ବ୍ରହ୍ମପୁର ବଡ଼ ଠାକୁରାଣୀଙ୍କ ସମେତ ଅନ୍ୟାନ୍ୟ ଠାକୁରାଣୀ ମନ୍ଦିରରେ ଭଣ୍ଡାରି ସଂପ୍ରଦାୟ
ପୂଜକ । ବଡ଼ ଠାକୁରାଣୀ ମନ୍ଦିରର ପୂଜକମାନେ ଠାକୁରାଣୀ ଯାତ୍ରା ପାଳନ ଅବସରରେ ମୁଖ୍ୟ ଭୂମିକା
ଗ୍ରହଣ କରନ୍ତି । ଏମାନଙ୍କ ସହ ହରିଡ଼ାଖଣ୍ଡି, ଆମ୍ୱପୁଆ, ପିତ୍ତଳର ଠାକୁରାଣୀ ସେବକମାନେ ମଧ୍ୟ
ପାରମ୍ପରିକଭାବେ ଠାକୁରାଣୀ ଯାତ୍ରା ସମୟରେ ପୂଜାବିଧାନ ଯୋଗ ଦେଇଥାନ୍ତି । ଅବଶ୍ୟ ଯାତ୍ରା
ଅବସରରେ ଠାକୁରାଣୀଙ୍କ ନିକଟରେ ସହସ୍ର କୁଙ୍କୁମ ପୂଜା, ହୋମ ଓ ରାଜଭୋଗ ବ୍ରାହ୍ମଣ ପୁରୋହିତଙ୍କ
ଦ୍ୱାରା ସମ୍ପନ୍ନ ହୋଇଥାଏ ।
ଯାତ୍ରାରେ ଠାକୁରାଣୀଙ୍କ ଅସ୍ଥାୟୀ ଗର୍ଭ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପାଇଁ ପୂଜକ
ଦଳମାନଙ୍କୁ ପ୍ରତ୍ୟହ ନିଲାମର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯେଉଁ ଦିନ ଯେଉଁ ପୂଜକ ଦଳ ପୂଜା
କମିଟି ନିକଟରେ ଅଧିକ ଅର୍ଥ ଜମାଦେବା ନିମନ୍ତେ ପ୍ରତିଶ୍ତୁତିବଦ୍ଧ ହୁଅନ୍ତି, ସେହି ପୂଜକ ଦଳ
ସେହିଦିନ ପାଇଁ ଗର୍ଭମନ୍ଦିରରେ ପୂଜା ଅର୍ଚ୍ଚନା ତଥା ଭକ୍ତମାନଙ୍କଠାରୁ ଦକ୍ଷିଣା ଆଦାୟ କରନ୍ତି
। ତେବେ ଗର୍ଭ ମନ୍ଦିର ବାହାରେ ତଥା ସନ୍ଧ୍ୟାରେ ସାହୀ ପରିକ୍ରମା ସମୟରେ ସମସ୍ତ ପୂଜକ ପୂଜା
ଅର୍ଚ୍ଚନା ତଥା ଦକ୍ଷିଣା ଗ୍ରହଣ କରିପାରନ୍ତି ।
ଠାକୁରାଣୀ ଯାତ୍ରା ଅବସରରେ ବଳି ପ୍ରଥାର ପ୍ରଚଳନ ନାହିଁ । ସକାଳ ଆଠଟା ବେଳେ ବାଳଭୋଗ
ଦହିଅନ୍ନ ଭୋଗହେବା ବେଳେ ମଧ୍ୟାହ୍ନ ଗୋଟାଏ ଓ ରାତି ଦଶରେ ରାଜଭୋଗରେ ଅନ୍ନ ତଥା ଅନ୍ୟାନ୍ୟ
ବ୍ୟଞ୍ଜନଭୋଗ ହୋଇଥାଏ । ସନ୍ଧ୍ୟାଭୋଗ ସାଧାରଣତଃ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ ।
ବିଭିନ୍ନ ପ୍ରକାର ମିଷ୍ଟାନ୍ନ ସନ୍ଧ୍ୟାଭୋଗରୂପେ ବ୍ୟବହୃତ ହୋଇଥାଏ ।
ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ବଂଶାନୁକ୍ରମିକ ଭାବେ ଦେଶୀବେହେରା ପରିବାରଙ୍କ ଦ୍ୱାରା
ଆୟୋଜିତ ହୋଇଆସୁଛି । କାଳକ୍ରମେ ଯାତ୍ରା ଆୟୋଜନ ଓ ଅର୍ଥ ଉପାର୍ଜନ ଦୁଇଗୋଟି ଅନୁରୂପକ
ସଂଜ୍ଞାରୂପେ ପରିଣତ ହୋଇଛି । ଦେଶୀବେହେରାଙ୍କ ପରିବାର ପକ୍ଷରୁ ଅସ୍ଥାୟୀ ମନ୍ଦିର ଖଣ୍ଡିକ
ନିର୍ମିତ ହୁଏ । ଦେଶୀବେହେରା ସାହୀର ବ୍ୟବସାୟୀ ତଥା ପରିବହନ ଶ୍ରମିକମାନେ ଚାନ୍ଦାଭେଦା କରି
ବଡ଼ ଛାମୁଣ୍ଡିଆ ଓ ଆଲୋକ ସଜ୍ଜାର ବ୍ୟବସ୍ଥା କରନ୍ତି । ବିଭିନ୍ନ ବସ୍ତୀରେ ରଥ ଓ କଳାକୁଞ୍ଜ
ମୁଖ୍ୟତଃ ସେଠାକାର ବାସିନ୍ଦାଙ୍କ ଦାନରେ ଗଢ଼ି ଉଠେ । ଦେଶୀବେହେରାଙ୍କ ପକ୍ଷରୁ ନାମକୁ ମାତ୍ର
କିଛି ଅର୍ଥ ଏହି ବାବଦରେ ଖର୍ଚ୍ଚ ହୁଏ । ଅର୍ଥ ଉପାର୍ଜନକୁ କେନ୍ଦ୍ର କରି ଅତୀତରେ ଯାତ୍ରା
ଆୟୋଜକ ପରିବାର ସଦସ୍ୟଙ୍କ ମଧ୍ୟରେ ମତାନ୍ତର ଘଟିବା ଏବଂ ମାମଲା କୋର୍ଟ କଚେରୀ ଦୁଆର ମାଡ଼ିବାର
ଉଦାହରଣ ମଧ୍ୟ ଅଭାବ ନାହିଁ । ତେବେ ବିଗତ କିଛି ବର୍ଷରୁ ପାରିବାରିକ କଳହ ଏକ ରକମ ବନ୍ଦ ରହିଛି
।
No comments:
Post a Comment