ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ସାମାଜିକ ତତ୍ତ୍ୱରଗୁରୁତ୍ୱ ରହିଛି । ଦୀର୍ଘଦିନ ଧରି ଏହି
ଯାତ୍ରା ଆନ୍ଧ୍ର ପ୍ରଦେଶରୁ ଆସି ଏହି ସହରରେ ସ୍ଥାୟୀଭାବେ ବସବାସ କରୁଥିବା ‘ଦେବାଙ୍ଗ’ ବା ‘ଡ଼େରା’ ବୁଣାକର ସଂପ୍ରଦାୟଙ୍କ ଦ୍ୱାରା ଆୟୋଜିତ ହେଉଥିଲେ ହେଁ ପୁରୁଣା ବ୍ରହ୍ମପୁର ଓ
ହରିଡ଼ାଖଣ୍ଡି ଅଞ୍ଚଳରେ ବସବାସ କରୁଥିବା ସ୍ଥାନୀୟ ବାସିନ୍ଦା ଏବଂ ବଜାର ଅଞ୍ଚଳରେ ଅବସ୍ଥାପିତ
ବ୍ୟବସାୟୀଙ୍କ ଯାତ୍ରା ଉତ୍ସବରେ ଅକୁଣ୍ଠ ଯୋଗଦାନ ଅତୀତରୁ ଦେଖିବାକୁ ମିଳିଛି । ଯାତ୍ରା ଆରମ୍ଭ
ସମୟରେ ଭାପୁର, ବିଜିପୁର, କମାପଲ୍ଲୀ, ଲାଞ୍ଜିପଲ୍ଲୀ, ଆଙ୍କୁଲି, ଗୋଇଲୁଣ୍ଡି ଇତ୍ୟାଦି ଭିନ୍ନ
ଭିନ୍ନ ଗ୍ରାମ ଥିଲା । ତେବେ ଏ ସବୁ ଗ୍ରାମର ଉଭୟ ଓଡ଼ିଆ ଓ ତେଲୁଗୁ ସଂପ୍ରଦାୟର ଲୋକେ ଠାକୁରାଣୀ
ଯାତ୍ରା ପାଳନରେ ସାମିଲ ହୋଇପଡ଼ିଥିଲେ । ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳ ସମେତ ଗଜପତି, ଅବିଭକ୍ତ
କୋରାପୁଟ, ଫୁଲବାଣୀ, ପୁରୀ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ବହୁ ପରିବାର ବ୍ରହ୍ମପୁର
ଠାକୁରାଣୀ ଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି । ଆଞ୍ଚଳିକ ସଦ୍ଭାବ ଜାଗ୍ରତ କରାଇବାରେ ଏହିଭଳି ଏକ
ଉତ୍ସବର ଉପଯୋଗିତା ଯେକୌଣସି ତତ୍ତ୍ୱବିତ୍ ହୃଦୟଙ୍ଗମ କରିପାରିବେ ।
ପାରିବାରିକ ସଂହତି ସ୍ଥାପନରେ ଠାକୁରାଣୀ ଯାତ୍ରାର ଭୂମିକା ବିଚ଼ାର କରାଯାଉ । ସହରର
ଅଧିଷ୍ଠାତ୍ରୀ ଦେବୀଙ୍କ ପିତ୍ରାଳୟ ଆଗମନ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ମୂଳ ଭିତ୍ତି ।
ସାଧାରଣତଃ ଠାକୁରାଣୀ ଯାତ୍ରା ଅବସରରେ ପୁରାତନ ସହରର ପ୍ରତ୍ୟେକ ପରିବାରର
ଝିଅଜ୍ୱାଇଁମାନଙ୍କୁଶ୍ୱଶୁରାଳୟକୁ ନିମନ୍ତ୍ରଣ କରାଯାଇଥାଏ । ବ୍ରହ୍ମପୁରର ଯେଉଁ ଝିଅମାନଙ୍କ
ବିବାହ ପରେ ଏହି ସହର ଛାଡ଼ି ଚାଲିଯାଇଥାନ୍ତି ସେମାନେ ସପରିବାର ଯାତ୍ରା ସମୟରେ ଆସିଥାନ୍ତି ।
ଆଜି ହୁଏତ ବିସ୍ତୃତ ବ୍ରହ୍ମପୁରର ତିନି ଭାଗ ପରିବାର ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ସହରରେ
ନୂତନଭାବେ ବସବାସ ଆରମ୍ଭ କରିଥିବା ହେତୁ ଏହି ପ୍ରଥା ସମ୍ପର୍କରେ ଅନଭିଜ୍ଞ । ତେବେ ବଡ଼ବଜାର,
ପୁରୁଣା ବ୍ରହ୍ମପୁର ଓ ହରିଡ଼ାଖଣ୍ଡି ସମେତ ସହରରେ ଶହେ ବର୍ଷରୁ ଅଧିକ ସ୍ଥାୟୀଭାବେ ବସବାସ
କରୁଥିବା ପରିବାର ଗୁଡ଼ିକରେ ଏଭଳି ପ୍ରଥା ବେଶ୍ ଦେଖିବାକୁ ମିଳିଥାଏ ।
ବ୍ରହ୍ମପୁରବାସୀଙ୍କ ପାରମ୍ପରିକ ସାମାଜିକ ଚାଲିଚଳନରେ ଝିଅ ବିବାହ ପରବର୍ତ୍ତୀ ଅବସ୍ଥାରେ
ଖୁବ୍ କମ୍ ସମୟ ପାଇଁ ବାପ ଘରକୁ ଆସିଥାଏ । କୌଣସି ବିବାହ ଉତ୍ସବ ବା ଶୁଦ୍ଧିକ୍ରିୟା ଇତ୍ୟାଦି
ଛଡ଼ା ସାଧାରଣତଃ ଜ୍ୱାଇଁମାନେଶ୍ୱଶୁରାଳୟ ଆସନ୍ତି ନାହିଁ । ବିନା ନିମନ୍ତ୍ରଣରେ ଜ୍ୱାଇଁ ନ
ଆସିବା ଯୋଗୁଁ ଝିଅମାନେ ମଧ୍ୟ ନିଜ ଘରକୁ ମୁକୁଳା ଛାଡ଼ି ବାପ ଘରକୁ ଆସିବା ଅନୁଚିତ ବୋଧ କରନ୍ତି
। ଠାକୁରାଣୀ ଯାତ୍ରା ଅବସରରେ ପ୍ରତି ବର୍ଷକ ଅନ୍ତରରେ ଥରେ ସମସ୍ତେ ନିଜ ଜନ୍ମ ସ୍ଥାନକୁ ଫେରି
ପାରିବାରିକ ସୌହାଦ୍ଦ୍ୟକୁ ପୁନଃ ଦୃଢ଼ୀକରଣ କରିଥାନ୍ତି । ଏହି ଦୃଷ୍ଟିରୁ ପାରିବାରିକ ସଦ୍ଭାବ
ପ୍ରତିଷ୍ଠା ଦିଗରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଏକ ବିଶେଷ ଭୂମିକା ରହିଛି ।
No comments:
Post a Comment