Thursday, April 20, 2017

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଐତିହ୍ୟ

ବ୍ରହ୍ମପୁର ସହରର ପାରମ୍ପରିକ ଠାକୁରାଣୀ ଯାତ୍ରା ସମଗ୍ର ଦକ୍ଷିଣ ଓଡ଼ିଶା ଓ ଉତ୍ତରପୂର୍ବ ଆନ୍ଧ୍ରପ୍ରଦେଶରେ ପ୍ରସିଦ୍ଧ l ପ୍ରତି ବର୍ଷକ ଅନ୍ତରରେ ଥରେ ଚୈତ୍ର ଓ ବୈଶାଖ ମାସରେ ପାଳିତ ହେଉଥିବା ଏହି ଯାତ୍ରା ସହରର ସାମାଜିକ, ସାଂସ୍କୃତିକ ତଥା ଅର୍ଥନୀତିକ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଥାଏ l ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀଦେବୀ ବଡ଼ଠାକୁରାଣୀଙ୍କ ଏହି ଯାତ୍ରା ମହୋତ୍ସବ ପାଳନ ଅବସରରେ ଗ୍ରାମାଞ୍ଚଳରୁ ଅଗଣିତ ଦର୍ଶନାଭିଳାଷୀ ଆକର୍ଷିତ ହୋଇଥାନ୍ତି l
ଠାକୁରାଣୀ ଯାତ୍ରା କେଉଁ ସମୟରୁ ଆରମ୍ଭ ହୋଇଛି ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ପ୍ରାମାଣିକ ତଥ୍ୟ ଉପଲବ୍ଧ ନଥିଲେ ହେଁ କିମ୍ୱଦନ୍ତୀକୁ ପାଥେୟ କରି ଏ ସମ୍ପର୍କରେ ଆଲୋଚନା କରାଯାଇପାରେ l ଠାକୁରାଣୀ ଯାତ୍ରା ସହ ଆଜି ସୁଦ୍ଧା ଦେବାଙ୍ଗ ବା ଡ଼େରା ବୁଣାକାର ସଂପ୍ରଦାୟ ଓ ମହୁରି ରାଜପରିବାରଙ୍କ ସଂଶ୍ଲିଷ୍ଟତାକୁ ବିଚାରକୁ ନେଇ ମହୁରି ରାଜାଙ୍କ ରାଜମହେନ୍ଦ୍ରୀ ଭ୍ରମଣ କିମ୍ୱଦନ୍ତୀକୁ ପ୍ରାଧାନ୍ୟ ଦିଆଯାଇପାରେ l
କୁହାଯାଏ ଯେ, ମହୁରି ରାଜା ହରିହର ନରେନ୍ଦ୍ର ଦେବ ଏକଦା ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ ଏବଂ ସେଠାକାର ବୁଣାକାରମାନଙ୍କ ଶିଳ୍ପଚାତୁର୍ଯ୍ୟରେ ମୁଗ୍ଧ ହୋଇଥିଲେ l ରାଜାଙ୍କ ସହ ପରିଚିତ ହେବା ପରେ ରାଜକୃପା ଲାଭ କରି ରାଜମହେନ୍ଦ୍ରୀରୁ କେତେକ ବୁଣାକାର ମହୁରି ରାଜ୍ୟକୁ ଆସି ନୂଆ କରି ଗଢ଼ି ଉଠିଥିବା ମହୁରି ରାଜବାଟୀ ନିକଟରେ ବସତି ସ୍ଥାପନ କରିଥିଲେ l ବଂଶାନୁକ୍ରମିକଭାବେ ସେହିମାନେ ହିଁ ଆଜିକାର ଡ଼େରା ବୁଣାକାର ସଂପ୍ରଦାୟରୂପେ ପରିଚିତ l
ବୁଣାକାର ସଂପ୍ରଦାୟଙ୍କ ମହୁରି ରାଜ୍ୟକୁ ଆଗମନ ଓ ବ୍ୟବସାୟ ଆରମ୍ଭ ପରେ ପରେ ସେମାନେ ଘଟପୂଜା ପଦ୍ଧତି ଏଠାରେ ପ୍ରଚଳନ କରିଥିଲେ l ‘ଡ଼େରାମାନଙ୍କ ପାଟମଠା ବସ୍ତ୍ରର ଖ୍ୟାତି ବଢ଼ିଚାଲିଲା ଏବଂ ସେମାନେ ଆର୍ଥିକ ଦୃଷ୍ଟିକୋଣରୁ ଖୁବ୍ ସ୍ୱଚ୍ଛଳ ହେଲେ l ବ୍ୟାବସାୟିକ ତଥା ଆର୍ଥିକ ସଫଳତା ଆଡ଼ମ୍ବରପୂର୍ଣ୍ଣ ଓ ବ୍ୟୟବହୁଳ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ପ୍ରଶସ୍ତ କ୍ଷେତ୍ର ଯୋଗାଉଥିଲା ବୋଲି ବିଶ୍ୱାସ କରାଯାଇପାରେ l
ତତ୍ ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁର ବ୍ୟାବସାୟିକ କ୍ଷେତ୍ରରେ କୁମୁଟି ବୈଶ୍ୟ ସଂପ୍ରଦାୟଙ୍କ ପ୍ରାଧାନ୍ୟତା ଅନୁଭବ ହୋଇଥିଲା ଏବଂ ସେମାନଙ୍କପକ୍ଷରୁ ମଧ୍ୟ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ସହଯୋଗ ଜାରୀ ରହିଥିଲା l ତେବେ ମୂଳତଃ ଧାର୍ମିକ ତଥା ପାରମ୍ପରିକ ଧାରାକୁ ବାଦ ଦେଇ ବିଶ୍ଲେଷଣ କଲେ ଫସଲ ଆମଦାନୀପର ଗ୍ରୀଷ୍ମଋତୁରେ ଏଭଳି ଏକ ଯାତ୍ରା ଆୟୋଜନ ଫଳରେ ଗ୍ରାମାଞ୍ଚଳରୁ ଜନସାଧାରଣ ବ୍ରହ୍ମପୁର ବଜାର ପ୍ରତି ଆକୃଷ୍ଟ ହେବା ଏବଂ ବ୍ୟବସାୟୀଗଣ ଏଥିରୁ ବ୍ୟାବସାୟିକ ଫାଇଦା ପାଇଁ ଏକ ସୁଯୋଗ ସୃଷ୍ଟି କରିବା ଉଦ୍ୟମରେ ଯାକଜମକରେ ଯାତ୍ରା ପାଳନ ଲାଗି ପୃଷ୍ଠପୋଷକତା ଯୋଗାଇଥିବା ସ୍ପଷ୍ଟ ବାରି ହୁଏ l
ଭାରତବର୍ଷରେ ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ସ୍ୱାଧୀନତା ପ୍ରାପ୍ତିର ପ୍ରାକ୍ କାଳରେ ଦେଶରେ ସର୍ବତ୍ର ଏଭଳି ଧାର୍ମିକ ମେଳନଗୁଡ଼ିକୁ ବ୍ୟାବସାୟିକ ଉନ୍ନତି ପାଇଁ ପ୍ରକୃଷ୍ଟ କ୍ଷେତ୍ର ରୂପେ ବ୍ୟବହାର କରାଯାଉଥିଲା l ଅତୀତରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏହି ଅଞ୍ଚଳର ଜନସମାଗମ ପାଇଁ ଏକ ବିଶିଷ୍ଟ ଉତ୍ସବ ରୂପେ ବିବେଚିତ ହେଉଥିବା ଯୋଗୁ ସ୍ଥାନୀୟ ବ୍ୟାବସାୟିକ ଆଭିବୃଦ୍ଧି ନିମନ୍ତେ ଏକ ମୁଖ୍ୟ ଆକର୍ଷଣ ପାଲଟିଥିବା ଲକ୍ଷ୍ୟ କରାଯାଇପାରେ l
୧୯୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନପରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକ ନିମନ୍ତେ ପ୍ରଶାସନିକ ମହକୁମା ତଥା ୧୯୧୮ରେ ବ୍ରହ୍ମପୁର ରେଳଷ୍ଟେସନ କାର୍ଯ୍ୟକ୍ଷମପରେ ଏହା ଏକ ବ୍ୟାବସାୟିକ କେନ୍ଦ୍ରରୂପେ ଗଢ଼ି ଉଠିବା ଅବସରରେ ସହରର ଜନସଂଖ୍ୟା ବୃଦ୍ଧି ପାଇଥିଲା l ଅପରପକ୍ଷରେ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ସମାଜରେ ଆର୍ଥିକ ସ୍ୱଚ୍ଛଳତା ଆଡ଼ମ୍ୱର ସହକାରେ ଉତ୍ସବଅନୁଷ୍ଠାନ ପାଳନ ନିମନ୍ତେ କ୍ରମଶଃ ସୁଯୋଗ ସୃଷ୍ଟି କରିଥିଲା l ଏହିସବୁ କାରଣ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଯାକଜମକରେ ଆୟୋଜନ ନିମନ୍ତେ ପରିବେଶ ସୃଷ୍ଟି କରିଥିବା ଜଣାଯାଏ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୧୦ ଏପ୍ରିଲ ୨୦୧୭

No comments: