Thursday, April 27, 2017

ବେଶଧାରଣ ପରମ୍ପରା

ଠାକୁରାଣୀ ଯାତ୍ରା ଅବସରରେ ପୂର୍ବ ମାନସିକ ଜନିତ କାରଣ ବା ସ୍ୱତଃପ୍ରବୃତଭାବେ ଅନେକ ବ୍ୟକ୍ତି ବିଭିନ୍ନ ବେଶ ଧାରଣ କରିବା ପରମ୍ପରା ଚଳିଆସିଛି l ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ମାନସିକ ଅନୁଯାୟୀ ଲୋକେ ବାଳ କାଟି ଲଣ୍ଡା ହୋଇଥାନ୍ତି କିମ୍ୱା ବଳି ଦେଇଥାନ୍ତି l ତେବେ ଠାକୁରାଣୀ ଯାତ୍ରା ଅବସରରେ ରୋଗବ୍ୟାଧିରୁ ଉଦ୍ଧାର ବା ସଙ୍କଟମୋଚନ ଆଶାରେ ମାନସିକ କରିଥିବା ବ୍ୟକ୍ତିବିଶେଷ ବିଭିନ୍ନ ବେଶଧାରଣ କରି ଏକ ଉତ୍ସବମୁଖର ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଥାନ୍ତି l କେବଳ ପୁରୁଷମାନେ, ସାଧାରଣତଃ ବାଳକ ଓ ଯୁବକମାନେ ଏହି ବେଶ ଧାରଣରେ ଅଂଶଗ୍ରହଣ କରିଥାନ୍ତି l

ବିଭିନ୍ନ ଲୋକଉତ୍ସବ ଅବସରରେ, ମୁଖ୍ୟତଃ କାର୍ନିଭାଲ ଧରଣର ଯାତ୍ରାମାନଙ୍କରେ ପ୍ରାକ୍-ଐତିହାସିକ କାଳରୁ ମନୁଷ୍ୟ ବିଭିନ୍ନ ପଶୁପକ୍ଷୀ ବା ବିଚିତ୍ର ଚରିତ୍ରର ବେଶ ଧାରଣ କରି ନୃତ୍ୟଗୀତରେ ଅଂଶଗ୍ରହଣ କରିବା ପରମ୍ପରା ରହିଛି l ଯାତ୍ରାମହୋତ୍ସବ ଅବସରରେ ବିଶ୍ୱର ବିଭିନ୍ନ ପ୍ରାନ୍ତର ଆଦିବାସୀମାନେ ବିଭିନ୍ନ ଧରଣର ପଶୁପକ୍ଷୀଙ୍କ ବେଶ ପରିଧାନ କରି ନୃତ୍ୟଗୀତରେ ଅଂଶଗ୍ରହଣ କରିଥାନ୍ତି l ଆଫ୍ରିକୀୟ ଓ ଲାଟିନ ଆମେରକୀୟ ଦେଶପୁଞ୍ଜରେ ଏହି ଧରଣର ଯାତ୍ରାଗୁଡ଼ିକ ପର୍ଯ୍ୟଟନ ଆକର୍ଷଣ ରୂପେ ଆନ୍ତର୍ଜାତିକସ୍ତରରେ ପରିଗଣିତ ହୋଇଥାଏ l

ଠାକୁରାଣୀ ଯାତ୍ରାରେ ପାରମ୍ପରିକଭାବେ ବାଘ, ହନୁମାନ ଇତ୍ୟାଦି ଜୀବଜନ୍ତୁ ସାଙ୍ଗକୁ ଶିବ, କୃଷ୍ଣ, ବଳରାମ, ରାମଚନ୍ଦ୍ର, ଲକ୍ଷ୍ମଣ, ସୀତା, ନାରଦ ଇତ୍ୟାଦି ପୌରାଣିକ ଚରିତ୍ର, ବାବାଜି, ଜ୍ୟୋତିଷ, ଡାହାଣୀ, ଦହିବାଲୀ, ଶୁଖୁଆବାଲୀ, ଅତର ବିକ୍ରେତା, ଆଦିବାସୀ, ଫେରିବାଲା, ପୋଲିସ ଇତ୍ୟାଦି ସାମାଜିକ ଚରିତ୍ରଙ୍କ ଅନୁକରଣରେ ବେଶ ପରିଧାନ କରାଯାଇଥାଏ l ପୁରୁଷମାନଙ୍କ ନାରୀବେଶ ଧାରଣ ଓ ସହର ପରିଭ୍ରମଣ ମଧ୍ୟ ଏକ କୌତୁହଳୋଦ୍ଦୀପକ ଦୃଶ୍ୟ l

ଠାକୁରାଣୀ ଯାତ୍ରା ଅବସରରେ ପୂର୍ବମାନସିକ କାରଣରୁ ସାଧାରଣତଃ କମ୍ ବୟସର ବାଳକଙ୍କ ଠାରୁ ଆରମ୍ଭ କରି ମଧ୍ୟ-ବୟସ୍କଙ୍କ ପର୍ଯ୍ୟନ୍ତ ପୁରୁଷମାନେ ବେଶ ଧାରଣ କରିଥାନ୍ତି l ପୁରୁଣା ସହରରେ ଯେତେବେଳେ ଶିଶୁଟିଏ ସାଂଘାତିକଭାବେ ବ୍ୟାଧିଗ୍ରସ୍ତ ହୋଇପଡ଼େ ଚିକିତ୍ସା ଅବସରରେ ତାର ମାଆ ଗୋସାଇଁ ମା ବା ଆଈ ଏପରି କେହି ଜଣେ ବଡ଼ ଠାକୁରାଣୀଙ୍କଠାରେ ସହଣିକ କରିବସନ୍ତି ଯେ ନିଜ ପୁଅ ବା ନାତି ରୋଗମୁକ୍ତ ହୋଇଗଲେ ଆସନ୍ତା ଠାକୁରାଣୀ ଯାତ୍ରାରେ ବାବାଜୀ, କୃଷ୍ଣ ଅମକ ସମକ ବେଶ ଧାରଣ କରିବ l ପୁତ୍ର ସନ୍ତାନଟି ଭଲ ହୋଇଥାଏ ଏବଂ ପରବର୍ଷ ଠାକୁରାଣୀ ଯାତ୍ରା ଅବସରରେ ବେଶ ଧାରଣ କରେ l

ଏକ ନିର୍ଦ୍ଦିଷ୍ଟ ଦିବସରେ ବେଶ ଧାରଣ କରିବା ନିର୍ଦ୍ଧାରିତ ହେବା ପରେ ସେହିଦିନ ପୂର୍ବାହ୍ନରେ ବେଶ ଧାରଣ କରିବା ଶିଶୁ, ଯୁବକ ବା ବ୍ୟକ୍ତିଜଣକ ପ୍ରଥମେ ବେଶଭୁଷାରେ ସଜ୍ଜିତ ହୋଇ ଦେଶୀବେହେରା ସାହୀର ଅସ୍ଥାୟୀ ମନ୍ଦିରକୁ ଯାଇଥାଏ l କେତେକ କ୍ଷେତ୍ରରେ ବେଶଧାରୀଙ୍କ ସହ ବାଦ୍ୟବାଦକ ସହଯୋଗିତା କରୁଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ବାଦ୍ୟ ବାଦକମାନଙ୍କ ଆବଶ୍ୟକତା ନଥାଏ l ବେଶ ଧାରଣ କରିଥିବା ବ୍ୟକ୍ତି ଓ ବାଦକମାନେ ଠାକୁରାଣୀଙ୍କଠାରେ ପୂଜା ଅର୍ଚ୍ଚନା ସାରି ସାହୀ ସାହୀ ବୁଲି ନିଜ ପରିଚିତ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିଥାନ୍ତି l ପ୍ରତ୍ୟେକେ ବେଶ ଧାରଣ କରିଥିବା ବ୍ୟକ୍ତିଙ୍କୁ କିଛି ଅର୍ଥ ଉପହାର ସ୍ୱରୂପ ଦେଇଥାନ୍ତି l ଏହି ଅର୍ଥର ପରିମାଣ ସାଧାରଣତଃ ବେଶଧାରଣ କରିଥିବା ବ୍ୟକ୍ତିର ଅର୍ଥନୀତିକ ଓ ସାମାଜିକ ପ୍ରତିପତ୍ତି ଉପରେ ନିର୍ଭର କରିଥାଏ l ବସ୍ତି ଭ୍ରମଣ ପରେ ବେଶଧାରଣ କରିଥିବା ବ୍ୟକ୍ତି ପୁନର୍ବାର ଠାକୁରାଣୀଙ୍କ ଦର୍ଶନ କରି ବେଶ ଉତୁରାଇଥାଏ l

ଠାକୁରାଣୀ ଯାତ୍ରା ପାଳନର ଶେଷ ସପ୍ତାହଟି ବ୍ରହ୍ମପୁର ସହର ଉତ୍ସବମୁଖର ହୋଇଉଠେ l ଚୈତ୍ର ମାସର ଉଦୁଉଦିଆ ଖରାବେଳ l ରାସ୍ତାରେ ଦେଖିବେ ତ ହନୁମାନଟିଏ ମୋଟର ସାଇକେଲ ଚଢ଼ି ଚାଲିଛି l ହଠାତ୍ ବାଦ୍ୟ ବାଜି ଉଠେ l ବାଘଟିଏ ଦୌଡ଼ିଆସେ ବା ଡ଼ାହାଣୀଟିଏ ନାଚି ଉଠେ l ଏକ ଅଦ୍ ଭୂତ ସରାରିଆଲିଜିମ୍ ଦୃଶ୍ୟାବଳୀରେ ସହର ଭରି ଉଠେ l


ବ୍ରହ୍ମପୁରର ଏହି ମୌଳିକ ମହୋତ୍ସବରେ ଧନୀଗରିବ ଜାତିଭେଦର ବାଛବିଚାର ନାହିଁ l ଭିକାରୀଟିଏ ଦେହସାରା ଅଙ୍ଗାର କଳା ବୋଳି ସେଥିରେ ଧଳାଛିଟ ଦେଇ ମୁଣ୍ଡରେ କାଉ ପରଖଣ୍ଡେ ଗୁଞ୍ଜି ହାତରେ ପଥର ଖଣ୍ଡେ ଧରି ଚିତ୍କାର କରି ଉଠୁଛି, ଛୋଡ଼ ଗାଜିଆ ଛାଡ଼ି ଦେ ବାଟ, ଦୁଇ ବରଷରେ ଥରେ ଗାଜିଆ ନାଟ ତ ସହରର କୌଣସି ଏକ ବିଶିଷ୍ଟ ଧନୀକ ବ୍ୟକ୍ତିଙ୍କ ଅଲିଅଳ ପୁତ୍ର ପୁଙ୍ଗୁଳା ଦେହରେ କୌପୁନୀଖଣ୍ଡେ ମାରି କଅଁଳ ସ୍ୱରରେ କହୁଛି ଜୟ ବାବାଜୀ କୀ ଜୟ’ l 

No comments: