Friday, April 19, 2019

କୃତଜ୍ଞତା ଜ୍ଞାପନର ପର୍ବ ଠାକୁରାଣୀ ଯାତ୍ରା

ହିନ୍ଦୁ ଧର୍ମାବଲମ୍ୱୀମାନେ ଦେବଦେବୀଙ୍କଠାରେ କୃତଜ୍ଞତା ଜ୍ଞାପନ ପାଇଁ ବିଭିନ୍ନ ତୀର୍ଥ ଭ୍ରମଣ ତଥା ଧାର୍ମିକ ଉତ୍ସବରେ ଅଂଶ ଗ୍ରହଣ କରିଥାନ୍ତି । ସାଧାରଣ ଜୀବନଯାତ୍ରାରେ ଝଡ଼ଝଞ୍ଜାର ସମ୍ମୁଖୀନ ହେବାବେଳେ ଅନେକେ ଦେବଦେବୀଙ୍କ କୃପା ଲାଭଲାଗି ପ୍ରାର୍ଥନା କରି ଶରଣାପନ୍ନ ହୋଇଥାନ୍ତି । ସମୟାନ୍ତେ ସ୍ଥିତାବସ୍ଥାକୁ ଫେରିବା ପରେ ବିଭିନ୍ନ ଧାର୍ମିକ ପର୍ବପର୍ବାଣୀରେ ଅଂଶ ଗ୍ରହଣ କରି କୃତଜ୍ଞତା ଜ୍ଞାପନ ମଧ୍ୟ କରିଥାନ୍ତି । ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକ ମହୋତ୍ସବ ଭାବେ ଗଢ଼ିଉଠିଥିବାସ୍ଥଳେ ମୁଖ୍ୟତଃ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ ତଥା ମାନସିକ ବେଶ ଧାରଣକୁ ବିଚ଼ାରକୁ ନେଲେ ଏହାକୁ ଏକ କୃତଜ୍ଞତା ଜ୍ଞାପନର ପର୍ବ ରୂପେ ବିବେଚ଼ନା କରାଯାଇପାରେ ।

ଠାକୁରାଣୀ ଯାତ୍ରାରେ ବେଶ ଧାରଣ ପାଇଁ ଜଣେ ନିଜେ ମାନସିକ କରିପାରେ କିମ୍ୱା ଅନ୍ୟ ଜଣକ ପାଇଁ ମଧ୍ୟ ମାନସିକ କରାଯାଇ ପାରେ । ବୟସ୍କ ପୁରୁଷମାନେ ନିଜେ ମାନସିକ କରୁଥିବା ବେଳେ କମ ବୟସର ବାଳକମାନଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା ବା ପରିବାରର ଗୁରୁଜନମାନେ ମାନସିକ କରିଥାନ୍ତି । ପାରମ୍ପରିକଭାବେ ଗଞ୍ଜାମ ଜିଲ୍ଲାରେ ଶକ୍ତିପୂଜା ବହୁଳଭାବେ ପ୍ରଚଳିତ ଏବଂ ବ୍ରହ୍ମପୁରରେ ବଡ଼ ଠାକୁରାଣୀ ଅଧିଷ୍ଠାତ୍ରୀ ଦେବୀରୂପେ ପୂଜିତ । ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ଦୁଇଶହରୁ ଅଧିକ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ହେତୁ ଏହି ଭଳି ଏକ ଧାର୍ମିକ ମହୋତ୍ସବରେ ବେଶ ଧାରଣଲାଗି ମାନସିକ କରିବା ଧାରା ଲୋକଆଦୃତ ହୋଇପାରିଛି । ବେଶଧାରଣ କେବଳ ପୁରୁଷମାନଙ୍କ କ୍ଷେତ୍ରରେ ବାଳକଙ୍କଠାରୁ ଯୁବକଙ୍କ ମଧ୍ୟରେ ସୀମିତ ଥିବାବେଳେ ମହିଳାମାନେ ଘଟଧାରଣ ଲାଗି ମାନସିକ କରିଥାନ୍ତି । ପୁରୁଣା ବ୍ରହ୍ମପୁରର ଅନେକ ପରିବାରରେ ଏହା ଏକ ପରମ୍ପରା ରୂପେ ପ୍ରବର୍ତ୍ତିତ ହୋଇଆସିଛି ।

ଠାକୁରାଣୀ ଯାତ୍ରା ଆୟୋଜନରେ ବିଭିନ୍ନ ନୀତି ରୂପାୟନ ଲାଗି କେତେକ ନିର୍ଦ୍ଦିଷ୍ଟ ପରିବାର ପୁରୁଷାନୁକ୍ରମିକ ଭାବେ ସେବା ଯୋଗାଇ ଆସୁଥିବା ଲକ୍ଷ୍ୟ କରାଯାଇପାରେ । ଯାତ୍ରା ଆୟୋଜନ ନିମନ୍ତେ ନିଷ୍ପତ୍ତି ଗ୍ରହଣ ପରେ ଶୁଭଖୁଣ୍ଟ ସ୍ଥାପନଠାରୁ ଆରମ୍ଭ କରି, ଅସ୍ଥାୟୀ ମଣ୍ଡପ ନିର୍ମାଣ, ଗୋବର ଲେପନ ଓ ଝୋଟି ଦିଆ, ଘଟ ନିର୍ମାଣ, ଘଟ ଚ଼ିତ୍ରଣ, ଫୁଲ ସଂଗ୍ରହ, ବାଉଁଶ ଚ଼ାଙ୍ଗୁଡ଼ି ପ୍ରଦାନ, ଛାମୁଣ୍ଡିଆ ନିର୍ମାଣ, ଘଟ ପରିକ୍ରମାରେ ସୁରକ୍ଷା ଏବଂ ପୂଜା ପଦ୍ଧତି ପରିଚ଼ାଳନା ଲାଗି ବଂଶାନୁକ୍ରମିକଭାବେ କାର୍ଯ୍ୟ କରି ଆସୁଛନ୍ତି ।

ଦ୍ୱି-ବାର୍ଷିକ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ଦେଶୀବେହେରା ନିଜ କୁଳର ସେନାପତି ଓ ସର୍ବସାଧାରଣଙ୍କ ସମ୍ମତ୍ତି ହାସଲ କରିବା ପରେ ବଡ଼ ଠାକୁରାଣୀଙ୍କଠାରୁ ଆଜ୍ଞା ପାଇ ଶୁଭଖୁଣ୍ଟ ସ୍ଥାପନ ମାଧ୍ୟମରେ ଯାତ୍ରା ତିଥି ଘୋଷଣା କରିଥାନ୍ତି । ଶୁଭଖୁଣ୍ଟ ପ୍ରସ୍ତୁତି ନିମନ୍ତେ ବାଉଁଶ ଆଗାସାହୀସ୍ଥିତ ପୃଷ୍ଟି ବଂଶ ପୁରୁଣା ବ୍ରହ୍ମପୁର ବାଉରି ସାହୀରୁ କାଟି ଆଣିଥାନ୍ତି । ଏହି ବାଉଁଶର ଲମ୍ୱା ନଅ ଫୁଟ ଏବଂ ଏଥିରେ ନଅ ଗୋଟି ଗଣ୍ଠି ଥାଏ । ପୃଷ୍ଟି ପରିବାରଙ୍କ କୌଳିକ ବୃତ୍ତି ତୁଳାଭିଣା । ସେ ବାଉଁଶ ନିଜ ଘରେ ଇଷ୍ଟଦେବୀଙ୍କଠାରେ ପୂଜା କରି ଗେରୁ ଲିପି ଚନ୍ଦନ, ସିନ୍ଦୁର ଲଗାଇ ଦେଶୀବେହେରାଙ୍କ ଘର ସାମ୍ନାରେ ଆୟୋଜିତ ସଭାସ୍ଥଳକୁ ଆଣିଥାନ୍ତି । ଏହି ଶୁଭଖୁଣ୍ଟ ଶୋଭାଯାତ୍ରାରେ ବଡ଼ ଠାକୁରାଣୀ ମନ୍ଦିରକୁ ନିଆଯାଇ ଆଜ୍ଞାମାଳ ସହ ଫେରିବା ପରେ ଅସ୍ଥାୟୀ ମଣ୍ଡପ ନିର୍ମାଣସ୍ଥଳରେ ସ୍ଥାପନ କରାଯାଇଥାଏ ।

ଅସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ ପାଇଁ ଜଣେ କୌଳିକ ମହାରଣା ସ୍ୱତଃପ୍ରବୃତ୍ତଭାବେ ସେବା ଯୋଗାଇଥିବା ବେଳେ ପାରମ୍ପରିକଭାବେଶଙ୍କରପୁରସାହୀର ବାଉରି ସଂପ୍ରଦାୟର ଅବିବାହିତ କନ୍ୟା ଓ ମହିଳାମାନେ ଅସ୍ଥାୟୀ ମଣ୍ଡପରେ ଗୋବର ଲିପା ଓ ଝୋଟି ଦିଆ କାର୍ଯ୍ୟ ସମାପନ କରିଥାନ୍ତି । ଅସ୍ଥାୟୀ ମଣ୍ଡପ କଞ୍ଚା ବାଉଁଶ ଓ ନଡ଼ାରେ ନିର୍ମିତ ହେବା ବେଳେ ଝୋଟି ପାଇଁ ଧଳା ଖଡ଼ି ପାଣିରେ ଘୋରି ପିଠଉ ତିଆରି କରାଯିବା ନୀତି ରହିଛି । ଠାକୁରାଣୀଙ୍କୁ ନିମନ୍ତ୍ରଣ କରିବାପାଇଁ ଫୁଲସୁନ୍ଦରୀସାହୀରୁ ଫୁଲ ଚ଼ାଙ୍ଗୁଡ଼ି ଅଣାଯାଉଥିବା ବେଳେ ଷଣ୍ଢ ମହାନ୍ତି ସାହୀରେ ବସବାସ କରୁଥିବା ଅନ୍ୟଏକ ରାଉଳ ପରିବାର ଇଟାମଲ୍ଲୀ ଫୁଲ ହାର ଯୋଗାଇଥାନ୍ତି ।

ବଡ଼ ବଜାରରେ ଆୟୋଜିତ ଠାକୁରାଣୀ ଯାତ୍ରା ପାଇଁ ଅନ୍ୟୂନ ସାତ କିଲୋମିଟର ଦୂରବର୍ତ୍ତୀ ଲାଞ୍ଜିପଲ୍ଲୀର କୁମ୍ଭାରମାନେ ଘଟ ନିର୍ମାଣ କରି ଆସୁଛନ୍ତି । ଶୁଭ ତିଥି ଚ଼ୟନ କରି କୁମ୍ଭକାରମାନେ ଘଟ ତିଆରି କାମ ଆରମ୍ଭ କରିଥାନ୍ତି । ମଧ୍ୟରାତ୍ରୀରେ କୁମ୍ଭାର ପରିବାରର ଜଣେ ପୁରୁଷ ସଦସ୍ୟ ମୃତ୍ତିକା ପୂଜା କରି ଏକ ନିର୍ଦ୍ଦିଷ୍ଟସ୍ଥାନରୁ କାଠରେ ତାଡ଼ି ମାଟି ସଂଗ୍ରହ କରିଥାନ୍ତି । ମାଟି ହାଣ୍ଡି ନିର୍ମାଣ ପରେ ତାହାକୁ ଯେଉଁ ସ୍ଥାନରେ ପୋଡ଼ା ଯାଇଥାଏ ତାହାକୁ ପୋତି ଦିଆଯାଏ । ଅପର ପକ୍ଷେ ଯାତ୍ରାର ଶେଷ ଦିବସରେ ସାଧାରଣ ମହିଳାମାନେ ମଣ୍ଡନ କରୁଥିବା ଘଟ ଲାଠୀ ଓ ଚ଼ିକରଡ଼ା ଗ୍ରାମର କୁମ୍ଭକାରମାନଙ୍କ ଦ୍ୱାରା ନିର୍ମିତ ହୋଇଥାଏ ।ଲାଞ୍ଜିପଲ୍ଲୀର କୁମ୍ଭକାରମାନେ ଦେଶୀବେହେରାଙ୍କ ଘରେ ଘଟ ଯୋଗାଇ ଦେବା ପରେ ମୁଖ୍ୟ ଘଟ ସହ ଆଠଗୋଟି ପାର୍ଶ୍ୱଘଟକୁ ଆଇନାବନ୍ଧସାହୀର ଏକ ପରିବାରର ମହିଳାମାନେ ତାହାକୁ ଚ଼ିତ୍ରିତ କରିଥାନ୍ତି ଘଟରେ ବ୍ୟବହୃତ ଟାହିଆ ଶଙ୍କରପୁରସାହୀର ମେଦିରିମାନଙ୍କଦ୍ୱାରା ପ୍ରସ୍ତୁତ ହୋଇଥାଏ । ସେହିପରି ଠାକୁରାଣୀଙ୍କୁ ନିମନ୍ତ୍ରଣ ଶୋଭାଯାତ୍ରାରେ ପାଣ୍ଡବ ନଗରର ବାଦ୍ୟକାର ଓ ଷଣ୍ଢ ମହାନ୍ତି ସାହୀର ବୀରକାହାଳି ବାଦକ ସାମିଲ ହୋଇ ଆସୁଛନ୍ତି । ଘଟ ପରିକ୍ରମା, କାଳରେ ମୁଖ୍ୟଘଟପାର୍ଶ୍ୱରେ ଦଳେଇ ବଂଶଜ ସୁରକ୍ଷା ପ୍ରଦାନର ପରମ୍ପରା ରହିଛି । ସେମାନେ ପ୍ରସାଦ ବିତରଣ ଓ ଅସ୍ଥାୟୀ ମଣ୍ଡପରେ ପରିଚ୍ଛନ୍ନତା ଇତ୍ୟାଦି କାର୍ଯ୍ୟ ମଧ୍ୟ ତତ୍ତ୍ୱାବଧାନ କରିଥାନ୍ତି । ଯାତ୍ରା ପାଇଁ ଛାମୁଣ୍ଡିଆ ନିର୍ମାଣ କାମର ଦାୟିତ୍ୱ ପ୍ରତିବର୍ଷ ଦେଶୀ ବେହେରା ସାହୀ ବ୍ୟବସାୟୀ ସଂଘ ପ୍ରମୁଖ ଗ୍ରହଣ କରିଥାନ୍ତି । ଠାକୁରାଣୀ ଯାତ୍ରାରେ ଭୋଗ ରୂପେ ପ୍ରସିଦ୍ଧ ଗଜା ମୁଆଁ ପୁରୁଣା ବ୍ରହ୍ମପୁରର ଗୁଡ଼ିଆ ସଂପ୍ରଦାୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ବିକ୍ରୀ କରାଯାଇଥାଏ ।

ଠାକୁରାଣୀ ଯାତ୍ରା ଆୟୋଜନ କାଳରେ ଦେଶୀବେହେରାଙ୍କ ପକ୍ଷରୁ ବିଭିନ୍ନ ସେବା ପ୍ରଦାନକାରୀ ପରିବାର ଓ ସଂପ୍ରଦାୟଙ୍କୁ ଯାତ୍ରାରେ ଯୋଗଦାନ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯିବା ପରମ୍ପରା ରହିଛି । ଏଭଳି ସାମୂହିକ ଉଦ୍ୟମ ହେତୁ ଯାତ୍ରା ପରିଚ଼ାଳନା ସମ୍ଭବପର ହୋଇଥାଏ ।

No comments: