Saturday, April 22, 2017

ଠାକୁରାଣୀ ଯାତ୍ରା ଅବଧି

କିମ୍ବଦନ୍ତୀ ଅନୁଯାୟୀ ପ୍ରଥମ ଦେଶୀବେହେରା ଠାକୁରାଣୀ ଯାତ୍ରା ଆରମ୍ଭ କରିଥିଲେ l ଏହି ଦ୍ୱି-ବାର୍ଷିକ ଲୋକମହୋତ୍ସବ ଆୟୋଜନ ପରବର୍ତ୍ତୀ ଦେଶୀବେହେରାମାନଙ୍କ ତତ୍ୱାବଧାନରେ ହୋଇଆସୁଛି l ଏଥିଲାଗି ତେଲୁଗୁ ପୁରୋହିତ (ସିଦ୍ଧାନ୍ତି)ଙ୍କ ପରାମର୍ଶକ୍ରମେ ଶୁଭତିଥି ନିର୍ଣ୍ଣୟପରେ ଦେଶୀବେହେରା ପ୍ରଥମେ ନିଜ କୁଳର ସେନାପତି ଓ ପରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ସମର୍ଥନରେ ଯାତ୍ରା ଆୟୋଜନ ଘୋଷଣା କରିଥାନ୍ତି l
ତେବେ ଏହି ଭଳି ମହୋତ୍ସବ ଆୟୋଜନଲାଗି ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ପଡିଥାଏ l ଦେଶୀବେହେରା ପ୍ରଶାସନ ନିକଟରେ ଦରଖାସ୍ତ ପେଶ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଠାକୁରାଣୀ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥାନ୍ତି l
ଗତ ୨୦୧୫ ମସିହାରେ ୨୮ ମାର୍ଚ୍ଚରୁ ୨୭ ଏପ୍ରିଲ ୩୧ ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥିଲା l ପ୍ରଶାସନ ପକ୍ଷରୁ ପ୍ରଥମେ ୨୦ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ଦେଇଥିବା ବେଳେ ପରେ ପୁଣି ୧୧ ଦିନ ଯାତ୍ରାର ଅବଧି ବଢାଇଥିଲେ l ୨୦୧୩ ମସିହାରେ ଠାକୁରାଣୀ ଯାତ୍ରା ୫ ଏପ୍ରିଲରୁ ୨୯ ଏପ୍ରିଲ ୨୫ ଦିନ ଧରି ଅନୁଷ୍ଠିତ ହୋଇଥିଲା l ୨୦୧୧ ମସିହାରେ ଠାକୁରାଣୀ ଯାତ୍ରା ମଧ୍ୟ ୨୯ ଦିନ ଅନୁଷ୍ଠିତ ହୋଇଥିଲା l
ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଥରକେ ୩୦ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥିବା ଜଣାଯାଇଛି l ଗତ ୧୭ ମାର୍ଚ୍ଚ ରାତିରେ ଦେଶୀବେହେରା ନିଜ ବାସଗୃହ ସାମନାରେ ଆୟୋଜିତ ବୈଠକରେ ୨ ଏପ୍ରିଲରୁ ୧ ମେ ଯାଏଁ ୩୦ ଦିନ ଯାତ୍ରା ପାଇଁ ନିଷ୍ପତ୍ତି ଘୋଷଣା କରିଥିଲେ l ଏହିମତେ ସେ ପ୍ରଶାସନର ଅନୁମତି ଲୋଡିଥିଲେ l ପୂର୍ବରୁ ଯାତ୍ରା ପାଳନ ଲାଗି ପ୍ରଶାସନ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଅନୁମତି ଦିଆଯାଉଥିବାବେଳେ ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ ଘଟିଛି l ଏକାଥରକେ ଯାତ୍ରାର ଅବଧି ନିର୍ଦ୍ଧାରଣ ଆୟୋଜନ ତଥା ଜନସାଧାରଣଙ୍କ ଯୋଗଦାନଲାଗି ସ୍ୱଚ୍ଛନ୍ଦ ପରିବେଶ ସୃଷ୍ଟି କରିବ l
ବ୍ରହ୍ମପୁର ଠାକୁରାଣୀ ଯାତ୍ରା କେତେ ଦିନ ପାଇଁ ପାଳିତ ହୁଏ ତାହା ପାରିପାରର୍ଶ୍ୱିକ ପରିସ୍ଥିତି ଉପରେ ନିର୍ଭର କରିଥାଏ l ତେବେ ତିନି ସପ୍ତାହ ବା ୨୧ ଦିନରୁ କେବେ କମ୍ ସମୟ ଯାତ୍ରା ଆୟୋଜିତ ହୁଏନା l ନିକଟ ଅତୀତରେ ହିସାବ ଖୋଜିବସିଲେ ଅନେକ ବର୍ଷ ଯାତ୍ରା ତିନି ସପ୍ତାହ ପାଳିତ ହୋଇଥିବା ଜଣାଯାଏ l ତେବେ ଅତୀତରେ ଠାକୁରାଣୀ ଯାତ୍ରା ଦେଢ ମାସରୁ ଦୁଇମାସ ଯାଏଁ ପାଳିତ ହେଉଥିବାର ସୂଚ଼ନା ମିଳେ l
ବ୍ରହ୍ମପୁର ସହର ଏକ ବାଣିଜ୍ୟ ପେଣ୍ଠରୂପେ ଗଢି ଉଠିବା ପରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ, ଫୁଲବାଣୀ, କଳାହାଣ୍ଡି, ପୁରୀ ଓ ଶ୍ରୀକାକୁଲମ ଜିଲ୍ଲାର ଜନସାଧାରଣ କିଣାବିକା ପାଇଁ ଏଠାକୁ ଆସିବାକୁ ଲାଗିଲେ l ବିଶେଷ କରି ଲୁଗାପଟା, ପିତ୍ତଳ ବାସନକୁସନ ଓ ସୁନା ଗହଣା କିଣିବା ନିମିତ୍ତ ଗ୍ରାହକ ଏଠି ଏକତ୍ରୀତ ହେଉଥିଲେ l ଅତୀତରେ ଏହି ଅଞ୍ଚଳର ମୁଖ୍ୟ ଫସଲ ଧାନ କଟା, ମଳା ଓ ଖଣିପକା ପରେ ଚୈତ୍ର ମାସରେ ଚାଷୀ ହାତରେ କିଛି ପଇସା ଆସିଯାଇଥାଏ ଏବଂ ବିଲବାଡିରେ ବିଶେଷ କାମ ନଥାଏ l ଏହି ଅବସରରେ ସପରିବାର ସେ ଯାତ୍ରାରେ ଯୋଗ ଦେବା ନିମନ୍ତେ ଦୁଇବର୍ଷରେ ଥରେ ବ୍ରହ୍ମପୁରରେ ଆସିବା, ଠାକୁରାଣୀ ଯାତ୍ରା ଉପଭୋଗ ଏବଂ ବ୍ରହ୍ମପୁର ବଜାରରେ କିଣାବିକା ସେସମୟରେ ପ୍ରଚଳିତ ଧାରା ଥିଲା l ଏହି କାରଣରୁ ଦୀର୍ଘ ଦିନ ଧରି ଯାତ୍ରା ପାଳନ ନିମନ୍ତେ ଏଠାକାର ବ୍ୟବସାୟୀମାନଙ୍କ ପକ୍ଷରୁ ଆୟୋଜକଙ୍କୁ ପ୍ରୋତ୍ସାହିତ କରାଯାଉଥିଲା l
କ୍ରମଶଃ ଗମନାଗମନ ବ୍ୟବସ୍ଥାର ଉନ୍ନତି ତଥା ବ୍ରହ୍ମପୁର ସହରକୁ ଯିବା ଆସିବା ଏକ ଦୈନନ୍ଦିନ ବ୍ୟାପାର ହୋଇପଡିବା ପରେ ବ୍ୟବସାୟୀ ବା ଗ୍ରାହକ ଆଉ ଠାକୁରାଣୀ ଯାତ୍ରାକୁ ପ୍ରାଧାନ୍ୟ ଦେଲେ ନାହିଁ l ତେବେ ସମ୍ୱାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣ ପ୍ରକାଶନ ଓ ଟେଲିଭିଜନ ପ୍ରସାରଣ ପରିବ୍ୟାପ୍ତ ହେବାପରେ ବିଗତ ଦୁଇ ଦଶନ୍ଧୀ ଧରି ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପୁନଃ ଲୋକପ୍ରିୟତା ଫେରି ପାଉଥିବା ଲକ୍ଷ୍ୟ କରାଯାଇପାରେ l ଜଗତୀକରଣ ପରବର୍ତୀ ଅବସ୍ଥାରେ ବ୍ରହ୍ମପୁରର ତଥା ଆଖପାଖ ଅଞ୍ଚଳର ଜନସାଧାରଣ, ମୁଖ୍ୟତଃ ନିମ୍ନ ଆୟକାରୀବର୍ଗଙ୍କ ଆର୍ଥିକ ସ୍ୱଚ୍ଛଳତା ସେମାନଙ୍କୁ ବିଭିନ୍ନ ପର୍ବପର୍ବାଣୀରେ ଯୋଗଦାନକୁ ପ୍ରୋତ୍ସାହନ ଯୋଗାଇଛି l
ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ରୀତିନୀତି ଟେଲିଭିଜନ କାର୍ଯ୍ୟକ୍ରମରୁ ଅବଗତ ହୋଇ ବ୍ରହ୍ମପୁରବାସୀ ଏଠାକାର ଠାକୁରାଣୀ ଯାତ୍ରାରେ ତାହା ସନ୍ନିବେଶିତ କରାଉଥିବା ଦେଖିବାକୁ ମିଳୁଛି l ଉଦାହରଣ ସ୍ୱରୂପ ୨୦୦୯ ଯାତ୍ରାରେ ଯାତ୍ରା ଦର୍ଶକମାନଙ୍କୁ ଖାଦ୍ୟ ଓ ପାନୀୟ ପରିବେଷଣ ଧାରା ଆରମ୍ଭ ହୋଇଥିଲା l ୨୦୧୧, ୨୦୧୩ ଓ ୨୦୧୫ ଯାତ୍ରା ଅବସରରେ ଏହି ଧାରା ବ୍ୟାପକ ଆକାର ଧାରଣ କରିଛି l ଏହା ୨୦୦୫ ମୁମ୍ୱାଇର ରାଜରାସ୍ତାରେ ବନ୍ୟା ତଥା ବିଭିନ୍ନ ଧାର୍ମିକସ୍ଥଳରେ ପ୍ରସାଦ ବଣ୍ଟନର ନକଲ ବୋଲି କୁହାଯାଇପାରେ l ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକଉତ୍ସବ ରୂପେ ଗଢି ଉଠିଥିବା ହେତୁ ସର୍ଜନଶୀଳତା ଏଥିରେ ଭରି ରହିଥାଏ l ସ୍ଥାନୀୟ ଜନସାଧାରଣ ଉତ୍ସବ ପାଳନରେ ନୂଆ ନୂଆ ଫର୍ଦ୍ଦ ଯୋଗ କରିଥାନ୍ତି l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୦ ଏପ୍ରିଲ ୨୦୧୭

No comments: