Thursday, April 4, 2019

ଯାତ୍ରାରେ ଭୋଗ


ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାରମ୍ପରିକ ଭାବେ ତେଲୁଗୁ ଭାଷାଭାଷୀ ବୁଣାକର ଦେବାଙ୍ଗ ସଂପ୍ରଦାୟଦ୍ୱାରା ଆୟୋଜିତ ହୋଇଥାଏ । ସହରରେ ଦେବାଙ୍ଗ ସଂପ୍ରଦାୟ ୧୮ ଗୋଟି ବସ୍ତି ବା ମଣ୍ଡଳରେ ବିଚ୍ଛୁରିତ ହୋଇ ବସବାସ କରୁଥିବା କୁହାଯାଏ । ପ୍ରତ୍ୟେକ ମଣ୍ଡଳଲାଗି ଜଣେ ସେନାପତି ନିଯୁକ୍ତ ହୋଇଥାନ୍ତି । ତେବେ ସହରର ଦେବାଙ୍ଗ ସଂପ୍ରଦାୟର ମୁଖ୍ୟ ରୂପେ ଦେଶୀ ବେହେରାଙ୍କୁ ମାନ୍ୟତା ମିଳିଥାଏ । ୧୭୮୨ ମସିହାରେ କିଛି ବର୍ଷ ପୂର୍ବରୁ ଦାକ୍ଷିଣାତ୍ୟର ରାଜମହେନ୍ଦ୍ରୀ ଅଞ୍ଚଳରୁ ଏହି ବୁଣାକାରମାନେ ମହୁରି ରାଜାଙ୍କ କୃପାରେ ବ୍ରହ୍ମପୁରରେ ପହଞ୍ଚି ରାଜନଅରର ଆଖପାଖ ଅଞ୍ଚଳରେ ବସତି ସ୍ଥାପନ କରିବାପରେ ସେମାନଙ୍କ ମୁଖ୍ୟଙ୍କୁ ମହୁରି ରାଜା ଦେଶୀ ବେହେରା ଉପାଧି ପ୍ରଦାନ କରିଥିଲେ । ସେହି ଦିନୁ ବଂଶାନୁକ୍ରମିକ ଭାବେ ଦେଶୀବେହେରା ନିଯୁକ୍ତ ହୋଇ ଆସୁଛନ୍ତି ।

ଠାକୁରାଣୀ ଯାତ୍ରା ପାଳନ ଅବସରରେ ଅସ୍ଥାୟୀ ମଣ୍ଡପରେ ସ୍ଥାପିତ ଘଟ ପୂଜାଅର୍ଚ୍ଚନା କରିବା ଲାଗି ଭକ୍ତମାନେ ପ୍ରଭାତରୁ ରାତ୍ରୀ ଯାଏଁ ସୁଯୋଗ ପାଇଥାନ୍ତି । ସକାଳ ୫ ରୁ ରାତି ୧୧ ଯାଏଁ ଯାତ୍ରୀଙ୍କ ଭିଡ଼ ଲାଗି ରହିଥାଏ । ଭକ୍ତମାନେ ନଡିଆ, କଦଳୀ ସହ ଗଜାମୁଆଁ ଭୋଗ ଲଗାଇ ଥାନ୍ତି । ଯାତ୍ରାରେ ଗଜା ମୁଆଁ ଭୋଗ ଲଗାଇବାକୁ କେତେକ ମାନସିକ ମଧ୍ୟ କରିଥାନ୍ତି । ଏଠାରେ ଭକ୍ତମାନଙ୍କ ପକ୍ଷରୁ ଶୁଙ୍ଖୁଡ଼ିଭୋଗ କରାଯିବା ନିଷେଧ । ବଡ଼ ଠାକୁରାଣୀ ମନ୍ଦିରରେ ମଧ୍ୟ ଶୁଙ୍ଖୁଡ଼ି ବା ରନ୍ଧା ଦ୍ରବ୍ୟ ଭୋଗ ହୁଏ ନାହିଁ । ମାନସିକ ରଖିଥିବା ଭକ୍ତମାନେ ମନ୍ଦିର ବେଢ଼ାରେ ଥିବା ନିମଗଛଠାରେ ଶୁଙ୍ଖୁଡ଼ି ଭୋଗ ଲଗାଇଥାନ୍ତି । ସନ୍ଧ୍ୟାରେ ଘଟ ପରିକ୍ରମା କାଳରେ ମଧ୍ୟ ଏହି ନିୟମ ବଳବତ୍ତର ରହେ ।

ଯାତ୍ରା ପରିଚ଼ାଳନା ସମିତି ପକ୍ଷରୁ ଦୈନିକ ପ୍ରାୟ ୧୪ ଗୋଟି ଭୋଗର ବ୍ୟବସ୍ଥା କରାଯାଇଥାଏ । ସକାଳ ୫ ରୁ ୬ ଘଣ୍ଟା ମଧ୍ୟରେ କୁଙ୍କୁମାର୍ଜନା, ସକାଳ ୮ ଘଣ୍ଟାରେ ବାଳଭୋଗ, ମଧ୍ୟାହ୍ନ ୧ ଘଣ୍ଟା ୩୦ ମିନଟ ଓ ରାତି ୧୦ ଘଣ୍ଟାରେ ରାଜଭୋଗ, ସକାଳ ୧୦ ଘଣ୍ଟାରୁ ଅପରାହ୍ନ ୨ ଘଣ୍ଟା ମଧ୍ୟରେ ତିନି ପର୍ଯ୍ୟାୟରେ ଏବଂ ସନ୍ଧ୍ୟା ୪ ଘଣ୍ଟାରୁ ରାତି ୮ ଘଣ୍ଟା ମଧ୍ୟରେ ଆଉ ତିନି ପର୍ଯ୍ୟାୟରେ ଅନ୍ନପ୍ରସାଦ ଭୋଗ ହୋଇଥାଏ । ଏହା ବ୍ୟତୀତ ସକାଳ ୭ ଘଣ୍ଟାରୁ ଅପରାହ୍ନ ୨ ଘଣ୍ଟା ମଧ୍ୟରେ ଜଳଦାନ ଓ ନବାତପଣା ଭୋଗର ମଧ୍ୟ ବ୍ୟବସ୍ଥା କରାଯାଇଥାଏ । ଏହି ସମସ୍ତ ଭୋଗ ପ୍ରସ୍ତୁତି ନିମନ୍ତେ ଯାତ୍ରା ପରିଚ଼ାଳନା ସମିତି ପକ୍ଷରୁ ଆଗ୍ରହୀ ଭକ୍ତମାନଙ୍କଠାରୁ ଦାନ ସଂଗ୍ରହ କରାଯାଇଥାଏ ।

ପ୍ରତ୍ୟେହ ପ୍ରଯୋଜିତ ଛଅଗୋଟି ଅନ୍ନଦାନରୁ ଚ଼ାରିଗୋଟିରୁ ପ୍ରତ୍ୟେକଟି ଲାଗି ଟ.୫,୦୦୧ ଏବଂ ଦୁଇଗୋଟିରୁ ପ୍ରତ୍ୟେକଟି ଲାଗି ଟ.୧୦,୦୦୧ ତଥା ପ୍ରତ୍ୟେକ ରାଜଭୋଗ ଲାଗି ଟ.୧୦,୦୦୧ ସଂଗ୍ରହ କରାଯାଇଥାଏ । ସେହିପରି ଜଳଦାନ ପାଇଁ ଟ.୨,୫୦୧ ରୁ ଟ.୫,୦୦୧ ଓ ନବାତ ପଣା ପାଇଁ ଟ.୫,୦୦୧ ସଂଗୃହୀତ ହୋଇଥାଏ । ସାମୂହିକ କୁଙ୍କୁମାର୍ଜନା ନିମନ୍ତେ ଟ.୨୦୧ ଓ ବାଳଭୋଗ ନିମନ୍ତେ ଟ.୧,୦୦୧ ସଂଗୃହୀତ ହୋଇଥାଏ । ଅସ୍ଥାୟୀ ମଣ୍ଡପରେ ଭୋଗନୀତି ଦର ତାଲିକା ଯାତ୍ରା ପରିଚ଼ାଳନା ସମିତି କାର୍ଯ୍ୟାଳୟରେ ବିଜ୍ଞପ୍ତି ଆକାରରେ ପ୍ରକାଶ କରାଯାଇଥାଏ ଏବଂ ଭକ୍ତମାନେ ସେଠାରେ ଦାନ ଦଖଲ କରିଥାନ୍ତି ।

ଠାକୁରାଣୀ ଯାତ୍ରା ଅବସରରେ ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଘରେଘରେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତିର ପ୍ରଥା ଚଳି ଆସିଛି । ଯାତ୍ରାର ଶେଷ ସପ୍ତାହରେ ବିବାହିତା କନ୍ୟା ଓ ଅନ୍ୟତ୍ର ବସବାସ କରୁଥିବା ଆତ୍ମୀୟସ୍ୱଜନମାନେ ଆସୁଥିବା ହେତୁ ପରିବାରଗୁଡ଼ିକରେ ଅତିଥି ପରିଚ଼ର୍ଯ୍ୟା ଲାଗିରହେ । ଏତଦ୍ ବ୍ୟତୀତ ଯାତ୍ରାରେ ଯୋଗଦେବା ପାଇଁ ସହରବାହାରୁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ ଭଳିକିଭଳି ମିଷ୍ଟାନ୍ନ ଦୋକାନ ଖୋଲିଥାଏ ।

No comments: