Monday, April 8, 2019

ଠାକୁରାଣୀଙ୍କ ସାହୀ ପରିକ୍ରମା


ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ବିଶେଷତ୍ୱ ଏହି ଯେ, ଏହା କୌଣସି ଗୋଟିଏ ଦିନ ଦର୍ଶନାଭିଳାଷୀଙ୍କୁ ଏକତ୍ରୀତ ନକରି ଦୀର୍ଘ ଦିନ ଧରି ଯାତ୍ରୀମାନଙ୍କୁ ଆକର୍ଷିତ କରିଥାଏ । ବିଭିନ୍ନ ରଥ ଓ କଳାକୁଞ୍ଜ ନିର୍ମିତ ହେବା ପରେ ଯାତ୍ରାର ଶେଷ ସପ୍ତାହରେ ଅଧିକ ଲୋକଗହଳି ହୋଇଥାଏ ଏବଂ ଶେଷ ଦିବସରେ ସର୍ବାଧିକ ଜନସମାଗମ ହୋଇଥାଏ । ତେବେ ଯାତ୍ରା ଆରମ୍ଭରୁ ଯାତ୍ରୀଙ୍କ ଭିଡ଼ ଲାଗି ରହିଥାଏ ।

ଠିକ୍ ସେହିପରି ପ୍ରତିଦିନର କାର୍ଯ୍ୟସୂଚ଼ୀକୁ ନିରେଖି ଦେଖିଲେ ଜଣାଯାଏ ଯେ, ଦିନର ବିଭିନ୍ନ ସମୟରେ ବିଭିନ୍ନ ଶ୍ରେଣୀର ଭକ୍ତ ଅସ୍ଥାୟୀ ମନ୍ଦିର ପରିଦର୍ଶନ କରି ପୂଜାଅର୍ଚ୍ଚନା କରିଥାନ୍ତି । ମଧ୍ୟାହ୍ନରେ ଅପେକ୍ଷାକୃତ କମ୍ ଲୋକଗହଳି ରହୁଥିବା ହେତୁ ବୃଦ୍ଧ-ବୃଦ୍ଧା ବା ଗହଳି ପସନ୍ଦ କରୁନଥିବା ଲୋକେ ଦର୍ଶନରେ ଯାଇଥାନ୍ତି । ଏହି ସମୟରେ ଅସ୍ଥାୟୀ ମନ୍ଦିରରେ ୫୦ ରୁ ୧୦୦ ଭକ୍ତଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ପ୍ରଭାତରୁ ସକାଳ ୯ ଘଣ୍ଟା ଯାଏଁ ଏବଂ ଅପରାହ୍ନ ୪ ଘଣ୍ଟା ପରେ ଲୋକଗହଳି ବଢ଼ିଯାଏ । ସନ୍ଧ୍ୟାରେ ଦର୍ଶନ ଲାଗି ଯାଉଥିବା ଭକ୍ତ ସାଧାରଣତଃ ରାତିରେ ଘଟ ସାହୀ ପରିକ୍ରମା କାର୍ଯ୍ୟ ଦେଖିବା ପାଇଁ ଅପେକ୍ଷା କରି ରହୁଥିବା ହେତୁ ଛଅରୁ ନଅଘଣ୍ଟା ଯାଏଁ ଦେଶୀବେହେରା ସାହୀ ସର୍ବାଧିକ ଲୋକାରଣ୍ୟ ହୋଇପଡ଼େ ।

ପ୍ରତିଦିନ ସନ୍ଧ୍ୟାରେ ଠାକୁରାଣୀଙ୍କ ସାହୀ ପରିକ୍ରମାବେଳେ ଅତୀତରେ ସହରର ବିଶିଷ୍ଟ ବ୍ୟକ୍ତିମାନେ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ଜଣାଯାଏ । କ୍ରମଶଃ ସେହି ପରମ୍ପରା ଲୋପ ପାଇଛି । ସାହୀ ପରିକ୍ରମା ବେଳେ ମହୁରି ରାଜାଙ୍କ ବାଦ୍ୟବାଦକ ଦଳ ଅଂଶଗ୍ରହଣ କରୁଥିଲେ । ବର୍ତ୍ତମାନ ତାହାର ସ୍ମୃତିରେ ଯାତ୍ରାର ଶେଷ କିଛି ଦିବସରେ ଏକ ସ୍ୱେଚ୍ଛାସେବକ ବାଦ୍ୟବାଦକ ଦଳ ଶୋଭାଯାତ୍ରାରେ ଭାଗ ନିଅନ୍ତି ।

ଠାକୁରାଣୀଙ୍କ ସାହୀ ପରିକ୍ରମା ପ୍ରକାଶମ ହଲ୍ ନିକଟସ୍ଥ କାମ୍ପ ସାହୀ ପର୍ଯ୍ୟନ୍ତ ଆସିଥାଏ । ଏଥିରୁ ଅନୁମାନ କରାଯାଏ ଯେ, ଜାକଜମକରେ ଠାକୁରାଣୀ ଯାତ୍ରା ପାଳନ ବେଳକୁ ବ୍ରହ୍ମପୁରର ପରିସୀମା କାମ୍ପ ସାହୀ ପର୍ଯ୍ୟନ୍ତ ହିଁ ସୀମିତ ରହିଥିଲା । ଯାତ୍ରା ଶେଷଦିନ ଘଟ ଶୋଭାଯାତ୍ରାରେ କାମ୍ପ ସାହୀର ଜଣେବ୍ୟକ୍ତି ବରକୋଳି ଡ଼ାଳରେ ଛାଞ୍ଚୁଣି, କୁଲା, କୁକୁଡ଼ା ଇତ୍ୟାଦି ବାନ୍ଧି ଯୋଗ ଦିଏ । ଏହି ପ୍ରଥା ପାରମ୍ପରିକ ଭାବେ ପାଳିତ ହୋଇଆସୁଛି ।

ଠାକୁରାଣୀ ଯାତ୍ରା ଅବସରରେ ସାରା ବ୍ରହ୍ମପୁର ଉତ୍ସବମୁଖର ହୋଇପଡ଼େ । ଠାକୁରାଣୀଙ୍କ ଅସ୍ଥାୟୀ ମନ୍ଦିର ବଡ଼ବଜାର ଦେଶୀବେହେରା ସାହୀରେ ପ୍ରତିଷ୍ଠିତ ହେଉଥିଲେ ହେଁ ପ୍ରତ୍ୟେହ ସନ୍ଧ୍ୟାରେ ଠାକୁରାଣୀଙ୍କ ସାହୀ ପରିକ୍ରମା ପୂଜାଅର୍ଚ୍ଚନାର ପରିସରକୁ ପରିବ୍ୟାପ୍ତ କରିଥାଏ । ଅପରପକ୍ଷରେ ମାନସିକ ବେଶଧାରୀମାନେ ସହରର ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଥିବା ହେତୁ ଦିନରାତି ଗହଳଚ଼ହଳ ଓ ବାଜାବାଜଣା ଲାଗି ରହିଥାଏ । ମୁଖ୍ୟତଃ ଯାତ୍ରା ପାଳନର ଶେଷ ସପ୍ତାହରେ ପୁରୁଣା ବ୍ରହ୍ମପୁର ଅଞ୍ଚଳଟି ବେଶଧାରୀଙ୍କ ଗହଣରେ ଉତ୍ସବମୁଖର ହୋଇଉଠେ ।

No comments: