ଲୋକ ମହୋତ୍ସବ ପାଳନ ଅବସରରେ ଦେବଦେବୀ ଓ ଆୟୋଜକଙ୍କ ମଧ୍ୟରେ ପାରିବାରିକ ସଂପର୍କ କଳ୍ପନା
କରାଯାଇଥାଏ । ସମ୍ୱଲପୁରର ଶୀତଳ ଷଷ୍ଠୀ ଭଳି ରାଜ୍ୟର ବିଭିନ୍ନ ଲୋକଉତ୍ସବରେ ଏହି ରୀତି
ଦେଖିବାକୁ ମିଳେ । ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବଡ଼ ଠାକୁରାଣୀ ନିଜ ମନ୍ଦିର ଶ୍ୱଶୁରାଳୟରୁ
ପିତ୍ରାଳୟ ଦେଶୀ ବେହେରାଙ୍କ ବାସଭବନ ବୁଲି ଆସିଥାନ୍ତି ବୋଲି କୁହାଯାଏ । ଏଠାକାର ସାମାଜିକ
ବ୍ୟବସ୍ଥାରେ ଝିଅଙ୍କ ପାଇଁ ଶାଶୁଘର ଓ ବାପାଘରର କିଛି ଚଳେଣୀ ଯାତ୍ରା ପାଳନରେ ପ୍ରତିବିମ୍ୱିତ
ହୋଇଥାଏ । ବାପଘରଭାବେ ଦେଶୀ ବେହେରାଙ୍କ ପକ୍ଷରୁ ଝିଅକୁ ନିମନ୍ତ୍ରଣ କରିବା ରୀତିନୀତି ଯାତ୍ରା
ଆରମ୍ଭରେ ପାଳିତ ହେଉଥିବା ବେଳେ ଯାତ୍ରା ଶେଷରେ ଶାଶୁଘର ବଡ଼ ଠାକୁରାଣୀ ମନ୍ଦିରୁ ବୋହୁ ଡ଼ାକରା
ପଦ୍ଧତି ଅନୁସରଣ କରାଯାଇଥାଏ । ସପ୍ତଦଶ ଶତାଦ୍ଦୀ ଶେଷ ଭାଗରେ ପ୍ରତିଷ୍ଠିତ ମହୁରି ରାଜବାଟୀ
ଚ଼ର୍ତୁଦିଗରେଗଢ଼ି ଉଠୁଥିବା ଜନବସତିକୁ ନେଇ ବ୍ରହ୍ମପୁରର କ୍ରମବିକାଶ ପର ଶହେ ବର୍ଷ ପରେ
ଅଷ୍ଟଦଶ ଶତାଦ୍ଦୀ ଶେଷଭାଗରେ ଆଭ୍ୟନ୍ତରୀଣ ଆନ୍ଧ୍ର ପ୍ରଦେଶରୁ ବୁଣାକର‘ଦେବାଙ୍ଗ’ ସମ୍ପ୍ରଦାୟ ବ୍ରହ୍ମପୁରରେ ପହଞ୍ଚିବାର ପରବର୍ତ୍ତୀ ଶହେ ବର୍ଷ ପରେ ସୀମାନ୍ତ ଆନ୍ଧ୍ର
ପ୍ରଦେଶରୁ ବୈଶ୍ୟ‘କୁମୁଟି’ ସଂପ୍ରଦାୟ ବ୍ରହ୍ମପୁରରେ ପହଞ୍ଚି ବାଣିଜ୍ୟ ବ୍ୟବସାୟରେ ସଂପୃକ୍ତ ହୋଇଥିବା ଅନୁମାନ
କରାଯାଏ । ଏହି ସମୟସୀମାରେ ବିକଶିତ ଠାକୁରାଣୀ ଯାତ୍ରାରେ ‘ଦେବାଙ୍ଗ’ ସମ୍ପ୍ରଦାୟ ବାପଘର ଭାବେ ଚ଼ିହ୍ନିତ ହୋଇଥିବା ବେଳେ ‘କୁମୁଟି’ ସଂପ୍ରଦାୟ ଶାଶୁଘରର ପ୍ରତିନିଧିତ୍ୱ କରିବା ପ୍ରଥା ଲାଗୁ ହୋଇଥିଲା ।
ଯାତ୍ରା ଶେଷ ଦିବସ ସ୍ଥିର ହେବାପରେ ବଡ଼ ଠାକୁରାଣୀ ମନ୍ଦିରରୁ ମଧ୍ୟହ୍ନରେସହସ୍ରାକ୍ଷି ଘଟ
ଦେଶୀବେହେରାଙ୍କ ବାସଭବନରେ ପହଞ୍ଚିଥାଏ । ବ୍ରହ୍ମପୁରର ପୂର୍ବ ଉପକଣ୍ଠ
ଆଙ୍କୁଲିଗ୍ରାମରକୁମ୍ଭାରପଲ୍ଲୀର କୁମ୍ଭକାରମାନେ ବହୁ ଛିଦ୍ର ଯୁକ୍ତ ଏକ ସ୍ୱତନ୍ତ୍ର ମାଟି
ହାଣ୍ଡି ନିର୍ମାଣ କରି ଯୋଗାଇଥାନ୍ତି । ଏହାକୁ ବହୁ ରଙ୍ଗରେ ଚ଼ିତ୍ରିତ କରାଯାଇଥାଏ । ଦେଶୀବେହେରାଙ୍କ
ଘରେ ଏହା ପୂଜାପାଠ କରାଯାଇଥାଏ । ରାତିରେ ପ୍ରତ୍ୟାବର୍ତ୍ତନ ଘଟ ଶୋଭାଯାତ୍ରାରେ କୁମୁଟି
ସଂପ୍ରଦାୟ ପାରମ୍ପରିକ ମୁଖ୍ୟଙ୍କ ପତ୍ନୀ ସହସ୍ରାକ୍ଷି ଘଟ ମଣ୍ଡନ କରି ପୁରୋଭାଗରେ ଯିବା ବେଳେ
ତା’ପଛରେ ଦେଶୀ ବେହେରାଙ୍କ ପତ୍ନୀ ମୁଖ୍ୟ ଘଟ ମଣ୍ଡନ କରି ଯିବା ପ୍ରଥା ଚଳି ଆସିଛି ।
ସହସ୍ରାକ୍ଷି ଘଟ ଯାତ୍ରା ପଥକୁ ଆଲୋକିତ କରିଥାଏ ବୋଲି ବିଶ୍ୱାସ କରାଯାଏ ।
ଯାତ୍ରାରେ ପ୍ରତ୍ୟାବର୍ତ୍ତନ ଘଟ ଶୋଭାଯାତ୍ରା ମଧ୍ୟରାତ୍ରୀର ଠିକ୍ ପରେପରେ
ଦେଶୀବେହେରାସାହୀରୁ ଆରମ୍ଭ ହୋଇଥିଲା । ଏହା ମହୁରି ରାଜା ରାସ୍ତା, ବଡ଼ ବଜାର ମୁଖ୍ୟ ରାସ୍ତା,
ସାନ୍ତାରାଣୀସାହୀ, ମାର୍ଥାପେଟାସାହୀ, କେଉଟ ସାହୀ, ଶଙ୍କରପୁରସାହୀ, ବାଚୁବାରୀସାହୀ,
କେଦାରେଶ୍ୱର ମନ୍ଦିର ରାସ୍ତା, ଚନ୍ଦ୍ରମା ସାହୀ, ଖାସ୍ପାସାହୀ, ଜଉରାସାହୀରେମାଉସୀମା ଘର ଦେଇ
ପୁଣି ଖାସ୍ପାସାହୀ, ପୁଜିପେଦୀସାହୀ, ଖରୁଡ଼ାସାହୀ ହୋଇ ବଡ଼ ଠାକୁରାଣୀ ମନ୍ଦିରରରେ ଭୋର ୩ ରୁ ୪
ଘଣ୍ଟା ମଧ୍ୟରେ ପହଞ୍ଚିଥାଏ । ସେଠାରେ ମୁଖ୍ୟ ଘଟ ସହ ପାର୍ଶ୍ୱ ଘଟଗୁଡ଼ିକୁ ମନ୍ଦିରର
ରତ୍ନସିଂହାସନରେ ସ୍ଥାପନ କରିବାପରେ ଶୋଭାଯାତ୍ରାରେ ଆସିଥିବା ହଜାର ହଜାର ଘଟ ଧାରୀ ସାଧାରଣ
ମହିଳା ମନ୍ଦିର ପ୍ରାଙ୍ଗଣରେ ଘଟ ବିସର୍ଜନ କରିଥାନ୍ତି। ଏହି କାର୍ଯ୍ୟକ୍ରମ ସକାଳ ଯାଏଁ ଚାଲିଥାଏ
।
ଘଟ ଶୋଭାଯାତ୍ରା କାଳରେ ସମଗ୍ର ଯାତ୍ରାପଥକୁ ଭକ୍ତମାନେ ଝାଡ଼ୁ ମାରି ସାଙ୍କେତିକ ଭାବେ ସଫା
କରିଥାନ୍ତି ଏବଂ ଘଟ ଶୋଭାଯାତ୍ରାକୁ ସ୍ୱାଗତ କରି ରାସ୍ତାରେ ନୂତନ ବସ୍ତ୍ର, ପୁଷ୍ପ ପାରିଥାନ୍ତି
। ଘଟ ଶୋଭାଯାତ୍ରା ଓ ଦର୍ଶକମାନଙ୍କ ଭିଡ଼ ସ୍ଥାନୀୟ ସାହୀଗୁଡ଼ିକର ଯୁବକମାନେ ନିୟନ୍ତ୍ରିତ
କରାଇଥାନ୍ତି । ପ୍ରଶାସନ ପକ୍ଷରୁ ପ୍ରାୟ ୧୫ ପ୍ଳାଟୁନପୋଲିସ ନିୟୋଜିତ ହୋଇଥାଏ । ଆକଳନ ଅନୁଯାୟୀ ପ୍ରାୟ ଦୁଇଲକ୍ଷ ଲୋକ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ଯୋଗ ଦେଇଥାନ୍ତି ।
No comments:
Post a Comment