Sunday, April 23, 2017

ଯାତ୍ରାରେ ସାମୂହିକ ବେଶ

ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଏକକ ବେଶ ବ୍ୟତୀତ କେତେକ ବସ୍ତି ଆନୁକୂଲ୍ୟରେ ସାମୂହିକ ବେଶମାନ ଆୟୋଜନ କରାଯାଏ l ବାଲାଜୀପେଣ୍ଠ ସାହୀ କପିଳେଶ୍ୱର ବ୍ୟାୟାମଶାଳା ପକ୍ଷରୁ ସର୍କସ, ବାଲୁଙ୍କେଶ୍ୱର ସାହୀରୁ ଚନ୍ଦ୍ରଲେଖା ନୃତ୍ୟ, ଶଙ୍କରପୁର ସାହୀର କୁସ୍ତିକସରତ, ଦଳୁଆ ସାହୀର ପାଇକ ନାଚ, କୁମ୍ଭାର ସାହୀର ଘଣ୍ଟ ଆଖଡ଼ା ତଥା ଶଗଡ଼ିଆ ସାହୀ, ମାର୍ଥା ସାହୀ ଓ ବାଉରି ସାହୀ ଇତ୍ୟାଦି ଆନୁକୂଲ୍ୟରେ ବାଡ଼ି ଆଖଡ଼ା ଆୟୋଜନର ନଜିର ରହିଛି l ଏହି ଧରଣର ସାମୂହିକ ବେଶମାନଙ୍କରେ ୨୦ ରୁ ୨୦୦ ଜଣ ଯାଏଁ ବ୍ୟକ୍ତି ଅଂଶଗ୍ରହଣ କରିଥାନ୍ତି l ପୂର୍ବରୁ ଆୟୋଜିତ ସର୍କସ, ଚନ୍ଦ୍ରଲେଖା ନୃତ୍ୟଭଳି କେତେକ ସାମୂହିକ ବେଶ ବର୍ତ୍ତମାନ ଆଉ ବାହାରୁ ନାହିଁ l ତେବେ ଯାତ୍ରା ଅବସରରେ ବିଜିପୁର ବାସିନ୍ଦାମାନଙ୍କ ଦ୍ୱାରା ଆୟୋଜିତ ଦରିଦ୍ର ପଞ୍ଚାକ୍ଷର ପାର୍ଟିବୁଦ୍ଧଂ ଶରଣଂ ଗଚ୍ଛାମି ବେଶ ସହରବାସୀଙ୍କ ମଧ୍ୟରେ ବେଶ୍ କୌତୁହଳ ସୃଷ୍ଟି କରିଥାଏ l
୧୯୩୬ ମସିହାରୁ ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶ ପ୍ରତିଟି ଠାକୁରାଣୀ ଯାତ୍ରା ଅବସରରେ ନିୟମିତ ବାହାରୁଛି l ବିଜିପୁର ଅଞ୍ଚଳର ଜଣେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସାଂଗଠନିକ ପ୍ରଚେଷ୍ଟାରେ ଏହିଭିଳି ଏକ ସାମୂହିକ ବେଶର ପରିକଳ୍ପନା କରାଯାଇଥିଲା l ଆଧୁନିକ ଯୁଗରେ ମଠ ମନ୍ଦିରରେ ଅବସ୍ଥାପିତ କେତେକ ମହନ୍ତଙ୍କ ବିଧର୍ମୀ କାର୍ଯ୍ୟକଳାପର ସମାଲୋଚନା ଏହି ବେଶ ମାଧ୍ୟମରେ ପ୍ରଦର୍ଶନ କରାଯାଇଥାଏ l ‘ଦରିଦ୍ର ପଞ୍ଚାକ୍ଷର ପାର୍ଟି ଶୋଭାଯାତ୍ରାରେ ଜଣେ ମହନ୍ତ ବେଶଧାରୀ ବ୍ୟକ୍ତି ଦଳେ ଆଧୁନିକ ବେଶଭୂଷା ପରିହିତା ନାରୀ ବେଶଧାରୀ ପୁରୁଷଙ୍କ ମଧ୍ୟରେ ରଥାରୁଢ ହୋଇ ମଉଜ ମଜଲିସରେ ବ୍ୟସ୍ତ ରହନ୍ତି l ତାଙ୍କରି ଚେଲାମାନେ ମହନ୍ତଙ୍କ ରଥ ସହ ସହରର କେତେକ ନିର୍ଦ୍ଦିଷ୍ଟ ମୁଖ୍ୟରାସ୍ତା ପରିଭ୍ରମଣ କରି ଠାକୁରାଣୀ ଯାତ୍ରାସ୍ଥଳ ଦେଶୀବେହେରା ସାହୀରେ ପହଞ୍ଚି ଦେବୀଙ୍କ ଦର୍ଶନ ସାରି ପୁଣି ବିଜିପୁର ଫେରିଥାଆନ୍ତି l ଏହି ଶୋଭାଯାତ୍ରାରେ ହାସ୍ୟରସାତ୍ମକ ତଥା ସମାଲୋଚନାମୂଳକ କେତୋଟି ଗୀତ ଅନବରତ ବୋଲାଯାଇଥାଏ l
ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶରେ ଯୋଗ ଦେବା ନିମନ୍ତେ ବିଜିପୁର ଅଞ୍ଚଳର ବାସିନ୍ଦାମାନେ ପୂର୍ବରୁ ମାନସିକ କରିଥାଆନ୍ତି l ତେବେ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କୁ ଏଥିରେ ଅଂଶଗ୍ରହଣ କରିବା ନିମନ୍ତେ ବାରଣ ନାହିଁ l ବିଜିପୁର ଅଞ୍ଚଳର ସ୍ଥାୟୀ ବାସିନ୍ଦାମାନେ କାର୍ଯ୍ୟକ୍ଷେତ୍ରରେ ସହର ବାହାରେ ଅବସ୍ଥାପିତ ହୋଇଥିଲେ ହେଁ ଯାତ୍ରାରେ ବେଶଧାରଣ କରିବା ନିମନ୍ତେ ଆସୁଥିବା ଦେଖାଯାଏ l ସାଧାରଣତଃ ଠାକୁରାଣୀ ଯାତ୍ରା ଶେଷ ହେବା ୩ / ୪ ଦିନ ପୂର୍ବରୁ ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶ ବାହାରିଥାଏ l ଏହି ବେଶରେ ଅଂଶଗ୍ରହଣ କରିବା ନିମନ୍ତେ ଇଚ୍ଛୁକ ବ୍ୟକ୍ତିମାନେ ପାର୍ଟିର ସଭାପତିଙ୍କ ନେତୃତ୍ୱରେ ଏକତ୍ରର ହୋଇ ଲଣ୍ଡା ହୋଇଥାନ୍ତି ଏବଂ ସାମାନ୍ୟ ଜଳଯୋଗ ପରେ ସନ୍ଧ୍ୟାରେ ନଗର ପରିକ୍ରମାରେ ବାହାରି ପ୍ରଥମେ ବିଜିପୁରର ସମସ୍ତ ସାହୀ ବୁଲି ସହରର ରାଜରାସ୍ତାଦେଇ ଠାକୁରାଣୀଙ୍କ ଦର୍ଶନ ପାଇଁ ଯାଇଥାନ୍ତି l ଏମାନେ କାହାଠାରୁ କୌଣସି ଉପହାର ଗ୍ରହଣ କରନ୍ତି ନାହିଁ l
ବୁଦ୍ଧଂ-ଶରଣଂ-ଗଚ୍ଛାମି ବେଶରେ ୨୦ ବା ୨୧ ଜଣ ମଧ୍ୟବୟସ୍କ ବ୍ୟକ୍ତି ବୌଦ୍ଧଭିକ୍ଷୁ ବେଶ ଧାରଣ କରି ଶୋଭାଯାତ୍ରାରେ ସହରର ରାଜରାସ୍ତା ପରିକ୍ରମା କରି ଠାକୁରାଣୀଙ୍କ ଦର୍ଶନ ଲାଗି ଯାଇଥାନ୍ତି l ସେମାନେ ଭିକ୍ଷା ପାତ୍ର ଧରିଥାନ୍ତି ଏବଂ ସମ୍ପୂର୍ଣ୍ଣ ନୀରବତା ପାଳନ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରନ୍ତି l ଯେଉଁମାନେ ଦରିଦ୍ର ପଞ୍ଚାକ୍ଷର ପାର୍ଟି  ବେଶରେ ଅଂଶଗ୍ରହଣ କରି ଲଣ୍ଡା ହୋଇଥାନ୍ତି ସେମାନଙ୍କ ମଧ୍ୟରୁ ସୁସ୍ଥ ସବଳ ଚେହେରା ଥିବା କୋଡିଏ ଜଣଙ୍କୁ ନିର୍ବାଚନ କରି ହିଁ ଏହି ବେଶ ବାହାର କରାଯାଇଥାଏ l କୌଣସି ନୂଆ ବ୍ୟକ୍ତିକୁ ଗ୍ରହଣ କରାଯାଏ ନାହିଁ l ଏହି ବେଶ ସହ ୧୯୪୫ ମସିହା ବେଳକୁ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚିତ୍ର ଅଙ୍ଗୁଳିମାଳାର ଏକ ଗୀତ ଗାନ କରାଯାଉଛି l ଏହି ବେଶ ସାଧାରଣତଃ ଦରିଦ୍ର ପଞ୍ଚାକ୍ଷର ପାର୍ଟି ବେଶ ବାହାରିବା ପରଦିନ ଆୟୋଜିତ ହୋଇଥାଏ l ‘ବୁଦ୍ଧଂ-ଶରଣଂ-ଗଚ୍ଛାମି ବେଶ ଦର୍ଶକଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି କରିଥାଏ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୨୧ ଏପ୍ରିଲ ୨୦୧୭

No comments: