Saturday, April 29, 2017

ଯାତ୍ରା କେମିତି ଆରମ୍ଭ ହୁଏ ?

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସ୍ଥାନୀୟ ପାଟ ବୁଣାକାର ଦେବାଙ୍ଗ ବା ଡ଼େରା ସଂପ୍ରଦାୟ କର୍ତ୍ତୃତ୍ୱରେ ପରିଚ଼ାଳିତ ହେଉଥିବା ହେତୁ ଆପାତତଃ ସେମାନଙ୍କଦ୍ୱାରା ହିଁ ଯାତ୍ରା ପରମ୍ପରା ଆରମ୍ଭ ହୋଇଥିବା ଧରିନିଆଯାଇଥାଏ l ତେବେ ଅଷ୍ଟଦଶ ଶତାଦ୍ଦୀର ଅଷ୍ଟମ ଦଶକ ବେଳକୁ ଦେବାଙ୍ଗ ପରିବାରବର୍ଗ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ଅଞ୍ଚଳରୁ ଆସି ମହୁରି ରାଜ ନିବାସ ସମ୍ମୁଖରେ ପ୍ରଥମେ ତମ୍ୱୁଟାଣି (ବା ଡ଼େରା ପକାଇ) ତଥା ପରେ ସ୍ଥାୟୀ ବାସଗୃହ ନିର୍ମାଣକରି ବସବାସ ଆରମ୍ଭ କରିବା ପ୍ରାୟ ଏକ ଶହବର୍ଷ ପୂର୍ବରୁ ବ୍ରହ୍ମପୁର ଜନପଦ ସୃଷ୍ଟି ହୋଇଥିବା ପ୍ରମାଣ ମିଳେ l ମନ୍ଦିରମାଳିନୀ ବ୍ରହ୍ମପୁରରେ ଠାକୁରାଣୀ ରାଜନଅର ସମୀପ ଅଳ୍ପ ଦୂରରେ ଦେବାଳୟରେ ପୂଜିତ ହେଉଥିବାବେଳେ ଦେବୀଙ୍କ ନଗର ପରିକ୍ରମା ପରମ୍ପରା ଡ଼େରାମାନଙ୍କ ପୃଷ୍ଠପୋଷକତାରେ ପ୍ରବର୍ତ୍ତିତ ହୋଇଥିବା ଅନୁମାନ କରାଯାଇପାରେ l କାଳକ୍ରମେ ବ୍ରହ୍ମପୁର ବ୍ୟାବସାୟିକ ପେଣ୍ଠରୂପେ ଗଢ଼ିଉଠିବା ଅବସରରେ ଠାକୁରାଣୀ ଯାତ୍ରା ଏକ ଲୋକମହୋତ୍ସବରୂପେ ପ୍ରସିଦ୍ଧି ଲାଭକରିଥିବା ଜଣାଯାଏ l

ଯାତ୍ରାରେ ଧାର୍ମିକ ରୀତିନୀତିକୁ ବାଦଦେଲେ ମାନସିକଧାରୀଙ୍କ ବେଶଧାରଣ, ଘଟ ଶୋଭାଯାତ୍ରା, ରଥ ଓ କଳାକୁଞ୍ଜ ନିର୍ମାଣ ସ୍ଥାନୀୟ ଅଧିବାସୀଙ୍କ ସର୍ଜନଶୀଳତାର ପରିଚ଼ୟ ଦେଇଥାଏ l ବେଳେବେଳେ ପ୍ରଶ୍ନ ଉଠେ ବେଶଧାରଣ ପରମ୍ପରା କିପରି ଆରମ୍ଭ ହେଲା ଅଥବା ରଥ ନିର୍ମାଣ କାହିଁକି କରାଗଲା ଇତ୍ୟାଦି l ତାତ୍ତ୍ୱିକ ଅନୁଶୀଳନ କଲେ ଯାତ୍ରାର ଏଭଳି ବିଭବମାନ ଦେଶବିଦେଶର ଅନ୍ୟାନ୍ୟ ଉତ୍ସବାନୁଷ୍ଠାନ ଅନୁକରଣରେ ପ୍ରଥମେ ପ୍ରଯୋଜିତ ହୋଇ ପରବର୍ତ୍ତୀ ଅବସ୍ଥାରେ ଲୋକପ୍ରିୟ ପରମ୍ପରାରେ ପରିଣତ ହୋଇଥିବା ନିର୍ଯ୍ୟାସ ମିଳିଥାଏ l

