Saturday, April 22, 2017

ଠାକୁରାଣୀ ଯାତ୍ରା ଅବଧି

କିମ୍ବଦନ୍ତୀ ଅନୁଯାୟୀ ପ୍ରଥମ ଦେଶୀବେହେରା ଠାକୁରାଣୀ ଯାତ୍ରା ଆରମ୍ଭ କରିଥିଲେ l ଏହି ଦ୍ୱି-ବାର୍ଷିକ ଲୋକମହୋତ୍ସବ ଆୟୋଜନ ପରବର୍ତ୍ତୀ ଦେଶୀବେହେରାମାନଙ୍କ ତତ୍ୱାବଧାନରେ ହୋଇଆସୁଛି l ଏଥିଲାଗି ତେଲୁଗୁ ପୁରୋହିତ (ସିଦ୍ଧାନ୍ତି)ଙ୍କ ପରାମର୍ଶକ୍ରମେ ଶୁଭତିଥି ନିର୍ଣ୍ଣୟପରେ ଦେଶୀବେହେରା ପ୍ରଥମେ ନିଜ କୁଳର ସେନାପତି ଓ ପରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ସମର୍ଥନରେ ଯାତ୍ରା ଆୟୋଜନ ଘୋଷଣା କରିଥାନ୍ତି l
ତେବେ ଏହି ଭଳି ମହୋତ୍ସବ ଆୟୋଜନଲାଗି ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ପଡିଥାଏ l ଦେଶୀବେହେରା ପ୍ରଶାସନ ନିକଟରେ ଦରଖାସ୍ତ ପେଶ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଠାକୁରାଣୀ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥାନ୍ତି l
ଗତ ୨୦୧୫ ମସିହାରେ ୨୮ ମାର୍ଚ୍ଚରୁ ୨୭ ଏପ୍ରିଲ ୩୧ ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥିଲା l ପ୍ରଶାସନ ପକ୍ଷରୁ ପ୍ରଥମେ ୨୦ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ଦେଇଥିବା ବେଳେ ପରେ ପୁଣି ୧୧ ଦିନ ଯାତ୍ରାର ଅବଧି ବଢାଇଥିଲେ l ୨୦୧୩ ମସିହାରେ ଠାକୁରାଣୀ ଯାତ୍ରା ୫ ଏପ୍ରିଲରୁ ୨୯ ଏପ୍ରିଲ ୨୫ ଦିନ ଧରି ଅନୁଷ୍ଠିତ ହୋଇଥିଲା l ୨୦୧୧ ମସିହାରେ ଠାକୁରାଣୀ ଯାତ୍ରା ମଧ୍ୟ ୨୯ ଦିନ ଅନୁଷ୍ଠିତ ହୋଇଥିଲା l
ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଥରକେ ୩୦ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥିବା ଜଣାଯାଇଛି l ଗତ ୧୭ ମାର୍ଚ୍ଚ ରାତିରେ ଦେଶୀବେହେରା ନିଜ ବାସଗୃହ ସାମନାରେ ଆୟୋଜିତ ବୈଠକରେ ୨ ଏପ୍ରିଲରୁ ୧ ମେ ଯାଏଁ ୩୦ ଦିନ ଯାତ୍ରା ପାଇଁ ନିଷ୍ପତ୍ତି ଘୋଷଣା କରିଥିଲେ l ଏହିମତେ ସେ ପ୍ରଶାସନର ଅନୁମତି ଲୋଡିଥିଲେ l ପୂର୍ବରୁ ଯାତ୍ରା ପାଳନ ଲାଗି ପ୍ରଶାସନ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଅନୁମତି ଦିଆଯାଉଥିବାବେଳେ ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ ଘଟିଛି l ଏକାଥରକେ ଯାତ୍ରାର ଅବଧି ନିର୍ଦ୍ଧାରଣ ଆୟୋଜନ ତଥା ଜନସାଧାରଣଙ୍କ ଯୋଗଦାନଲାଗି ସ୍ୱଚ୍ଛନ୍ଦ ପରିବେଶ ସୃଷ୍ଟି କରିବ l
ବ୍ରହ୍ମପୁର ଠାକୁରାଣୀ ଯାତ୍ରା କେତେ ଦିନ ପାଇଁ ପାଳିତ ହୁଏ ତାହା ପାରିପାରର୍ଶ୍ୱିକ ପରିସ୍ଥିତି ଉପରେ ନିର୍ଭର କରିଥାଏ l ତେବେ ତିନି ସପ୍ତାହ ବା ୨୧ ଦିନରୁ କେବେ କମ୍ ସମୟ ଯାତ୍ରା ଆୟୋଜିତ ହୁଏନା l ନିକଟ ଅତୀତରେ ହିସାବ ଖୋଜିବସିଲେ ଅନେକ ବର୍ଷ ଯାତ୍ରା ତିନି ସପ୍ତାହ ପାଳିତ ହୋଇଥିବା ଜଣାଯାଏ l ତେବେ ଅତୀତରେ ଠାକୁରାଣୀ ଯାତ୍ରା ଦେଢ ମାସରୁ ଦୁଇମାସ ଯାଏଁ ପାଳିତ ହେଉଥିବାର ସୂଚ଼ନା ମିଳେ l
ବ୍ରହ୍ମପୁର ସହର ଏକ ବାଣିଜ୍ୟ ପେଣ୍ଠରୂପେ ଗଢି ଉଠିବା ପରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ, ଫୁଲବାଣୀ, କଳାହାଣ୍ଡି, ପୁରୀ ଓ ଶ୍ରୀକାକୁଲମ ଜିଲ୍ଲାର ଜନସାଧାରଣ କିଣାବିକା ପାଇଁ ଏଠାକୁ ଆସିବାକୁ ଲାଗିଲେ l ବିଶେଷ କରି ଲୁଗାପଟା, ପିତ୍ତଳ ବାସନକୁସନ ଓ ସୁନା ଗହଣା କିଣିବା ନିମିତ୍ତ ଗ୍ରାହକ ଏଠି ଏକତ୍ରୀତ ହେଉଥିଲେ l ଅତୀତରେ ଏହି ଅଞ୍ଚଳର ମୁଖ୍ୟ ଫସଲ ଧାନ କଟା, ମଳା ଓ ଖଣିପକା ପରେ ଚୈତ୍ର ମାସରେ ଚାଷୀ ହାତରେ କିଛି ପଇସା ଆସିଯାଇଥାଏ ଏବଂ ବିଲବାଡିରେ ବିଶେଷ କାମ ନଥାଏ l ଏହି ଅବସରରେ ସପରିବାର ସେ ଯାତ୍ରାରେ ଯୋଗ ଦେବା ନିମନ୍ତେ ଦୁଇବର୍ଷରେ ଥରେ ବ୍ରହ୍ମପୁରରେ ଆସିବା, ଠାକୁରାଣୀ ଯାତ୍ରା ଉପଭୋଗ ଏବଂ ବ୍ରହ୍ମପୁର ବଜାରରେ କିଣାବିକା ସେସମୟରେ ପ୍ରଚଳିତ ଧାରା ଥିଲା l ଏହି କାରଣରୁ ଦୀର୍ଘ ଦିନ ଧରି ଯାତ୍ରା ପାଳନ ନିମନ୍ତେ ଏଠାକାର ବ୍ୟବସାୟୀମାନଙ୍କ ପକ୍ଷରୁ ଆୟୋଜକଙ୍କୁ ପ୍ରୋତ୍ସାହିତ କରାଯାଉଥିଲା l
କ୍ରମଶଃ ଗମନାଗମନ ବ୍ୟବସ୍ଥାର ଉନ୍ନତି ତଥା ବ୍ରହ୍ମପୁର ସହରକୁ ଯିବା ଆସିବା ଏକ ଦୈନନ୍ଦିନ ବ୍ୟାପାର ହୋଇପଡିବା ପରେ ବ୍ୟବସାୟୀ ବା ଗ୍ରାହକ ଆଉ ଠାକୁରାଣୀ ଯାତ୍ରାକୁ ପ୍ରାଧାନ୍ୟ ଦେଲେ ନାହିଁ l ତେବେ ସମ୍ୱାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣ ପ୍ରକାଶନ ଓ ଟେଲିଭିଜନ ପ୍ରସାରଣ ପରିବ୍ୟାପ୍ତ ହେବାପରେ ବିଗତ ଦୁଇ ଦଶନ୍ଧୀ ଧରି ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପୁନଃ ଲୋକପ୍ରିୟତା ଫେରି ପାଉଥିବା ଲକ୍ଷ୍ୟ କରାଯାଇପାରେ l ଜଗତୀକରଣ ପରବର୍ତୀ ଅବସ୍ଥାରେ ବ୍ରହ୍ମପୁରର ତଥା ଆଖପାଖ ଅଞ୍ଚଳର ଜନସାଧାରଣ, ମୁଖ୍ୟତଃ ନିମ୍ନ ଆୟକାରୀବର୍ଗଙ୍କ ଆର୍ଥିକ ସ୍ୱଚ୍ଛଳତା ସେମାନଙ୍କୁ ବିଭିନ୍ନ ପର୍ବପର୍ବାଣୀରେ ଯୋଗଦାନକୁ ପ୍ରୋତ୍ସାହନ ଯୋଗାଇଛି l
ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ରୀତିନୀତି ଟେଲିଭିଜନ କାର୍ଯ୍ୟକ୍ରମରୁ ଅବଗତ ହୋଇ ବ୍ରହ୍ମପୁରବାସୀ ଏଠାକାର ଠାକୁରାଣୀ ଯାତ୍ରାରେ ତାହା ସନ୍ନିବେଶିତ କରାଉଥିବା ଦେଖିବାକୁ ମିଳୁଛି l ଉଦାହରଣ ସ୍ୱରୂପ ୨୦୦୯ ଯାତ୍ରାରେ ଯାତ୍ରା ଦର୍ଶକମାନଙ୍କୁ ଖାଦ୍ୟ ଓ ପାନୀୟ ପରିବେଷଣ ଧାରା ଆରମ୍ଭ ହୋଇଥିଲା l ୨୦୧୧, ୨୦୧୩ ଓ ୨୦୧୫ ଯାତ୍ରା ଅବସରରେ ଏହି ଧାରା ବ୍ୟାପକ ଆକାର ଧାରଣ କରିଛି l ଏହା ୨୦୦୫ ମୁମ୍ୱାଇର ରାଜରାସ୍ତାରେ ବନ୍ୟା ତଥା ବିଭିନ୍ନ ଧାର୍ମିକସ୍ଥଳରେ ପ୍ରସାଦ ବଣ୍ଟନର ନକଲ ବୋଲି କୁହାଯାଇପାରେ l ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକଉତ୍ସବ ରୂପେ ଗଢି ଉଠିଥିବା ହେତୁ ସର୍ଜନଶୀଳତା ଏଥିରେ ଭରି ରହିଥାଏ l ସ୍ଥାନୀୟ ଜନସାଧାରଣ ଉତ୍ସବ ପାଳନରେ ନୂଆ ନୂଆ ଫର୍ଦ୍ଦ ଯୋଗ କରିଥାନ୍ତି l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୦ ଏପ୍ରିଲ ୨୦୧୭

Friday, April 21, 2017

କୃତଜ୍ଞତାଜ୍ଞାପନର ପର୍ବ

ହିନ୍ଦୁ ଧର୍ମାବଲମ୍ବୀମାନେ ଦେବଦେବୀଙ୍କଠାରେ କୃତଜ୍ଞତାଜ୍ଞାପନ ପାଇଁ ବିଭିନ୍ନ ତୀର୍ଥ ଭ୍ରମଣ ତଥା ଧାର୍ମିକ ଉତ୍ସବରେ ଅଂଶ ଗ୍ରହଣ କରିଥାନ୍ତି l ସାଧାରଣ ଜୀବନଯାତ୍ରାରେ ଝଡ଼ଝଞ୍ଜାର ସମ୍ମୁଖୀନ ହେବାବେଳେ ଅନେକେ ଦେବଦେବୀଙ୍କ କୃପା ଲାଭଲାଗି ପ୍ରାର୍ଥନା କରି ଶରଣାପନ୍ନ ହୋଇଥାନ୍ତି l ସମୟାନ୍ତେ ସ୍ଥିତାବସ୍ଥାକୁ ଫେରିବା ପରେ ବିଭିନ୍ନ ଧାର୍ମିକ ପର୍ବପର୍ବାଣୀରେ ଅଂଶ ଗ୍ରହଣ କରି କୃତଜ୍ଞତା ଜ୍ଞାପନ ମଧ୍ୟ କରିଥାନ୍ତି l ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକମହୋତ୍ସବ ଭାବେ ଗଢ଼ି ଉଠିଥିବାସ୍ଥଳେ ମୁଖ୍ୟତଃ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ ତଥା ମାନସିକ ବେଶ ଧାରଣକୁ ବିଚାରକୁ ନେଲେ ଏହାକୁ ଏକ କୃତଜ୍ଞତା ଜ୍ଞାପନର ପର୍ବ ରୂପେ ବିବେଚନା କରାଯାଇପାରେ l
ଠାକୁରାଣୀ ଯାତ୍ରାରେ ବେଶ ଧାରଣ ପାଇଁ ଜଣେ ନିଜେ ମାନସିକ କରିପାରେ କିମ୍ବା ଅନ୍ୟ ଜଣକ ପାଇଁ ମଧ୍ୟ ମାନସିକ କରାଯାଇ ପାରେ l ବୟସ୍କ ପୁରୁଷମାନେ ନିଜେ ମାନସିକ କରୁଥିବା ବେଳେ କମ ବୟସର ବାଳକମାନଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା ବା ପରିବାରର ଗୁରୁଜନମାନେ ମାନସିକ କରିଥାନ୍ତି l ପାରମ୍ପରିକଭାବେ ଗଞ୍ଜାମ ଜିଲ୍ଲାରେ ଶକ୍ତିପୂଜା ବହୁଳଭାବେ ପ୍ରଚଳିତ ଏବଂ ବ୍ରହ୍ମପୁରରେ ବଡ ଠାକୁରାଣୀ ଅଧିଷ୍ଠାତ୍ରୀ ଦେବୀରୂପେ ପୂଜିତ l ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ୨୪୦ରୁ ଅଧିକ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ହେତୁ ଏହି ଭଳି ଏକ ଧାର୍ମିକ ମହୋତ୍ସବରେ ବେଶ ଧାରଣଲାଗି ମାନସିକ କରିବା ଧାରା ଲୋକଆଦୃତ ହୋଇପାରିଛି l ବେଶଧାରଣ କେବଳ ପୁରୁଷମାନଙ୍କ କ୍ଷେତ୍ରରେ, ମୁଖ୍ୟତଃ ବାଳକଙ୍କଠାରୁ ଯୁବକଙ୍କ ମଧ୍ୟରେ ସୀମିତ ଥିବାବେଳେ ମହିଳାମାନେ ଘଟଧାରଣ ଲାଗି ମାନସିକ କରିଥାନ୍ତି l ପୁରୁଣା ବ୍ରହ୍ମପୁରର ଅନେକ ପରିବାରରେ ଏହା ଏକ ପରମ୍ପରା ରୂପେ ପ୍ରବର୍ତ୍ତି ହୋଇଆସିଛି l
ଠାକୁରାଣୀ ଯାତ୍ରା ଆୟୋଜନରେ ବିଭିନ୍ନ ନୀତି ରୂପାୟନ ଲାଗି କେତେକ ନିର୍ଦ୍ଦିଷ୍ଟ ପରିବାର ପୁରୁଷାନୁକ୍ରମିକ ଭାବେ ସେବା ଯୋଗାଇ ଆସୁଥିବା ଲକ୍ଷ୍ୟ କରାଯାଇପାରେ l ଯାତ୍ରା ଆୟୋଜନ ନିମନ୍ତେ ନିଷ୍ପତି ଗ୍ରହଣ ପରେ ଶୁଭଖୁଣ୍ଟି ସ୍ଥାପନଠାରୁ ଆରମ୍ଭ କରି, ଅସ୍ଥାୟୀ ମଣ୍ଡପ ନିର୍ମାଣ, ଗୋବର ଲେପନ ଓ ଝୋଟି ଦିଆ, ଘଟ ନିର୍ମାଣ, ଘଟ ଚିତ୍ରଣ, ଫୁଲ ସଂଗ୍ରହ, ବାଉଁଶ ଚାଙ୍ଗୁଡ଼ି ପ୍ରଦାନ, ଛାମୁଣ୍ଡିଆ ନିର୍ମାଣ, ଘଟ ପରିକ୍ରମାରେ ସୁରକ୍ଷା ଏବଂ ପୂଜା ପଦ୍ଧତି ପରିଚାଳନା ଲାଗି ବଂଶାନୁକ୍ରମିକଭାବେ କାର୍ଯ୍ୟ କରି ଆସୁଛନ୍ତି l
ଦ୍ୱି-ବାର୍ଷିକ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ଦେଶୀବେହେରା ନିଜ କୁଳର ସେନାପତି ଓ ସର୍ବସାଧାରଣଙ୍କ ସମ୍ମତି ହାସଲ କରିବାପରେ ବଡ ଠାକୁରାଣୀଙ୍କଠାରୁ ଆଜ୍ଞା ପାଇ ଶୁଭଖୁଣ୍ଟ ସ୍ଥାପନ ମାଧ୍ୟମରେ ଯାତ୍ରା ତିଥି ଘୋଷଣା କରିଥାନ୍ତି l ଶୁଭଖୁଣ୍ଟ ପ୍ରସ୍ତୁତି ନିମନ୍ତେ ବାଉଁଶ ଆଗାସାହୀସ୍ଥିତ ପୃଷ୍ଟି ବଂଶ ପୁରୁଣା ବାଉରି ସାହୀରୁ କାଟି ଆଣିଥାନ୍ତି l ପୃଷ୍ଟି ପରିବାରଙ୍କ କୌଳିକ ବୃତ୍ତି ତୁଳାଭିଣା l ସେ ବାଉଁଶ ନିଜ ଘରେ ଇଷ୍ଟଦେବୀଙ୍କଠାରେ ପୂଜା କରି ଗେରୁ ଲିପି ଚନ୍ଦନ, ସିନ୍ଦୁର ଲଗାଇ ଦେଶୀବେହେରାଙ୍କ ଘର ସାମନାରେ ଆୟୋଜିତ ସଭାସ୍ଥଳକୁ ଆଣିଥାନ୍ତି l ଏହି ଶୁଭଖୁଣ୍ଟ ଶୋଭାଯାତ୍ରାରେ ବଡ ଠାକୁରାଣୀ ମନ୍ଦିରକୁ ନିଆଯାଇ ଆଜ୍ଞାମାଳ ସହ ଫେରିବା ପରେ ଅସ୍ଥାୟୀ ମଣ୍ଡପ ନିର୍ମାଣସ୍ଥଳରେ ସ୍ଥାପନ କରାଯାଇଥାଏ l
ଅସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ ପାଇଁ ଜଣେ କୌଳିକ ମହାରଣା ସ୍ୱତଃପ୍ରବୃତଭାବେ ସେବା ଯୋଗାଉଥିବା ବେଳେ ପାରମ୍ପରିକଭାବେ ଶଙ୍କରପୁର ସାହୀର ବାଉରି ସଂପ୍ରଦାୟର ଅବିବାହିତ କନ୍ୟା ଓ ମହିଳାମାନେ ଅସ୍ଥାୟୀ ମଣ୍ଡପରେ ଗୋବର ଲିପା ଓ ଝୋଟି ଦିଆ କାର୍ଯ୍ୟ ସମାପନ କରିଥାନ୍ତି l ଅସ୍ଥାୟୀ ମଣ୍ଡପ କଞ୍ଚା ବାଉଁଶ ଓ ନଡ଼ାରେ ନିର୍ମିତ ହେବା ବେଳେ ଝୋଟି ପାଇଁ ଧଳା ଖଡି ପାଣିରେ ଘୋରି ପିଠଉ ତିଆରି କରାଯିବା ନୀତି ରହିଛି l ଠାକୁରାଣୀଙ୍କୁ ନିମନ୍ତ୍ରଣ କରିବାପାଇଁ ଫୁଲସୁନ୍ଦରୀ ସାହୀରୁ ଫୁଲ ଚାଙ୍ଗୁଡି ଅଣାଯାଉଥିବା ବେଳେ ଷଣ୍ଢ ମହାନ୍ତି ସାହୀରେ ବସବାସ କରୁଥିବା ଅନ୍ୟଏକ ରାଉଳ ପରିବାର ଇଟାମଲ୍ଲୀ ଫୁଲ ହାର ଯୋଗାଇଥାନ୍ତି l
ବଡ ବଜାରରେ ଆୟୋଜିତ ଠାକୁରାଣୀ ଯାତ୍ରା ପାଇଁ ଅନ୍ୟୂନ ସାତ କିଲୋମିଟର ଦୂରବର୍ତ୍ତୀ ଲାଞ୍ଜିପଲ୍ଲୀର କୁମ୍ଭାରମାନେ ଘଟ ନିର୍ମାଣ କରି ଆସୁଛନ୍ତି l ଶୁଭ ତିଥି ଚୟନ କରି କୁମ୍ଭାରମାନେ ଘଟ ତିଆରି କାମ ଆରମ୍ଭ କରିଥାନ୍ତି l ମଧ୍ୟରାତ୍ରୀରେ କୁମ୍ଭାର ପରିବାରର ଜଣେ ପୁରୁଷ ସଦସ୍ୟ ମୃତିକା ପୂଜା କରି ଏକ ନିର୍ଦ୍ଦିଷ୍ଟସ୍ଥାନରୁ କାଠରେ ତାଡି ମାଟି ସଂଗ୍ରହ କରିଥାନ୍ତି l ମାଟି ହାଣ୍ଡି ନିର୍ମାଣ ପରେ ତାହାକୁ ଯେଉଁ ସ୍ଥାନରେ ପୋଡ଼ା ଯାଇଥାଏ ତାହାକୁ ପୋତି ଦିଆଯାଏ l ଅପର ପକ୍ଷେ ଯାତ୍ରାର ଶେଷ ଦିବସରେ ସାଧାରଣ ମହିଳାମାନେ ମଣ୍ଡନ କରୁଥିବା ଘଟ ଲାଠୀ ଓ ଚିକରଡା ଗ୍ରାମର କୁମ୍ଭକାରମାନଙ୍କ ଦ୍ୱାରା ନିର୍ମିତ ହୋଇଥାଏ l ଲାଞ୍ଜିପଲ୍ଲୀର କୁମ୍ଭକାରମାନେ ଦେଶୀବେହେରାଙ୍କ ଘରେ ଘଟ ଯୋଗାଇ ଦେବା ପରେ ମୁଖ୍ୟ ଘଟ ସହ ଆଠଗୋଟି ପାର୍ଶ୍ୱଘଟକୁ ଆଇନାବନ୍ଧ ସାହୀର ଏକ ପରିବାରର ମହିଳାମାନେ ଚିତ୍ରିତ କରିଥାନ୍ତି l ଘଟରେ ବ୍ୟବହୃତ ଟାହିଆ ଶଙ୍କରପୁର ସାହୀର ମେଦିରିମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ l ସେହିପରି ଠାକୁରାଣୀଙ୍କୁ ନିମନ୍ତ୍ରଣ ଶୋଭାଯାତ୍ରାରେ ପାଣ୍ଡବ ନଗରର ବାଦ୍ୟକାର ଓ ଷଣ୍ଢ ମହାନ୍ତି ସାହୀର ବୀରକାହାଳି ବାଦକ ସାମିଲ ହୋଇ ଆସୁଛନ୍ତି l ଘଟ ପରିକ୍ରମା କାଳରେ ମୁଖ୍ୟଘଟ ପାର୍ଶ୍ୱରେ ଦଳେଇ ବଂଶଜ ସାହାୟତା ପ୍ରଦାନର ପରମ୍ପରା ରହିଛି l ସେମାନେ ପ୍ରସାଦ ବିତରଣ ଓ ଅସ୍ଥାୟୀ ମଣ୍ଡପରେ ପରିଚ୍ଛନ୍ନତା ଇତ୍ୟାଦି କାର୍ଯ୍ୟ ମଧ୍ୟ ତତ୍ୱାବଧାନ କରିଥାନ୍ତି l ଯାତ୍ରା ପାଇଁ ଛାମୁଣ୍ଡିଆ ନିର୍ମାଣ କାମର ଦାୟିତ୍ୱ ପ୍ରତିବର୍ଷ ଦେଶୀବେହେରା ସାହୀ ବ୍ୟବସାୟୀ ସଂଘ, ଦେଶୀବେହେରା ସାହୀ ପଟ୍ଟା ରିକ୍ସା ସଂଘ, ତ୍ରିନାଥ ଠାକୁର ପଟ୍ଟା ରିକ୍ସା ସଂଘ, ନଡିଆ ଗୋର୍ଜୀ ବ୍ୟବସାୟୀ ସଂଘ ପ୍ରମୁଖ ଗ୍ରହଣ କରିଥାନ୍ତି l ଠାକୁରାଣୀ ଯାତ୍ରାରେ ଭୋଗ ରୂପେ ପ୍ରସିଦ୍ଧ ଗଜା ମୁଆଁ ପୁରୁଣା ବ୍ରହ୍ମପୁରର ଗୁଡିଆ ସଂପ୍ରଦାୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ବିକ୍ରୀ କରାଯାଇଥାଏ l
ଠାକୁରାଣୀ ଯାତ୍ରା ଆୟୋଜନ କାଳରେ ଦେଶୀବେହେରାଙ୍କ ପକ୍ଷରୁ ବିଭିନ୍ନ ସେବା ପ୍ରଦାନକାରୀ ପରିବାର ଓ ସଂପ୍ରଦାୟଙ୍କୁ ଯାତ୍ରାରେ ଯୋଗଦାନ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯିବା ପରମ୍ପରା ରହିଛି l ଏହିପରି ସାମୂହିକ ଉଦ୍ୟମ ହେତୁ ଯାତ୍ରା ପରିଚାଳନା ସମ୍ଭବପର ହୋଇଥାଏ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୧୯ ଏପ୍ରିଲ ୨୦୧୭

Thursday, April 20, 2017

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଐତିହ୍ୟ

ବ୍ରହ୍ମପୁର ସହରର ପାରମ୍ପରିକ ଠାକୁରାଣୀ ଯାତ୍ରା ସମଗ୍ର ଦକ୍ଷିଣ ଓଡ଼ିଶା ଓ ଉତ୍ତରପୂର୍ବ ଆନ୍ଧ୍ରପ୍ରଦେଶରେ ପ୍ରସିଦ୍ଧ l ପ୍ରତି ବର୍ଷକ ଅନ୍ତରରେ ଥରେ ଚୈତ୍ର ଓ ବୈଶାଖ ମାସରେ ପାଳିତ ହେଉଥିବା ଏହି ଯାତ୍ରା ସହରର ସାମାଜିକ, ସାଂସ୍କୃତିକ ତଥା ଅର୍ଥନୀତିକ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଥାଏ l ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀଦେବୀ ବଡ଼ଠାକୁରାଣୀଙ୍କ ଏହି ଯାତ୍ରା ମହୋତ୍ସବ ପାଳନ ଅବସରରେ ଗ୍ରାମାଞ୍ଚଳରୁ ଅଗଣିତ ଦର୍ଶନାଭିଳାଷୀ ଆକର୍ଷିତ ହୋଇଥାନ୍ତି l
ଠାକୁରାଣୀ ଯାତ୍ରା କେଉଁ ସମୟରୁ ଆରମ୍ଭ ହୋଇଛି ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ପ୍ରାମାଣିକ ତଥ୍ୟ ଉପଲବ୍ଧ ନଥିଲେ ହେଁ କିମ୍ୱଦନ୍ତୀକୁ ପାଥେୟ କରି ଏ ସମ୍ପର୍କରେ ଆଲୋଚନା କରାଯାଇପାରେ l ଠାକୁରାଣୀ ଯାତ୍ରା ସହ ଆଜି ସୁଦ୍ଧା ଦେବାଙ୍ଗ ବା ଡ଼େରା ବୁଣାକାର ସଂପ୍ରଦାୟ ଓ ମହୁରି ରାଜପରିବାରଙ୍କ ସଂଶ୍ଲିଷ୍ଟତାକୁ ବିଚାରକୁ ନେଇ ମହୁରି ରାଜାଙ୍କ ରାଜମହେନ୍ଦ୍ରୀ ଭ୍ରମଣ କିମ୍ୱଦନ୍ତୀକୁ ପ୍ରାଧାନ୍ୟ ଦିଆଯାଇପାରେ l
କୁହାଯାଏ ଯେ, ମହୁରି ରାଜା ହରିହର ନରେନ୍ଦ୍ର ଦେବ ଏକଦା ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ ଏବଂ ସେଠାକାର ବୁଣାକାରମାନଙ୍କ ଶିଳ୍ପଚାତୁର୍ଯ୍ୟରେ ମୁଗ୍ଧ ହୋଇଥିଲେ l ରାଜାଙ୍କ ସହ ପରିଚିତ ହେବା ପରେ ରାଜକୃପା ଲାଭ କରି ରାଜମହେନ୍ଦ୍ରୀରୁ କେତେକ ବୁଣାକାର ମହୁରି ରାଜ୍ୟକୁ ଆସି ନୂଆ କରି ଗଢ଼ି ଉଠିଥିବା ମହୁରି ରାଜବାଟୀ ନିକଟରେ ବସତି ସ୍ଥାପନ କରିଥିଲେ l ବଂଶାନୁକ୍ରମିକଭାବେ ସେହିମାନେ ହିଁ ଆଜିକାର ଡ଼େରା ବୁଣାକାର ସଂପ୍ରଦାୟରୂପେ ପରିଚିତ l
ବୁଣାକାର ସଂପ୍ରଦାୟଙ୍କ ମହୁରି ରାଜ୍ୟକୁ ଆଗମନ ଓ ବ୍ୟବସାୟ ଆରମ୍ଭ ପରେ ପରେ ସେମାନେ ଘଟପୂଜା ପଦ୍ଧତି ଏଠାରେ ପ୍ରଚଳନ କରିଥିଲେ l ‘ଡ଼େରାମାନଙ୍କ ପାଟମଠା ବସ୍ତ୍ରର ଖ୍ୟାତି ବଢ଼ିଚାଲିଲା ଏବଂ ସେମାନେ ଆର୍ଥିକ ଦୃଷ୍ଟିକୋଣରୁ ଖୁବ୍ ସ୍ୱଚ୍ଛଳ ହେଲେ l ବ୍ୟାବସାୟିକ ତଥା ଆର୍ଥିକ ସଫଳତା ଆଡ଼ମ୍ବରପୂର୍ଣ୍ଣ ଓ ବ୍ୟୟବହୁଳ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ପ୍ରଶସ୍ତ କ୍ଷେତ୍ର ଯୋଗାଉଥିଲା ବୋଲି ବିଶ୍ୱାସ କରାଯାଇପାରେ l
ତତ୍ ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁର ବ୍ୟାବସାୟିକ କ୍ଷେତ୍ରରେ କୁମୁଟି ବୈଶ୍ୟ ସଂପ୍ରଦାୟଙ୍କ ପ୍ରାଧାନ୍ୟତା ଅନୁଭବ ହୋଇଥିଲା ଏବଂ ସେମାନଙ୍କପକ୍ଷରୁ ମଧ୍ୟ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ସହଯୋଗ ଜାରୀ ରହିଥିଲା l ତେବେ ମୂଳତଃ ଧାର୍ମିକ ତଥା ପାରମ୍ପରିକ ଧାରାକୁ ବାଦ ଦେଇ ବିଶ୍ଲେଷଣ କଲେ ଫସଲ ଆମଦାନୀପର ଗ୍ରୀଷ୍ମଋତୁରେ ଏଭଳି ଏକ ଯାତ୍ରା ଆୟୋଜନ ଫଳରେ ଗ୍ରାମାଞ୍ଚଳରୁ ଜନସାଧାରଣ ବ୍ରହ୍ମପୁର ବଜାର ପ୍ରତି ଆକୃଷ୍ଟ ହେବା ଏବଂ ବ୍ୟବସାୟୀଗଣ ଏଥିରୁ ବ୍ୟାବସାୟିକ ଫାଇଦା ପାଇଁ ଏକ ସୁଯୋଗ ସୃଷ୍ଟି କରିବା ଉଦ୍ୟମରେ ଯାକଜମକରେ ଯାତ୍ରା ପାଳନ ଲାଗି ପୃଷ୍ଠପୋଷକତା ଯୋଗାଇଥିବା ସ୍ପଷ୍ଟ ବାରି ହୁଏ l
ଭାରତବର୍ଷରେ ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ସ୍ୱାଧୀନତା ପ୍ରାପ୍ତିର ପ୍ରାକ୍ କାଳରେ ଦେଶରେ ସର୍ବତ୍ର ଏଭଳି ଧାର୍ମିକ ମେଳନଗୁଡ଼ିକୁ ବ୍ୟାବସାୟିକ ଉନ୍ନତି ପାଇଁ ପ୍ରକୃଷ୍ଟ କ୍ଷେତ୍ର ରୂପେ ବ୍ୟବହାର କରାଯାଉଥିଲା l ଅତୀତରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏହି ଅଞ୍ଚଳର ଜନସମାଗମ ପାଇଁ ଏକ ବିଶିଷ୍ଟ ଉତ୍ସବ ରୂପେ ବିବେଚିତ ହେଉଥିବା ଯୋଗୁ ସ୍ଥାନୀୟ ବ୍ୟାବସାୟିକ ଆଭିବୃଦ୍ଧି ନିମନ୍ତେ ଏକ ମୁଖ୍ୟ ଆକର୍ଷଣ ପାଲଟିଥିବା ଲକ୍ଷ୍ୟ କରାଯାଇପାରେ l
୧୯୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନପରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକ ନିମନ୍ତେ ପ୍ରଶାସନିକ ମହକୁମା ତଥା ୧୯୧୮ରେ ବ୍ରହ୍ମପୁର ରେଳଷ୍ଟେସନ କାର୍ଯ୍ୟକ୍ଷମପରେ ଏହା ଏକ ବ୍ୟାବସାୟିକ କେନ୍ଦ୍ରରୂପେ ଗଢ଼ି ଉଠିବା ଅବସରରେ ସହରର ଜନସଂଖ୍ୟା ବୃଦ୍ଧି ପାଇଥିଲା l ଅପରପକ୍ଷରେ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ସମାଜରେ ଆର୍ଥିକ ସ୍ୱଚ୍ଛଳତା ଆଡ଼ମ୍ୱର ସହକାରେ ଉତ୍ସବଅନୁଷ୍ଠାନ ପାଳନ ନିମନ୍ତେ କ୍ରମଶଃ ସୁଯୋଗ ସୃଷ୍ଟି କରିଥିଲା l ଏହିସବୁ କାରଣ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଯାକଜମକରେ ଆୟୋଜନ ନିମନ୍ତେ ପରିବେଶ ସୃଷ୍ଟି କରିଥିବା ଜଣାଯାଏ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୧୦ ଏପ୍ରିଲ ୨୦୧୭

Sunday, April 26, 2015

Tuesday, April 21, 2015