Monday, April 22, 2019

ଠାକୁରାଣୀ ଯାତ୍ରାବେଳେ ବ୍ରହ୍ମପୁରର ପାଣିପାଗ

ଗ୍ରୀଷ୍ମଋତୁରେ ବ୍ରହ୍ମପୁର ସହରର ତାପମାତ୍ରା ୩୨ ରୁ ୩୮ ଡ଼ିଗ୍ରୀସେଲସିୟସ ଯାଏଁ ରହୁଥିବା ହେତୁ ଠାକୁରାଣୀ ଯାତ୍ରା ଅବସରରେ ଗରମ ପାଗ ଅନୁଭୂତ ହୁଏ । ସଂଭବତଃ ଏହି କାରଣରୁ ଯାତ୍ରାର ସମସ୍ତ ମୁଖ୍ୟ କାର୍ଯ୍ୟକ୍ରମ ସଂଧ୍ୟା ବା ରାତ୍ରୀ ସମୟରେ ସମାହିତ ହୋଇଥାଏ । ଯାତ୍ରା ଆୟୋଜନ ପାଇଁ ସଭା ରାତିର ପ୍ରଥମ ପ୍ରହରରେ ଅନୁଷ୍ଠିତ ହୋଇ ଶୁଭଖୁଣ୍ଟ ଶୋଭାଯାତ୍ରା ତଥା ଶୁଭଖୁଣ୍ଟ ସ୍ଥାପନ ଗଭୀର ରାତ୍ରୀ ସୁଦ୍ଧା ସରିଥାଏ । ଯାତ୍ରା ଆରମ୍ଭ ପାଇଁ ମଧ୍ୟରାତ୍ରୀ ପରେ ଦେଶୀ ବେହେରା ସାହୀରୁ ଶୋଭାଯାତ୍ରା ବଡ଼ ଠାକୁରାଣୀ ମନ୍ଦିର ଯାଇ ଗଭୀର ରାତ୍ରୀରେ ଅସ୍ଥାୟୀ ମଣ୍ଡପରେ ପହଞ୍ଚେ । ପ୍ରତ୍ୟେହ ରାତି ୮ ଘଣ୍ଟାରୁ ୧୧ ଘଣ୍ଟା ମଧ୍ୟରେ ଠାକୁରାଣୀଙ୍କ ଘଟ ସାହୀ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ସେହିପରି ଯାତ୍ରା ଶେଷ ଦିନ ଘଟ ଶୋଭାଯାତ୍ରା ମଧ୍ୟରାତ୍ରୀରୁ ଆରମ୍ଭ ହୋଇ ପାହନ୍ତା ପ୍ରହରରେ ବଡ଼ ଠାକୁରାଣୀ ମନ୍ଦିରରେ ସମାପ୍ତ ହୋଇଥାଏ । ଅଧିକାଂଶ ମାନସିକ କରିଥିବା ବେଶଧାରୀମାନେ ଅପରାହ୍ନରେ ବେଶଭୂଷାରେ ଚ଼ିତ୍ରିତ ହୋଇ ସନ୍ଧ୍ୟା ସୁଦ୍ଧା ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ ସାରି ନଗର ଭ୍ରମଣ କରିଥାନ୍ତି । ରଥ ଓ କଳାକୁଞ୍ଜଗୁଡ଼ିକ ସନ୍ଧ୍ୟା ପରେ ରଂଗବେରଙ୍ଗ ଆଲୋକରେ ସଜ୍ଜିତ ହୋଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।

ଅସ୍ଥାୟୀ ମଣ୍ଡପରେ ଠାକୁରାଣୀଙ୍କ ପୂଜା ଅର୍ଚ୍ଚନା ଦିନସାରା ଲାଗି ରହୁଥିବା ତଥା ଦର୍ଶନଲାଗି ଭକ୍ତଙ୍କ ଯାତାୟାତକୁ ଲକ୍ଷ୍ୟ ରଖି ଦେଶୀ ବେହେରାଙ୍କ ବାସଭବନ ସମ୍ମୁଖରେ ସ୍ଥାପିତ ଅସ୍ଥାୟୀ ମଣ୍ଡପଠାରୁ ନଡ଼ିଆଗୋର୍ଜି ଏବଂ ନଡ଼ିଆଗୋର୍ଜିରୁଦେଶୀବେହେରାସାହୀ ତ୍ରିନାଥ ମଣ୍ଡପ ଯାଏଁ ଦୁଇଗୋଟି ସୁଉଚ୍ଚଛାମୁଣ୍ଡିଆ ନିର୍ମିତ ହୋଇଥାଏ । ଏହାର ନିର୍ମାଣ ଲାଗି ବାଉଁଶ ଓ ଶୁଖୁଲାନଡ଼ିଆ ବାହୁଙ୍ଗା ବ୍ୟବହୃତ ହୁଏ । ବିଦ୍ୟୁତ ପଙ୍ଖା ଓ ରାତିରେ ଆଲୋକର ସୁବିଧା କରାଯାଇଥାଏ । ଏହା ଦିନବେଳା ଯାତ୍ରୀମାନଙ୍କୁ ଛାୟା ପ୍ରଦାନ ସାଙ୍ଗକୁ ଯାତ୍ରା ଆୟୋଜନର ଆନୁସାଙ୍ଗିକକାର୍ଯ୍ୟଲାଗି ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ନଡ଼ିଆଗୋର୍ଜି ଓ ଗୁଡ଼ଗୋର୍ଜିରେ ମଧ୍ୟ ଚାନ୍ଦୁଆ ଟାଣି ଛାମୁଣ୍ଡିଆର ବ୍ୟବସ୍ଥା ହୋଇଥାଏ ମୋଟ ଉପରେ କହିବାକୁ ଗଲେ ଠାକୁରାଣୀ ଯାତ୍ରାର କେନ୍ଦ୍ରସ୍ଥଳଟି ଯାତ୍ରା ଅବସରରେ ରୌଦ୍ରତାପରୁନିସ୍ତାରଲାଗିସାମର୍ଥ୍ୟମତେ ପ୍ରଚେଷ୍ଟା କରାଯାଇଥାଏ ।

ଠାକୁରାଣୀ ଯାତ୍ରା ଅବସରରେ ବ୍ରହ୍ମପୁରର ଉପକୂଳବର୍ତ୍ତୀ ପାଣିପାଗ ହେତୁ ବେଳେବେଳେ ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହୋଇଥାଏ । ଅତ୍ୟଧିକ ଗରମ ଓ ବାୟୁମଣ୍ଡଳରେ ଆଦ୍ରତା ହେତୁ ଗ୍ରୀଷ୍ମଋତୁରେ ଏଠାରେ କାଳବୈଶାଖୀ ଦେଖିବାକୁ ମିଳେ । ପବନ ବହିବା ସହ କୁଆପଥର ବର୍ଷା ମଧ୍ୟ ହୁଏ । ଅବଶ୍ୟ ଗ୍ରୀଷ୍ମଋତୁରେ ସମଗ୍ର ଉପକୂଳବର୍ତ୍ତୀ ଓଡ଼ିଶାରେ ଏଭଳି ପାଣିପାଗ ଅନୁଭୂତ ହୋଇଥାଏ । ଅପରାହ୍ନ ୩ ଘଣ୍ଟା ୪ ଘଣ୍ଟା ବେଳକୁ ବର୍ଷା ଆରମ୍ଭ ହୋଇ ଘଣ୍ଟାଏ ଦେଢ଼ଘଣ୍ଟା ପରେ ଛାଡ଼ିଯିବା ଫଳରେ ବାୟୁମଣ୍ଡଳ ଆଦ୍ର ହୋଇଯାଏ ଏବଂ ସନ୍ଧ୍ୟାରେ ଘଟ ପରିକ୍ରମାରେ ଅଂଶ ଗ୍ରହଣ କରିବା ପାଇଁ ଯାତ୍ରୀମାନଙ୍କ ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ ।

ପାଣିପାଗ ବିଶାରଦମାନଙ୍କ ମତରେ ପ୍ରାକ୍-ମୌସୁମୀକାଳୀନ ଏପ୍ରିଲ ଓ ମେ ମାସରେ ବ୍ରହ୍ମପୁର-ଗୋପାଳପୁର ବଳୟରେ ବଳଶାଳୀ ସାମୁଦ୍ରିକ ବାୟୁ ପ୍ରବାହ ଅନୁଭୂତ ହୁଏ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ଉତ୍ତପ୍ତ ପରିବେଶ ଉର୍ଦ୍ଧ୍ୱଗାମୀ ଉଷ୍ଣ ଜଳୀୟବାଷ୍ପ ନିକଟସ୍ଥ କେରାଣ୍ଡିମାଳ ପର୍ବତମାଳାରେ ମେଘ ସୃଷ୍ଟି କରିଥାଏ । ଏହି ମେଘର ରଙ୍ଗ କଳା ଏବଂ ପଶ୍ଚିମ ପଟୁ ଆସି ଅଳ୍ପ ସମୟ ମଧ୍ୟରେ ସହରର ଆକାଶକୁ ଆଚ୍ଛାଦିତ କରିଦିଏ । ସମୟେ ସମୟେ ବଜ୍ର ନିର୍ଘୋଷ ସହ ବର୍ଷା ହୁଏ ଏବଂ ଏଭଳି ବର୍ଷା ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ବଳବତ୍ତର ରହେ । ଅନେକ ସମୟରେ ମେଘ ଓ ବର୍ଷା ନିର୍ଦ୍ଧିଷ୍ଟ ସମୟରେ ଆସିଥାଏ ଏବଂ ବ୍ରହ୍ମପୁରରେ ବର୍ଷା ହେବାବେଳେ ଅପେକ୍ଷାକୃତ ସମୁଦ୍ରତଟବର୍ତ୍ତୀଭଞ୍ଜବିହାର ଓ ଗୋପାଳପୁରଠାରେ ବର୍ଷାର ଚ଼ିହ୍ନବର୍ଣ୍ଣ ନଥାଏ । ଡ଼ୁରା-ପଥରା ଗ୍ରାମାଞ୍ଚଳ ନିକଟରେ ସାମୁଦ୍ରିକ ପ୍ରଭାବର ସୀମା ଅନୁଭୂତ ହେଉଥିବା ହେତୁ ଗର୍ଜନଶୀଳ ମେଘର ସଂପ୍ରସାରଣ ବାଧାପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ । ଅତୀତରେ ଏ ରକମର ପାଣିପାଗ ବ୍ରହ୍ମପୁରରେ ବାରମ୍ୱାର ଅନୁଭୂତ ହେଉଥିବା ବେଳେ ଆଜିକାଲି ଅପେକ୍ଷାକୃତ କମ ଦିବସରେ ଦେଖିବାକୁ ମିଳୁଛି । ସମକାଳୀନ ଜଳବାୟୁ ପରିବର୍ତ୍ତନର ଏକ ଉଦାହରଣଭାବେ ଏହାକୁ ଗ୍ରହଣ କରାଯାଇପାରେ ।

ଉପକୂଳବର୍ତ୍ତୀ ବ୍ରହ୍ମପୁର ଲାଗି ସାମୁଦ୍ରିକ ଲଘୁଚ଼ାପଜନିତଝଡ଼ବତାସରୁ ନିସ୍ତାର ନାହିଁ । ଠାକୁରାଣୀ ଯାତ୍ରା ବେଳେ ଦୈବାତଝଡ଼ବତାସର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ । କିମ୍ୱଦନ୍ତୀ ପ୍ରକାରେ ଅତୀତରେ ଥରେ ଘଟ ପରିକ୍ରମାବେଳେ ପ୍ରବଳ ଝଡ଼ବତାସ ହେତୁ ଠାକୁରାଣୀଙ୍କ ଘଟ ଜଉରାସାହୀସ୍ଥିତ କୁବେର ସେନାପତିଙ୍କ ବାସଗୃହରେ କିଛି ସମୟପାଇଁ ଅଟକି ଥିଲା । ସେହିଦିନୁ କୁବେର ସେନାପତିଙ୍କ ବାସଗୃହକୁ ମାଉସୀ ଘର ନାମିତ କରାଯାଇଛି । ଯାତ୍ରା ଅବସରରେ ଘଟ ପରିକ୍ରମା କାର୍ଯ୍ୟସୂଚ଼ୀରେ ଦୁଇଥର ମାଉସୀ ଘରକୁ ଯିବା ପରମ୍ପରା ରହିଛି । ଯାତ୍ରା ଶେଷଦିନ ମନ୍ଦିର ପ୍ରତ୍ୟାବର୍ତ୍ତନ ସମୟରେ ମଧ୍ୟ ମାଉସୀଙ୍କ ଘରଠାରେ ଘଟ ଅଟକି ଥାଏ । ଅନ୍ୟ କିମ୍ୱଦନ୍ତୀରେ ଶତ୍ରୁ ଆକ୍ରମଣରୁ ରକ୍ଷା ପାଇଁ ଘଟ ମାଉସୀଙ୍କ ଘରେ କିଛି ସମୟ ରହିଥିବା ଚର୍ଚ୍ଚିତ ହେଉଥିଲେ ହେଁ ପାଣିପାଗଜନିତ ଘଟଣାଟି ଅପେକ୍ଷାକୃତ ବାସ୍ତବ ମନେ ହୁଏ ।

No comments: