ବ୍ରହ୍ମପୁର ଠାକୁରାଣୀ
ଯାତ୍ରାରେ ବାଘ ନାଚ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ l
ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ ବାଘ ନାଚ ପ୍ରଚଳିତ ଥିଲେ ହେଁ
ଏଠାକାର ବାଘ ନାଚର ସାଜସଜ୍ଜା, ନୃତ୍ୟ ଓ ବାଦ୍ୟ ବିଭିନ୍ନ ଦିଗରୁ ଅପେକ୍ଷାକୃତ ମନମୁଗ୍ଧକର
ହୋଇଥାଏ l ସାଧାରଣତଃ ଯାତ୍ରା ଅବସରରେ ପୂର୍ବ-ମାନସିକ କିମ୍ୱା ବ୍ୟକ୍ତିବିଶେଷ ନିଜ ଆଗ୍ରହ ଜନିତ କାରଣରୁ ବେଶ ଧାରଣ
କରିଥାନ୍ତି l ବାଘ ନାଚ କରିବା ନିମନ୍ତେ
ବ୍ୟକ୍ତିବିଶେଷଙ୍କୁ ନୃତ୍ୟରେ ପରଙ୍ଗମତା ହାସଲ କରିବାକୁ ପଡ଼ିଥାଏ ଏବଂ ଏହି ଦୃଷ୍ଟିରୁ ଅନଭିଜ୍ଞ
ବ୍ୟକ୍ତି ବାଘ ବେଶ ଧାରଣ କରିବା ସମ୍ଭବପରେ ହୁଏ ନାହିଁ l
ବ୍ୟାଘ୍ର ଠାକୁରାଣୀଙ୍କ ବାହାନ
ହୋଇଥିବା ହେତୁ ଠାକୁରାଣୀ ଯାତ୍ରାରେ ବାଘ ବେଶ ଗୁରୁତ୍ୱ ବହନ କରିଥାଏ l ବାଘ ବେଶ ଧାରଣ କରିବା ପୂର୍ବରୁ ନୃତ୍ୟ ପ୍ରଶିକ୍ଷଣ ଓ ଅଭ୍ୟାସ
ଆବଶ୍ୟକତା ପଡ଼ିଥାଏ l ବାଘନାଚ ଶିଖାଇବା ନିମନ୍ତେ ସହରରେ
ଗୁରୁ ମଧ୍ୟ ମିଳିଥାନ୍ତି l ଅତୀତରେ
ଅଭ୍ୟାସ କରିବା ଲାଗି ବାଦ୍ୟବାଜଣା ଆବଶ୍ୟକ ପଡୁଥିବା ବେଳେ ଆଜିକାଲି ଅଡିଓ ସିଡ଼ିରେ କାମ ଚଳିଯାଉଛି l
ସ୍ଥଳ ବିଶେଷରେ ଦୁଇରୁ ଚାରିମାସ ଏଭଳି ଅଭ୍ୟାସ ଜାରୀ ରହିଥାଏ l
ଆଜକୁ ୪୦ / ୫୦ ବର୍ଷ ପୂର୍ବେ କେବଳ ଠାକୁରାଣୀ ଯାତ୍ରା କାହିଁକି ବର୍ଷତମାମ ବାଘ
ନାଚିଲାବାଲାଙ୍କ ସାମାଜିକ ପ୍ରତିଷ୍ଠା ବଳବତ୍ତର ରହୁଥିଲା l
ଜଣେ ଭଲ କ୍ରିକେଟର, ଫୁଟବଲର ବା ଚିତ୍ରତାରକାଙ୍କୁ ଯେପରି ପ୍ରାଧାନ୍ୟ ଦିଆଯାଏ, ଜଣେ ଭଲ ବାଘ
ନାଚ ନାଚିଲାବାଲା ମଧ୍ୟ ଅନୁରୂପ ଲୋକପ୍ରିୟତା ହାସଲ କରିପାରୁଥିଲେl
ସେ ସମୟରେ ହୁଏତ ଆଜିକା ତୁଳନାରେ ଖୁବ୍ କମ୍ ସଂଖ୍ୟକ ବ୍ୟକ୍ତି ବାଘ ବେଶ ଧାରଣ କରୁଥିଲେ ଏବଂ
ଏଥିପାଇଁ ସେମାନଙ୍କୁ ରୀତିମତ ପୂର୍ବ-ପ୍ରସ୍ତୁତି
ବା ରିହରସାଲ କରିବାକୁ ପଡୁଥିଲା l କେଉଁ
ସାହୀର ନାଚିଲାବାଲା କେଉଁ ତାରିଖରେ ବାଘ ବେଶରେ ନାଚିବ ସେଥିପାଇଁ ଲୋକେ ତାରିଖ ଗଣି ଅପେକ୍ଷା
କରୁଥିଲେ l ପ୍ରତ୍ୟେକ ବାଘ ସହ ଅନ୍ୟୂନ ୬୦ ରୁ ୧୦୦ ବସ୍ତିବାଲା ତଥା
ସାଖା-ସହୋଦର ସହର ପରିଭ୍ରମଣ କରୁଥିଲେ l
ବସ୍ତିବାଲାଙ୍କ ମଧ୍ୟରେ ସହଯୋଗ ମନୋଭାବ ଏତାଦୃଶ୍ୟ ନୃତ୍ୟ ଆୟୋଜନରେ ପରିସ୍ଫୁଟିତ ହେଉଥିଲା l ଆଜିକାଲି ତ ଯିଏ ପଇସା ଯୋଗାଡ଼ କରିପାରୁଛି ସେ ବାଘ ନାଚ ପାଇଁ ଆଗେଇ
ଆସୁଛି l ନା ପୂର୍ବପ୍ରସ୍ତୁତି ନା ନାଚିବା ଶୈଳୀରେ ପରିପକ୍ୱତା, ନା
କୌଣସି ସାମୂହିକ ପ୍ରଚେଷ୍ଟା ବାଘ ନାଚ କ୍ଷେତ୍ରରେ ଦେଖିବାକୁ ମିଳୁଛି l
ବାଘ ନାଚ ଏକ ବ୍ୟୟ ବହୁଳ
ବ୍ୟାପାର l ୨୦୧୭ ଯାତ୍ରାବେଳକୁ ବାଘବେଶ ଧାରଣ ନିମନ୍ତେ ଅନ୍ୟୂନ ୧୫ ରୁ
୨୦ ହଜାର ଟଙ୍କା ବ୍ୟୟ ହେଉଥିବା ଜଣାଯାଏ l ବାଘ ନାଚ
ପାଇଁ ଅନ୍ତତଃ ପକ୍ଷେ ଦୁଇରୁ ଚାରିଗୋଟି ‘ଚାଙ୍ଗୁ’ ବାଦ୍ୟର ଆବଶ୍ୟକତା ପଡ଼ିଥାଏ l
ଡ଼ଜନେ ବାଜଣା ଶୈଳୀରୁ ପ୍ରାୟ ଆଠ ଗୋଟି ବହୁଳ ଭାବେ ବ୍ୟବହୃତ ହୋଇଥାଏ l ବାଦ୍ୟଗୁଡ଼ିକୁ ପ୍ରତି ଘଣ୍ଟାକରେ ଥରେ ନିଆଁ ସେକ ଦେବା ନିମନ୍ତେ
ଗୋଟିଏ ସାଇକଲ ରିକ୍ସାରେ ପାଳ ବୋଝେଇ ନାଚ ଦଳ ସହ ସହର ଘୁରି ବୁଲୁ ଥାଏ l ପୂର୍ବେ ପେଟ୍ରୋମାକ୍ସ ଲଣ୍ଠନ ବ୍ୟବହୃତ ହେଉଥିବାବେଳେ ବର୍ତ୍ତମାନ
ଜେନେରେଟର ଯୋଗେ ଉଜ୍ଜଳ ଆଲୋକର ବ୍ୟବସ୍ଥା କରାଯାଉଛିl
ବାଘର ଶରୀରରେ ବାର୍ଣ୍ଣିସ ଚିତ୍ରଣ, ମୁଣ୍ଡ, ପୋଷାକ, ଫୁଲ ତଥା ଚିତ୍ରକରର ମଜୁରି ବାବଦରେ
ଖର୍ଚ୍ଚ ହୁଏ l ଶେଷରେ ବାଘ ନାଚ ସହ ରାତି ତମାମ ଘୁରି
ବୁଲିବା ନିମନ୍ତେ ଅନ୍ତତଃ ପକ୍ଷେ କୋଡ଼ିଏ ଏକାଠି ହୁଅନ୍ତି l
ବାଘକୁ ଚିତ୍ରିତ କରିବା, ମନ୍ଦିରକୁ ମୁଖା ନେଇ ପୂଜା କରିଆସିବା କାମରେ ମଧ୍ୟ ସେମାନେ ସାମିଲ
ହୋଇଥାନ୍ତି l ଏହି ସମସ୍ତଙ୍କ ଦିନକର ଖାଦ୍ୟପେୟ
ବାବଦରେ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥାଏ l
ବାଘବେଶ ପାଇଁ ଚିତ୍ରଣ କାର୍ଯ୍ୟ
ପୂର୍ବାହ୍ନରୁ ଆରମ୍ଭ ହୋଇଯାଏ l ଶରୀରର
ଲୋମ ଖିଅର ହୋଇ ସ୍ନାନାଦି କାର୍ଯ୍ୟ ପରେ ବାର୍ଣ୍ଣିସର ପ୍ରଲେପ ଦିଆଯାଇଥାଏ l ଠାକୁରାଣୀଙ୍କଠାରେ ମୁଖା ପୂଜା ହୋଇଆସିବା ପରେ ବାଦ୍ୟ ବାଦକଙ୍କସହ
ବାଘ ପ୍ରଥମେ ଅସ୍ଥାୟୀ ମନ୍ଦିର ଆସି ଦେବୀଙ୍କ ଦର୍ଶନ କରିଥାଏ l
ତତ୍ପରେ ନିଜ ପରିଚିତ ପରିବାରଗୁଡ଼ିକୁ ବୁଲି ନାଚିଥାଏ l
ଅତୀତରେ ବାଘ ନାଚ ସାରା ରାତି ଚାଲୁଥିଲା l ତେବେ
ପୋଲିସ କଟକଣା ଅନୁଯାୟୀ ଆଜିକାଲି ରାତି ୧୧ ରୁ ସକାଳ ୫ ଯାଏଁ ବାଘ ନାଚ ପ୍ରଦର୍ଶନ ବାରଣ
କରାଯାଇଛି l
ବାଘ ବେଶ ମୁଖ୍ୟତଃ ଏକକ ନୃତ୍ୟ
ରୂପେ ବିକଶିତ ହୋଇ ଆସିଥିଲା l ଖୁବ୍ କମ୍
ସଂଖ୍ୟାରେ ଏକାଧିକ ବ୍ୟକ୍ତି ଏକାଠି ବାଘ ନାଚ କରୁଥିଲେ l
ତେବେ ବିଗତ କିଛି ବର୍ଷ ଧରି ବହୁ ସଂଖ୍ୟକ ବ୍ୟକ୍ତି ବାଘବେଶ ଧାରଣ କରି ଏକାଠି ନୃତ୍ୟରେ
ଭାଗନେବା ପରମ୍ପରା ଦେଖିବାକୁ ମିଳୁଛି l ଗତ ୨୦୧୫
ଯାତ୍ରା ଅବସରରେ ଅନ୍ୟାନ୍ୟ ବାଘ ଦଳଙ୍କ ସହ କାମ୍ପ ସାହୀର ୯ ଜଣ ଓ ତୁଳସୀନଗରର ୩୧ ଜଣିଆ ବାଘ
ନାଚଦଳ ଦୃଷ୍ଟି ଆକର୍ଷଣ କରିଥିଲା l
ସମ୍ବାଦ
(ବ୍ରହ୍ମପୁର ସଂସ୍କରଣ) ୨୩ ଏପ୍ରିଲ ୨୦୧୭
No comments:
Post a Comment