ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସହ ମହୁରି ରାଜ ପରିବାରଙ୍କ
ସମ୍ପର୍କ ରହିଆସିଛି । ପ୍ରତିଦିନ ସନ୍ଧ୍ୟାରେ ସାହୀ ପରିକ୍ରମାବେଳେ ଘଟ ପ୍ରଥମେ ମହୁରି
ରାଜଉଆସକୁ ଆସିଥାଏ ଏବଂ ତତ୍ପରେ ଅନ୍ୟତ୍ର ଯାଏ । ରାଜ ପରିବାରଙ୍କ ପକ୍ଷରୁ ଘଟ ପୂଜା ଅର୍ଚ୍ଚନା
କରାଯାଇଥାଏ । ମହୁରି ରାଜପରିବାରଙ୍କ ଦୟାରୁ ଠାକୁରାଣୀ ଯାତ୍ରା ଆୟୋଜକ ‘ଦେବାଙ୍ଗ’ ବୁଣାକର ସଂପ୍ରଦାୟ ଆନ୍ଧ୍ର ପ୍ରଦେଶରୁ ବ୍ରହ୍ମପୁର ଆସି
ପହଞ୍ଚିଥିବା ତଥା ରାଜନଅର ଆଖପାଖ ଅଞ୍ଚଳର ବସତି ସ୍ଥାପନ କରିଥିବା ଏବଂ ଦୀର୍ଘ ସମୟ ଧରି
ପ୍ରଜାରୂପେ ପ୍ରତିପାଳିତ ହୋଇଥିବା ହେତୁ ଯାତ୍ରା ପାଳନ ଅବସରରେ ସେମାନଙ୍କ ପ୍ରଭୁଭକ୍ତି
ସ୍ୱାଭାବିକ । ଅପର ପକ୍ଷରେ ଏହି ଅଞ୍ଚଳର ପ୍ରଜାମାନେ ମଧ୍ୟ ନିଜ ରାଜାଙ୍କ ନିକଟରେ ଅନୁଗତ୍ୟ
ସ୍ୱୀକାର କରୁଥିଲେ ।
ବଡ଼ବଜାରସ୍ଥିତ ମହୁରି ରାଜ ଉଆସରେ ବର୍ତ୍ତମାନ ରାଜପରିବାର ବସବାସ କରୁନାହାନ୍ତି । ତାହା
ଦୋକାନ ବଜାରରେ ପରିଣତ ହୋଇଗଲାଣି । ତେବେ ରଥଯାତ୍ରା, ଠାକୁରାଣୀ ଯାତ୍ରା ଇଦ୍ୟାଦିର ପାରମ୍ପରିକ
ବିଧିବିଧାନ ପରିଚାଳନା ପାଇଁ କିଛି ଅଂଶ ରାଜ ପରିବାରର ମାଲିକାନାରେ ରହିଛି । ଏହି ରାଜଉଆସ ୧୬୬୨
ରୁ ୧୬୭୨ ମସିହା ମଧ୍ୟରେ ନିର୍ମିତ ହୋଇଥିବା ପ୍ରମାଣ ମିଳିଥାଏ ।
ବର୍ତ୍ତମାନ ବ୍ରହ୍ମପୁରର ପଶ୍ଚିମ ଦିଗରେ ପ୍ରାୟ ୧୨ କିଲୋମିଟର ଦୂରରେ ମହୁଡ଼ା ଚିକିଟି
ରାସ୍ତାରେ ଟାମଣା ଗ୍ରାମ ନିକଟରେ ରାସ୍ତାରୁ ଓହ୍ଲାଇ କେରାଣ୍ଡିମାଳ ପର୍ବତ ପାଦଦେଶକୁ ଗଲେ
ପ୍ରାୟ ଦେଢ଼ କିଲୋମିଟର ପାଦଚଲା ରାସ୍ତା ପରେ ମହୁରି କିଲ୍ଲାର ଭଗ୍ନାବଶେଷ ଦେଖିବାକୁ ମିଳିଥାଏ
। ରାଜ ପ୍ରାସାଦର କୌଣସି ଚିହ୍ନବର୍ଣ୍ଣ ନଥିଲେ ସୁଦ୍ଧା ତିନିଗୋଟି ମନ୍ଦିରର ଭଗ୍ନାବଶେଷ ମହୁରି
କିଲ୍ଲାର ମୂଳସାକ୍ଷୀରୂପେ ଆଜି ସୁଦ୍ଧା ଠିଆ ହୋଇଛି ।
୧୮୩୫ ମସିହାରେ ମହୁରି ରାଜା ବ୍ରିଟିଶ ସରକାରଙ୍କୁ ସଲାମି କର ନ ଦେଇପାରିବା ହେତୁ
ବ୍ରହ୍ମପୁର ସହରକୁ ଉକ୍ତ ସଲାମି ବକେୟା ଅର୍ଥ ବଦଳରେ ରାଜାଙ୍କଠାରୁ ଇଂରେଜ ସରକାର କିଣି ନେଲେ ।
୧୮୫୦ ମସିହାରେ ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟକୁ ଇଂରେଜ ସରକାର ବାଜ୍ୟାପ୍ତ କରି
ଶାସନଭାର ନିଜ ଅଧୀନକୁ ନେଲେ । ଫଳରେ ଏଠାରେ ସରକାରୀ କୋର୍ଟ କଚେରୀ ସ୍ଥାପନ ସାଙ୍ଗକୁ ଦକ୍ଷିଣ
ଓଡ଼ିଶାର ଜଙ୍ଗଲଜାତ ଦ୍ରବ୍ୟ ସମୂହ ରପ୍ତାନୀ ଲାଗି ଏକ ବ୍ୟବସାୟ ପେଣ୍ଠ ଗଢ଼ିଉଠିଲା । ଏହି
ପରିପ୍ରେକ୍ଷୀରେ ମହୁରି ରାଜ ପରିବାର ବଡ଼ବଜାର ଉଆସରେ ହିଁ ରହିଲେ । ସହରର ସାମ୍ୱାଦିକତା,
ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରାକ୍-ସ୍ୱାଧୀନତା କାଳରେ ମହୁରି ରାଜ ପରିବାର ପ୍ରମୁଖ
ଭୂମିକା ଗ୍ରହଣ କରୁଥିଲେ । ମହୁରି ରାଜ ଉଆସଠାରେ ପ୍ରତିଷ୍ଠିତ ରୟାଲ୍ ପ୍ରେସରୁ ‘ନବୀନ’ ନାମରେ ଏକ ସାପ୍ତାହିକ ପତ୍ରିକା ନିୟମିତ ପ୍ରକାଶିତ
ହେଉଥିଲା । ସେ ସମୟର ଓଡ଼ିଶାର ସମସ୍ତ ପ୍ରତିଷ୍ଠିତ ସାହିତ୍ୟିକ ‘ନବୀନ’ ପୃଷ୍ଠାରେ ହିଁ ଲେଖାଲେଖି ଆରମ୍ଭ କରିଥିଲେ ।
ପରବର୍ତ୍ତୀ ଅବସ୍ଥାରେ ‘ନବୀନ’ର ସ୍ୱତ୍ତ୍ୱାଧିକାର ପରିବର୍ତ୍ତନ ହୋଇଛି ।
ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁର ରାଜନୀତି କ୍ଷେତ୍ରରେ ମହୁରି ରାଜପରିବାରର ଯୋଗଦାନ
ରହିଥିଲା । ବ୍ରହ୍ମପୁର ବିଧାନସଭା ଆସନରେ ୧୯୬୧ରେ ରାଜା ଶିଶିର କୁମାର ନରେନ୍ଦ୍ର ଦେବ
(କଂଗ୍ରେସ) ଓ ୧୯୭୭ରେ ରାଣୀ ରତ୍ନମଞ୍ଜରୀ ଦେବୀ (ସ୍ୱାଧୀନ) ବିଧାୟକ ଭାବେ ନିର୍ବାଚ଼ିତ
ହୋଇଥିଲେ । ବ୍ରହ୍ମପୁର ପୌରପାଳିକାର ନଗରପାଳଭାବେ ରାଜପରିବାରର ପ୍ରଭାତକିରଣ ଦେବ ମଧ୍ୟ
ଅବସ୍ଥାପିତ ହୋଇଥିଲେ ।
ବ୍ରହ୍ମପୁର ପାରମ୍ପରିକ ରଥଯାତ୍ରା ଓ ଠାକୁରାଣୀ ଯାତ୍ରା ଅବସରରେ ମହୁରି ରାଜପରିବାର
ଉପସ୍ଥିତି ଆଜି କେବଳ ଇତିହାସର ସାକ୍ଷ୍ୟ ପ୍ରଦାନ କରିଥାଏ ।
No comments:
Post a Comment