Wednesday, April 24, 2019

ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା

ବ୍ରହ୍ମପୁର ଠାକୁରାଣୀ ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ରୂପେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ମାନ୍ୟତା ଦିଆଯିଇଛି୨୦୧୪ ଅଗଷ୍ଟ ମାସରେ ଘୋଷିତ ହୋଇଥିଲା । ପୂର୍ବରୁ କଟକର ବାଲିଯାତ୍ରା, ଭୁବନେଶ୍ୱରରମୁକ୍ତେଶ୍ୱର ମହୋତ୍ସବ, କୋଣାର୍କ ମହୋତ୍ସବ, ବରଗଡ଼ର ଧନୁ ଯାତ୍ରା ଓ କୋରାପୁଟର ପରବ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ପାଇଥିବା ସ୍ଥଳେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଷଷ୍ଠ ମହୋତ୍ସବ ରୂପେ ସେହି ତାଲିକାରେ ସଂଯୋଜିତ ହୋଇଛି । କୁହାଯାଇଥିଲା ଯେ ଏହି କ୍ରମରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ମୂଳ ପୀଠ ବଡ଼ ଠାକୁରାଣୀ ମନ୍ଦିର ଉନ୍ନୟନ ସକାଶେ ଏକ କୋଟି ଟଙ୍କା ସହାୟତା ମଞ୍ଜୁର କରାଯାଇଛି

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ରାଜ୍ୟସ୍ତରୀୟ ମହୋତ୍ସବ ରୂପେ ମାନ୍ୟତା ପାଇବା ନିଷ୍ପତ୍ତି ସହରବାସୀଙ୍କ ନିମନ୍ତେ ଆନନ୍ଦର ବିଷୟ । ଲୋକ ମହୋତ୍ସବଗୁଡ଼ିକରେ ସ୍ଥାନୀୟ ବାସିନ୍ଦାଙ୍କ ଅଂଶଗ୍ରହଣ ଏହାର ଆୟୋଜନ ଓ ପାଳନରେ ସହାୟକ ହୋଇଥାଏ । ଏହା ଆଖପାଖ ଅଞ୍ଚଳର ଦର୍ଶକମାନଙ୍କୁ ଆପେ ଆପେ ଆକର୍ଷିତ କରିଥାଏ ମୁଖ୍ୟତଃ ଲୋକମୁଖରେ ଉତ୍ସବର ବିଭିନ୍ନ ବିଭବ ପ୍ରଚାରିତ ହୋଇଥାଏ । ଠାକୁରାଣୀ ଯାତ୍ରା ବ୍ରହ୍ମପୁରର ମୌଳିକ ଉତ୍ସବ ରୂପେ ପାଳିତ ହେଉଥିଲେ ହେଁ ଏହା ଗଞ୍ଜାମ, ଗଜପତି, ଅବିଭକ୍ତ କୋରାପୁଟ, କନ୍ଧମାଳ ଓ ଅବିଭକ୍ତ ପୁରୀ ଜିଲ୍ଲା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟଣା ଜିଲ୍ଲାରୁ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ଅତୀତରେ ବିଭିନ୍ନ ଅଞ୍ଚଳରୁ ଯାତ୍ରୀମାନେ ଶଗଡ଼ରେସପରିବାରେ ଯାତ୍ରାରେ ଯୋଗଦେବା ନିମନ୍ତେ ପହଞ୍ଚୁଥିଲେ । ଯାତ୍ରା ଉପଭୋଗ କରିବା ସହ ବ୍ରହ୍ମପୁର ବଜାରରେ କିଣାବିକା ଓ ମଉଜମଜଲିସ ଅନ୍ୟତମ ଆକର୍ଷଣ ରହୁଥିଲା । ସ୍ୱାଧୀନତା ପୂର୍ବାବସ୍ଥାରେ ବ୍ରହ୍ମପୁର ମନ୍ଦିରମାଳିନୀ ଓ ପୁଷ୍କରଣୀମୟ ସହର ରୂପେ ଗଢ଼ି ଉଠିଥିଲା । ଗ୍ରାମାଞ୍ଚଳରୁ ଶଗଡ଼ରେ ଆସି ପହଞ୍ଚୁଥିବା ପରିବାରଗୁଡ଼ିକ ପୋଖରୀ ହୁଡ଼ାରେଶଗଡ଼ ଅଟକାଉ ଥିଲେ । ବ୍ରହ୍ମପୁରରେ ଅପରାହ୍ନ ସୁଦ୍ଧା ପହଞ୍ଚି ଅନ୍ତତଃ ପକ୍ଷେ ଗୋଟିଏ ରାତି ବିତାଇ ତହିଁ ପରଦିନ ସକାଳୁ ସକାଳୁବାସସ୍ଥାନ ଅଭିମୁଖେ ଫେରିବା ଏକ ସାଧାରଣ ପ୍ରଥାରୂପେ ପରିଗଣିତ ହେଉଥିଲାଯାତ୍ରାରେ ଯୋଗଦେବାପାଇଁ ଏକାଧିକ ପରିବାର ଏକତ୍ର ଆସୁଥିବା ହେତୁ ଘରୁ ବାହାରିବାଠାରୁ ଘରେ ପହଞ୍ଚିବା ଦୁଇ ଦିନ ଯାଏଁ ଉତ୍ସବମୁଖରମାହୋଲରେ ସମୟ ଅତିବାହିତ ହେଉଥିଲା । ଗ୍ରୀଷ୍ମକାଳୀନ ପାଣିପାଗ ଓ ଫସଲ ଆମଦାନୀପର ସମୟ ଗ୍ରାମାଞ୍ଚଳ କୃଷିଜୀବୀମାନଙ୍କୁ ଯାତ୍ରା ଉପଭୋଗ କରିବାପାଇଁ ଅନୁକୂଳ ବାତାବରଣ ଓ ଖର୍ଚ୍ଚ କରିବାପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦେଉଥିଲା ।

ସ୍ୱାଧୀନୋତ୍ତର ଅବସ୍ଥାରେ ରାସ୍ତାଘାଟର ଉନ୍ନତି ଓ ମଟରଗାଡ଼ିର ବ୍ରହ୍ମପୁରରେ ପହଞ୍ଚିବା ପାଇଁ ନୂତନ ସୁବିଧା ସୃଷ୍ଟି କଲା । ଅତୀତରେ ବ୍ରହ୍ମପୁର ସହର ପରିଦର୍ଶନ ପାଇଁ ଦୀର୍ଘ ସମୟ ବ୍ୟବଧାନରେର ସୁଯୋଗ ପାଉଥିବା ବହୁ ଗ୍ରାମବାସୀ ବିଭିନ୍ନ କାର୍ଯ୍ୟ ଉଦ୍ଦେଶ୍ୟରେ ବାରମ୍ୱାର ବ୍ରହ୍ମପୁର ଗସ୍ତ କରିବା ସମ୍ଭବପର ହୋଇପାରିଲା । ଫଳତଃ  ଠାକୁରାଣୀ ଯାତ୍ରା ଅବସରରେ ବ୍ରହ୍ମପୁର ପରିଦର୍ଶନର ଉନ୍ମାଦନା ଅପସରି ଗଲା । ବହୁ ଦୂରରୁ ଯାତ୍ରୀମାନେ ଖୁବ୍ କମ୍ ସମୟରେ ବ୍ରହ୍ମପୁରରେ ପହଞ୍ଚି ପାରିଲେ । ସହରର ବର୍ଦ୍ଧିଷ୍ଣୁ ହୋଟେଲ ଓ ଲଜିଂରେସପରିବାରରେ ରାତି ବିତାଇଲେ । ବ୍ରହ୍ମପୁର ବଜାରକୁ ଆବଶ୍ୟକମତେ ଯିବା ଆସିବା ଚାଲୁ ରହୁଥିବା ହେତୁ ହୁଏତ କିଣାବିକାର ପୂର୍ବ ଗୁରୁତ୍ୱ ନ ଥିଲେ ମଧ୍ୟ ଯାତ୍ରାର ଉତ୍ସବମୁଖର କିଣାବିକାର ପ୍ରଭାବ ସମୂଳେ ଲୋପ ପାଇପାରିନାହିଁ ।

ଜରୁରିକାଳୀନ ପରିସ୍ଥିତି ପର ଅବସ୍ଥାରେ ଓଡ଼ିଶାରେସମ୍ୱାଦପତ୍ରର ଲୋକପ୍ରିୟତା, ୧୯୮୨ରୁ ଦୂରଦର୍ଶନ, ୧୯୯୨ରୁ କେବଲ ଟେଲିଭିଜନ ଓ ୨୦୦୨ରୁ ଓଡ଼ିଆଚ଼୍ୟାନେଲର ପ୍ରସାରଣ ସଙ୍ଗେ ଜଗତୀକରଣର ପ୍ରଭାବ ଏକବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଳନଲାଗି ସଂପୂର୍ଣ୍ଣ ପରିବର୍ତ୍ତିତ ପରିବେଶ ସୃଷ୍ଟି କଲା । ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳ ପକ୍କାସଡ଼କଦ୍ୱାରା ସଂଯୋଗ ହେବା ସାଙ୍ଗକୁ ଦୁଇ ଚ଼କିଆ, ତିନି ଚ଼କିଆ ଓ ଚ଼ାରିଚ଼କିଆ ହାଲକା ମଟରଗାଡ଼ି ହାତ ପାଆନ୍ତାରେ ଉପଲବ୍ଧ ହେବାପରେ ଯାତ୍ରାରେ ଯୋଗଦେବା ପାଇଁ ବ୍ରହ୍ମପୁର ଯିବା-ଆସିବା ଅତ୍ୟନ୍ତ ସହଜପ୍ରଦ ହୋଇପାରିଛି । ଠାକୁରାଣୀ ଯାତ୍ରା ସଂପର୍କରେ ସମ୍ୱାଦପତ୍ରଗୁଡ଼ିକର ସ୍ଥାନୀୟ ସଂସ୍କରଣଗୁଡ଼ିକରେ ପୁରା ପୃଷ୍ଠା ବିବରଣୀ ତଥା ଓଡ଼ିଆଟେଲିଭିଜନ ଚ଼୍ୟାନେଲରେସୁବିସ୍ତୃତ ବର୍ଣ୍ଣନା ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଟିକିନିଖି ଖବର ପଡ଼ୋଶୀ ଗ୍ରାମାଞ୍ଚଳରେ ପହଞ୍ଚାଇ ଦେଇପାରୁଛି । ଫଳତଃ ଯାତ୍ରାର ଆକର୍ଷଣ ପରିବ୍ୟାପ୍ତ ହୋଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ଠାକୁରାଣୀ ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ଭବିଷ୍ୟତରେ ଏହାକୁ ରାଜ୍ୟ, ରାଷ୍ଟ୍ର ତଥା ଅନ୍ତଃରାଷ୍ଟ୍ରୀୟସ୍ତରରେ ପର୍ଯ୍ୟଟନ ଆକର୍ଷଣ ରୂପେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ଆଶା କରାଯାଇପାରେ ।

No comments: