Monday, April 22, 2019

ଠାକୁରାଣୀ ଯାତ୍ରାବେଳେ ବ୍ରହ୍ମପୁରର ପାଣିପାଗ

ଗ୍ରୀଷ୍ମଋତୁରେ ବ୍ରହ୍ମପୁର ସହରର ତାପମାତ୍ରା ୩୨ ରୁ ୩୮ ଡ଼ିଗ୍ରୀସେଲସିୟସ ଯାଏଁ ରହୁଥିବା ହେତୁ ଠାକୁରାଣୀ ଯାତ୍ରା ଅବସରରେ ଗରମ ପାଗ ଅନୁଭୂତ ହୁଏ । ସଂଭବତଃ ଏହି କାରଣରୁ ଯାତ୍ରାର ସମସ୍ତ ମୁଖ୍ୟ କାର୍ଯ୍ୟକ୍ରମ ସଂଧ୍ୟା ବା ରାତ୍ରୀ ସମୟରେ ସମାହିତ ହୋଇଥାଏ । ଯାତ୍ରା ଆୟୋଜନ ପାଇଁ ସଭା ରାତିର ପ୍ରଥମ ପ୍ରହରରେ ଅନୁଷ୍ଠିତ ହୋଇ ଶୁଭଖୁଣ୍ଟ ଶୋଭାଯାତ୍ରା ତଥା ଶୁଭଖୁଣ୍ଟ ସ୍ଥାପନ ଗଭୀର ରାତ୍ରୀ ସୁଦ୍ଧା ସରିଥାଏ । ଯାତ୍ରା ଆରମ୍ଭ ପାଇଁ ମଧ୍ୟରାତ୍ରୀ ପରେ ଦେଶୀ ବେହେରା ସାହୀରୁ ଶୋଭାଯାତ୍ରା ବଡ଼ ଠାକୁରାଣୀ ମନ୍ଦିର ଯାଇ ଗଭୀର ରାତ୍ରୀରେ ଅସ୍ଥାୟୀ ମଣ୍ଡପରେ ପହଞ୍ଚେ । ପ୍ରତ୍ୟେହ ରାତି ୮ ଘଣ୍ଟାରୁ ୧୧ ଘଣ୍ଟା ମଧ୍ୟରେ ଠାକୁରାଣୀଙ୍କ ଘଟ ସାହୀ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ସେହିପରି ଯାତ୍ରା ଶେଷ ଦିନ ଘଟ ଶୋଭାଯାତ୍ରା ମଧ୍ୟରାତ୍ରୀରୁ ଆରମ୍ଭ ହୋଇ ପାହନ୍ତା ପ୍ରହରରେ ବଡ଼ ଠାକୁରାଣୀ ମନ୍ଦିରରେ ସମାପ୍ତ ହୋଇଥାଏ । ଅଧିକାଂଶ ମାନସିକ କରିଥିବା ବେଶଧାରୀମାନେ ଅପରାହ୍ନରେ ବେଶଭୂଷାରେ ଚ଼ିତ୍ରିତ ହୋଇ ସନ୍ଧ୍ୟା ସୁଦ୍ଧା ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ ସାରି ନଗର ଭ୍ରମଣ କରିଥାନ୍ତି । ରଥ ଓ କଳାକୁଞ୍ଜଗୁଡ଼ିକ ସନ୍ଧ୍ୟା ପରେ ରଂଗବେରଙ୍ଗ ଆଲୋକରେ ସଜ୍ଜିତ ହୋଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।

ଅସ୍ଥାୟୀ ମଣ୍ଡପରେ ଠାକୁରାଣୀଙ୍କ ପୂଜା ଅର୍ଚ୍ଚନା ଦିନସାରା ଲାଗି ରହୁଥିବା ତଥା ଦର୍ଶନଲାଗି ଭକ୍ତଙ୍କ ଯାତାୟାତକୁ ଲକ୍ଷ୍ୟ ରଖି ଦେଶୀ ବେହେରାଙ୍କ ବାସଭବନ ସମ୍ମୁଖରେ ସ୍ଥାପିତ ଅସ୍ଥାୟୀ ମଣ୍ଡପଠାରୁ ନଡ଼ିଆଗୋର୍ଜି ଏବଂ ନଡ଼ିଆଗୋର୍ଜିରୁଦେଶୀବେହେରାସାହୀ ତ୍ରିନାଥ ମଣ୍ଡପ ଯାଏଁ ଦୁଇଗୋଟି ସୁଉଚ୍ଚଛାମୁଣ୍ଡିଆ ନିର୍ମିତ ହୋଇଥାଏ । ଏହାର ନିର୍ମାଣ ଲାଗି ବାଉଁଶ ଓ ଶୁଖୁଲାନଡ଼ିଆ ବାହୁଙ୍ଗା ବ୍ୟବହୃତ ହୁଏ । ବିଦ୍ୟୁତ ପଙ୍ଖା ଓ ରାତିରେ ଆଲୋକର ସୁବିଧା କରାଯାଇଥାଏ । ଏହା ଦିନବେଳା ଯାତ୍ରୀମାନଙ୍କୁ ଛାୟା ପ୍ରଦାନ ସାଙ୍ଗକୁ ଯାତ୍ରା ଆୟୋଜନର ଆନୁସାଙ୍ଗିକକାର୍ଯ୍ୟଲାଗି ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ନଡ଼ିଆଗୋର୍ଜି ଓ ଗୁଡ଼ଗୋର୍ଜିରେ ମଧ୍ୟ ଚାନ୍ଦୁଆ ଟାଣି ଛାମୁଣ୍ଡିଆର ବ୍ୟବସ୍ଥା ହୋଇଥାଏ ମୋଟ ଉପରେ କହିବାକୁ ଗଲେ ଠାକୁରାଣୀ ଯାତ୍ରାର କେନ୍ଦ୍ରସ୍ଥଳଟି ଯାତ୍ରା ଅବସରରେ ରୌଦ୍ରତାପରୁନିସ୍ତାରଲାଗିସାମର୍ଥ୍ୟମତେ ପ୍ରଚେଷ୍ଟା କରାଯାଇଥାଏ ।

ଠାକୁରାଣୀ ଯାତ୍ରା ଅବସରରେ ବ୍ରହ୍ମପୁରର ଉପକୂଳବର୍ତ୍ତୀ ପାଣିପାଗ ହେତୁ ବେଳେବେଳେ ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହୋଇଥାଏ । ଅତ୍ୟଧିକ ଗରମ ଓ ବାୟୁମଣ୍ଡଳରେ ଆଦ୍ରତା ହେତୁ ଗ୍ରୀଷ୍ମଋତୁରେ ଏଠାରେ କାଳବୈଶାଖୀ ଦେଖିବାକୁ ମିଳେ । ପବନ ବହିବା ସହ କୁଆପଥର ବର୍ଷା ମଧ୍ୟ ହୁଏ । ଅବଶ୍ୟ ଗ୍ରୀଷ୍ମଋତୁରେ ସମଗ୍ର ଉପକୂଳବର୍ତ୍ତୀ ଓଡ଼ିଶାରେ ଏଭଳି ପାଣିପାଗ ଅନୁଭୂତ ହୋଇଥାଏ । ଅପରାହ୍ନ ୩ ଘଣ୍ଟା ୪ ଘଣ୍ଟା ବେଳକୁ ବର୍ଷା ଆରମ୍ଭ ହୋଇ ଘଣ୍ଟାଏ ଦେଢ଼ଘଣ୍ଟା ପରେ ଛାଡ଼ିଯିବା ଫଳରେ ବାୟୁମଣ୍ଡଳ ଆଦ୍ର ହୋଇଯାଏ ଏବଂ ସନ୍ଧ୍ୟାରେ ଘଟ ପରିକ୍ରମାରେ ଅଂଶ ଗ୍ରହଣ କରିବା ପାଇଁ ଯାତ୍ରୀମାନଙ୍କ ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ ।

ପାଣିପାଗ ବିଶାରଦମାନଙ୍କ ମତରେ ପ୍ରାକ୍-ମୌସୁମୀକାଳୀନ ଏପ୍ରିଲ ଓ ମେ ମାସରେ ବ୍ରହ୍ମପୁର-ଗୋପାଳପୁର ବଳୟରେ ବଳଶାଳୀ ସାମୁଦ୍ରିକ ବାୟୁ ପ୍ରବାହ ଅନୁଭୂତ ହୁଏ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ଉତ୍ତପ୍ତ ପରିବେଶ ଉର୍ଦ୍ଧ୍ୱଗାମୀ ଉଷ୍ଣ ଜଳୀୟବାଷ୍ପ ନିକଟସ୍ଥ କେରାଣ୍ଡିମାଳ ପର୍ବତମାଳାରେ ମେଘ ସୃଷ୍ଟି କରିଥାଏ । ଏହି ମେଘର ରଙ୍ଗ କଳା ଏବଂ ପଶ୍ଚିମ ପଟୁ ଆସି ଅଳ୍ପ ସମୟ ମଧ୍ୟରେ ସହରର ଆକାଶକୁ ଆଚ୍ଛାଦିତ କରିଦିଏ । ସମୟେ ସମୟେ ବଜ୍ର ନିର୍ଘୋଷ ସହ ବର୍ଷା ହୁଏ ଏବଂ ଏଭଳି ବର୍ଷା ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ବଳବତ୍ତର ରହେ । ଅନେକ ସମୟରେ ମେଘ ଓ ବର୍ଷା ନିର୍ଦ୍ଧିଷ୍ଟ ସମୟରେ ଆସିଥାଏ ଏବଂ ବ୍ରହ୍ମପୁରରେ ବର୍ଷା ହେବାବେଳେ ଅପେକ୍ଷାକୃତ ସମୁଦ୍ରତଟବର୍ତ୍ତୀଭଞ୍ଜବିହାର ଓ ଗୋପାଳପୁରଠାରେ ବର୍ଷାର ଚ଼ିହ୍ନବର୍ଣ୍ଣ ନଥାଏ । ଡ଼ୁରା-ପଥରା ଗ୍ରାମାଞ୍ଚଳ ନିକଟରେ ସାମୁଦ୍ରିକ ପ୍ରଭାବର ସୀମା ଅନୁଭୂତ ହେଉଥିବା ହେତୁ ଗର୍ଜନଶୀଳ ମେଘର ସଂପ୍ରସାରଣ ବାଧାପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ । ଅତୀତରେ ଏ ରକମର ପାଣିପାଗ ବ୍ରହ୍ମପୁରରେ ବାରମ୍ୱାର ଅନୁଭୂତ ହେଉଥିବା ବେଳେ ଆଜିକାଲି ଅପେକ୍ଷାକୃତ କମ ଦିବସରେ ଦେଖିବାକୁ ମିଳୁଛି । ସମକାଳୀନ ଜଳବାୟୁ ପରିବର୍ତ୍ତନର ଏକ ଉଦାହରଣଭାବେ ଏହାକୁ ଗ୍ରହଣ କରାଯାଇପାରେ ।

ଉପକୂଳବର୍ତ୍ତୀ ବ୍ରହ୍ମପୁର ଲାଗି ସାମୁଦ୍ରିକ ଲଘୁଚ଼ାପଜନିତଝଡ଼ବତାସରୁ ନିସ୍ତାର ନାହିଁ । ଠାକୁରାଣୀ ଯାତ୍ରା ବେଳେ ଦୈବାତଝଡ଼ବତାସର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ । କିମ୍ୱଦନ୍ତୀ ପ୍ରକାରେ ଅତୀତରେ ଥରେ ଘଟ ପରିକ୍ରମାବେଳେ ପ୍ରବଳ ଝଡ଼ବତାସ ହେତୁ ଠାକୁରାଣୀଙ୍କ ଘଟ ଜଉରାସାହୀସ୍ଥିତ କୁବେର ସେନାପତିଙ୍କ ବାସଗୃହରେ କିଛି ସମୟପାଇଁ ଅଟକି ଥିଲା । ସେହିଦିନୁ କୁବେର ସେନାପତିଙ୍କ ବାସଗୃହକୁ ମାଉସୀ ଘର ନାମିତ କରାଯାଇଛି । ଯାତ୍ରା ଅବସରରେ ଘଟ ପରିକ୍ରମା କାର୍ଯ୍ୟସୂଚ଼ୀରେ ଦୁଇଥର ମାଉସୀ ଘରକୁ ଯିବା ପରମ୍ପରା ରହିଛି । ଯାତ୍ରା ଶେଷଦିନ ମନ୍ଦିର ପ୍ରତ୍ୟାବର୍ତ୍ତନ ସମୟରେ ମଧ୍ୟ ମାଉସୀଙ୍କ ଘରଠାରେ ଘଟ ଅଟକି ଥାଏ । ଅନ୍ୟ କିମ୍ୱଦନ୍ତୀରେ ଶତ୍ରୁ ଆକ୍ରମଣରୁ ରକ୍ଷା ପାଇଁ ଘଟ ମାଉସୀଙ୍କ ଘରେ କିଛି ସମୟ ରହିଥିବା ଚର୍ଚ୍ଚିତ ହେଉଥିଲେ ହେଁ ପାଣିପାଗଜନିତ ଘଟଣାଟି ଅପେକ୍ଷାକୃତ ବାସ୍ତବ ମନେ ହୁଏ ।

Sunday, April 21, 2019

ଠାକୁରାଣୀ ଯାତ୍ରାରେ ସର୍ଜନଶୀଳତା

ବ୍ରହ୍ମପୁର ଠାକୁରାଣୀ ଯାତ୍ରା କାର୍ଣ୍ଣିଭଲସ୍ତରୀୟ ଲୋକ ମହୋତ୍ସବ ପର୍ଯ୍ୟାୟଭୁକ୍ତ ହେଉଥିବା ବେଳେ ପାରମ୍ପରିକ ପୂଜାବିଧିକୁ ବାଦ ଦେଲେ ଅନ୍ୟ ସମସ୍ତ ଆୟୋଜନରେ ସର୍ଜନଶୀଳତା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ଥିବା ଦେଖିବାକୁ ମିଳିଥାଏ । ଏହି ଉତ୍ସବରେ ଶୋଭାଯାତ୍ରା, ବେଶ ଧାରଣ, ରଥ ଓ କଳାକୁଞ୍ଜ ପ୍ରଯୋଜନା ଏବଂ ଯାତ୍ରୀ ଅଭ୍ୟର୍ଥନାକୁ ଚ଼ାରିଗୋଟି ମୁଖ୍ୟ ଉପାଦାନ ରୂପେ ଗ୍ରହଣ କରାଯାଇପାରେ । ପ୍ରଥମତଃ ଶୋଭାଯାତ୍ରା ଆୟୋଜନ ଯାତ୍ରାର ମୁଖ୍ୟ ଆକର୍ଷଣ । ଯାତ୍ରା ତିଥି ନିର୍ଦ୍ଧାରଣ ପରେ ଶୁଭଖୁଣ୍ଟ ନେଇ ଦେଶୀବେହେରାସାହୀରୁବଡ଼ ଠାକୁରାଣୀ ମନ୍ଦିର ଯାତ୍ରା ଓ ଫେରନ୍ତା ଯାତ୍ରା, ଠାକୁରାଣୀଙ୍କୁ ନିମନ୍ତ୍ରଣ ଓ ଠାକୁରାଣୀଙ୍କ ଆଗମନ, ପ୍ରତ୍ୟେହ ସନ୍ଧ୍ୟାରେ ଘଟ ପରିକ୍ରମା ଏବଂ ଶେଷ ଦିବସରେ ଘଟ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ମୁଖ୍ୟତଃ ଶୋଭାଯାତ୍ରାରେ ପର୍ଯ୍ୟବସିତ । ଏହାକୁ ସୁଦୃଶ୍ୟ କରିବା ନିମନ୍ତେ ସର୍ଜନଶୀଳତାର ଆଶ୍ରୟ ନିଆ ଯାଇଥାଏ । ଶୋଭାଯାତ୍ରାରେ ବହୁ ଲୋକଙ୍କ ଅଂଶ ଗ୍ରହଣ, ନେତୃ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି, ସମସ୍ତଙ୍କ ଉତ୍ତମ ପୋଷାକ ପରିଧାନ, ବାଜାବାଜଣା, ଲୋକନୃତ୍ୟ ଏବଂ ଶେଷ ଦିନ ବେଶଧାରୀଙ୍କ କୋଳାହଳମୟ ପରିବେଶ ବ୍ୟକ୍ତିଗତ, ପାରିବାରିକ ତଥା, ସାମୂହିକସ୍ତରରେସର୍ଜନଶୀଳତା ଲାଗି କ୍ଷେତ୍ର ଉନ୍ମୁକ୍ତ ରଖିଥାଏ ।

ଦକ୍ଷିଣ ଆମେରିକା ଓ ଆଫ୍ରିକୀୟ ଦେଶଗୁଡ଼ିକରେକାର୍ଣ୍ଣିଭଲ ପାଳନ ଅବସରରେ ପଶୁପକ୍ଷୀ ତଥା ବିଭିନ୍ନ ଚ଼ରିତ୍ର ବେଶ ଧାରଣ କରିବା ଆନ୍ତର୍ଜାତିକ କ୍ଷେତ୍ରରେ ବେଶ୍ ଆଲୋଚ଼ିତ । ଆମେ ଦେଶର ବିଭିନ୍ନ ପ୍ରାନ୍ତର ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ଅନୁରୂପ ଉଦାହରଣ ଦେଖିବାକୁ ମିଳିଥାଏ । ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବେଶ ଧାରଣରେ ସର୍ଜନଶୀଳତାରପଟ୍ଟାନ୍ତର ନାହିଁ । ପଶୁପକ୍ଷୀ, ପୌରାଣିକ ଓ ଲୋକ ଚରିତ୍ର ଅନୁକରଣରେ ବେଶଧାରଣ ବିବିଧତା ପରିସ୍ପୁଟନରେ ସହାୟକ ହୋଇଥାଏ । ଅତୀତରେ ଏକ ବ୍ୟାୟମଶାଳାର ସଦସ୍ୟମାନେ ଏକ ଛୋଟ ସର୍କସ ଦଳ ବେଶ ବାହାର କରୁଥିଲେ, ଲୋକପ୍ରିୟ ହିନ୍ଦୀ, ଚଳଚ଼ିତ୍ରଚନ୍ଦ୍ରଲେଖାର ନୃତ୍ୟଗୀତି ଅନୁକରଣରେ ଏକ ବେଶ ସଂଯୋଜନା କରାଯାଉଥିଲା । ଯାତ୍ରା ଶେଷ ଦିନ ଘଟ ଶୋଭାଯାତ୍ରାରେ ଶବ ବାହକ ବେଶ ପ୍ରତିବର୍ଷ ଦେଖିବାକୁ ମିଳେ । ବେଶ ଧାରଣରେ କୌଣସି ବାରଣ ନାହିଁ । ଏହି କ୍ଷେତ୍ରରେ ସର୍ଜନଶୀଳତା ବା ବେଶ ଧାରଣ ବ୍ୟକ୍ତି ବିଶେଷଙ୍କ କଳ୍ପନା ପ୍ରବଣତାକୁ ଦର୍ଶକଙ୍କ ପ୍ରଶଂସା ମିଳିଥାଏ ।

ରଥ ଓ କଳାକୁଞ୍ଜ ନିର୍ମାଣରେ ସର୍ଜନଶୀଳତା ଭିତ୍ତିଭୂମି ରୂପେ କାର୍ଯ୍ୟ କରିଥାଏ । ରଥ କ୍ଷେତ୍ରରେ ପ୍ରାରମ୍ଭିକଭାବେ ରଥ ନିର୍ମିତ ହେବା ପରେ ରଥରେ ବ୍ୟବହୃତ ସାମଗ୍ରୀକୁ ଯତ୍ନର ସହକାରେ ରଖାଯାଇ ପ୍ରତିବର୍ଷ ପୁଣି ବ୍ୟବହାର କରାଯାଉଥିବା ବେଳେ କଳାକୁଞ୍ଜ କ୍ଷେତ୍ରରେ ପ୍ରତିବର୍ଷ ନୂଆ ନୂଆ ଦୃଶ୍ୟ ସଂଯୋଜନା କରାଯାଇଥାଏ । ରଥ ସାଜସଜ୍ଜାରେ ସର୍ଜନଶୀଳତାର ପରିପ୍ରକାଶ ଘଟୁଥିବାବେଳେ କଳାକୁଞ୍ଜ ନିର୍ମାଣରେ ଅପେକ୍ଷାକୃତଭାବେ ଅଧିକ କଳ୍ପନା ପ୍ରକାଶର ସୁଯୋଗ ମିଳିଥାଏ । ଏତଦ୍ବ୍ୟତୀତ ରଥ ଓ କଳାକୁଞ୍ଜର ପରିବେଶ ଓ ଆଖପାଖ ଅଞ୍ଚଳ ସାଜସଜ୍ଜାରେ ମଧ୍ୟ କଳାତ୍ମକ ରୁଚ଼ିପରିସ୍ପୁଟିତ ହୋଇଥାଏ ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ସ୍ୱେଚ୍ଛାସେବୀମାନେ ଯାତ୍ରୀ ଅଭ୍ୟର୍ଥନାର ଦାୟିତ୍ୱ ସ୍ୱତଃପ୍ରବୃତ୍ତଭାବେ ନିର୍ବାହ କରିଥାନ୍ତି । ଘଟ ପରିକ୍ରମା କାଳରେ ଶାନ୍ତିଶୃଙ୍ଖଳା ରକ୍ଷାଠାରୁ ଆରମ୍ଭ କରି ଯାତ୍ରୀଙ୍କୁ ଜଳଯୋଗ ଯୋଗାଇ ଦେବା ଯାଏଁ ବିଭିନ୍ନ କାର୍ଯ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ସମାହିତ ହୋଇଥାଏ । ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକ ଉତ୍ତରାର୍ଦ୍ଧରୁ ଯାତ୍ରାର ଶେଷ ତିନିଦିନ ବିଭିନ୍ନ ବ୍ୟକ୍ତିବିଶେଷେ, ପରିବାର କିମ୍ୱା ଅନୁଷ୍ଠାନ ପକ୍ଷରୁ ଯାତ୍ରୀମାନଙ୍କ ନିମନ୍ତେ ଜଳଯୋଗର ବ୍ୟବସ୍ଥା ସର୍ଜନଶୀଳତାର ଅନ୍ୟତମ ପରିପ୍ରକାଶ । ଅତୀତରେ ସହର ବାହାରୁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ କନ୍ୟାକାପରମେଶ୍ୱରୀ ମନ୍ଦିରଠାରେ ରିହାତି ଦରରେ ମଧ୍ୟାହ୍ନ ଭୋଜନର ସୁବିଧା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସନ୍ଧ୍ୟା ୫ ରୁ ୧୧ ଯାଏଁ ବିଭିନ୍ନ ସାହୀରେ ବିଭିନ୍ନ ରକମର ମାଗଣା ଜଳଯୋଗ ବିତରଣ କରାଯାଉଛି ।

ଲୋକ ଉତ୍ସବଗୁଡ଼ିକରେ ସ୍ଥାନୀୟ ଅଧିବାସୀଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ରହୁଥିବା ହେତୁ ବିଭିନ୍ନ କଳ୍ପନା ପ୍ରସୂତ ଧାରା ସନ୍ନିବେଶିତ ହେବା ସ୍ୱାଭାବିକ । ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସେହି କାରଣରୁ ଏକ ଚ଼ିତ୍ତାକର୍ଷକ ମହୋତ୍ସବ ରୂପେ ଗଢ଼ି ଉଠିଛି ।

Friday, April 19, 2019

କୃତଜ୍ଞତା ଜ୍ଞାପନର ପର୍ବ ଠାକୁରାଣୀ ଯାତ୍ରା

ହିନ୍ଦୁ ଧର୍ମାବଲମ୍ୱୀମାନେ ଦେବଦେବୀଙ୍କଠାରେ କୃତଜ୍ଞତା ଜ୍ଞାପନ ପାଇଁ ବିଭିନ୍ନ ତୀର୍ଥ ଭ୍ରମଣ ତଥା ଧାର୍ମିକ ଉତ୍ସବରେ ଅଂଶ ଗ୍ରହଣ କରିଥାନ୍ତି । ସାଧାରଣ ଜୀବନଯାତ୍ରାରେ ଝଡ଼ଝଞ୍ଜାର ସମ୍ମୁଖୀନ ହେବାବେଳେ ଅନେକେ ଦେବଦେବୀଙ୍କ କୃପା ଲାଭଲାଗି ପ୍ରାର୍ଥନା କରି ଶରଣାପନ୍ନ ହୋଇଥାନ୍ତି । ସମୟାନ୍ତେ ସ୍ଥିତାବସ୍ଥାକୁ ଫେରିବା ପରେ ବିଭିନ୍ନ ଧାର୍ମିକ ପର୍ବପର୍ବାଣୀରେ ଅଂଶ ଗ୍ରହଣ କରି କୃତଜ୍ଞତା ଜ୍ଞାପନ ମଧ୍ୟ କରିଥାନ୍ତି । ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକ ମହୋତ୍ସବ ଭାବେ ଗଢ଼ିଉଠିଥିବାସ୍ଥଳେ ମୁଖ୍ୟତଃ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ ତଥା ମାନସିକ ବେଶ ଧାରଣକୁ ବିଚ଼ାରକୁ ନେଲେ ଏହାକୁ ଏକ କୃତଜ୍ଞତା ଜ୍ଞାପନର ପର୍ବ ରୂପେ ବିବେଚ଼ନା କରାଯାଇପାରେ ।

ଠାକୁରାଣୀ ଯାତ୍ରାରେ ବେଶ ଧାରଣ ପାଇଁ ଜଣେ ନିଜେ ମାନସିକ କରିପାରେ କିମ୍ୱା ଅନ୍ୟ ଜଣକ ପାଇଁ ମଧ୍ୟ ମାନସିକ କରାଯାଇ ପାରେ । ବୟସ୍କ ପୁରୁଷମାନେ ନିଜେ ମାନସିକ କରୁଥିବା ବେଳେ କମ ବୟସର ବାଳକମାନଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା ବା ପରିବାରର ଗୁରୁଜନମାନେ ମାନସିକ କରିଥାନ୍ତି । ପାରମ୍ପରିକଭାବେ ଗଞ୍ଜାମ ଜିଲ୍ଲାରେ ଶକ୍ତିପୂଜା ବହୁଳଭାବେ ପ୍ରଚଳିତ ଏବଂ ବ୍ରହ୍ମପୁରରେ ବଡ଼ ଠାକୁରାଣୀ ଅଧିଷ୍ଠାତ୍ରୀ ଦେବୀରୂପେ ପୂଜିତ । ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ଦୁଇଶହରୁ ଅଧିକ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ହେତୁ ଏହି ଭଳି ଏକ ଧାର୍ମିକ ମହୋତ୍ସବରେ ବେଶ ଧାରଣଲାଗି ମାନସିକ କରିବା ଧାରା ଲୋକଆଦୃତ ହୋଇପାରିଛି । ବେଶଧାରଣ କେବଳ ପୁରୁଷମାନଙ୍କ କ୍ଷେତ୍ରରେ ବାଳକଙ୍କଠାରୁ ଯୁବକଙ୍କ ମଧ୍ୟରେ ସୀମିତ ଥିବାବେଳେ ମହିଳାମାନେ ଘଟଧାରଣ ଲାଗି ମାନସିକ କରିଥାନ୍ତି । ପୁରୁଣା ବ୍ରହ୍ମପୁରର ଅନେକ ପରିବାରରେ ଏହା ଏକ ପରମ୍ପରା ରୂପେ ପ୍ରବର୍ତ୍ତିତ ହୋଇଆସିଛି ।

ଠାକୁରାଣୀ ଯାତ୍ରା ଆୟୋଜନରେ ବିଭିନ୍ନ ନୀତି ରୂପାୟନ ଲାଗି କେତେକ ନିର୍ଦ୍ଦିଷ୍ଟ ପରିବାର ପୁରୁଷାନୁକ୍ରମିକ ଭାବେ ସେବା ଯୋଗାଇ ଆସୁଥିବା ଲକ୍ଷ୍ୟ କରାଯାଇପାରେ । ଯାତ୍ରା ଆୟୋଜନ ନିମନ୍ତେ ନିଷ୍ପତ୍ତି ଗ୍ରହଣ ପରେ ଶୁଭଖୁଣ୍ଟ ସ୍ଥାପନଠାରୁ ଆରମ୍ଭ କରି, ଅସ୍ଥାୟୀ ମଣ୍ଡପ ନିର୍ମାଣ, ଗୋବର ଲେପନ ଓ ଝୋଟି ଦିଆ, ଘଟ ନିର୍ମାଣ, ଘଟ ଚ଼ିତ୍ରଣ, ଫୁଲ ସଂଗ୍ରହ, ବାଉଁଶ ଚ଼ାଙ୍ଗୁଡ଼ି ପ୍ରଦାନ, ଛାମୁଣ୍ଡିଆ ନିର୍ମାଣ, ଘଟ ପରିକ୍ରମାରେ ସୁରକ୍ଷା ଏବଂ ପୂଜା ପଦ୍ଧତି ପରିଚ଼ାଳନା ଲାଗି ବଂଶାନୁକ୍ରମିକଭାବେ କାର୍ଯ୍ୟ କରି ଆସୁଛନ୍ତି ।

ଦ୍ୱି-ବାର୍ଷିକ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ଦେଶୀବେହେରା ନିଜ କୁଳର ସେନାପତି ଓ ସର୍ବସାଧାରଣଙ୍କ ସମ୍ମତ୍ତି ହାସଲ କରିବା ପରେ ବଡ଼ ଠାକୁରାଣୀଙ୍କଠାରୁ ଆଜ୍ଞା ପାଇ ଶୁଭଖୁଣ୍ଟ ସ୍ଥାପନ ମାଧ୍ୟମରେ ଯାତ୍ରା ତିଥି ଘୋଷଣା କରିଥାନ୍ତି । ଶୁଭଖୁଣ୍ଟ ପ୍ରସ୍ତୁତି ନିମନ୍ତେ ବାଉଁଶ ଆଗାସାହୀସ୍ଥିତ ପୃଷ୍ଟି ବଂଶ ପୁରୁଣା ବ୍ରହ୍ମପୁର ବାଉରି ସାହୀରୁ କାଟି ଆଣିଥାନ୍ତି । ଏହି ବାଉଁଶର ଲମ୍ୱା ନଅ ଫୁଟ ଏବଂ ଏଥିରେ ନଅ ଗୋଟି ଗଣ୍ଠି ଥାଏ । ପୃଷ୍ଟି ପରିବାରଙ୍କ କୌଳିକ ବୃତ୍ତି ତୁଳାଭିଣା । ସେ ବାଉଁଶ ନିଜ ଘରେ ଇଷ୍ଟଦେବୀଙ୍କଠାରେ ପୂଜା କରି ଗେରୁ ଲିପି ଚନ୍ଦନ, ସିନ୍ଦୁର ଲଗାଇ ଦେଶୀବେହେରାଙ୍କ ଘର ସାମ୍ନାରେ ଆୟୋଜିତ ସଭାସ୍ଥଳକୁ ଆଣିଥାନ୍ତି । ଏହି ଶୁଭଖୁଣ୍ଟ ଶୋଭାଯାତ୍ରାରେ ବଡ଼ ଠାକୁରାଣୀ ମନ୍ଦିରକୁ ନିଆଯାଇ ଆଜ୍ଞାମାଳ ସହ ଫେରିବା ପରେ ଅସ୍ଥାୟୀ ମଣ୍ଡପ ନିର୍ମାଣସ୍ଥଳରେ ସ୍ଥାପନ କରାଯାଇଥାଏ ।

ଅସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ ପାଇଁ ଜଣେ କୌଳିକ ମହାରଣା ସ୍ୱତଃପ୍ରବୃତ୍ତଭାବେ ସେବା ଯୋଗାଇଥିବା ବେଳେ ପାରମ୍ପରିକଭାବେଶଙ୍କରପୁରସାହୀର ବାଉରି ସଂପ୍ରଦାୟର ଅବିବାହିତ କନ୍ୟା ଓ ମହିଳାମାନେ ଅସ୍ଥାୟୀ ମଣ୍ଡପରେ ଗୋବର ଲିପା ଓ ଝୋଟି ଦିଆ କାର୍ଯ୍ୟ ସମାପନ କରିଥାନ୍ତି । ଅସ୍ଥାୟୀ ମଣ୍ଡପ କଞ୍ଚା ବାଉଁଶ ଓ ନଡ଼ାରେ ନିର୍ମିତ ହେବା ବେଳେ ଝୋଟି ପାଇଁ ଧଳା ଖଡ଼ି ପାଣିରେ ଘୋରି ପିଠଉ ତିଆରି କରାଯିବା ନୀତି ରହିଛି । ଠାକୁରାଣୀଙ୍କୁ ନିମନ୍ତ୍ରଣ କରିବାପାଇଁ ଫୁଲସୁନ୍ଦରୀସାହୀରୁ ଫୁଲ ଚ଼ାଙ୍ଗୁଡ଼ି ଅଣାଯାଉଥିବା ବେଳେ ଷଣ୍ଢ ମହାନ୍ତି ସାହୀରେ ବସବାସ କରୁଥିବା ଅନ୍ୟଏକ ରାଉଳ ପରିବାର ଇଟାମଲ୍ଲୀ ଫୁଲ ହାର ଯୋଗାଇଥାନ୍ତି ।

ବଡ଼ ବଜାରରେ ଆୟୋଜିତ ଠାକୁରାଣୀ ଯାତ୍ରା ପାଇଁ ଅନ୍ୟୂନ ସାତ କିଲୋମିଟର ଦୂରବର୍ତ୍ତୀ ଲାଞ୍ଜିପଲ୍ଲୀର କୁମ୍ଭାରମାନେ ଘଟ ନିର୍ମାଣ କରି ଆସୁଛନ୍ତି । ଶୁଭ ତିଥି ଚ଼ୟନ କରି କୁମ୍ଭକାରମାନେ ଘଟ ତିଆରି କାମ ଆରମ୍ଭ କରିଥାନ୍ତି । ମଧ୍ୟରାତ୍ରୀରେ କୁମ୍ଭାର ପରିବାରର ଜଣେ ପୁରୁଷ ସଦସ୍ୟ ମୃତ୍ତିକା ପୂଜା କରି ଏକ ନିର୍ଦ୍ଦିଷ୍ଟସ୍ଥାନରୁ କାଠରେ ତାଡ଼ି ମାଟି ସଂଗ୍ରହ କରିଥାନ୍ତି । ମାଟି ହାଣ୍ଡି ନିର୍ମାଣ ପରେ ତାହାକୁ ଯେଉଁ ସ୍ଥାନରେ ପୋଡ଼ା ଯାଇଥାଏ ତାହାକୁ ପୋତି ଦିଆଯାଏ । ଅପର ପକ୍ଷେ ଯାତ୍ରାର ଶେଷ ଦିବସରେ ସାଧାରଣ ମହିଳାମାନେ ମଣ୍ଡନ କରୁଥିବା ଘଟ ଲାଠୀ ଓ ଚ଼ିକରଡ଼ା ଗ୍ରାମର କୁମ୍ଭକାରମାନଙ୍କ ଦ୍ୱାରା ନିର୍ମିତ ହୋଇଥାଏ ।ଲାଞ୍ଜିପଲ୍ଲୀର କୁମ୍ଭକାରମାନେ ଦେଶୀବେହେରାଙ୍କ ଘରେ ଘଟ ଯୋଗାଇ ଦେବା ପରେ ମୁଖ୍ୟ ଘଟ ସହ ଆଠଗୋଟି ପାର୍ଶ୍ୱଘଟକୁ ଆଇନାବନ୍ଧସାହୀର ଏକ ପରିବାରର ମହିଳାମାନେ ତାହାକୁ ଚ଼ିତ୍ରିତ କରିଥାନ୍ତି ଘଟରେ ବ୍ୟବହୃତ ଟାହିଆ ଶଙ୍କରପୁରସାହୀର ମେଦିରିମାନଙ୍କଦ୍ୱାରା ପ୍ରସ୍ତୁତ ହୋଇଥାଏ । ସେହିପରି ଠାକୁରାଣୀଙ୍କୁ ନିମନ୍ତ୍ରଣ ଶୋଭାଯାତ୍ରାରେ ପାଣ୍ଡବ ନଗରର ବାଦ୍ୟକାର ଓ ଷଣ୍ଢ ମହାନ୍ତି ସାହୀର ବୀରକାହାଳି ବାଦକ ସାମିଲ ହୋଇ ଆସୁଛନ୍ତି । ଘଟ ପରିକ୍ରମା, କାଳରେ ମୁଖ୍ୟଘଟପାର୍ଶ୍ୱରେ ଦଳେଇ ବଂଶଜ ସୁରକ୍ଷା ପ୍ରଦାନର ପରମ୍ପରା ରହିଛି । ସେମାନେ ପ୍ରସାଦ ବିତରଣ ଓ ଅସ୍ଥାୟୀ ମଣ୍ଡପରେ ପରିଚ୍ଛନ୍ନତା ଇତ୍ୟାଦି କାର୍ଯ୍ୟ ମଧ୍ୟ ତତ୍ତ୍ୱାବଧାନ କରିଥାନ୍ତି । ଯାତ୍ରା ପାଇଁ ଛାମୁଣ୍ଡିଆ ନିର୍ମାଣ କାମର ଦାୟିତ୍ୱ ପ୍ରତିବର୍ଷ ଦେଶୀ ବେହେରା ସାହୀ ବ୍ୟବସାୟୀ ସଂଘ ପ୍ରମୁଖ ଗ୍ରହଣ କରିଥାନ୍ତି । ଠାକୁରାଣୀ ଯାତ୍ରାରେ ଭୋଗ ରୂପେ ପ୍ରସିଦ୍ଧ ଗଜା ମୁଆଁ ପୁରୁଣା ବ୍ରହ୍ମପୁରର ଗୁଡ଼ିଆ ସଂପ୍ରଦାୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ବିକ୍ରୀ କରାଯାଇଥାଏ ।

ଠାକୁରାଣୀ ଯାତ୍ରା ଆୟୋଜନ କାଳରେ ଦେଶୀବେହେରାଙ୍କ ପକ୍ଷରୁ ବିଭିନ୍ନ ସେବା ପ୍ରଦାନକାରୀ ପରିବାର ଓ ସଂପ୍ରଦାୟଙ୍କୁ ଯାତ୍ରାରେ ଯୋଗଦାନ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯିବା ପରମ୍ପରା ରହିଛି । ଏଭଳି ସାମୂହିକ ଉଦ୍ୟମ ହେତୁ ଯାତ୍ରା ପରିଚ଼ାଳନା ସମ୍ଭବପର ହୋଇଥାଏ ।

Thursday, April 18, 2019

ଠାକୁରାଣୀ ଯାତ୍ରାର ସାମାଜିକ ତତ୍ତ୍ୱ

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ସାମାଜିକ ତତ୍ତ୍ୱରଗୁରୁତ୍ୱ ରହିଛି । ଦୀର୍ଘଦିନ ଧରି ଏହି ଯାତ୍ରା ଆନ୍ଧ୍ର ପ୍ରଦେଶରୁ ଆସି ଏହି ସହରରେ ସ୍ଥାୟୀଭାବେ ବସବାସ କରୁଥିବା ଦେବାଙ୍ଗ ବା ଡ଼େରା ବୁଣାକର ସଂପ୍ରଦାୟଙ୍କ ଦ୍ୱାରା ଆୟୋଜିତ ହେଉଥିଲେ ହେଁ ପୁରୁଣା ବ୍ରହ୍ମପୁର ଓ ହରିଡ଼ାଖଣ୍ଡି ଅଞ୍ଚଳରେ ବସବାସ କରୁଥିବା ସ୍ଥାନୀୟ ବାସିନ୍ଦା ଏବଂ ବଜାର ଅଞ୍ଚଳରେ ଅବସ୍ଥାପିତ ବ୍ୟବସାୟୀଙ୍କ ଯାତ୍ରା ଉତ୍ସବରେ ଅକୁଣ୍ଠ ଯୋଗଦାନ ଅତୀତରୁ ଦେଖିବାକୁ ମିଳିଛି । ଯାତ୍ରା ଆରମ୍ଭ ସମୟରେ ଭାପୁର, ବିଜିପୁର, କମାପଲ୍ଲୀ, ଲାଞ୍ଜିପଲ୍ଲୀ, ଆଙ୍କୁଲି, ଗୋଇଲୁଣ୍ଡି ଇତ୍ୟାଦି ଭିନ୍ନ ଭିନ୍ନ ଗ୍ରାମ ଥିଲା । ତେବେ ଏ ସବୁ ଗ୍ରାମର ଉଭୟ ଓଡ଼ିଆ ଓ ତେଲୁଗୁ ସଂପ୍ରଦାୟର ଲୋକେ ଠାକୁରାଣୀ ଯାତ୍ରା ପାଳନରେ ସାମିଲ ହୋଇପଡ଼ିଥିଲେ । ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳ ସମେତ ଗଜପତି, ଅବିଭକ୍ତ କୋରାପୁଟ, ଫୁଲବାଣୀ, ପୁରୀ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ବହୁ ପରିବାର ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି । ଆଞ୍ଚଳିକ ସଦ୍ଭାବ ଜାଗ୍ରତ କରାଇବାରେ ଏହିଭଳି ଏକ ଉତ୍ସବର ଉପଯୋଗିତା ଯେକୌଣସି ତତ୍ତ୍ୱବିତ୍ ହୃଦୟଙ୍ଗମ କରିପାରିବେ ।

ପାରିବାରିକ ସଂହତି ସ୍ଥାପନରେ ଠାକୁରାଣୀ ଯାତ୍ରାର ଭୂମିକା ବିଚ଼ାର କରାଯାଉ । ସହରର ଅଧିଷ୍ଠାତ୍ରୀ ଦେବୀଙ୍କ ପିତ୍ରାଳୟ ଆଗମନ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ମୂଳ ଭିତ୍ତି । ସାଧାରଣତଃ ଠାକୁରାଣୀ ଯାତ୍ରା ଅବସରରେ ପୁରାତନ ସହରର ପ୍ରତ୍ୟେକ ପରିବାରର ଝିଅଜ୍ୱାଇଁମାନଙ୍କୁଶ୍ୱଶୁରାଳୟକୁ ନିମନ୍ତ୍ରଣ କରାଯାଇଥାଏ । ବ୍ରହ୍ମପୁରର ଯେଉଁ ଝିଅମାନଙ୍କ ବିବାହ ପରେ ଏହି ସହର ଛାଡ଼ି ଚାଲିଯାଇଥାନ୍ତି ସେମାନେ ସପରିବାର ଯାତ୍ରା ସମୟରେ ଆସିଥାନ୍ତି । ଆଜି ହୁଏତ ବିସ୍ତୃତ ବ୍ରହ୍ମପୁରର ତିନି ଭାଗ ପରିବାର ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ସହରରେ ନୂତନଭାବେ ବସବାସ ଆରମ୍ଭ କରିଥିବା ହେତୁ ଏହି ପ୍ରଥା ସମ୍ପର୍କରେ ଅନଭିଜ୍ଞ । ତେବେ ବଡ଼ବଜାର, ପୁରୁଣା ବ୍ରହ୍ମପୁର ଓ ହରିଡ଼ାଖଣ୍ଡି ସମେତ ସହରରେ ଶହେ ବର୍ଷରୁ ଅଧିକ ସ୍ଥାୟୀଭାବେ ବସବାସ କରୁଥିବା ପରିବାର ଗୁଡ଼ିକରେ ଏଭଳି ପ୍ରଥା ବେଶ୍ ଦେଖିବାକୁ ମିଳିଥାଏ ।

ବ୍ରହ୍ମପୁରବାସୀଙ୍କ ପାରମ୍ପରିକ ସାମାଜିକ ଚାଲିଚଳନରେ ଝିଅ ବିବାହ ପରବର୍ତ୍ତୀ ଅବସ୍ଥାରେ ଖୁବ୍ କମ୍ ସମୟ ପାଇଁ ବାପ ଘରକୁ ଆସିଥାଏ । କୌଣସି ବିବାହ ଉତ୍ସବ ବା ଶୁଦ୍ଧିକ୍ରିୟା ଇତ୍ୟାଦି ଛଡ଼ା ସାଧାରଣତଃ ଜ୍ୱାଇଁମାନେଶ୍ୱଶୁରାଳୟ ଆସନ୍ତି ନାହିଁ ବିନା ନିମନ୍ତ୍ରଣରେ ଜ୍ୱାଇଁ ନ ଆସିବା ଯୋଗୁଁ ଝିଅମାନେ ମଧ୍ୟ ନିଜ ଘରକୁ ମୁକୁଳା ଛାଡ଼ି ବାପ ଘରକୁ ଆସିବା ଅନୁଚିତ ବୋଧ କରନ୍ତି । ଠାକୁରାଣୀ ଯାତ୍ରା ଅବସରରେ ପ୍ରତି ବର୍ଷକ ଅନ୍ତରରେ ଥରେ ସମସ୍ତେ ନିଜ ଜନ୍ମ ସ୍ଥାନକୁ ଫେରି ପାରିବାରିକ ସୌହାଦ୍ଦ୍ୟକୁ ପୁନଃ ଦୃଢ଼ୀକରଣ କରିଥାନ୍ତି । ଏହି ଦୃଷ୍ଟିରୁ ପାରିବାରିକ ସଦ୍ଭାବ ପ୍ରତିଷ୍ଠା ଦିଗରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଏକ ବିଶେଷ ଭୂମିକା ରହିଛି ।

ସହରରେ ବସବାସ କରିଆସୁଥିବା ପୁରାତନ ପରିବାରଗୁଡ଼ିକ ପକ୍ଷରୁ ନିଜ ବନ୍ଧୁବାନ୍ଧବଙ୍କୁ ମଧ୍ୟ ଯାତ୍ରା ଦେଖିବା ଲାଗି ନିମନ୍ତ୍ରଣ ଜଣାଇବା ପ୍ରଥା ରହି ଆସିଛି । ମୁଖ୍ୟତଃ ରଥ ଓ କଳାକୁଞ୍ଜ ପ୍ରଦର୍ଶିତ ହେବା ପରେ ଯାତ୍ରାର ଶେଷ ସପ୍ତାହରେ ଘରେ ଘରେକୁଣିଆଙ୍କଭିଡ଼ ଲାଗି ରହେ । ସହରରେ ପରିବା ଦର ବଢ଼ିଯାଏ, ପାଣି ଅଭାବ ଦେଖାଯାଏ । ତେବେ ମଉଜ ମଜଲିସ ପାଇଁ ଯାତ୍ରା ଏକ ପ୍ରକୃଷ୍ଟ ପରିବେଶ ସୃଷ୍ଟି କରିପାରିଥାଏ ।

Wednesday, April 17, 2019

ଠାକୁରାଣୀ ଯାତ୍ରା ଶେଷ ଦିବସ


ଲୋକ ମହୋତ୍ସବ ପାଳନ ଅବସରରେ ଦେବଦେବୀ ଓ ଆୟୋଜକଙ୍କ ମଧ୍ୟରେ ପାରିବାରିକ ସଂପର୍କ କଳ୍ପନା କରାଯାଇଥାଏ । ସମ୍ୱଲପୁରର ଶୀତଳ ଷଷ୍ଠୀ ଭଳି ରାଜ୍ୟର ବିଭିନ୍ନ ଲୋକଉତ୍ସବରେ ଏହି ରୀତି ଦେଖିବାକୁ ମିଳେ । ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବଡ଼ ଠାକୁରାଣୀ ନିଜ ମନ୍ଦିର ଶ୍ୱଶୁରାଳୟରୁ ପିତ୍ରାଳୟ ଦେଶୀ ବେହେରାଙ୍କ ବାସଭବନ ବୁଲି ଆସିଥାନ୍ତି ବୋଲି କୁହାଯାଏ । ଏଠାକାର ସାମାଜିକ ବ୍ୟବସ୍ଥାରେ ଝିଅଙ୍କ ପାଇଁ ଶାଶୁଘର ଓ ବାପାଘରର କିଛି ଚଳେଣୀ ଯାତ୍ରା ପାଳନରେ ପ୍ରତିବିମ୍ୱିତ ହୋଇଥାଏ । ବାପଘରଭାବେ ଦେଶୀ ବେହେରାଙ୍କ ପକ୍ଷରୁ ଝିଅକୁ ନିମନ୍ତ୍ରଣ କରିବା ରୀତିନୀତି ଯାତ୍ରା ଆରମ୍ଭରେ ପାଳିତ ହେଉଥିବା ବେଳେ ଯାତ୍ରା ଶେଷରେ ଶାଶୁଘର ବଡ଼ ଠାକୁରାଣୀ ମନ୍ଦିରୁ ବୋହୁ ଡ଼ାକରା ପଦ୍ଧତି ଅନୁସରଣ କରାଯାଇଥାଏ । ସପ୍ତଦଶ ଶତାଦ୍ଦୀ ଶେଷ ଭାଗରେ ପ୍ରତିଷ୍ଠିତ ମହୁରି ରାଜବାଟୀ ଚ଼ର୍ତୁଦିଗରେଗଢ଼ି ଉଠୁଥିବା ଜନବସତିକୁ ନେଇ ବ୍ରହ୍ମପୁରର କ୍ରମବିକାଶ ପର ଶହେ ବର୍ଷ ପରେ ଅଷ୍ଟଦଶ ଶତାଦ୍ଦୀ ଶେଷଭାଗରେ ଆଭ୍ୟନ୍ତରୀଣ ଆନ୍ଧ୍ର ପ୍ରଦେଶରୁ ବୁଣାକରଦେବାଙ୍ଗ ସମ୍ପ୍ରଦାୟ ବ୍ରହ୍ମପୁରରେ ପହଞ୍ଚିବାର ପରବର୍ତ୍ତୀ ଶହେ ବର୍ଷ ପରେ ସୀମାନ୍ତ ଆନ୍ଧ୍ର ପ୍ରଦେଶରୁ ବୈଶ୍ୟକୁମୁଟି ସଂପ୍ରଦାୟ ବ୍ରହ୍ମପୁରରେ ପହଞ୍ଚି ବାଣିଜ୍ୟ ବ୍ୟବସାୟରେ ସଂପୃକ୍ତ ହୋଇଥିବା ଅନୁମାନ କରାଯାଏ । ଏହି ସମୟସୀମାରେ ବିକଶିତ ଠାକୁରାଣୀ ଯାତ୍ରାରେ ଦେବାଙ୍ଗ ସମ୍ପ୍ରଦାୟ ବାପଘର ଭାବେ ଚ଼ିହ୍ନିତ ହୋଇଥିବା ବେଳେ କୁମୁଟି ସଂପ୍ରଦାୟ ଶାଶୁଘରର ପ୍ରତିନିଧିତ୍ୱ କରିବା ପ୍ରଥା ଲାଗୁ ହୋଇଥିଲା ।

ଯାତ୍ରା ଶେଷ ଦିବସ ସ୍ଥିର ହେବାପରେ ବଡ଼ ଠାକୁରାଣୀ ମନ୍ଦିରରୁ ମଧ୍ୟହ୍ନରେସହସ୍ରାକ୍ଷି ଘଟ ଦେଶୀବେହେରାଙ୍କ ବାସଭବନରେ ପହଞ୍ଚିଥାଏ । ବ୍ରହ୍ମପୁରର ପୂର୍ବ ଉପକଣ୍ଠ ଆଙ୍କୁଲିଗ୍ରାମରକୁମ୍ଭାରପଲ୍ଲୀର କୁମ୍ଭକାରମାନେ ବହୁ ଛିଦ୍ର ଯୁକ୍ତ ଏକ ସ୍ୱତନ୍ତ୍ର ମାଟି ହାଣ୍ଡି ନିର୍ମାଣ କରି ଯୋଗାଇଥାନ୍ତି । ଏହାକୁ ବହୁ ରଙ୍ଗରେ ଚ଼ିତ୍ରିତ କରାଯାଇଥାଏ । ଦେଶୀବେହେରାଙ୍କ ଘରେ ଏହା ପୂଜାପାଠ କରାଯାଇଥାଏ । ରାତିରେ ପ୍ରତ୍ୟାବର୍ତ୍ତନ ଘଟ ଶୋଭାଯାତ୍ରାରେ କୁମୁଟି ସଂପ୍ରଦାୟ ପାରମ୍ପରିକ ମୁଖ୍ୟଙ୍କ ପତ୍ନୀ ସହସ୍ରାକ୍ଷି ଘଟ ମଣ୍ଡନ କରି ପୁରୋଭାଗରେ ଯିବା ବେଳେ ତାପଛରେ ଦେଶୀ ବେହେରାଙ୍କ ପତ୍ନୀ ମୁଖ୍ୟ ଘଟ ମଣ୍ଡନ କରି ଯିବା ପ୍ରଥା ଚଳି ଆସିଛି । ସହସ୍ରାକ୍ଷି ଘଟ ଯାତ୍ରା ପଥକୁ ଆଲୋକିତ କରିଥାଏ ବୋଲି ବିଶ୍ୱାସ କରାଯାଏ ।

ଯାତ୍ରାରେ ପ୍ରତ୍ୟାବର୍ତ୍ତନ ଘଟ ଶୋଭାଯାତ୍ରା ମଧ୍ୟରାତ୍ରୀର ଠିକ୍ ପରେପରେ ଦେଶୀବେହେରାସାହୀରୁ ଆରମ୍ଭ ହୋଇଥିଲା । ଏହା ମହୁରି ରାଜା ରାସ୍ତା, ବଡ଼ ବଜାର ମୁଖ୍ୟ ରାସ୍ତା, ସାନ୍ତାରାଣୀସାହୀ, ମାର୍ଥାପେଟାସାହୀ, କେଉଟ ସାହୀ, ଶଙ୍କରପୁରସାହୀ, ବାଚୁବାରୀସାହୀ, କେଦାରେଶ୍ୱର ମନ୍ଦିର ରାସ୍ତା, ଚନ୍ଦ୍ରମା ସାହୀ, ଖାସ୍ପାସାହୀ, ଜଉରାସାହୀରେମାଉସୀମା ଘର ଦେଇ ପୁଣି ଖାସ୍ପାସାହୀ, ପୁଜିପେଦୀସାହୀ, ଖରୁଡ଼ାସାହୀ ହୋଇ ବଡ଼ ଠାକୁରାଣୀ ମନ୍ଦିରରରେ ଭୋର ୩ ରୁ ୪ ଘଣ୍ଟା ମଧ୍ୟରେ ପହଞ୍ଚିଥାଏ । ସେଠାରେ ମୁଖ୍ୟ ଘଟ ସହ ପାର୍ଶ୍ୱ ଘଟଗୁଡ଼ିକୁ ମନ୍ଦିରର ରତ୍ନସିଂହାସନରେ ସ୍ଥାପନ କରିବାପରେ ଶୋଭାଯାତ୍ରାରେ ଆସିଥିବା ହଜାର ହଜାର ଘଟ ଧାରୀ ସାଧାରଣ ମହିଳା ମନ୍ଦିର ପ୍ରାଙ୍ଗଣରେ ଘଟ ବିସର୍ଜନ କରିଥାନ୍ତି। ଏହି କାର୍ଯ୍ୟକ୍ରମ ସକାଳ ଯାଏଁ ଚାଲିଥାଏ ।

ଘଟ ଶୋଭାଯାତ୍ରା କାଳରେ ସମଗ୍ର ଯାତ୍ରାପଥକୁ ଭକ୍ତମାନେ ଝାଡ଼ୁ ମାରି ସାଙ୍କେତିକ ଭାବେ ସଫା କରିଥାନ୍ତି ଏବଂ ଘଟ ଶୋଭାଯାତ୍ରାକୁ ସ୍ୱାଗତ କରି ରାସ୍ତାରେ ନୂତନ ବସ୍ତ୍ର, ପୁଷ୍ପ ପାରିଥାନ୍ତି । ଘଟ ଶୋଭାଯାତ୍ରା ଓ ଦର୍ଶକମାନଙ୍କ ଭିଡ଼ ସ୍ଥାନୀୟ ସାହୀଗୁଡ଼ିକର ଯୁବକମାନେ ନିୟନ୍ତ୍ରିତ କରାଇଥାନ୍ତି । ପ୍ରଶାସନ ପକ୍ଷରୁ ପ୍ରାୟ ୧୫ ପ୍ଳାଟୁନପୋଲିସ ନିୟୋଜିତ ହୋଇଥାଏ ଆକଳନ ଅନୁଯାୟୀ ପ୍ରାୟ ଦୁଇଲକ୍ଷ ଲୋକ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ଯୋଗ ଦେଇଥାନ୍ତି ।

Tuesday, April 16, 2019

ଯାତ୍ରା ଶେଷ ନୀତି

ବ୍ରହ୍ମପୁର ଠାକୁରାଣୀ ୟାତ୍ରା ଆରମ୍ଭର ତୃତୀୟ ଦିବସ ଠାରୁ ପ୍ରତ୍ୟେହ ସନ୍ଧ୍ୟାରେ ଘଟ ଶୋଭାଯାତ୍ରା ଆୟୋଜନ କରାଯାଇଥାଏ । ବଡ଼ ଠାକୁରାଣୀଙ୍କ ମନ୍ଦିରରୁ ଯାତ୍ରା ନିମିତ୍ତ ଆସିଥିବା ଇଟାମଲ୍ଲୀ ଫୁଲର ଗୁମ୍ଫା ଯତ୍ନରେ ସାଇତି ରଖାଯାଇଥିବା ଚିତ୍ରିତ ମାଟି ହାଣ୍ଡି ମୁଖ୍ୟ ଘଟ ସହ ଆଠଗୋଟି ପାର୍ଶ୍ୱଦେବୀଙ୍କ ଘଟ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି ମୁଖ୍ୟ ଘଟଟିକୁ ସାଧାରଣତଃ ଦେଶୀବେହେରାଙ୍କ ପତ୍ନୀ କିମ୍ୱାନିକଟସମ୍ୱନ୍ଧୀୟ ମଣ୍ଡନ କରୁଥିବାବେଳେ ଅନ୍ୟ ଆଠଗୋଟି ଘଟ ଦେବାଙ୍ଗ ସଂପ୍ରଦାୟର ମୁଖ୍ୟ ସେନାପତିମାନଙ୍କ ପତ୍ନୀଗଣ ମଣ୍ଡନ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି । ଯେଉଁ ନଅଜଣ ମହିଳା ଘଟ ମଣ୍ଡନ କରି ଶୋଭାଯାତ୍ରାରେ ସାମିଲ ହୁଅନ୍ତି ସେମାନେ ସେହିଦିନ କେବଳ ଦେବୀଙ୍କ ନିକଟରେ ଅର୍ପିତ ଭୋଗ ବିନା ଅନ୍ୟ କୌଣସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ ।

ଯାତ୍ରା ଶେଷ ଦିନ ରାତିରେ ମୁଖ୍ୟ ଘଟ ମନ୍ଦିର ପ୍ରତ୍ୟାବର୍ତ୍ତନ ଅବସରରେ ଅନ୍ୟ ପାର୍ଶ୍ୱଦେବୀଙ୍କ ଆଠଗୋଟି ଘଟ ସହ ସର୍ବସାଧାରଣଙ୍କ ପକ୍ଷରୁ ଅଗଣିତ ଘଟ ଶୋଭାଯାତ୍ରାରେ ସାମିଲ ହୋଇଥାଏ । ଯାତ୍ରା ପାଇଁ ବେଶ ଧାରଣ କରିବା ନିମିତ୍ତ ଯେପରି ଅନେକେ ପୂର୍ବରୁ ମାନସିକ କରିଥାନ୍ତି, ଠିକ୍ ସେହିପରି ଯାତ୍ରା ଶେଷଦିନ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ନିମନ୍ତେ ମଧ୍ୟ ମହିଳାମାନେ ପୂର୍ବରୁ ମାନସିକ କରିଥାନ୍ତି । ସାଧାରଣତଃ ରୋଗ ବା ବିପଦରୁ ମୁକ୍ତି ପାଇବା ନିମନ୍ତେ ବଡ଼ଠାକୁରାଣୀଙ୍କ ନିକଟରେ ଗୁହାରି କରିବା କିମ୍ୱା କୌଣସି ବିଶିଷ୍ଟ କାର୍ଯ୍ୟରେ ନିର୍ବିଘ୍ନତା ପ୍ରାର୍ଥନା କରି ଯାତ୍ରା ଅବସରରେ ପୁରୁଷମାନେ ବିଭିନ୍ନ ବେଶ ଧାରଣ କରିବା ବେଳେ ମହିଳାମାନଙ୍କ ପକ୍ଷରୁ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ବିଧି ରହିଆସିଛି । ଅନେକ କ୍ଷେତ୍ରରେ ଘଟ ଶୋଭାଯାତ୍ରାରେ ମହିଳାମାନେ ଅଂଶଗ୍ରହଣ କରିବା ପାରିବାରିକ ପରମ୍ପରା ରୂପେ ମଧ୍ୟ ପ୍ରଚଳିତ ।

ଯେଉଁ ମହିଳାମାନେ ଯାତ୍ରା ଶେଷ ଦିନ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ କରନ୍ତି ସେମାନେ ଦିନ ସାରା ଉପବାସ ରହିଥାନ୍ତି । ସଭିଏଁ ନିଜ ନିଜ ଘରେ ମଧ୍ୟାହ୍ନରେ ଘଟ ସ୍ଥାପନ କରି ପୂଜା ଅର୍ଚ୍ଚନା କରିଥାନ୍ତି । ସେହିଦିନଦେଶୀବେହେରାଙ୍କ ଘରେ ସହସ୍ର ଚକ୍ଷୁ ଘଟ ବା ଗୁଡ଼ାଏଛିଦ୍ରଯୁକ୍ତ ଏକ ମାଟି ହାଣ୍ଡି ସ୍ଥାପିତ ହୋଇ ପୂଜା ଅର୍ଚ୍ଚନା କରାଯାଇଥାଏ । ଯାତ୍ରା ଶେଷଦିନ ବିଳମ୍ୱିତ ରାତିରେ ମୁଖ୍ୟ ଘଟ, ପାର୍ଶ୍ୱଦେବୀମାନଙ୍କ ଆଠଗୋଟି ଘଟ ସହ ପ୍ରାୟ ୧୦ ରୁ ୨୦ ହଜାର ସର୍ବସାଧାରଣଙ୍କ ଘଟ ଦେଶୀବେହେରାସାହୀସ୍ଥ ଅସ୍ଥାୟୀ ମନ୍ଦିରରୁ ବାହାରି ପୁରୁଣା ବ୍ରହ୍ମପୁର ଅଞ୍ଚଳର ଅନେକ ଅଞ୍ଚଳ ପରିକ୍ରମା କରି ପ୍ରଭାତ ବେଳକୁ ବଡ଼ ଠାକୁରାଣୀ ମନ୍ଦିରଠାରେ ପହଞ୍ଚିଥାଏ । ଶୋଭାଯାତ୍ରା ଶେଷରେ ବଡ଼ ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଏହି ଘଟଗୁଡ଼ିକୁ ବିସର୍ଜନ କରାଯାଇଥାଏ । ସେଠି ଶେଷ ହୁଏ ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ।

ଘଟ ଶୋଭାଯାତ୍ରା ଅବସରରେ ଜଉରାସାହୀସ୍ଥ କୁବେର ସେନାପତି ନାମକ ଜନୈକ କୁମୁଟି ବୈଶ୍ୟ ମହାଜନଙ୍କ ଘରେ କିଛି ସମୟ ଅଟକି ଥାଏ । ଏହା ଠାକୁରାଣୀଙ୍କ ମାଉସୀ ଘରଭାବେ ପରିଚିତ । କିମ୍ୱଦନ୍ତୀରୁ ଜଣାଯାଏ ଯେ ଏକଦା ଘଟ ପରିକ୍ରମା ବେଳେ ହଠାତ ଝଡ଼ବର୍ଷା ଆସିଯିବାରୁ କିଛି ସମୟ ପାଇଁ ମୁଖ୍ୟ ଘଟ ମହାଜନଙ୍କ ଘରେ ସୁରକ୍ଷିତ ରଖାଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା । ତାହାରି ସ୍ମୃତିରେ ଘଟ ଶୋଭାଯାତ୍ରା ଜଉରାସାହୀ ସେନାପତିଙ୍କ ଘର ନିକଟରେ କିଛି ସମୟ ପାଇଁ ଅଟକେ । ଏହି କିମ୍ୱଦନ୍ତୀର ସତ୍ୟତା ଯାହା ହେଉନା କାହିଁକି, ଦେବାଙ୍ଗ ସମ୍ପ୍ରଦାୟ ଦ୍ୱାରା ଆୟୋଜନ କରାଯାଉଥିବା ଠାକୁରାଣୀ ଯାତ୍ରାରେ କୁମୁଟି ବୈଶ୍ୟ ସଂପ୍ରଦାୟର ବ୍ୟବସାୟୀମାନଙ୍କ ସହଯୋଗର ନିଦର୍ଶନ ଏହି ପରମ୍ପରାକୁ ବେଶ୍ ପରଖି ହୁଏ ।

Monday, April 15, 2019

କଳାକୁଞ୍ଜ ପ୍ରଦର୍ଶନ

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଉପଲକ୍ଷେ ନିର୍ମିତ ରଥଗୁଡ଼ିକ ପ୍ରାୟ ପାଞ୍ଚ ଦିନରୁ ସପ୍ତାହକ ପାଇଁ ପ୍ରଦର୍ଶିତ ହୋଇଥାଏ । ତେଣୁ ଯାତ୍ରା ପାଳନର ଶେଷ ସପ୍ତାହକ ରଥ ଓ କଳାକୁଞ୍ଜର ଗହଳିରେ ମୁଖରିତ ହୋଇଉଠେ । ରଥ ବାହାରିଲେ ହିଁ  ଅଧିକ ଗ୍ରାମାଞ୍ଚଳ ଯାତ୍ରୀ ଠାକୁରାଣୀ ଯାତ୍ରାକୁ ଆକର୍ଷିତ ହୋଇଥାନ୍ତି । ୧୯୬୩ ଓ ୧୯୬୫ ମସିହାର ଠାକୁରାଣୀ ଯାତ୍ରାରେ କଳାକୁଞ୍ଜ ନିର୍ମାଣ ପରମ୍ପରା ନୂଆ ନୂଆରେ ଆରମ୍ଭ ହେଲା । ୧୯୬୭ ମସିହା ଠାକୁରାଣୀ ଯାତ୍ରାରେ ବହୁ ସଂଖ୍ୟକ କଳାକୁଞ୍ଜ ନିର୍ମିତ ହୋଇଥିଲା । ଏହି କଳାକୁଞ୍ଜ ନିର୍ମାଣ ପାଇଁ କଟକରୁ ଶିଳ୍ପୀ ଆସୁଥିଲେ । ବର୍ତ୍ତମାନ କଳାକୁଞ୍ଜଗୁଡ଼ିକବହୁମାତ୍ରାରେ ସ୍ଥାନୀୟ ଶିଳ୍ପୀଗଣ ନିର୍ମାଣ କରୁଥିବା ବେଳେ କିଛି ସଂଖ୍ୟକ କଟକଶିଳ୍ପୀ ମଧ୍ୟ ଆମନ୍ତ୍ରିତ ହୋଇଥାନ୍ତି ।

ରଥଗୁଡ଼ିକରେ ନିର୍ମିତ ଉପକରଣଗୁଡ଼ିକ ଥରେ ବ୍ୟବହୃତ ହେବା ପରେ ଯତ୍ନ ସହକାରେ ସାଇତି ରଖାଯାଇଥାଏ ଏବଂ ପରବର୍ତ୍ତୀ ବର୍ଷ ତାହାକୁ ପୁନର୍ବାର ରଙ୍ଗ ଦେଇ ପ୍ରଦର୍ଶିତ କରାଯାଏ । କିନ୍ତୁ କଳାକୁଞ୍ଜଗୁଡ଼ିକରେ ପ୍ରଦର୍ଶିତ ମୂର୍ତ୍ତୀ ଓ ସାଜସଜ୍ଜା ପ୍ରତିବର୍ଷ ପରିବର୍ତ୍ତିତ ହେଉଥାଏ । ରଥ କ୍ଷେତ୍ରରେ କୌଣସି ଏକ ଦେବଦେବୀଙ୍କ ପ୍ରତିମୂର୍ତ୍ତି ବିଶାଳ ଆକାରରେ ନିର୍ମିତ ହେଉଥିବା ବେଳେ କଳାକୁଞ୍ଜ କ୍ଷେତ୍ରରେ ବିଭିନ୍ନ ପୌରାଣିକ ଦୃଶ୍ୟାବଳୀ ପ୍ରଦର୍ଶିତ ହୋଇଥାଏ । ଅନ୍ୟ ଭାଷାରେ କହିବାକୁ ଗଲେ ରଥଗୁଡ଼ିକଦେବଦେବୀଙ୍କପୋଟ୍ରେଟ ଉପସ୍ଥାପିତ କରୁଥିବାବେଳେ କଳାକୁଞ୍ଜଗୁଡ଼ିକ ଏକ ଏକ ପୌରାଣିକ ଦୃଶ୍ୟ  ବା ସିନ୍ର ପରିକଳ୍ପନା କରାଯାଇଥାଏ ।

ଅତୀତରେ କାଞ୍ଜିବାରମସାହୀ, ଗୌଡ଼ସାହୀ, ନୂଆ ଗୌଡ଼ସାହୀ, ପେଡ଼ିପୁଦ୍ଦିୱାରିସାହୀ, ଜଉରାସାହୀ, ଚନ୍ଦ୍ରଶେଖର ମହାପ୍ରଭୁ ମନ୍ଦିର ସାହୀ, ରଜା ସାହୀ, ଗୁଡ଼ଗୋର୍ଜି, ପରିବା ମାର୍କେଟର ପାଇକାରୀ ଓ ଖୁଚୁରା, ବାଲୁଙ୍କେଶ୍ୱରସାହୀ, ହରିଡ଼ାଖଣ୍ଡି, ଆସିକା ରୋଡ଼, ସୀତାରାମ ସାହୀ, ଭୁତ ସାହୀ, ମଙ୍ଗଳବାର ପେଟା, ସୁବୁଦ୍ଧିବେଢ଼ା, ପଞ୍ଚମୁଖୀ ସାହୀ, କୋରିୱାରିସାହୀ, କରଣ ସାହୀ ଓ ପୁରୁଣା ବ୍ରହ୍ମପୁର ସାହୀ ଇତ୍ୟାଦିରେ କଳାକୁଞ୍ଜ ନିର୍ମିତ ହୋଉଥିବା ଜଣାଯାଏ ।

ସଂପୃକ୍ତ ସାହୀର ନେତୃସ୍ଥାନୀୟ ବ୍ୟକ୍ତି ଓ ଯୁବକମାନଙ୍କ ପ୍ରଚେଷ୍ଟାରେ କଳାକୁଞ୍ଜନିର୍ମାଣକାର୍ଯ୍ୟ ଆୟୋଜନ କରାଯାଇଥାଏ । ଏକ ନିର୍ଦ୍ଦିଷ୍ଟ ସାହୀରେକଳାକୁଞ୍ଜ ନିର୍ମାଣ ସମ୍ପର୍କରେ ନିଷ୍ପତି ଗ୍ରହଣ ପରେ କେଉଁ ପୌରାଣିକ ଦୃଶ୍ୟକୁ ନେଇ କଳାକୁଞ୍ଜ ନିର୍ମିତ ହେବ ସେ ସମ୍ପର୍କରେ ମତାମତ ସଂଗ୍ରହ କରାଯାଇଥାଏ । ତତ୍ପରେ ଚାନ୍ଦା-ଭେଦା ଆଦାୟ କରାଯାଇ ଶିଳ୍ପୀଙ୍କ ସାହାଯ୍ୟରେ କଳାକୁଞ୍ଜ ନିର୍ମିତ ହୋଇଥାଏ । ରଥ ତୁଳନାରେ କଳାକୁଞ୍ଜ ନିର୍ମାଣରେ ଅପେକ୍ଷାକୃତ କମ ଅର୍ଥ ବ୍ୟୟ କରାଯାଇଥାଏ । କଳାକୁଞ୍ଜଗୁଡ଼ିକ ନିର୍ଦ୍ଦିଷ୍ଟ ସାହୀଗୁଡ଼ିକରେ ସ୍ଥାପିତ ହେଉଥିବା ଯୋଗୁଁ ସେଠାକାର ବାସିନ୍ଦାମାନେ ଆପାତତଃ ଏହାର ନିର୍ମାଣ ଓ ପ୍ରଦର୍ଶନ ପ୍ରକ୍ରିୟାରେ ଅଙ୍ଗାଙ୍ଗୀଭାବେଜଡ଼ିତ ହୋଇଯାଆନ୍ତି । ପ୍ରତ୍ୟେକ କଳାକୁଞ୍ଜ ନିମନ୍ତେ ରାସ୍ତାଘାଟ ଆଲୋକରେ ସଜ୍ଜିତ ହେବା ଫଳରେ ଠାକୁରାଣୀ ଯାତ୍ରାର ପରିଧି ପରିବ୍ୟାପ୍ତ ଓ ଅଧିକ ଉତ୍ସବମୁଖରହୋଇପଡ଼େ ।