Tuesday, April 16, 2019

ଯାତ୍ରା ଶେଷ ନୀତି

ବ୍ରହ୍ମପୁର ଠାକୁରାଣୀ ୟାତ୍ରା ଆରମ୍ଭର ତୃତୀୟ ଦିବସ ଠାରୁ ପ୍ରତ୍ୟେହ ସନ୍ଧ୍ୟାରେ ଘଟ ଶୋଭାଯାତ୍ରା ଆୟୋଜନ କରାଯାଇଥାଏ । ବଡ଼ ଠାକୁରାଣୀଙ୍କ ମନ୍ଦିରରୁ ଯାତ୍ରା ନିମିତ୍ତ ଆସିଥିବା ଇଟାମଲ୍ଲୀ ଫୁଲର ଗୁମ୍ଫା ଯତ୍ନରେ ସାଇତି ରଖାଯାଇଥିବା ଚିତ୍ରିତ ମାଟି ହାଣ୍ଡି ମୁଖ୍ୟ ଘଟ ସହ ଆଠଗୋଟି ପାର୍ଶ୍ୱଦେବୀଙ୍କ ଘଟ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି ମୁଖ୍ୟ ଘଟଟିକୁ ସାଧାରଣତଃ ଦେଶୀବେହେରାଙ୍କ ପତ୍ନୀ କିମ୍ୱାନିକଟସମ୍ୱନ୍ଧୀୟ ମଣ୍ଡନ କରୁଥିବାବେଳେ ଅନ୍ୟ ଆଠଗୋଟି ଘଟ ଦେବାଙ୍ଗ ସଂପ୍ରଦାୟର ମୁଖ୍ୟ ସେନାପତିମାନଙ୍କ ପତ୍ନୀଗଣ ମଣ୍ଡନ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି । ଯେଉଁ ନଅଜଣ ମହିଳା ଘଟ ମଣ୍ଡନ କରି ଶୋଭାଯାତ୍ରାରେ ସାମିଲ ହୁଅନ୍ତି ସେମାନେ ସେହିଦିନ କେବଳ ଦେବୀଙ୍କ ନିକଟରେ ଅର୍ପିତ ଭୋଗ ବିନା ଅନ୍ୟ କୌଣସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ ।

ଯାତ୍ରା ଶେଷ ଦିନ ରାତିରେ ମୁଖ୍ୟ ଘଟ ମନ୍ଦିର ପ୍ରତ୍ୟାବର୍ତ୍ତନ ଅବସରରେ ଅନ୍ୟ ପାର୍ଶ୍ୱଦେବୀଙ୍କ ଆଠଗୋଟି ଘଟ ସହ ସର୍ବସାଧାରଣଙ୍କ ପକ୍ଷରୁ ଅଗଣିତ ଘଟ ଶୋଭାଯାତ୍ରାରେ ସାମିଲ ହୋଇଥାଏ । ଯାତ୍ରା ପାଇଁ ବେଶ ଧାରଣ କରିବା ନିମିତ୍ତ ଯେପରି ଅନେକେ ପୂର୍ବରୁ ମାନସିକ କରିଥାନ୍ତି, ଠିକ୍ ସେହିପରି ଯାତ୍ରା ଶେଷଦିନ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ନିମନ୍ତେ ମଧ୍ୟ ମହିଳାମାନେ ପୂର୍ବରୁ ମାନସିକ କରିଥାନ୍ତି । ସାଧାରଣତଃ ରୋଗ ବା ବିପଦରୁ ମୁକ୍ତି ପାଇବା ନିମନ୍ତେ ବଡ଼ଠାକୁରାଣୀଙ୍କ ନିକଟରେ ଗୁହାରି କରିବା କିମ୍ୱା କୌଣସି ବିଶିଷ୍ଟ କାର୍ଯ୍ୟରେ ନିର୍ବିଘ୍ନତା ପ୍ରାର୍ଥନା କରି ଯାତ୍ରା ଅବସରରେ ପୁରୁଷମାନେ ବିଭିନ୍ନ ବେଶ ଧାରଣ କରିବା ବେଳେ ମହିଳାମାନଙ୍କ ପକ୍ଷରୁ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ବିଧି ରହିଆସିଛି । ଅନେକ କ୍ଷେତ୍ରରେ ଘଟ ଶୋଭାଯାତ୍ରାରେ ମହିଳାମାନେ ଅଂଶଗ୍ରହଣ କରିବା ପାରିବାରିକ ପରମ୍ପରା ରୂପେ ମଧ୍ୟ ପ୍ରଚଳିତ ।

ଯେଉଁ ମହିଳାମାନେ ଯାତ୍ରା ଶେଷ ଦିନ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ କରନ୍ତି ସେମାନେ ଦିନ ସାରା ଉପବାସ ରହିଥାନ୍ତି । ସଭିଏଁ ନିଜ ନିଜ ଘରେ ମଧ୍ୟାହ୍ନରେ ଘଟ ସ୍ଥାପନ କରି ପୂଜା ଅର୍ଚ୍ଚନା କରିଥାନ୍ତି । ସେହିଦିନଦେଶୀବେହେରାଙ୍କ ଘରେ ସହସ୍ର ଚକ୍ଷୁ ଘଟ ବା ଗୁଡ଼ାଏଛିଦ୍ରଯୁକ୍ତ ଏକ ମାଟି ହାଣ୍ଡି ସ୍ଥାପିତ ହୋଇ ପୂଜା ଅର୍ଚ୍ଚନା କରାଯାଇଥାଏ । ଯାତ୍ରା ଶେଷଦିନ ବିଳମ୍ୱିତ ରାତିରେ ମୁଖ୍ୟ ଘଟ, ପାର୍ଶ୍ୱଦେବୀମାନଙ୍କ ଆଠଗୋଟି ଘଟ ସହ ପ୍ରାୟ ୧୦ ରୁ ୨୦ ହଜାର ସର୍ବସାଧାରଣଙ୍କ ଘଟ ଦେଶୀବେହେରାସାହୀସ୍ଥ ଅସ୍ଥାୟୀ ମନ୍ଦିରରୁ ବାହାରି ପୁରୁଣା ବ୍ରହ୍ମପୁର ଅଞ୍ଚଳର ଅନେକ ଅଞ୍ଚଳ ପରିକ୍ରମା କରି ପ୍ରଭାତ ବେଳକୁ ବଡ଼ ଠାକୁରାଣୀ ମନ୍ଦିରଠାରେ ପହଞ୍ଚିଥାଏ । ଶୋଭାଯାତ୍ରା ଶେଷରେ ବଡ଼ ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଏହି ଘଟଗୁଡ଼ିକୁ ବିସର୍ଜନ କରାଯାଇଥାଏ । ସେଠି ଶେଷ ହୁଏ ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ।

ଘଟ ଶୋଭାଯାତ୍ରା ଅବସରରେ ଜଉରାସାହୀସ୍ଥ କୁବେର ସେନାପତି ନାମକ ଜନୈକ କୁମୁଟି ବୈଶ୍ୟ ମହାଜନଙ୍କ ଘରେ କିଛି ସମୟ ଅଟକି ଥାଏ । ଏହା ଠାକୁରାଣୀଙ୍କ ମାଉସୀ ଘରଭାବେ ପରିଚିତ । କିମ୍ୱଦନ୍ତୀରୁ ଜଣାଯାଏ ଯେ ଏକଦା ଘଟ ପରିକ୍ରମା ବେଳେ ହଠାତ ଝଡ଼ବର୍ଷା ଆସିଯିବାରୁ କିଛି ସମୟ ପାଇଁ ମୁଖ୍ୟ ଘଟ ମହାଜନଙ୍କ ଘରେ ସୁରକ୍ଷିତ ରଖାଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା । ତାହାରି ସ୍ମୃତିରେ ଘଟ ଶୋଭାଯାତ୍ରା ଜଉରାସାହୀ ସେନାପତିଙ୍କ ଘର ନିକଟରେ କିଛି ସମୟ ପାଇଁ ଅଟକେ । ଏହି କିମ୍ୱଦନ୍ତୀର ସତ୍ୟତା ଯାହା ହେଉନା କାହିଁକି, ଦେବାଙ୍ଗ ସମ୍ପ୍ରଦାୟ ଦ୍ୱାରା ଆୟୋଜନ କରାଯାଉଥିବା ଠାକୁରାଣୀ ଯାତ୍ରାରେ କୁମୁଟି ବୈଶ୍ୟ ସଂପ୍ରଦାୟର ବ୍ୟବସାୟୀମାନଙ୍କ ସହଯୋଗର ନିଦର୍ଶନ ଏହି ପରମ୍ପରାକୁ ବେଶ୍ ପରଖି ହୁଏ ।

No comments: