Tuesday, April 2, 2019

ଠାକୁରାଣୀ ଯାତ୍ରା ବିଧିବିଧାନ


ଠାକୁରାଣୀ ଯାତ୍ରା ଆୟୋଜନ ଲାଗି କେତେକ ପାରମ୍ପରିକ ବିଧିବିଧାନ ପାଳିତ ହୋଇଥାଏ । ପ୍ରତି ବର୍ଷକ ଅନ୍ତରରେ ଠାକୁରାଣୀ ଯାତ୍ରା ପାଳନ ହେବା ବର୍ଷ ଫାଲଗୁନ ମାସରେ ମହାଶିବରାତ୍ରୀ ପରେ ପରେ ଦେବାଙ୍ଗ ସଂପ୍ରଦାୟର ମୁଖିଆମାନେ ଏକ ବୈଠକରେ ମିଳିତ ହୋଇ ଯାତ୍ରା ଆୟୋଜନର ନିଷ୍ପତ୍ତି ନେଇଥାନ୍ତି । ବ୍ରହ୍ମପୁର ସହରର ବଡ଼ବଜାର, ପୁରୁଣା ବ୍ରହ୍ମପୁରରୁ ହନୁମାନ ବଜାର ଅଞ୍ଚଳ ମଧ୍ୟରେ ୧୮ ଗୋଟି ଦେବାଙ୍ଗ ବସ୍ତି ସ୍ଥାପିତ ହୋଇଥିଲା ଏବଂ ପାରମ୍ପରିକଭାବେ ପ୍ରତି ବସ୍ତିର ମୁଖ୍ୟଭାବେ ଜଣେ ଜଣେ ସେନାପତି ରହିଛନ୍ତି । ଏହି ୧୮ ଜଣ ମୁଖ୍ୟ ନିଷ୍ପତ୍ତି ଗ୍ରହଣ କଲାପରେ ଏକ କୁଳସଭାର ଆହ୍ୱାନ କରାଯାଏ ଏବଂ ନିର୍ଦ୍ଧାରିତ ନିଷ୍ପତ୍ତି ପାଇଁ ସମର୍ଥନ ହାସଲ କରାଯାଏ ।

ଶେଷରେ ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇ ଯାତ୍ରା ଆୟୋଜନଲାଗି ଏକ ସାଧାରଣ ସଭାର ଆୟୋଜନ ହୁଏ ତଥା ସେନାପତି ଓ କୁଳସଭାରେ ଗୃହୀତ ନିଷ୍ପତ୍ତି ପ୍ରତି ପୁନରାୟ ସର୍ବସାଧାରଣଙ୍କ ସମର୍ଥନ ଲୋଡ଼ା ଯାଉଥିଲା । ତେବେ ଠାକୁରାଣୀ ଯାତ୍ରା ଆୟୋଜକମାନଙ୍କ ମଧ୍ୟରେ ପାରିବାରିକ ବିବାଦ ତଥା କୋର୍ଟକଚ଼େରୀ କାରବାର ହେତୁ ଏଣିକି ମୁଖ୍ୟ ଆୟୋଜକ ଦେଶୀବେହେରା ପୁରୋହିତଙ୍କ ପରାମର୍ଶ କ୍ରମେ ତିଥି ନିର୍ଣ୍ଣୟ କରି ଦେବାଙ୍କ ସଂପ୍ରଦାୟ ପ୍ରତିନିଧି ଓ ସହରବାସୀଙ୍କ ମିଳିତ ବୈଠକରେ ଯାତ୍ରା ଆୟୋଜନର ନିଷ୍ପତ୍ତି ଦୃଢ଼ୀକରଣ କରୁଛନ୍ତି ।

ଯାତ୍ରା ଆୟୋଜନ ନିଷ୍ପତ୍ତି ପରେ ଦେଶୀବେହେରାଙ୍କ ଗୃହରେ ବିରାଜମାନ ଦେବୀଙ୍କ ନିକଟରେ ଶୁଭଖୁଣ୍ଟି ପୂଜାଅର୍ଚ୍ଚନା କରାଯାଇ ଶୋଭାଯାତ୍ରାରେ ବଡ଼ ଠାକୁରାଣୀ ମନ୍ଦିରକୁ ନିଆ ଯାଇଥାଏ । ସେଠାରୁ ଆଜ୍ଞାମାଳ ପାଇବା ପରେ ଶୁଭଖୁଣ୍ଟକୁ ଦେଶୀବେହେରାଙ୍କ ଘର ସାମ୍ନାରେ ଅସ୍ଥାୟୀ ମଣ୍ଡପ ନିର୍ମାଣସ୍ଥଳରେ ସ୍ଥାପନ କରାଯାଏ । ନିର୍ଦ୍ଧିଷ୍ଟ ତିଥିରେ ସସ୍ତ୍ରୀକ ଦେଶୀବେହେରା ନଗରବାସୀଙ୍କ ସହ ଶୋଭାଯାତ୍ରାରେ ବଡ଼ ଠାକୁରାଣୀ ମନ୍ଦିର ଯାଇ ଠାକୁରାଣୀଙ୍କୁ ବାପଘରକୁ ନିମନ୍ତ୍ରିତ କରନ୍ତି । ଦେଶୀବେହେରାଙ୍କ ପତ୍ନୀ ଏକ ଚ଼ାଙ୍ଗୁଡ଼ିରେ ଇଟାମଲ୍ଲୀ ଫୁଲ ଠାକୁରାଣୀଙ୍କ ମସ୍ତକରେ ରଖାଯାଇ ଥାଏ । ପରମ୍ପରା ଅନୁଯାୟୀ ଦେବୀଙ୍କ ପ୍ରସନ୍ନତା ପାଇଁ ଅପେକ୍ଷା କରାଯାଏ । ପୂଜା ଅର୍ଚ୍ଚନା ପରେ ସେହି ଇଟାମଲ୍ଲୀ ଫୁଲମାଳକୁ ପୁଣି ଚ଼ାଙ୍ଗୁଡ଼ିରେ ଧରି ଯାତ୍ରାସ୍ଥଳକୁ ଶୋଭାଯାତ୍ରା ଫେରିଥାନ୍ତି । ଦେଶୀବେହେରାଙ୍କ ଘର ସାମ୍ନାରେ ନିର୍ମିତ ଅସ୍ଥାୟୀ ମନ୍ଦିରରେ ଫୁଲମାଳ ରଖାଯାଇ ଯାତ୍ରା ସମୟତକ ପୂଜା କରାଯାଏ ।

ଯାତ୍ରା ଆରମ୍ଭର ତୃତୀୟ ଦିନଠାରୁ ଏହି ଫୁଲମାଳକୁ ଚିତ୍ରିତ ମାଟିହାଣ୍ଡି ଘଟ ମଧ୍ୟରେ ରଖି ପୂଜା କରାଯାଏ । ମୁଖ୍ୟଘଟ ସହ ଅନ୍ୟ ଆଠଗୋଟି ଘଟ ପାର୍ଶ୍ୱଦେବୀମାନଙ୍କ ନାମରେ ପୂଜିତ ହୋଇଥାଏ । ତୃତୀୟ ଦିନ ଘଟ ପୂଜା ଆରମ୍ଭ ହେବା ପରଠୁଁ ଦେବୀଙ୍କ ସାହୀ ପରିକ୍ରମା ମଧ୍ୟ ଆରମ୍ଭ ହୋଇଯାଏ । ସନ୍ଧ୍ୟା ପ୍ରାୟ ୮ ରୁ ୧୧ ଘଣ୍ଟା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଘଟ ସହ ଆଠଗୋଟି ପାର୍ଶ୍ୱଘଟ ଶୋଭାଯାତ୍ରାରେ ସାହୀ ପରିକ୍ରମା କରିଥାନ୍ତି । ମୁଖ୍ୟ ଘଟ ଦେଶୀବେହେରାଙ୍କ ପତ୍ନୀ ମଣ୍ଡନ କରି ପ୍ରତ୍ୟହ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବାବେଳେ ଅନ୍ୟ ଆଠଗୋଟି ଘଟ ଆଠଜଣ ଡ଼େରା ସଂପ୍ରଦାୟ ମୁଖ୍ୟ ସେନାପତିମାନଙ୍କ ପତ୍ନୀମାନେ ମଣ୍ଡନ କରିବା ପରମ୍ପରା ପ୍ରଚଳିତ ।

ମୁଖ୍ୟ ଘଟ ସହ ଅନ୍ୟ ଆଠଗୋଟି ଘଟ ସାହୀ ପରିକ୍ରମା କାଳରେ ପ୍ରଥମେ ମହୁରି ରାଜଉଆସକୁ ଯାଇଥାନ୍ତି । ସେଠି ରାଜ ପରିବାର ଦ୍ୱାରା ପୂଜିତ ହେବା ପରେ ଅନ୍ୟାନ୍ୟ ଅଞ୍ଚଳକୁ ଯାତ୍ରା କରିଥାନ୍ତି । ଯାତ୍ରାର ତୃତୀୟ ଦିନଠାରୁ ସାହୀ ପରିକ୍ରମା ଆରମ୍ଭ ହେବା ପରେ ପ୍ରଥମେ କେତେଦିନ କେବଳ ରାଜ ଉଆସ ଓ ଆଖପାଖ ଅଞ୍ଚଳ ଭ୍ରମଣରେ ଫେରିବା ପରେ କ୍ରମଶଃ ଅନ୍ୟାନ୍ୟ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଥାଏ ।

ଏହି ସାହୀ ପରିକ୍ରମାର ସୀମାରେଖା ସାଧାରଣତଃ ବଡ଼ବଜାର, ପୁରୁଣା ବ୍ରହ୍ମପୁର ଓ କାଠମେଣ୍ଟୁ ଛକ ମଧ୍ୟରେ ସୀମିତ ହୋଇଥାଏ । ପ୍ରତ୍ୟହ ସନ୍ଧ୍ୟାରେ ଏହି ସମସ୍ତ ଅଞ୍ଚଳ ପରିକ୍ରମା କରିବା ସମ୍ଭବପର ନହେବା ଯୋଗୁଁ ଦୈନିକ ମାତ୍ର କେତେଗୋଟି ସାହୀ ପାଳି କରି ପରିକ୍ରମା କରାଯାଇଥାଏ । ଏହି ଅବସରରେ ସଂପୃକ୍ତ ସାହୀବାସିନ୍ଦାମାନେ ନିଜ ଗୃହ ସାମନାରେ ଦେବୀଙ୍କୁ ପୂଜା ଅର୍ଚ୍ଚନା କରିବାର ସୁଯୋଗ ପାଇଥାନ୍ତି । ଠାକୁରାଣୀ ଯାତ୍ରା ଆରମ୍ଭ ହେବା ତୃତୀୟ ଦିବସଠାରୁ ଶେଷ ଯାଏଁ ଏହି ଘଟ ପରିକ୍ରମା ନିୟମିତ ଚାଲିଥାଏ । ଶେଷ ଦିନ ଏହି ନଅଗୋଟି ଘଟ ସହ ମାନସିକ କରିଥିବା ପରିବାରବର୍ଗଙ୍କ ପକ୍ଷରୁ ସ୍ତ୍ରୀଲୋକମାନେ ଘଟ ମଣ୍ଡନ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି । ଅସ୍ଥାୟୀ ମନ୍ଦିରରୁ ଶୋଭାଯାତ୍ରା ବାହାରି ସମସ୍ତ ସାହୀ ପରିକ୍ରମାପୂର୍ବକ ବଡ଼ ଠାକୁରାଣୀ ମନ୍ଦିରରେ ପହଞ୍ଚିଥାଏ ଏବଂ ମନ୍ଦିର ପ୍ରାଙ୍ଗଣରେ ଘଟ ବିସର୍ଜନ ପରେ ସେହି ବର୍ଷର ଠାକୁରାଣୀ ଯାତ୍ରା ଶେଷ ହୋଇଥାଏ ।

No comments: