ମହୁରି ରାଜ୍ୟର ରାଜଧାନୀ ରୂପେ
ବ୍ରହ୍ମପୁର ଗଢି ଉଠିଥିଲା l ଐତିହାସିକ
ତଥ୍ୟ ଅନୁଯାୟୀ ଓଡ଼ିଶାର ଗଜପତି ରାଜା ପୁରୁଷୋତ୍ତମ ଦେବ ପଞ୍ଚଦଶ ଶତାଦ୍ଦୀର ଶେଷଭାଗରେ ମହୁରି
ରାଜ୍ୟ ପ୍ରତିଷ୍ଠା କରିଥିଲେ l
କେରାଣ୍ଡିମାଳ ପର୍ବତ ପାଦ ଦେଶରେ ବର୍ତ୍ତମାନର ବ୍ରହ୍ମପୁର-ଚିକିଟି
ରାସ୍ତା କଡ଼ର ମହୁଡ଼ା ଗ୍ରାମ ନିକଟରେ ପ୍ରସ୍ତର ନିର୍ମିତ ଦୁର୍ଗରେ ମହୁରି ରାଜ ପରିବାର ବାସ
କରୁଥିଲେ l ତେବେ ସେଠାରୁ ୧୨ କିଲୋମିଟର ଦୂରବର୍ତ୍ତୀ ଏକ ସମତଳ ସ୍ଥାନରେ
୧୬୬୨ ରୁ ୧୬୭୨ ଖ୍ରୀଷ୍ଟାଦ୍ଦ ମଧ୍ୟରେ ନୂତନ ରାଜବାଟୀ ନିର୍ମାଣ କରି ମହୁରି ରାଜ ପରିବାର ଚାଲି
ଆସିଥିଲେ l ତାହା ବର୍ତ୍ତମାନ ବ୍ରହ୍ମପୁରର ବଡ଼ବଜାର
ଅଞ୍ଚଳ ଭାବେ ପରିଚିତ l ୧୬୭୨ ଖ୍ରୀଷ୍ଟାଦ୍ଦରେ
ହରିଡ଼ାଖଣ୍ଡିଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ୱାମୀ ମନ୍ଦିର ପ୍ରତିଷ୍ଠିତ ହୋଇଥିଲା l ମନ୍ଦିର ଓ ରାଜବାଟୀ ମଧ୍ୟରେ ସମୟକ୍ରମେ ବହୁ ମଠ ମନ୍ଦିର ସ୍ଥାପିତ
ହେବା ପରେ ଗଢ଼ିଉଠୁଥିବା ଜନବସତିକୁ ‘ଦେବତାମାନଙ୍କ
ନିବାସ ସ୍ଥଳ’ ବା ବ୍ରହ୍ମପୁର ନାମିତ କରାଯାଇଥିଲା l ୧୯୩୨ ଖ୍ରୀଷ୍ଟାଦ୍ଦରେ ମାନ୍ଦ୍ରାଜରୁ ପ୍ରକାଶିତ ଟି.ଜେ.ମାଲଟବୀଙ୍କ ‘ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନୁଆଲ’ର
୪୭ ପୃଷ୍ଠାରେ ଏହା ଲିପିବଦ୍ଧ ହୋଇଛି l
ବ୍ରହ୍ମପୁର ସହରର ଉତ୍ପତ୍ତି ସଂପର୍କରେ ଏହା ହିଁ ପ୍ରାଚୀନତମ ପ୍ରାମାଣିକ ଗ୍ରନ୍ଥ l
ହରିହର ନରେନ୍ଦ୍ର ଦେବଙ୍କ ପିତା
ନାରାୟଣ ଦେବଙ୍କ ରାଜତ୍ୱ ସମୟରେ ମହୁରି ରାଜ୍ୟ ଇଂରେଜମାନଙ୍କ ଶାସନାଧୀନ ହୋଇଥିଲା l ୧୭୭୦ ମସିହା ଫେବୃୟାରୀ ୧୦ ତାରିଖ ଦିନ ନାରାୟଣ ଦେବଙ୍କ ମୃତ୍ୟୁ
ଘଟିଲା ଏବଂ ତାଙ୍କରି ପୁତ୍ର ହରିହର ନରେନ୍ଦ୍ର ଦେବ ୧୨ ବର୍ଷ ବୟସରେ ରାଜସିଂହାସନ ଆରୋହଣ କଲେ l ୧୭୮୨ ଡ଼ିସେମ୍ୱର ୧୦ ତାରିଖ ଦିନ ହରିହର ନରେନ୍ଦ୍ର ଦେବଙ୍କୁ ହତ୍ୟା
କରାଗଲା l ଏହି ସମୟସୀମାରେ ହରିହର ନରେନ୍ଦ୍ରଦେବ ଆନ୍ଧ୍ର ପ୍ରଦେଶର
ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ ଏବଂ ‘ଦେବାଙ୍ଗ’ ବୁଣାକାର ପରିବାରବର୍ଗ ବ୍ରହ୍ମପୁର ଆଗମନ କରି ମହୁରି ରାଜବାଟୀ
ନିକଟରେ ବସତି ସ୍ଥାପନ କରିଥିଲେ l ଅନୁମାନ
କରାଯାଇପାରେ ଯେ, ‘ଦେବାଙ୍ଗ’
ସଂପ୍ରଦାୟଙ୍କ ବସତି ସ୍ଥାପନ ଓ ବ୍ୟବସାୟ ଆରମ୍ଭ ପରେ ଅଷ୍ଟାଦଶ ଶତାଦ୍ଦୀର ଅଷ୍ଟମ ଦଶକରେ ହିଁ
ଠାକୁରାଣୀଯାତ୍ରା ଆରମ୍ଭ ହୋଇଥିଲା l ଏହି
ହିସାବରେ ବ୍ରହ୍ମପୁର ଠାକୁରାଣୀଯାତ୍ରା ପ୍ରାୟ ୨୪୦ ବର୍ଷର ପୁରାତନ ପରମ୍ପରା l
ବ୍ରହ୍ମପୁର ଠାକୁରାଣୀ ଯାତ୍ରା
କ୍ରମଶଃ ପ୍ରାଧାନ୍ୟ ଲାଭ କରି ଯାକଜମକରେ ପାଳିତ ହେବାରେ ଲାଗିଲା l
ଇଂରେଜମାନଙ୍କ ମହୁରି ରାଜ୍ୟ ଆଗମନ ପରଠୁ ବରାବର ଅଶାନ୍ତି ଲାଗି ରହିଥିଲା l ୧୮୩୫ ମସିହାରେ ମହୁରି ରାଜା ବ୍ରିଟିଶ ସରକାରଙ୍କୁ ସଲାମି କର ଦେଇ
ନପାରିବା ହେତୁ ବ୍ରହ୍ମପୁର ସହରକୁ ଉକ୍ତ ସଲାମି ବକେୟା ଅର୍ଥ ବଦଳରେ ରାଜାଙ୍କଠାରୁ ଇଂରେଜ
ସରକାର କିଣିନେଇଥିଲେ l ୧୮୫୦ ମସିହାରେ ବ୍ରହ୍ମପୁର ସମେତ
ସମଗ୍ର ମହୁରି ରାଜ୍ୟକୁ ଇଂରେଜ ସରକାର ବାଜ୍ୟାପ୍ତ କରିଦେଲେ l
ଫଳରେ ଏଠାରେ କେତୋଟି ଜିଲ୍ଲାସ୍ତରୀୟ ସରକାରୀ କାର୍ଯ୍ୟାଳୟ ସ୍ଥାପିତ ହେଲା ଏବଂ କ୍ରମଶଃ ଏକ
ବାଣିଜ୍ୟ ପେଣ୍ଠରୂପେ ଗଢ଼ି ଉଠିଲା l
୧୮୬୫-୬୬ରେ ନ’ଅଙ୍କ
ଦୁର୍ଭିକ୍ଷ ପଡ଼ିଥିଲା l ତାହାର ପ୍ରଭାବ ଊନବିଂଶ ଶଦାଦ୍ଦୀ ଶେଷ
ଯାଏଁ ବଳବତ୍ତର ରହିଥାଇପାରେ l ଅତଏବ
ବିଂଶ ଶତାଦ୍ଦୀର ଆରମ୍ଭରୁ ହିଁ ବ୍ରହ୍ମପୁରରେ ଯାକଜମକରେ ଯାତ୍ରା ପାଳନ ଲାଗି ଉପଯୁକ୍ତ ପରିବେଶ
ସୃଷ୍ଟି ହୋଇଥିବ ବୋଲି ବିଶ୍ୱାସ କରାଯାଏ l ସେହି
ସମୟବେଳକୁ ଗୋପାଳପୁର ବନ୍ଦରର ବିକାଶ, ବ୍ରହ୍ମପୁରକୁ ରେଳପଥ ସଂଯୋଗ ତଥା ସ୍ୱାଧୀନତାପରବର୍ତ୍ତୀ
ଅବସ୍ଥାରେ ୪୯ ନମ୍ୱର ଜାତୀୟ ରାଜପଥରେ ମୋଟର ଯାନ ଯୋଗେ ମାଲ ପରିବହନ କ୍ରମଶଃ ବ୍ରହ୍ମପୁରକୁ
ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟାବସାୟିକ କେନ୍ଦ୍ର ରୂପେ ଗଢ଼ି ତୋଳିଲା l ଏଠାକାର ବ୍ୟାବସାୟିକ ଅଭିବୃଦ୍ଧି ଠାକୁରାଣୀଯାତ୍ରା ଆୟୋଜନରେ ସହାୟକ
ହୋଇଥିଲା ବୋଲି କୁହାଯାଇପାରେ l
ବ୍ରହ୍ମପୁର ଠାକୁରାଣୀ
ଯାତ୍ରାରେ ପ୍ରାୟ ୨୧ ଗୋଟି ରଥ ଓ ୩୦ ଗୋଟି କଳାକୁଞ୍ଜ ନିର୍ମିତ ହୋଇଥାଏ l ଅତୀତରେ ରଥଗୁଡ଼ିକ କେବଳ ବଡ଼ ବଜାରରେ ହିଁ ପ୍ରଦର୍ଶିତ ହେଉଥିଲା l ଆଖପାଖ ସାହୀର ଲୋକେ ଚାନ୍ଦାଭେଦାରେ ରଥ ନିର୍ମାଣ ପରେ ସେଗୁଡ଼ିକ
ବଡ଼ବଜାର ଅଞ୍ଚଳକୁ ଟାଣି ଆଣୁଥିଲେ l
ବର୍ତ୍ତମାନ ସୁଦ୍ଧା ୧୯୦୫ରୁ ଆରମ୍ଭ ହୋଇଥିବା ଜେନାସାହୀର ବୀର ଲକ୍ଷ୍ମଣ ରଥ ବଡ଼ବଜାର ଛକରେ
ପ୍ରଦର୍ଶିତ ହୋଇଥାଏ l ସହରରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା
ହେବାପରେ ରଙ୍ଗବେରଙ୍ଗ ଆଲୋକ ସଂଯୋଗରେ ରଥ ଓ ରାଜରାସ୍ତାଗୁଡ଼ିକର ସୌନ୍ଦର୍ଯ୍ୟ ବଢ଼ିଥିଲା l କ୍ରମଶଃ କେବଳ ବଡ଼ବଜାର ପରିବର୍ତ୍ତେ ଆଖପାଖ ଅଞ୍ଚଳରେ ମଧ୍ୟ ରଥ
ନିର୍ମିତ ହେଲା l ମାର୍ଥାପେଟାର ନାରାୟଣ, ଷଣ୍ଢମହାନ୍ତି
ସାହୀରେ ୧୯୨୭ରୁ ଶିବରୂଢ଼ାକାଳୀ ଓ କାଳୁପାତ୍ର ସାହୀରେ ୧୯୩୯ରୁ ଜ୍ଜାଳାମୁଖୀ ରଥ ଅତି ପୂରାତନ
ରଥ ତାଲିକାରେ ପର୍ଯ୍ୟାୟଭୁକ୍ତ ହୋଇଥାଏ l ୧୯୬୧
ଯାତ୍ରାରେ କେତେକ ସାହୀରେ କଳାକୁଞ୍ଜ ନିର୍ମାଣ ଆରମ୍ଭ ହୋଇଥିଲା l
ଯାତ୍ରା ଅବସରରେ ଶେଷ ସପ୍ତାହରେ ଅଧିକ ସଂଖ୍ୟାରେ ରଥ ଓ କଳାକୁଞ୍ଜ ପ୍ରଦର୍ଶନର ପରମ୍ପରା ଆରମ୍ଭ
ହେବା ପରେ ହିଁ ବ୍ରହ୍ମପୁର ଠାକୁରାଣୀଯାତ୍ରା ଆଡ଼ମ୍ୱର ସହକାରେ ପାଳିତ ହେବାରେ ଲାଗିଲା ବୋଲି
କୁହାଯାଇପାରେ l
No comments:
Post a Comment