Friday, April 28, 2023

Development of Temple / ଠାକୁରାଣୀ ମନ୍ଦିର ଉନ୍ନୟନ

 #ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଭିଡ଼ରେ ବଡ଼ ଠାକୁରାଣୀ ମନ୍ଦିର ପରିସର ଉନ୍ନୟନ ପ୍ରକଳ୍ପ ଚର୍ଚ୍ଚା ହଜିଯାଇଥିବା ମନେହୁଏ ! ଉତ୍ସବ ଋତୁରେ ଯାତ୍ରାର କିମ୍ୱଦନ୍ତୀ, ଇତିହାସ, ରୀତିନୀତି, ରଥ, କଳାକୁଞ୍ଜ ଓ ବେଶ ଗଣମାଧ୍ୟମରେ ପ୍ରମୁଖ ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୪ରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ଦିଆଯାଇଥିଲା । ପୂର୍ବରୁ କଟକର ବାଲିଯାତ୍ରା, ଭୁବନେଶ୍ୱରର ମୁକ୍ତେଶ୍ୱର ମହୋତ୍ସବ, କୋଣାର୍କ ମହୋତ୍ସବ, ବରଗଡ଼ର ଧନୁଯାତ୍ରା ଓ କୋରାପୁଟର ପରବ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ପାଇଥିବା ସ୍ଥଳେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଷଷ୍ଠ ମହୋତ୍ସବଭାବେ ସେହି ତାଲିକାରେ ଯୋଡ଼ି ହୋଇଥିଲା । ଏହି ଅବସରରେ ବଡ଼ ଠାକୁରାଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ବାବଦରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ କୋଟି ପନ୍ଦର ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ଏଥି ନିମନ୍ତେ ପ୍ରସ୍ତୁତ ଏକ ଯୋଜନା କାର୍ଯ୍ୟକାରୀ କରିବା ଦାୟିତ୍ୱ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ‘ଓଟିଡ଼ିସି’ ଗ୍ରହଣ କରିଥିଲା । ତେବେ ବିଭିନ୍ନ କାରଣରୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

 

କୁହାଯାଏ ଯେ ବଡ଼ ଠାକୁରାଣୀ ମନ୍ଦିର ସଂଲଗ୍ନ ୫୫୪ ଡେସିମିଲି ଜମିରେ ଏକ ଫୁଲ ବଗିଚା ରହିଛି । ବ୍ରହ୍ମପୁରର ସମସ୍ତ ଠାକୁରାଣୀ ମନ୍ଦିର ବେଢାରେ ଅନ୍ତତଃପକ୍ଷେ ମନ୍ଦାର ଓ ଟଗର ଗଛ ଦେଖିବାକୁ ମିଳେ । ଏଠାକାର ଫୁଲ ବର୍ଷତମାମ ପୂଜା ଅର୍ଚ୍ଚନାରେ ବ୍ୟବହୃତ ହୁଏ । ଏହି ବଗିଚାରେ ଏକ ‘ଜନ ସେବା କେନ୍ଦ୍ର’ ନିର୍ମାଣ କରାଯିବା ବିଚାର କରାଯାଉଛି । ସେଠାରେ ଏକ ଗଭୀର ନଳକୂପ, ଶୌଚାଳୟ ଇତ୍ୟାଦି ସଂଲଗ୍ନ ହେବ । ଏତଦ୍ ବ୍ୟତୀତ ସୁଦୃଶ୍ୟ ପ୍ରବେଶଦ୍ୱାର, ଯାନବାହାନ ରଖିବା ପାଇଁ ପାର୍କିଂ ୟାର୍ଡ, ବିଦ୍ୟୁତ ଆଲୋକ ସଜ୍ଜା ଇତ୍ୟାଦି କାର୍ଯ୍ୟ ହାତକୁ ନିଆଯିବ ।

 

ବଡ଼ ଠାକୁରାଣୀ ମନ୍ଦିର ପରିସର ଉନ୍ନୟନ ପ୍ରକଳ୍ପ ନିମନ୍ତେ ଏକ ପୂର୍ଣ୍ଣାଙ୍ଗ ବିବରଣୀ ‘ଡ଼ିଟେଲ ପ୍ରୋଜେକ୍ଟ ରିପୋର୍ଟ’ ପ୍ରସ୍ତୁତ ହୋଇଥିଲା । ମନ୍ଦିରନ୍ୟାସ ‘ଟେମ୍ପଲ ଟ୍ରଷ୍ଟି’ ଓ ଦେବୋତ୍ତର ବିଭାଗ ‘ଏଣ୍ଡୋମେଣ୍ଟ ଡ଼ିପାର୍ଟମେଣ୍ଟ’ ପକ୍ଷରୁ ମନ୍ଦିର ପ୍ରାଙ୍ଗଣ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମକୁ ୨୦୧୬ରେ ହସ୍ତାନ୍ତର କରାଯାଇଥିଲା । ତେବେ ଜାଗା ଖାଲି କରିବାରେ ବିବାଦ ଓ ମାଲିମକଦ୍ଦମା ହେତୁ ନିର୍ମାଣ କାମ ଆରମ୍ଭ ହୋଇପାରିନଥିଲା । ଶେଷରେ ୨୦୨୦ରେ ସାମୟିକଭାବେ ଏହି ପ୍ରକଳ୍ପ ସ୍ଥଗିତ ରଖାଯିବା ଘୋଷିତ ହୋଇଥିଲା ।

 

ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନୀୟ ପ୍ରଶାସନ ବ୍ରହ୍ମପୁର ପୌର ନିଗମ ‘ବିଇଏମସି’ ଓ ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣ ‘ବିଡ଼ିଏ’ ସହାୟତାରେ ବଡ଼ ଠାକୁରାଣୀ ମନ୍ଦିର ଉନ୍ନୟନ ନିମନ୍ତେ ଅଣ୍ଟା ଭିଡ଼ିଲା । ଏଥିନିମନ୍ତେ ୨୦୨୨ ଜୁନ ଓ ଡ଼ିସେମ୍ୱର ମାସରେ ଦୁଇଗୋଟି ବୈଠକ ଆୟୋଜିତ ହୋଇଥିଲା । ପୌର ନିଗମ ଉନ୍ନୟନ ରୂପରେଖ ପ୍ରସ୍ତୁତି ନିମନ୍ତେ ଭୁବନେଶ୍ୱରର ଏକ ସ୍ଥପତିଙ୍କୁ ନିଯୁକ୍ତି କରିଥିବା ଏବଂ ଉନ୍ନୟନ କାର୍ଯ୍ୟ ପର୍ଯ୍ୟାୟକ୍ରମେ ରୂପାୟନ ନିମନ୍ତେ ସ୍ଥରୀକୃତ ହୋଇଥିବା କୁହାଯାଏ । ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ତାରାତାରିଣୀ ମନ୍ଦିର ନିର୍ମାଣ ଦାୟିତ୍ୱ ବହନ କରିଥିବା ଶିଳ୍ପୀମାନେ ଅଂଶଗ୍ରହଣ କରିବା ଶୁଣିବାକୁ ମିଳେ ।

 

ବ୍ରହ୍ମପୁର ବଡ଼ ଠାକୁରାଣୀ ମନ୍ଦିରର କେତେକ ପୁନଃ ନିର୍ମାଣ କାର୍ଯ୍ୟ ବିଗତ ଶତାଦ୍ଦୀ ଅଷ୍ଟମ-ନବମ ଦଶକରେ ମନ୍ଦିର ନ୍ୟାସ ଉଦ୍ୟମରେ ସମାହିତ ହୋଇଥିଲା । ଏଥି ମଧ୍ୟରେ ମନ୍ଦିର ଓ ବେଢ଼ାରେ ମାର୍ବଲ ଚଟାଣ ଓ ମଣ୍ଡପ ଅନ୍ତର୍ଭୁକ୍ତ । ଏହି ସମସ୍ତ ପୁନଃନିର୍ମାଣ କାର୍ଯ୍ୟ ମନ୍ଦିର ପରିସର ମଧ୍ୟରେ ଆବଦ୍ଧ ରହିଥିଲା । ପୂର୍ବରୁ ମନ୍ଦିର ମଧ୍ୟରେ ଭକ୍ତମାନେ ଦୀପ ପ୍ରଜ୍ୱଳନ କରୁଥିଲେ । ପରେ ଏହି ବ୍ୟବସ୍ଥା ମନ୍ଦିର ସମ୍ମୁଖ ଭାଗକୁ ସ୍ଥାନାନ୍ତରିତ କରାଯାଇଥିଲା । ପୁରୁଷ ଓ ମହିଳା ଭକ୍ତଙ୍କ ଦର୍ଶନ ନିମନ୍ତେ ବାଡ଼ ‘ଷ୍ଟିଲ ରେଲିଂ’ ବ୍ୟବସ୍ଥା ମଧ୍ୟ ସେହି ଅବସରରେ ଆରମ୍ଭ ହୋଇଥିଲା ।

 

କିମ୍ୱଦନ୍ତୀ ଅନୁଯାୟୀ ମହୁରି ରାଜବାଟୀର ଚ଼ର୍ତୁଦିଗରେ ଜନବସତି ଗଢ଼ି ଉଠିବା ଏବଂ ଅଷ୍ଟାଦଶ ଶତାଦ୍ଦୀ ଶେଷଭାଗରେ ଦାକ୍ଷିଣାତ୍ୟରୁ ବୁଣାକାର ସଂପ୍ରଦାୟ ସ୍ଥାୟୀଭାବେ ବସବାସ ଆରମ୍ଭ କରିବା ବେଳକୁ ବ୍ରହ୍ମପୁରର ସୀମା ହୁଏତ ବଡ଼ ଠାକୁରାଣୀ ମନ୍ଦିର ଯାଏଁ ସୀମିତ ରହିଥିଲା । ମହୁରି ରାଜବାଟୀ ସଂଲଗ୍ନ ଇଲାକାରେ ଗଢ଼ିଉଠିଥିବା ବସ୍ତି ବାସିନ୍ଦାଙ୍କୁ ଏକ ଜଙ୍ଗଲିଆ ରାସ୍ତା ଦେଇ ଗାଁ ମୁଣ୍ଡ ବଡ଼ ଠାକୁରାଣୀଙ୍କ ପୀଠରେ ପହଞ୍ଚିବାକୁ ପଡୁଥିଲା । ‘ଦେବାଙ୍ଗ’ ସମ୍ପ୍ରଦାୟ ବ୍ରହ୍ମପୁରରେ ପହଞ୍ଚିବା ପୂର୍ବରୁ ଠାକୁରାଣୀ ନିଶ୍ଚିତ ଭାବେ ପୂଜିତ ହେଉଥିଲେ । କିନ୍ତୁ ସେମାନଙ୍କ ନେତୃତ୍ୱରେ ମନ୍ଦିର ନିର୍ମିତ ହୋଇଥିଲା କି ତାହାର ପ୍ରାମାଣିକ ତଥ୍ୟ ଖୋଜି ବାହାର କରାଯାଇ ପାରି ନାହିଁ । ତେବେ ଡ଼େରା ବା ପାଟରାମାନେ ବ୍ରହ୍ମପୁରରେ ପହଞ୍ଚିବା ପରେ ପାଟବସ୍ତ୍ର ବ୍ୟବସାୟରେ ବେଶ ଲାଭବାନ ହୋଇଥିଲେ ଏବଂ ବୁଣାକାର ପରିବାର ସଂଖ୍ୟା ବୃଦ୍ଧି ପାଇ ୧୮ ଗୋଟି ସାହିକୁ ସଂପ୍ରସାରିତ ହୋଇଥିଲା । ସେହିମାନେ ହିଁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଠାକୁରାଣୀ ଯାତ୍ରା ଆରମ୍ଭ କରିଥିଲେ । ତେଣୁ ବଡ଼ ଠାକୁରାଣୀ ମନ୍ଦିର ସାର୍ବଜନୀନ ଉଦ୍ୟମରେ ବିକଶିତ ହୋଇଥିବା ଯୁକ୍ତିଯୁକ୍ତ ବିଚାର କରାଯାଇପାରେ ।

Friday, April 21, 2023

Some other aspects of Yatra / ଠାକୁରାଣୀ ଯାତ୍ରାର କେତେକ ଦିଗ

#ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଧାର୍ମିକ ରୀତିନୀତି ସହ ସାଂସ୍କୃତିକ, ସାମାଜିକ ଓ ଅର୍ଥନୀତିକ ଦିଗଗୁଡ଼ିକ ଯୋଡ଼ିହୋଇ ରହିଥାଏ । କିମ୍ୱଦନ୍ତୀ ପ୍ରକାରେ ଯଦି ମହୁରି ରାଜା ନାରାୟଣ ଦେବଙ୍କ ପୁତ୍ର ହରିହର ନରେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀରୁ ବୁଣାକାର ‘ଦେବାଙ୍ଗ’ ସଂପ୍ରଦାୟ ବ୍ରହ୍ମପୁର ପହଞ୍ଚି ବସତି ସ୍ଥାପନ କରିଥିଲେ ଏବଂ ସେମାନଙ୍କ ଉଦ୍ୟମରେ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିଲା, ତେବେ ଊନବିଂଶ ଶତାଦ୍ଦୀରେ ଶହେ ବର୍ଷ ଧରି ସୀମିତ ସଂଖ୍ୟକ ବ୍ରହ୍ମପୁର ନିବାସୀ ଯାତ୍ରାରେ ସାମିଲ ହେଉଥିଲେ ବୋଲି କହିବାକୁ ହେବ । ସହରର ଜନସଂଖ୍ୟା ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହ ସମତାଳରେ ଠାକୁରାଣୀ ଯାତ୍ରା ଯାକଜମକରେ ପାଳିତ ହୋଇଥିବା ସୁସ୍ପଷ୍ଟ ।

 

ଅଷ୍ଟାଦଶ ଶତାଦ୍ଦୀ ଶେଷଭାଗରେ ରାଜମହେନ୍ଦ୍ରୀରୁ ଆଗନ୍ତୁକ ବୁଣାକାରମାନେ ବ୍ରହ୍ମପୁରରେ ଡ଼େରା ଓ ପାଟରା ନାମରେ ମଧ୍ୟ ପରିଚ଼ିତ । ସେମାନେ ବ୍ରହ୍ମପୁରରେ ପହଞ୍ଚିବା ବେଳକୁ ମହୁରି ରାଜଧାନୀ ଶହେ ବର୍ଷର ଜନପଦ । ଅଧୁନା ବଡ଼ ବଜାର କେନ୍ଦ୍ରସ୍ଥଳରେ ରାଜବାଟୀ ଏବଂ ଏହାକୁ ଘେରି ବସତି ସ୍ଥାପନ ହୋଇଥିବା ସ୍ଥଳେ ବଡ଼ ଠାକୁରାଣୀ ମନ୍ଦିର ଗ୍ରାମ ଶେଷରେ ବିଦ୍ୟମାନ ଥିଲା ବୋଲି ଅନୁମାନ କରାଯାଇପାରେ । ହୁଏତ ସେଠାରେ ସ୍ଥାୟୀ ପୂଜକ ନିଯୁକ୍ତ ହୋଇନଥିଲେ । କିମ୍ୱଦନ୍ତୀ କହେ ଯେ ଦେଶୀବେହେରା ଠାକୁରାଣୀଙ୍କୁ ପୂଜା-ଅର୍ଚ୍ଚନା ଅବସରରେ ଦିବ୍ୟ-ଅନୁଭବ ପରେ ରାସ୍ତାରେ ଯାହାକୁ ପ୍ରଥମେ ଦେଖିବେ ସେ ପୂଜକ ହେବ ବୋଲି ଶୂନ୍ୟବାଣୀ ଶୁଣିଥିଲେ । ଦେଶୀବେହେରା ଠାକୁରାଣୀ ପୀଠରୁ ବାହାରିବା ପରେ ପ୍ରଥମେ ଜଣେ ଭଣ୍ଡାରୀ ସଂପ୍ରଦାୟର ବ୍ୟକ୍ତିଙ୍କୁ ଦେଖିଥିଲେ । ସେହିଦିନୁ ବ୍ରହ୍ମପୁର ଠାକୁରାଣୀ ମନ୍ଦିରରେ ଭଣ୍ଡାରୀ ସଂପ୍ରଦାୟର ପୂଜକ ନିଯୁକ୍ତ ହୋଇ ଆସିଛନ୍ତି । ଏହି ପ୍ରଥା ଗଞ୍ଜାମର ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ପ୍ରଚଳିତ । ପ୍ରଶ୍ନ ଉଠେ, ଏହି ପ୍ରଥା ପୂର୍ବରୁ ପ୍ରଚଳିତ ଥିଲା ନା ପାଟରା ସଂପ୍ରଦାୟଙ୍କ ପୂଜକ ନିଯୁକ୍ତି ପରେ ଅନ୍ୟତ୍ର ଅନୁକରଣ କରାଗଲା ?

 

ବ୍ରହ୍ମପୁର ସହର ପଡ଼ୋଶୀ ଗଞ୍ଜାମ ଓ ଶ୍ରୀକାକୁଲମ ଜିଲ୍ଲାର ବହୁ ଗ୍ରାମରେ ଠାକୁରାଣୀ ମନ୍ଦିର ରହିଛି । ଅଧିକାଂଶ ମନ୍ଦିରରେ ବର୍ଷକରେ ଥରେ ଯାତ୍ରା ଅନୁଷ୍ଠିତ ହେଉଥିବା ସ୍ଥଳେ କେତେକ ମନ୍ଦିରରେ କିଛି ବର୍ଷ ଅନ୍ତରରେ ଯାତ୍ରା ପାଳିତ ହୁଏ । ଉଦାହରଣରେ ଇଚ୍ଛାପୁରରେ ପ୍ରତି ଦଶ ବର୍ଷରେ ଥରେ ଠାକୁରାଣୀ ଯାତ୍ରା ଆୟୋଜିତ ହୁଏ । ଚଳିତ ୨୦୨୩ ଏପ୍ରିଲ ମାସରେ ଠାକୁରାଣୀ ଯାତ୍ରା ପାଳିତ ହୋଇଥିଲା । ତେବେ ପ୍ରଶ୍ନ ଉଠେ, ଦେବାଙ୍ଗ ସଂପ୍ରଦାୟ ଦ୍ୱାରା ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ପ୍ରଚଳନ ସ୍ଥାନୀୟ ସଂସ୍କୃତିର ପରିପ୍ରକାଶ ନା ଦାକ୍ଷିଣାତ୍ୟ ବିଧିବିଧାନ ପାଳନ ?

 

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଆଡ଼ମ୍ୱର ସହ ରଥ ଓ କଳାକୁଞ୍ଜ ସଂପର୍କ ନିବିଡ଼ । ଠାକୁରାଣୀ ଯାତ୍ରାର ଅନ୍ୟାନ୍ୟ ପୁରାତନ ରଥ ମଧ୍ୟରେ ଶଙ୍କରପୁର ସାହିର ରାମଚ଼ନ୍ଦ୍ର ରଥ ଅନ୍ୟତମ । ପୂର୍ବେ ଏହି ରଥରେ ଚକ ଲାଗୁଥିଲା ଏବଂ ରଥ ଟଣା ହୋଇ ବଡ଼ବଜାରକୁ ଅଣାଯାଉଥିଲା । କିନ୍ତୁ ବର୍ତ୍ତମାନ ଶଙ୍କରପୁର ସାହିରେ ହିଁ ପ୍ରଦର୍ଶିତ ହେଉଛି । ଅପରପକ୍ଷେ ଜେନାସାହିର ବୀର ଲକ୍ଷ୍ମଣ ରଥ ଆଜି ଯାଏଁ ବଡ଼ ବଜାରରେ ପ୍ରଦର୍ଶିତ ହେବା ପାଇଁ ଅଣାଯାଉଛି । ଏହି ରଥଟି ୧୯୦୫ ମସିହାରୁ ନିୟମିତ ଭାବେ ପ୍ରସ୍ତୁତ ହେଉଥିବା ଜଣାଯାଇଥାଏ । ବୀର ଲକ୍ଷ୍ମଣ ରଥର ମୂର୍ତ୍ତି ସାମଗ୍ରୀ ସବୁ ଜେନା ସାହିର ଶ୍ରୀ ବୃନ୍ଦାବନ ଚ଼ନ୍ଦ୍ର ଯୁଗଳ ମହାପ୍ରଭୁଙ୍କ ମନ୍ଦିରରେ ସାଇତି ରଖାଯାଇ ପ୍ରତିଥର ଯାତ୍ରାରେ ପ୍ରଦର୍ଶିତ ହୋଇଥାଏ । ଏହାକୁ ମରାମତ କରି ପ୍ରଦର୍ଶନଯୋଗ୍ୟ କରିବା ପାଇଁ ୧୦ରୁ ୧୨ ଦିନ ସମୟ ଲାଗିଥାଏ ।

 

କଳାକୁଞ୍ଜ ନିର୍ମାଣ ପରମ୍ପରା ୧୯୬୩ ଓ ୧୯୬୫ ଠାକୁରାଣୀ ଯାତ୍ରାରେ ପ୍ରସାରିତ ହୋଇଥିବା ଲକ୍ଷ୍ୟ କରାଯାଏ । ୧୯୬୭ ମସିହା ଠାକୁରାଣୀ ଯାତ୍ରାରେ ବହୁ ସଂଖ୍ୟକ କଳାକୁଞ୍ଜ ନିର୍ମିତ ହୋଇଥିଲା । ଏହି କଳାକୁଞ୍ଜ ନିର୍ମାଣ ପାଇଁ କଟକରୁ ଶିଳ୍ପୀ ଆସୁଥିଲେ । ବର୍ତ୍ତମାନ କଳାକୁଞ୍ଜଗୁଡ଼ିକ ସ୍ଥାନୀୟ ଶିଳ୍ପୀ ନିର୍ମାଣ କରୁଥିବା ବେଳେ କିଛି ସଂଖ୍ୟକ ବାହାର ସହରର ଶିଳ୍ପୀଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଥାଏ ।

 

ବ୍ରହ୍ମପୁରରେ ୧୯୩୪ରେ ପ୍ରତିଷ୍ଠିତ ‘ବ୍ରହ୍ମପୁର ଇଲେକ୍ଟ୍ରିକ ସପ୍ଳାଇ କରପୋରେସନ ଲିମିଟେଡ଼’ ଦ୍ୱାରା ବିଦ୍ୟୁତ ଆଲୋକ ବ୍ୟବସ୍ଥା ଏବଂ ଆଞ୍ଚଳିକ ଗଣମାଧ୍ୟମର ପ୍ରଚଳନ ମଧ୍ୟ ଠାକୁରାଣୀ ଯାତ୍ରାର ଆଡ଼ମ୍ୱର ପରିପ୍ରକାଶରେ ସହାୟକ ହୋଇଛି । ବିଦ୍ୟୁତ ଆଲୋକର ସୁବିଧା ମିଳିବା ପରେ ପ୍ରତ୍ୟେହ ସନ୍ଧ୍ୟାରେ ଘଟ ପରିକ୍ରମା ଓ ମଧ୍ୟ ରାତ୍ରୀ ଯାଏଁ ଜନସାଧାରଣଙ୍କ ଯାତ୍ରାରେ ଯୋଗଦାନ ସୁଗମ ହୋଇପାରିଥିଲା । ରଥ ଓ ରାସ୍ତାଘାଟରେ ରଙ୍ଗବେରଙ୍ଗୀ ଆଲୋକ ସଜ୍ଜା ଉତ୍ସବମୁଖର ପରିବେଶ ସୃଷ୍ଟିରେ ସହାୟତା ଦେଇଥିଲା । ସେହିପରି ବିଂଶ ଶତାଦ୍ଦୀର ନବମ ଦଶକରୁ ବ୍ରହ୍ମପୁରରୁ ମୁଦ୍ରିତ ସମ୍ୱାଦପତ୍ର ପ୍ରକାଶନ ଏବଂ ଶେଷ ଦଶକରୁ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ ସେବା ଠାକୁରାଣୀ ଯାତ୍ରା ସଂପର୍କରେ ବ୍ୟାପକ ଚର୍ଚ୍ଚା ତଥା ପ୍ରଚାର ପ୍ରସାରର ସୁଯୋଗ ସୃଷ୍ଟି କରିଥିଲା ।

 

ବ୍ରହ୍ମପୁରର ଜନସଂଖ୍ୟା ୨୦୨୩ ସୁଦ୍ଧା ପ୍ରାୟ ପାଞ୍ଚ ଲକ୍ଷ ଆକଳନ କରାଯାଉଥିବା ଏବଂ ପଡ଼ୋଶୀ ଅଞ୍ଚଳଗୁଡ଼ିକ ସହ ସଡ଼କପଥରେ ଯାନବାହନ ଚଳାଚଳ ସଂଯୁକ୍ତ ହେବା ପରିବେଶ ମଧ୍ୟ ଯାତ୍ରାରେ ଯୋଗଦେବା ଲାଗି ବହୁ ସଂଖ୍ୟକ ଜନସାଧାରଣଙ୍କୁ ଉତ୍ସାହିତ କରୁଥିବା ବିଚାର କରାଯାଇପାରେ । ଆରମ୍ଭରୁ ଯାତ୍ରା ଆୟୋଜନକୁ ସ୍ଥାନୀୟ ବ୍ୟବସାୟୀମାନେ ପ୍ରୋତ୍ସାହନ ଯୋଗାଇ ଆସିଛନ୍ତି । ଅତୀତରେ ଦକ୍ଷିଣ ଓଡ଼ିଶାର ମୁଖ୍ୟ ଫସଲ ଧାନ ଅମଳ ଓ ବିକ୍ରୀବଟା ପରେ ଗ୍ରୀଷ୍ମ ଋତୁରେ ବ୍ରହ୍ମପୁର ବଡ଼ ବଜାରରେ ଗ୍ରାମାଞ୍ଚଳବାସୀ ପହଞ୍ଚି ଜିନିସପତ୍ର କିଣାବିକା କରୁଥିଲେ । ବର୍ତ୍ତମାନ ସୁଦ୍ଧା ସର୍ବତ୍ର ଉତ୍ସବ ଆୟୋଜନ ସହ ସାମଗ୍ରୀ ବିକ୍ରୟ ପରମ୍ପରା ସଂପୃକ୍ତ । ସ୍ୱର୍ଣ୍ଣ, ବସ୍ତ୍ର ଓ ସୌଖିନ ଘରକରଣା ବଜାର ଭାବେ ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁରର ଗୁରୁତ୍ୱ ବଜାୟ ରହିଆସିଛି । ବ୍ରହ୍ମପୁରରେ ଆଡ଼ମ୍ୱରପୂର୍ଣ୍ଣ ଠାକୁରାଣୀ ଯାତ୍ରା ଆୟୋଜନରେ ସାଂସ୍କୃତିକ ଓ ସାମାଜିକ ଦିଗଗୁଡ଼ିକ ସହ ଅର୍ଥନୀତିକ ଦିଗଟି ମଧ୍ୟ ଗୁରୁତ୍ୱ ବହନ କରେ ।

Friday, April 14, 2023

Bada Bazar Mahuri Royal Palace / ବଡ଼ବଜାର ମହୁରି ରାଜବାଟୀ

 #ବ୍ରହ୍ମପୁର ସହରର ଉତ୍ପତ୍ତି ଓ କ୍ରମବିକାଶ ସଂପର୍କରେ ବ୍ରିଟିଶ ଶାସନରେ ଗଞ୍ଜାମର ତତ୍କାଳୀନ ଉପ-ଜିଲ୍ଲାପାଳ ଆର.ବାୟାର୍ଡଙ୍କ ୧୮୨୩ରେ ବର୍ଣ୍ଣିତ ବିବରଣୀ ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ରେକର୍ଡସ, ଭାଗ ୩୮୯୭ ପୃ. ୪୧୧ରେ ଉପଲବ୍ଧ । ଡବ୍ଳ୍ୟୁ. ଡବ୍ଳ୍ୟୁ. ହଣ୍ଟର ୧୮୮୫ରେ ଲଣ୍ଡନରୁ ପ୍ରକାଶିତ ‘ଇମ୍ପରିଆଲ ଗେଜେଟିୟର ଅଫ ଇଣ୍ଡିଆ’, ପଞ୍ଚମ ଭାଗ, ପୃଷ୍ଠା ୧୯୯ ଏବଂ ଟି.ଜେ. ମାଲଟବୀ ୧୯୧୮ରେ ମାଡ୍ରାସରୁ ପ୍ରକାଶିତ ‘ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନ୍ୟୁଆଲ’ରେ ତଥ୍ୟ ରହିଛି । ସେହିପରି ୧୯୩୨ରେ ବ୍ରହ୍ମପୁରରୁ ପ୍ରକାଶିତ ଏମ.ଭି.ଆପ୍ପାରାଓଙ୍କ ‘ହିଷ୍ଟରି ଅଫ ହରିଡ଼ାଖଣ୍ଡି : ମଠ ଏଣ୍ଡ ମହନ୍ତସ’ ପୁସ୍ତକରେ ମଧ୍ୟ ବର୍ଣ୍ଣିତ । ବ୍ରହ୍ମପୁରରୁ ୧୯୯୪ରେ ପ୍ରକାଶିତ ‘ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି’ ସଂକଳନରେ ଡ଼କ୍ଟର ଦଣ୍ଡପାଣି ବେହେରା ‘ବ୍ରହ୍ମପୁରର ଐତିହାସିକ ପୃଷ୍ଠଭୂମି’ ଶୀର୍ଷକ ରଚନାରେ ଉପରୋକ୍ତ ଗ୍ରନ୍ଥ ତାଲିକା ଉଲ୍ଲେଖ କରିଥିଲେ । ଡ଼କ୍ଟର ବେହେରା ଜଣେ ଇତିହାସ ଅଧ୍ୟାପକ । ସେ ଭଞ୍ଜନଗର, ବଡ଼ଖେମୁଣ୍ଡି ଇତ୍ୟାଦି ମହାବିଦ୍ୟାଳୟରେ ଅଧ୍ୟାପନା କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଶାସକ ଭାବେ ଅବସର ଗ୍ରହଣ କରିଥିଲେ । ଗଞ୍ଜାମର ଆଞ୍ଚଳିକ ଇତିହାସ ସଂକଳନରେ ଆଗ୍ରହ ପ୍ରକାଶ କରୁଥିଲେ । ସେ ଲେଖିଥିଲେ :

 

“ଓଡ଼ିଶାର ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ଅନୁମତିକ୍ରମେ ଜଣେ ସ୍ଥାନୀୟ ମୁଖିଆ ପଞ୍ଚଦଶ ଶତାଦ୍ଦୀରେ ମହୁରି ରାଜ୍ୟ ସ୍ଥାପନ କରିଥିଲେ । ଗଞ୍ଜାମ ସବକଲେକ୍ଟର ବାୟାର୍ଡ ସାହେବଙ୍କ ଦ୍ୱାରା ନଭେମ୍ୱର ୧୦ ତାରିଖ ୧୮୨୩ ଖ୍ରୀଷ୍ଟାଦ୍ଦରେ ଲିପିବଦ୍ଧ ଗଞ୍ଜାମ ଜିଲ୍ଲା ରେକର୍ଡସ ବିବରଣୀ ଅନୁକ୍ରମେ ମହୁରି ରାଜ୍ୟ ୧୪୬୮ରୁ ୧୪୯୭ ଖ୍ରୀଷ୍ଟାଦ୍ଧର ମଧ୍ୟରେ ସ୍ଥାପିତ ହେଲା । ପରେ ପରେ ଷଷ୍ଠଦଶ ଶତାଦ୍ଦୀ ପ୍ରାରମ୍ଭରେ ହିଁ ମହୁରି ରାଜବାଟୀର ଚ଼ତୁଃପାର୍ଶ୍ୱରେ ଜନବସତି ପ୍ରତିଷ୍ଠା ଆରମ୍ଭ ହେଲା ।“ (ପୃ. ୨୪୭)

 

“ମହୁରି ଥିଲା ଏକ ପୁରାତନ ରାଜ୍ୟ । ପାରଳାଖେମୁଣ୍ଡି ଓ ଘୁମୁସର ସହ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜମିଦାରୀ ରାଜ୍ୟ ଥିଲା । ଆକାରରେ ଏହା ଥିଲା ୩୦୦ ବର୍ଗ ମାଇଲ । ଏହାର ମଧ୍ୟଭାଗରେ ଠିଆ  ହୋଇଥିବା ମହୁରି ଅବା କେରାଣ୍ଡିମାଳ ପର୍ବତର ବିସ୍ତୃତି ଥିଲା ୨୦ ବର୍ଗ ମାଇଲ । ... ଏହାର ପ୍ରଥମ ରାଜ୍ୟ ମହକୁମା ଥିଲା କେରାଣ୍ଡିମାଳ ପାଦ ଦେଶସ୍ଥ ମହୁରି ଗଡ଼ ଅବା ଅଧୁନା ମହୁଡ଼ା ଗ୍ରାମ । ସେଠାରେ ଏକ ପ୍ରସ୍ତର ଦୁର୍ଗ ଥିଲା । ସେଠାରେ ରାଜପରିବାର ଅବସ୍ଥାନ କରୁଥିଲେ । ତା’ର ସମୀପରେ ଶିରକୁଟ ଦୁର୍ଗ ଥାଏ । ସେଠାରେ ରାଜା ବେଳେବେଳେ ଆଶ୍ରୟ ନେଉଥାନ୍ତି । ପରେ ରାଜ୍ୟ ମହକୁମା ସେଠାରୁ ଆଠ ମାଇଲ ଦୂରରେ ସମତଳ ଭାଗରେ ନୂତନ ନିର୍ମିତ ହୋଇଥିବା ବ୍ରହ୍ମପୁରକୁ ୧୬୬୨ରୁ ୧୬୭୨ ସାଲ ମଧ୍ୟରେ ଘୁଞ୍ଚାଇ ଅଣାଗଲା । ତତ୍ ପରେ ବ୍ରହ୍ମପୁର ଏହାର ରାଜଧାନୀ ଭାବେ କାର୍ଯ୍ୟକଲା ।” (ପୃ. ୨୫୦-୨୫୧)

 

“ରାଜନୈତିକ ଦୃଷ୍ଟିରୁ ବ୍ରହ୍ମପୁର ବହୁ ଶାସନାଧୀନ ଥିଲା । ଏହି ସହର ତଥା ସମଗ୍ର ଦକ୍ଷିଣ ଓଡ଼ିଶା ୧୫୭୧ରୁ ୧୬୬୭ ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ଗୋଲକୋଣ୍ଡି ମୁସଲମାନ ଶାସନାଧୀନରେ, ୧୬୬୭ରୁ ୧୭୫୩ ପର୍ଯ୍ୟନ୍ତ ମୋଗଲ ଅବା ହାଇଦରାବାଦ ନିଜାମଙ୍କର ଶାସନ ଅଧୀନରେ, ୧୭୫୩ରୁ ସ୍ୱଳ୍ପ ସମୟ ନିମନ୍ତେ ଫରାସୀ ଶାସନ ଅଧୀନରେ ଏବଂ ୧୭୭୬ରୁ ୧୯୩୬ ପର୍ଯ୍ୟନ୍ତ ବ୍ରିଟିଶ ଶାସନାଧୀନ ମାନ୍ଦ୍ରାଜ ପ୍ରେସିଡ଼େନ୍ସି ଅଧୀନରେ ରହିଆସିଥିଲା ।” (ପୃ. ୨୪୮)

 

ଅତଏବ, ମହୁରି ରାଜ୍ୟ ପଞ୍ଚଦଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ପ୍ରତିଷ୍ଠିତ ହେବା ଦୁଇ ଶହ ବର୍ଷ ପରେ ସପ୍ତଦଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ବ୍ରହ୍ମପୁରକୁ ମହୁରି ରାଜବାଟୀ ସ୍ଥାନାନ୍ତରିତ ହୋଇଥିଲା । ନୂତନ ରାଜବାଟୀ ପ୍ରତିଷ୍ଠାର ଶହେ ବର୍ଷ ପରେ ହରିହର ନରେନ୍ଦ୍ର ଦେବ ୧୭୭୦ ମସିହାରେ ମାତ୍ର ୧୨ ବର୍ଷ ବୟସରେ ରାଜସିଂହାସନ ଆରୋହଣ କରିଥିଲେ ଏବଂ ୧୭୮୨ ଡ଼ିସେମ୍ୱର ୧୦ ତାରିଖରେ ହତ୍ୟାର ଶୀକାର ହୋଇଥିଲେ । ହରିହର ନରେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ସେ ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିବା ଏବଂ ରାଜକୃପା ଲାଭ କରି ସେଠାକାର ପାଟ ବୁଣାକାରମାନେ ବ୍ରହ୍ମପୁର ପହଞ୍ଚି ମହୁରି ରାଜବାଟୀ ଆଖପାଖ ଅଞ୍ଚଳରେ ବସତି ସ୍ଥାପନ କରିଥିବା କିମ୍ୱଦନ୍ତୀ ପ୍ରଚଳିତ । ବ୍ରହ୍ମପୁରରେ ବୁଣାକାର ‘ଦେବାଙ୍ଗ’ ସମ୍ପ୍ରଦାୟର ବହୁ ସଂଖ୍ୟକ ପରିବାର ବସବାସ କରି ୧୮ ଗୋଟି ସାହିକୁ ସଂପ୍ରସାରିତ ହୋଇଥିଲେ । ସେମାନଙ୍କ ଦ୍ୱାରା ଉତ୍ପାଦିତ ପାଟବସ୍ତ୍ର କ୍ରମଶଃ ବ୍ରହ୍ମପୁରର ପରିଚିତି ହାସଲ କରିଥିଲା । ମହୁରି ରାଜବାଟୀ ସଂଲଗ୍ନ ଅଞ୍ଚଳରେ ବଜାର ଗଢ଼ି ଉଠିଥିଲା ଏବଂ ପାଟବସ୍ତ୍ର ଉତ୍ପାଦନ ଓ ବିକ୍ରୀର କେନ୍ଦ୍ରସ୍ଥଳ ବିବେଚିତ ହୋଇଥିଲା । ଏହିକ୍ରମରେ ଅଷ୍ଟାଦଶ ଶତାଦ୍ଦୀ ଶେଷଭାଗରେ ‘ଦେବାଙ୍ଗ’ ସମ୍ପ୍ରଦାୟର ଆଗମନ ପରେ ସେମାନଙ୍କ ଦ୍ୱାରା ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଧାର୍ମିକ ନୀତି ପ୍ରଚଳିତ ହୋଇଥିବା ଅନୁମାନ କରାଯାଏ ।

Wednesday, April 5, 2023

Berhampur Thakurani Yatra 2023 / ବ୍ରହ୍ମପୁର ଠାକୁରାଣୀ ଯାତ୍ରା ୨୦୨୩

 #ବ୍ରହ୍ମପୁର ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୩ ଏପ୍ରିଲ ୪ ତାରିଖ ସୋମବାର ମଧ୍ୟରାତ୍ରୀ-ଏପ୍ରିଲ ୫ ତାରିଖ ମଙ୍ଗଳବାର ପ୍ରତ୍ୟୁଷରେ ବିଧିବଦ୍ଧଭାବେ ଆରମ୍ଭ ହୋଇଛି । ଏହି ଉତ୍ସବ ମେ’ ପହିଲା ସୋମବାର ଯାଏଁ ପାଳିତ ହୋଇ ମେ ୨ ତାରିଖ ମଙ୍ଗଳବାର ପ୍ରଭାତରେ ଉଦଯାପିତ ହେବା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଚଳିତ ବର୍ଷ ୨୮ ଦିନ ଯାତ୍ରା ଆୟୋଜିତ ହେବ । ପାରମ୍ପରିକ ଯାତ୍ରାସ୍ଥଳୀ ବଡ଼ବଜାର ଦେଶୀବେହେରା ସାହିରେ ମାର୍ଚ୍ଚ ୧୭ ତାରିଖ ରାତିରେ ଅନୁଷ୍ଠିତ ବୈଠକରେ ଯାତ୍ରା ଆୟୋଜକ ଦେଶୀବେହେରାଙ୍କ କୁଳ-ପୁରୋହିତ ଯାତ୍ରା ଆୟୋଜନ ତିଥି ଘୋଷଣା କରିଥିଲେ । ତଦ୍ ଅନୁଯାୟୀ କାର୍ଯ୍ୟକ୍ରମ ଅଗାଇଛି ।

 

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅବଧି ପାରମ୍ପରିକଭାବେ ପ୍ରଶାସନିକ ନିଷ୍ପତ୍ତି ଉପରେ ନିର୍ଭର କରିଥାଏ । ସାଧାରଣତଃ ଯାତ୍ରା ତିନି ସପ୍ତାହ ବା ତଦୂର୍ଦ୍ଧ ଦିବସ ଧରି ଚାଲିଥାଏ । ଦେଖାଯାଇଛି ଯେ ଯାତ୍ରା ଆୟୋଜନ ତିଥି ନିର୍ଦ୍ଧାରଣପରେ ଆୟୋଜକ ଦେଶୀବେହେରାଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଅନୁମୋଦନ ନିମନ୍ତେ ଦରଖାସ୍ତ କରାଯାଏ । ଅଧିକାଂଶ କ୍ଷେତ୍ରରେ ପ୍ରଶାସନ ସୀମିତ ସମୟରେ ଯାତ୍ରା ପାଳନ ନିମନ୍ତେ ଅନୁମତି ପ୍ରଦାନ କରିଥାନ୍ତି ଏବଂ ଯାତ୍ରାର ଅବଧି ବୃଦ୍ଧି ନିମନ୍ତେ ପୁନଃ ଦରଖାସ୍ତ କରାଯିବାପରେ ଅଧିକା କିଛି ଦିନ ଲାଗି ଅନୁମତି ମିଳିଥାଏ ।

 

ବ୍ରହ୍ମପୁର ଠାକୁରାଣୀଯାତ୍ରାର ବିଗତ ଦଶ ବର୍ଷର ଇତିହାସ ଅନୁଧ୍ୟାନ କଲେ ୨୦୧୧ ମସିହାରେ ଯାତ୍ରା ୨୯ ଦିନ ଅନୁଷ୍ଠିତ ହୋଇଥିଲା । ୨୦୧୩ ମସିହାରେ ଯାତ୍ରା ୫ ଏପ୍ରିଲରୁ ୨୯ ଏପ୍ରିଲ, ୨୫ ଦିନ ଅନୁଷ୍ଠିତ ହୋଇଥିଲା । ପ୍ରଶାସନ ପକ୍ଷରୁ ପ୍ରଥମେ ୧୫ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ଦେଇଥିଲେ ଏବଂ ପରେ ପୁଣି ୯ ଦିନ ଯାତ୍ରାର ଅବଧି ବଢ଼ାଇଥିଲେ । ସେହିପରି ୨୦୧୫ରେ ଦୁଇଗୋଟି କିସ୍ତିରେ ୩୧ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ୨୦୧୭ ମସିହାରେ ଦୁଇ କିସ୍ତିରେ ଯାତ୍ରାର ଅବଧି ନିର୍ଦ୍ଧାରଣ ବଦଳରେ ଏକା ଥରକେ ୩୦ ଦିନ ଯାତ୍ରା ଆୟୋଜନ ଅନୁମତି ପ୍ରଦାନ କରିଥିଲେ । ଏପ୍ରିଲ ୨ରୁ ମେ ପହିଲା ଯାଏଁ ଯାତ୍ରା ଅନୁଷ୍ଠିତ ହୋଇଥିଲା । ୨୦୧୯ରେ ମାର୍ଚ୍ଚ ୨୯ରୁ ଏପ୍ରିଲ ୨୯ ଏକ ମାସ ବ୍ୟାପୀ ଯାତ୍ରା ପାଳିତ ହୋଇଥିଲା । ତେବେ ୨୦୨୧ରେ କୋଭିଡ଼-୧୯ ମହାମାରୀ କାରଣରୁ ପ୍ରଶାସନିକ କଟକଣା ହେତୁ ଯାତ୍ରା ପାଳନ କେବଳ ଔପଚାରିକତାରେ ଆବଦ୍ଧ ରହିଥିଲା ।

 

ଲୋକମୁଖରୁ ଜଣାଯାଏ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବାବସ୍ଥାରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଦୁଇ ମାସ ଯାଏଁ ଅନୁଷ୍ଠିତ ହେଉଥିଲା । ଯାତ୍ରାରେ ଧାର୍ମିକ ରୀତି-ନୀତି ସହ ରଥ, କଳାକୁଞ୍ଜ ଓ ବେଶଧାରଣ ସମୟକ୍ରମେ ଯୋଡ଼ି ହୋଇଆସିଛି । ଯାତ୍ରାର ଏହି ସାମାଜିକ ବିଭବଗୁଡ଼ିକ ଯାତ୍ରୀ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ । ହେତୁ ଜନସମାଗମ ହେତୁ ଆଇନ ଶୃଙ୍ଖଳା ଓ ପରିମଳ ରକ୍ଷା, ଜଳଯୋଗାଣ, ଜନସ୍ୱାସ୍ଥ୍ୟ ଇତ୍ୟାଦି ବିଭିନ୍ନ ଦିଗକୁ ବିଚାରକୁ ନେଇ ସ୍ଥାନୀୟ ପ୍ରଶାସନ ଯାତ୍ରାର ଅବଧି ଅନୁମୋଦନ କରିଥାନ୍ତି । ଅତୀତରେ ଗଣମାଧ୍ୟମ ଓ ଯୋଗାଯୋଗ ସୁବିଧା ସୁଯୋଗ ଅବହେଳିତ ଅବସ୍ଥାରେ ରହିଥିଲା । ଯାତ୍ରା ଆୟୋଜନ ମୁଖ୍ୟତଃ ଲୋକମୁଖରେ ପ୍ରଚାରିତ ହେଉଥିଲା ଏବଂ ପଡ଼ୋଶୀ ଗ୍ରାମାଞ୍ଚଳରୁ ଦର୍ଶନାର୍ଥୀ ସପରିବାରେ ଶଗଡ଼ରେ ବ୍ରହ୍ମପୁର ବଡ଼ବଜାର ପହଞ୍ଚୁଥିଲେ । ଏକବିଂଶ ଶତାଦ୍ଦୀ ଆରମ୍ଭରୁ ଅଞ୍ଚଳିକ ଟେଲିଭିଜନ ଚ୍ୟାନେଲ ଠାକୁରାଣୀଯାତ୍ରାର ଧାରା ବିବରଣୀ ରାଜ୍ୟବ୍ୟାପୀ ପହୁଞ୍ଚାଇ ଦେଇଥିବା ସ୍ଥଳେ ଦ୍ୱିତୀୟ ଦଶକରେ ସାମାଜିକ ଗଣମାଧ୍ୟମର ପ୍ରସାର ସୂଚ଼ନା-ପ୍ରାଚ଼ର୍ଯ୍ୟ ପରିବେଶ ସୃଷ୍ଟି କରିଛି । ଗ୍ରାମାଞ୍ଚଳରେ ପ୍ରତି ଦୁଇଗୋଟି ପରିବାର ମଧ୍ୟରୁ ଗୋଟିଏ ପରିବାରରେ ଦୁଇ ଚକିଆ ମଟର ସାଇକେଲ ଏବଂ ପ୍ରତି ଗ୍ରାମକୁ ପକ୍କା ରାସ୍ତା ଯୋଗାଯୋଗ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି । ଏହି କାରଣରୁ ଯାତ୍ରା ପାଳନର ନିର୍ଦ୍ଧିଷ୍ଟ କାର୍ଯ୍ୟସୂଚ଼ୀ ଅଗ୍ରୀମ ନିର୍ଦ୍ଧାରଣ ଯୁଗ ଉପଯୋଗୀ ମନେହୁଏ ।

 

ବ୍ରହ୍ମପୁର ଠାକୁରାଣୀ ଯାତ୍ରା କେବଠୁ ଆଡ଼ମ୍ୱର ସହକାରେ ପାଳିତ ହେଲା ଭଳି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ରଥ, କଳାକୁଞ୍ଜ ଓ ବିଦ୍ୟୁତ ଆଲୋକ ବ୍ୟବସ୍ଥା ମନକୁ ଆସିଥାଏ । ଗତ ୨୦୧୩ ମସିହା ଯାତ୍ରାରେ କାଳୁପାତ୍ର ସାହିର ଜ୍ୱାଳାମୁଖୀ ରଥ ଆରମ୍ଭର ୭୫ ବାର୍ଷିକୀ ‘ପ୍ଳାଟିନମ ଜୁବୁଲି’ ପାଳନ କରାଯାଇଥିଲା । ଅର୍ଥାତ, ରଥ ୧୯୩୯ରେ ଆରମ୍ଭ ହୋଇଥିଲା । ପୂର୍ବେ ରଥଗୁଡ଼ିକରେ ଚକ ଲାଗୁଥିଲା । ବିଭିନ୍ନ ସାହିରେ ସ୍ଥାନୀୟ ବାସିନ୍ଦାଙ୍କ ଉଦ୍ୟମରେ ରଥ ନିର୍ମିତ ହେବା ପରେ ବଡ଼ ବଜାର ଛକକୁ ଟାଣି ଟାଣି ଅଣାଯାଉଥିଲା । ବର୍ତ୍ତମାନ ସେହି ପରମ୍ପରାର ବିଲୋପ ଘଟିଛି । ରଥଗୁଡ଼ିକ ବଡ଼ ବଜାର ପଡ଼ୋଶୀ ବିଭିନ୍ନ ସାହିରେ ପ୍ରଦର୍ଶିତ ହେଉଛି । ଏକପକ୍ଷରେ ଯାତ୍ରା ଆରମ୍ଭ ହେବାପରେ ରଥ ନିର୍ମାଣ ନିମନ୍ତେ ଉଦ୍ୟମ ହୁଏ ଏବଂ ଯାତ୍ରାର ଶେଷ ସପ୍ତାହକ ଲାଗି ପ୍ରଦର୍ଶନର ବ୍ୟବସ୍ଥା କରାଯାଏ । ଏହା ବ୍ୟୟବହୁଳ ଓ ସଂପୃକ୍ତ ରଥ ଉଦ୍ୟୋକ୍ତାଙ୍କୁ ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ । ଅପରପକ୍ଷରେ ଯାତ୍ରାରେ ରଥ ପ୍ରଦର୍ଶିତ ହେଲେ ହେଁ ଯାତ୍ରୀଙ୍କ ଭିଡ଼ ଜମିଥାଏ । ଏହି କାରଣରୁ ଯାତ୍ରାର ଅବଧି ବୃଦ୍ଧି ଏକ ଆବଶ୍ୟକତାରେ ପରିଣତ ହେଉଥିଲା । କିନ୍ତୁ ସମକାଳରେ ସେହି ଧାରାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା କୁହାଯାଇପାରେ । ତେଣୁ ଯାତ୍ରାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଆଧାରରେ ରଥ ଓ କଳାକୁଞ୍ଜ ନିର୍ମାଣ ଭଳି ବିଭିନ୍ନ ଆୟୋଜନ ଆଶା କରାଯାଇପାରେ ।

Friday, March 19, 2021

ଯାତ୍ରା ଆୟୋଜନ ଚର୍ଚ୍ଚା

 #ବ୍ରହ୍ମପୁର ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୧ ଆୟୋଜନ ନିମନ୍ତେ ମାର୍ଚ୍ଚ ୧୯ ଶୁକ୍ରବାର ରାତ୍ରୀ ପ୍ରଥମ ପ୍ରହରରେ ଦେବାଙ୍ଗ କୁଳ ଓ ଜନପଦ ସଭାରେ କାର୍ଯ୍ୟକ୍ରମ ଚୁଡ଼ାନ୍ତ କରି ଦ୍ୱିତୀୟ ପ୍ରହରରେ ବଡ଼ ଠାକୁରାଣୀ ମନ୍ଦିରକୁ ଶୋଭାଯାତ୍ରା ଏବଂ ଆଜ୍ଞାମାଳ ପ୍ରାପ୍ତି ତଥା ଶନିବାର ପ୍ରଥମ ପ୍ରହରରେ ଶୁଭଖୁଣ୍ଟ ସ୍ଥାପନ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା । ଏ ସଂପର୍କରେ ବଡ଼ ବଜାର ସଂଲଗ୍ନ ସାହୀଗୁଡ଼ିକରେ ପୂର୍ବାହ୍ନରୁ ଡ଼େଣ୍ଡୁରା ଦିଆଯାଇ ସମସ୍ତ ପୂର୍ବପ୍ରସ୍ତୁତି ମଧ୍ୟ ସରିଥିଲା ।

ତେବେ ଦେଶବ୍ୟାପୀ ‘କୋଭିଡ଼-୧୯’ର ଦ୍ୱିତୀୟ ତରଙ୍ଗ ସଂକ୍ରମଣ ଆଶଙ୍କାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଇଦିଆଯିବା ପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିସନର ଅନୁରୂପ ନିର୍ଦ୍ଦେଶନାମା ଜାରି କଲେ । ଶନିବାର ଦିନ ରାଜ୍ୟରେ ୧୧୦ ଜଣ ୨୨ ଗୋଟି ଜିଲ୍ଲାରୁ ସଂକ୍ରମିତ ହୋଇଥିବା ହିସାବ ଜଣାପଡ଼ିବା ପରେ ରିଲିଫ କମିସନରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ଦୋଳ ଓ ହୋଲି ଉତ୍ସବ ସର୍ବସାଧାରଣରେ ପାଳନ ନିମନ୍ତେ ବାରଣ କରାଯାଇଛି । ମନ୍ଦିର ଭିତରେ କୋଭିଡ଼ ଗାଇଡ଼ଲାଇନ ମାନି ଧାର୍ମିକ ରୀତିନୀତି ପାଳିତ ହେବ । ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯିବା ନିମନ୍ତେ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ମୁଖ୍ୟ ଶାସନ ସଚ଼ିବ ପତ୍ର ଲେଖିଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।
ଏହି ପରିସ୍ଥିତିରେ ବ୍ରହ୍ମପୁର ଠାକୁରାଣୀଯାତ୍ରା ୨୦୨୧ ପାଳନ ନିମନ୍ତେ ନିଷ୍ପତ୍ତି ଗ୍ରହଣ ଲାଗି କୁଳ ଓ ଜନପଦ ସଭା ଆୟୋଜନ ପୂର୍ବରୁ ଆୟୋଜକଙ୍କ ସହ ମହାନଗର ନିଗମ କମିସନର ଓ ଉପଜିଲ୍ଲାପାଳଙ୍କ ଆଲୋଚ଼ନା ହୋଇଥିଲା । ସଂଭବତଃ ପରିସ୍ଥିତି ଅନୁଧ୍ୟାନ କରି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୧୯ ଶୁକ୍ରବାର ରାତିରେ ଶୁଭଖୁଣ୍ଟ ସ୍ଥାପନ ଆପାତତଃ ସ୍ଥଗିତ ରଖାଗଲା ବୋଲି ଆୟୋଜକ ଘୋଷଣା କରିଛନ୍ତି ।
ବ୍ରହ୍ମପୁର ଠାକୁରାଣୀ ଯାତ୍ରା ୨୦୨୧ ଯେ କୋଭିଡ଼ କଟକଣା ମାନି ଆୟୋଜନ କରିବାକୁ ପଡ଼ିବ ଏଥିରେ ସନ୍ଦେହ ନାହିଁ, ତେବେ ଯାତ୍ରା ଅନୁଷ୍ଠିତ ହେବ ନା ନାହିଁ, ଯଦି ହେବ କେତେଦିନ ହେବ ଏବଂ କେଉଁ ପଦ୍ଧତି ଅନୁସରଣ କରାଯିବ ତାହା ସମୟକ୍ରମେ ନିର୍ଦ୍ଧାରିତ ହେବ । ଏଠାରେ କେତେଗୋଟି ବିଷୟ ଚର୍ଚ୍ଚାର ପରିସରକୁ ଆସେ ।
ଆଇନତଃ ମହାମାରୀ କାଳରେ ଧାର୍ମିକ, ସାଂସ୍କୃତିକ, ରାଜନୀତିକ କାହିଁକି ବିବାହ, ଶୁଦ୍ଧିକ୍ରିୟା ଭଳି ସାମାଜିକ କାର୍ଯ୍ୟ ଆୟୋଜନ ପାଇଁ ମଧ୍ୟ ପ୍ରଶାସନର ଅନୁମତି ପ୍ରଯୁଜ୍ୟ । ଏହି ମେଳନଗୁଡ଼ିକରେ କୋଭିଡ଼ ଗାଇଡ଼ଲାଇନର ଉଲଂଘନ ହେଲେ ଅନୁମତି ପ୍ରାପ୍ତ ଆୟୋଜକ ଦାୟୀ ରହିବେ ।
ପ୍ରଚଳିତ ନୀତି ଅନୁଯାୟୀ ଧାର୍ମିକ ରୀତିନୀତି ପାଳନରେ ବାରଣ ନାହିଁ । କିନ୍ତୁ ଜନସମାଗମ ନିଷେଧ । ଠାକୁରାଣୀ ଯାତ୍ରାର ଦୁଇଗୋଟି ଦିଗ ରହିଛି । ଏକ ପକ୍ଷରେ ନୀତିକାନ୍ତି ପାଳନ ଓ ଅପରପକ୍ଷରେ ଆନନ୍ଦ ଉଲ୍ଲାସରେ ନଗରବାସୀଙ୍କ ପୂଜାର୍ଚ୍ଚନା, ଶୋଭାଯାତ୍ରାରେ ଅଂଶଗ୍ରହଣ, ବେଶଧାରଣ, ରଥ-କଳାକୁଞ୍ଜ-ଆଲୋକସଜ୍ଜା ଉପଭୋଗ, ଅତିଥି ସତ୍କାରରେ ଅଂଶଗ୍ରହଣ ରହିଥାଏ । କୋଭିଡ଼ କଟକଣାରେ ରୀତିନୀତି ପାଳିତ ହୋଇପାରିବ, ତେବେ ଜନସାଧାରଣଙ୍କ ଅଂଶଗ୍ରହଣ ସଂଭବପର ନୁହ । ତେଣୁ ଯାତ୍ରା ଆୟୋଜନ ଲାଗି ବିକଳ୍ପ ନୀତିନିର୍ଦ୍ଧାରଣ ଆବଶ୍ୟକ ।
ଭର୍ଚୁଆଲ ପରିବେଶ ଯାତ୍ରା ପାଳନର ଏକ ବିକଳ୍ପ । ଠାକୁରାଣୀ ଯାତ୍ରା ସହ ସହରବାସୀଙ୍କ ଗଭୀର ଭାବାବେଗ ସଂପର୍କ ରହିଛି । ପାରମ୍ପରିକ ଯାତ୍ରା ବନ୍ଦ କରିଦେବା ଅପେକ୍ଷା ଗତବର୍ଷର ପୁରୀ ରଥଯାତ୍ରା ବା ଗୋସାଇଁନୂଆଗାଁର କାଳୁଆ ଯାତ୍ରା ଭଳି ରୀତିନୀତିରେ ଉତ୍ସବ ପାଳନକୁ ସୀମିତ ରଖି ସୋସିଆଲ ମିଡ଼ିଆ, ଓଭର-ଦି-ଟପ ଓ ଟେଲିଭିଜନ ମଞ୍ଚର ବ୍ୟାପକ ଉପଯୋଗରେ ସର୍ବସାଧାରଣରେ ଯାତ୍ରାର ମାହୋଲ ସୃଷ୍ଟି ସର୍ଜନଶୀଳ କାର୍ଯ୍ୟକ୍ରମ ଆୟୋଜନରେ ଦକ୍ଷତା ଆବଶ୍ୟକ କରେ । ବ୍ରହ୍ମପୁରର ଅର୍ଦ୍ଧାଧିକ ଜନସାଧାରଣ ଇଣ୍ଟରନେଟ ସଂଯୁକ୍ତ ଓ ସ୍ମାର୍ଟଫୋନ ଜରିଆରେ ସୋସିଆଲ ମିଡ଼ିଆରେ ପହଞ୍ଚି ସାରିଥିବା ତଥା ଦୈନିକଭତ୍ତିରେ ହାରାହାରି ଚାରିଘଣ୍ଟା ଯାଏଁ ଫୋନ ପରଦାରେ ବିତାଉଥିବା ହେତୁ ଜନଜୀବନରେ ବୈଷୟିକ ପ୍ରଗତିର ପ୍ରଭାବକୁ ଅଣଦେଖା କରାଯାଇ ପାରେନା ।

Friday, March 12, 2021

ଠାକୁରାଣୀ ଯାତ୍ରା ୨୦୨୧

ମହାମାରୀଜନିତ ଅନିଶ୍ଚିତତା ମଧ୍ୟରେ #ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଳନ ନିମନ୍ତେ ନୀତିଗତଭାବେ ସ୍ଥିର ହୋଇଥିବା ସମ୍ୱାଦ ସହରବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଦେଇଛି । ଯାତ୍ରା ଆୟୋଜକଙ୍କ ପକ୍ଷରୁ ସ୍ଥାନୀୟ ପ୍ରଶାସନ ନିକଟରେ ଅନୁମତି ଆବେଦନ ପରେ ବ୍ରହ୍ମପୁର ମହାନଗର ନିଗମ ତତ୍ତ୍ୱାବଧାନରେ କୋଭିଡ଼ କଟକଣା ମାନି ଯାତ୍ରା ପାଳନ ନିମନ୍ତେ ସବୁଜ ସଙ୍କେତ ଦିଆ ଯାଇଥିବା ପ୍ରକାଶ ।

 

ଯାତ୍ରା ଆୟୋଜନ ସଂପର୍କରେ ଆଲୋଚନା ଲାଗି ମହାନଗର ନିଗମ ପ୍ରଶାସକଙ୍କ ସହ ଆୟୋଜକ ଫେବୃୟାରୀ ୧୦ ତାରିଖରେ ଏକତ୍ରୀତ ହୋଇଥିଲେ । ଏହି ଅବସରରେ ସାତଗୋଟି ମୁଖ୍ୟ ବିଷୟପ୍ରତି ଗୁରୁତ୍ୱ ଆରୋପ କରାଯାଇଥିବା ଜଣାଯାଏ । ପ୍ରଥମତଃ, ଠାକୁରାଣୀ ଯାତ୍ରା ଅବସରରେ ଅସ୍ଥାୟୀ ମନ୍ଦିରରେ ଘଟ ସ୍ଥାପନ ନିମନ୍ତେ ନିର୍ମିତ ପିଣ୍ଡି ଉପରକୁ ଭକ୍ତ କିମ୍ୱା ପୂଜକ ଉଭୟଙ୍କୁ ପ୍ରବେଶ ବାରଣ କରାଯିବ । ପିଣ୍ଡିଠାରୁ ଦୂରତ୍ୱ ଅବଲମ୍ୱନ କରି ଦର୍ଶନ ଓ ପୂଜାପାଠ କରାଯାଇପାରିବ । ଏହା ଦ୍ୱାରା ଅସ୍ଥାୟୀ ମନ୍ଦିରରରେ ଜନଗହଳି ନିୟନ୍ତ୍ରଣ କରାଯିବ ।

 

ଦ୍ୱିତୀୟତଃ, ଯାତ୍ରା ଅବଧିରେ ପ୍ରତ୍ୟେହ ସନ୍ଧ୍ୟାରେ ଘଟ ପରିକ୍ରମାରେ କେତେକ କଟକଣା ଲାଗୁ ହେବ । ପୂର୍ବ ତୁଳନାରେ ଚଳିତ ବର୍ଷ ସାହୀ ସଂଖ୍ୟା କମାଇ ଦିଆଯିବ । ଘଟଧାରୀଙ୍କ ପାଦ ଧୋଇ ପୂଜାଅର୍ଚ୍ଚନା ନିମନ୍ତେ ମହିଳାମାନଙ୍କୁ ଅନୁମତି ମିଳିବ ନାହିଁ ।

 

ତୃତୀୟତଃ, ଘଟ ଶୋଭାଯାତ୍ରାରେ ଦୁଇ ଶହ ବ୍ୟକ୍ତି ଯୋଗ ଦେଇ ପାରିବେ । ଯେକୌଣସି ଆଗ୍ରହୀ ଜନସାଧାରଣଙ୍କ ବ୍ୟତିରେକେ କେବଳ ମନୋନୀତ ସ୍ୱେଚ୍ଛାସେବୀଙ୍କୁ ନେଇ ଘଟ ପରିକ୍ରମା ଆୟୋଜିତ ହେବ । ଯାତ୍ରାପାଳନର ରୀତିନୀତିରେ ପାରମ୍ପରିକ ଭାବେ ଡ଼େରା ‘ଦେବାଙ୍ଗ’ ସଂପ୍ରଦାୟର ସଂପୃକ୍ତି ହେତୁ ସେଇମାନେ ହିଁ ଅଧିକ ସଂଖ୍ୟକ ସାମିଲ ହେବା ସ୍ୱାଭାବିକ ।

 

ଚ଼ତୁର୍ଥତଃ, ମାନସିକ କରିଥିବା ବ୍ୟକ୍ତିବିଶେଷଙ୍କୁ ବେଶ ଧାରଣ ନିମନ୍ତେ ସୁଯୋଗ ପ୍ରଦାନ କରାଯିବ ନାହିଁ । ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବେଶ ଧାରଣ ଯାତ୍ରାର ଉପସ୍ଥିତି ବଡ଼ବଜାରରୁ ସମଗ୍ର ସହର ଓ ସହରତଳି ଅଞ୍ଚଳକୁ ପରିବ୍ୟାପ୍ତ କରିଥାଏ । ଏତଦ୍ୱାରା ଜନସାଧାରଣଙ୍କୁ ଯାତ୍ରାରେ ସାମିଲ ହେବା ସୁଯୋଗ ମିଳିଥାଏ । କିନ୍ତୁ ବେଶ ପଟୁଆରରେ ଶାରିରୀକ ଦୂରତ୍ୱ ବଜାୟ ରଖିବା ସଂଭବ ନଥିବା ହେତୁ କୋଭିଡ଼ କଟକଣାରେ ବେଶଧାରଣକୁ ଅନୁମତି ଦିଆନଯିବା ସ୍ଥିରୀକୃତ ହୋଇଥିବା ଜଣାଯାଏ ।

 

ପଞ୍ଚମତଃ, ରଥ ଓ କଳାକୁ୍ଞ୍ଜ ସାଙ୍ଗକୁ ସାହୀଗୁ଼ଡ଼ିକରେ ସନ୍ଧ୍ୟାରେ ଆଲୋକସଜ୍ଜା ବନ୍ଦ ରହିବ । ଏତଦ୍ୱାରା ଏକପକ୍ଷରେ ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଭିଡ଼ କମାଇବା ସଂଭବପର ହେବା ସ୍ଥଳେ ଅପରପକ୍ଷରେ ଯାତ୍ରାର ଆଡ଼ମ୍ୱର ପ୍ରଭାବିତ ହେବ । ରଥ ଓ କଳାକୁଞ୍ଜ ବିଭିନ୍ନ ସାହୀ ବାସିନ୍ଦାଙ୍କଠାରୁ ଚାନ୍ଦାଭେଦା କରି ଆୟୋଜିତ ହୋଇଥାଏ । ଯାତ୍ରାର ଶେଷ ସପ୍ତାହରେ ୫୦ ସରିକି ରଥ ଓ କଳାକୁଞ୍ଜ ବାହାରେ । ମହାମାରୀରେ ଦୀର୍ଘ ବର୍ଷକ ଧରି ମାନ୍ଦା ଅର୍ଥନୀତିକ ଅବସ୍ଥା ହେତୁ ହୁଏତ ଚଳିତବର୍ଷ ଜାକଜମକରେ ଆୟୋଜନ ସଂଭବପର ହୋଇପାରି ନଥାନ୍ତା ।

 

ଷଷ୍ଠତଃ, ଯାତ୍ରା ଅବସରରେ ଅସ୍ଥାୟୀ ମନ୍ଦିରରେ ଶୁଖିଲା ଓ ଅନ୍ନଭୋଗ ବଣ୍ଟନଠାରୁ ଆରମ୍ଭ କରି ଯାତ୍ରା ଦେଖଣାହାରୀଙ୍କ ମଧ୍ୟରେ ଜଳପାନ ବ୍ୟବସ୍ଥା ବିଗତ କିଛି ବର୍ଷରୁ ଜମିଥିଲା । ଚଳିତ ବର୍ଷ ସମସ୍ତ ରକମ ଭୋଗ ଓ ଖାଦ୍ୟପାନୀୟ ବିତରଣ ବନ୍ଦ ରହିବ ।

 

ସପ୍ତମତଃ, ପରମ୍ପରା ଅନୁଯାୟୀ ବ୍ରହ୍ମପୁର ଠାକୁରାଣୀଯାତ୍ରାରେ ଠାକୁରାଣୀ ବାପଘର ଆସୁଥିବା ବିଧି ହେତୁ ଠାକୁରାଣୀମନ୍ଦିର ସନ୍ନିକଟ ବିଭିନ୍ନ ସାହୀବସ୍ତିରେ ସ୍ଥାୟୀ ବସବାସ କରୁଥିବା ପରିବାରବର୍ଗଙ୍କ ପକ୍ଷରୁ ବିବାହିତା ଝିଅମାନଙ୍କୁ ଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଥାଏ । ଯାତ୍ରା ପାଳନ ଅବସରରେ ପାରିବାରିକ ସୌହାଦ୍ଦ୍ୟ ବୃଦ୍ଧି ନିମନ୍ତେ ପ୍ରଚଳିତ ଏହି ଧାରା ଚଳିତବର୍ଷ ପାଇଁ ବନ୍ଦ ରଖିବାକୁ କୁହାଯାଇଛି । ବାହାର ଜିଲ୍ଲାର ଆତ୍ମୀୟଙ୍କୁ ସହର ଆସିବାକୁ ମନା କରାଯିବ ।

 

ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଯାତ୍ରା ଆୟୋଜକ ଏହିଭଳି କେତେକ ସର୍ତ୍ତାବଳୀ ପାଳନ କରିବା ନିମନ୍ତେ ବିଧିବଦ୍ଧ ସତ୍ୟପାଠ ପ୍ରସ୍ତୁତ କରି ଦାଖଲ କରିବେ । ଉଲଂଘନ ନିମନ୍ତେ ଆୟୋଜକ ଦାୟୀ ରହିବେ ।

 

ଯାତ୍ରା ତିଥି ନିର୍ଦ୍ଧାରିତ ହେବା ପରେ ଘଟ ସ୍ଥାପନ ନିମନ୍ତେ ଦେଶୀବେହରା ସାହୀରେ ଅସ୍ଥାୟୀ ମନ୍ଦିର ପୌର ପ୍ରଶାସନ ପକ୍ଷରୁ ନିର୍ମାଣ ଲାଗି ସହାୟତା ଯୋଗାଇ ଦିଆଯାଇଥାଏ । ଅସ୍ଥାୟୀ ମନ୍ଦିର ସଂଲଗ୍ନ ସୁଉଚ୍ଚ ଛାମୁଣ୍ଡିଆ ଦେଶୀବେହରା ସାହୀର ବ୍ୟବସାୟୀ ଓ ପରିବହନ ଶ୍ରମିକଙ୍କ ତତ୍ତ୍ୱାବଧାନରେ ନିର୍ମିତ ହୁଏ । ଏଥି ନିମନ୍ତେ ନିୟମିତ ବର୍ହିଆଗତ ମାଲବାହୀ ଯାନବାହାନରୁ ଚାନ୍ଦା ସଂଗ୍ରହ ହୋଇ ଗଚ୍ଛିତ ରହିଥାଏ । ଯାତ୍ରା ତିଥି ନିର୍ଦ୍ଧାରିତ ହେବା ମାତ୍ରେ ଅସ୍ଥାୟୀ ମନ୍ଦିର ଓ ସଂଲଗ୍ନ ଛାମୁଣ୍ଡିଆ ନିର୍ମିତ ହୋଇଥାଏ ।

 

ମହାମାରୀରେ ୨୦୨୧ ଦ୍ୱି-ବାର୍ଷିକ ଯାତ୍ରା ଆୟୋଜିତ ହେଉଥିବା ହେତୁ ଶାରିରୀକ ଦୂରତ୍ୱ କଟକଣାରେ ଯାତ୍ରା ‘କାର୍ଣ୍ଣିଭଲ’ର ସ୍ୱାଦ ଉଭେଇ ଯିବ । କିନ୍ତୁ ସହରର ଅନ୍ୟୂନ ୪୨ ପ୍ରତିଶତ ଯାଏଁ ପରିବାର ଇଣ୍ଟରନେଟ ଏବଂ ୯୫ ପ୍ରତିଶତରୁ ଅଧିକ ଟେଲିଭିଜନ ଯୋଗେ ସଂଯୁକ୍ତ ଥିବା ହେତୁ କ୍ରମଶଃ ଯାତ୍ରା ଉପଭୋଗ କିପରି ଭର୍ଚୁଆଲ ପରିବେଶକୁ ଉତ୍ତୀର୍ଣ୍ଣ ହେବ ତାହା ଦେଖିବାକୁ ରହିଲା ।

(‘ଅନୁପମ ଭାରତ’ ବ୍ରହ୍ମପୁର ସଂସ୍କରଣ / ୧୩ ମାର୍ଚ୍ଚ ୨୦୨୧/ ପୃଷ୍ଠା : ୫)

Wednesday, April 24, 2019

ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା

ବ୍ରହ୍ମପୁର ଠାକୁରାଣୀ ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ରୂପେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ମାନ୍ୟତା ଦିଆଯିଇଛି । ୨୦୧୪ ଅଗଷ୍ଟ ମାସରେ ଘୋଷିତ ହୋଇଥିଲା । ପୂର୍ବରୁ କଟକର ବାଲିଯାତ୍ରା, ଭୁବନେଶ୍ୱରରମୁକ୍ତେଶ୍ୱର ମହୋତ୍ସବ, କୋଣାର୍କ ମହୋତ୍ସବ, ବରଗଡ଼ର ଧନୁ ଯାତ୍ରା ଓ କୋରାପୁଟର ପରବ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ପାଇଥିବା ସ୍ଥଳେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଷଷ୍ଠ ମହୋତ୍ସବ ରୂପେ ସେହି ତାଲିକାରେ ସଂଯୋଜିତ ହୋଇଛି । କୁହାଯାଇଥିଲା ଯେ ଏହି କ୍ରମରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ମୂଳ ପୀଠ ବଡ଼ ଠାକୁରାଣୀ ମନ୍ଦିର ଉନ୍ନୟନ ସକାଶେ ଏକ କୋଟି ଟଙ୍କା ସହାୟତା ମଞ୍ଜୁର କରାଯାଇଛି ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ରାଜ୍ୟସ୍ତରୀୟ ମହୋତ୍ସବ ରୂପେ ମାନ୍ୟତା ପାଇବା ନିଷ୍ପତ୍ତି ସହରବାସୀଙ୍କ ନିମନ୍ତେ ଆନନ୍ଦର ବିଷୟ । ଲୋକ ମହୋତ୍ସବଗୁଡ଼ିକରେ ସ୍ଥାନୀୟ ବାସିନ୍ଦାଙ୍କ ଅଂଶଗ୍ରହଣ ଏହାର ଆୟୋଜନ ଓ ପାଳନରେ ସହାୟକ ହୋଇଥାଏ । ଏହା ଆଖପାଖ ଅଞ୍ଚଳର ଦର୍ଶକମାନଙ୍କୁ ଆପେ ଆପେ ଆକର୍ଷିତ କରିଥାଏ । ମୁଖ୍ୟତଃ ଲୋକମୁଖରେ ଉତ୍ସବର ବିଭିନ୍ନ ବିଭବ ପ୍ରଚାରିତ ହୋଇଥାଏ । ଠାକୁରାଣୀ ଯାତ୍ରା ବ୍ରହ୍ମପୁରର ମୌଳିକ ଉତ୍ସବ ରୂପେ ପାଳିତ ହେଉଥିଲେ ହେଁ ଏହା ଗଞ୍ଜାମ, ଗଜପତି, ଅବିଭକ୍ତ କୋରାପୁଟ, କନ୍ଧମାଳ ଓ ଅବିଭକ୍ତ ପୁରୀ ଜିଲ୍ଲା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟଣା ଜିଲ୍ଲାରୁ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ଅତୀତରେ ବିଭିନ୍ନ ଅଞ୍ଚଳରୁ ଯାତ୍ରୀମାନେ ଶଗଡ଼ରେସପରିବାରେ ଯାତ୍ରାରେ ଯୋଗଦେବା ନିମନ୍ତେ ପହଞ୍ଚୁଥିଲେ । ଯାତ୍ରା ଉପଭୋଗ କରିବା ସହ ବ୍ରହ୍ମପୁର ବଜାରରେ କିଣାବିକା ଓ ମଉଜମଜଲିସ ଅନ୍ୟତମ ଆକର୍ଷଣ ରହୁଥିଲା । ସ୍ୱାଧୀନତା ପୂର୍ବାବସ୍ଥାରେ ବ୍ରହ୍ମପୁର ମନ୍ଦିରମାଳିନୀ ଓ ପୁଷ୍କରଣୀମୟ ସହର ରୂପେ ଗଢ଼ି ଉଠିଥିଲା । ଗ୍ରାମାଞ୍ଚଳରୁ ଶଗଡ଼ରେ ଆସି ପହଞ୍ଚୁଥିବା ପରିବାରଗୁଡ଼ିକ ପୋଖରୀ ହୁଡ଼ାରେଶଗଡ଼ ଅଟକାଉ ଥିଲେ । ବ୍ରହ୍ମପୁରରେ ଅପରାହ୍ନ ସୁଦ୍ଧା ପହଞ୍ଚି ଅନ୍ତତଃ ପକ୍ଷେ ଗୋଟିଏ ରାତି ବିତାଇ ତହିଁ ପରଦିନ ସକାଳୁ ସକାଳୁବାସସ୍ଥାନ ଅଭିମୁଖେ ଫେରିବା ଏକ ସାଧାରଣ ପ୍ରଥାରୂପେ ପରିଗଣିତ ହେଉଥିଲା । ଯାତ୍ରାରେ ଯୋଗଦେବାପାଇଁ ଏକାଧିକ ପରିବାର ଏକତ୍ର ଆସୁଥିବା ହେତୁ ଘରୁ ବାହାରିବାଠାରୁ ଘରେ ପହଞ୍ଚିବା ଦୁଇ ଦିନ ଯାଏଁ ଉତ୍ସବମୁଖରମାହୋଲରେ ସମୟ ଅତିବାହିତ ହେଉଥିଲା । ଗ୍ରୀଷ୍ମକାଳୀନ ପାଣିପାଗ ଓ ଫସଲ ଆମଦାନୀପର ସମୟ ଗ୍ରାମାଞ୍ଚଳ କୃଷିଜୀବୀମାନଙ୍କୁ ଯାତ୍ରା ଉପଭୋଗ କରିବାପାଇଁ ଅନୁକୂଳ ବାତାବରଣ ଓ ଖର୍ଚ୍ଚ କରିବାପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦେଉଥିଲା ।

ସ୍ୱାଧୀନୋତ୍ତର ଅବସ୍ଥାରେ ରାସ୍ତାଘାଟର ଉନ୍ନତି ଓ ମଟରଗାଡ଼ିର ବ୍ରହ୍ମପୁରରେ ପହଞ୍ଚିବା ପାଇଁ ନୂତନ ସୁବିଧା ସୃଷ୍ଟି କଲା । ଅତୀତରେ ବ୍ରହ୍ମପୁର ସହର ପରିଦର୍ଶନ ପାଇଁ ଦୀର୍ଘ ସମୟ ବ୍ୟବଧାନରେର ସୁଯୋଗ ପାଉଥିବା ବହୁ ଗ୍ରାମବାସୀ ବିଭିନ୍ନ କାର୍ଯ୍ୟ ଉଦ୍ଦେଶ୍ୟରେ ବାରମ୍ୱାର ବ୍ରହ୍ମପୁର ଗସ୍ତ କରିବା ସମ୍ଭବପର ହୋଇପାରିଲା । ଫଳତଃ  ଠାକୁରାଣୀ ଯାତ୍ରା ଅବସରରେ ବ୍ରହ୍ମପୁର ପରିଦର୍ଶନର ଉନ୍ମାଦନା ଅପସରି ଗଲା । ବହୁ ଦୂରରୁ ଯାତ୍ରୀମାନେ ଖୁବ୍ କମ୍ ସମୟରେ ବ୍ରହ୍ମପୁରରେ ପହଞ୍ଚି ପାରିଲେ । ସହରର ବର୍ଦ୍ଧିଷ୍ଣୁ ହୋଟେଲ ଓ ଲଜିଂରେସପରିବାରରେ ରାତି ବିତାଇଲେ । ବ୍ରହ୍ମପୁର ବଜାରକୁ ଆବଶ୍ୟକମତେ ଯିବା ଆସିବା ଚାଲୁ ରହୁଥିବା ହେତୁ ହୁଏତ କିଣାବିକାର ପୂର୍ବ ଗୁରୁତ୍ୱ ନ ଥିଲେ ମଧ୍ୟ ଯାତ୍ରାର ଉତ୍ସବମୁଖର କିଣାବିକାର ପ୍ରଭାବ ସମୂଳେ ଲୋପ ପାଇପାରିନାହିଁ ।

ଜରୁରିକାଳୀନ ପରିସ୍ଥିତି ପର ଅବସ୍ଥାରେ ଓଡ଼ିଶାରେସମ୍ୱାଦପତ୍ରର ଲୋକପ୍ରିୟତା, ୧୯୮୨ରୁ ଦୂରଦର୍ଶନ, ୧୯୯୨ରୁ କେବଲ ଟେଲିଭିଜନ ଓ ୨୦୦୨ରୁ ଓଡ଼ିଆଚ଼୍ୟାନେଲର ପ୍ରସାରଣ ସଙ୍ଗେ ଜଗତୀକରଣର ପ୍ରଭାବ ଏକବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଳନଲାଗି ସଂପୂର୍ଣ୍ଣ ପରିବର୍ତ୍ତିତ ପରିବେଶ ସୃଷ୍ଟି କଲା । ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳ ପକ୍କାସଡ଼କଦ୍ୱାରା ସଂଯୋଗ ହେବା ସାଙ୍ଗକୁ ଦୁଇ ଚ଼କିଆ, ତିନି ଚ଼କିଆ ଓ ଚ଼ାରିଚ଼କିଆ ହାଲକା ମଟରଗାଡ଼ି ହାତ ପାଆନ୍ତାରେ ଉପଲବ୍ଧ ହେବାପରେ ଯାତ୍ରାରେ ଯୋଗଦେବା ପାଇଁ ବ୍ରହ୍ମପୁର ଯିବା-ଆସିବା ଅତ୍ୟନ୍ତ ସହଜପ୍ରଦ ହୋଇପାରିଛି । ଠାକୁରାଣୀ ଯାତ୍ରା ସଂପର୍କରେ ସମ୍ୱାଦପତ୍ରଗୁଡ଼ିକର ସ୍ଥାନୀୟ ସଂସ୍କରଣଗୁଡ଼ିକରେ ପୁରା ପୃଷ୍ଠା ବିବରଣୀ ତଥା ଓଡ଼ିଆଟେଲିଭିଜନ ଚ଼୍ୟାନେଲରେସୁବିସ୍ତୃତ ବର୍ଣ୍ଣନା ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଟିକିନିଖି ଖବର ପଡ଼ୋଶୀ ଗ୍ରାମାଞ୍ଚଳରେ ପହଞ୍ଚାଇ ଦେଇପାରୁଛି । ଫଳତଃ ଯାତ୍ରାର ଆକର୍ଷଣ ପରିବ୍ୟାପ୍ତ ହୋଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ଠାକୁରାଣୀ ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ଭବିଷ୍ୟତରେ ଏହାକୁ ରାଜ୍ୟ, ରାଷ୍ଟ୍ର ତଥା ଅନ୍ତଃରାଷ୍ଟ୍ରୀୟସ୍ତରରେ ପର୍ଯ୍ୟଟନ ଆକର୍ଷଣ ରୂପେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ଆଶା କରାଯାଇପାରେ ।

Tuesday, April 23, 2019

ଠାକୁରାଣୀ ଯାତ୍ରାର ଐତିହାସିକ ଅନୁଶୀଳନ

ନୂତନ ଭାବେ ଗଢ଼ି ଉଠୁଥିବା ବ୍ରହ୍ମପୁରରେ ଦାକ୍ଷିଣାତ୍ୟରୁ ଆଗମନ କରିଥିବା ଦେବାଙ୍ଗ ବା ‘ଡ଼େରା’ ସଂପ୍ରଦାୟର ସ୍ଥାୟୀ ବସତି ସ୍ଥାପନ ପରବର୍ତ୍ତୀ ଅବସ୍ଥାରେ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିଲା ବୋଲି ଧରି ନିଆଯାଏ । ମହୁରି ରାଜବାଟୀ ୧୬୬୨ ରୁ ୧୬୭୨ ମସିହା ମଧ୍ୟରେ ନିର୍ମିତ ହେବା ତଥା ୧୬୭୨ ମସିହାରେ ହରିଡ଼ାଖଣ୍ଡିଠାରେ ଶ୍ରୀଲକ୍ଷ୍ମୀନୃସିଂହ ମନ୍ଦିର ସ୍ଥାପନ ପରେ ସେହି ଅଞ୍ଚଳରେ ଜନବସତି ଗଢ଼ି ଉଠିଥିଲା । ୧୭୭୨ ମସିହାରେ ହରିହର ନରେନ୍ଦ୍ର ଦେବ ମହୁରି ରାଜ ସିଂହାସନ ଆରୋହଣ କରିଥିଲେ ଏବଂ ୧୭୮୨ ମସିହାରେ ତାଙ୍କୁ ହତ୍ୟା କରାଯାଇଥିଲା । ତାଙ୍କରି ରାଜତ୍ୱ ସମୟରେ ରାଜମହେନ୍ଦ୍ରୀ ଅଞ୍ଚଳର ଦେବାଙ୍ଗ ସଂପ୍ରଦାୟ ବ୍ରହ୍ମପୁର ଆଗମନ କରିଥିଲେ । ହରିଡ଼ାଖଣ୍ଡିରେଶ୍ରୀଲକ୍ଷ୍ମୀନୃସିଂହ ମନ୍ଦିର ସ୍ଥାପନକୁ ଯଦି ବ୍ରହ୍ମପୁରର ଜନ୍ମକାଳ ରୂପେ ବିବେଚ଼ନା କରାଯାଏ, ବ୍ରହ୍ମପୁର ଜନପଦ ଆରମ୍ଭ ହେବାର ପ୍ରାୟ ଏକ ଶହ ବର୍ଷ ପରେ ଦେବାଙ୍ଗ ସଂପ୍ରଦାୟ ବ୍ରହ୍ମପୁରରେ ଆସି ପହଞ୍ଚିଥିଲେ ଏବଂ ସେମାନଙ୍କ ପୃଷ୍ଠପୋଷକତାରେ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିଲା । ଏହି ଉତ୍ସବ ଆୟୋଜନ ପ୍ରଥମ ଅବସ୍ଥାରେ ଦେବାଙ୍ଗ ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ଥିବା ଏବଂ ପରବର୍ତ୍ତୀ ଅବସ୍ଥାରେ କ୍ରମଶଃ ସ୍ଥାନୀୟ ବାସିନ୍ଦାଙ୍କୁ ଯାତ୍ରା ଆୟୋଜନରେ ଅଂଶ ଗ୍ରହଣଲାଗି ପ୍ରୋତ୍ସାହିତ କରିଥିଲା ବୋଲି ବିଚ଼ାର କରାଯାଇପାରେ ।

ଗଞ୍ଜାମ ଜିଲ୍ଲାରେ ବହୁ ପୁରାତନ ଶକ୍ତିପୀଠ ବିଛୁରିତ ହୋଇ ରହିଥିବା ହେତୁ ବ୍ରହ୍ମପୁରବାସୀ ନିଶ୍ଚିତ ଭାବେ ଦେବୀ ଭକ୍ତ ଥିଲେ ଏବଂ ଦେବାଙ୍ଗ ସଂପ୍ରଦାୟ ବ୍ରହ୍ମପୁରରେ ଆସି ପହଞ୍ଚିବା ପୂର୍ବରୁ ବଡ଼ ଠାକୁରାଣୀ ମନ୍ଦିର ରହିଥିବା ଅନୁମାନ କରାଯାଇପାରେ । ବ୍ରହ୍ମପୁର ଭଳି ଗଞ୍ଜାମ ଜିଲ୍ଲାର ବହୁ ଶକ୍ତି ପୀଠରେ ଅଣ-ବ୍ରାହ୍ମଣ ପୂଜକ ଭାବେ ନିଯୁକ୍ତ ଥିବା ଦେଖିବାକୁ ମିଳିଥାଏ । ମହୁରି ରାଜ ଉଆସ ସାମ୍ନାରେ ଦେବାଙ୍ଗ ସଂପ୍ରଦାୟ ବସତି ସ୍ଥାପନ କରିଥିବା ହେତୁ ସ୍ଥାନୀୟ ଠାକୁରାଣୀଙ୍କୁ ପୂଜାଅର୍ଚ୍ଚନା ପାଇଁ ସେହିଠାରେ ହିଁ ଯାତ୍ରା ଆୟୋଜନ ହେବା ସ୍ୱାଭାବିକ । ଦେବାଙ୍ଗ ସଂପ୍ରଦାୟର ପାଟ ବୁଣା କ୍ରମଶଃ ପ୍ରସିଦ୍ଧି ଲାଭ କରିଥିଲା ଏବଂ ବ୍ୟବସାୟରେ ଉନ୍ନତିପରେବୁଣାକର ପରିବାର ସଂଖ୍ୟା ବୃଦ୍ଧି ପାଇ ଆଖପାଖ ଇଲାକାରେ ବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ ୧୮ ଗୋଟି ବସ୍ତିକୁ ସଂପ୍ରସାରିତ ହୋଇଥିବା ଜଣାଯାଏ । ପାଟ ବୟନ ବ୍ୟବସାୟରେ ସଫଳତା ବ୍ରହ୍ମପୁର ବଜାରରେ ସେମାନଙ୍କ ସ୍ଥିତିକୁ ଊନବିଂଶ ଶତାଦ୍ଦୀର ଶେଷ ଯାଏଁ ସୁଦୃଢ ରଖିଥିଲା ବୋଲି କୁହାଯାଇପାର । ଊନବିଂଶ ଶତାଦ୍ଦୀର ଶେଷ ଚଉଠ ଓ ବିଂଶ ଶତାଦ୍ଦୀର ପ୍ରଥମ ଚଉଠରେ ଗୋପାଳପୁର ବନ୍ଦରର କାରବାର ବ୍ରହ୍ମପୁର ବଜାରକୁ ପ୍ରଭାବିତ କରିଥିଲା । ରପ୍ତାନୀ ଓ ଆମଦାନୀ ବାଣିଜ୍ୟ ବୃଦ୍ଧି ପରେ ବ୍ରହ୍ମପୁର ବଜାରରେ କିଛି କାଳ ମୁସଲମାନ ବ୍ୟବସାୟୀଙ୍କ ଅଧିପତ୍ୟ ଦେଖିବାକୁ ମିଳିଥିଲା । ବିଂଶ ଶତାଦ୍ଦୀର ପ୍ରଥମ ଦଶକରେ ବ୍ରହ୍ମପୁର ରେଳପଥ ଦ୍ୱାରା ସଂଯୋଗ ହେବା ଓ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ମଟରଗାଡ଼ିରେ ସ୍ଥଳପଥରେ ପରିବହନ ଦୃଢ଼ୀଭୂତ ହେବାପରେ ବ୍ରହ୍ମପୁର ବଜାରରେ ଆନ୍ଧ୍ର ସୀମାନ୍ତ ଅଞ୍ଚଳର ବୈଶ୍ୟ‘କୁମୁଟୀ’ ସଂପ୍ରଦାୟଙ୍କ ପ୍ରଭୂତ୍ୱ ବୃଦ୍ଧି ପାଇଥିଲା । ୧୯୪୭ ମସିହାରେ ଦେଶବିଭାଜନ ପରେ ବହୁ ସ୍ୱଚ୍ଛଳ ମୁସଲମାନ ବ୍ୟବସାୟୀ ବ୍ରହ୍ମପୁର ଛାଡ଼ିଥିଲେ । ସେମାନଙ୍କ ଘରଦ୍ୱାରବୈଶ୍ୟ ସଂପ୍ରଦାୟ କିଣି ନେଇଥିଲେ । ସ୍ୱାଧୀନୋତ୍ତର ଅବସ୍ଥାରେ ଦେଶରେ ଯାନ୍ତ୍ରିକ ବୟନ ଶିଳ୍ପର ଉନ୍ନୟନ ପରେ ହସ୍ତତନ୍ତ୍ରର ଆଦର କ୍ରମଶଃ କମିବାରେ ଲାଗିଲା ଏବଂ ବ୍ରହ୍ମପୁରର ପାଟ ତନ୍ତ ମଧ୍ୟ ବିପଦର ସମ୍ମୁଖୀନ ହେଲା । ଊନବିଂଶ ଶତାଦ୍ଦୀର ଶେଷ ବେଳକୁ ଖ୍ୟାତି ଲାଭ କରିଥିବା ବ୍ରହ୍ମପୁରୀ ପାଟ ବିଂଶ ଶତାଦ୍ଦୀର ଶେଷ ବେଳକୁ ଲୁପ୍ତ ପ୍ରାୟ କୁଟୀର ଶିଳ୍ପରେ ପରିଣତ ହେଲା । ଏହି ଅବକ୍ଷୟର ଧାରାରେ ବହୁ ବୁଣାକର ପରିବାର କୌଳିକ ବୃତ୍ତି ପରିତ୍ୟାଗ କରିଥିଲେ ଏବଂ ଅନେକେ ବିକଳ୍ପ କର୍ମ ସନ୍ଧାନରେ ଦେଶାନ୍ତର ମଧ୍ୟ ଯାତ୍ରା କରିଥିଲେ । ଏକଦା ଦେବାଙ୍ଗ ସଂପ୍ରଦାୟର କର୍ତ୍ତୃତ୍ୱରେ ଆୟୋଜିତ ଠାକୁରାଣୀ ଯାତ୍ରା ବିଂଶ ଶତାଦ୍ଦୀରେ ଏକ ସାର୍ବଜନୀନ ପର୍ବରେ ରୂପାନ୍ତରିତ ହୋଇ ପଡ଼ିଲା ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଧାର୍ମିକ ଚ଼େତନା ଓ ପାରମ୍ପରିକ ରୀତିନୀତିକୁ ବାଦ ଦେଲେ ଗ୍ରାମାଞ୍ଚଳ ଦର୍ଶକଙ୍କୁ ଏଭଳି ଏକ ମହୋତ୍ସବକୁ ଆକର୍ଷିତ କରିବା ମୁଖ୍ୟ ଉଦ୍ଦେଶ୍ୟ ରୂପେ ଅଭିହିତ କରାଯାଇପାରେ । ପ୍ରଥମ ଅବସ୍ଥାରେ ଦେବାଙ୍ଗ ସଂପ୍ରଦାୟ ନିଜର ପାଟ ବସ୍ତ୍ରର ବିକ୍ରିବଟା ପାଇଁ ଆଡ଼ମ୍ୱରପୂର୍ଣ୍ଣ ଠାକୁରାଣୀ ଯାତ୍ରା ଆୟୋଜନ ଲାଗି ଆଗ୍ରହୀ ଥିବା ବେଳେ  ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁରରେ ମୁଣ୍ଡ ଟେକୁଥିବା କଂସା ପିତ୍ତଳ ବାସନକୁସନ ଏବଂ ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାର ବ୍ୟବସାୟୀମାନେ ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥା ଯାଏଁ ଯାତ୍ରା ଆୟୋଜନ କ୍ଷେତ୍ରରେ ବିଶେଷ ଆଗ୍ରହ ପ୍ରକାଶ କରୁଥିବା ଜଣାଯାଏ । ସ୍ୱାଧୀନୋତ୍ତର ଅବସ୍ଥାରେ ପ୍ରଥମ କିଛି ବର୍ଷ ଆସବାବପତ୍ର ବିକ୍ରିବଟାରେ ବ୍ରହ୍ମପୁର ବଜାର ଗୁରୁତ୍ୱ ବହନ କରୁଥିବା ହେତୁ ସେହି ବ୍ୟବସାୟୀମାନେ ସହଯୋଗ ଜାରୀ ରଖିଥିଲେ । ତେବେ ୧୯୯୨ ମସିହାରେ ଜଗତୀକରଣ ପରବର୍ତ୍ତୀ ଅବସ୍ଥାରେ ଜନସାଧାରଣଙ୍କ ଏହି ଲୋକ ମହୋତ୍ସବରେ ସକ୍ରିୟ ଅଂଶଗ୍ରହଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଜଗତୀକରଣ ସାଥେ ସାଥେଆନ୍ତର୍ଜାତିକସ୍ତରରେ ଧାର୍ମିକ ମନୋଭାବ ପ୍ରସାର ବୃଦ୍ଧି ପାଇଚ଼ାଲିଥିବା ପରିପ୍ରେକ୍ଷୀରେ ବ୍ରହ୍ମପୁର କିମ୍ୱା ଠାକୁରାଣୀ ଯାତ୍ରା ସେଥିରୁ ବା କାହିଁକି ବାଦ ପଡ଼ନ୍ତା?

ବ୍ରହ୍ମପୁର ସହରର ଇତିହାସ ଚର୍ଚ୍ଚା ଉଦ୍ଦେଶ୍ୟରେ ୧୯୯୪ ମସିହାରେ ‘ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି’ ଶୀର୍ଷକ ୪୦୦ ପୃଷ୍ଠାର ଏକ ପୁସ୍ତକ ପ୍ରକାଶିତ ହୋଇଥିଲା । ସେଥିରେ ମହୁରି ରାଜବଂଶ, ବ୍ରହ୍ମପୁରର ଐତିହାସିକ ପୃଷ୍ଠଭୂମି ଓ ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ପରମ୍ପରା ବିଷୟକ ତିନିଗୋଟି ପ୍ରବନ୍ଧ ସନ୍ନିବେଶିତ କରାଯାଇଥିଲା । ପ୍ରଥମ ଦୁଇଗୋଟି ପ୍ରବନ୍ଧର ଲେଖକ ଇତିହାସ ଅଧ୍ୟାପକ ଓ ତୃତୀୟ ପ୍ରବନ୍ଧର ଲେଖକ ଜଣେ ସାମ୍ୱାଦିକ । ‘ମହୁରି ରାଜବଂଶ’ର ଲେଖକ ଉକ୍ତ ବିଷୟରେ ଗବେଷଣା କରି ୧୯୮୦ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁଡ଼କ୍ଟରେଟ ଲାଭ କରିଥିବା ବେଳେ ‘ବ୍ରହ୍ମପୁରର ଐତିହାସିକ ପୃଷ୍ଠଭୂମି’ର ଲେଖକ ଦକ୍ଷିଣ ଓଡ଼ିଶାର ଐତିହାସିକ ବିଭବ ସଂପର୍କରେ ଗବେଷଣା କରି ପିଏଚ଼.ଡ଼ି ଓ ଡ଼ି.ଲିଟ ପାଇଥିଲେ । ତୃତୀୟ ପ୍ରାବନ୍ଧିକ ଦୀର୍ଘଦିନ ଧରି ସଂବାଦପତ୍ରରେ ବ୍ରହ୍ମପୁର ସହରର ସାମାଜିକ ଓ ସାଂସ୍କୃତିକ ଧାରା ସଂପର୍କରେ ସ୍ତମ୍ଭ ରଚ଼ନା କରି ଆସୁଥିଲେ । ‘ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି’ ପୁସ୍ତକ ବର୍ତ୍ତମାନ କ୍ରୟ ନିମନ୍ତେ ଉପଲବ୍ଧ ନଥିବା ବେଳେ ବ୍ରହ୍ମପୁର ନଗର ନିଗମ ପରିଚ଼ାଳିତ ବିଭିନ୍ନ ପଠନାଗାରରେପଢ଼ିବାଲାଗି ମିଳେ । ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଇତିହାସ ଅନୁଶୀଳନ କରିବା ନିମନ୍ତେ ଉଲ୍ଲିଖିତ ତିନିଗୋଟି ପ୍ରବନ୍ଧ ବେଶ ସହାୟକ । ଏହି ପ୍ରବନ୍ଧଗୁଡ଼ିକ ଗଭୀର ଅଧ୍ୟୟନ ଓ ପ୍ରମାଣଯୋଗ୍ୟ ତଥ୍ୟ ଉପରେ ଆଧାରିତ ।

‘ବ୍ରହ୍ମପୁର ଐତିହାସିକ ପୃଷ୍ଠଭୂମି’ ପ୍ରବନ୍ଧରେ ପ୍ରାବନ୍ଧିକ (୧) ଡ଼ବ୍ଳ୍ୟୁ. ଡ଼ବ୍ଳ୍ୟୁହଣ୍ଟରଙ୍କ‘ଇମ୍ପରିଆଲଗେଜେଟିୟର ଅଫ ଇଣ୍ଡିଆ’ (ଲଣ୍ଡନ: ୧୮୮୫) ଭାଗ : ପାଞ୍ଚ, ପୃ: ୧୯୯. (୨) ଆର.ବାୟାର୍ଡ଼ (ସବ୍-କଲେକ୍ଟର ଗଞ୍ଜାମ) ଗଞ୍ଜାମ ଡ଼ିଷ୍ଟ୍ରିକ୍ଟରେକର୍ଡ଼ସ: ୧୦ ନଭେମ୍ୱର ୧୮୨୩, ଭାଗ :୩୮୯୭, ପୃ: ୪୧୧. (୩) ଏ.ଭି.ଆପ୍ୱାରାଓଙ୍କ‘ହିଷ୍ଟ୍ରୀ ଅଫ ହରିଡ଼ାଖଣ୍ଡି: ମଠ ଏଣ୍ଡ ମହନ୍ତସ’ (ବ୍ରହ୍ମପୁର :୧୯୩୨) ପୃ: ୧ ଏବଂ ଟି.ଜେ. ମାଲଟବିଙ୍କ‘ଗଞ୍ଜାମ ଡ଼ିଷ୍ଟ୍ରିକ୍ଟମାନୁଆଲ’ (ମାନ୍ଦ୍ରାଜ: ୧୯୩୨) ପୃ:୪୭ କୁ ବିଚ଼ାରକୁ ନେଇ ପ୍ରବନ୍ଧ ଆରମ୍ଭରେ ଲେଖିଥିଲେ :

‘ବ୍ରହ୍ମପୁର’ ଅବା ପରବର୍ତ୍ତୀ ସମୟରେ ଇଂରେଜୀ ଭାଷାରେ ଅପଉଚ୍ଚାରିତ‘ବେରହମପୁର’ ସହର ହେଉଛି ସଂସ୍କୃତି ବାଣିଜ୍ୟ ଓ ସରବରାହର ଏକ ପ୍ରଖ୍ୟାତ ପ୍ରାଣକେନ୍ଦ୍ର (୧) ଏହା ମହୁରି ରାଜ୍ୟର ରାଜଧାନୀ ଥିଲା । ‘ମହୁରି (ପେଁକାଳି) ବାଜାର ନାମରେ ଏହି ରାଜ୍ୟ ନାମିତ ହେଲା’ (୨) ଓଡ଼ିଶାର ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ଅନୁମତିକ୍ରମେ ଜଣେ ସ୍ଥାନୀୟ ମୁଖିଆ ପଞ୍ଚଦଶ ଶତାଦ୍ଦୀରେ ଏହି ରାଜ୍ୟ ସ୍ଥାପନ କରିଥିଲେ । ଗଞ୍ଜାମ ସବ୍-କଲେକ୍ଟର ବାୟାର୍ଡ଼ ସାହେବଙ୍କ ଦ୍ୱାରାନଭେମ୍ୱର ୧୦ ତାରିଖ ୧୮୨୩ ଖ୍ରୀଷ୍ଟାଦ୍ଦରେ ଲିପିବଦ୍ଧ ଗଞ୍ଜାମ ଜିଲ୍ଲା ରେକର୍ଡସ ବିବରଣୀ ଅନୁକ୍ରମେ ମହୁରି ରାଜ୍ୟ ୧୪୬୮ ରୁ ୧୪୯୭ ଖ୍ରୀଷ୍ଟାଦ୍ଦ ମଧ୍ୟରେ ସଂସ୍ଥାପିତ ହେଲା । ପରେ ପରେ ଷଷ୍ଠଦଶ ଶତାଦ୍ଦୀର ପ୍ରାରମ୍ଭରେ ହିଁ ମହୁରି ରାଜବାଟୀର ଚ଼ତୁଃପାର୍ଶ୍ୱରେ ଜନବସତି ପ୍ରତିଷ୍ଠା ଆରମ୍ଭ ହେଲା । (୩) ଏଣୁ ରାଜବାଟୀ ପ୍ରତିଷ୍ଠା ସହ ସହରର ନିର୍ମାଣ ପ୍ରକ୍ରିୟା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ପଶ୍ଚିମାଞ୍ଚଳସ୍ଥିତହରିଡ଼ାଖଣ୍ଡିଠାରେ ପ୍ରଥମ ଜନବସତି ସମ୍ଭବତଃ ସ୍ଥାପିତ ହୋଇଥିଲା । ଏକ ‘ହରିଡ଼ା’ ବୃକ୍ଷ ମୂଳରେ ପ୍ରତିଷ୍ଠିତ କୁଡ଼ିଆକୁକେନ୍ଦ୍ରକରି ଏହି ଜନବସତି ପ୍ରତିଷ୍ଠିତ ହୋଇଥିବା ଯୋଗୁଁ ଏହି ଅଞ୍ଚଳକୁ ହରିଡ଼ାଖଣ୍ଡି ନାମରେ ନାମିତ କରାଗଲା (୩) । ହରିଡ଼ାଖଣ୍ଡି ଓ ମହୁରି ରାଜବାଟୀ ମଧ୍ୟରେ କ୍ରମଶଃ ଘଞ୍ଚ ଜନବସତି ଗଢ଼ି ଉଠିଲା (୪) ।

ମହୁରି ରାଜବଂଶ ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି,“ଗଜପତି ପୁରୁଷୋତ୍ତମ ଦେବ ତାଙ୍କର ଦାକ୍ଷିଣାତ୍ୟ ଅଭିଯାନ ବେଳେ ସୋମରାଜା ଓ ଭୀମରାଜା ନାମକ ଦୁଇ ଭାଇଙ୍କୁ ନିଜର ସାଥି-ସର୍ଦ୍ଦାର ରୂପେ ନେଇଥିଲେ । ଦାକ୍ଷିଣାତ୍ୟ ଯୁଦ୍ଧରେ ବିଜୟ ଲାଭ କରି ପ୍ରତ୍ୟାବର୍ତ୍ତନ କଲାବେଳେ ଏମାନଙ୍କ ଉପରେ ପ୍ରୀତ ହୋଇ ପୁରୁଷୋତ୍ତମ ଦେବ ଋଷିକୂଲ୍ୟା ଓ ବାହୁଦା ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳକୁ ବଡ଼ଭାଇସୋମରାଜାଙ୍କୁପ୍ରଦାନ କଲେ । ସୋମରାଜା ଜଣେ ବିଖ୍ୟାତ ମହୁରି ବାଦକ ଥିଲେ । ସେହି ଅନୁସାରେ ଉକ୍ତ ଅଞ୍ଚଳ ‘ମହୁରି’ ରାଜ୍ୟ ଭାବରେ ଖ୍ୟାତ ହେଲା ।”

‘ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ପରମ୍ପରା’ ପ୍ରବନ୍ଧରେ ସୂଚ଼ିତ ହୋଇଅଛି, “କୁହାଯାଏ ଯେ, ମହୁରି ରାଜା ହରିହର ନରେନ୍ଦ୍ର ଦେବ ଏକଦା ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ ଏବଂ ସେଠାକାର ବୁଣାକରମାନଙ୍କ ଶିଳ୍ପ ଚ଼ାତୁର୍ଯ୍ୟରେ ମୁଗ୍ଧ ହୋଇଥିଲେ । ରାଜାଙ୍କ ସହ ପରିଚ଼ିତ ହେବା ପରେ ରାଜକୃପା ଲାଭ କରି ରାଜମହେନ୍ଦ୍ରୀରୁ କେତେକ ବୁଣାକାର ମହୁରି ରାଜ୍ୟକୁ ଆସି ବ୍ରହ୍ମପୁର ମହୁରି ରାଜବାଟୀ ନିକଟରେ ବସତି ସ୍ଥାପନ କରିଥିଲେ । ବଂଶାନୁକ୍ରମିକ ଭାବେ ସେହିମାନେ ହିଁ ଆଜିକାର ‘ଡ଼େରା’ ବୁଣାକାର ସଂପ୍ରଦାୟ ରୂପେ ପରିଚ଼ିତ । ଦାକ୍ଷିଣାତ୍ୟରେ ଘଟପୂଜା ପଦ୍ଧତି ଅତୀବ ପୁରାତନ । ବୁଣାକାର ସଂପ୍ରଦାୟଙ୍କ ମହୁରି ରାଜ୍ୟକୁ ଆଗମନ ଓ ବ୍ୟବସାୟ ଆରମ୍ଭ ପରେ ପରେ ସେମାନେ ଦାକ୍ଷିଣାତ୍ୟର ଘଟପୂଜା ପଦ୍ଧତି ଏଠାରେ ପ୍ରଚଳନ କରିଥିଲେ । ପ୍ରାକ୍ ବ୍ରିଟିଶ ଶାସନ ଅବସ୍ଥାରେ ବ୍ରହ୍ମପୁର ପାଟମଠା ବସ୍ତ୍ର ପାଇଁ ବିଖ୍ୟାତ ଥିଲା ଏବଂ ‘ଡ଼େରା’ ସଂପ୍ରଦାୟ ଆର୍ଥିକ ଦୃଷ୍ଟିକୋଣରୁ ଖୁବ୍ ସ୍ୱଚ୍ଛଳ ଥିଲେ । ବ୍ୟାବସାୟିକ ତଥା ଆର୍ଥିକ ସଫଳତା ଆଡ଼ମ୍ୱରପୂର୍ଣ୍ଣ ଓ ବ୍ୟୟବହୁଳ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ପ୍ରଶସ୍ତ କ୍ଷେତ୍ର ଯୋଗାଉଥିଲା ବୋଲି ବିଶ୍ୱାସ କରାଯାଇପାରେ ।”