ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକ ମହୋତ୍ସବ ଭାବେ ଦୀର୍ଘ ଦୁଇଶହ ବର୍ଷରୁ ଅଧିକ ସମୟ
ଧରି ଗଢ଼ି ଉଠିଥିବା ହେତୁ ବିଭିନ୍ନ ଧାର୍ମିକ, ସାମାଜିକ ଓ ପାରିପାର୍ଶ୍ୱିକ ରୀତିନୀତି ଏହାର
ପରମ୍ପରାକୁ ରୁଦ୍ଧିମନ୍ତ କରିଥିବା ଲକ୍ଷ୍ୟ କରାଯାଇପାରେ । ଲୋକ ମହୋତ୍ସବର ବିଭବଗୁଡ଼ିକ
ପରିବର୍ତ୍ତନଶୀଳ । ଆବଶ୍ୟକସ୍ଥଳେ କିଛି ନୂତନତ୍ୱ ସଂଯୋଗ ହେଉଥିବା ବେଳେ କିଛି ପୁରାତନ ତତ୍ତ୍ୱ
ମଧ୍ୟ ସମୟଗର୍ଭରେ ବିଲୀନ ହୋଇଯାଇଥାଏ ।
ପ୍ରଥା ପରମ୍ପରାରେ ପରିବର୍ତ୍ତନ ଧାରାରେ ଦେଶୀ ବେହେରା ସାହୀରେ ଠାକୁରାଣୀଙ୍କ ଅସ୍ଥାୟୀ
ମଣ୍ଡପ ନିର୍ମାଣ ଶୈଳୀ ପର୍ଯ୍ୟବେସିତ । ଅସ୍ଥାୟୀ ମଣ୍ଡପଟି ଝାଉଁ କାଠ (ବ୍ରହ୍ମପୁରରେ ଯାହାକୁ ‘ଚ଼ାବୁକ’ କାଠ କୁହାଯାଏ) ଓ ନଡ଼ା ଛପରରେ ନିର୍ମିତ ହୋଇଥାଏ ।
ଝାଉଁ କାଠ ଛତ୍ରପୁର ତାମ୍ପରା (ଏକ ପ୍ରାକୃତିକ କ୍ଷୁଦ୍ର ହ୍ରଦ) ଝାଉଁ ଜଙ୍ଗଲରୁ ସଂଗ୍ରହ
କରାଯାଇଥାଏ । ତେବେ ବାତ୍ୟାରେ ସେଠାକାର ଝାଉଁ ଜଙ୍ଗଲ ନଷ୍ଟଭଷ୍ଟ ହୋଇଯାଉଥିବା ତଥା ଆବଶ୍ୟକୀୟ
ମାପର କାଠ ପାଇବାରେ ଅସୁବିଧା କାରଣରୁ ଆନ୍ଧ୍ର ଉପକୂଳ ଅଞ୍ଚଳରୁ ମଧ୍ୟ ଝାଉଁ କାଠ ଅଣାଯାଇଥାଏ ।
ଅସ୍ଥାୟୀ ମଣ୍ଡପଟିରେ ୨୨ ଗୋଟି କାଠ ଏବଂ ମଣ୍ଡପକୁ ଲାଗି ଗଢ଼ାଯାଉଥିବା ଛାମୁଣ୍ଡିଆରେ ୧୨ ଗୋଟି କାଠ
ବ୍ୟବହୃତ ହୁଏ । ମଣ୍ଡପର ଆୟତନ ୩୨୪ ବର୍ଗଫୁଟ ଓ ଛାମୁଣ୍ଡିଆର ଆୟତନ ୪୫୦ ବର୍ଗଫୁଟ । ଭୂମିଠାରୁ
ଦେଢ଼ଫୁଟ ଉଚ୍ଚରେ ସିମେଣ୍ଟ ଚ଼ଟାଣ ଗଢ଼ାଯାଇ ୩ ଫୁଟ ଚଉଡ଼ା ଓ ୧୫ ଫୁଟ ଲମ୍ୱାରେ ଘଟ ସ୍ଥାପନ
ପାଇଁ ପିଣ୍ଡି ନିର୍ମାଣ କରାଯାଏ । ଅସ୍ଥାୟୀ ମଣ୍ଡପର ଉଚ୍ଚତା ୧୧ ଫୁଟ ରହୁଥିବା ବେଳେ
ଛାମୁଣ୍ଡିଆର ଉଚ୍ଚତା ୧୩ ଫୁଟ । ମଣ୍ଡପର ଚ଼ତୁଃପାର୍ଶ୍ୱ ଇଟା ସିମେଣ୍ଟରେ ୬ ଫୁଟର କାନ୍ଥ
ଉଠାଯାଇ ବଳକା ୫ ଫୁଟକୁ ବାଉଁଶ ଜାଲିରେ ଆଚ୍ଛାଦିତ କରାଯାଉଥିବାବେଳେ ଛାମୁଣ୍ଡିଆର ଦୁଇ ପାର୍ଶ୍ୱ
ବାଉଁଶ ଜାଲି ବ୍ୟବହୃତ ହୋଇଥାଏ । ଛାମୁଣ୍ଡିଆର ଛାତରେ ନଡ଼ିଆ ବାହୁଙ୍ଗା ପକାଯାଇଥାଏ । ମଣ୍ଡପ
ନିର୍ମାଣପାଇଁ ମୁଖ୍ୟ ମହାରଣାଙ୍କ ପରିବାରର ସଦସ୍ୟଙ୍କ ସମେତ ଅନ୍ୟ କେତେ ଜଣ ମିସ୍ତ୍ରୀ ନିୟୋଜିତ
ହୋଇଥାନ୍ତି । ସାଧାରଣତଃ ନିର୍ମାଣ କାର୍ଯ୍ୟ ଅନ୍ୟୂନ ୧୨ ଦିନ ଧରି ଚ଼ାଲିଥାଏ ।
ଅସ୍ଥାୟୀ ମଣ୍ଡପରେ ନଅ ଗୋଟି ଘଟ ପୂଜା କରାଯାଇଥାଏ ଏବଂ ସମସ୍ତ ଘଟ ସାହୀ ପରିକ୍ରମାରେ
ନିଆଯାଇଥାଏ । ଯାତ୍ରାର ତୃତୀୟ ଦିବସ ସଂଧ୍ୟାରେ ମୁଖ୍ୟ ଘଟରେ ବଡ଼ ଠାକୁରାଣୀ ମନ୍ଦିରରୁ
ଆସିଥିବା ଇଟା ମଲ୍ଲୀ ଫୁଲ ଗୁମ୍ଫା ଆଜ୍ଞାମାଳ ରଖାଯାଇ ପୂଜା କରାଯାଏ । ଅନ୍ୟ ପାର୍ଶ୍ୱଘଟଗୁଡ଼ିକ
ମଧ୍ୟରୁ ଦ୍ୱିତୀୟରେ ମା’
ବ୍ରାହ୍ମୀ, ତୃତୀୟରେ ମା’ମାହେଶ୍ୱରୀ, ଚ଼ତୁର୍ଥରେ ମା’କୁମାରୀ, ପଞ୍ଚମରେ ମା’ବୈଷ୍ଣବୀ, ଷଷ୍ଠରେ ମା’ବାରାହୀ, ସପ୍ତମରେ ମା’ଇନ୍ଦ୍ରାଣୀ, ଅଷ୍ଟମରେ ମା’ମହାଲକ୍ଷ୍ମୀ ଓ ନବମ ଘଟରେ ମା’ଶିବାୟୀ ପୂଜିତ ହୋଇଥାନ୍ତି । ଏହି
ଘଟଗୁଡ଼ିକ ବିଭିନ୍ନ ରଙ୍ଗରେ ଚ଼ିତ୍ରିତ କରାଯାଇଥାଏ । ଠାକୁରାଣୀଙ୍କ ଘଟ ରକ୍ତବର୍ଣ୍ଣ ଚ଼ିତ୍ରିତ
ହୋଇଥିବା ବେଳେ ମା’ବ୍ରାହ୍ମୀଙ୍କ
ଘଟ ହଳଦୀ ବର୍ଣ୍ଣ, ମା’ମାହେଶ୍ୱରୀଙ୍କ
ଘଟ ଚମ୍ପା ବର୍ଣ୍ଣ, ମା’କୁମାରୀଙ୍କ
ଘଟ ଗୋଲାପୀ ବର୍ଣ୍ଣ, ମା’ବୈଷ୍ଣବୀଙ୍କ
ଘଟ ତମ୍ୱାଳ ବର୍ଣ୍ଣ, ମା’ବରାହୀଙ୍କ ଘଟ ଧୂମ୍ର ବର୍ଣ୍ଣ, ମା’ଇନ୍ଦ୍ରାଣୀଙ୍କ ଘଟ ଇନ୍ଦ୍ରନୀଳ ବର୍ଣ୍ଣ,
ମା’ମହାଲକ୍ଷ୍ମୀଙ୍କ ଘଟ
ସ୍ୱର୍ଣ୍ଣବର୍ଣ୍ଣ ଓ ମା’ଶିବାୟୀଙ୍କ
ଘଟ ଶ୍ୟାମ ବର୍ଣ୍ଣରେ ଚ଼ିତ୍ରିତ ହୋଇଥାଏ । ସମସ୍ତ ଘଟରେ ବିଭିନ୍ନ ପୂଜା ସାମଗ୍ରୀ ଭର୍ତ୍ତି
କରାଯାଇଥାଏ । ଘଟପୂଜା ଆରମ୍ଭ ହେବା ପୂର୍ବରୁ ସମସ୍ତ ଘଟକୁ ହଳଦୀ ଓ ଚ଼ାଉଳ ବଟା ଲେପ କରାଯିବା
ବିଧି ରହିଥିବା ଜଣାଯାଏ । ସାହୀ ପରିକ୍ରମା କାଳରେ ସମସ୍ତ ଘଟକୁ ବିଭିନ୍ନ ଫୁଲହାରରେ ସଜ୍ଜିତ
କରାଯାଇଥାଏ ।
ଯାତ୍ରା ଶେଷଦିନ ଘଟ ଶୋଭାଯାତ୍ରାରେ ସ୍ଥାନୀୟ ବାସିନ୍ଦା
ମହିଳାମାନେ ନିଜ ନିଜ ପରିବାର ତରଫରୁ ଘଟ ଧାରଣକରି ସାମିଲ ହୋଇଥାନ୍ତି । ହଜାର ହଜାର ସଂଖ୍ୟାରେ
ମାନସିକ ଘଟ ପ୍ରସ୍ତୁତି ପାଇଁ ବ୍ରହ୍ମପୁର ସହର ଉପକଣ୍ଠର ଲାଠି ଓ ଚିକରଡ଼ା ଗ୍ରାମର
କୁମ୍ଭକାରମାନେ ଯାତ୍ରା ତିଥିର ଅନ୍ୟୂନ ତିନିମାସ ଆଗରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ଏହି
ମାଟି କଳସଗୁଡ଼ିକୁ କ୍ଷୀର କିମ୍ୱା ପଞ୍ଚାମୃତରେ ଶୁଦ୍ଧି କରାଯାଇ ବାହାରେ ଚୂନ ଲେପ ତଥା
ବିଭିନ୍ନ ରଙ୍ଗରେ ଚ଼ିତ୍ର ଅଙ୍କନ କରାଯିବା ବିଧି ରହିଛି । ପୂଜା ପାଇଁ ଘଟ ପ୍ରସ୍ତୁତି କାର୍ଯ୍ୟ
ବଡ଼ ଠାକୁରାଣୀ ମନ୍ଦିରର ପୁଜକମାନଙ୍କ ଦ୍ୱାରା ସମାହିତ ହୋଇଥାଏ । ମାଟି କଳସ ବଦଳରେ ନୂତନ କଂସା
ବା ପିତଳ କଳସକୁ ମଧ୍ୟ ଘଟ ରୂପେ ବ୍ୟବହାର ପରମ୍ପରା ରହିଛି ।
No comments:
Post a Comment