Thursday, April 11, 2019

ଯାତ୍ରାରେ ସାମୂହିକ ବେଶ

ଏକକ ବେଶ ବ୍ୟତୀତ ସହରର କେତେକ ସାହୀ ଆନୁକୂଲ୍ୟେ ସାମୂହିକ ବେଶ ଆୟୋଜନ କରାଯାଏ । ବାଲାଜୀପେଣ୍ଠସାହୀକପିଳେଶ୍ୱରବ୍ୟାୟମଶାଳା ପକ୍ଷରୁ ସର୍କସ, ବାଲୁଙ୍କେଶ୍ୱରସାହୀରୁ ଚନ୍ଦ୍ରଲେଖା ନୃତ୍ୟ, ଶଙ୍କରପୁରସାହୀରକୁସ୍ତିକସରତ, ଦଳୁଆସାହୀର ପାଇକ ନାଚ଼, କୁମ୍ଭାର ସାହୀର ଘଣ୍ଟ ଆଖାଡ଼ା, ତଥା ଶଗଡ଼ିଆସାହୀ, ମାର୍ଥାସାହୀ ଓ ବାଉରି ସାହୀ ଇତ୍ୟାଦି ଆନୁକୁଲ୍ୟରେ ବାଡ଼ିଆଖାଡ଼ାର ଆୟୋଜନର ନଜିର ରହିଛି । ଏହି ଧରଣର ସାମୂହିକ ବେଶମାନଙ୍କରେ ୨୦ ରୁ ୨୦୦ ଜଣ ଯାଏଁ ବ୍ୟକ୍ତି ଅଂଶଗ୍ରହଣ କରିଥାନ୍ତି । ଲୋକନୃତ୍ୟସମ୍ୱଳିତରୂପନାଚ ଇତ୍ୟାଦିରେ ୨ ରୁ ୫ ଜଣ ଅଂଶଗ୍ରହଣ କରିବା ଦେଖାଯାଏ ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଅବସରରେ ବିଜିପୁର ବାସିନ୍ଦାମାନଙ୍କ ଦ୍ୱାରା ଆୟୋଜିତ ଦରିଦ୍ର ପଞ୍ଚାକ୍ଷର ପାର୍ଟିବୁଦ୍ଧଂଶରଣଂଗଚ୍ଛାମି ବେଶ ସହରବାସୀଙ୍କ ମଧ୍ୟରେ ବେଶ୍ କୌତୁହଳ ସୃଷ୍ଟି କରିଥାଏ ।

୧୯୩୬ ମସିହାରୁ ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶ ପ୍ରତି ଠାକୁରାଣୀ ଯାତ୍ରା ଅବସରରେ ନିୟମିତ ବାହାରୁଛି । ବିଜିପୁର ଅଞ୍ଚଳର ଜଣେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସାଂଗଠନିକ ପ୍ରଚେଷ୍ଟାରେ ଏହିଭଳି ଏକ ସାମୂହିକ ବେଶର ପରିକଳ୍ପନା କରାଯାଇଥିଲା । ଆଧୁନିକ ଯୁଗରେ ମଠ ମନ୍ଦିରରେ ଅବସ୍ଥାପିତ କେତେକ ମହନ୍ତଙ୍କ ବିଧର୍ମୀ କାର୍ଯ୍ୟକଳାପର ସମାଲୋଚନା ଏହି ବେଶ ମାଧ୍ୟମରେ ପ୍ରଦର୍ଶନ କରାଯାଇଥାଏ । ଦରିଦ୍ର ପଞ୍ଚାକ୍ଷର ପାର୍ଟି ଶୋଭାଯାତ୍ରାରେ ଜଣେ ମହନ୍ତ ବେଶଧାରୀ ବ୍ୟକ୍ତି ଦଳେ ଆଧୁନିକ ବେଶଭୂଷା ପରିହିତ ନାରୀ ବେଶଧାରୀ ପୁରୁଷଙ୍କ ମଧ୍ୟରେ ରଥାଋଢ଼ ହୋଇ ମଉଜ ମଜଲିସରେ ବ୍ୟସ୍ତ ରହନ୍ତି । ତାଙ୍କରି ଚେଲାମାନେ ମହନ୍ତଙ୍କ ରଥ ସହ ସହରର କେତେକ ନିର୍ଦ୍ଦିଷ୍ଟ ମୁଖ୍ୟରାସ୍ତା ପରିଭ୍ରମଣ କରି ଠାକୁରାଣୀ ଯାତ୍ରାସ୍ଥଳଦେଶୀବେହେରାସାହୀରେ ପହଞ୍ଚି ଦେବୀଙ୍କ ଦର୍ଶନ ସାରି ପୁଣି ବିଜିପୁର ଫେରିଥାଆନ୍ତି । ଏହି ଶୋଭାଯାତ୍ରାରେ ହାସ୍ୟରସାତ୍ମକ ତଥା ସମାଲୋଚନାମୂଳକ କେତୋଟି ଗୀତ ଅନବରତ ବୋଲାଯାଇଥାଏ ।

ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶରେ ଯୋଗ ଦେବା ନିମନ୍ତେ ବିଜିପୁର ଅଞ୍ଚଳର ବାସିନ୍ଦାମାନେ ପୂର୍ବରୁ ମାନସିକ କରିଥାଆନ୍ତି । ତେବେ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କୁ ଏଥିରେ ଅଂଶଗ୍ରହଣ କରିବା ନିମନ୍ତେ କୌଣସି ବାଧାବନ୍ଧନ ନାହିଁ । ବିଜିପୁର ଅଞ୍ଚଳର ସ୍ଥାୟୀ ବାସିନ୍ଦାମାନେ କାର୍ଯ୍ୟକ୍ଷେତ୍ରରେ ସହର ବାହାରେ ଅବସ୍ଥାପିତ ହୋଇଥିଲେ ହେଁ ଯାତ୍ରାରେ ବେଶଧାରଣ କରିବା ନିମନ୍ତେ ଆସୁଥିବା ଦେଖାଯାଏ । ସାଧାରଣତଃ ଠାକୁରାଣୀ ଯାତ୍ରା ଶେଷ ହେବା ୩/୪ ଦିନ ପୂର୍ବରୁ ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶ ବାହାରିଥାଏ । ଏହି ବେଶରେ ଅଂଶଗ୍ରହଣ କରିବା ନିମନ୍ତେ ଇଚ୍ଛୁକ ବ୍ୟକ୍ତିମାନେ ପାର୍ଟିର ସଭାପତିଙ୍କ ଠାରେ ପୂର୍ବରୁ ଚାନ୍ଦା ଦେଇ କୂପନ ସଂଗ୍ରହ କରିଥାନ୍ତି । ବେଶ ଧାରଣ ଦିନ ପୂର୍ବାହ୍ନରୁ ସମସ୍ତେ ବିଜିପୁରଠାରେ ସମବେତ ହୋଇ ଲଣ୍ଡା ହୋଇଥାନ୍ତି ଏବଂ ସାମାନ୍ୟ ଜଳଯୋଗ ପରେ ସନ୍ଧ୍ୟା ଘ.୪.୩୦ ମି.ରେ ନଗର ପରିକ୍ରମାରେ ବାହାରି ପ୍ରଥମେ ବିଜିପୁରର ସମସ୍ତ ସାହୀ ବୁଲି ଏକ ନିର୍ଦ୍ଧିଷ୍ଟ ରାଜରାସ୍ତାଦେଇ ଠାକୁରାଣୀଙ୍କ ଦର୍ଶନ ପାଇଁ ଯାଇଥାନ୍ତି । ଏମାନେ କାହାଠାରୁ କୌଣସି ଉପହାର ଗ୍ରହଣ କରନ୍ତି ନାହିଁ । ସ୍ଥଳବିଶେଷରେ ଶୋଭାଯାତ୍ରା ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ବ୍ୟକ୍ତିବିଶେଷ ଜଳଯୋଗରେ ଆପ୍ୟାୟିତ କରିଥାଆନ୍ତି । ତେବେ ଜଳଯୋଗ ଫଳରେ ସମୟ ବ୍ୟୟ ଓ ଶୋଭାଯାତ୍ରା ଆୟୋଜନରେ ବିଭ୍ରାଟ ଦେଖାଯାଉଥିବାରୁ ୧୯୯୭ ମସିହାରୁ ରାସ୍ତାରେ ଜଳଯୋଗ ଗ୍ରହଣ ବାରଣ କରାଯାଇଛି ।

ଦରିଦ୍ର ପଞ୍ଚାକ୍ଷର ପାର୍ଟିରେ କେତେଜଣ ଅଂଶଗ୍ରହଣ କରିବେ ତାହାର କୌଣସି ନିର୍ଦ୍ଦିଷ୍ଟତା ନଥାଏ । ତେବେ ତାହା ପ୍ରାୟ ୧୫୦ ରୁ ୨୦୦ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ରହିଥାଏ । ଛୋଟ ଛୋଟ ବାଳକଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ମଧ୍ୟ ଏଥିରେ ବେଶ ଧାରଣ କରିଥାନ୍ତି । ଏହି ବେଶର ପ୍ରଥମ ସଂଗଠକଙ୍କ ଦ୍ୱାରା ରଚିତ ସାତ ଗୋଟି ହାସ୍ୟମୂଳକ ଗୀତ ସାଙ୍ଗକୁ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସଂଗଠକମାନଙ୍କ ଦ୍ୱାରା ରଚିତ ନୂତନ ଗୀତମାନଯୋଡ଼ା ଯାଇଛି । ସେଗୁଡ଼ିକ ଶୋଭାଯାତ୍ରାରେ ଅଡ଼ିଓ ପ୍ଳେୟାରରେଲାଉଡ଼ସ୍ପିକରରେ ବଜାଯାଇଥାଏ । ଗତ କିଛିବର୍ଷରୁନରେନ୍ଦ୍ରପୁରରଯୋଡ଼ିଶଙ୍ଖ ଶୋଭାଯାତ୍ରାର ଅଗ୍ରଭାଗରେ ସନ୍ନିବେଶିତ ହୋଇଛି ।

ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶରେ ଅଶ୍ଳିଳତାର ଛାପ ଦେଖିବାକୁ ମିଳେ ବୋଲି ସମାଲୋଚ଼ନା ହୁଏ । ତେବେ ସାମାଜିକ ରୀତିନୀତି ବ୍ୟବସ୍ଥାର ରସପୂର୍ଣ୍ଣ ବିଦ୍ରୁପ ଯେ ଏହି ବେଶର ମୂଳ ଆଧାର ଏହାକୁ ଅସ୍ୱୀକାର କରି ହେବନାହିଁ । ଏହି ଶୋଭାଯାତ୍ରାର ପତାକା ଶାବଳା ଶୁଖୁଆ ହୋଇଥିବାବେଳେ ଏଥିରେ ଅଂଶଗ୍ରହଣ କରୁଥିବା ବେଶଧାରୀମାନେ ଗଳାରେ ରୁଦ୍ରାକ୍ଷ ବଦଳରେ ଗେଣ୍ଡା, ଶାମୂକା ମାଳ କାନରେ ଆଳୁ, ଲେମ୍ୱୁ ତଥା ଚୂଳରେ ବେଲୁନ ବାନ୍ଧି ଥାଆନ୍ତି । ଶୋଭାଯାତ୍ରାରେ ବୋଲା ଯାଉଥିବା ଗୀତରେ ସାମାଜିକ ରୀତିନୀତିର ସମାଲୋଚନା ଶୁଣିବାକୁ ମିଳେ । ଯଥା :“ମଦ ହାମାର ସାଥିରେ ସଖା । ଶୁଣ୍ଢି ହାମାର ବନ୍ଧୁରେ । ମଦ ପାନ ମହା ପୂଣ୍ୟ । କାହିଁକି ତୁ ନିନ୍ଦୁରେ….କିମ୍ୱାମାଷ୍ଟର ସଙ୍ଗେ ପିଲାଏ ବୁଲିଲେ ସିଗାରେଟ ବିଡ଼ି ଖାଇଲେ । ହରିବୋଲ, ହରିବୋଲ, ହରିବୋଲ ଭାଇରେ । ଘଟିଲା କଳି, ଦେଇଛି ଗିଳି ଧର୍ମାଧର୍ମ ନାହିଁରେ । ଇତ୍ୟାଦି ।

ଦରିଦ୍ର ପଞ୍ଚାକ୍ଷର ପାର୍ଟିରେ ଅଂଶଗ୍ରହଣ କରିଥିବା ସମସ୍ତ ବେଶଧାରୀ ଧଳା ଧୋତିଖଣ୍ଡେସନ୍ନ୍ୟାସୀଙ୍କ ଭଳି ପରିଧାନ କରନ୍ତି । ଏହି ଶୋଭାଯାତ୍ରାରେ ଆଇନ ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପୋଲିସର ସହାୟତା ନିଆଯାଇଥାଏ । ଏହି ଶୋଭାଯାତ୍ରା ସାଧାରଣତଃ ସଂଧ୍ୟା ଘ.୪.୩୦ମି ରେ ବାହାରି ଘ.୬.୩୦ମି ଯାଏଁ ବିଜିପୁରର ସମସ୍ତ ସାହୀ ବୁଲି ଘ.୭ ରେ କମାପଲ୍ଲୀ, ଘ.୭.୩୦ ମିରେ କୋର୍ଟପେଟା, ଘ. ୮.୩୦ ମି ରେ କଲେଜ, ଘ. ୯ରେ ପୁରୁଣା ବସଷ୍ଟାଣ୍ଡ, ଘ. ୯.୩୦ ମିରେଗିରିମାର୍କେଟ ଓ ଘ.୧୦ରେ ହନୁମାନ ବଜାର ଦେଇ ଘ.୧୧ ବେଳକୁ ଠାକୁରାଣୀଙ୍କ ପୀଠରେ ପହଞ୍ଚି ଥାଏ ।

ବୁଦ୍ଧଂ-ଶରଣଂ-ଗଚ୍ଛାମି ବେଶରେ ୨୦ ବା ୨୧ ଜଣ ମଧ୍ୟବୟସ୍କ ବ୍ୟକ୍ତି ବୌଦ୍ଧଭିକ୍ଷୁ ବେଶ ଧାରଣ କରି ଶୋଭାଯାତ୍ରାରେ ସହରର ରାଜରାସ୍ତା ପରିକ୍ରମା କରି ଠାକୁରାଣୀଙ୍କ ଦର୍ଶନ ଲାଗି ଯାଇଥାନ୍ତି । ସେମାନେ ଭିକ୍ଷା ପାତ୍ର ଧରିଥାନ୍ତି ଏବଂ ସମ୍ପୂର୍ଣ୍ଣ ନୀରବତା ପାଳନ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରନ୍ତି ।

ଯେଉଁମାନେ ଦରିଦ୍ର ପ଼ଞ୍ଚାକ୍ଷର ପାର୍ଟି ବେଶରେ ଅଂଶଗ୍ରହଣ କରି ଲଣ୍ଡା ହୋଇଥାନ୍ତି ସେମାନଙ୍କ ମଧ୍ୟରୁ ସୁସ୍ଥ ସବଳ ଚେହେରା ଥିବା ବ୍ୟକ୍ତିଙ୍କୁ ନିର୍ବାଚନ କରି ହିଁ ଏହି ବେଶ ବାହାର କରାଯାଇଥାଏ । କୌଣସି ନୂଆ ବ୍ୟକ୍ତିକୁ ଗ୍ରହଣ କରାଯାଏ ନାହିଁ । ଏହି ବେଶ ସହ ୧୯୪୫ ମସିହା ବେଳକୁ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚିତ୍ରଅଙ୍ଗୁଳିମାଳାର ଗୀତ ଗାନ କରାଯାଉଛି । ବୁଦ୍ଧଂ-ଶରଣଂ-ଗଚ୍ଛାମି ବେଶ ଦର୍ଶକଙ୍କ ମଧ୍ୟରେ ବେଶ୍ କୌତୁହଳ ସୃଷ୍ଟି କରିଥାଏ ।

Wednesday, April 10, 2019

ବାଘ ନାଚ଼


ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବାଘ ନାଚ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ବାଘ ନାଚ ପ୍ରଚଳିତ ଥିଲେ ହେଁ ଏଠାକାର ବାଘ ନାଚ ସାଜସଜ୍ଜା, ନୃତ୍ୟ ଓ ବାଦ୍ୟ ବିଭିନ୍ନ ଦିଗରୁ ଅପେକ୍ଷାକୃତ ମନମୁଗ୍ଧକର ହୋଇଥାଏ । ସାଧାରଣତଃ ଯାତ୍ରା ଅବସରରେ ପୂର୍ବ-ମାନସିକ କିମ୍ୱା ନିଜ ଆଗ୍ରହ ଜନିତ କାରଣରୁ ବେଶ ଧାରଣ କରିଥାନ୍ତି । ବାଘ ନାଚ କରିବା ନିମନ୍ତେ ବ୍ୟକ୍ତିବିଶେଷଙ୍କୁ ନୃତ୍ୟରେ ପାରଙ୍ଗମ ହେବାକୁ ପଡ଼ିଥାଏ ଏବଂ ଏହି ଦୃଷ୍ଟିରୁ ଅନଭିଜ୍ଞମାନେ ବାଘ ବେଶ ଧାରଣ କରିବା ସମ୍ଭବପର ହୁଏ ନାହିଁ ।

ଆଜକୁ ୪୦/୫୦ ବର୍ଷ ପୂର୍ବେ କେବଳ ଠାକୁରାଣୀ ଯାତ୍ରା କାହିଁକି ବର୍ଷତମାମ ବାଘ ନାଚିଲାବାଲାଙ୍କ ସାମାଜିକ ପ୍ରତିଷ୍ଠା ବଳବତ୍ତର ରହୁଥିଲା । ଜଣେ ଭଲ କ୍ରିକେଟର, ଫୁଟବଲର ବା ଚିତ୍ରତାରକା ଯେପରି ସ୍ୱତନ୍ତ୍ରପରିଚ଼ୟ ସୃଷ୍ଟି କରିଥାନ୍ତି, ସେଭଳି ଜଣେ ଭଲ ବାଘ ନାଚ ନାଚିଲାବାଲା ମଧ୍ୟ ଅନୁରୂପ ଲୋକପ୍ରିୟତା ହାସଲ କରିପାରୁଥିଲେ । ସେ ସମୟରେ ହୁଏତ ଆଜିକା ତୁଳନାରେ ଖୁବ୍ କମ୍ ସଂଖ୍ୟକ ବ୍ୟକ୍ତି ବାଘ ବେଶ ଧାରଣ କରୁଥିଲେ ଏବଂ ଏଥିପାଇଁ ସେମାନଙ୍କୁ ରୀତିମତ ପୂର୍ବ-ପ୍ରସ୍ତୁତି ବା ରିହାରସାଲ କରିବାକୁ ପଡ଼ୁଥିଲାକେଉଁ ସାହୀରନାଚିଲାବାଲା କେଉଁ ତାରିଖରେ ବାଘ ବେଶରେ ନାଚିବ ସେଥିପାଇଁ ଲୋକେ ତାରିଖ ଗଣି ଅପେକ୍ଷା କରୁଥିଲେ । ପ୍ରତ୍ୟେକ ବାଘ ସହ ଅନ୍ୟୂନ ୬୦ ରୁ ୧୦୦ ସାହୀବାଲା ତଥା ସଖା-ସହୋଦର ସହର ପରିଭ୍ରମଣ କରୁଥିଲେ । ସାହୀବାଲାଙ୍କ ମଧ୍ୟରେ ଭାଇଚ଼ାରାଏତାଦୃଶ୍ୟ ନୃତ୍ୟ ଆୟୋଜନରେ ପରିସ୍ଫୁଟିତ ହେଉଥିଲା । ଆଜିକାଲି ତ ଯିଏ ବେଶଧାରଣ ପାଇଁ ପଇସା ଯୋଗାଡ଼ କରିପାରୁଛି ସେ ବାଘ ନାଚ ପାଇଁ ଆଗେଇ ଆସୁଛି । ନା ପୂର୍ବପ୍ରସ୍ତୁତି ନା ନାଚିବା ଶୈଳୀରେ ପରିପକ୍ୱତା, ନା କୌଣସି ସାମୂହିକ ପ୍ରଚେଷ୍ଟା ବାଘ ନାଚ କ୍ଷେତ୍ରରେ ଦେଖିବାକୁ ମିଳୁଛି ।

ବାଘ ନାଚ ଏକ ବ୍ୟୟ ବହୁଳ ବ୍ୟାପାର । ବାଘ ନାଚ ପାଇଁ ଅନ୍ତତଃ ପକ୍ଷେ ଚାରିଗୋଟି ଚ଼ାଙ୍ଗୁ ବାଦ୍ୟର ଆବଶ୍ୟକତା ପଡ଼ିଥାଏ । ବାଦ୍ୟଗୁଡ଼ିକୁ ପ୍ରତି ଘଣ୍ଟାକରେ ଥରେ ନିଆଁ ସେକ ଦେବା ନିମନ୍ତେ ଗୋଟିଏ ପାଳ ବୋଝେଇ ଯାନ ନାଚ ଦଳ ସହ ଘୁରି ବୁଲୁ ଥାଏ । ପୂର୍ବେ ପେଟ୍ରୋମାକ୍ସ ଲଣ୍ଠନ ବ୍ୟବହୃତ ହେଉଥିବାବେଳେ ବର୍ତ୍ତମାନ ଜେନେରେଟର ଯୋଗେ ବଲବଆଲୋକର ବ୍ୟବସ୍ଥା କରାଯାଏ । ବାଘର ଶରୀରରେ ବାର୍ଣ୍ଣିସ୍ ଚିତ୍ରଣ, ମୁଣ୍ଡ, ପୋଷାକ, ସ୍ୱତନ୍ତ୍ର ଫୁଲମାଳ ତଥା ଚିତ୍ରକରର ମଜୁରି ବାବଦରେ ଖର୍ଚ୍ଚ ହୁଏ । ଶେଷରେ ବାଘ ନାଚ ସହ ରାତି ତମାମ ଘୁରି ବୁଲିବା ନିମନ୍ତେ ଅନ୍ତତଃ ପକ୍ଷେ କୋଡ଼ିଏ ଜଣ ଏକାଠି ହୋଇଥାନ୍ତି । ବାଘକୁ ଚିତ୍ରିତ କରିବା, ମନ୍ଦିରକୁ ମୁଖା ନେଇ ପୂଜା କରିଆସିବା କାମରେ ମଧ୍ୟ ସେମାନେ ସାମିଲ ହୁଅନ୍ତି । ସମସ୍ତଙ୍କ ଦିନକର ଖାଦ୍ୟପେୟ ବାବଦରେ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ବାଘ ବେଶ ପାଇଁ ଚିତ୍ରଣ କାର୍ଯ୍ୟ ପୂର୍ବାହ୍ନରୁ ଆରମ୍ଭ ହୋଇଯାଏ । ଶରୀରର ଲୋମ ଖିଅର ହୋଇ ସ୍ନାନାଦି କାର୍ଯ୍ୟ ପରେ ବାର୍ଣ୍ଣିସରେ ପ୍ରଲେପ ଦିଆଯାଇଥାଏ । ଠାକୁରାଣୀଙ୍କଠାରେ ମୁଖା ପୂଜା ହୋଇଆସିବା ପରେ ବାଦ୍ୟ ବାଦକଙ୍କସହ ବାଘ ପ୍ରଥମେ ଅସ୍ଥାୟୀ ମନ୍ଦିର ଆସି ଦେବୀଙ୍କ ଦର୍ଶନ କରେ । ତତ୍ପରେ ନିଜ ପରିଚିତ ପରିବାରଗୁଡ଼ିକୁ ବୁଲି ନାଚ଼େ । ଅତୀତରେ ବାଘ ନାଚ ସାରା ରାତି ଚାଲୁଥିଲା । ତେବେ ପୋଲିସ କଟକଣା ଅନୁଯାୟୀ ଆଜିକାଲି ରାତି ୧୧ ରୁ ସକାଳ ୫ ଯାଏଁ ବାଘ ନାଚ ପ୍ରଦର୍ଶନ ବାରଣ କରାଯାଇଛି ।

Tuesday, April 9, 2019

ଯାତ୍ରାରେ ବେଶ ଧାରଣ

ଠାକୁରାଣୀ ଯାତ୍ରା ଅବସରରେ ପୂର୍ବ ମାନସିକ ଜନିତ କାରଣ ବା ସ୍ୱତଃପ୍ରବୃତ୍ତଭାବେ ଅନେକ ବ୍ୟକ୍ତି ବିଭିନ୍ନ ବେଶ ଧାରଣ କରିବା ପରମ୍ପରା ଚଳିଆସିଛି । ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ମାନସିକ ଅନୁଯାୟୀ ଭକ୍ତ ବାଳ କାଟି ଲଣ୍ଡା ହୋଇଥାନ୍ତି କିମ୍ୱା ବଳି ଦେଇଥାନ୍ତି । ତେବେ ଠାକୁରାଣୀ ଯାତ୍ରା ଅବସରରେ ରୋଗବ୍ୟାଧିରୁ ଉଦ୍ଧାର ବା ସଙ୍କଟମୋଚନ ଆଶାରେ ମାନସିକ କରିଥିବା ବ୍ୟକ୍ତିବିଶେଷ ବିଭିନ୍ନ ବେଶଧାରଣ କରି ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଥାନ୍ତି । କେବଳ ପୁରୁଷମାନେ, ସାଧାରଣତଃ ବାଳକ ଓ ଯୁବକମାନେ ବେଶ ଧାରଣରେ ଅଂଶଗ୍ରହଣ କରିଥାନ୍ତି ।

ବିଭିନ୍ନ ଲୋକଉତ୍ସବ ଅବସରରେ ମୁଖ୍ୟତଃ କାର୍ନିଭାଲ ଧରଣର ଯାତ୍ରାମାନଙ୍କରେ ପ୍ରାକ୍-ଐତିହାସିକ କାଳରୁ ମନୁଷ୍ୟ ବିଭିନ୍ନ ପଶୁପକ୍ଷୀ ବା ବିଚିତ୍ର ଚରିତ୍ରର ବେଶ ଧାରଣ କରି ନୃତ୍ୟଗୀତରେ ଅଂଶଗ୍ରହଣ କରିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ । ବିଶ୍ୱର ବିଭିନ୍ନ ପ୍ରାନ୍ତର ଆଦିବାସୀମାନେ ବିଭିନ୍ନ ଧରଣର ପଶୁପକ୍ଷୀଙ୍କ ବେଶ ପରିଧାନ କରି ନୃତ୍ୟଗୀତରେ ସାମିଲ ହୋଇଥାନ୍ତି । ଆଫ୍ରିକୀୟ ଓ ଲାଟିନ ଆମେରିକୀୟ ଦେଶପୁଞ୍ଜରେ ଏହି ଧରଣର ଯାତ୍ରାଗୁଡ଼ିକ ପର୍ଯ୍ୟଟନ ଆକର୍ଷଣ ରୂପେ ଆନ୍ତର୍ଜାତିକସ୍ତରରେ ପରିଗଣିତ ହୋଇଥାଏ ।

ଠାକୁରାଣୀ ଯାତ୍ରାରେ ପାରମ୍ପରିକଭାବେ ବାଘ, ଭାଲୁ, ମାଙ୍କଡ଼ ଇତ୍ୟାଦି ଜୀବଜନ୍ତୁ ସାଙ୍ଗକୁ ଶିବ, କୃଷ୍ଣ, ବଳରାମ, ରାମଚନ୍ଦ୍ର, ଲକ୍ଷ୍ମଣ, ସୀତା, ନାରଦ ଇତ୍ୟାଦି ପୌରାଣିକ ଚରିତ୍ର, ବାବାଜି, ଜ୍ୟୋତିଷ, ଡ଼ାହାଣି, ଦହିବାଲୀ, ଶୁଖୁଆବାଲୀ, ଅତର ବିକ୍ରେତା, ଆଦିବାସୀ, ଫେରିବାଲା, ପୋଲିସ ଇତ୍ୟାଦି ସାମାଜିକ ଚରିତ୍ରଙ୍କ ଅନୁକରଣରେ ବେଶ ପରିଧାନ କରାଯାଇଥାଏ । ପୁରୁଷମାନଙ୍କ ନାରୀବେଶ ଧାରଣ ଏକ କୌତୁହଳୋଦ୍ଦୀପକ ଦୃଶ୍ୟ ।

ଠାକୁରାଣୀ ଯାତ୍ରା ଅବସରରେ ପୂର୍ବମାନସିକ କାରଣରୁ ସାଧାରଣତଃ କମ୍ ବୟସର ବାଳକଙ୍କ ଠାରୁ ଆରମ୍ଭ କରି ମଧ୍ୟ-ବୟସ୍କଙ୍କ ପର୍ଯ୍ୟନ୍ତ ପୁରୁଷମାନେ ବେଶ ଧାରଣ କରିଥାନ୍ତି । ପୁରୁଣା ସହରରେ ଯେତେବେଳେ ଶିଶୁଟିଏ ସାଂଘାତିକଭାବେ ରୋଗରେ ପଡ଼େଚ଼ିକିତ୍ସା ଅବସରରେ ତାର ମାଆ, ଗୋସାଇଁ ମା ବା ଆଈ ଏପରି କେହି ଜଣେ ବଡ଼ ଠାକୁରାଣୀଙ୍କଠାରେ ସହଣିକ କରିବସନ୍ତି ଯେ ନିଜ ପୁଅ ବା ନାତି ରୋଗମୁକ୍ତ ହୋଇଗଲେ ଆସନ୍ତା ଠାକୁରାଣୀ ଯାତ୍ରାରେ ବାବାଜୀ, କୃଷ୍ଣ ଅମକସମକ ବେଶ ଧାରଣ କରିବ । ପୁତ୍ର ସନ୍ତାନଟି ଆରୋଗ୍ୟଲାଭ କରିଥାଏ ଏବଂ ପରବର୍ଷ ଠାକୁରାଣୀ ଯାତ୍ରା ଅବସରରେ ବେଶ ଧାରଣ କରେ ।

ଏକ ନିର୍ଦ୍ଦିଷ୍ଟ ଦିବସରେ ବେଶ ଧାରଣ କରିବା ନିର୍ଦ୍ଧାରିତ ହେବା ପରେ ସେହିଦିନ ପୂର୍ବାହ୍ନରେ ବେଶ ଧାରଣ କରିବା ଶିଶୁ, ଯୁବକ ବା ବ୍ୟକ୍ତିଜଣକ ପ୍ରଥମେ ବେଶଭୁଷାରେ ସଜ୍ଜିତ ହୋଇ ଦେଶୀବେହେରାସାହୀର ଅସ୍ଥାୟୀ ମନ୍ଦିରକୁ ଯାଇଥାଏ । କେତେକ କ୍ଷେତ୍ରରେ ବେଶ ସହ ବାଦ୍ୟବାଦକ ସହଯୋଗିତା କରୁଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ବାଦକମାନଙ୍କ ଆବଶ୍ୟକତା ନଥାଏ । ବେଶ ଧାରଣ କରିଥିବା ବ୍ୟକ୍ତି ଓ ବାଦକମାନେ ଠାକୁରାଣୀଙ୍କ ଠାରେ ପୂଜା ଅର୍ଚ୍ଚନା ସାରି ସାହୀସାହୀ ବୁଲି ନିଜ ପରିଚିତ ପରିବାରବର୍ଗଙ୍କୁ ସାକ୍ଷାତ କରିଥାନ୍ତି । ପ୍ରତ୍ୟେକେ ବେଶ ଧାରଣ କରିଥିବା ବ୍ୟକ୍ତିଙ୍କୁ କିଛି ଅର୍ଥ ଉପହାର ସ୍ୱରୂପ ଦେଇଥାନ୍ତି । ଏହି ଅର୍ଥର ପରିମାଣ ସାଧାରଣତଃ ବେଶ ଧାରଣ କରିଥିବା ବ୍ୟକ୍ତିର ଅର୍ଥନୀତିକ ଓ ସାମାଜିକ ପ୍ରତିପତ୍ତି ଉପରେ ନିର୍ଭରଶୀଳ । ବସ୍ତୀ ଭ୍ରମଣ ପରେ ବେଶ ଧାରଣ କରିଥିବା ବ୍ୟକ୍ତି ପୁନର୍ବାର ଠାକୁରାଣୀଙ୍କ ଦର୍ଶନ କରି ବେଶ ଉତୁରାଇଥାଏ ।

ଠାକୁରାଣୀ ଯାତ୍ରା ଅବସରରେ ଅତୀତରେ ବେଶ ଧାରଣ କ୍ଷେତ୍ରରେ ଅଧିକ ବିବିଧତା ଦେଖିବାକୁ ମିଳୁଥିଲା । କାଳକ୍ରମେ ବେଶର ବିସ୍ତୃତି କ୍ରମଶଃ ସଙ୍କୁଚିତ ହୋଇପଡ଼ିଛି । ପୂର୍ବେ ଯେଉଁ ବେଶଗୁଡ଼ିକ ବହୁ ପରିମାଣରେ ବାହାରୁଥିଲା, ଆଜି ବହୁତ କମ୍ ସଂଖ୍ୟକ ବ୍ୟକ୍ତି ସେହିଭିଳି ବେଶ ଧାରଣ କରୁଛନ୍ତି ।

ଉଦାହରଣସ୍ୱରୂପଛତା ନାଟ କଥା ଧରାଯାଉ । ଏହି ଲୋକନୃତ୍ୟ ପ୍ରଭାବିତ ବେଶରେ ଚାରି ଛଅ ଜଣ ମଧ୍ୟବୟସ୍କ ବ୍ୟକ୍ତି ହାତରେ ଛତା ଧରି କଳା ଚ଼ଷମା ଓ ପଗଡ଼ି ପିନ୍ଧି ଅନ୍ତତଃ ଦୁଇଗୋଟି ଚ଼ାଙ୍ଗୁ ବାଦ୍ୟର ତାଳେ ତାଳେ ନାଚିଥାନ୍ତି । ବର୍ତ୍ତମାନ କାଁଭାଁଛତାନାଟ ଦେଖିବାକୁ ମିଳୁଛି । ସେହିପରି ଛୋଡ଼ଗାଜିଆ ବେଶ ସହରସାରା ଭରି ଯାଉଥିଲା । ଦେହସାରାଅଙ୍ଗାରକଳା ବୋଳି ସେଥିରେ ଖଡ଼ି ଧଳା ଛିଟମାନ ମାରି ଅଖା ଖଣ୍ଡେ ଗୁଡ଼ାଇ ହୋଇ ପଥର ଖଣ୍ଡେ ଆଉ ଭିକ୍ଷା ହାଣ୍ଡିଟିଏ ଧରି ସାହୀସାହୀରେବେଶଧାରୀ କମ୍ ବୟସର ବାଳକମାନେ ଆସି ପହଞ୍ଚୁଥିଲେ । ବୁଲା କୁକୁରମାନେ ଏଭଳି ଅଦ୍ଭୂତ ଜୀବଟିଏ ଦେଖି ଭୁକି ଉଠୁଥିଲେ । ଆଜି ଛୋଡ଼ଗାଜିଆ ବେଶ ବହୁତ କମ୍ ଦେଖିବାକୁ ମିଳୁଛି । ବେଶ ଧାରଣରେ ବିଚିତ୍ରତା କ୍ରମଶଃ କମିଆସୁଛି ।

ଠାକୁରାଣୀ ଯାତ୍ରା ପାଳନର ଶେଷ ସପ୍ତାହଟି ବ୍ରହ୍ମପୁର ସହର ଉତ୍ସବମୁଖର ହୋଇଉଠେ । ଚୈତ୍ର ମାସର ଉଦୁଉଦିଆ ଖରା ବେଳ । ରାସ୍ତାରେ ଦେଖିବେ ତ ହନୁମାନଟିଏ ମୋବାଇଲ ଫୋନରେ ଗପି ଚାଲିଛି ବା କୃଷ୍ଣ ବଳରାମ ବେଶଧାରୀଦୁଇଭାଇ ମଟରସାଇକେଲ ଚଢ଼ି ଚାଲିଛନ୍ତି । ହଠାତ୍ ବାଦ୍ୟ ବାଜି ଉଠେ । ବାଘଟିଏ ଦୌଡ଼ିଆସେ ବା ଡ଼ାହାଣୀଟିଏ ନାଚି ଉଠେ । ଏକ ଉଦ୍ଭୂତସରରିଆଲିଜିମ୍ ଦୃଶ୍ୟାବଳୀରେ ସହର ଭରି ଉଠେ ।

ବ୍ରହ୍ମପୁରର ଏହି ମୌଳିକ ମହୋତ୍ସବରେ ଧନୀଗରିବ ଜାତିଭେଦର ବାଛବିଚାର ନାହିଁ । ଭିକାରୀଟିଏ ଦେହସାରା ଅଙ୍ଗାର କଳା ବୋଳି ସେଥିରେ ଧଳାଛିଟ ଦେଇ ମୁଣ୍ଡରେ କାଉ ପରଖଣ୍ଡେ ଗୁଞ୍ଜି ହାତରେ ପଥର ଖଣ୍ଡେ ଧରିର ଚିତ୍କାର କରି ଉଠୁଛି, ଛୋଡ଼ଗାଜିଆଛାଡ଼ି ଦେ ବାଟ, ଦୁଇ ବରଷରେ ଥରେ ଗାଜିଆ ନାଟ ତ ସହରର କୌଣସି ଏକ ବିଶିଷ୍ଟ ଧନୀକ ବ୍ୟକ୍ତିଙ୍କ ଅଲିଅଳ ପୁତ୍ର ପୁଙ୍ଗୁଳା ଦେହରେ କୌପୁନୀଖଣ୍ଡେ ମାରି କଅଁଳ ସ୍ୱରରେ କହୁଛି ଜୟ ବାବାଜୀ କୀ ଜୟ

Monday, April 8, 2019

ଠାକୁରାଣୀଙ୍କ ସାହୀ ପରିକ୍ରମା


ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ବିଶେଷତ୍ୱ ଏହି ଯେ, ଏହା କୌଣସି ଗୋଟିଏ ଦିନ ଦର୍ଶନାଭିଳାଷୀଙ୍କୁ ଏକତ୍ରୀତ ନକରି ଦୀର୍ଘ ଦିନ ଧରି ଯାତ୍ରୀମାନଙ୍କୁ ଆକର୍ଷିତ କରିଥାଏ । ବିଭିନ୍ନ ରଥ ଓ କଳାକୁଞ୍ଜ ନିର୍ମିତ ହେବା ପରେ ଯାତ୍ରାର ଶେଷ ସପ୍ତାହରେ ଅଧିକ ଲୋକଗହଳି ହୋଇଥାଏ ଏବଂ ଶେଷ ଦିବସରେ ସର୍ବାଧିକ ଜନସମାଗମ ହୋଇଥାଏ । ତେବେ ଯାତ୍ରା ଆରମ୍ଭରୁ ଯାତ୍ରୀଙ୍କ ଭିଡ଼ ଲାଗି ରହିଥାଏ ।

ଠିକ୍ ସେହିପରି ପ୍ରତିଦିନର କାର୍ଯ୍ୟସୂଚ଼ୀକୁ ନିରେଖି ଦେଖିଲେ ଜଣାଯାଏ ଯେ, ଦିନର ବିଭିନ୍ନ ସମୟରେ ବିଭିନ୍ନ ଶ୍ରେଣୀର ଭକ୍ତ ଅସ୍ଥାୟୀ ମନ୍ଦିର ପରିଦର୍ଶନ କରି ପୂଜାଅର୍ଚ୍ଚନା କରିଥାନ୍ତି । ମଧ୍ୟାହ୍ନରେ ଅପେକ୍ଷାକୃତ କମ୍ ଲୋକଗହଳି ରହୁଥିବା ହେତୁ ବୃଦ୍ଧ-ବୃଦ୍ଧା ବା ଗହଳି ପସନ୍ଦ କରୁନଥିବା ଲୋକେ ଦର୍ଶନରେ ଯାଇଥାନ୍ତି । ଏହି ସମୟରେ ଅସ୍ଥାୟୀ ମନ୍ଦିରରେ ୫୦ ରୁ ୧୦୦ ଭକ୍ତଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ପ୍ରଭାତରୁ ସକାଳ ୯ ଘଣ୍ଟା ଯାଏଁ ଏବଂ ଅପରାହ୍ନ ୪ ଘଣ୍ଟା ପରେ ଲୋକଗହଳି ବଢ଼ିଯାଏ । ସନ୍ଧ୍ୟାରେ ଦର୍ଶନ ଲାଗି ଯାଉଥିବା ଭକ୍ତ ସାଧାରଣତଃ ରାତିରେ ଘଟ ସାହୀ ପରିକ୍ରମା କାର୍ଯ୍ୟ ଦେଖିବା ପାଇଁ ଅପେକ୍ଷା କରି ରହୁଥିବା ହେତୁ ଛଅରୁ ନଅଘଣ୍ଟା ଯାଏଁ ଦେଶୀବେହେରା ସାହୀ ସର୍ବାଧିକ ଲୋକାରଣ୍ୟ ହୋଇପଡ଼େ ।

ପ୍ରତିଦିନ ସନ୍ଧ୍ୟାରେ ଠାକୁରାଣୀଙ୍କ ସାହୀ ପରିକ୍ରମାବେଳେ ଅତୀତରେ ସହରର ବିଶିଷ୍ଟ ବ୍ୟକ୍ତିମାନେ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ଜଣାଯାଏ । କ୍ରମଶଃ ସେହି ପରମ୍ପରା ଲୋପ ପାଇଛି । ସାହୀ ପରିକ୍ରମା ବେଳେ ମହୁରି ରାଜାଙ୍କ ବାଦ୍ୟବାଦକ ଦଳ ଅଂଶଗ୍ରହଣ କରୁଥିଲେ । ବର୍ତ୍ତମାନ ତାହାର ସ୍ମୃତିରେ ଯାତ୍ରାର ଶେଷ କିଛି ଦିବସରେ ଏକ ସ୍ୱେଚ୍ଛାସେବକ ବାଦ୍ୟବାଦକ ଦଳ ଶୋଭାଯାତ୍ରାରେ ଭାଗ ନିଅନ୍ତି ।

ଠାକୁରାଣୀଙ୍କ ସାହୀ ପରିକ୍ରମା ପ୍ରକାଶମ ହଲ୍ ନିକଟସ୍ଥ କାମ୍ପ ସାହୀ ପର୍ଯ୍ୟନ୍ତ ଆସିଥାଏ । ଏଥିରୁ ଅନୁମାନ କରାଯାଏ ଯେ, ଜାକଜମକରେ ଠାକୁରାଣୀ ଯାତ୍ରା ପାଳନ ବେଳକୁ ବ୍ରହ୍ମପୁରର ପରିସୀମା କାମ୍ପ ସାହୀ ପର୍ଯ୍ୟନ୍ତ ହିଁ ସୀମିତ ରହିଥିଲା । ଯାତ୍ରା ଶେଷଦିନ ଘଟ ଶୋଭାଯାତ୍ରାରେ କାମ୍ପ ସାହୀର ଜଣେବ୍ୟକ୍ତି ବରକୋଳି ଡ଼ାଳରେ ଛାଞ୍ଚୁଣି, କୁଲା, କୁକୁଡ଼ା ଇତ୍ୟାଦି ବାନ୍ଧି ଯୋଗ ଦିଏ । ଏହି ପ୍ରଥା ପାରମ୍ପରିକ ଭାବେ ପାଳିତ ହୋଇଆସୁଛି ।

ଠାକୁରାଣୀ ଯାତ୍ରା ଅବସରରେ ସାରା ବ୍ରହ୍ମପୁର ଉତ୍ସବମୁଖର ହୋଇପଡ଼େ । ଠାକୁରାଣୀଙ୍କ ଅସ୍ଥାୟୀ ମନ୍ଦିର ବଡ଼ବଜାର ଦେଶୀବେହେରା ସାହୀରେ ପ୍ରତିଷ୍ଠିତ ହେଉଥିଲେ ହେଁ ପ୍ରତ୍ୟେହ ସନ୍ଧ୍ୟାରେ ଠାକୁରାଣୀଙ୍କ ସାହୀ ପରିକ୍ରମା ପୂଜାଅର୍ଚ୍ଚନାର ପରିସରକୁ ପରିବ୍ୟାପ୍ତ କରିଥାଏ । ଅପରପକ୍ଷରେ ମାନସିକ ବେଶଧାରୀମାନେ ସହରର ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଥିବା ହେତୁ ଦିନରାତି ଗହଳଚ଼ହଳ ଓ ବାଜାବାଜଣା ଲାଗି ରହିଥାଏ । ମୁଖ୍ୟତଃ ଯାତ୍ରା ପାଳନର ଶେଷ ସପ୍ତାହରେ ପୁରୁଣା ବ୍ରହ୍ମପୁର ଅଞ୍ଚଳଟି ବେଶଧାରୀଙ୍କ ଗହଣରେ ଉତ୍ସବମୁଖର ହୋଇଉଠେ ।

Sunday, April 7, 2019

ବଡ଼ ଠାକୁରାଣୀ ମନ୍ଦିର ପୂଜକ


ବ୍ରହ୍ମପୁର ବଡ଼ ଠାକୁରାଣୀଙ୍କ ସମେତ ଅନ୍ୟାନ୍ୟ ଠାକୁରାଣୀ ମନ୍ଦିରରେ ଭଣ୍ଡାରି ସଂପ୍ରଦାୟ ପୂଜକ । ବଡ଼ ଠାକୁରାଣୀ ମନ୍ଦିରର ପୂଜକମାନେ ଠାକୁରାଣୀ ଯାତ୍ରା ପାଳନ ଅବସରରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଏମାନଙ୍କ ସହ ହରିଡ଼ାଖଣ୍ଡି, ଆମ୍ୱପୁଆ, ପିତ୍ତଳର ଠାକୁରାଣୀ ସେବକମାନେ ମଧ୍ୟ ପାରମ୍ପରିକଭାବେ ଠାକୁରାଣୀ ଯାତ୍ରା ସମୟରେ ପୂଜାବିଧାନ ଯୋଗ ଦେଇଥାନ୍ତି । ଅବଶ୍ୟ ଯାତ୍ରା ଅବସରରେ ଠାକୁରାଣୀଙ୍କ ନିକଟରେ ସହସ୍ର କୁଙ୍କୁମ ପୂଜା, ହୋମ ଓ ରାଜଭୋଗ ବ୍ରାହ୍ମଣ ପୁରୋହିତଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ ।

ଯାତ୍ରାରେ ଠାକୁରାଣୀଙ୍କ ଅସ୍ଥାୟୀ ଗର୍ଭ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପାଇଁ ପୂଜକ ଦଳମାନଙ୍କୁ ପ୍ରତ୍ୟହ ନିଲାମର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯେଉଁ ଦିନ ଯେଉଁ ପୂଜକ ଦଳ ପୂଜା କମିଟି ନିକଟରେ ଅଧିକ ଅର୍ଥ ଜମାଦେବା ନିମନ୍ତେ ପ୍ରତିଶ୍ତୁତିବଦ୍ଧ ହୁଅନ୍ତି, ସେହି ପୂଜକ ଦଳ ସେହିଦିନ ପାଇଁ ଗର୍ଭମନ୍ଦିରରେ ପୂଜା ଅର୍ଚ୍ଚନା ତଥା ଭକ୍ତମାନଙ୍କଠାରୁ ଦକ୍ଷିଣା ଆଦାୟ କରନ୍ତି । ତେବେ ଗର୍ଭ ମନ୍ଦିର ବାହାରେ ତଥା ସନ୍ଧ୍ୟାରେ ସାହୀ ପରିକ୍ରମା ସମୟରେ ସମସ୍ତ ପୂଜକ ପୂଜା ଅର୍ଚ୍ଚନା ତଥା ଦକ୍ଷିଣା ଗ୍ରହଣ କରିପାରନ୍ତି ।

ଠାକୁରାଣୀ ଯାତ୍ରା ଅବସରରେ ବଳି ପ୍ରଥାର ପ୍ରଚଳନ ନାହିଁ । ସକାଳ ଆଠଟା ବେଳେ ବାଳଭୋଗ ଦହିଅନ୍ନ ଭୋଗହେବା ବେଳେ ମଧ୍ୟାହ୍ନ ଗୋଟାଏ ଓ ରାତି ଦଶରେ ରାଜଭୋଗରେ ଅନ୍ନ ତଥା ଅନ୍ୟାନ୍ୟ ବ୍ୟଞ୍ଜନଭୋଗ ହୋଇଥାଏ । ସନ୍ଧ୍ୟାଭୋଗ ସାଧାରଣତଃ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ । ବିଭିନ୍ନ ପ୍ରକାର ମିଷ୍ଟାନ୍ନ ସନ୍ଧ୍ୟାଭୋଗରୂପେ ବ୍ୟବହୃତ ହୋଇଥାଏ ।

ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ବଂଶାନୁକ୍ରମିକ ଭାବେ ଦେଶୀବେହେରା ପରିବାରଙ୍କ ଦ୍ୱାରା ଆୟୋଜିତ ହୋଇଆସୁଛି । କାଳକ୍ରମେ ଯାତ୍ରା ଆୟୋଜନ ଓ ଅର୍ଥ ଉପାର୍ଜନ ଦୁଇଗୋଟି ଅନୁରୂପକ ସଂଜ୍ଞାରୂପେ ପରିଣତ ହୋଇଛି । ଦେଶୀବେହେରାଙ୍କ ପରିବାର ପକ୍ଷରୁ ଅସ୍ଥାୟୀ ମନ୍ଦିର ଖଣ୍ଡିକ ନିର୍ମିତ ହୁଏ । ଦେଶୀବେହେରା ସାହୀର ବ୍ୟବସାୟୀ ତଥା ପରିବହନ ଶ୍ରମିକମାନେ ଚାନ୍ଦାଭେଦା କରି ବଡ଼ ଛାମୁଣ୍ଡିଆ ଓ ଆଲୋକ ସଜ୍ଜାର ବ୍ୟବସ୍ଥା କରନ୍ତି । ବିଭିନ୍ନ ବସ୍ତୀରେ ରଥ ଓ କଳାକୁଞ୍ଜ ମୁଖ୍ୟତଃ ସେଠାକାର ବାସିନ୍ଦାଙ୍କ ଦାନରେ ଗଢ଼ି ଉଠେ । ଦେଶୀବେହେରାଙ୍କ ପକ୍ଷରୁ ନାମକୁ ମାତ୍ର କିଛି ଅର୍ଥ ଏହି ବାବଦରେ ଖର୍ଚ୍ଚ ହୁଏ । ଅର୍ଥ ଉପାର୍ଜନକୁ କେନ୍ଦ୍ର କରି ଅତୀତରେ ଯାତ୍ରା ଆୟୋଜକ ପରିବାର ସଦସ୍ୟଙ୍କ ମଧ୍ୟରେ ମତାନ୍ତର ଘଟିବା ଏବଂ ମାମଲା କୋର୍ଟ କଚେରୀ ଦୁଆର ମାଡ଼ିବାର ଉଦାହରଣ ମଧ୍ୟ ଅଭାବ ନାହିଁ । ତେବେ ବିଗତ କିଛି ବର୍ଷରୁ ପାରିବାରିକ କଳହ ଏକ ରକମ ବନ୍ଦ ରହିଛି ।

Saturday, April 6, 2019

ମହୁରି ରାଜପରିବାର


ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସହ ମହୁରି ରାଜ ପରିବାରଙ୍କ ସମ୍ପର୍କ ରହିଆସିଛି । ପ୍ରତିଦିନ ସନ୍ଧ୍ୟାରେ ସାହୀ ପରିକ୍ରମାବେଳେ ଘଟ ପ୍ରଥମେ ମହୁରି ରାଜଉଆସକୁ ଆସିଥାଏ ଏବଂ ତତ୍ପରେ ଅନ୍ୟତ୍ର ଯାଏ । ରାଜ ପରିବାରଙ୍କ ପକ୍ଷରୁ ଘଟ ପୂଜା ଅର୍ଚ୍ଚନା କରାଯାଇଥାଏ । ମହୁରି ରାଜପରିବାରଙ୍କ ଦୟାରୁ ଠାକୁରାଣୀ ଯାତ୍ରା ଆୟୋଜକ ଦେବାଙ୍ଗ ବୁଣାକର ସଂପ୍ରଦାୟ ଆନ୍ଧ୍ର ପ୍ରଦେଶରୁ ବ୍ରହ୍ମପୁର ଆସି ପହଞ୍ଚିଥିବା ତଥା ରାଜନଅର ଆଖପାଖ ଅଞ୍ଚଳର ବସତି ସ୍ଥାପନ କରିଥିବା ଏବଂ ଦୀର୍ଘ ସମୟ ଧରି ପ୍ରଜାରୂପେ ପ୍ରତିପାଳିତ ହୋଇଥିବା ହେତୁ ଯାତ୍ରା ପାଳନ ଅବସରରେ ସେମାନଙ୍କ ପ୍ରଭୁଭକ୍ତି ସ୍ୱାଭାବିକ । ଅପର ପକ୍ଷରେ ଏହି ଅଞ୍ଚଳର ପ୍ରଜାମାନେ ମଧ୍ୟ ନିଜ ରାଜାଙ୍କ ନିକଟରେ ଅନୁଗତ୍ୟ ସ୍ୱୀକାର କରୁଥିଲେ ।

ବଡ଼ବଜାରସ୍ଥିତ ମହୁରି ରାଜ ଉଆସରେ ବର୍ତ୍ତମାନ ରାଜପରିବାର ବସବାସ କରୁନାହାନ୍ତି । ତାହା ଦୋକାନ ବଜାରରେ ପରିଣତ ହୋଇଗଲାଣି । ତେବେ ରଥଯାତ୍ରା, ଠାକୁରାଣୀ ଯାତ୍ରା ଇଦ୍ୟାଦିର ପାରମ୍ପରିକ ବିଧିବିଧାନ ପରିଚାଳନା ପାଇଁ କିଛି ଅଂଶ ରାଜ ପରିବାରର ମାଲିକାନାରେ ରହିଛି । ଏହି ରାଜଉଆସ ୧୬୬୨ ରୁ ୧୬୭୨ ମସିହା ମଧ୍ୟରେ ନିର୍ମିତ ହୋଇଥିବା ପ୍ରମାଣ ମିଳିଥାଏ ।

ବର୍ତ୍ତମାନ ବ୍ରହ୍ମପୁରର ପଶ୍ଚିମ ଦିଗରେ ପ୍ରାୟ ୧୨ କିଲୋମିଟର ଦୂରରେ ମହୁଡ଼ା ଚିକିଟି ରାସ୍ତାରେ ଟାମଣା ଗ୍ରାମ ନିକଟରେ ରାସ୍ତାରୁ ଓହ୍ଲାଇ କେରାଣ୍ଡିମାଳ ପର୍ବତ ପାଦଦେଶକୁ ଗଲେ ପ୍ରାୟ ଦେଢ଼ କିଲୋମିଟର ପାଦଚଲା ରାସ୍ତା ପରେ ମହୁରି କିଲ୍ଲାର ଭଗ୍ନାବଶେଷ ଦେଖିବାକୁ ମିଳିଥାଏ । ରାଜ ପ୍ରାସାଦର କୌଣସି ଚିହ୍ନବର୍ଣ୍ଣ ନଥିଲେ ସୁଦ୍ଧା ତିନିଗୋଟି ମନ୍ଦିରର ଭଗ୍ନାବଶେଷ ମହୁରି କିଲ୍ଲାର ମୂଳସାକ୍ଷୀରୂପେ ଆଜି ସୁଦ୍ଧା ଠିଆ ହୋଇଛି ।

୧୮୩୫ ମସିହାରେ ମହୁରି ରାଜା ବ୍ରିଟିଶ ସରକାରଙ୍କୁ ସଲାମି କର ନ ଦେଇପାରିବା ହେତୁ ବ୍ରହ୍ମପୁର ସହରକୁ ଉକ୍ତ ସଲାମି ବକେୟା ଅର୍ଥ ବଦଳରେ ରାଜାଙ୍କଠାରୁ ଇଂରେଜ ସରକାର କିଣି ନେଲେ । ୧୮୫୦ ମସିହାରେ ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟକୁ ଇଂରେଜ ସରକାର ବାଜ୍ୟାପ୍ତ କରି ଶାସନଭାର ନିଜ ଅଧୀନକୁ ନେଲେ । ଫଳରେ ଏଠାରେ ସରକାରୀ କୋର୍ଟ କଚେରୀ ସ୍ଥାପନ ସାଙ୍ଗକୁ ଦକ୍ଷିଣ ଓଡ଼ିଶାର ଜଙ୍ଗଲଜାତ ଦ୍ରବ୍ୟ ସମୂହ ରପ୍ତାନୀ ଲାଗି ଏକ ବ୍ୟବସାୟ ପେଣ୍ଠ ଗଢ଼ିଉଠିଲା । ଏହି ପରିପ୍ରେକ୍ଷୀରେ ମହୁରି ରାଜ ପରିବାର ବଡ଼ବଜାର ଉଆସରେ ହିଁ ରହିଲେ । ସହରର ସାମ୍ୱାଦିକତା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରାକ୍-ସ୍ୱାଧୀନତା କାଳରେ ମହୁରି ରାଜ ପରିବାର ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ମହୁରି ରାଜ ଉଆସଠାରେ ପ୍ରତିଷ୍ଠିତ ରୟାଲ୍ ପ୍ରେସରୁ ନବୀନ ନାମରେ ଏକ ସାପ୍ତାହିକ ପତ୍ରିକା ନିୟମିତ ପ୍ରକାଶିତ ହେଉଥିଲା । ସେ ସମୟର ଓଡ଼ିଶାର ସମସ୍ତ ପ୍ରତିଷ୍ଠିତ ସାହିତ୍ୟିକ ନବୀନ ପୃଷ୍ଠାରେ ହିଁ ଲେଖାଲେଖି ଆରମ୍ଭ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ନବୀନର ସ୍ୱତ୍ତ୍ୱାଧିକାର ପରିବର୍ତ୍ତନ ହୋଇଛି ।

ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁର ରାଜନୀତି କ୍ଷେତ୍ରରେ ମହୁରି ରାଜପରିବାରର ଯୋଗଦାନ ରହିଥିଲା । ବ୍ରହ୍ମପୁର ବିଧାନସଭା ଆସନରେ ୧୯୬୧ରେ ରାଜା ଶିଶିର କୁମାର ନରେନ୍ଦ୍ର ଦେବ (କଂଗ୍ରେସ) ଓ ୧୯୭୭ରେ ରାଣୀ ରତ୍ନମଞ୍ଜରୀ ଦେବୀ (ସ୍ୱାଧୀନ) ବିଧାୟକ ଭାବେ ନିର୍ବାଚ଼ିତ ହୋଇଥିଲେ । ବ୍ରହ୍ମପୁର ପୌରପାଳିକାର ନଗରପାଳଭାବେ ରାଜପରିବାରର ପ୍ରଭାତକିରଣ ଦେବ ମଧ୍ୟ ଅବସ୍ଥାପିତ ହୋଇଥିଲେ ।

ବ୍ରହ୍ମପୁର ପାରମ୍ପରିକ ରଥଯାତ୍ରା ଓ ଠାକୁରାଣୀ ଯାତ୍ରା ଅବସରରେ ମହୁରି ରାଜପରିବାର ଉପସ୍ଥିତି ଆଜି କେବଳ ଇତିହାସର ସାକ୍ଷ୍ୟ ପ୍ରଦାନ କରିଥାଏ ।

Friday, April 5, 2019

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅବଧି


ବ୍ରହ୍ମପୁର ଠାକୁରାଣୀ ଯାତ୍ରା କେତେ ଦିନ ପାଇଁ ପାଳିତ ହୁଏ ତାହା ପାରିପାର୍ଶ୍ୱିକ ପରିସ୍ଥିତି ଉପରେ ନିର୍ଭର କରିଥାଏ । ତେବେ ତିନି ସପ୍ତାହ ବା ୨୧ ଦିନରୁ କେବେ କମ୍ ସମୟ ଯାତ୍ରା ଆୟୋଜିତ ହୁଏନା । ନିକଟ ଅତୀତର ହିସାବ ଖୋଜିବସିଲେ ଅନେକ ବର୍ଷ ଯାତ୍ରା ତିନି ସପ୍ତାହ ପାଳିତ ହୋଇଥିବା ପ୍ରମାଣ ମିଳେ । ସାଧାରଣତଃ  ଦୁଇ ସପ୍ତାହ ଯାତ୍ରା ଆୟୋଜନ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରଥମେ ନିଷ୍ପତ୍ତି ନିଆଯାଏ ଏବଂ ଯାତ୍ରା ଆଉ ସପ୍ତାହେ ବା ଦୁଇସପ୍ତାହ ବୃଦ୍ଧି କରିବା ନିମନ୍ତେ ଅନୁମତି ମିଳେ ।

କିମ୍ୱଦନ୍ତୀ ଅନୁଯାୟୀ ପ୍ରଥମ ଦେଶୀବେହେରା ଠାକୁରାଣୀ ଯାତ୍ରା ଆରମ୍ଭ କରିଥିଲେ । ଏହି ଦ୍ୱି-ବାର୍ଷିକ ଲୋକ ମହୋତ୍ସବ ଆୟୋଜନ ଦେଶୀବେହେରାଙ୍କ ତତ୍ତ୍ୱାବଧାନରେ ହୋଇଥାଏ । ଏଥିଲାଗି ତେଲୁଗୁ ପୁରୋହିତ (ସିଦ୍ଧାନ୍ତି)ଙ୍କ ପରାମର୍ଶକ୍ରମେ ଶୁଭତିଥି ନିର୍ଣ୍ଣୟପରେ ଦେଶୀବେହେରା ପ୍ରଥମେ ନିଜ କୁଳର ସେନାପତି ଓ ପରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ସମର୍ଥନରେ ଯାତ୍ରା ଆୟୋଜନ ଘୋଷଣା କରିଥାନ୍ତି । ତେବେ ଏହି ଭଳି ମହୋତ୍ସବ ଆୟୋଜନଲାଗି ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ପଡ଼ିଥାଏ । ଦେଶୀବେହେରା ପ୍ରଶାସନ ନିକଟରେ ଦରଖାସ୍ତ ପେଶ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଠାକୁରାଣୀ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥାନ୍ତି । ବିଗତ କିଛି ବର୍ଷ ଧରି ଠାକୁରାଣୀ ଯାତ୍ରା ତିନି ସପ୍ତାହରୁ ଚ଼ାରି ସପ୍ତାହ ଯାଏଁ ଅନୁଷ୍ଠିତ ହେଉଥିବା ଜଣାଯାଏ । ଗତ ୨୦୧୧ ମସିହାରେ ଠାକୁରାଣୀ ଯାତ୍ରା ୨୯ ଦିନ ଧରି ଅନୁଷ୍ଠିତ ହୋଇଥିଲା । ୨୦୧୩ ମସିହାରେ ଠାକୁରାଣୀ ଯାତ୍ରା ୫ ଏପ୍ରିଲରୁ ୨୯ ଏପ୍ରିଲ ୨୫ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଶାସନ ପକ୍ଷରୁ ପ୍ରଥମେ ୧୫ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ଦେଇଥିବା ବେଳେ ପରେ ପୁଣି ୯ ଦିନ ଯାତ୍ରାର ଅବଧି ବଢ଼ାଇଥିଲେ । ୨୦୧୫ ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଗୋଟି କିସ୍ତିରେ ୩୧ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥିଲେ । ୧୨ ମାର୍ଚ୍ଚ ସଂଧ୍ୟାରେ ଦେଶୀ ବେହେରାଙ୍କ ନିଜ ବାସଗୃହ ସାମ୍ନାରେ ଆୟୋଜିତ ବୈଠକରେ ୨୮ ମାର୍ଚ୍ଚରୁ ୨୭ ଏପ୍ରିଲ ଯାଏଁ ୩୧ ଦିନ ଯାତ୍ରା ପାଳନ ପାଇଁ ନିଷ୍ପତି ଘୋଷଣା କରିଥିଲେ । ଏହି ମତେ ସେ ପ୍ରଶାସନର ଅନୁମତି ଲୋଡ଼ିଥିଲେ । ତେବେ ୨୭ ମାର୍ଚ୍ଚରେ ପ୍ରଶାସନ ପକ୍ଷରୁ ପ୍ରଥମ ଦଫାରେ ମାତ୍ର ୨୦ ଦିନ ଯାତ୍ରା ପାଳନ ଲାଗି ଅନୁମତି ମିଳିଥିଲା । ଯାତ୍ରାର ଅବଧି ବୃଦ୍ଧି ପୁନର୍ବାର ଆବେଦନ ପରେ ଯାତ୍ରାର ଅବଧି ଆଉ ୧୧ ଦିନ ବଢ଼ାଗଲା । ଫଳରେ ୨୭ ଏପ୍ରିଲ ସୋମବାର ଦିନ ଯାତ୍ରା ଶେଷ ହୋଇଥିଲା ।

ଅତୀତରେ ଠାକୁରାଣୀ ଯାତ୍ରା ଦେଢ଼ ମାସରୁ ଦୁଇମାସ ଯାଏଁ ପାଳିତ ହେଉଥିବାର ସୂଚ଼ନା ମିଳିଥାଏ । ବ୍ରହ୍ମପୁର ସହର ଏକ ବାଣିଜ୍ୟ ପେଣ୍ଠରୂପେ ଗଢ଼ି ଉଠିବା ପରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ, ଫୁଲବାଣୀ, କଳାହାଣ୍ଡି, ପୁରୀ ଓ ଶ୍ରୀକାକୁଲମ ଜିଲ୍ଲାର ଜନସାଧାରଣ କିଣାବିକା ପାଇଁ ଏଠାକୁ ଆସିବାକୁ ଲାଗିଲେ । ବିଶେଷ କରି ଲୁଗାପଟା, ପିତ୍ତଳ ବାସନକୁସନ ଓ ସୁନାଗହଣା କିଣିବା ନିମନ୍ତେ ଗ୍ରାହକ ଏଠି ଏକତ୍ରୀତ ହେଉଥିଲେ । ଏହି ଅଞ୍ଚଳର ମୁଖ୍ୟ ଫସଲ ଧାନକଟା, ମଳା ଓ ଖଣିପକା ପରେ ଚୈତ୍ର ମାସରେ ଚାଷୀ ହାତରେ କିଛି ପଇସା ଆସିଯାଇଥାଏ ଏବଂ ବିଲବାଡ଼ିର ବିଶେଷ କିଛି କାମ ନଥାଏ । ଏହି ଅବସରରେ ସପରିବାର ସେ ଯାତ୍ରାରେ ଯୋଗ ଦେବା ନିମନ୍ତେ ଦୁଇବର୍ଷରେ ଥରେ ବ୍ରହ୍ମପୁରରେ ପହଞ୍ଚି ଠାକୁରାଣୀ ଯାତ୍ରା ଉପଭୋଗ ଏବଂ ବ୍ରହ୍ମପୁର ବଜାରରେ କିଣାବିକା ସେସମୟରେ ପ୍ରଚଳିତ ଧାରା ଥିଲା । ଏହି କାରଣରୁ ଦୀର୍ଘ ଦିନ ଧରି ଯାତ୍ରା ପାଳନ ନିମନ୍ତେ ଏଠାକାର ବ୍ୟବସାୟୀମାନଙ୍କ ପକ୍ଷରୁ ଆୟୋଜକଙ୍କୁ ପ୍ରୋତ୍ସାହିତ କରାଯାଉଥିଲା । କ୍ରମଶଃ ଗମନାଗମନ ବ୍ୟବସ୍ଥାର ଉନ୍ନତି ତଥା ବ୍ରହ୍ମପୁର ସହରକୁ ଯିବା ଆସିବା ଏକ ଦୈନନ୍ଦିନ ବ୍ୟାପାର ହୋଇପଡ଼ିବା ପରେ ବ୍ୟବସାୟୀ ବା ଗ୍ରାହକ ଆଉ ଠାକୁରାଣୀ ଯାତ୍ରାକୁ ପ୍ରାଧାନ୍ୟ ଦେଲେ ନାହିଁ । ତେବେ ଜଗତୀକରଣ ପ୍ରବର୍ତ୍ତନ ଓ ଟେଲିଭିଜନ ପ୍ରସାରଣ ପରିବ୍ୟାପ୍ତ ହେବାପରେ ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶନ୍ଧିରୁ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପୁନଃ ଲୋକପ୍ରିୟତା ଫେରି ପାଉଥିବା ଲକ୍ଷ୍ୟ କରାଯାଇପାରେ ।

ଜଗତୀକରଣ ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁରର ତଥା ଆଖପାଖ ଅଞ୍ଚଳର ଜନସାଧାରଣ, ମୁଖ୍ୟତଃ ନିମ୍ନ ଆୟକାରୀବର୍ଗଙ୍କ ଆର୍ଥିକ ସ୍ୱଚ୍ଛଳତା ବିଭିନ୍ନ ପର୍ବପର୍ବାଣୀରେ ଯୋଗଦାନକୁ ପ୍ରୋତ୍ସାହନ ଯୋଗାଇଛି । ସେହିପରି ଟେଲିଭିଜନ ଆଞ୍ଚଳିକ ସମ୍ୱାଦ ପ୍ରସାରଣର ଏକ ମୁଖ୍ୟ ମାଧ୍ୟମ ପାଲଟିବା ତଥା ସବୁ ପରିବାରଙ୍କ ଠାରେ ଟେଲିଭିଜନ ଉପଲବ୍ଧ ହେବା ପରେ ସ୍ଥାନୀୟ ଉତ୍ସବ ପାଳନ ସାଧାରଣ ଜୀବନଯାତ୍ରାକୁ ମଧ୍ୟ ପ୍ରଭାବିତ କରିପାରିଛି । ମୋବାଇଲ ଫୋନ ପରଦାରେ ଭିଡ଼ିଓ ଆହରଣ ଯାତ୍ରାର ଲୋକପ୍ରିୟତା ବୃଦ୍ଧିରେ ନୂତନ ଅଧ୍ୟାୟ ଯୋଡ଼ିଛି ।

ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ରୀତିନୀତି ଟେଲିଭିଜନ କାର୍ଯ୍ୟକ୍ରମରୁ ଅବଗତ ହୋଇ ବ୍ରହ୍ମପୁରବାସୀ ଏଠାକାର ଠାକୁରାଣୀ ଯାତ୍ରାରେ ତାହା ସନ୍ନିବେଶିତ କରାଉଥିବା ଦେଖିବାକୁ ମିଳୁଛି । ଉଦାହରଣ ସ୍ୱରୂପ ୨୦୦୯ ଯାତ୍ରାବେଳେ ଯାତ୍ରା ଦର୍ଶକମାନଙ୍କୁ ଖାଦ୍ୟ ଓ ପାନୀୟ ପରିବେଷଣ ଧାରା ଆରମ୍ଭ ହୋଇଥିଲା । ୨୦୧୧ ଓ ୨୦୧୩ ଯାତ୍ରା ଅବସରରେ ଏହି ଧାରା ବ୍ୟାପକ ଆକାର ଧାରଣ କରିଥିଲା । ଏହା ୨୦୦୫ ମୁମ୍ୱାଇର ରାଜରାସ୍ତାରେ ବନ୍ୟା ତଥା ବିଭିନ୍ନ ଧାର୍ମିକସ୍ଥଳରେ ପ୍ରସାଦ ବଣ୍ଟନର ନକଲ ବୋଲି କୁହାଯାଇପାରେ । ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକଉତ୍ସବ ରୂପେ ଗଢ଼ି ଉଠିଥିବା ହେତୁ ସର୍ଜନଶୀଳତା ଏଥିରେ ଭରି ରହିଥାଏ । ସ୍ଥାନୀୟ ଜନସାଧାରଣ ଉତ୍ସବ ପାଳନରେ ନୂଆ ନୂଆ ଫର୍ଦ୍ଦ ଯୋଗ କରିଥାନ୍ତି ।