ବ୍ରହ୍ମପୁର ଠାକୁରାଣୀ ଯାତ୍ରା ‘କାର୍ଣ୍ଣିଭଲ’ସ୍ତରୀୟ
ଲୋକମହୋତ୍ସବ ପର୍ଯ୍ୟାୟଭୁକ୍ତ ହେଉଥିବା ବେଳେ ପାରମ୍ପରିକ ପୂଜାବିଧିକୁ ବାଦ ଦେଲେ ଅନ୍ୟ ସମସ୍ତ
ଆୟୋଜନରେ ସର୍ଜନଶୀଳତା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ଥିବା ଦେଖିବାକୁ ମିଳିଥାଏ l ଏହି ଉତ୍ସବରେ ଶୋଭାଯାତ୍ରା, ବେଶ ଧାରଣ, ରଥ ଓ କଳାକୁଞ୍ଜ ପ୍ରଯୋଜନା
ଏବଂ ଯାତ୍ରୀ ଅଭ୍ୟର୍ଥନାକୁ ଚାରିଗୋଟି ମୁଖ୍ୟ ଉପାଦାନ ରୂପେ ଗ୍ରହଣ କରାଯାଇପାରେ l
ପ୍ରଥମତଃ ଶୋଭାଯାତ୍ରା ଆୟୋଜନ
ଯାତ୍ରାର ମୁଖ୍ୟ ଆକର୍ଷଣ l ଯାତ୍ରା
ତିଥି ନିର୍ଦ୍ଧାରଣ ପରେ ଶୁଭଖୁଣ୍ଟ ନେଇ ଦେଶୀବେହେରାସାହୀରୁ ବଡ଼ ଠାକୁରାଣୀ ମନ୍ଦିର ଯାତ୍ରା ଓ
ଫେରନ୍ତା ଯାତ୍ରା, ଠାକୁରାଣୀଙ୍କୁ ନିମନ୍ତ୍ରଣ ଓ ଠାକୁରାଣୀଙ୍କ ଆଗମନ, ପ୍ରତ୍ୟେହ ସନ୍ଧ୍ୟାରେ
ଘଟ ପରିକ୍ରମା ଏବଂ ଶେଷ ଦିବସରେ ଘଟ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ମୁଖ୍ୟତଃ ଶୋଭାଯାତ୍ରାରେ
ପର୍ଯ୍ୟବେସିତ l ଏହାକୁ ସୁଦୃଶ୍ୟ କରିବା ନିମନ୍ତେ
ସର୍ଜନଶୀଳତାର ଆଶ୍ରୟ ନିଆ ଯାଇଥାଏ l
ଶୋଭାଯାତ୍ରାରେ ବହୁ ଲୋକଙ୍କ ଅଂଶ ଗ୍ରହଣ, ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି,
ସମସ୍ତଙ୍କ ଉତ୍ତମ ପୋଷାକ ପରିଧାନ, ବାଜାବାଜଣା, ଲୋକନୃତ୍ୟ ଏବଂ ଶେଷଦିନ ବେଶଧାରୀଙ୍କ କୋଳାହଳମୟ
ପରିବେଶ ବ୍ୟକ୍ତିଗତ, ପାରିବାରିକ ତଥା ସାମୂହିକସ୍ତରରେ ସର୍ଜନଶୀଳତାଲାଗି କ୍ଷେତ୍ର ଉନ୍ମୁକ୍ତ
ରଖିଥାଏ l
ଦକ୍ଷିଣ ଆମେରିକା ଓ ଆଫ୍ରିକୀୟ
ଦେଶଗୁଡ଼ିକରେ ‘କାର୍ଣ୍ଣିଭଲ’ ପାଳନ ଅବସରରେ ପଶୁପକ୍ଷୀ ତଥା ବିଭିନ୍ନ ଚରିତ୍ର ବେଶ ଧାରଣ କରିବା
ଆନ୍ତର୍ଜାତିକ କ୍ଷେତ୍ରରେ ବେଶ୍ ଆଲୋଚିତ l ଆମ ଦେଶର
ବିଭିନ୍ନ ପ୍ରାନ୍ତର ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ଅନୁରୂପ ଉଦାହରଣ ଦେଖିବାକୁ ମିଳିଥାଏ l ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବେଶ ଧାରଣରେ ସର୍ଜନଶୀଳତାର
ପଟ୍ଟାନ୍ତର ନାହିଁ l ପଶୁପକ୍ଷୀ, ପୌରାଣିକ ଓ ଲୋକ ଚରିତ୍ର
ଅନୁକରଣରେ ବେଶଧାରଣ ବିବିଧତା ପରିସ୍ପୁଟନରେ ସହାୟକ ହୋଇଥାଏ l
ଅତୀତରେ ଏକ ବ୍ୟାୟମଶାଳାର ସଦସ୍ୟମାନେ ଏକ ଛୋଟ ସର୍କସ ଦଳ ବେଶ ବାହାର କରୁଥିଲେ, ଲୋକପ୍ରିୟ
ହିନ୍ଦୀ ଚଳଚ଼ିତ୍ର ‘ଚ଼ନ୍ଦ୍ରଲେଖା’ର ନୃତ୍ୟଗୀତି ଅନୁକରଣରେ ଅନ୍ୟଏକ ବେଶ ସଂଯୋଜନା କରାଯାଉଥିଲା l ଯାତ୍ରା ଶେଷଦିନ ଘଟ ଶୋଭାଯାତ୍ରାରେ ଶବ ବାହକ ବେଶ ପ୍ରତିବର୍ଷ
ଦେଖିବାକୁ ମିଳେ l ବେଶ ଧାରଣରେ କୌଣସି ବାରଣ ନାହିଁ l ଏହି କ୍ଷେତ୍ରରେ ସର୍ଜନଶୀଳତା ବା ବେଶ ଧାରଣ ବ୍ୟକ୍ତି ବିଶେଷଙ୍କ
କଳ୍ପନା ପ୍ରବଣତାକୁ ଦର୍ଶକଙ୍କ ପକ୍ଷରୁ ପ୍ରଶଂସା ମିଳିଥାଏ l
ରଥ ଓ କଳାକୁଞ୍ଜ ନିର୍ମାଣରେ
ସର୍ଜନଶୀଳତା ଭିତ୍ତିଭୂମି ରୂପେ କାର୍ଯ୍ୟ କରିଥାଏ l
ରଥ କ୍ଷେତ୍ରରେ ପ୍ରାରମ୍ଭିକଭାବେ ରଥ ନିର୍ମିତ ହେବା ପରେ ରଥରେ ବ୍ୟବହୃତ ସାମଗ୍ରୀକୁ ଯତ୍ନ
ସହକାରେ ରଖାଯାଇ ପ୍ରତିଥର ପୁଣି ବ୍ୟବହାର କରାଯାଉଥିବାବେଳେ କଳାକୁଞ୍ଜ କ୍ଷେତ୍ରରେ ପ୍ରତିଥର
ନୂଆ ନୂଆ ଦୃଶ୍ୟ ସଂଯୋଜନା କରାଯାଇଥାଏ l ରଥ
ସାଜସଜ୍ଜାରେ ସର୍ଜନଶୀଳତାର ପରିପ୍ରକାଶ ଘଟୁଥିବାବେଳେ କଳାକୁଞ୍ଜ ନିର୍ମାଣରେ ଅପେକ୍ଷାକୃତଭାବେ
ଅଧିକ କଳ୍ପନା ପ୍ରକାଶର ସୁଯୋଗ ମିଳିଥାଏ l ଏତଦ୍
ବ୍ୟତୀତ ରଥ ଓ କଳାକୁଞ୍ଜର ପରିବେଶ ଓ ଆଖପାଖ ଅଞ୍ଚଳ ସାଜସଜ୍ଜାରେ ମଧ୍ୟ କଳାତ୍ମକ ରୁଚି
ପରିସ୍ପୁଟିତ ହୋଇଥାଏ l
ବ୍ରହ୍ମପୁର ଠାକୁରାଣୀ
ଯାତ୍ରାରେ ସ୍ୱେଚ୍ଛାସେବୀମାନେ ଯାତ୍ରୀ ଅଭ୍ୟର୍ଥନାର ଦାୟିତ୍ୱ ସ୍ୱତଃପ୍ରବୃତଭାବେ ନିର୍ବାହ
କରିଥାନ୍ତି l ଘଟ ପରିକ୍ରମା କାଳରେ ଶାନ୍ତିଶୃଙ୍ଖଳା
ରକ୍ଷାଠାରୁ ଆରମ୍ଭ କରି ଯାତ୍ରୀଙ୍କୁ ଜଳଯୋଗ ଯୋଗାଇ ଦେବା ଯାଏଁ ବିଭିନ୍ନ କାର୍ଯ୍ୟ ସ୍ଥାନୀୟ
ବାସିନ୍ଦାଙ୍କ ଦ୍ୱାରା ସମାହିତ ହୋଇଥାଏ l ବିଗତ କିଛି
ବର୍ଷ ଧରି ଯାତ୍ରାର ଶେଷ ତିନିଦିନ ବିଭିନ୍ନ ବ୍ୟକ୍ତିବିଶେଷ, ପରିବାର କିମ୍ୱା ଅନୁଷ୍ଠାନ
ପକ୍ଷରୁ ଯାତ୍ରୀମାନଙ୍କ ନିମନ୍ତେ ଜଳଯୋଗର ବ୍ୟବସ୍ଥା ସର୍ଜନଶୀଳତାର ଅନ୍ୟତମ ପରିପ୍ରକାଶ l ଅତୀତରେ ସହର ବାହାରୁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ
କନ୍ୟାକାପରମେଶ୍ୱରୀ ମନ୍ଦିରଠାରେ ରିହାତି ଦରରେ ମଧ୍ୟାହ୍ନ ଭୋଜନର ସୁବିଧା କରାଯାଉଥିଲା l କିନ୍ତୁ ବର୍ତ୍ତମାନ ସନ୍ଧ୍ୟା
୫ରୁ ରାତି ୧୧ ଯାଏଁ ବିଭିନ୍ନ ସାହୀରେ ବିଭିନ୍ନ ରକମର ମାଗଣା ଜଳଯୋଗ ବିତରଣ କରାଯାଉଛି l
ବ୍ରହ୍ମପୁର ଠାକୁରାଣୀ ଯାତ୍ରାର
ଉତ୍ପତ୍ତି ଓ କ୍ରମବିକାଶକୁ ଅନୁଶୀଳନ କଲେ ପ୍ରାଥମିକ ପର୍ଯ୍ୟାୟରେ ଯାତ୍ରା ଆୟୋଜନ ‘ଦେବାଙ୍ଗ’ ବା ଡ଼େରା
ବୁଣାକାର ସମ୍ପ୍ରଦାୟଙ୍କ ମଧ୍ୟରେ ସୀମିତ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ଜନସାଧାରଣ
ଓ ତୃତୀୟ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶା ତଥା ଉତ୍ତର ଆନ୍ଧ୍ରପ୍ରଦେଶ ସୀମାନ୍ତବାସୀ ସାମିଲ
ହୋଇଥିବା ଜଣାଯାଏ l ସଂବାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣ
ପ୍ରକାଶନ ଓ ଟେଲିଭିଜନ ସେବାର ପ୍ରସାର ଠାକୁରାଣୀ ଯାତ୍ରାଭଳି ଲୋକଉତ୍ସବଗୁଡ଼ିକର ଟିକିନିଖି
ବିବରଣୀ ପ୍ରସାରଣ ଫଳରେ ଯାତ୍ରାର ଲୋକପ୍ରିୟତା ବୃଦ୍ଧିରେ ସହାୟକ ହେଉଛି l ଗଣମାଧ୍ୟମର ଦୃଷ୍ଟିପାତ ଯାତ୍ରା ପାଳନରେ ସର୍ଜନଶୀଳତାକୁ ଶାଣିତ
କରାଉଥିବା ମଧ୍ୟ ଲକ୍ଷ୍ୟ କରାଯାଇପାରେ l ଲୋକ
ଉତ୍ସବଗୁଡ଼ିକରେ ସ୍ଥାନୀୟ ଅଧିବାସୀଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ରହୁଥିବା ହେତୁ ବିଭିନ୍ନ କଳ୍ପନା
ପ୍ରସୂତ ଧାରା ସନ୍ନିବେଶିତ ହେବା ସ୍ୱାଭାବିକ l
ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସେହି କାରଣରୁ ଏକ ଚିତ୍ତାକର୍ଷକ ମହୋତ୍ସବ ରୂପେ ଗଢ଼ି ଉଠିଛି l
ସମ୍ବାଦ
(ବ୍ରହ୍ମପୁର ସଂସ୍କରଣ) ୨୬ ଏପ୍ରିଲ ୨୦୧୭
No comments:
Post a Comment