ଠାକୁରାଣୀ ଯାତ୍ରା ଅବସରରେ
ପୂର୍ବ ମାନସିକ ଜନିତ କାରଣ ବା ସ୍ୱତଃପ୍ରବୃତ୍ତଭାବେ ଅନେକ ବ୍ୟକ୍ତି ବିଭିନ୍ନ ବେଶ ଧାରଣ କରିବା
ପରମ୍ପରା ଚଳିଆସିଛି । ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ମାନସିକ ଅନୁଯାୟୀ ଭକ୍ତ ବାଳ କାଟି ଲଣ୍ଡା
ହୋଇଥାନ୍ତି କିମ୍ୱା ବଳି ଦେଇଥାନ୍ତି । ତେବେ ଠାକୁରାଣୀ ଯାତ୍ରା ଅବସରରେ ରୋଗବ୍ୟାଧିରୁ ଉଦ୍ଧାର
ବା ସଙ୍କଟମୋଚନ ଆଶାରେ ମାନସିକ କରିଥିବା ବ୍ୟକ୍ତିବିଶେଷ ବିଭିନ୍ନ ବେଶଧାରଣ କରି ଏକ ଉତ୍ସବମୁଖର
ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଥାନ୍ତି । କେବଳ ପୁରୁଷମାନେ, ସାଧାରଣତଃ ବାଳକ ଓ
ଯୁବକମାନେ ବେଶ ଧାରଣରେ ଅଂଶଗ୍ରହଣ କରିଥାନ୍ତି ।
ବିଭିନ୍ନ ଲୋକଉତ୍ସବ
ଅବସରରେ ମୁଖ୍ୟତଃ ‘କାର୍ନିଭାଲ’ ଧରଣର ଯାତ୍ରାମାନଙ୍କରେ ପ୍ରାକ୍-ଐତିହାସିକ କାଳରୁ
ମନୁଷ୍ୟ ବିଭିନ୍ନ ପଶୁପକ୍ଷୀ ବା ବିଚିତ୍ର ଚରିତ୍ରର ବେଶ ଧାରଣ କରି ନୃତ୍ୟଗୀତରେ ଅଂଶଗ୍ରହଣ କରିବା
ଇତିହାସ ପୃଷ୍ଠାରେ ଲିପିବଦ୍ଧ । ବିଶ୍ୱର ବିଭିନ୍ନ ପ୍ରାନ୍ତର ଆଦିବାସୀମାନେ ବିଭିନ୍ନ ଧରଣର
ପଶୁପକ୍ଷୀଙ୍କ ବେଶ ପରିଧାନ କରି ନୃତ୍ୟଗୀତରେ ସାମିଲ ହୋଇଥାନ୍ତି । ଆଫ୍ରିକୀୟ ଓ ଲାଟିନ
ଆମେରିକୀୟ ଦେଶପୁଞ୍ଜରେ ଏହି ଧରଣର ଯାତ୍ରାଗୁଡ଼ିକ ପର୍ଯ୍ୟଟନ ଆକର୍ଷଣ ରୂପେ
ଆନ୍ତର୍ଜାତିକସ୍ତରରେ ପରିଗଣିତ ହୋଇଥାଏ ।
ଠାକୁରାଣୀ ଯାତ୍ରାରେ ପାରମ୍ପରିକଭାବେ ବାଘ, ଭାଲୁ,
ମାଙ୍କଡ଼ ଇତ୍ୟାଦି ଜୀବଜନ୍ତୁ ସାଙ୍ଗକୁ ଶିବ, କୃଷ୍ଣ, ବଳରାମ, ରାମଚନ୍ଦ୍ର, ଲକ୍ଷ୍ମଣ, ସୀତା,
ନାରଦ ଇତ୍ୟାଦି ପୌରାଣିକ ଚରିତ୍ର, ବାବାଜି, ଜ୍ୟୋତିଷ, ଡ଼ାହାଣି, ଦହିବାଲୀ, ଶୁଖୁଆବାଲୀ, ଅତର
ବିକ୍ରେତା, ଆଦିବାସୀ, ଫେରିବାଲା, ପୋଲିସ ଇତ୍ୟାଦି ସାମାଜିକ ଚରିତ୍ରଙ୍କ ଅନୁକରଣରେ ବେଶ
ପରିଧାନ କରାଯାଇଥାଏ । ପୁରୁଷମାନଙ୍କ ନାରୀବେଶ ଧାରଣ ଏକ କୌତୁହଳୋଦ୍ଦୀପକ ଦୃଶ୍ୟ ।
ଠାକୁରାଣୀ ଯାତ୍ରା ଅବସରରେ ପୂର୍ବମାନସିକ କାରଣରୁ
ସାଧାରଣତଃ କମ୍ ବୟସର ବାଳକଙ୍କ ଠାରୁ ଆରମ୍ଭ କରି ମଧ୍ୟ-ବୟସ୍କଙ୍କ ପର୍ଯ୍ୟନ୍ତ ପୁରୁଷମାନେ ବେଶ
ଧାରଣ କରିଥାନ୍ତି । ପୁରୁଣା ସହରରେ ଯେତେବେଳେ ଶିଶୁଟିଏ ସାଂଘାତିକଭାବେ ରୋଗରେ ପଡ଼େଚ଼ିକିତ୍ସା
ଅବସରରେ ତା’ର ମାଆ, ଗୋସାଇଁ ମା’ ବା ଆଈ ଏପରି କେହି ଜଣେ
ବଡ଼ ଠାକୁରାଣୀଙ୍କଠାରେ ସହଣିକ କରିବସନ୍ତି ଯେ ନିଜ ପୁଅ ବା ନାତି ରୋଗମୁକ୍ତ ହୋଇଗଲେ ଆସନ୍ତା
ଠାକୁରାଣୀ ଯାତ୍ରାରେ ବାବାଜୀ, କୃଷ୍ଣ ଅମକସମକ ବେଶ ଧାରଣ କରିବ । ପୁତ୍ର ସନ୍ତାନଟି ଆରୋଗ୍ୟଲାଭ
କରିଥାଏ ଏବଂ ପରବର୍ଷ ଠାକୁରାଣୀ ଯାତ୍ରା ଅବସରରେ ବେଶ ଧାରଣ କରେ ।
ଏକ ନିର୍ଦ୍ଦିଷ୍ଟ ଦିବସରେ
ବେଶ ଧାରଣ କରିବା ନିର୍ଦ୍ଧାରିତ ହେବା ପରେ ସେହିଦିନ ପୂର୍ବାହ୍ନରେ ବେଶ ଧାରଣ କରିବା ଶିଶୁ,
ଯୁବକ ବା ବ୍ୟକ୍ତିଜଣକ ପ୍ରଥମେ ବେଶଭୁଷାରେ ସଜ୍ଜିତ ହୋଇ ଦେଶୀବେହେରାସାହୀର ଅସ୍ଥାୟୀ ମନ୍ଦିରକୁ
ଯାଇଥାଏ । କେତେକ କ୍ଷେତ୍ରରେ ବେଶ ସହ ବାଦ୍ୟବାଦକ ସହଯୋଗିତା କରୁଥିବା ବେଳେ ଅନ୍ୟ କେତେକ
କ୍ଷେତ୍ରରେ ବାଦକମାନଙ୍କ ଆବଶ୍ୟକତା ନଥାଏ । ବେଶ ଧାରଣ କରିଥିବା ବ୍ୟକ୍ତି ଓ ବାଦକମାନେ
ଠାକୁରାଣୀଙ୍କ ଠାରେ ପୂଜା ଅର୍ଚ୍ଚନା ସାରି ସାହୀସାହୀ ବୁଲି ନିଜ ପରିଚିତ ପରିବାରବର୍ଗଙ୍କୁ
ସାକ୍ଷାତ କରିଥାନ୍ତି । ପ୍ରତ୍ୟେକେ ବେଶ ଧାରଣ କରିଥିବା ବ୍ୟକ୍ତିଙ୍କୁ କିଛି ଅର୍ଥ ଉପହାର
ସ୍ୱରୂପ ଦେଇଥାନ୍ତି । ଏହି ଅର୍ଥର ପରିମାଣ ସାଧାରଣତଃ ବେଶ ଧାରଣ କରିଥିବା ବ୍ୟକ୍ତିର
ଅର୍ଥନୀତିକ ଓ ସାମାଜିକ ପ୍ରତିପତ୍ତି ଉପରେ ନିର୍ଭରଶୀଳ । ବସ୍ତୀ ଭ୍ରମଣ ପରେ ବେଶ ଧାରଣ
କରିଥିବା ବ୍ୟକ୍ତି ପୁନର୍ବାର ଠାକୁରାଣୀଙ୍କ ଦର୍ଶନ କରି ବେଶ ଉତୁରାଇଥାଏ ।
ଠାକୁରାଣୀ ଯାତ୍ରା ଅବସରରେ
ଅତୀତରେ ବେଶ ଧାରଣ କ୍ଷେତ୍ରରେ ଅଧିକ ବିବିଧତା ଦେଖିବାକୁ ମିଳୁଥିଲା । କାଳକ୍ରମେ ବେଶର ବିସ୍ତୃତି କ୍ରମଶଃ ସଙ୍କୁଚିତ
ହୋଇପଡ଼ିଛି । ପୂର୍ବେ ଯେଉଁ ବେଶଗୁଡ଼ିକ ବହୁ ପରିମାଣରେ ବାହାରୁଥିଲା, ଆଜି ବହୁତ କମ୍ ସଂଖ୍ୟକ
ବ୍ୟକ୍ତି ସେହିଭିଳି ବେଶ ଧାରଣ କରୁଛନ୍ତି ।
ଉଦାହରଣସ୍ୱରୂପ‘ଛତା ନାଟ’ କଥା ଧରାଯାଉ । ଏହି ଲୋକନୃତ୍ୟ ପ୍ରଭାବିତ ବେଶରେ ଚାରି
ଛଅ ଜଣ ମଧ୍ୟବୟସ୍କ ବ୍ୟକ୍ତି ହାତରେ ଛତା ଧରି କଳା ଚ଼ଷମା ଓ ପଗଡ଼ି ପିନ୍ଧି ଅନ୍ତତଃ ଦୁଇଗୋଟି
ଚ଼ାଙ୍ଗୁ ବାଦ୍ୟର ତାଳେ ତାଳେ ନାଚିଥାନ୍ତି । ବର୍ତ୍ତମାନ କାଁଭାଁଛତାନାଟ ଦେଖିବାକୁ ମିଳୁଛି ।
ସେହିପରି ଛୋଡ଼ଗାଜିଆ ବେଶ ସହରସାରା ଭରି ଯାଉଥିଲା । ଦେହସାରାଅଙ୍ଗାରକଳା ବୋଳି ସେଥିରେ ଖଡ଼ି
ଧଳା ଛିଟମାନ ମାରି ଅଖା ଖଣ୍ଡେ ଗୁଡ଼ାଇ ହୋଇ ପଥର ଖଣ୍ଡେ ଆଉ ଭିକ୍ଷା ହାଣ୍ଡିଟିଏ ଧରି
ସାହୀସାହୀରେବେଶଧାରୀ କମ୍ ବୟସର ବାଳକମାନେ ଆସି ପହଞ୍ଚୁଥିଲେ । ବୁଲା କୁକୁରମାନେ ଏଭଳି ଅଦ୍ଭୂତ
ଜୀବଟିଏ ଦେଖି ଭୁକି ଉଠୁଥିଲେ । ଆଜି ଛୋଡ଼ଗାଜିଆ ବେଶ ବହୁତ କମ୍ ଦେଖିବାକୁ ମିଳୁଛି । ବେଶ
ଧାରଣରେ ବିଚିତ୍ରତା କ୍ରମଶଃ କମିଆସୁଛି ।
ଠାକୁରାଣୀ ଯାତ୍ରା ପାଳନର ଶେଷ ସପ୍ତାହଟି ବ୍ରହ୍ମପୁର
ସହର ଉତ୍ସବମୁଖର ହୋଇଉଠେ । ଚୈତ୍ର ମାସର ଉଦୁଉଦିଆ ଖରା ବେଳ । ରାସ୍ତାରେ ଦେଖିବେ ତ ହନୁମାନଟିଏ
ମୋବାଇଲ ଫୋନରେ ଗପି ଚାଲିଛି ବା କୃଷ୍ଣ ବଳରାମ ବେଶଧାରୀଦୁଇଭାଇ ମଟରସାଇକେଲ ଚଢ଼ି ଚାଲିଛନ୍ତି ।
ହଠାତ୍ ବାଦ୍ୟ ବାଜି ଉଠେ । ବାଘଟିଏ ଦୌଡ଼ିଆସେ ବା ଡ଼ାହାଣୀଟିଏ ନାଚି ଉଠେ । ଏକ ଉଦ୍ଭୂତ‘ସରରିଆଲିଜିମ୍’ ଦୃଶ୍ୟାବଳୀରେ ସହର ଭରି ଉଠେ ।
No comments:
Post a Comment