ମହୁରି ରାଜା ହରିହର ନରେନ୍ଦ୍ର ଦେବଙ୍କ କୃପାରେ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ଅଞ୍ଚଳରୁ
ଦେବାଙ୍ଗ ସଂପ୍ରଦାୟର କିଛି ବୁଣାକର ପରିବାର ବ୍ରହ୍ମପୁର ଆସି ରାଜନଅର ସମ୍ମୁଖରେ ବସବାସ
କରିଥିଲେ । ପ୍ରାଥମିକ ଭାବେ ସେମାନେ ଡ଼େରା ବା ତମ୍ୱୁ ଟାଣି ବସତି ରଚ଼ନା କରିଥିବା ଯୋଗୁଁ
ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ‘ଡ଼େରା’ ନାମିତ କରିଥିବା କୁହାଯାଏ । ପରବର୍ତ୍ତୀ ଅବସ୍ଥାରେ ସ୍ଥାୟୀଭାବେ
ରାଜନଅର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘରଦ୍ୱାର କରି ରହିଥିଲେ । କ୍ରମଶଃ ସେମାନଙ୍କ ବଂଶ ବୃଦ୍ଧି
ଘଟିଥିଲା ଏବଂ ୧୮ ଗୋଟି ବସ୍ତିକୁ ସଂପ୍ରସାରିତ ହୋଇଥିଲା ।
ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଉତ୍ପତ୍ତିକୁ ନେଇ ଏକ କିମ୍ୱଦନ୍ତୀ ଶୁଣିବାକୁ ମିଳେ । ‘ଡ଼େରା’ ବୁଣାକର ସଂପ୍ରଦାୟ ମୁଖିଆଙ୍କୁ ମହୁରିରାଜା ‘ବେହେରା’ ଉପାଧିରେ ଭୂଷିତ କରିଥିଲେ । ତାଙ୍କରି ବଂଶଧରମାନେ ଆଜି
‘ଦେଶୀବେହେରା’ ନାମରେ ପରିଚ଼ିତ । ସେ ଥିଲେ ବଡ଼ ଠାକୁରାଣୀଙ୍କ ପରମଭକ୍ତ ଓ ପ୍ରତିଦିନ ସକାଳେ ଫୁଲ
ଚାଙ୍ଗୁଡ଼ିଟାଏ ଧରି ଗାଁ ମୁଣ୍ଡ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରୁଥିଲେ ।
ଏକଦା ଚୈତ୍ରମାସ ମଙ୍ଗଳବାର ରାତ୍ରି ସମୟରେ ବେହେରା ନିଜ ଦାଣ୍ଡ ବାରଣ୍ଡାରେ ବିଶ୍ରାମ
କରୁଥିବା ଅବସରରେ ରାସ୍ତାରେ କେହି ଜଣେ ଯୁବତୀର କ୍ରନ୍ଦନ ଶୁଣିବାକୁ ପାଇଲେ । ତାହା ପାଖକୁ ଯାଇ
କାରଣ ପଚାରିବାରେ ମୁକୁଳା କେଶ କଳା ବସ୍ତ୍ର ପରିହିତା ଯୁବତୀ ଜଣକ କହିଲା ଯେ ସେ ବାପା ଘରକୁ
ଯାଉଥିଲା । ରାତିରେ ବାଟ ଭୁଲିଯାଇଛି । ବେହେରା କହିଲେ ଏତେ ରାତିରେ କୁଆଡ଼େ ବାଟ ଖୋଜିବୁ ଝିଅ
। ମୁଁ ତ ତୋର ବାପ ସମାନ । ଆଜି ରାତିକ ଆମ ଘରେ ରହିଯାଅ । କାଲି ସକାଳେ ବାଟ ଖୋଜି ଚାଲିଯିବୁ ।
ଏହି ସମୟରେ ବୁଢ଼ା ଦେଖନ୍ତି ତ ଯୁବତୀ ଜଣକ ସ୍ମିତହାସ୍ୟ ଦେଇ ରାସ୍ତା ଅପରପାର୍ଶ୍ୱର ଲତାଗୁଳ୍ମ
ଦେଇ କୁଆଡ଼େ ଉଭେଇଗଲା । କିଛି ସମୟ ଖୋଜାଖୋଜି କରି ସନ୍ଦିଗ୍ଧ ମନରେ ସେ ଘରକୁ ଫେରିଲେ ।
ତତ୍ ପରଦିନ ସକାଳେ ପ୍ରତିଦିନ ଭଳି
ଫୁଲଚାଙ୍ଗୁଡ଼ି ଧରି ବୁଢ଼ା ଠାକୁରାଣୀଙ୍କୁ ଉପାସନା କରିବାକୁ ଗଲେ । ତେବେ ଯେତେଥର ସେ ଫୁଲମାଳ
ଠାକୁରାଣୀଙ୍କ ମସ୍ତକରେ ରଖୁଥାନ୍ତି ତାହା ତଳକୁ ଖସି ପଡୁଥାଏ । ବୁଢ଼ା ବିଚଳିତ ହୋଇ
ଠାକୁରାଣୀଙ୍କ ନିକଟରେ ଅଧିଆ ପଡ଼ିଲେ । କିଛି ସମୟ ପରେ ଶୂନ୍ୟବାଣୀ ହେଲା, ଆଜିଯାଏ ତୁମେ ମୋର
ପୂଜା ଅର୍ଚ୍ଚନା କରି ଆସୁଥିଲ । କିନ୍ତୁ ଗତକାଲି ରାତିରେ ପରା ତୁମେ ମୋର ବାପା ହେଲ ।
ବାପାଙ୍କଠାରୁ ଝିଅ କିପରି ପୂଜା ଗ୍ରହଣ କରିବ ? ତୁମେ ଫେରିବା ରାସ୍ତାରେ ପ୍ରଥମେ ଯାହା ମୁହଁ ଚାହିଁବ
ଆଜିଠୁଁ ସେ ହିଁ ମୋର ପୂଜା ଅର୍ଚ୍ଚନା କରିବ । ଅଗତ୍ୟା ଦେଶୀବେହେରା ବୁଢ଼ା ଫେରିଗଲେ ଏବଂ ଫେରନ୍ତା
ରାସ୍ତାରେ ଜଣେ ଭଣ୍ଡାରିକୁ ଦେଖିଲେ । ସେହିଦିନୁ ଭଣ୍ଡାରି ସଂପ୍ରଦାୟର ଲୋକମାନେ ହିଁ
ବ୍ରହ୍ମପୁର ଠାକୁରାଣୀଙ୍କ ପୂଜକ ହୋଇଛନ୍ତି ।
ଠାକୁରାଣୀଙ୍କ ପୂଜା ଅର୍ଚ୍ଚନାରୁ ଅବ୍ୟାହତ ପରେ ଯୋଡ଼ ହସ୍ତରେ ବୁଢ଼ା ଦେବୀଙ୍କୁ
ପ୍ରାର୍ଥନା କଲେ ସେ କ’ଣ ଆଉ କେବେ ଠାକୁରାଣୀଙ୍କ ସେବାର ସୁଯୋଗ ପାଇବେ ନାହିଁ । ଦେବୀ ପ୍ରସନ୍ନ ହୋଇ କହିଲେ, ମୁଁ
ତୁମର ଝିଅ । ପ୍ରତି ଦୁଇବର୍ଷରେ ଥରେ ମୁଁ ବାପା ଘର ଯାଇ କିଛି ଦିନ ବିତାଇ ମନ୍ଦିର ଫେରୁଥିବି ।
ସେହିଦିନୁ ଠାକୁରାଣୀ ଯାତ୍ରା ଆରମ୍ଭ ହୁଏ । ଯାତ୍ରା ଅବସରରେ ଠାକୁରାଣୀ କିଛିଦିନ ପାଇଁ
ଦେଶୀବେହେରାଙ୍କ ବାସଗୃହ ସାମ୍ନାରେ ନିର୍ମିତ ଅସ୍ଥାୟୀ କୁଟୀରରେ ରହି ପ୍ରତିଦିନ ସନ୍ଧ୍ୟାରେ
ଆଖପାଖ ସାହୀ ପରିକ୍ରମା କରି ପୁଣି ମନ୍ଦିରକୁ ଫେରନ୍ତି ।
ପାରମ୍ପରିକଭାବେ ବ୍ରହ୍ମପୁରର ‘ଦେବାଙ୍ଗ’ ବୁଣାକାର ସଂପ୍ରଦାୟ ଆନୁକୂଲ୍ୟରେ ଠାକୁରାଣୀ ଯାତ୍ରା ଆୟୋଜିତ
ହୋଇଥାଏ । ‘ଦେବାଙ୍ଗ’ ସଂପ୍ରଦାୟର ମୁଖ୍ୟ ‘ଦେଶୀବେହେରା’ ଠାକୁରାଣୀ ଯାତ୍ରା ଆୟୋଜନର ତତ୍ତ୍ୱାବଧାନ କରିଥାନ୍ତି
। ଦେଶୀବେହେରାଙ୍କ ବାସଗୃହରେ ଠାକୁରାଣୀଙ୍କ ପୀଠ ରହିଛି । ଲୋକ ବିଶ୍ୱାସରେ ଯାତ୍ରା ଅବସରରେ
ବଡ଼ ଠାକୁରାଣୀ ନିଜ ବାପା ଘରକୁ ବୁଲି ଆସନ୍ତି । ଯାତ୍ରାର ବିଧିବିଧାନ ପାଳନରେ ବୁଢ଼ାଙ୍କ
ବାଉଁଶ ଫୁଲଚ଼ାଙ୍ଗୁଡ଼ିର ସ୍ମୃତି ଆଜିଯାଏଁ ପ୍ରାଧାନ୍ୟ ଲାଭ କରୁଥିବା ଲକ୍ଷ୍ୟ କରାଯାଏ ।
No comments:
Post a Comment