Monday, April 15, 2019

କଳାକୁଞ୍ଜ ପ୍ରଦର୍ଶନ

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଉପଲକ୍ଷେ ନିର୍ମିତ ରଥଗୁଡ଼ିକ ପ୍ରାୟ ପାଞ୍ଚ ଦିନରୁ ସପ୍ତାହକ ପାଇଁ ପ୍ରଦର୍ଶିତ ହୋଇଥାଏ । ତେଣୁ ଯାତ୍ରା ପାଳନର ଶେଷ ସପ୍ତାହକ ରଥ ଓ କଳାକୁଞ୍ଜର ଗହଳିରେ ମୁଖରିତ ହୋଇଉଠେ । ରଥ ବାହାରିଲେ ହିଁ  ଅଧିକ ଗ୍ରାମାଞ୍ଚଳ ଯାତ୍ରୀ ଠାକୁରାଣୀ ଯାତ୍ରାକୁ ଆକର୍ଷିତ ହୋଇଥାନ୍ତି । ୧୯୬୩ ଓ ୧୯୬୫ ମସିହାର ଠାକୁରାଣୀ ଯାତ୍ରାରେ କଳାକୁଞ୍ଜ ନିର୍ମାଣ ପରମ୍ପରା ନୂଆ ନୂଆରେ ଆରମ୍ଭ ହେଲା । ୧୯୬୭ ମସିହା ଠାକୁରାଣୀ ଯାତ୍ରାରେ ବହୁ ସଂଖ୍ୟକ କଳାକୁଞ୍ଜ ନିର୍ମିତ ହୋଇଥିଲା । ଏହି କଳାକୁଞ୍ଜ ନିର୍ମାଣ ପାଇଁ କଟକରୁ ଶିଳ୍ପୀ ଆସୁଥିଲେ । ବର୍ତ୍ତମାନ କଳାକୁଞ୍ଜଗୁଡ଼ିକବହୁମାତ୍ରାରେ ସ୍ଥାନୀୟ ଶିଳ୍ପୀଗଣ ନିର୍ମାଣ କରୁଥିବା ବେଳେ କିଛି ସଂଖ୍ୟକ କଟକଶିଳ୍ପୀ ମଧ୍ୟ ଆମନ୍ତ୍ରିତ ହୋଇଥାନ୍ତି ।

ରଥଗୁଡ଼ିକରେ ନିର୍ମିତ ଉପକରଣଗୁଡ଼ିକ ଥରେ ବ୍ୟବହୃତ ହେବା ପରେ ଯତ୍ନ ସହକାରେ ସାଇତି ରଖାଯାଇଥାଏ ଏବଂ ପରବର୍ତ୍ତୀ ବର୍ଷ ତାହାକୁ ପୁନର୍ବାର ରଙ୍ଗ ଦେଇ ପ୍ରଦର୍ଶିତ କରାଯାଏ । କିନ୍ତୁ କଳାକୁଞ୍ଜଗୁଡ଼ିକରେ ପ୍ରଦର୍ଶିତ ମୂର୍ତ୍ତୀ ଓ ସାଜସଜ୍ଜା ପ୍ରତିବର୍ଷ ପରିବର୍ତ୍ତିତ ହେଉଥାଏ । ରଥ କ୍ଷେତ୍ରରେ କୌଣସି ଏକ ଦେବଦେବୀଙ୍କ ପ୍ରତିମୂର୍ତ୍ତି ବିଶାଳ ଆକାରରେ ନିର୍ମିତ ହେଉଥିବା ବେଳେ କଳାକୁଞ୍ଜ କ୍ଷେତ୍ରରେ ବିଭିନ୍ନ ପୌରାଣିକ ଦୃଶ୍ୟାବଳୀ ପ୍ରଦର୍ଶିତ ହୋଇଥାଏ । ଅନ୍ୟ ଭାଷାରେ କହିବାକୁ ଗଲେ ରଥଗୁଡ଼ିକଦେବଦେବୀଙ୍କପୋଟ୍ରେଟ ଉପସ୍ଥାପିତ କରୁଥିବାବେଳେ କଳାକୁଞ୍ଜଗୁଡ଼ିକ ଏକ ଏକ ପୌରାଣିକ ଦୃଶ୍ୟ  ବା ସିନ୍ର ପରିକଳ୍ପନା କରାଯାଇଥାଏ ।

ଅତୀତରେ କାଞ୍ଜିବାରମସାହୀ, ଗୌଡ଼ସାହୀ, ନୂଆ ଗୌଡ଼ସାହୀ, ପେଡ଼ିପୁଦ୍ଦିୱାରିସାହୀ, ଜଉରାସାହୀ, ଚନ୍ଦ୍ରଶେଖର ମହାପ୍ରଭୁ ମନ୍ଦିର ସାହୀ, ରଜା ସାହୀ, ଗୁଡ଼ଗୋର୍ଜି, ପରିବା ମାର୍କେଟର ପାଇକାରୀ ଓ ଖୁଚୁରା, ବାଲୁଙ୍କେଶ୍ୱରସାହୀ, ହରିଡ଼ାଖଣ୍ଡି, ଆସିକା ରୋଡ଼, ସୀତାରାମ ସାହୀ, ଭୁତ ସାହୀ, ମଙ୍ଗଳବାର ପେଟା, ସୁବୁଦ୍ଧିବେଢ଼ା, ପଞ୍ଚମୁଖୀ ସାହୀ, କୋରିୱାରିସାହୀ, କରଣ ସାହୀ ଓ ପୁରୁଣା ବ୍ରହ୍ମପୁର ସାହୀ ଇତ୍ୟାଦିରେ କଳାକୁଞ୍ଜ ନିର୍ମିତ ହୋଉଥିବା ଜଣାଯାଏ ।

ସଂପୃକ୍ତ ସାହୀର ନେତୃସ୍ଥାନୀୟ ବ୍ୟକ୍ତି ଓ ଯୁବକମାନଙ୍କ ପ୍ରଚେଷ୍ଟାରେ କଳାକୁଞ୍ଜନିର୍ମାଣକାର୍ଯ୍ୟ ଆୟୋଜନ କରାଯାଇଥାଏ । ଏକ ନିର୍ଦ୍ଦିଷ୍ଟ ସାହୀରେକଳାକୁଞ୍ଜ ନିର୍ମାଣ ସମ୍ପର୍କରେ ନିଷ୍ପତି ଗ୍ରହଣ ପରେ କେଉଁ ପୌରାଣିକ ଦୃଶ୍ୟକୁ ନେଇ କଳାକୁଞ୍ଜ ନିର୍ମିତ ହେବ ସେ ସମ୍ପର୍କରେ ମତାମତ ସଂଗ୍ରହ କରାଯାଇଥାଏ । ତତ୍ପରେ ଚାନ୍ଦା-ଭେଦା ଆଦାୟ କରାଯାଇ ଶିଳ୍ପୀଙ୍କ ସାହାଯ୍ୟରେ କଳାକୁଞ୍ଜ ନିର୍ମିତ ହୋଇଥାଏ । ରଥ ତୁଳନାରେ କଳାକୁଞ୍ଜ ନିର୍ମାଣରେ ଅପେକ୍ଷାକୃତ କମ ଅର୍ଥ ବ୍ୟୟ କରାଯାଇଥାଏ । କଳାକୁଞ୍ଜଗୁଡ଼ିକ ନିର୍ଦ୍ଦିଷ୍ଟ ସାହୀଗୁଡ଼ିକରେ ସ୍ଥାପିତ ହେଉଥିବା ଯୋଗୁଁ ସେଠାକାର ବାସିନ୍ଦାମାନେ ଆପାତତଃ ଏହାର ନିର୍ମାଣ ଓ ପ୍ରଦର୍ଶନ ପ୍ରକ୍ରିୟାରେ ଅଙ୍ଗାଙ୍ଗୀଭାବେଜଡ଼ିତ ହୋଇଯାଆନ୍ତି । ପ୍ରତ୍ୟେକ କଳାକୁଞ୍ଜ ନିମନ୍ତେ ରାସ୍ତାଘାଟ ଆଲୋକରେ ସଜ୍ଜିତ ହେବା ଫଳରେ ଠାକୁରାଣୀ ଯାତ୍ରାର ପରିଧି ପରିବ୍ୟାପ୍ତ ଓ ଅଧିକ ଉତ୍ସବମୁଖରହୋଇପଡ଼େ ।

No comments: