ବ୍ରହ୍ମପୁର ଠାକୁରାଣୀ ଯାତ୍ରା କେତେ ଦିନ ପାଇଁ ପାଳିତ ହୁଏ ତାହା ପାରିପାର୍ଶ୍ୱିକ
ପରିସ୍ଥିତି ଉପରେ ନିର୍ଭର କରିଥାଏ । ତେବେ ତିନି ସପ୍ତାହ ବା ୨୧ ଦିନରୁ କେବେ କମ୍ ସମୟ ଯାତ୍ରା
ଆୟୋଜିତ ହୁଏନା । ନିକଟ ଅତୀତର ହିସାବ ଖୋଜିବସିଲେ ଅନେକ ବର୍ଷ ଯାତ୍ରା ତିନି ସପ୍ତାହ ପାଳିତ
ହୋଇଥିବା ପ୍ରମାଣ ମିଳେ । ସାଧାରଣତଃ ଦୁଇ
ସପ୍ତାହ ଯାତ୍ରା ଆୟୋଜନ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରଥମେ ନିଷ୍ପତ୍ତି ନିଆଯାଏ ଏବଂ ଯାତ୍ରା
ଆଉ ସପ୍ତାହେ ବା ଦୁଇସପ୍ତାହ ବୃଦ୍ଧି କରିବା ନିମନ୍ତେ ଅନୁମତି ମିଳେ ।
କିମ୍ୱଦନ୍ତୀ ଅନୁଯାୟୀ ପ୍ରଥମ ଦେଶୀବେହେରା ଠାକୁରାଣୀ ଯାତ୍ରା ଆରମ୍ଭ କରିଥିଲେ । ଏହି
ଦ୍ୱି-ବାର୍ଷିକ ଲୋକ ମହୋତ୍ସବ ଆୟୋଜନ ଦେଶୀବେହେରାଙ୍କ ତତ୍ତ୍ୱାବଧାନରେ ହୋଇଥାଏ । ଏଥିଲାଗି
ତେଲୁଗୁ ପୁରୋହିତ (ସିଦ୍ଧାନ୍ତି)ଙ୍କ ପରାମର୍ଶକ୍ରମେ ଶୁଭତିଥି ନିର୍ଣ୍ଣୟପରେ ଦେଶୀବେହେରା
ପ୍ରଥମେ ନିଜ କୁଳର ସେନାପତି ଓ ପରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ସମର୍ଥନରେ ଯାତ୍ରା ଆୟୋଜନ
ଘୋଷଣା କରିଥାନ୍ତି । ତେବେ ଏହି ଭଳି ମହୋତ୍ସବ ଆୟୋଜନଲାଗି ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ
ପଡ଼ିଥାଏ । ଦେଶୀବେହେରା ପ୍ରଶାସନ ନିକଟରେ ଦରଖାସ୍ତ ପେଶ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ
ଠାକୁରାଣୀ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥାନ୍ତି । ବିଗତ କିଛି ବର୍ଷ ଧରି
ଠାକୁରାଣୀ ଯାତ୍ରା ତିନି ସପ୍ତାହରୁ ଚ଼ାରି ସପ୍ତାହ ଯାଏଁ ଅନୁଷ୍ଠିତ ହେଉଥିବା ଜଣାଯାଏ । ଗତ
୨୦୧୧ ମସିହାରେ ଠାକୁରାଣୀ ଯାତ୍ରା ୨୯ ଦିନ ଧରି ଅନୁଷ୍ଠିତ ହୋଇଥିଲା । ୨୦୧୩ ମସିହାରେ
ଠାକୁରାଣୀ ଯାତ୍ରା ୫ ଏପ୍ରିଲରୁ ୨୯ ଏପ୍ରିଲ ୨୫ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଶାସନ
ପକ୍ଷରୁ ପ୍ରଥମେ ୧୫ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ଦେଇଥିବା ବେଳେ ପରେ ପୁଣି ୯ ଦିନ
ଯାତ୍ରାର ଅବଧି ବଢ଼ାଇଥିଲେ । ୨୦୧୫ ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଗୋଟି କିସ୍ତିରେ ୩୧
ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥିଲେ । ୧୨ ମାର୍ଚ୍ଚ ସଂଧ୍ୟାରେ ଦେଶୀ
ବେହେରାଙ୍କ ନିଜ ବାସଗୃହ ସାମ୍ନାରେ ଆୟୋଜିତ ବୈଠକରେ ୨୮ ମାର୍ଚ୍ଚରୁ ୨୭ ଏପ୍ରିଲ ଯାଏଁ ୩୧ ଦିନ
ଯାତ୍ରା ପାଳନ ପାଇଁ ନିଷ୍ପତି ଘୋଷଣା କରିଥିଲେ । ଏହି ମତେ ସେ ପ୍ରଶାସନର ଅନୁମତି ଲୋଡ଼ିଥିଲେ ।
ତେବେ ୨୭ ମାର୍ଚ୍ଚରେ ପ୍ରଶାସନ ପକ୍ଷରୁ ପ୍ରଥମ ଦଫାରେ ମାତ୍ର ୨୦ ଦିନ ଯାତ୍ରା ପାଳନ ଲାଗି
ଅନୁମତି ମିଳିଥିଲା । ଯାତ୍ରାର ଅବଧି ବୃଦ୍ଧି ପୁନର୍ବାର ଆବେଦନ ପରେ ଯାତ୍ରାର ଅବଧି ଆଉ ୧୧ ଦିନ
ବଢ଼ାଗଲା । ଫଳରେ ୨୭ ଏପ୍ରିଲ ସୋମବାର ଦିନ ଯାତ୍ରା ଶେଷ ହୋଇଥିଲା ।
ଅତୀତରେ ଠାକୁରାଣୀ ଯାତ୍ରା ଦେଢ଼ ମାସରୁ ଦୁଇମାସ ଯାଏଁ ପାଳିତ ହେଉଥିବାର ସୂଚ଼ନା ମିଳିଥାଏ
। ବ୍ରହ୍ମପୁର ସହର ଏକ ବାଣିଜ୍ୟ ପେଣ୍ଠରୂପେ ଗଢ଼ି ଉଠିବା ପରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ସମେତ
ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ, ଫୁଲବାଣୀ, କଳାହାଣ୍ଡି, ପୁରୀ ଓ ଶ୍ରୀକାକୁଲମ ଜିଲ୍ଲାର
ଜନସାଧାରଣ କିଣାବିକା ପାଇଁ ଏଠାକୁ ଆସିବାକୁ ଲାଗିଲେ । ବିଶେଷ କରି ଲୁଗାପଟା, ପିତ୍ତଳ
ବାସନକୁସନ ଓ ସୁନାଗହଣା କିଣିବା ନିମନ୍ତେ ଗ୍ରାହକ ଏଠି ଏକତ୍ରୀତ ହେଉଥିଲେ । ଏହି ଅଞ୍ଚଳର
ମୁଖ୍ୟ ଫସଲ ଧାନକଟା, ମଳା ଓ ଖଣିପକା ପରେ ଚୈତ୍ର ମାସରେ ଚାଷୀ ହାତରେ କିଛି ପଇସା ଆସିଯାଇଥାଏ
ଏବଂ ବିଲବାଡ଼ିର ବିଶେଷ କିଛି କାମ ନଥାଏ । ଏହି ଅବସରରେ ସପରିବାର ସେ ଯାତ୍ରାରେ ଯୋଗ ଦେବା
ନିମନ୍ତେ ଦୁଇବର୍ଷରେ ଥରେ ବ୍ରହ୍ମପୁରରେ ପହଞ୍ଚି ଠାକୁରାଣୀ ଯାତ୍ରା ଉପଭୋଗ ଏବଂ ବ୍ରହ୍ମପୁର
ବଜାରରେ କିଣାବିକା ସେସମୟରେ ପ୍ରଚଳିତ ଧାରା ଥିଲା । ଏହି କାରଣରୁ ଦୀର୍ଘ ଦିନ ଧରି ଯାତ୍ରା
ପାଳନ ନିମନ୍ତେ ଏଠାକାର ବ୍ୟବସାୟୀମାନଙ୍କ ପକ୍ଷରୁ ଆୟୋଜକଙ୍କୁ ପ୍ରୋତ୍ସାହିତ କରାଯାଉଥିଲା ।
କ୍ରମଶଃ ଗମନାଗମନ ବ୍ୟବସ୍ଥାର ଉନ୍ନତି ତଥା ବ୍ରହ୍ମପୁର ସହରକୁ ଯିବା ଆସିବା ଏକ ଦୈନନ୍ଦିନ
ବ୍ୟାପାର ହୋଇପଡ଼ିବା ପରେ ବ୍ୟବସାୟୀ ବା ଗ୍ରାହକ ଆଉ ଠାକୁରାଣୀ ଯାତ୍ରାକୁ ପ୍ରାଧାନ୍ୟ ଦେଲେ
ନାହିଁ । ତେବେ ଜଗତୀକରଣ ପ୍ରବର୍ତ୍ତନ ଓ ଟେଲିଭିଜନ ପ୍ରସାରଣ ପରିବ୍ୟାପ୍ତ ହେବାପରେ ବିଂଶ
ଶତାଦ୍ଦୀର ଶେଷ ଦୁଇ ଦଶନ୍ଧିରୁ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପୁନଃ ଲୋକପ୍ରିୟତା ଫେରି
ପାଉଥିବା ଲକ୍ଷ୍ୟ କରାଯାଇପାରେ ।
ଜଗତୀକରଣ ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁରର ତଥା ଆଖପାଖ ଅଞ୍ଚଳର ଜନସାଧାରଣ, ମୁଖ୍ୟତଃ
ନିମ୍ନ ଆୟକାରୀବର୍ଗଙ୍କ ଆର୍ଥିକ ସ୍ୱଚ୍ଛଳତା ବିଭିନ୍ନ ପର୍ବପର୍ବାଣୀରେ ଯୋଗଦାନକୁ ପ୍ରୋତ୍ସାହନ
ଯୋଗାଇଛି । ସେହିପରି ଟେଲିଭିଜନ ଆଞ୍ଚଳିକ ସମ୍ୱାଦ ପ୍ରସାରଣର ଏକ ମୁଖ୍ୟ ମାଧ୍ୟମ ପାଲଟିବା ତଥା
ସବୁ ପରିବାରଙ୍କ ଠାରେ ଟେଲିଭିଜନ ଉପଲବ୍ଧ ହେବା ପରେ ସ୍ଥାନୀୟ ଉତ୍ସବ ପାଳନ ସାଧାରଣ
ଜୀବନଯାତ୍ରାକୁ ମଧ୍ୟ ପ୍ରଭାବିତ କରିପାରିଛି । ମୋବାଇଲ ଫୋନ ପରଦାରେ ଭିଡ଼ିଓ ଆହରଣ ଯାତ୍ରାର
ଲୋକପ୍ରିୟତା ବୃଦ୍ଧିରେ ନୂତନ ଅଧ୍ୟାୟ ଯୋଡ଼ିଛି ।
ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ରୀତିନୀତି ଟେଲିଭିଜନ କାର୍ଯ୍ୟକ୍ରମରୁ ଅବଗତ ହୋଇ
ବ୍ରହ୍ମପୁରବାସୀ ଏଠାକାର ଠାକୁରାଣୀ ଯାତ୍ରାରେ ତାହା ସନ୍ନିବେଶିତ କରାଉଥିବା ଦେଖିବାକୁ ମିଳୁଛି
। ଉଦାହରଣ ସ୍ୱରୂପ ୨୦୦୯ ଯାତ୍ରାବେଳେ ଯାତ୍ରା ଦର୍ଶକମାନଙ୍କୁ ଖାଦ୍ୟ ଓ ପାନୀୟ ପରିବେଷଣ ଧାରା
ଆରମ୍ଭ ହୋଇଥିଲା । ୨୦୧୧ ଓ ୨୦୧୩ ଯାତ୍ରା ଅବସରରେ ଏହି ଧାରା ବ୍ୟାପକ ଆକାର ଧାରଣ କରିଥିଲା ।
ଏହା ୨୦୦୫ ମୁମ୍ୱାଇର ରାଜରାସ୍ତାରେ ବନ୍ୟା ତଥା ବିଭିନ୍ନ ଧାର୍ମିକସ୍ଥଳରେ ପ୍ରସାଦ ବଣ୍ଟନର ନକଲ
ବୋଲି କୁହାଯାଇପାରେ । ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକଉତ୍ସବ ରୂପେ ଗଢ଼ି ଉଠିଥିବା ହେତୁ
ସର୍ଜନଶୀଳତା ଏଥିରେ ଭରି ରହିଥାଏ । ସ୍ଥାନୀୟ ଜନସାଧାରଣ ଉତ୍ସବ ପାଳନରେ ନୂଆ ନୂଆ ଫର୍ଦ୍ଦ ଯୋଗ
କରିଥାନ୍ତି ।
No comments:
Post a Comment