Tuesday, April 25, 2017

ଠାକୁରାଣୀ ଯାତ୍ରାରେ ରଥ

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଅବସରରେ ବିଭିନ୍ନ ରଥ ଓ କଳାକୁଞ୍ଜ ନିର୍ମାଣ କରାଯାଇଥାଏ l ରଥ ଓ କଳାକୁଞ୍ଜଗୁଡ଼ିକ ମଧ୍ୟରେ ତଫାତ୍ ଏହି ଯେ, ରଥଗୁଡ଼ିକର ସାଜସରଞ୍ଜାମ ଥରେ ନିର୍ମିତ ତଥା ପ୍ରଦର୍ଶିତ ହେବା ପରେ ତାହାକୁ ସାଇତି ରଖାଯାଏ ଏବଂ ପର ଥର ଠାକୁରାଣୀ ଯାତ୍ରାବେଳେ ପୁଣି ବ୍ୟବହାର କରାଯାଏ l ଅପରପକ୍ଷେ କଳାକୁଞ୍ଜର ମୂର୍ତ୍ତି ତଥା ସରଞ୍ଜାମଗୁଡ଼ିକ ପ୍ରତିଥର ପରିବର୍ତ୍ତିତ ହେଉଥାଏ l

ଅତୀତରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଅବସରରେ ବହୁ ରଥ ନିର୍ମିତ ହେଉଥିଲା ଏବଂ ସବୁ ରଥଗୁଡ଼ିକ ବଡ଼ବଜାରରେ ସ୍ଥାପିତହେବା ପରମ୍ପରା ପ୍ରଚଳିତ ଥିଲା l ସେ ସମୟରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଚରିତ୍ରଭିତ୍ତିକ ରଥ ଦୁଇ ଦଳଙ୍କ ଦ୍ୱାରା ପ୍ରତିଯୋଗିତା ମନୋଭାବ ନେଇ ନିର୍ମିତ ହେଉଥିଲା ଏବଂ ସାଜସଜ୍ଜାରେ ଏକ ଦଳ କିପରି ଅନ୍ୟ ଦଳକୁ ନ୍ୟୂନ କରିଦେବ ସେ ଦିଗରେ ଉଦ୍ୟମ ଜାରୀ ରହୁଥିଲା l ଉଦାହରଣ ସ୍ୱରୂପ ବଡ଼ବଜାର ଛକରେ ଗୋଟିଏ ପର୍ଶୁରାମ ରଥ ଏକ ଖରୁଡ଼ା ପରିବାରଙ୍କ ଦ୍ୱାରା ନିର୍ମିତ ହେଉଥିବାବେଳେ ଅନ୍ୟ ଗୋଟିଏ ପର୍ଶୁରାମ ରଥ ବୈଶ୍ୟ ସଂପ୍ରଦାୟଙ୍କ ଦ୍ୱାରା ସାମୂହିକ ଉଦ୍ୟମରେ ନିର୍ମିତ ହେଉଥିଲା l ଦୁଇ ଦଳଙ୍କ ମଧ୍ୟରୁ ସାଜସଜ୍ଜାରେ ଜାହାର ଜିତାପଟ ହେବ ସେ ଦିଗରେ ପ୍ରତିଯୋଗିତା ଚାଲୁଥିଲା l ସେହିପରି ରାମଚ଼ନ୍ଦ୍ର, ଲକ୍ଷ୍ମଣ ଇତ୍ୟାଦି ରଥ ନିର୍ମାଣ କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା ଦେଖିବାକୁ ମିଳୁଥିଲା l କାଳକ୍ରମେ ଆୟୋଜକଙ୍କ ମଧ୍ୟରୁ ପ୍ରତିଯୋଗିତା ମନୋଭାବ ଉଭେଇ ଯାଇଛି ଏବଂ କେତେକ କ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ସ୍ଥଳେ ଅନ୍ୟ କେତେକ କ୍ଷେତ୍ରରେ ଯାତ୍ରାର ଶେଷ ଦୁଇ ତିନିଦିନ ପାଇଁ ରଥ ପ୍ରଦର୍ଶନର ବ୍ୟବସ୍ଥା କରାଯାଉଛି l

ରଥ ନିର୍ମାଣରେ ଶିଥିଳତା ଦେଖାଦେବା ପରେ ବଜାର ଓ ପୁରୁଣା ବ୍ରହ୍ମପୁରର ବିଭିନ୍ନ ବସ୍ତିରେ କଳାକୁଞ୍ଜ ନିର୍ମାଣ ପ୍ରଥା ଆରମ୍ଭ ହୋଇଥିଲା l ଅତୀତରେ ଏସବୁ ଅଞ୍ଚଳର ଲୋକେ ନିଜ ଉଦ୍ୟମରେ ରଥ ନିର୍ମାଣ କରି ବଡ଼ବଜାର ମୁଖ୍ୟ ରାସ୍ତାରେ ସ୍ଥାପନ କରୁଥିବାବେଳେ ବର୍ତ୍ତମାନ ନିଜ ସାହୀରେ କଳାକୁଞ୍ଜ ନିର୍ମାଣ ପ୍ରତି ଧ୍ୟାନ ଦେଉଛନ୍ତି l ପୂର୍ବେ ରଥଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଚରିତ୍ର, ଭଙ୍ଗୀ ଓ ସାଜସଜ୍ଜାକୁ ନେଇ ଗଢ଼ି ଉଠୁଥିବାବେଳେ ବର୍ତ୍ତମାନ କଳାକୁଞ୍ଜ ନିର୍ମାଣ ଦିଗରେ ସୃଜନଶୀଳତା ଦେଖାଦେଇଛି l

ଠାକୁରାଣୀ ଯାତ୍ରା ଅବସରରେ ରଥ ଓ କଳାକୁଞ୍ଜମାନ ନିର୍ମିତ ହେବାପରେ ଜନସମାଗମ ବଢ଼ିଥାଏ l ରାମଚ଼ନ୍ଦ୍ର, ଲକ୍ଷ୍ମଣ, ନାଗାର୍ଜ୍ଜୁନ, ନାରାୟଣ, ଜ୍ୱଳାମୁଖୀ, କାଳୀ, ବନଦୁର୍ଗା ଇତ୍ୟାଦି ବହୁରଥ ନିର୍ମାଣ ସରଞ୍ଜାମ ସାଇତି ରଖାଯାଇଥାଏ l ସେଗୁଡ଼ିକ ପ୍ରତିବର୍ଷ ମରାମତକରି ରଙ୍ଗଦେଇ ଆଲୋକସଜ୍ଜା ସହ ରଥ ନିର୍ମିତ ହୋଇଥାଏ l ପ୍ରତ୍ୟେକଟି ରଥକୁ ଆକର୍ଷଣୀୟ କରିବା ଦିଗରେ ତାହାର ଆୟୋଜକମାନଙ୍କ ନିଷ୍ଠାର ପରିଚୟ ମିଳିଥାଏ l

ଠାକୁରାଣୀ ଯାତ୍ରାରେ ପ୍ରଥମେ ବାଚୁବାରି ସାହୀର ବିଂଚଣା ରଥ ବାହାରିଥାଏ l ଏହି ରଥଟିର ଆକୃତି ଏକ ହାତପଙ୍ଖା ବା ବିଞ୍ଚଣା ଭଳି l ସାଧାରଣତଃ ପିଲାଏ ଏଥିରେ ଚଢ଼ାଉଠାକରି ଖେଳିଥାନ୍ତି l ଏଥିରେ କୌଣସି ଦେବଦେବୀଙ୍କ ମୂର୍ତ୍ତି ନଥାଏ l ବିଞ୍ଚଣା ରଥରେ ପିଲାଙ୍କୁ ବସାହେବା ନିମନ୍ତେ କେତେକ କ୍ଷେତ୍ରରେ ମାଆବାପାମାନେ ଆଗରୁ ମାନସିକ କରିଥାନ୍ତି l ଏହି ପିଲାଏ ବିଞ୍ଚଣାରଥ ବାହାରିବା ଦିନ ଉପବାସ ରହିଥାନ୍ତି l

ଦେବଦେବୀଙ୍କ ମୂର୍ତ୍ତି ନଥିବା ଅନ୍ୟ ଏକ ରଥ ହେଲା ବୋଇତ l ଚନ୍ଦ୍ରମା ସାହୀରେ ବୋଇତ ବା ଜାହାଜ ଆକୃତିର ଏହି ରଥ ନିର୍ମାଣ ଊନବିଂଶ ଶତାଦ୍ଦୀର ଶେଷାର୍ଦ୍ଧରୁ ବିଂଶ ଶତାଦ୍ଦୀର ପ୍ରଥମାର୍ଦ୍ଧ ଯାଏଁ ପ୍ରାୟ ଏକ ଶହବର୍ଷ ଧରି ଗୋପାଳପୁର ବନ୍ଦରର ବାଣିଜ୍ୟ କାରବାରର ସ୍ମୃତି ବହନ କରିଥାଏ l ଗୋପାଳପୁର ବନ୍ଦରରେ ବ୍ରହ୍ମପୁର ସହରର ବହୁ ବ୍ୟବସାୟୀ ସଂପୃକ୍ତ ଥିଲେ l ହୁଏତ ସେହିମାନଙ୍କ ପ୍ରୋତ୍ସାହନରେ ବୋଇତ ରଥ ବାହାରୁଥିଲା l

ଶଙ୍କରପୁର ସାହୀର ରାମଚ଼ନ୍ଦ୍ର ରଥ ଏକ ପୁରାତନ ରଥ l ପୂର୍ବେ ଏହି ରଥରେ ଚକ ଲାଗୁଥିଲା l ଶଙ୍କରପୁର ସାହୀଠାରେ ରଥ ନିର୍ମାଣ କାମ ସରିବାପରେ ବଡ଼ବଜାର ଛକକୁ ଟାଣି ଟାଣି ଅଣାଯାଉଥିଲା l କିନ୍ତୁ ବର୍ତ୍ତମାନ ଏହି ରଥ ଶଙ୍କରପୁର ସାହୀରେ ହିଁ ପ୍ରଦର୍ଶିତ ହେଉଅଛି l ରାମଚ଼ନ୍ଦ୍ର ସହ ଜେନା ସାହୀର ଲକ୍ଷ୍ମଣ ରଥ ଓ ସୀତାରାମ ସାହୀର ନାଗାର୍ଜ୍ଜୁନ ରଥର ମୂର୍ତ୍ତି ଏକା କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କୁହାଯାଏ l

ପୁରାତନ ରଥଗୁଡ଼ିକ ମଧ୍ୟରେ ସାନ ଖାସ୍ପା ସାହୀର ହରି-ଅର୍ଜ୍ଜୁନ ରଥ ଅନ୍ୟତମ l ଏହି ରଥଟିର ନିର୍ମାଣ କିଛି ବର୍ଷ ପାଇଁ ବନ୍ଦ ରହିଥିଲା l ହରି-ଅର୍ଜ୍ଜୁନ ରଥରେ ରଥ ମଧ୍ୟରେ ଅନ୍ୟଏକ ରଥ ନିର୍ମିତ ହୋଇଥାଏ l ମହାଭାରତ ଯୁଦ୍ଧ ଅବସରରେ ହରି ସାରଥି ରୂପେ ଅର୍ଜ୍ଜୁନଙ୍କୁ ଉପଦେଶ ଦେଉଥିବା ଦୃଶ୍ୟ ଏଥିରେ ସଂଯୋଜିତ l ପୂର୍ବରୁ ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ନିର୍ମିତ ଏହି ରଥକୁ ଆକର୍ଷଣୀୟ କରିବା ନିମନ୍ତେ ବର୍ତ୍ତମାନ କୋଲକତାର କାରିଗରଙ୍କୁ ନିୟୋଜିତ କରାଯାଉଛି l

ରଥ ପ୍ରସ୍ତୁତି ଏକ ବ୍ୟୟବହୁଳ ଉଦ୍ୟମ l ଉଦାହରଣ ସ୍ୱରୂପ କାଳୁପାତ୍ର ସାହୀର ଜ୍ୱାଳାମୁଖୀ ରଥ ବିଚାରକୁ ନିଆଯାଉ l ରଥ ପ୍ରସ୍ତୁତି କରିବା ନିମନ୍ତେ ବର୍ତ୍ତମାନ ଛଅ-ସାତ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଉଛି l ଏଥି ନିମନ୍ତେ ସ୍ଥାନୀୟ ଜ୍ୱଳାମୁଖୀ ଯୁବକ ସଂଘର ସଦସ୍ୟମାନେ ମିଳିମିଶି ଚାନ୍ଦା ସଂଗ୍ରହ କରିଥାନ୍ତି l କୁହାଯାଏ ଯେ ୧୯୩୯ ମସିହାରେ ଏହି ରଥ ପ୍ରଥମଥର ପାଇଁ ନିର୍ମାଣ କରାଯିବାବେଳେ ୨୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା l ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ମଞ୍ଜୁଷା ଅଞ୍ଚଳର ଜନୈକ ଭକ୍ତ ସେଠାରୁ ଏକ ବିରାଟ କାଠଗଣ୍ଡି ସଂଗ୍ରହ କରି ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଜ୍ୱାଳାମୁଖୀ ମୂର୍ତ୍ତି ନିର୍ମାଣ କରାଇଥିଲେ l ଜ୍ୱାଳାମୁଖୀଙ୍କ ଗଳାରେ ୧୫ ଗୋଟି କଟାମୁଣ୍ଡ ଓ ଅଣ୍ଟାରେ ୨୧ ଗୋଟି ଖଣ୍ଡିଆ ହାତର ମାଳ ଶୋଭା ପାଉଥାଏ l ବାମ ପଟରେ ତାରା ଓ ଡ଼ାହାଣପଟେ କାଳୀ ମୂର୍ତ୍ତି ସ୍ଥାନ ପାଇଥାଏ l ଏଗୁଡ଼ିକର ଉଚ୍ଚତା ଛଅ ଫୁଟ l ଏହି ସବୁ ରଥ ନିର୍ମାଣରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତ୍ୟକ୍ଷ ଯୋଗଦାନ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅନ୍ୟତମ ଉଲ୍ଲେଖଯୋଗ୍ୟ ବିଭବ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୪ ଏପ୍ରିଲ ୨୦୧୭

No comments: