Friday, March 29, 2019

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଆୟୋଜନ


ବ୍ରହ୍ମପୁର ସହରର ପାରମ୍ପରିକ ଠାକୁରାଣୀ ଯାତ୍ରା ଦକ୍ଷିଣ ଓଡ଼ିଶା ଓ ଉତ୍ତର-ପୂର୍ବ ଆନ୍ଧ୍ରପ୍ରଦେଶରେ ପ୍ରସିଦ୍ଧ । ପ୍ରତି ବର୍ଷକ ଅନ୍ତରରେ ଥରେ ଚୈତ୍ର ଓ ବୈଶାଖ ମାସରେ ପାଳିତ ହେଉଥିବା ଏହି ଯାତ୍ରା ସହରର ସାମାଜିକ, ସାଂସ୍କୃତିକ ତଥା ଅର୍ଥନୀତି କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଥାଏ । ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀ ଦେବୀ ବଡ଼ ଠାକୁରାଣୀଙ୍କ ଏହି ଯାତ୍ରା-ମହୋତ୍ସବ ପାଳନ ଅବସରରେ ଗ୍ରାମାଞ୍ଚଳରୁ ଅଗଣିତ ଦର୍ଶନାଭିଳାଷୀ ଆକର୍ଷିତ ହୋଇଥାନ୍ତି ।

ଠାକୁରାଣୀ ଯାତ୍ରା କେଉଁ ସମୟରୁ ଆରମ୍ଭ ହୋଇଛି ସେ ସମ୍ପର୍କରେ ଗବେଷଣାଲବ୍ଧ କୌଣସି ନିର୍ଦ୍ଦିଷ୍ଟ ଐତିହାସିକ ତଥ୍ୟ ବର୍ତ୍ତମାନ ଯାଏଁ ଲୋକଲୋଚନକୁ ଆସିପାରିନାହିଁ । ତେବେ କେତେକ କିମ୍ୱଦନ୍ତୀକୁ ପାଥେୟ କରି ଯାତ୍ରାର ଉତ୍ପତ୍ତି ସମ୍ପର୍କରେ ଆଲୋଚ଼ନା କରାଯାଇପାରେ । ଠାକୁରାଣୀ ଯାତ୍ରା ସହ ଆଜି ସୁଦ୍ଧା ଦେବାଙ୍ଗ ବା ଡ଼େରା ବୁଣାକର ସଂପ୍ରଦାୟ ଓ ମହୁରି ରାଜପରିବାରଙ୍କ ସଂଶ୍ଳିଷ୍ଠତାକୁ ବିଚ଼ାରକୁ ନେଇ ମହୁରି ରାଜାଙ୍କ ରାଜମହେନ୍ଦ୍ରୀ ଭ୍ରମଣ କିମ୍ୱଦନ୍ତୀକୁ ପ୍ରାଧାନ୍ୟ ଦିଆଯାଇପାରେ ।

କୁହାଯାଏ ଯେ, ମହୁରି ରାଜା ହରିହର ନରେନ୍ଦ୍ର ଦେବ ଏକଦା ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ ଏବଂ ସେଠାକାର ବୁଣାକରମାନଙ୍କ ଶିଳ୍ପ ଚାତୁର୍ଯ୍ୟରେ ମୁଗଧ୍ ହୋଇଥିଲେ । ରାଜାଙ୍କ ସହ ପରିଚିତ ହେବା ପରେ ରାଜକୃପା ଲାଭ କରି ରାଜମହେନ୍ଦ୍ରୀରୁ କେତେକ ବୁଣାକର ପରିବାର ମହୁରି ରାଜ୍ୟକୁ ଆସି  ବ୍ରହ୍ମପୁରରେ ନୂଆ କରି ଗଢ଼ି ଉଠିଥିବା ମହୁରି ରାଜବାଟୀ ନିକଟରେ ବସତି ସ୍ଥାପନ କରିଥିଲେ । ବଂଶାନୁକ୍ରମିକଭାବେ ସେହିମାନେ ହିଁ ଆଜିକାର ଡ଼େରା ବୁଣାକର ସଂପ୍ରଦାୟରୂପେ ପରିଚିତ ।

ଦାକ୍ଷିଣାତ୍ୟରେ ଘଟ ପୂଜା ପଦ୍ଧତି ପ୍ରଚଳିତ । ବୁଣାକର ସଂପ୍ରଦାୟଙ୍କ ମହୁରି ରାଜ୍ୟକୁ ଆଗମନ ଓ ବ୍ୟବସାୟ ଆରମ୍ଭ ପରେ ସେମାନେ ଦାକ୍ଷିଣାତ୍ୟର ଘଟପୂଜା ପଦ୍ଧତି ଏଠାରେ ପ୍ରଚଳନ କରିଥିବା ଅନୁମାନ କରାଯାଏ । ଡ଼େରାମାନଙ୍କ ପାଟମଠା ବସ୍ତ୍ରର ଖ୍ୟାତି ବଢ଼ିଚାଲିଲା ଏବଂ ସେମାନେ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱଚ୍ଛଳ ହେଲେ । ବ୍ୟାବସାୟିକ ତଥା ଆର୍ଥିକ ସଫଳତା ଆଡ଼ମ୍ୱରପୂର୍ଣ୍ଣ ଓ ବ୍ୟୟବହୁଳ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ପ୍ରଶସ୍ତ କ୍ଷେତ୍ର ଯୋଗାଇଥିଲା ।

