଙ୍କ ଦର୍ଶନ ନିମନ୍ତେ ବାଡ଼ ଷ୍ଟିଲ ରେଲିଂ ବ୍ୟବସ୍ଥା ମଧ୍ୟ ସେହି ଅବସରରେ ଆରମ୍ଭ ହୋଇଥିଲା ।

 

କିମ୍ୱଦନ୍ତୀ ଅନୁଯାୟୀ ମହୁରି ରାଜବାଟୀର ଚ଼ର୍ତୁଦିଗରେ ଜନବସତି ଗଢ଼ି ଉଠିବା ଏବଂ ଅଷ୍ଟାଦଶ ଶତାଦ୍ଦୀ ଶେଷଭାଗରେ ଦାକ୍ଷିଣାତ୍ୟରୁ ବୁଣାକାର ସଂପ୍ରଦାୟ ସ୍ଥାୟୀଭାବେ ବସବାସ ଆରମ୍ଭ କରିବା ବେଳକୁ ବ୍ରହ୍ମପୁରର ସୀମା ହୁଏତ ବଡ଼ ଠାକୁରାଣୀ ମନ୍ଦିର ଯାଏଁ ସୀମିତ ରହିଥିଲା । ମହୁରି ରାଜବାଟୀ ସଂଲଗ୍ନ ଇଲାକାରେ ଗଢ଼ିଉଠିଥିବା ବସ୍ତି ବାସିନ୍ଦାଙ୍କୁ ଏକ ଜଙ୍ଗଲିଆ ରାସ୍ତା ଦେଇ ଗାଁ ମୁଣ୍ଡ ବଡ଼ ଠାକୁରାଣୀଙ୍କ ପୀଠରେ ପହଞ୍ଚିବାକୁ ପଡୁଥିଲା । ଦେବାଙ୍ଗ ସମ୍ପ୍ରଦାୟ ବ୍ରହ୍ମପୁରରେ ପହଞ୍ଚିବା ପୂର୍ବରୁ ଠାକୁରାଣୀ ନିଶ୍ଚିତ ଭାବେ ପୂଜିତ ହେଉଥିଲେକିନ୍ତୁ ସେମାନଙ୍କ ନେତୃତ୍ୱରେ ମନ୍ଦିର ନିର୍ମିତ ହୋଇଥିଲା କି ତାହାର ପ୍ରାମାଣିକ ତଥ୍ୟ ଖୋଜି ବାହାର କରାଯାଇ ପାରି ନାହିଁ । ତେବେ ଡ଼େରା ବା ପାଟରାମାନେ ବ୍ରହ୍ମପୁରରେ ପହଞ୍ଚିବା ପରେ ପାଟବସ୍ତ୍ର ବ୍ୟବସାୟରେ ବେଶ ଲାଭବାନ ହୋଇଥିଲେ ଏବଂ ବୁଣାକାର ପରିବାର ସଂଖ୍ୟା ବୃଦ୍ଧି ପାଇ ୧୮ ଗୋଟି ସାହିକୁ ସଂପ୍ରସାରିତ ହୋଇଥିଲା । ସେହିମାନେ ହିଁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଠାକୁରାଣୀ ଯାତ୍ରା ଆରମ୍ଭ କରିଥିଲେ । ତେଣୁ ବଡ଼ ଠାକୁରାଣୀ ମନ୍ଦିର ସାର୍ବଜନୀନ ଉଦ୍ୟମରେ ବିକଶିତ ହୋଇଥିବା ଯୁକ୍ତିଯୁକ୍ତ ବିଚାର କରାଯାଇପାରେ ।

No comments: