Sunday, April 7, 2019

ବଡ଼ ଠାକୁରାଣୀ ମନ୍ଦିର ପୂଜକ


ବ୍ରହ୍ମପୁର ବଡ଼ ଠାକୁରାଣୀଙ୍କ ସମେତ ଅନ୍ୟାନ୍ୟ ଠାକୁରାଣୀ ମନ୍ଦିରରେ ଭଣ୍ଡାରି ସଂପ୍ରଦାୟ ପୂଜକ । ବଡ଼ ଠାକୁରାଣୀ ମନ୍ଦିରର ପୂଜକମାନେ ଠାକୁରାଣୀ ଯାତ୍ରା ପାଳନ ଅବସରରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ଏମାନଙ୍କ ସହ ହରିଡ଼ାଖଣ୍ଡି, ଆମ୍ୱପୁଆ, ପିତ୍ତଳର ଠାକୁରାଣୀ ସେବକମାନେ ମଧ୍ୟ ପାରମ୍ପରିକଭାବେ ଠାକୁରାଣୀ ଯାତ୍ରା ସମୟରେ ପୂଜାବିଧାନ ଯୋଗ ଦେଇଥାନ୍ତି । ଅବଶ୍ୟ ଯାତ୍ରା ଅବସରରେ ଠାକୁରାଣୀଙ୍କ ନିକଟରେ ସହସ୍ର କୁଙ୍କୁମ ପୂଜା, ହୋମ ଓ ରାଜଭୋଗ ବ୍ରାହ୍ମଣ ପୁରୋହିତଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ ।

ଯାତ୍ରାରେ ଠାକୁରାଣୀଙ୍କ ଅସ୍ଥାୟୀ ଗର୍ଭ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପାଇଁ ପୂଜକ ଦଳମାନଙ୍କୁ ପ୍ରତ୍ୟହ ନିଲାମର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯେଉଁ ଦିନ ଯେଉଁ ପୂଜକ ଦଳ ପୂଜା କମିଟି ନିକଟରେ ଅଧିକ ଅର୍ଥ ଜମାଦେବା ନିମନ୍ତେ ପ୍ରତିଶ୍ତୁତିବଦ୍ଧ ହୁଅନ୍ତି, ସେହି ପୂଜକ ଦଳ ସେହିଦିନ ପାଇଁ ଗର୍ଭମନ୍ଦିରରେ ପୂଜା ଅର୍ଚ୍ଚନା ତଥା ଭକ୍ତମାନଙ୍କଠାରୁ ଦକ୍ଷିଣା ଆଦାୟ କରନ୍ତି । ତେବେ ଗର୍ଭ ମନ୍ଦିର ବାହାରେ ତଥା ସନ୍ଧ୍ୟାରେ ସାହୀ ପରିକ୍ରମା ସମୟରେ ସମସ୍ତ ପୂଜକ ପୂଜା ଅର୍ଚ୍ଚନା ତଥା ଦକ୍ଷିଣା ଗ୍ରହଣ କରିପାରନ୍ତି ।

ଠାକୁରାଣୀ ଯାତ୍ରା ଅବସରରେ ବଳି ପ୍ରଥାର ପ୍ରଚଳନ ନାହିଁ । ସକାଳ ଆଠଟା ବେଳେ ବାଳଭୋଗ ଦହିଅନ୍ନ ଭୋଗହେବା ବେଳେ ମଧ୍ୟାହ୍ନ ଗୋଟାଏ ଓ ରାତି ଦଶରେ ରାଜଭୋଗରେ ଅନ୍ନ ତଥା ଅନ୍ୟାନ୍ୟ ବ୍ୟଞ୍ଜନଭୋଗ ହୋଇଥାଏ । ସନ୍ଧ୍ୟାଭୋଗ ସାଧାରଣତଃ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ । ବିଭିନ୍ନ ପ୍ରକାର ମିଷ୍ଟାନ୍ନ ସନ୍ଧ୍ୟାଭୋଗରୂପେ ବ୍ୟବହୃତ ହୋଇଥାଏ ।

ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ବଂଶାନୁକ୍ରମିକ ଭାବେ ଦେଶୀବେହେରା ପରିବାରଙ୍କ ଦ୍ୱାରା ଆୟୋଜିତ ହୋଇଆସୁଛି । କାଳକ୍ରମେ ଯାତ୍ରା ଆୟୋଜନ ଓ ଅର୍ଥ ଉପାର୍ଜନ ଦୁଇଗୋଟି ଅନୁରୂପକ ସଂଜ୍ଞାରୂପେ ପରିଣତ ହୋଇଛି । ଦେଶୀବେହେରାଙ୍କ ପରିବାର ପକ୍ଷରୁ ଅସ୍ଥାୟୀ ମନ୍ଦିର ଖଣ୍ଡିକ ନିର୍ମିତ ହୁଏ । ଦେଶୀବେହେରା ସାହୀର ବ୍ୟବସାୟୀ ତଥା ପରିବହନ ଶ୍ରମିକମାନେ ଚାନ୍ଦାଭେଦା କରି ବଡ଼ ଛାମୁଣ୍ଡିଆ ଓ ଆଲୋକ ସଜ୍ଜାର ବ୍ୟବସ୍ଥା କରନ୍ତି । ବିଭିନ୍ନ ବସ୍ତୀରେ ରଥ ଓ କଳାକୁଞ୍ଜ ମୁଖ୍ୟତଃ ସେଠାକାର ବାସିନ୍ଦାଙ୍କ ଦାନରେ ଗଢ଼ି ଉଠେ । ଦେଶୀବେହେରାଙ୍କ ପକ୍ଷରୁ ନାମକୁ ମାତ୍ର କିଛି ଅର୍ଥ ଏହି ବାବଦରେ ଖର୍ଚ୍ଚ ହୁଏ । ଅର୍ଥ ଉପାର୍ଜନକୁ କେନ୍ଦ୍ର କରି ଅତୀତରେ ଯାତ୍ରା ଆୟୋଜକ ପରିବାର ସଦସ୍ୟଙ୍କ ମଧ୍ୟରେ ମତାନ୍ତର ଘଟିବା ଏବଂ ମାମଲା କୋର୍ଟ କଚେରୀ ଦୁଆର ମାଡ଼ିବାର ଉଦାହରଣ ମଧ୍ୟ ଅଭାବ ନାହିଁ । ତେବେ ବିଗତ କିଛି ବର୍ଷରୁ ପାରିବାରିକ କଳହ ଏକ ରକମ ବନ୍ଦ ରହିଛି ।

Saturday, April 6, 2019

ମହୁରି ରାଜପରିବାର


ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସହ ମହୁରି ରାଜ ପରିବାରଙ୍କ ସମ୍ପର୍କ ରହିଆସିଛି । ପ୍ରତିଦିନ ସନ୍ଧ୍ୟାରେ ସାହୀ ପରିକ୍ରମାବେଳେ ଘଟ ପ୍ରଥମେ ମହୁରି ରାଜଉଆସକୁ ଆସିଥାଏ ଏବଂ ତତ୍ପରେ ଅନ୍ୟତ୍ର ଯାଏ । ରାଜ ପରିବାରଙ୍କ ପକ୍ଷରୁ ଘଟ ପୂଜା ଅର୍ଚ୍ଚନା କରାଯାଇଥାଏ । ମହୁରି ରାଜପରିବାରଙ୍କ ଦୟାରୁ ଠାକୁରାଣୀ ଯାତ୍ରା ଆୟୋଜକ ଦେବାଙ୍ଗ ବୁଣାକର ସଂପ୍ରଦାୟ ଆନ୍ଧ୍ର ପ୍ରଦେଶରୁ ବ୍ରହ୍ମପୁର ଆସି ପହଞ୍ଚିଥିବା ତଥା ରାଜନଅର ଆଖପାଖ ଅଞ୍ଚଳର ବସତି ସ୍ଥାପନ କରିଥିବା ଏବଂ ଦୀର୍ଘ ସମୟ ଧରି ପ୍ରଜାରୂପେ ପ୍ରତିପାଳିତ ହୋଇଥିବା ହେତୁ ଯାତ୍ରା ପାଳନ ଅବସରରେ ସେମାନଙ୍କ ପ୍ରଭୁଭକ୍ତି ସ୍ୱାଭାବିକ । ଅପର ପକ୍ଷରେ ଏହି ଅଞ୍ଚଳର ପ୍ରଜାମାନେ ମଧ୍ୟ ନିଜ ରାଜାଙ୍କ ନିକଟରେ ଅନୁଗତ୍ୟ ସ୍ୱୀକାର କରୁଥିଲେ ।

ବଡ଼ବଜାରସ୍ଥିତ ମହୁରି ରାଜ ଉଆସରେ ବର୍ତ୍ତମାନ ରାଜପରିବାର ବସବାସ କରୁନାହାନ୍ତି । ତାହା ଦୋକାନ ବଜାରରେ ପରିଣତ ହୋଇଗଲାଣି । ତେବେ ରଥଯାତ୍ରା, ଠାକୁରାଣୀ ଯାତ୍ରା ଇଦ୍ୟାଦିର ପାରମ୍ପରିକ ବିଧିବିଧାନ ପରିଚାଳନା ପାଇଁ କିଛି ଅଂଶ ରାଜ ପରିବାରର ମାଲିକାନାରେ ରହିଛି । ଏହି ରାଜଉଆସ ୧୬୬୨ ରୁ ୧୬୭୨ ମସିହା ମଧ୍ୟରେ ନିର୍ମିତ ହୋଇଥିବା ପ୍ରମାଣ ମିଳିଥାଏ ।

ବର୍ତ୍ତମାନ ବ୍ରହ୍ମପୁରର ପଶ୍ଚିମ ଦିଗରେ ପ୍ରାୟ ୧୨ କିଲୋମିଟର ଦୂରରେ ମହୁଡ଼ା ଚିକିଟି ରାସ୍ତାରେ ଟାମଣା ଗ୍ରାମ ନିକଟରେ ରାସ୍ତାରୁ ଓହ୍ଲାଇ କେରାଣ୍ଡିମାଳ ପର୍ବତ ପାଦଦେଶକୁ ଗଲେ ପ୍ରାୟ ଦେଢ଼ କିଲୋମିଟର ପାଦଚଲା ରାସ୍ତା ପରେ ମହୁରି କିଲ୍ଲାର ଭଗ୍ନାବଶେଷ ଦେଖିବାକୁ ମିଳିଥାଏ । ରାଜ ପ୍ରାସାଦର କୌଣସି ଚିହ୍ନବର୍ଣ୍ଣ ନଥିଲେ ସୁଦ୍ଧା ତିନିଗୋଟି ମନ୍ଦିରର ଭଗ୍ନାବଶେଷ ମହୁରି କିଲ୍ଲାର ମୂଳସାକ୍ଷୀରୂପେ ଆଜି ସୁଦ୍ଧା ଠିଆ ହୋଇଛି ।

୧୮୩୫ ମସିହାରେ ମହୁରି ରାଜା ବ୍ରିଟିଶ ସରକାରଙ୍କୁ ସଲାମି କର ନ ଦେଇପାରିବା ହେତୁ ବ୍ରହ୍ମପୁର ସହରକୁ ଉକ୍ତ ସଲାମି ବକେୟା ଅର୍ଥ ବଦଳରେ ରାଜାଙ୍କଠାରୁ ଇଂରେଜ ସରକାର କିଣି ନେଲେ । ୧୮୫୦ ମସିହାରେ ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟକୁ ଇଂରେଜ ସରକାର ବାଜ୍ୟାପ୍ତ କରି ଶାସନଭାର ନିଜ ଅଧୀନକୁ ନେଲେ । ଫଳରେ ଏଠାରେ ସରକାରୀ କୋର୍ଟ କଚେରୀ ସ୍ଥାପନ ସାଙ୍ଗକୁ ଦକ୍ଷିଣ ଓଡ଼ିଶାର ଜଙ୍ଗଲଜାତ ଦ୍ରବ୍ୟ ସମୂହ ରପ୍ତାନୀ ଲାଗି ଏକ ବ୍ୟବସାୟ ପେଣ୍ଠ ଗଢ଼ିଉଠିଲା । ଏହି ପରିପ୍ରେକ୍ଷୀରେ ମହୁରି ରାଜ ପରିବାର ବଡ଼ବଜାର ଉଆସରେ ହିଁ ରହିଲେ । ସହରର ସାମ୍ୱାଦିକତା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରାକ୍-ସ୍ୱାଧୀନତା କାଳରେ ମହୁରି ରାଜ ପରିବାର ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ମହୁରି ରାଜ ଉଆସଠାରେ ପ୍ରତିଷ୍ଠିତ ରୟାଲ୍ ପ୍ରେସରୁ ନବୀନ ନାମରେ ଏକ ସାପ୍ତାହିକ ପତ୍ରିକା ନିୟମିତ ପ୍ରକାଶିତ ହେଉଥିଲା । ସେ ସମୟର ଓଡ଼ିଶାର ସମସ୍ତ ପ୍ରତିଷ୍ଠିତ ସାହିତ୍ୟିକ ନବୀନ ପୃଷ୍ଠାରେ ହିଁ ଲେଖାଲେଖି ଆରମ୍ଭ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ନବୀନର ସ୍ୱତ୍ତ୍ୱାଧିକାର ପରିବର୍ତ୍ତନ ହୋଇଛି ।

ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁର ରାଜନୀତି କ୍ଷେତ୍ରରେ ମହୁରି ରାଜପରିବାରର ଯୋଗଦାନ ରହିଥିଲା । ବ୍ରହ୍ମପୁର ବିଧାନସଭା ଆସନରେ ୧୯୬୧ରେ ରାଜା ଶିଶିର କୁମାର ନରେନ୍ଦ୍ର ଦେବ (କଂଗ୍ରେସ) ଓ ୧୯୭୭ରେ ରାଣୀ ରତ୍ନମଞ୍ଜରୀ ଦେବୀ (ସ୍ୱାଧୀନ) ବିଧାୟକ ଭାବେ ନିର୍ବାଚ଼ିତ ହୋଇଥିଲେ । ବ୍ରହ୍ମପୁର ପୌରପାଳିକାର ନଗରପାଳଭାବେ ରାଜପରିବାରର ପ୍ରଭାତକିରଣ ଦେବ ମଧ୍ୟ ଅବସ୍ଥାପିତ ହୋଇଥିଲେ ।

ବ୍ରହ୍ମପୁର ପାରମ୍ପରିକ ରଥଯାତ୍ରା ଓ ଠାକୁରାଣୀ ଯାତ୍ରା ଅବସରରେ ମହୁରି ରାଜପରିବାର ଉପସ୍ଥିତି ଆଜି କେବଳ ଇତିହାସର ସାକ୍ଷ୍ୟ ପ୍ରଦାନ କରିଥାଏ ।

Friday, April 5, 2019

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅବଧି


ବ୍ରହ୍ମପୁର ଠାକୁରାଣୀ ଯାତ୍ରା କେତେ ଦିନ ପାଇଁ ପାଳିତ ହୁଏ ତାହା ପାରିପାର୍ଶ୍ୱିକ ପରିସ୍ଥିତି ଉପରେ ନିର୍ଭର କରିଥାଏ । ତେବେ ତିନି ସପ୍ତାହ ବା ୨୧ ଦିନରୁ କେବେ କମ୍ ସମୟ ଯାତ୍ରା ଆୟୋଜିତ ହୁଏନା । ନିକଟ ଅତୀତର ହିସାବ ଖୋଜିବସିଲେ ଅନେକ ବର୍ଷ ଯାତ୍ରା ତିନି ସପ୍ତାହ ପାଳିତ ହୋଇଥିବା ପ୍ରମାଣ ମିଳେ । ସାଧାରଣତଃ  ଦୁଇ ସପ୍ତାହ ଯାତ୍ରା ଆୟୋଜନ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରଥମେ ନିଷ୍ପତ୍ତି ନିଆଯାଏ ଏବଂ ଯାତ୍ରା ଆଉ ସପ୍ତାହେ ବା ଦୁଇସପ୍ତାହ ବୃଦ୍ଧି କରିବା ନିମନ୍ତେ ଅନୁମତି ମିଳେ ।

କିମ୍ୱଦନ୍ତୀ ଅନୁଯାୟୀ ପ୍ରଥମ ଦେଶୀବେହେରା ଠାକୁରାଣୀ ଯାତ୍ରା ଆରମ୍ଭ କରିଥିଲେ । ଏହି ଦ୍ୱି-ବାର୍ଷିକ ଲୋକ ମହୋତ୍ସବ ଆୟୋଜନ ଦେଶୀବେହେରାଙ୍କ ତତ୍ତ୍ୱାବଧାନରେ ହୋଇଥାଏ । ଏଥିଲାଗି ତେଲୁଗୁ ପୁରୋହିତ (ସିଦ୍ଧାନ୍ତି)ଙ୍କ ପରାମର୍ଶକ୍ରମେ ଶୁଭତିଥି ନିର୍ଣ୍ଣୟପରେ ଦେଶୀବେହେରା ପ୍ରଥମେ ନିଜ କୁଳର ସେନାପତି ଓ ପରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ସମର୍ଥନରେ ଯାତ୍ରା ଆୟୋଜନ ଘୋଷଣା କରିଥାନ୍ତି । ତେବେ ଏହି ଭଳି ମହୋତ୍ସବ ଆୟୋଜନଲାଗି ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ପଡ଼ିଥାଏ । ଦେଶୀବେହେରା ପ୍ରଶାସନ ନିକଟରେ ଦରଖାସ୍ତ ପେଶ କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଠାକୁରାଣୀ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥାନ୍ତି । ବିଗତ କିଛି ବର୍ଷ ଧରି ଠାକୁରାଣୀ ଯାତ୍ରା ତିନି ସପ୍ତାହରୁ ଚ଼ାରି ସପ୍ତାହ ଯାଏଁ ଅନୁଷ୍ଠିତ ହେଉଥିବା ଜଣାଯାଏ । ଗତ ୨୦୧୧ ମସିହାରେ ଠାକୁରାଣୀ ଯାତ୍ରା ୨୯ ଦିନ ଧରି ଅନୁଷ୍ଠିତ ହୋଇଥିଲା । ୨୦୧୩ ମସିହାରେ ଠାକୁରାଣୀ ଯାତ୍ରା ୫ ଏପ୍ରିଲରୁ ୨୯ ଏପ୍ରିଲ ୨୫ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପ୍ରଶାସନ ପକ୍ଷରୁ ପ୍ରଥମେ ୧୫ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ଦେଇଥିବା ବେଳେ ପରେ ପୁଣି ୯ ଦିନ ଯାତ୍ରାର ଅବଧି ବଢ଼ାଇଥିଲେ । ୨୦୧୫ ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଗୋଟି କିସ୍ତିରେ ୩୧ ଦିନ ଯାତ୍ରା ଆୟୋଜନ ଲାଗି ଅନୁମତି ପ୍ରଦାନ କରିଥିଲେ । ୧୨ ମାର୍ଚ୍ଚ ସଂଧ୍ୟାରେ ଦେଶୀ ବେହେରାଙ୍କ ନିଜ ବାସଗୃହ ସାମ୍ନାରେ ଆୟୋଜିତ ବୈଠକରେ ୨୮ ମାର୍ଚ୍ଚରୁ ୨୭ ଏପ୍ରିଲ ଯାଏଁ ୩୧ ଦିନ ଯାତ୍ରା ପାଳନ ପାଇଁ ନିଷ୍ପତି ଘୋଷଣା କରିଥିଲେ । ଏହି ମତେ ସେ ପ୍ରଶାସନର ଅନୁମତି ଲୋଡ଼ିଥିଲେ । ତେବେ ୨୭ ମାର୍ଚ୍ଚରେ ପ୍ରଶାସନ ପକ୍ଷରୁ ପ୍ରଥମ ଦଫାରେ ମାତ୍ର ୨୦ ଦିନ ଯାତ୍ରା ପାଳନ ଲାଗି ଅନୁମତି ମିଳିଥିଲା । ଯାତ୍ରାର ଅବଧି ବୃଦ୍ଧି ପୁନର୍ବାର ଆବେଦନ ପରେ ଯାତ୍ରାର ଅବଧି ଆଉ ୧୧ ଦିନ ବଢ଼ାଗଲା । ଫଳରେ ୨୭ ଏପ୍ରିଲ ସୋମବାର ଦିନ ଯାତ୍ରା ଶେଷ ହୋଇଥିଲା ।

ଅତୀତରେ ଠାକୁରାଣୀ ଯାତ୍ରା ଦେଢ଼ ମାସରୁ ଦୁଇମାସ ଯାଏଁ ପାଳିତ ହେଉଥିବାର ସୂଚ଼ନା ମିଳିଥାଏ । ବ୍ରହ୍ମପୁର ସହର ଏକ ବାଣିଜ୍ୟ ପେଣ୍ଠରୂପେ ଗଢ଼ି ଉଠିବା ପରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ, ଫୁଲବାଣୀ, କଳାହାଣ୍ଡି, ପୁରୀ ଓ ଶ୍ରୀକାକୁଲମ ଜିଲ୍ଲାର ଜନସାଧାରଣ କିଣାବିକା ପାଇଁ ଏଠାକୁ ଆସିବାକୁ ଲାଗିଲେ । ବିଶେଷ କରି ଲୁଗାପଟା, ପିତ୍ତଳ ବାସନକୁସନ ଓ ସୁନାଗହଣା କିଣିବା ନିମନ୍ତେ ଗ୍ରାହକ ଏଠି ଏକତ୍ରୀତ ହେଉଥିଲେ । ଏହି ଅଞ୍ଚଳର ମୁଖ୍ୟ ଫସଲ ଧାନକଟା, ମଳା ଓ ଖଣିପକା ପରେ ଚୈତ୍ର ମାସରେ ଚାଷୀ ହାତରେ କିଛି ପଇସା ଆସିଯାଇଥାଏ ଏବଂ ବିଲବାଡ଼ିର ବିଶେଷ କିଛି କାମ ନଥାଏ । ଏହି ଅବସରରେ ସପରିବାର ସେ ଯାତ୍ରାରେ ଯୋଗ ଦେବା ନିମନ୍ତେ ଦୁଇବର୍ଷରେ ଥରେ ବ୍ରହ୍ମପୁରରେ ପହଞ୍ଚି ଠାକୁରାଣୀ ଯାତ୍ରା ଉପଭୋଗ ଏବଂ ବ୍ରହ୍ମପୁର ବଜାରରେ କିଣାବିକା ସେସମୟରେ ପ୍ରଚଳିତ ଧାରା ଥିଲା । ଏହି କାରଣରୁ ଦୀର୍ଘ ଦିନ ଧରି ଯାତ୍ରା ପାଳନ ନିମନ୍ତେ ଏଠାକାର ବ୍ୟବସାୟୀମାନଙ୍କ ପକ୍ଷରୁ ଆୟୋଜକଙ୍କୁ ପ୍ରୋତ୍ସାହିତ କରାଯାଉଥିଲା । କ୍ରମଶଃ ଗମନାଗମନ ବ୍ୟବସ୍ଥାର ଉନ୍ନତି ତଥା ବ୍ରହ୍ମପୁର ସହରକୁ ଯିବା ଆସିବା ଏକ ଦୈନନ୍ଦିନ ବ୍ୟାପାର ହୋଇପଡ଼ିବା ପରେ ବ୍ୟବସାୟୀ ବା ଗ୍ରାହକ ଆଉ ଠାକୁରାଣୀ ଯାତ୍ରାକୁ ପ୍ରାଧାନ୍ୟ ଦେଲେ ନାହିଁ । ତେବେ ଜଗତୀକରଣ ପ୍ରବର୍ତ୍ତନ ଓ ଟେଲିଭିଜନ ପ୍ରସାରଣ ପରିବ୍ୟାପ୍ତ ହେବାପରେ ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶନ୍ଧିରୁ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପୁନଃ ଲୋକପ୍ରିୟତା ଫେରି ପାଉଥିବା ଲକ୍ଷ୍ୟ କରାଯାଇପାରେ ।

ଜଗତୀକରଣ ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁରର ତଥା ଆଖପାଖ ଅଞ୍ଚଳର ଜନସାଧାରଣ, ମୁଖ୍ୟତଃ ନିମ୍ନ ଆୟକାରୀବର୍ଗଙ୍କ ଆର୍ଥିକ ସ୍ୱଚ୍ଛଳତା ବିଭିନ୍ନ ପର୍ବପର୍ବାଣୀରେ ଯୋଗଦାନକୁ ପ୍ରୋତ୍ସାହନ ଯୋଗାଇଛି । ସେହିପରି ଟେଲିଭିଜନ ଆଞ୍ଚଳିକ ସମ୍ୱାଦ ପ୍ରସାରଣର ଏକ ମୁଖ୍ୟ ମାଧ୍ୟମ ପାଲଟିବା ତଥା ସବୁ ପରିବାରଙ୍କ ଠାରେ ଟେଲିଭିଜନ ଉପଲବ୍ଧ ହେବା ପରେ ସ୍ଥାନୀୟ ଉତ୍ସବ ପାଳନ ସାଧାରଣ ଜୀବନଯାତ୍ରାକୁ ମଧ୍ୟ ପ୍ରଭାବିତ କରିପାରିଛି । ମୋବାଇଲ ଫୋନ ପରଦାରେ ଭିଡ଼ିଓ ଆହରଣ ଯାତ୍ରାର ଲୋକପ୍ରିୟତା ବୃଦ୍ଧିରେ ନୂତନ ଅଧ୍ୟାୟ ଯୋଡ଼ିଛି ।

ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ରୀତିନୀତି ଟେଲିଭିଜନ କାର୍ଯ୍ୟକ୍ରମରୁ ଅବଗତ ହୋଇ ବ୍ରହ୍ମପୁରବାସୀ ଏଠାକାର ଠାକୁରାଣୀ ଯାତ୍ରାରେ ତାହା ସନ୍ନିବେଶିତ କରାଉଥିବା ଦେଖିବାକୁ ମିଳୁଛି । ଉଦାହରଣ ସ୍ୱରୂପ ୨୦୦୯ ଯାତ୍ରାବେଳେ ଯାତ୍ରା ଦର୍ଶକମାନଙ୍କୁ ଖାଦ୍ୟ ଓ ପାନୀୟ ପରିବେଷଣ ଧାରା ଆରମ୍ଭ ହୋଇଥିଲା । ୨୦୧୧ ଓ ୨୦୧୩ ଯାତ୍ରା ଅବସରରେ ଏହି ଧାରା ବ୍ୟାପକ ଆକାର ଧାରଣ କରିଥିଲା । ଏହା ୨୦୦୫ ମୁମ୍ୱାଇର ରାଜରାସ୍ତାରେ ବନ୍ୟା ତଥା ବିଭିନ୍ନ ଧାର୍ମିକସ୍ଥଳରେ ପ୍ରସାଦ ବଣ୍ଟନର ନକଲ ବୋଲି କୁହାଯାଇପାରେ । ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକଉତ୍ସବ ରୂପେ ଗଢ଼ି ଉଠିଥିବା ହେତୁ ସର୍ଜନଶୀଳତା ଏଥିରେ ଭରି ରହିଥାଏ । ସ୍ଥାନୀୟ ଜନସାଧାରଣ ଉତ୍ସବ ପାଳନରେ ନୂଆ ନୂଆ ଫର୍ଦ୍ଦ ଯୋଗ କରିଥାନ୍ତି ।

Thursday, April 4, 2019

ଯାତ୍ରାରେ ଭୋଗ


ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାରମ୍ପରିକ ଭାବେ ତେଲୁଗୁ ଭାଷାଭାଷୀ ବୁଣାକର ଦେବାଙ୍ଗ ସଂପ୍ରଦାୟଦ୍ୱାରା ଆୟୋଜିତ ହୋଇଥାଏ । ସହରରେ ଦେବାଙ୍ଗ ସଂପ୍ରଦାୟ ୧୮ ଗୋଟି ବସ୍ତି ବା ମଣ୍ଡଳରେ ବିଚ୍ଛୁରିତ ହୋଇ ବସବାସ କରୁଥିବା କୁହାଯାଏ । ପ୍ରତ୍ୟେକ ମଣ୍ଡଳଲାଗି ଜଣେ ସେନାପତି ନିଯୁକ୍ତ ହୋଇଥାନ୍ତି । ତେବେ ସହରର ଦେବାଙ୍ଗ ସଂପ୍ରଦାୟର ମୁଖ୍ୟ ରୂପେ ଦେଶୀ ବେହେରାଙ୍କୁ ମାନ୍ୟତା ମିଳିଥାଏ । ୧୭୮୨ ମସିହାରେ କିଛି ବର୍ଷ ପୂର୍ବରୁ ଦାକ୍ଷିଣାତ୍ୟର ରାଜମହେନ୍ଦ୍ରୀ ଅଞ୍ଚଳରୁ ଏହି ବୁଣାକାରମାନେ ମହୁରି ରାଜାଙ୍କ କୃପାରେ ବ୍ରହ୍ମପୁରରେ ପହଞ୍ଚି ରାଜନଅରର ଆଖପାଖ ଅଞ୍ଚଳରେ ବସତି ସ୍ଥାପନ କରିବାପରେ ସେମାନଙ୍କ ମୁଖ୍ୟଙ୍କୁ ମହୁରି ରାଜା ଦେଶୀ ବେହେରା ଉପାଧି ପ୍ରଦାନ କରିଥିଲେ । ସେହି ଦିନୁ ବଂଶାନୁକ୍ରମିକ ଭାବେ ଦେଶୀବେହେରା ନିଯୁକ୍ତ ହୋଇ ଆସୁଛନ୍ତି ।

ଠାକୁରାଣୀ ଯାତ୍ରା ପାଳନ ଅବସରରେ ଅସ୍ଥାୟୀ ମଣ୍ଡପରେ ସ୍ଥାପିତ ଘଟ ପୂଜାଅର୍ଚ୍ଚନା କରିବା ଲାଗି ଭକ୍ତମାନେ ପ୍ରଭାତରୁ ରାତ୍ରୀ ଯାଏଁ ସୁଯୋଗ ପାଇଥାନ୍ତି । ସକାଳ ୫ ରୁ ରାତି ୧୧ ଯାଏଁ ଯାତ୍ରୀଙ୍କ ଭିଡ଼ ଲାଗି ରହିଥାଏ । ଭକ୍ତମାନେ ନଡିଆ, କଦଳୀ ସହ ଗଜାମୁଆଁ ଭୋଗ ଲଗାଇ ଥାନ୍ତି । ଯାତ୍ରାରେ ଗଜା ମୁଆଁ ଭୋଗ ଲଗାଇବାକୁ କେତେକ ମାନସିକ ମଧ୍ୟ କରିଥାନ୍ତି । ଏଠାରେ ଭକ୍ତମାନଙ୍କ ପକ୍ଷରୁ ଶୁଙ୍ଖୁଡ଼ିଭୋଗ କରାଯିବା ନିଷେଧ । ବଡ଼ ଠାକୁରାଣୀ ମନ୍ଦିରରେ ମଧ୍ୟ ଶୁଙ୍ଖୁଡ଼ି ବା ରନ୍ଧା ଦ୍ରବ୍ୟ ଭୋଗ ହୁଏ ନାହିଁ । ମାନସିକ ରଖିଥିବା ଭକ୍ତମାନେ ମନ୍ଦିର ବେଢ଼ାରେ ଥିବା ନିମଗଛଠାରେ ଶୁଙ୍ଖୁଡ଼ି ଭୋଗ ଲଗାଇଥାନ୍ତି । ସନ୍ଧ୍ୟାରେ ଘଟ ପରିକ୍ରମା କାଳରେ ମଧ୍ୟ ଏହି ନିୟମ ବଳବତ୍ତର ରହେ ।

ଯାତ୍ରା ପରିଚ଼ାଳନା ସମିତି ପକ୍ଷରୁ ଦୈନିକ ପ୍ରାୟ ୧୪ ଗୋଟି ଭୋଗର ବ୍ୟବସ୍ଥା କରାଯାଇଥାଏ । ସକାଳ ୫ ରୁ ୬ ଘଣ୍ଟା ମଧ୍ୟରେ କୁଙ୍କୁମାର୍ଜନା, ସକାଳ ୮ ଘଣ୍ଟାରେ ବାଳଭୋଗ, ମଧ୍ୟାହ୍ନ ୧ ଘଣ୍ଟା ୩୦ ମିନଟ ଓ ରାତି ୧୦ ଘଣ୍ଟାରେ ରାଜଭୋଗ, ସକାଳ ୧୦ ଘଣ୍ଟାରୁ ଅପରାହ୍ନ ୨ ଘଣ୍ଟା ମଧ୍ୟରେ ତିନି ପର୍ଯ୍ୟାୟରେ ଏବଂ ସନ୍ଧ୍ୟା ୪ ଘଣ୍ଟାରୁ ରାତି ୮ ଘଣ୍ଟା ମଧ୍ୟରେ ଆଉ ତିନି ପର୍ଯ୍ୟାୟରେ ଅନ୍ନପ୍ରସାଦ ଭୋଗ ହୋଇଥାଏ । ଏହା ବ୍ୟତୀତ ସକାଳ ୭ ଘଣ୍ଟାରୁ ଅପରାହ୍ନ ୨ ଘଣ୍ଟା ମଧ୍ୟରେ ଜଳଦାନ ଓ ନବାତପଣା ଭୋଗର ମଧ୍ୟ ବ୍ୟବସ୍ଥା କରାଯାଇଥାଏ । ଏହି ସମସ୍ତ ଭୋଗ ପ୍ରସ୍ତୁତି ନିମନ୍ତେ ଯାତ୍ରା ପରିଚ଼ାଳନା ସମିତି ପକ୍ଷରୁ ଆଗ୍ରହୀ ଭକ୍ତମାନଙ୍କଠାରୁ ଦାନ ସଂଗ୍ରହ କରାଯାଇଥାଏ ।

ପ୍ରତ୍ୟେହ ପ୍ରଯୋଜିତ ଛଅଗୋଟି ଅନ୍ନଦାନରୁ ଚ଼ାରିଗୋଟିରୁ ପ୍ରତ୍ୟେକଟି ଲାଗି ଟ.୫,୦୦୧ ଏବଂ ଦୁଇଗୋଟିରୁ ପ୍ରତ୍ୟେକଟି ଲାଗି ଟ.୧୦,୦୦୧ ତଥା ପ୍ରତ୍ୟେକ ରାଜଭୋଗ ଲାଗି ଟ.୧୦,୦୦୧ ସଂଗ୍ରହ କରାଯାଇଥାଏ । ସେହିପରି ଜଳଦାନ ପାଇଁ ଟ.୨,୫୦୧ ରୁ ଟ.୫,୦୦୧ ଓ ନବାତ ପଣା ପାଇଁ ଟ.୫,୦୦୧ ସଂଗୃହୀତ ହୋଇଥାଏ । ସାମୂହିକ କୁଙ୍କୁମାର୍ଜନା ନିମନ୍ତେ ଟ.୨୦୧ ଓ ବାଳଭୋଗ ନିମନ୍ତେ ଟ.୧,୦୦୧ ସଂଗୃହୀତ ହୋଇଥାଏ । ଅସ୍ଥାୟୀ ମଣ୍ଡପରେ ଭୋଗନୀତି ଦର ତାଲିକା ଯାତ୍ରା ପରିଚ଼ାଳନା ସମିତି କାର୍ଯ୍ୟାଳୟରେ ବିଜ୍ଞପ୍ତି ଆକାରରେ ପ୍ରକାଶ କରାଯାଇଥାଏ ଏବଂ ଭକ୍ତମାନେ ସେଠାରେ ଦାନ ଦଖଲ କରିଥାନ୍ତି ।

ଠାକୁରାଣୀ ଯାତ୍ରା ଅବସରରେ ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଘରେଘରେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତିର ପ୍ରଥା ଚଳି ଆସିଛି । ଯାତ୍ରାର ଶେଷ ସପ୍ତାହରେ ବିବାହିତା କନ୍ୟା ଓ ଅନ୍ୟତ୍ର ବସବାସ କରୁଥିବା ଆତ୍ମୀୟସ୍ୱଜନମାନେ ଆସୁଥିବା ହେତୁ ପରିବାରଗୁଡ଼ିକରେ ଅତିଥି ପରିଚ଼ର୍ଯ୍ୟା ଲାଗିରହେ । ଏତଦ୍ ବ୍ୟତୀତ ଯାତ୍ରାରେ ଯୋଗଦେବା ପାଇଁ ସହରବାହାରୁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ ଭଳିକିଭଳି ମିଷ୍ଟାନ୍ନ ଦୋକାନ ଖୋଲିଥାଏ ।

Wednesday, April 3, 2019

ଯାତ୍ରା ଆୟୋଜନରେ ପ୍ରଥା ପରମ୍ପରା

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକ ମହୋତ୍ସବ ଭାବେ ଦୀର୍ଘ ଦୁଇଶହ ବର୍ଷରୁ ଅଧିକ ସମୟ ଧରି ଗଢ଼ି ଉଠିଥିବା ହେତୁ ବିଭିନ୍ନ ଧାର୍ମିକ, ସାମାଜିକ ଓ ପାରିପାର୍ଶ୍ୱିକ ରୀତିନୀତି ଏହାର ପରମ୍ପରାକୁ ରୁଦ୍ଧିମନ୍ତ କରିଥିବା ଲକ୍ଷ୍ୟ କରାଯାଇପାରେ । ଲୋକ ମହୋତ୍ସବର ବିଭବଗୁଡ଼ିକ ପରିବର୍ତ୍ତନଶୀଳ । ଆବଶ୍ୟକସ୍ଥଳେ କିଛି ନୂତନତ୍ୱ ସଂଯୋଗ ହେଉଥିବା ବେଳେ କିଛି ପୁରାତନ ତତ୍ତ୍ୱ ମଧ୍ୟ ସମୟଗର୍ଭରେ ବିଲୀନ ହୋଇଯାଇଥାଏ ।

ପ୍ରଥା ପରମ୍ପରାରେ ପରିବର୍ତ୍ତନ ଧାରାରେ ଦେଶୀ ବେହେରା ସାହୀରେ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ନିର୍ମାଣ ଶୈଳୀ ପର୍ଯ୍ୟବେସିତ । ଅସ୍ଥାୟୀ ମଣ୍ଡପଟି ଝାଉଁ କାଠ (ବ୍ରହ୍ମପୁରରେ ଯାହାକୁ ଚ଼ାବୁକ କାଠ କୁହାଯାଏ) ଓ ନଡ଼ା ଛପରରେ ନିର୍ମିତ ହୋଇଥାଏ । ଝାଉଁ କାଠ ଛତ୍ରପୁର ତାମ୍ପରା (ଏକ ପ୍ରାକୃତିକ କ୍ଷୁଦ୍ର ହ୍ରଦ) ଝାଉଁ ଜଙ୍ଗଲରୁ ସଂଗ୍ରହ କରାଯାଇଥାଏ । ତେବେ ବାତ୍ୟାରେ ସେଠାକାର ଝାଉଁ ଜଙ୍ଗଲ ନଷ୍ଟଭଷ୍ଟ ହୋଇଯାଉଥିବା ତଥା ଆବଶ୍ୟକୀୟ ମାପର କାଠ ପାଇବାରେ ଅସୁବିଧା କାରଣରୁ ଆନ୍ଧ୍ର ଉପକୂଳ ଅଞ୍ଚଳରୁ ମଧ୍ୟ ଝାଉଁ କାଠ ଅଣାଯାଇଥାଏ । ଅସ୍ଥାୟୀ ମଣ୍ଡପଟିରେ ୨୨ ଗୋଟି କାଠ ଏବଂ ମଣ୍ଡପକୁ ଲାଗି ଗଢ଼ାଯାଉଥିବା ଛାମୁଣ୍ଡିଆରେ ୧୨ ଗୋଟି କାଠ ବ୍ୟବହୃତ ହୁଏ । ମଣ୍ଡପର ଆୟତନ ୩୨୪ ବର୍ଗଫୁଟ ଓ ଛାମୁଣ୍ଡିଆର ଆୟତନ ୪୫୦ ବର୍ଗଫୁଟ । ଭୂମିଠାରୁ ଦେଢ଼ଫୁଟ ଉଚ୍ଚରେ ସିମେଣ୍ଟ ଚ଼ଟାଣ ଗଢ଼ାଯାଇ ୩ ଫୁଟ ଚଉଡ଼ା ଓ ୧୫ ଫୁଟ ଲମ୍ୱାରେ ଘଟ ସ୍ଥାପନ ପାଇଁ ପିଣ୍ଡି ନିର୍ମାଣ କରାଯାଏ । ଅସ୍ଥାୟୀ ମଣ୍ଡପର ଉଚ୍ଚତା ୧୧ ଫୁଟ ରହୁଥିବା ବେଳେ ଛାମୁଣ୍ଡିଆର ଉଚ୍ଚତା ୧୩ ଫୁଟ । ମଣ୍ଡପର ଚ଼ତୁଃପାର୍ଶ୍ୱ ଇଟା ସିମେଣ୍ଟରେ ୬ ଫୁଟର କାନ୍ଥ ଉଠାଯାଇ ବଳକା ୫ ଫୁଟକୁ ବାଉଁଶ ଜାଲିରେ ଆଚ୍ଛାଦିତ କରାଯାଉଥିବାବେଳେ ଛାମୁଣ୍ଡିଆର ଦୁଇ ପାର୍ଶ୍ୱ ବାଉଁଶ ଜାଲି ବ୍ୟବହୃତ ହୋଇଥାଏ । ଛାମୁଣ୍ଡିଆର ଛାତରେ ନଡ଼ିଆ ବାହୁଙ୍ଗା ପକାଯାଇଥାଏ । ମଣ୍ଡପ ନିର୍ମାଣପାଇଁ ମୁଖ୍ୟ ମହାରଣାଙ୍କ ପରିବାରର ସଦସ୍ୟଙ୍କ ସମେତ ଅନ୍ୟ କେତେ ଜଣ ମିସ୍ତ୍ରୀ ନିୟୋଜିତ ହୋଇଥାନ୍ତି । ସାଧାରଣତଃ ନିର୍ମାଣ କାର୍ଯ୍ୟ ଅନ୍ୟୂନ ୧୨ ଦିନ ଧରି ଚ଼ାଲିଥାଏ ।

ଅସ୍ଥାୟୀ ମଣ୍ଡପରେ ନଅ ଗୋଟି ଘଟ ପୂଜା କରାଯାଇଥାଏ ଏବଂ ସମସ୍ତ ଘଟ ସାହୀ ପରିକ୍ରମାରେ ନିଆଯାଇଥାଏ । ଯାତ୍ରାର ତୃତୀୟ ଦିବସ ସଂଧ୍ୟାରେ ମୁଖ୍ୟ ଘଟରେ ବଡ଼ ଠାକୁରାଣୀ ମନ୍ଦିରରୁ ଆସିଥିବା ଇଟା ମଲ୍ଲୀ ଫୁଲ ଗୁମ୍ଫା ଆଜ୍ଞାମାଳ ରଖାଯାଇ ପୂଜା କରାଯାଏ । ଅନ୍ୟ ପାର୍ଶ୍ୱଘଟଗୁଡ଼ିକ ମଧ୍ୟରୁ ଦ୍ୱିତୀୟରେ ମା ବ୍ରାହ୍ମୀ, ତୃତୀୟରେ ମାମାହେଶ୍ୱରୀ, ଚ଼ତୁର୍ଥରେ ମାକୁମାରୀ, ପଞ୍ଚମରେ ମାବୈଷ୍ଣବୀ, ଷଷ୍ଠରେ ମାବାରାହୀ, ସପ୍ତମରେ ମାଇନ୍ଦ୍ରାଣୀ, ଅଷ୍ଟମରେ ମାମହାଲକ୍ଷ୍ମୀ ଓ ନବମ ଘଟରେ ମାଶିବାୟୀ ପୂଜିତ ହୋଇଥାନ୍ତି । ଏହି ଘଟଗୁଡ଼ିକ ବିଭିନ୍ନ ରଙ୍ଗରେ ଚ଼ିତ୍ରିତ କରାଯାଇଥାଏ । ଠାକୁରାଣୀଙ୍କ ଘଟ ରକ୍ତବର୍ଣ୍ଣ ଚ଼ିତ୍ରିତ ହୋଇଥିବା ବେଳେ ମାବ୍ରାହ୍ମୀଙ୍କ ଘଟ ହଳଦୀ ବର୍ଣ୍ଣ, ମାମାହେଶ୍ୱରୀଙ୍କ ଘଟ ଚମ୍ପା ବର୍ଣ୍ଣ, ମାକୁମାରୀଙ୍କ ଘଟ ଗୋଲାପୀ ବର୍ଣ୍ଣ, ମାବୈଷ୍ଣବୀଙ୍କ ଘଟ ତମ୍ୱାଳ ବର୍ଣ୍ଣ,  ମାବରାହୀଙ୍କ ଘଟ ଧୂମ୍ର ବର୍ଣ୍ଣ, ମାଇନ୍ଦ୍ରାଣୀଙ୍କ ଘଟ ଇନ୍ଦ୍ରନୀଳ ବର୍ଣ୍ଣ, ମାମହାଲକ୍ଷ୍ମୀଙ୍କ ଘଟ ସ୍ୱର୍ଣ୍ଣବର୍ଣ୍ଣ ଓ ମାଶିବାୟୀଙ୍କ ଘଟ ଶ୍ୟାମ ବର୍ଣ୍ଣରେ ଚ଼ିତ୍ରିତ ହୋଇଥାଏ । ସମସ୍ତ ଘଟରେ ବିଭିନ୍ନ ପୂଜା ସାମଗ୍ରୀ ଭର୍ତ୍ତି କରାଯାଇଥାଏ । ଘଟପୂଜା ଆରମ୍ଭ ହେବା ପୂର୍ବରୁ ସମସ୍ତ ଘଟକୁ ହଳଦୀ ଓ ଚ଼ାଉଳ ବଟା ଲେପ କରାଯିବା ବିଧି ରହିଥିବା ଜଣାଯାଏ । ସାହୀ ପରିକ୍ରମା କାଳରେ ସମସ୍ତ ଘଟକୁ ବିଭିନ୍ନ ଫୁଲହାରରେ ସଜ୍ଜିତ କରାଯାଇଥାଏ ।

ଯାତ୍ରା ଶେଷଦିନ ଘଟ ଶୋଭାଯାତ୍ରାରେ ସ୍ଥାନୀୟ ବାସିନ୍ଦା ମହିଳାମାନେ ନିଜ ନିଜ ପରିବାର ତରଫରୁ ଘଟ ଧାରଣକରି ସାମିଲ ହୋଇଥାନ୍ତି । ହଜାର ହଜାର ସଂଖ୍ୟାରେ ମାନସିକ ଘଟ ପ୍ରସ୍ତୁତି ପାଇଁ ବ୍ରହ୍ମପୁର ସହର ଉପକଣ୍ଠର ଲାଠି ଓ ଚିକରଡ଼ା ଗ୍ରାମର କୁମ୍ଭକାରମାନେ ଯାତ୍ରା ତିଥିର ଅନ୍ୟୂନ ତିନିମାସ ଆଗରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ଏହି ମାଟି କଳସଗୁଡ଼ିକୁ କ୍ଷୀର କିମ୍ୱା ପଞ୍ଚାମୃତରେ ଶୁଦ୍ଧି କରାଯାଇ ବାହାରେ ଚୂନ ଲେପ ତଥା ବିଭିନ୍ନ ରଙ୍ଗରେ ଚ଼ିତ୍ର ଅଙ୍କନ କରାଯିବା ବିଧି ରହିଛି । ପୂଜା ପାଇଁ ଘଟ ପ୍ରସ୍ତୁତି କାର୍ଯ୍ୟ ବଡ଼ ଠାକୁରାଣୀ ମନ୍ଦିରର ପୁଜକମାନଙ୍କ ଦ୍ୱାରା ସମାହିତ ହୋଇଥାଏ । ମାଟି କଳସ ବଦଳରେ ନୂତନ କଂସା ବା ପିତଳ କଳସକୁ ମଧ୍ୟ ଘଟ ରୂପେ ବ୍ୟବହାର ପରମ୍ପରା ରହିଛି ।

ଯାତ୍ରା ଆୟୋଜନରେ ଲାଗୁ ହେଉଥିବା ବିଭିନ୍ନ ନୀତିନିୟମ ପୁରୁଷାନୁକ୍ରମିକଭାବେ ପୀଢ଼ିରୁ ପୀଢ଼ିକୁ ପରିବ୍ୟାପ୍ତ ହେଉଥିବା ଲକ୍ଷ୍ୟ କରାଯାଇପାରେ । ଏଥିଲାଗି ଲିଖିତ ଆକାରରେ କୌଣସି ତଥ୍ୟ ମିଳେ ନାହିଁ ।

Tuesday, April 2, 2019

ଠାକୁରାଣୀ ଯାତ୍ରା ବିଧିବିଧାନ


ଠାକୁରାଣୀ ଯାତ୍ରା ଆୟୋଜନ ଲାଗି କେତେକ ପାରମ୍ପରିକ ବିଧିବିଧାନ ପାଳିତ ହୋଇଥାଏ । ପ୍ରତି ବର୍ଷକ ଅନ୍ତରରେ ଠାକୁରାଣୀ ଯାତ୍ରା ପାଳନ ହେବା ବର୍ଷ ଫାଲଗୁନ ମାସରେ ମହାଶିବରାତ୍ରୀ ପରେ ପରେ ଦେବାଙ୍ଗ ସଂପ୍ରଦାୟର ମୁଖିଆମାନେ ଏକ ବୈଠକରେ ମିଳିତ ହୋଇ ଯାତ୍ରା ଆୟୋଜନର ନିଷ୍ପତ୍ତି ନେଇଥାନ୍ତି । ବ୍ରହ୍ମପୁର ସହରର ବଡ଼ବଜାର, ପୁରୁଣା ବ୍ରହ୍ମପୁରରୁ ହନୁମାନ ବଜାର ଅଞ୍ଚଳ ମଧ୍ୟରେ ୧୮ ଗୋଟି ଦେବାଙ୍ଗ ବସ୍ତି ସ୍ଥାପିତ ହୋଇଥିଲା ଏବଂ ପାରମ୍ପରିକଭାବେ ପ୍ରତି ବସ୍ତିର ମୁଖ୍ୟଭାବେ ଜଣେ ଜଣେ ସେନାପତି ରହିଛନ୍ତି । ଏହି ୧୮ ଜଣ ମୁଖ୍ୟ ନିଷ୍ପତ୍ତି ଗ୍ରହଣ କଲାପରେ ଏକ କୁଳସଭାର ଆହ୍ୱାନ କରାଯାଏ ଏବଂ ନିର୍ଦ୍ଧାରିତ ନିଷ୍ପତ୍ତି ପାଇଁ ସମର୍ଥନ ହାସଲ କରାଯାଏ ।

ଶେଷରେ ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇ ଯାତ୍ରା ଆୟୋଜନଲାଗି ଏକ ସାଧାରଣ ସଭାର ଆୟୋଜନ ହୁଏ ତଥା ସେନାପତି ଓ କୁଳସଭାରେ ଗୃହୀତ ନିଷ୍ପତ୍ତି ପ୍ରତି ପୁନରାୟ ସର୍ବସାଧାରଣଙ୍କ ସମର୍ଥନ ଲୋଡ଼ା ଯାଉଥିଲା । ତେବେ ଠାକୁରାଣୀ ଯାତ୍ରା ଆୟୋଜକମାନଙ୍କ ମଧ୍ୟରେ ପାରିବାରିକ ବିବାଦ ତଥା କୋର୍ଟକଚ଼େରୀ କାରବାର ହେତୁ ଏଣିକି ମୁଖ୍ୟ ଆୟୋଜକ ଦେଶୀବେହେରା ପୁରୋହିତଙ୍କ ପରାମର୍ଶ କ୍ରମେ ତିଥି ନିର୍ଣ୍ଣୟ କରି ଦେବାଙ୍କ ସଂପ୍ରଦାୟ ପ୍ରତିନିଧି ଓ ସହରବାସୀଙ୍କ ମିଳିତ ବୈଠକରେ ଯାତ୍ରା ଆୟୋଜନର ନିଷ୍ପତ୍ତି ଦୃଢ଼ୀକରଣ କରୁଛନ୍ତି ।

ଯାତ୍ରା ଆୟୋଜନ ନିଷ୍ପତ୍ତି ପରେ ଦେଶୀବେହେରାଙ୍କ ଗୃହରେ ବିରାଜମାନ ଦେବୀଙ୍କ ନିକଟରେ ଶୁଭଖୁଣ୍ଟି ପୂଜାଅର୍ଚ୍ଚନା କରାଯାଇ ଶୋଭାଯାତ୍ରାରେ ବଡ଼ ଠାକୁରାଣୀ ମନ୍ଦିରକୁ ନିଆ ଯାଇଥାଏ । ସେଠାରୁ ଆଜ୍ଞାମାଳ ପାଇବା ପରେ ଶୁଭଖୁଣ୍ଟକୁ ଦେଶୀବେହେରାଙ୍କ ଘର ସାମ୍ନାରେ ଅସ୍ଥାୟୀ ମଣ୍ଡପ ନିର୍ମାଣସ୍ଥଳରେ ସ୍ଥାପନ କରାଯାଏ । ନିର୍ଦ୍ଧିଷ୍ଟ ତିଥିରେ ସସ୍ତ୍ରୀକ ଦେଶୀବେହେରା ନଗରବାସୀଙ୍କ ସହ ଶୋଭାଯାତ୍ରାରେ ବଡ଼ ଠାକୁରାଣୀ ମନ୍ଦିର ଯାଇ ଠାକୁରାଣୀଙ୍କୁ ବାପଘରକୁ ନିମନ୍ତ୍ରିତ କରନ୍ତି । ଦେଶୀବେହେରାଙ୍କ ପତ୍ନୀ ଏକ ଚ଼ାଙ୍ଗୁଡ଼ିରେ ଇଟାମଲ୍ଲୀ ଫୁଲ ଠାକୁରାଣୀଙ୍କ ମସ୍ତକରେ ରଖାଯାଇ ଥାଏ । ପରମ୍ପରା ଅନୁଯାୟୀ ଦେବୀଙ୍କ ପ୍ରସନ୍ନତା ପାଇଁ ଅପେକ୍ଷା କରାଯାଏ । ପୂଜା ଅର୍ଚ୍ଚନା ପରେ ସେହି ଇଟାମଲ୍ଲୀ ଫୁଲମାଳକୁ ପୁଣି ଚ଼ାଙ୍ଗୁଡ଼ିରେ ଧରି ଯାତ୍ରାସ୍ଥଳକୁ ଶୋଭାଯାତ୍ରା ଫେରିଥାନ୍ତି । ଦେଶୀବେହେରାଙ୍କ ଘର ସାମ୍ନାରେ ନିର୍ମିତ ଅସ୍ଥାୟୀ ମନ୍ଦିରରେ ଫୁଲମାଳ ରଖାଯାଇ ଯାତ୍ରା ସମୟତକ ପୂଜା କରାଯାଏ ।

ଯାତ୍ରା ଆରମ୍ଭର ତୃତୀୟ ଦିନଠାରୁ ଏହି ଫୁଲମାଳକୁ ଚିତ୍ରିତ ମାଟିହାଣ୍ଡି ଘଟ ମଧ୍ୟରେ ରଖି ପୂଜା କରାଯାଏ । ମୁଖ୍ୟଘଟ ସହ ଅନ୍ୟ ଆଠଗୋଟି ଘଟ ପାର୍ଶ୍ୱଦେବୀମାନଙ୍କ ନାମରେ ପୂଜିତ ହୋଇଥାଏ । ତୃତୀୟ ଦିନ ଘଟ ପୂଜା ଆରମ୍ଭ ହେବା ପରଠୁଁ ଦେବୀଙ୍କ ସାହୀ ପରିକ୍ରମା ମଧ୍ୟ ଆରମ୍ଭ ହୋଇଯାଏ । ସନ୍ଧ୍ୟା ପ୍ରାୟ ୮ ରୁ ୧୧ ଘଣ୍ଟା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଘଟ ସହ ଆଠଗୋଟି ପାର୍ଶ୍ୱଘଟ ଶୋଭାଯାତ୍ରାରେ ସାହୀ ପରିକ୍ରମା କରିଥାନ୍ତି । ମୁଖ୍ୟ ଘଟ ଦେଶୀବେହେରାଙ୍କ ପତ୍ନୀ ମଣ୍ଡନ କରି ପ୍ରତ୍ୟହ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବାବେଳେ ଅନ୍ୟ ଆଠଗୋଟି ଘଟ ଆଠଜଣ ଡ଼େରା ସଂପ୍ରଦାୟ ମୁଖ୍ୟ ସେନାପତିମାନଙ୍କ ପତ୍ନୀମାନେ ମଣ୍ଡନ କରିବା ପରମ୍ପରା ପ୍ରଚଳିତ ।

ମୁଖ୍ୟ ଘଟ ସହ ଅନ୍ୟ ଆଠଗୋଟି ଘଟ ସାହୀ ପରିକ୍ରମା କାଳରେ ପ୍ରଥମେ ମହୁରି ରାଜଉଆସକୁ ଯାଇଥାନ୍ତି । ସେଠି ରାଜ ପରିବାର ଦ୍ୱାରା ପୂଜିତ ହେବା ପରେ ଅନ୍ୟାନ୍ୟ ଅଞ୍ଚଳକୁ ଯାତ୍ରା କରିଥାନ୍ତି । ଯାତ୍ରାର ତୃତୀୟ ଦିନଠାରୁ ସାହୀ ପରିକ୍ରମା ଆରମ୍ଭ ହେବା ପରେ ପ୍ରଥମେ କେତେଦିନ କେବଳ ରାଜ ଉଆସ ଓ ଆଖପାଖ ଅଞ୍ଚଳ ଭ୍ରମଣରେ ଫେରିବା ପରେ କ୍ରମଶଃ ଅନ୍ୟାନ୍ୟ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଥାଏ ।

ଏହି ସାହୀ ପରିକ୍ରମାର ସୀମାରେଖା ସାଧାରଣତଃ ବଡ଼ବଜାର, ପୁରୁଣା ବ୍ରହ୍ମପୁର ଓ କାଠମେଣ୍ଟୁ ଛକ ମଧ୍ୟରେ ସୀମିତ ହୋଇଥାଏ । ପ୍ରତ୍ୟହ ସନ୍ଧ୍ୟାରେ ଏହି ସମସ୍ତ ଅଞ୍ଚଳ ପରିକ୍ରମା କରିବା ସମ୍ଭବପର ନହେବା ଯୋଗୁଁ ଦୈନିକ ମାତ୍ର କେତେଗୋଟି ସାହୀ ପାଳି କରି ପରିକ୍ରମା କରାଯାଇଥାଏ । ଏହି ଅବସରରେ ସଂପୃକ୍ତ ସାହୀବାସିନ୍ଦାମାନେ ନିଜ ଗୃହ ସାମନାରେ ଦେବୀଙ୍କୁ ପୂଜା ଅର୍ଚ୍ଚନା କରିବାର ସୁଯୋଗ ପାଇଥାନ୍ତି । ଠାକୁରାଣୀ ଯାତ୍ରା ଆରମ୍ଭ ହେବା ତୃତୀୟ ଦିବସଠାରୁ ଶେଷ ଯାଏଁ ଏହି ଘଟ ପରିକ୍ରମା ନିୟମିତ ଚାଲିଥାଏ । ଶେଷ ଦିନ ଏହି ନଅଗୋଟି ଘଟ ସହ ମାନସିକ କରିଥିବା ପରିବାରବର୍ଗଙ୍କ ପକ୍ଷରୁ ସ୍ତ୍ରୀଲୋକମାନେ ଘଟ ମଣ୍ଡନ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି । ଅସ୍ଥାୟୀ ମନ୍ଦିରରୁ ଶୋଭାଯାତ୍ରା ବାହାରି ସମସ୍ତ ସାହୀ ପରିକ୍ରମାପୂର୍ବକ ବଡ଼ ଠାକୁରାଣୀ ମନ୍ଦିରରେ ପହଞ୍ଚିଥାଏ ଏବଂ ମନ୍ଦିର ପ୍ରାଙ୍ଗଣରେ ଘଟ ବିସର୍ଜନ ପରେ ସେହି ବର୍ଷର ଠାକୁରାଣୀ ଯାତ୍ରା ଶେଷ ହୋଇଥାଏ ।

Monday, April 1, 2019

କିମ୍ୱଦନ୍ତୀରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା


ମହୁରି ରାଜା ହରିହର ନରେନ୍ଦ୍ର ଦେବଙ୍କ କୃପାରେ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ଅଞ୍ଚଳରୁ ଦେବାଙ୍ଗ ସଂପ୍ରଦାୟର କିଛି ବୁଣାକର ପରିବାର ବ୍ରହ୍ମପୁର ଆସି ରାଜନଅର ସମ୍ମୁଖରେ ବସବାସ କରିଥିଲେ । ପ୍ରାଥମିକ ଭାବେ ସେମାନେ ଡ଼େରା ବା ତମ୍ୱୁ ଟାଣି ବସତି ରଚ଼ନା କରିଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଡ଼େରା ନାମିତ କରିଥିବା କୁହାଯାଏ । ପରବର୍ତ୍ତୀ ଅବସ୍ଥାରେ ସ୍ଥାୟୀଭାବେ ରାଜନଅର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘରଦ୍ୱାର କରି ରହିଥିଲେ । କ୍ରମଶଃ ସେମାନଙ୍କ ବଂଶ ବୃଦ୍ଧି ଘଟିଥିଲା ଏବଂ ୧୮ ଗୋଟି ବସ୍ତିକୁ ସଂପ୍ରସାରିତ ହୋଇଥିଲା ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଉତ୍ପତ୍ତିକୁ ନେଇ ଏକ କିମ୍ୱଦନ୍ତୀ ଶୁଣିବାକୁ ମିଳେ । ଡ଼େରା ବୁଣାକର ସଂପ୍ରଦାୟ ମୁଖିଆଙ୍କୁ ମହୁରିରାଜା ବେହେରା ଉପାଧିରେ ଭୂଷିତ କରିଥିଲେ । ତାଙ୍କରି ବଂଶଧରମାନେ ଆଜି ଦେଶୀବେହେରା ନାମରେ ପରିଚ଼ିତ । ସେ ଥିଲେ ବଡ଼ ଠାକୁରାଣୀଙ୍କ ପରମଭକ୍ତ ଓ ପ୍ରତିଦିନ ସକାଳେ ଫୁଲ ଚାଙ୍ଗୁଡ଼ିଟାଏ ଧରି ଗାଁ ମୁଣ୍ଡ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରୁଥିଲେ ।

ଏକଦା ଚୈତ୍ରମାସ ମଙ୍ଗଳବାର ରାତ୍ରି ସମୟରେ ବେହେରା ନିଜ ଦାଣ୍ଡ ବାରଣ୍ଡାରେ ବିଶ୍ରାମ କରୁଥିବା ଅବସରରେ ରାସ୍ତାରେ କେହି ଜଣେ ଯୁବତୀର କ୍ରନ୍ଦନ ଶୁଣିବାକୁ ପାଇଲେ । ତାହା ପାଖକୁ ଯାଇ କାରଣ ପଚାରିବାରେ ମୁକୁଳା କେଶ କଳା ବସ୍ତ୍ର ପରିହିତା ଯୁବତୀ ଜଣକ କହିଲା ଯେ ସେ ବାପା ଘରକୁ ଯାଉଥିଲା । ରାତିରେ ବାଟ ଭୁଲିଯାଇଛି । ବେହେରା କହିଲେ ଏତେ ରାତିରେ କୁଆଡ଼େ ବାଟ ଖୋଜିବୁ ଝିଅ । ମୁଁ ତ ତୋର ବାପ ସମାନ । ଆଜି ରାତିକ ଆମ ଘରେ ରହିଯାଅ । କାଲି ସକାଳେ ବାଟ ଖୋଜି ଚାଲିଯିବୁ । ଏହି ସମୟରେ ବୁଢ଼ା ଦେଖନ୍ତି ତ ଯୁବତୀ ଜଣକ ସ୍ମିତହାସ୍ୟ ଦେଇ ରାସ୍ତା ଅପରପାର୍ଶ୍ୱର ଲତାଗୁଳ୍ମ ଦେଇ କୁଆଡ଼େ ଉଭେଇଗଲା । କିଛି ସମୟ ଖୋଜାଖୋଜି କରି ସନ୍ଦିଗ୍ଧ ମନରେ ସେ ଘରକୁ ଫେରିଲେ ।

ତତ୍ ପରଦିନ ସକାଳେ ପ୍ରତିଦିନ ଭଳି ଫୁଲଚାଙ୍ଗୁଡ଼ି ଧରି ବୁଢ଼ା ଠାକୁରାଣୀଙ୍କୁ ଉପାସନା କରିବାକୁ ଗଲେ । ତେବେ ଯେତେଥର ସେ ଫୁଲମାଳ ଠାକୁରାଣୀଙ୍କ ମସ୍ତକରେ ରଖୁଥାନ୍ତି ତାହା ତଳକୁ ଖସି ପଡୁଥାଏ । ବୁଢ଼ା ବିଚଳିତ ହୋଇ ଠାକୁରାଣୀଙ୍କ ନିକଟରେ ଅଧିଆ ପଡ଼ିଲେ । କିଛି ସମୟ ପରେ ଶୂନ୍ୟବାଣୀ ହେଲା, ଆଜିଯାଏ ତୁମେ ମୋର ପୂଜା ଅର୍ଚ୍ଚନା କରି ଆସୁଥିଲ । କିନ୍ତୁ ଗତକାଲି ରାତିରେ ପରା ତୁମେ ମୋର ବାପା ହେଲ । ବାପାଙ୍କଠାରୁ ଝିଅ କିପରି ପୂଜା ଗ୍ରହଣ କରିବ ? ତୁମେ ଫେରିବା ରାସ୍ତାରେ ପ୍ରଥମେ ଯାହା ମୁହଁ ଚାହିଁବ ଆଜିଠୁଁ ସେ ହିଁ ମୋର ପୂଜା ଅର୍ଚ୍ଚନା କରିବ । ଅଗତ୍ୟା ଦେଶୀବେହେରା ବୁଢ଼ା ଫେରିଗଲେ ଏବଂ ଫେରନ୍ତା ରାସ୍ତାରେ ଜଣେ ଭଣ୍ଡାରିକୁ ଦେଖିଲେ । ସେହିଦିନୁ ଭଣ୍ଡାରି ସଂପ୍ରଦାୟର ଲୋକମାନେ ହିଁ ବ୍ରହ୍ମପୁର ଠାକୁରାଣୀଙ୍କ ପୂଜକ ହୋଇଛନ୍ତି ।

ଠାକୁରାଣୀଙ୍କ ପୂଜା ଅର୍ଚ୍ଚନାରୁ ଅବ୍ୟାହତ ପରେ ଯୋଡ଼ ହସ୍ତରେ ବୁଢ଼ା ଦେବୀଙ୍କୁ ପ୍ରାର୍ଥନା କଲେ ସେ କଣ ଆଉ କେବେ ଠାକୁରାଣୀଙ୍କ ସେବାର ସୁଯୋଗ ପାଇବେ ନାହିଁ । ଦେବୀ ପ୍ରସନ୍ନ ହୋଇ କହିଲେ, ମୁଁ ତୁମର ଝିଅ । ପ୍ରତି ଦୁଇବର୍ଷରେ ଥରେ ମୁଁ ବାପା ଘର ଯାଇ କିଛି ଦିନ ବିତାଇ ମନ୍ଦିର ଫେରୁଥିବି । ସେହିଦିନୁ ଠାକୁରାଣୀ ଯାତ୍ରା ଆରମ୍ଭ ହୁଏ । ଯାତ୍ରା ଅବସରରେ ଠାକୁରାଣୀ କିଛିଦିନ ପାଇଁ ଦେଶୀବେହେରାଙ୍କ ବାସଗୃହ ସାମ୍ନାରେ ନିର୍ମିତ ଅସ୍ଥାୟୀ କୁଟୀରରେ ରହି ପ୍ରତିଦିନ ସନ୍ଧ୍ୟାରେ ଆଖପାଖ ସାହୀ ପରିକ୍ରମା କରି ପୁଣି ମନ୍ଦିରକୁ ଫେରନ୍ତି ।

ପାରମ୍ପରିକଭାବେ ବ୍ରହ୍ମପୁରର ଦେବାଙ୍ଗ ବୁଣାକାର ସଂପ୍ରଦାୟ ଆନୁକୂଲ୍ୟରେ ଠାକୁରାଣୀ ଯାତ୍ରା ଆୟୋଜିତ ହୋଇଥାଏ । ଦେବାଙ୍ଗ ସଂପ୍ରଦାୟର ମୁଖ୍ୟ ଦେଶୀବେହେରା ଠାକୁରାଣୀ ଯାତ୍ରା ଆୟୋଜନର ତତ୍ତ୍ୱାବଧାନ କରିଥାନ୍ତି । ଦେଶୀବେହେରାଙ୍କ ବାସଗୃହରେ ଠାକୁରାଣୀଙ୍କ ପୀଠ ରହିଛି । ଲୋକ ବିଶ୍ୱାସରେ ଯାତ୍ରା ଅବସରରେ ବଡ଼ ଠାକୁରାଣୀ ନିଜ ବାପା ଘରକୁ ବୁଲି ଆସନ୍ତି । ଯାତ୍ରାର ବିଧିବିଧାନ ପାଳନରେ ବୁଢ଼ାଙ୍କ ବାଉଁଶ ଫୁଲଚ଼ାଙ୍ଗୁଡ଼ିର ସ୍ମୃତି ଆଜିଯାଏଁ ପ୍ରାଧାନ୍ୟ ଲାଭ କରୁଥିବା ଲକ୍ଷ୍ୟ କରାଯାଏ ।