Sunday, March 31, 2019

ଯାତ୍ରା ଆରମ୍ଭର କାଳ ନିର୍ଣ୍ଣୟ


ମହୁରି ରାଜ୍ୟର ରାଜଧାନୀ ରୂପେ ବ୍ରହ୍ମପୁର ଗଢ଼ି ଉଠିଥିଲା । ଐତିହାସିକ ତଥ୍ୟ ଅନୁଯାୟୀ ଓଡ଼ିଶାର ଗଜପତି ପୁରୁଷୋତ୍ତମ ଦେବ ପଞ୍ଚଦଶ ଶତାଦ୍ଦୀ ଶେଷଭାଗରେ ମହୁରି ରାଜ୍ୟ ପ୍ରତିଷ୍ଠା କରିଥିଲେ । କେରାଣ୍ଡିମାଳ ପର୍ବତ ପାଦଦେଶରେ ମହୁରିଗଡ଼ ବା ଅଧୁନା ବ୍ରହ୍ମପୁର-ଚ଼ିକିଟି ରାସ୍ତା କଡ଼ର ମହୁଡ଼ା ଗ୍ରାମ ନିକଟରେ ଏକ ପ୍ରସ୍ତର ନିର୍ମିତ ଦୁର୍ଗରେ ମହୁରି ରାଜ ପରିବାର ବାସ କରୁଥିଲେ । ତେବେ ସେଠାରୁ ୧୨ କିଲୋମିଟର ଦୁରବର୍ତ୍ତୀ ଏକ ସମତଳ ସ୍ଥାନରେ ୧୬୬୨ ରୁ ୧୬୭୨ ଖ୍ରୀଷ୍ଟଦ୍ଦ ମଧ୍ୟରେ ନୂତନ ରାଜବାଟୀ ନିର୍ମାଣ କରି ମହୁରି ରାଜପରିବାର ଚ଼ାଲି ଆସିଥିଲେ ।

୧୬୭୨ ଖ୍ରୀଷ୍ଟାଦ୍ଦରେ ହରିଡ଼ାଖଣ୍ଡିଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ୱାମୀ ମନ୍ଦିର ପ୍ରତିଷ୍ଠିତ ହୋଇଥିଲା । ମନ୍ଦିର ଓ ରାଜବାଟୀ ମଧ୍ୟରେ ସମୟକ୍ରମେ ବହୁ ମଠ ମନ୍ଦିର ସ୍ଥାପିତ ହେବା ପରେ ଗଢ଼ିଉଠୁଥିବା ଜନବସତିକୁ ଦେବତାମାନଙ୍କ ନିବାସ ସ୍ଥଳ ବ୍ରହ୍ମପୁର ନାମିତ କରାଯାଇଥିଲା । ୧୯୩୨ ଖ୍ରୀଷ୍ଟାଦ୍ଦରେ ମାନ୍ଦ୍ରାଜରୁ ପ୍ରକାଶିତ ବି.ଜେ.ମାଲଟବିଙ୍କ ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନୁଆଲର ପୃ.୪୭ରେ ଏହା ଲିପିବଦ୍ଧ ହୋଇଛି । ବ୍ରହ୍ମପୁର ସହରର ଉତ୍ପତ୍ତି ସଂପର୍କରେ ତାହା ହିଁ ପ୍ରାଚ଼ୀନତମ ପ୍ରାମାଣିକ ଗ୍ରନ୍ଥ ।

ହରିହର ନରେନ୍ଦ୍ର ଦେବଙ୍କ ପିତା ନାରାୟଣ ଦେବଙ୍କ ରାଜତ୍ୱ ସମୟରେ ମହୁରି ରାଜ୍ୟ ଇଂରେଜମାନଙ୍କ ଶାସନାଧୀନ ହୋଇଥିଲା । ୧୭୭୦ ମସିହା ଫେବୃୟାରୀ ୧୦ ତାରିଖ ଦିନ ନାରାୟଣ ଦେବଙ୍କ ମୃତ୍ୟୁ ଘଟିଲା ଏବଂ ତାଙ୍କରି ପୁତ୍ର ହରିହର ନରେନ୍ଦ୍ର ଦେବ ୧୨ ବର୍ଷ ବୟସରେ ରାଜସିଂହାସନ ଆରୋହଣ କଲେ । ୧୭୮୨ ଡ଼ିସେମ୍ୱର ୧୦ ତାରିଖ ଦିନ ହରିହର ନରେନ୍ଦ୍ର ଦେବଙ୍କୁ ହତ୍ୟା କରାଗଲା । ଏହି ବାର ବର୍ଷର ସମୟସୀମାରେ ହରିହର ନରେନ୍ଦ୍ରଦେବ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ ଏବଂ ଦେବାଙ୍ଗ ବୁଣାକର ପରିବାରବର୍ଗ ବ୍ରହ୍ମପୁର ଆଗମନ କରି ମହୁରି ରାଜବାଟୀ ନିକଟରେ ବସତି ସ୍ଥାପନ କରିଥିଲେ । ଅନୁମାନ କରାଯାଇପାରେ ଯେ, ଦେବାଙ୍ଗ ସଂପ୍ରଦାୟଙ୍କ ବସତି ସ୍ଥାପନ ଓ ବ୍ୟବସାୟ ଆରମ୍ଭ ପରେ ଅଷ୍ଟାଦଶ ଶତାଦ୍ଦୀର ଅଷ୍ଟମ ଦଶକରେ ହିଁ ଠାକୁରାଣୀଯାତ୍ରା ଆରମ୍ଭ ହୋଇଥିଲା ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରା କେବେଠାରୁ ପ୍ରାଧାନ୍ୟ ଲାଭ କଲା ଓ ଯାକଜମକରେ ପାଳିତ ହେଲା ତାହା ଗବେଷଣା ସାପେକ୍ଷ । ଇଂରେଜମାନଙ୍କ ମହୁରି ରାଜ୍ୟ ଆଗମନ ପରଠୁ ବରାବର ଅଶାନ୍ତି ଲାଗି ରହିଥିଲା । ୧୮୩୫ ମସିହାରେ ମହୁରି ରାଜା ବ୍ରିଟିଶ ସରକାରଙ୍କୁ ସଲାମି କର ଦେଇ ନପାରିବା ହେତୁ ବ୍ରହ୍ମପୁର ସହରକୁ ଉକ୍ତ ବକେୟା ଅର୍ଥ ବଦଳରେ ରାଜାଙ୍କ ଠାରୁ ଇଂରେଜ ସରକାର କିଣିନେଇଥିଲେ । ୧୮୫୦ ମସିହାରେ ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟକୁ ଇଂରେଜ ସରକାର ବାଜ୍ୟାପ୍ତ କରିଦେଲେ । ଫଳରେ ଏଠାରେ କେତୋଟି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ସ୍ଥାପିତ ହେଲା ଏବଂ କ୍ରମଶଃ ଏକ ବାଣିଜ୍ୟ ପେଣ୍ଠରୂପେ ଗଢ଼ି ଉଠିଲା ।

୧୮୬୫ରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା । ଅତଏବ ଊନବିଂଶ ଶତାଦ୍ଦୀର ଶେଷଭାଗରେ ହିଁ ବ୍ରହ୍ମପୁରରେ ଜାକଜମକରେ ଯାତ୍ରା ପାଳନ ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ । ସେହି ସମୟବେଳକୁ ଗୋପାଳପୁର ବନ୍ଦରର ବିକାଶ, ବିଂଶଶତାଦ୍ଦୀ ଆରମ୍ଭରେ ବ୍ରହ୍ମପୁରକୁ ରେଳପଥ ସଂଯୋଗ ତଥା ସ୍ୱାଧୀନତାପରବର୍ତ୍ତୀ ଅବସ୍ଥାରେ ୪୯ ନମ୍ୱର ଜାତୀୟ ରାଜପଥରେ ମୋଟର ଯାନ ଯୋଗେ ମାଲ ପରିବହନ କ୍ରମଶଃ ବ୍ରହ୍ମପୁରକୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟାବସାୟିକ କେନ୍ଦ୍ର ରୂପେ ଗଢ଼ି ତୋଳିଲା । ଏଠାକାର ବ୍ୟାବସାୟିକ ଅଭିବୃଦ୍ଧି ଠାକୁରାଣୀଯାତ୍ରା ଆୟୋଜନରେ ସହାୟକ ହୋଇଥିଲା ବୋଲି କୁହାଯାଇପାରେ ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ପ୍ରାୟ ୩୫ ଗୋଟି ରଥ ଓ କଳାକୁଞ୍ଜ ନିର୍ମିତ ହୋଇଥାଏ । ଅତୀତରେ ରଥଗୁଡ଼ିକ କେବଳ ବଡ଼ ବଜାରରେ ହିଁ ପ୍ରଦର୍ଶିତ ହେଉଥିଲା । ଆଖପାଖ ସାହୀର ଲୋକେ ଚ଼ାନ୍ଦାଭେଦାରେ ରଥ ନିର୍ମାଣ ପରେ ସେଗୁଡ଼ିକ ବଡ଼ ବଜାର ଅଞ୍ଚଳକୁ ଟାଣି ଆଣୁଥିଲେ । ସହରରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା ହେବାପରେ ରଙ୍ଗବେରଙ୍ଗ ଆଲୋକ ସଂଯୋଗରେ ରଥ ଓ ରାଜରାସ୍ତାଗୁଡ଼ିକର ସୌନ୍ଦର୍ଯ୍ୟ ବଢ଼ିଥିଲା । କ୍ରମଶଃ କେବଳ ବଡ଼ ବଜାର ପରିବର୍ତ୍ତେ ଆଖପାଖ ଅଞ୍ଚଳରେ ମଧ୍ୟ ରଥ ନିର୍ମିତ ହେଲା । ୧୯୬୧ ଓ ୬୩ ଯାତ୍ରାରେ ଅଧିକ ସାହୀରେ କଳାକୁଞ୍ଜ ନିର୍ମାଣ ଆରମ୍ଭ ହୋଇଥିଲା । ପ୍ରତି ଯାତ୍ରା ଅବସରରେ ଶେଷ ସପ୍ତାହଟି ରଥ ଓ କଳାକୁଞ୍ଜ ପ୍ରଦର୍ଶନର ପରମ୍ପରା ଯାତ୍ରାକୁ ଆକର୍ଷଣୀୟ କରିଥାଏ ।

No comments: