ନୂତନ ଭାବେ ଗଢ଼ି ଉଠୁଥିବା
ବ୍ରହ୍ମପୁରରେ ଦାକ୍ଷିଣାତ୍ୟରୁ ଆଗମନ କରିଥିବା ଦେବାଙ୍ଗ ବା ‘ଡ଼େରା’ ସଂପ୍ରଦାୟର ସ୍ଥାୟୀ ବସତି ସ୍ଥାପନ ପରବର୍ତ୍ତୀ
ଅବସ୍ଥାରେ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିଲା ବୋଲି ଧରି ନିଆଯାଏ । ମହୁରି ରାଜବାଟୀ ୧୬୬୨ ରୁ
୧୬୭୨ ମସିହା ମଧ୍ୟରେ ନିର୍ମିତ ହେବା ତଥା ୧୬୭୨ ମସିହାରେ ହରିଡ଼ାଖଣ୍ଡିଠାରେ ଶ୍ରୀଲକ୍ଷ୍ମୀନୃସିଂହ ମନ୍ଦିର ସ୍ଥାପନ ପରେ ସେହି
ଅଞ୍ଚଳରେ ଜନବସତି ଗଢ଼ି ଉଠିଥିଲା । ୧୭୭୨ ମସିହାରେ ହରିହର ନରେନ୍ଦ୍ର ଦେବ ମହୁରି ରାଜ ସିଂହାସନ
ଆରୋହଣ କରିଥିଲେ ଏବଂ ୧୭୮୨ ମସିହାରେ ତାଙ୍କୁ ହତ୍ୟା କରାଯାଇଥିଲା । ତାଙ୍କରି ରାଜତ୍ୱ ସମୟରେ
ରାଜମହେନ୍ଦ୍ରୀ ଅଞ୍ଚଳର ଦେବାଙ୍ଗ ସଂପ୍ରଦାୟ ବ୍ରହ୍ମପୁର ଆଗମନ କରିଥିଲେ ।
ହରିଡ଼ାଖଣ୍ଡିରେଶ୍ରୀଲକ୍ଷ୍ମୀନୃସିଂହ ମନ୍ଦିର ସ୍ଥାପନକୁ ଯଦି ବ୍ରହ୍ମପୁରର ଜନ୍ମକାଳ ରୂପେ
ବିବେଚ଼ନା କରାଯାଏ, ବ୍ରହ୍ମପୁର ଜନପଦ ଆରମ୍ଭ ହେବାର ପ୍ରାୟ ଏକ ଶହ ବର୍ଷ ପରେ ଦେବାଙ୍ଗ
ସଂପ୍ରଦାୟ ବ୍ରହ୍ମପୁରରେ ଆସି ପହଞ୍ଚିଥିଲେ ଏବଂ ସେମାନଙ୍କ ପୃଷ୍ଠପୋଷକତାରେ ଠାକୁରାଣୀ ଯାତ୍ରା
ଆରମ୍ଭ ହୋଇଥିଲା । ଏହି ଉତ୍ସବ ଆୟୋଜନ ପ୍ରଥମ ଅବସ୍ଥାରେ ଦେବାଙ୍ଗ ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ
ଥିବା ଏବଂ ପରବର୍ତ୍ତୀ ଅବସ୍ଥାରେ କ୍ରମଶଃ ସ୍ଥାନୀୟ ବାସିନ୍ଦାଙ୍କୁ ଯାତ୍ରା ଆୟୋଜନରେ ଅଂଶ
ଗ୍ରହଣଲାଗି ପ୍ରୋତ୍ସାହିତ କରିଥିଲା ବୋଲି ବିଚ଼ାର କରାଯାଇପାରେ ।
ଗଞ୍ଜାମ ଜିଲ୍ଲାରେ ବହୁ ପୁରାତନ ଶକ୍ତିପୀଠ ବିଛୁରିତ ହୋଇ ରହିଥିବା
ହେତୁ ବ୍ରହ୍ମପୁରବାସୀ ନିଶ୍ଚିତ ଭାବେ ଦେବୀ ଭକ୍ତ ଥିଲେ ଏବଂ ଦେବାଙ୍ଗ ସଂପ୍ରଦାୟ ବ୍ରହ୍ମପୁରରେ
ଆସି ପହଞ୍ଚିବା ପୂର୍ବରୁ ବଡ଼ ଠାକୁରାଣୀ ମନ୍ଦିର ରହିଥିବା ଅନୁମାନ କରାଯାଇପାରେ । ବ୍ରହ୍ମପୁର
ଭଳି ଗଞ୍ଜାମ ଜିଲ୍ଲାର ବହୁ ଶକ୍ତି ପୀଠରେ ଅଣ-ବ୍ରାହ୍ମଣ ପୂଜକ ଭାବେ ନିଯୁକ୍ତ ଥିବା ଦେଖିବାକୁ
ମିଳିଥାଏ । ମହୁରି ରାଜ ଉଆସ ସାମ୍ନାରେ ଦେବାଙ୍ଗ ସଂପ୍ରଦାୟ ବସତି ସ୍ଥାପନ କରିଥିବା ହେତୁ
ସ୍ଥାନୀୟ ଠାକୁରାଣୀଙ୍କୁ ପୂଜାଅର୍ଚ୍ଚନା ପାଇଁ ସେହିଠାରେ ହିଁ ଯାତ୍ରା ଆୟୋଜନ ହେବା ସ୍ୱାଭାବିକ
। ଦେବାଙ୍ଗ ସଂପ୍ରଦାୟର ପାଟ ବୁଣା କ୍ରମଶଃ ପ୍ରସିଦ୍ଧି ଲାଭ କରିଥିଲା ଏବଂ ବ୍ୟବସାୟରେ
ଉନ୍ନତିପରେବୁଣାକର ପରିବାର ସଂଖ୍ୟା ବୃଦ୍ଧି ପାଇ ଆଖପାଖ ଇଲାକାରେ ବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ
୧୮ ଗୋଟି ବସ୍ତିକୁ ସଂପ୍ରସାରିତ ହୋଇଥିବା ଜଣାଯାଏ । ପାଟ ବୟନ ବ୍ୟବସାୟରେ ସଫଳତା ବ୍ରହ୍ମପୁର
ବଜାରରେ ସେମାନଙ୍କ ସ୍ଥିତିକୁ ଊନବିଂଶ ଶତାଦ୍ଦୀର ଶେଷ ଯାଏଁ ସୁଦୃଢ ରଖିଥିଲା ବୋଲି କୁହାଯାଇପାର
। ଊନବିଂଶ ଶତାଦ୍ଦୀର ଶେଷ ଚଉଠ ଓ ବିଂଶ ଶତାଦ୍ଦୀର ପ୍ରଥମ ଚଉଠରେ ଗୋପାଳପୁର ବନ୍ଦରର କାରବାର
ବ୍ରହ୍ମପୁର ବଜାରକୁ ପ୍ରଭାବିତ କରିଥିଲା । ରପ୍ତାନୀ ଓ ଆମଦାନୀ ବାଣିଜ୍ୟ ବୃଦ୍ଧି ପରେ ବ୍ରହ୍ମପୁର
ବଜାରରେ କିଛି କାଳ ମୁସଲମାନ ବ୍ୟବସାୟୀଙ୍କ ଅଧିପତ୍ୟ ଦେଖିବାକୁ ମିଳିଥିଲା । ବିଂଶ ଶତାଦ୍ଦୀର
ପ୍ରଥମ ଦଶକରେ ବ୍ରହ୍ମପୁର ରେଳପଥ ଦ୍ୱାରା ସଂଯୋଗ ହେବା ଓ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ
ମଟରଗାଡ଼ିରେ ସ୍ଥଳପଥରେ ପରିବହନ ଦୃଢ଼ୀଭୂତ ହେବାପରେ ବ୍ରହ୍ମପୁର ବଜାରରେ ଆନ୍ଧ୍ର ସୀମାନ୍ତ
ଅଞ୍ଚଳର ବୈଶ୍ୟ‘କୁମୁଟୀ’ ସଂପ୍ରଦାୟଙ୍କ ପ୍ରଭୂତ୍ୱ ବୃଦ୍ଧି ପାଇଥିଲା । ୧୯୪୭
ମସିହାରେ ଦେଶବିଭାଜନ ପରେ ବହୁ ସ୍ୱଚ୍ଛଳ ମୁସଲମାନ ବ୍ୟବସାୟୀ ବ୍ରହ୍ମପୁର ଛାଡ଼ିଥିଲେ ।
ସେମାନଙ୍କ ଘରଦ୍ୱାରବୈଶ୍ୟ ସଂପ୍ରଦାୟ କିଣି ନେଇଥିଲେ । ସ୍ୱାଧୀନୋତ୍ତର ଅବସ୍ଥାରେ ଦେଶରେ
ଯାନ୍ତ୍ରିକ ବୟନ ଶିଳ୍ପର ଉନ୍ନୟନ ପରେ ହସ୍ତତନ୍ତ୍ରର ଆଦର କ୍ରମଶଃ କମିବାରେ ଲାଗିଲା ଏବଂ
ବ୍ରହ୍ମପୁରର ପାଟ ତନ୍ତ ମଧ୍ୟ ବିପଦର ସମ୍ମୁଖୀନ ହେଲା । ଊନବିଂଶ ଶତାଦ୍ଦୀର ଶେଷ ବେଳକୁ ଖ୍ୟାତି
ଲାଭ କରିଥିବା ବ୍ରହ୍ମପୁରୀ ପାଟ ବିଂଶ ଶତାଦ୍ଦୀର ଶେଷ ବେଳକୁ ଲୁପ୍ତ ପ୍ରାୟ କୁଟୀର ଶିଳ୍ପରେ
ପରିଣତ ହେଲା । ଏହି ଅବକ୍ଷୟର ଧାରାରେ ବହୁ ବୁଣାକର ପରିବାର କୌଳିକ ବୃତ୍ତି ପରିତ୍ୟାଗ କରିଥିଲେ
ଏବଂ ଅନେକେ ବିକଳ୍ପ କର୍ମ ସନ୍ଧାନରେ ଦେଶାନ୍ତର ମଧ୍ୟ ଯାତ୍ରା କରିଥିଲେ । ଏକଦା ଦେବାଙ୍ଗ
ସଂପ୍ରଦାୟର କର୍ତ୍ତୃତ୍ୱରେ ଆୟୋଜିତ ଠାକୁରାଣୀ ଯାତ୍ରା ବିଂଶ ଶତାଦ୍ଦୀରେ ଏକ ସାର୍ବଜନୀନ
ପର୍ବରେ ରୂପାନ୍ତରିତ ହୋଇ ପଡ଼ିଲା ।
ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଧାର୍ମିକ ଚ଼େତନା ଓ
ପାରମ୍ପରିକ ରୀତିନୀତିକୁ ବାଦ ଦେଲେ ଗ୍ରାମାଞ୍ଚଳ ଦର୍ଶକଙ୍କୁ ଏଭଳି ଏକ ମହୋତ୍ସବକୁ ଆକର୍ଷିତ
କରିବା ମୁଖ୍ୟ ଉଦ୍ଦେଶ୍ୟ ରୂପେ ଅଭିହିତ କରାଯାଇପାରେ । ପ୍ରଥମ ଅବସ୍ଥାରେ ଦେବାଙ୍ଗ ସଂପ୍ରଦାୟ
ନିଜର ପାଟ ବସ୍ତ୍ରର ବିକ୍ରିବଟା ପାଇଁ ଆଡ଼ମ୍ୱରପୂର୍ଣ୍ଣ ଠାକୁରାଣୀ ଯାତ୍ରା ଆୟୋଜନ ଲାଗି
ଆଗ୍ରହୀ ଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ
ବ୍ରହ୍ମପୁରରେ ମୁଣ୍ଡ ଟେକୁଥିବା କଂସା ପିତ୍ତଳ ବାସନକୁସନ ଏବଂ ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାର
ବ୍ୟବସାୟୀମାନେ ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥା ଯାଏଁ ଯାତ୍ରା ଆୟୋଜନ କ୍ଷେତ୍ରରେ ବିଶେଷ
ଆଗ୍ରହ ପ୍ରକାଶ କରୁଥିବା ଜଣାଯାଏ । ସ୍ୱାଧୀନୋତ୍ତର ଅବସ୍ଥାରେ ପ୍ରଥମ କିଛି ବର୍ଷ ଆସବାବପତ୍ର ବିକ୍ରିବଟାରେ ବ୍ରହ୍ମପୁର ବଜାର
ଗୁରୁତ୍ୱ ବହନ କରୁଥିବା ହେତୁ ସେହି ବ୍ୟବସାୟୀମାନେ ସହଯୋଗ ଜାରୀ ରଖିଥିଲେ । ତେବେ ୧୯୯୨
ମସିହାରେ ଜଗତୀକରଣ ପରବର୍ତ୍ତୀ ଅବସ୍ଥାରେ ଜନସାଧାରଣଙ୍କ ଏହି ଲୋକ ମହୋତ୍ସବରେ ସକ୍ରିୟ
ଅଂଶଗ୍ରହଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଜଗତୀକରଣ ସାଥେ ସାଥେଆନ୍ତର୍ଜାତିକସ୍ତରରେ
ଧାର୍ମିକ ମନୋଭାବ ପ୍ରସାର ବୃଦ୍ଧି ପାଇଚ଼ାଲିଥିବା ପରିପ୍ରେକ୍ଷୀରେ ବ୍ରହ୍ମପୁର କିମ୍ୱା
ଠାକୁରାଣୀ ଯାତ୍ରା ସେଥିରୁ ବା କାହିଁକି ବାଦ ପଡ଼ନ୍ତା?
ବ୍ରହ୍ମପୁର ସହରର ଇତିହାସ
ଚର୍ଚ୍ଚା ଉଦ୍ଦେଶ୍ୟରେ ୧୯୯୪ ମସିହାରେ ‘ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି’ ଶୀର୍ଷକ ୪୦୦
ପୃଷ୍ଠାର ଏକ ପୁସ୍ତକ ପ୍ରକାଶିତ ହୋଇଥିଲା । ସେଥିରେ ମହୁରି ରାଜବଂଶ, ବ୍ରହ୍ମପୁରର ଐତିହାସିକ
ପୃଷ୍ଠଭୂମି ଓ ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ପରମ୍ପରା ବିଷୟକ ତିନିଗୋଟି ପ୍ରବନ୍ଧ
ସନ୍ନିବେଶିତ କରାଯାଇଥିଲା । ପ୍ରଥମ ଦୁଇଗୋଟି ପ୍ରବନ୍ଧର ଲେଖକ ଇତିହାସ ଅଧ୍ୟାପକ ଓ ତୃତୀୟ
ପ୍ରବନ୍ଧର ଲେଖକ ଜଣେ ସାମ୍ୱାଦିକ । ‘ମହୁରି
ରାଜବଂଶ’ର ଲେଖକ ଉକ୍ତ ବିଷୟରେ ଗବେଷଣା କରି ୧୯୮୦ ମସିହାରେ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁଡ଼କ୍ଟରେଟ ଲାଭ କରିଥିବା ବେଳେ ‘ବ୍ରହ୍ମପୁରର ଐତିହାସିକ
ପୃଷ୍ଠଭୂମି’ର ଲେଖକ ଦକ୍ଷିଣ ଓଡ଼ିଶାର ଐତିହାସିକ ବିଭବ ସଂପର୍କରେ
ଗବେଷଣା କରି ପିଏଚ଼.ଡ଼ି ଓ ଡ଼ି.ଲିଟ ପାଇଥିଲେ । ତୃତୀୟ ପ୍ରାବନ୍ଧିକ ଦୀର୍ଘଦିନ ଧରି
ସଂବାଦପତ୍ରରେ ବ୍ରହ୍ମପୁର ସହରର ସାମାଜିକ ଓ ସାଂସ୍କୃତିକ ଧାରା ସଂପର୍କରେ ସ୍ତମ୍ଭ ରଚ଼ନା କରି
ଆସୁଥିଲେ । ‘ବ୍ରହ୍ମପୁର ସହରର
ଐତିହାସିକ ଭିତ୍ତିଭୂମି’ ପୁସ୍ତକ ବର୍ତ୍ତମାନ କ୍ରୟ ନିମନ୍ତେ ଉପଲବ୍ଧ ନଥିବା
ବେଳେ ବ୍ରହ୍ମପୁର ନଗର ନିଗମ ପରିଚ଼ାଳିତ ବିଭିନ୍ନ ପଠନାଗାରରେପଢ଼ିବାଲାଗି ମିଳେ । ବ୍ରହ୍ମପୁର
ଠାକୁରାଣୀ ଯାତ୍ରା ଇତିହାସ ଅନୁଶୀଳନ କରିବା ନିମନ୍ତେ ଉଲ୍ଲିଖିତ ତିନିଗୋଟି ପ୍ରବନ୍ଧ ବେଶ
ସହାୟକ । ଏହି ପ୍ରବନ୍ଧଗୁଡ଼ିକ ଗଭୀର
ଅଧ୍ୟୟନ ଓ ପ୍ରମାଣଯୋଗ୍ୟ ତଥ୍ୟ ଉପରେ ଆଧାରିତ ।
‘ବ୍ରହ୍ମପୁର ଐତିହାସିକ
ପୃଷ୍ଠଭୂମି’ ପ୍ରବନ୍ଧରେ ପ୍ରାବନ୍ଧିକ (୧) ଡ଼ବ୍ଳ୍ୟୁ.
ଡ଼ବ୍ଳ୍ୟୁହଣ୍ଟରଙ୍କ‘ଇମ୍ପରିଆଲଗେଜେଟିୟର ଅଫ
ଇଣ୍ଡିଆ’ (ଲଣ୍ଡନ: ୧୮୮୫) ଭାଗ : ପାଞ୍ଚ, ପୃ: ୧୯୯. (୨) ଆର.ବାୟାର୍ଡ଼
(ସବ୍-କଲେକ୍ଟର ଗଞ୍ଜାମ) ଗଞ୍ଜାମ ଡ଼ିଷ୍ଟ୍ରିକ୍ଟରେକର୍ଡ଼ସ: ୧୦ ନଭେମ୍ୱର ୧୮୨୩, ଭାଗ :୩୮୯୭, ପୃ: ୪୧୧. (୩)
ଏ.ଭି.ଆପ୍ୱାରାଓଙ୍କ‘ହିଷ୍ଟ୍ରୀ ଅଫ ହରିଡ଼ାଖଣ୍ଡି: ମଠ ଏଣ୍ଡ ମହନ୍ତସ’ (ବ୍ରହ୍ମପୁର :୧୯୩୨) ପୃ: ୧ ଏବଂ ଟି.ଜେ. ମାଲଟବିଙ୍କ‘ଗଞ୍ଜାମ
ଡ଼ିଷ୍ଟ୍ରିକ୍ଟମାନୁଆଲ’ (ମାନ୍ଦ୍ରାଜ: ୧୯୩୨) ପୃ:୪୭ କୁ ବିଚ଼ାରକୁ ନେଇ
ପ୍ରବନ୍ଧ ଆରମ୍ଭରେ ଲେଖିଥିଲେ :
‘ବ୍ରହ୍ମପୁର’ ଅବା ପରବର୍ତ୍ତୀ ସମୟରେ ଇଂରେଜୀ ଭାଷାରେ ଅପଉଚ୍ଚାରିତ‘ବେରହମପୁର’ ସହର ହେଉଛି ସଂସ୍କୃତି ବାଣିଜ୍ୟ ଓ ସରବରାହର ଏକ
ପ୍ରଖ୍ୟାତ ପ୍ରାଣକେନ୍ଦ୍ର (୧) ଏହା ମହୁରି ରାଜ୍ୟର ରାଜଧାନୀ ଥିଲା । ‘ମହୁରି (ପେଁକାଳି) ବାଜାର
ନାମରେ ଏହି ରାଜ୍ୟ ନାମିତ ହେଲା’ (୨) ଓଡ଼ିଶାର ଗଜପତି ରାଜା
ପୁରୁଷୋତ୍ତମ ଦେବଙ୍କ ଅନୁମତିକ୍ରମେ ଜଣେ ସ୍ଥାନୀୟ ମୁଖିଆ ପଞ୍ଚଦଶ ଶତାଦ୍ଦୀରେ ଏହି ରାଜ୍ୟ
ସ୍ଥାପନ କରିଥିଲେ । ଗଞ୍ଜାମ ସବ୍-କଲେକ୍ଟର ବାୟାର୍ଡ଼ ସାହେବଙ୍କ ଦ୍ୱାରାନଭେମ୍ୱର ୧୦ ତାରିଖ
୧୮୨୩ ଖ୍ରୀଷ୍ଟାଦ୍ଦରେ ଲିପିବଦ୍ଧ ଗଞ୍ଜାମ ଜିଲ୍ଲା ରେକର୍ଡସ ବିବରଣୀ ଅନୁକ୍ରମେ ମହୁରି ରାଜ୍ୟ
୧୪୬୮ ରୁ ୧୪୯୭ ଖ୍ରୀଷ୍ଟାଦ୍ଦ ମଧ୍ୟରେ ସଂସ୍ଥାପିତ ହେଲା । ପରେ ପରେ ଷଷ୍ଠଦଶ ଶତାଦ୍ଦୀର
ପ୍ରାରମ୍ଭରେ ହିଁ ମହୁରି ରାଜବାଟୀର ଚ଼ତୁଃପାର୍ଶ୍ୱରେ ଜନବସତି ପ୍ରତିଷ୍ଠା ଆରମ୍ଭ ହେଲା । (୩) ଏଣୁ ରାଜବାଟୀ ପ୍ରତିଷ୍ଠା ସହ ସହରର ନିର୍ମାଣ
ପ୍ରକ୍ରିୟା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ପଶ୍ଚିମାଞ୍ଚଳସ୍ଥିତହରିଡ଼ାଖଣ୍ଡିଠାରେ ପ୍ରଥମ ଜନବସତି
ସମ୍ଭବତଃ ସ୍ଥାପିତ ହୋଇଥିଲା । ଏକ ‘ହରିଡ଼ା’ ବୃକ୍ଷ ମୂଳରେ ପ୍ରତିଷ୍ଠିତ କୁଡ଼ିଆକୁକେନ୍ଦ୍ରକରି ଏହି
ଜନବସତି ପ୍ରତିଷ୍ଠିତ ହୋଇଥିବା ଯୋଗୁଁ ଏହି ଅଞ୍ଚଳକୁ ହରିଡ଼ାଖଣ୍ଡି ନାମରେ ନାମିତ କରାଗଲା (୩)
। ହରିଡ଼ାଖଣ୍ଡି ଓ ମହୁରି ରାଜବାଟୀ ମଧ୍ୟରେ କ୍ରମଶଃ ଘଞ୍ଚ ଜନବସତି ଗଢ଼ି ଉଠିଲା (୪) ।
ମହୁରି ରାଜବଂଶ ପ୍ରବନ୍ଧରେ
ଉଲ୍ଲେଖ କରାଯାଇଛି,“ଗଜପତି ପୁରୁଷୋତ୍ତମ ଦେବ ତାଙ୍କର ଦାକ୍ଷିଣାତ୍ୟ ଅଭିଯାନ ବେଳେ
ସୋମରାଜା ଓ ଭୀମରାଜା ନାମକ ଦୁଇ ଭାଇଙ୍କୁ ନିଜର ସାଥି-ସର୍ଦ୍ଦାର ରୂପେ ନେଇଥିଲେ ।
ଦାକ୍ଷିଣାତ୍ୟ ଯୁଦ୍ଧରେ ବିଜୟ ଲାଭ କରି ପ୍ରତ୍ୟାବର୍ତ୍ତନ କଲାବେଳେ ଏମାନଙ୍କ ଉପରେ ପ୍ରୀତ ହୋଇ
ପୁରୁଷୋତ୍ତମ ଦେବ ଋଷିକୂଲ୍ୟା ଓ ବାହୁଦା ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳକୁ
ବଡ଼ଭାଇସୋମରାଜାଙ୍କୁପ୍ରଦାନ କଲେ । ସୋମରାଜା ଜଣେ ବିଖ୍ୟାତ ମହୁରି ବାଦକ ଥିଲେ । ସେହି
ଅନୁସାରେ ଉକ୍ତ ଅଞ୍ଚଳ ‘ମହୁରି’ ରାଜ୍ୟ ଭାବରେ ଖ୍ୟାତ ହେଲା ।”
No comments:
Post a Comment