ତତ୍ ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁର ବ୍ୟାବସାୟିକ କ୍ଷେତ୍ରରେ କୁମୁଟି ବୈଶ୍ୟ ସଂପ୍ରଦାୟଙ୍କ ପ୍ରାଧାନ୍ୟତା ଅନୁଭବ ହୋଇଥିଲା ଏବଂ ସେମାନଙ୍କ ପକ୍ଷରୁ ମଧ୍ୟ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ସହଯୋଗ ଜାରୀ ରହିଥିଲା । ତେବେ ମୂଳତଃ ଧାର୍ମିକ ତଥା ପାରମ୍ପରିକ ଧାରାକୁ ବାଦ ଦେଇ ବିଶ୍ଳେଷଣ କଲେ ଫସଲ ଆମଦାନୀ ପର ଗ୍ରୀଷ୍ମଋତୁରେ ଏଭଳି ଏକ ଯାତ୍ରା ଆୟୋଜନ ଫଳରେ ଗ୍ରାମାଞ୍ଚଳରୁ ଜନସାଧାରଣ ବ୍ରହ୍ମପୁର ବଜାର ପ୍ରତି ଆକୃଷ୍ଟ ହେବା ଏବଂ ବ୍ୟାବସାୟୀଗଣ ଏଥିରୁ ବ୍ୟବସାୟିକ ଫାଇଦା ପାଇଁ ଏକ ସୁଯୋଗ ସୃଷ୍ଟି କରିବା ଉଦ୍ୟମରେ ଜାକଜମକରେ ଯାତ୍ରା ପାଳନ ଲାଗି ପୃଷ୍ଠପୋଷକତା ଯୋଗାଇଥିବା ସ୍ପଷ୍ଟ ବାରି ହୁଏ ।

ଭାରତବର୍ଷରେ ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ସ୍ୱାଧୀନତାର ପ୍ରାକ୍ କାଳରେ ଦେଶରେ ସର୍ବତ୍ର ଏଭଳି ଧାର୍ମିକ ମେଳନଗୁଡ଼ିକୁ ବ୍ୟାବସାୟିକ ଉନ୍ନତି ବା ସେଲସ୍ ପ୍ରମୋଶନ ପାଇଁ ପ୍ରକୃଷ୍ଟ କ୍ଷେତ୍ର ରୂପେ ବ୍ୟବହାର କରାଯାଉଥିଲା । ଅତୀତରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏହି ଅଞ୍ଚଳର ଜନସମାଗମ ପାଇଁ ଏକ ବିଶିଷ୍ଟ ଉତ୍ସବ ରୂପେ ବିବେଚିତ ହେଉଥିବା ଯୋଗୁଁ ବ୍ୟାବସାୟିକ ପ୍ରଜ୍ଞାପନ କବଳରୁ ଏହାର ମୁକ୍ତି ପାଇବା ସମ୍ଭବପର ନଥିଲା । ତେବେ ଆଜିକାଲିକା ବଜାରଭିତ୍ତିକ ସଭ୍ୟତାରେ ବ୍ୟବସାୟୀମାନେ ବର୍ଷ ସାରା ପ୍ରତିଦିନ ବିଜ୍ଞାପନ ଓ ଭାବମୂର୍ତ୍ତି ବା ବ୍ରାଣ୍ଡ ପ୍ରମୋଶନରେ ଲାଗି ରହୁଥିବା ଯୋଗୁଁ ସ୍ଥାନୀୟ ବ୍ୟବସାୟୀ ଗୋଷ୍ଠୀଙ୍କ ପକ୍ଷରୁ ଏଭଳି ଯାତ୍ରା ପାଳନ ପାଇଁ ପୂର୍ବ ଆଗ୍ରହ ପରିଲକ୍ଷିତ ହେଉ ନାହିଁ । ଅପରପକ୍ଷରେ ଜଗତୀକରଣ ପରବର୍ତ୍ତୀ ଅବସ୍ଥାରେ କ୍ରମଶଃ ସାଧାରଣ ଲୋକେ ଯାତ୍ରାପାଳନରେ ଅଧିକ ସଂଖ୍ୟାରେ ସାମିଲ ହେଉଥିବା ଅନୁଭୂତ ହେଉଛି ।

No comments: