ବ୍ରହ୍ମପୁର ଠାକୁରାଣୀ
ଯାତ୍ରା ‘କାର୍ଣ୍ଣିଭଲ’ସ୍ତରୀୟ ଲୋକ ମହୋତ୍ସବ ପର୍ଯ୍ୟାୟଭୁକ୍ତ ହେଉଥିବା ବେଳେ
ପାରମ୍ପରିକ ପୂଜାବିଧିକୁ ବାଦ ଦେଲେ ଅନ୍ୟ ସମସ୍ତ ଆୟୋଜନରେ ସର୍ଜନଶୀଳତା ନିମନ୍ତେ ପ୍ରଶସ୍ତ
କ୍ଷେତ୍ର ଉନ୍ମୁକ୍ତ ଥିବା ଦେଖିବାକୁ ମିଳିଥାଏ । ଏହି ଉତ୍ସବରେ ଶୋଭାଯାତ୍ରା, ବେଶ ଧାରଣ, ରଥ ଓ
କଳାକୁଞ୍ଜ ପ୍ରଯୋଜନା ଏବଂ ଯାତ୍ରୀ ଅଭ୍ୟର୍ଥନାକୁ ଚ଼ାରିଗୋଟି ମୁଖ୍ୟ ଉପାଦାନ ରୂପେ ଗ୍ରହଣ
କରାଯାଇପାରେ । ପ୍ରଥମତଃ ଶୋଭାଯାତ୍ରା ଆୟୋଜନ ଯାତ୍ରାର ମୁଖ୍ୟ ଆକର୍ଷଣ । ଯାତ୍ରା ତିଥି ନିର୍ଦ୍ଧାରଣ
ପରେ ଶୁଭଖୁଣ୍ଟ ନେଇ ଦେଶୀବେହେରାସାହୀରୁବଡ଼ ଠାକୁରାଣୀ ମନ୍ଦିର ଯାତ୍ରା ଓ ଫେରନ୍ତା ଯାତ୍ରା,
ଠାକୁରାଣୀଙ୍କୁ ନିମନ୍ତ୍ରଣ ଓ ଠାକୁରାଣୀଙ୍କ ଆଗମନ, ପ୍ରତ୍ୟେହ ସନ୍ଧ୍ୟାରେ ଘଟ ପରିକ୍ରମା ଏବଂ
ଶେଷ ଦିବସରେ ଘଟ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ମୁଖ୍ୟତଃ ଶୋଭାଯାତ୍ରାରେ ପର୍ଯ୍ୟବସିତ ।
ଏହାକୁ ସୁଦୃଶ୍ୟ କରିବା ନିମନ୍ତେ ସର୍ଜନଶୀଳତାର ଆଶ୍ରୟ ନିଆ ଯାଇଥାଏ । ଶୋଭାଯାତ୍ରାରେ ବହୁ
ଲୋକଙ୍କ ଅଂଶ ଗ୍ରହଣ, ନେତୃ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି, ସମସ୍ତଙ୍କ ଉତ୍ତମ ପୋଷାକ
ପରିଧାନ, ବାଜାବାଜଣା, ଲୋକନୃତ୍ୟ ଏବଂ ଶେଷ ଦିନ ବେଶଧାରୀଙ୍କ କୋଳାହଳମୟ ପରିବେଶ ବ୍ୟକ୍ତିଗତ,
ପାରିବାରିକ ତଥା, ସାମୂହିକସ୍ତରରେସର୍ଜନଶୀଳତା ଲାଗି କ୍ଷେତ୍ର ଉନ୍ମୁକ୍ତ ରଖିଥାଏ ।
ଦକ୍ଷିଣ ଆମେରିକା ଓ
ଆଫ୍ରିକୀୟ ଦେଶଗୁଡ଼ିକରେ‘କାର୍ଣ୍ଣିଭଲ’ ପାଳନ ଅବସରରେ ପଶୁପକ୍ଷୀ ତଥା ବିଭିନ୍ନ ଚ଼ରିତ୍ର ବେଶ
ଧାରଣ କରିବା ଆନ୍ତର୍ଜାତିକ କ୍ଷେତ୍ରରେ ବେଶ୍ ଆଲୋଚ଼ିତ । ଆମେ ଦେଶର ବିଭିନ୍ନ ପ୍ରାନ୍ତର
ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ଅନୁରୂପ ଉଦାହରଣ ଦେଖିବାକୁ ମିଳିଥାଏ । ବ୍ରହ୍ମପୁର ଠାକୁରାଣୀ
ଯାତ୍ରାରେ ବେଶ ଧାରଣରେ ସର୍ଜନଶୀଳତାରପଟ୍ଟାନ୍ତର ନାହିଁ । ପଶୁପକ୍ଷୀ, ପୌରାଣିକ ଓ ଲୋକ ଚରିତ୍ର
ଅନୁକରଣରେ ବେଶଧାରଣ ବିବିଧତା ପରିସ୍ପୁଟନରେ ସହାୟକ ହୋଇଥାଏ । ଅତୀତରେ ଏକ ବ୍ୟାୟମଶାଳାର
ସଦସ୍ୟମାନେ ଏକ ଛୋଟ ସର୍କସ ଦଳ ବେଶ ବାହାର କରୁଥିଲେ, ଲୋକପ୍ରିୟ ହିନ୍ଦୀ, ଚଳଚ଼ିତ୍ର‘ଚନ୍ଦ୍ରଲେଖା’ର ନୃତ୍ୟଗୀତି ଅନୁକରଣରେ ଏକ ବେଶ ସଂଯୋଜନା କରାଯାଉଥିଲା
। ଯାତ୍ରା ଶେଷ ଦିନ ଘଟ ଶୋଭାଯାତ୍ରାରେ ଶବ ବାହକ ବେଶ ପ୍ରତିବର୍ଷ ଦେଖିବାକୁ ମିଳେ । ବେଶ
ଧାରଣରେ କୌଣସି ବାରଣ ନାହିଁ । ଏହି କ୍ଷେତ୍ରରେ ସର୍ଜନଶୀଳତା ବା ବେଶ ଧାରଣ ବ୍ୟକ୍ତି ବିଶେଷଙ୍କ
କଳ୍ପନା ପ୍ରବଣତାକୁ ଦର୍ଶକଙ୍କ ପ୍ରଶଂସା ମିଳିଥାଏ ।
ରଥ ଓ କଳାକୁଞ୍ଜ ନିର୍ମାଣରେ ସର୍ଜନଶୀଳତା ଭିତ୍ତିଭୂମି
ରୂପେ କାର୍ଯ୍ୟ କରିଥାଏ । ରଥ କ୍ଷେତ୍ରରେ ପ୍ରାରମ୍ଭିକଭାବେ ରଥ ନିର୍ମିତ ହେବା ପରେ ରଥରେ
ବ୍ୟବହୃତ ସାମଗ୍ରୀକୁ ଯତ୍ନର ସହକାରେ ରଖାଯାଇ ପ୍ରତିବର୍ଷ ପୁଣି ବ୍ୟବହାର କରାଯାଉଥିବା ବେଳେ
କଳାକୁଞ୍ଜ କ୍ଷେତ୍ରରେ ପ୍ରତିବର୍ଷ ନୂଆ ନୂଆ ଦୃଶ୍ୟ ସଂଯୋଜନା କରାଯାଇଥାଏ । ରଥ ସାଜସଜ୍ଜାରେ
ସର୍ଜନଶୀଳତାର ପରିପ୍ରକାଶ ଘଟୁଥିବାବେଳେ କଳାକୁଞ୍ଜ ନିର୍ମାଣରେ ଅପେକ୍ଷାକୃତଭାବେ ଅଧିକ କଳ୍ପନା
ପ୍ରକାଶର ସୁଯୋଗ ମିଳିଥାଏ । ଏତଦ୍ବ୍ୟତୀତ ରଥ ଓ କଳାକୁଞ୍ଜର ପରିବେଶ ଓ ଆଖପାଖ ଅଞ୍ଚଳ
ସାଜସଜ୍ଜାରେ ମଧ୍ୟ କଳାତ୍ମକ ରୁଚ଼ିପରିସ୍ପୁଟିତ ହୋଇଥାଏ ।
ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ସ୍ୱେଚ୍ଛାସେବୀମାନେ
ଯାତ୍ରୀ ଅଭ୍ୟର୍ଥନାର ଦାୟିତ୍ୱ ସ୍ୱତଃପ୍ରବୃତ୍ତଭାବେ ନିର୍ବାହ କରିଥାନ୍ତି । ଘଟ ପରିକ୍ରମା
କାଳରେ ଶାନ୍ତିଶୃଙ୍ଖଳା ରକ୍ଷାଠାରୁ ଆରମ୍ଭ କରି ଯାତ୍ରୀଙ୍କୁ ଜଳଯୋଗ ଯୋଗାଇ ଦେବା ଯାଏଁ
ବିଭିନ୍ନ କାର୍ଯ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ସମାହିତ ହୋଇଥାଏ । ଏକବିଂଶ ଶତାଦ୍ଦୀର
ପ୍ରଥମ ଦଶକ ଉତ୍ତରାର୍ଦ୍ଧରୁ ଯାତ୍ରାର ଶେଷ ତିନିଦିନ ବିଭିନ୍ନ ବ୍ୟକ୍ତିବିଶେଷେ, ପରିବାର
କିମ୍ୱା ଅନୁଷ୍ଠାନ ପକ୍ଷରୁ ଯାତ୍ରୀମାନଙ୍କ ନିମନ୍ତେ ଜଳଯୋଗର ବ୍ୟବସ୍ଥା ସର୍ଜନଶୀଳତାର ଅନ୍ୟତମ
ପରିପ୍ରକାଶ । ଅତୀତରେ ସହର ବାହାରୁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ କନ୍ୟାକାପରମେଶ୍ୱରୀ
ମନ୍ଦିରଠାରେ ରିହାତି ଦରରେ ମଧ୍ୟାହ୍ନ ଭୋଜନର ସୁବିଧା କରାଯାଉଥିଲା । କିନ୍ତୁ ବର୍ତ୍ତମାନ
ସନ୍ଧ୍ୟା ୫ ରୁ ୧୧ ଯାଏଁ ବିଭିନ୍ନ ସାହୀରେ ବିଭିନ୍ନ ରକମର ମାଗଣା ଜଳଯୋଗ ବିତରଣ କରାଯାଉଛି ।
No comments:
Post a Comment