ଉଦାହରଣ ସ୍ୱରୂପ ରଥ ନିର୍ମାଣ ବିଚ଼ାରକୁ ନିଆଯାଉ l ସାଧାରଣ ଦର୍ଶକମାନଙ୍କୁ ଯାତ୍ରାପ୍ରତି ଆକର୍ଷିତ କରିବା ନିମନ୍ତେ ବିଭିନ୍ନ ରଥ ନିର୍ମାଣ ଆରମ୍ଭ ହୋଇଥିଲା l ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ବେଶ ପ୍ରଦର୍ଶନ ଏ ଦିଗରେ ପ୍ରଯୋଜକଙ୍କୁ ଅନୁପ୍ରାଣିତ କରିଥାଇପାରେ l ଡ଼େରା ବସତି ଆଖପାଖ ଅଞ୍ଚଳର ଜନସାଧାରଣ ଯାତ୍ରାରେ ପ୍ରତ୍ୟକ୍ଷ ଅଂଶଗ୍ରହଣକରି ନିଜ ନିଜ ବସ୍ତିରେ ରଥାରୁଢ଼ ପ୍ରତିମା ସାଜସଜ୍ଜାକରି ରଥ ଟାଣି ଯାତ୍ରାସ୍ଥଳକୁ ଆଣୁଥିଲେ l ତେବେ କାଳକ୍ରମେ ଯାତ୍ରୀଭିଡ଼ ବଢ଼ିବା ତଥା ଅଧିକ ସଂଖ୍ୟକ ରଥ ଯାତ୍ରାସ୍ଥଳରେ ପ୍ରଦର୍ଶନ ଯାତାୟତଜନିତ ସମସ୍ୟା ସୃଷ୍ଟି କରିବାପରେ ବଡ଼ବଜାର ରଥ ପ୍ରଦର୍ଶନ ବଦଳରେ ଆଖପାଖ ବସ୍ତିଗୁଡ଼ିକରେ ରଥନିର୍ମାଣ କରାଯାଇଥିଲା l ତେବେ ବିଂଶ ଶତାଦ୍ଦୀର ସପ୍ତମ ଦଶକ ବେଳକୁ ବିଭିନ୍ନ ବସ୍ତିରେ କଳାକୁଞ୍ଜ ନିର୍ମାଣ ଆରମ୍ଭ ହୋଇ କ୍ରମଶଃ ଲୋକାଦୃତ ହୋଇଥିଲା l ତାହାର ପୂର୍ବରୁ ଯାତ୍ରାରେ କଳାକୁଞ୍ଜ ପ୍ରଦର୍ଶନର ପରମ୍ପରା ନଥିଲା l

ଦକ୍ଷିଣ ଆମେରିକା, ଆଫ୍ରିକା ସମେତ ସ୍ପେନ, ପର୍ତ୍ତୁଗାଲ ତଥା ଭାରତର ବିଭିନ୍ନ ଅଞ୍ଚଳରେ ପଶୁପକ୍ଷୀ, ପୌରାଣିକ ଚ଼ରିତ୍ର ସମ୍ୱଳିତ ବେଶଧାରଣର ଉଦାହରଣ ଦେଖିବାକୁ ମିଳିଥାଏ l ବ୍ରହ୍ମପୁର ଏକ ବ୍ୟାବସାୟିକ ପେଣ୍ଠରୂପେ ଗଢ଼ି ଉଠିଥିବା ତଥା ଦେଶବିଦେଶର ବ୍ୟବସାୟୀମାନେ ଏଠାକୁ ନିୟମିତ ଆତଯାତ ହେଉଥିବା ହେତୁ ସେମାନଙ୍କ ଅନୁଭୂତିରୁ ମାନସିକଧାରୀଙ୍କ କ୍ଷେତ୍ରରେ ଏଭଳି ବେଶ ଧାରଣ ପ୍ରଥା ଆରମ୍ଭ ହୋଇଥିବା ଯୁକ୍ତି ପ୍ରଣିଧାନଯୋଗ୍ୟ l ଅପରପକ୍ଷରେ ସ୍ଥାନୀୟ ସର୍ଜନଶୀଳତା କାଚବାଲା, ଶୁଖୁଆବାଲୀ ବା ପୋଲିସ ଭଳି ସାମାଜିକ ଚ଼ରିତ୍ର ଆଧାରିତ ବେଶ ପ୍ରଚଳନରେ ପର୍ଯ୍ୟବେସିତ l ଭାପୁର ବଜାରର ମେଦିନା ବେଶ ବା ବିଜିପୁର ଦରିଦ୍ର ପଞ୍ଚାକ୍ଷର, ବୁଦ୍ଧଂ ଶରଣଂ ଗଚ୍ଛାମି ବେଶ କିପରି କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରଚ଼େଷ୍ଟାରେ ଯେ ପ୍ରଯୋଜିତ ହୋଇଥିଲା ତାହା ନିକଟ ଅତୀତର ଇତିହାସରୁ ପ୍ରମାଣିତ l ଅର୍ଥାତ ଠାକୁରାଣୀଯାତ୍ରା ପରି ଏକ ଲୋକମହୋତ୍ସବର ବିଭିନ୍ନ ବିଭବ ସର୍ଜନାତ୍ମକଭାବେ କିଛି ବ୍ୟକ୍ତି ବିଶେଷଙ୍କ କଳ୍ପନା ପ୍ରସୂତ ହୋଇଥାଏ l


ଆମଦେଶରେ କାର୍ଣ୍ଣିଭଲ ବା ଆନନ୍ଦତ୍ସୋବ ପର୍ଯ୍ୟାୟରେ ଗୋଆ କାର୍ଣ୍ଣିଭଲ ପ୍ରମୁଖ ସ୍ଥାନ ଅଧିକାର କରିଥାଏ l ପ୍ରତିବର୍ଷ ଫେବୃୟାରୀ ମାସ ଶେଷ ସପ୍ତାହରେ ଗୋଆ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଲୋକଉତ୍ସବର ଉତ୍ପତ୍ତି ବୃତ୍ତାନ୍ତ ଦେଶର ଅନ୍ୟାନ୍ୟ ଲୋକମହୋତ୍ସବର ବିସ୍ମୃତ ଇତିହାସ ଅଧ୍ୟୟନରେ ସହାୟକ ହୋଇପାରିବ l ବ୍ରାଜିଲର ବିଶ୍ୱବିଖ୍ୟାତ ରିଓ କାର୍ଣ୍ଣିଭଲ ସଂପର୍କରେ ପତ୍ରପତ୍ରିକାରୁ ଅବଗତ ହୋଇ ଗୋଆର ଟିମୋଟୋ ଫର୍ଣ୍ଣାଡ଼ିଜ ନାମକ ଜନୈକ ବ୍ୟକ୍ତି ୧୯୬୫ ଫେବୃୟାରୀ ମାସରେ ବ୍ୟକ୍ତିଗତ ଉଦ୍ୟମରେ ଏକ ଶୋଭାଯାତ୍ରା ଆୟୋଜନ କରିଥିଲେ l ମାତ୍ର ପାଞ୍ଚ ଟଙ୍କାରେ ଶଗଡ଼ଗାଡ଼ିଖଣ୍ଡେ ଭଡ଼ା କରି ଟଙ୍କାଏ ଖର୍ଚ୍ଚରେ ସାଜସଜ୍ଜା କରି ୧୫ ଜଣ ସାଙ୍ଗସାଥିଙ୍କ ଗହଣରେ ଗୋଆର ରାଜଧାନୀ ପାନାଜୀରେ ଏକ କିଲୋମିଟର ପଥ ଏହି ବର୍ଣ୍ଣାଢ୍ୟ ଶୋଭାଯାତ୍ରା ପରିକ୍ରମା ଆୟୋଜନ କରିଥିଲେ l ଫର୍ଣ୍ଣାଡ଼ିଜ ରାଜକୀୟ ବେଶଭୂଷା ପରିହିତ ହୋଇ ରଥାରୁଢ଼ ହୋଇଥିବାବେଳେ ସାଥିରେ ଥିବା ସାଥିମାନେ ଗିଟାର ଓ ବଙ୍ଗୋ ବାଦ୍ୟଯନ୍ତ୍ର ବ୍ୟବହାରରେ ପର୍ତ୍ତୁଗୀଜ ସଂଙ୍ଗୀତ ଗାନ କରୁଥିଲେ l ଏହା ଗୋଆବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା l ପରବର୍ଷ ମଧ୍ୟ ଫର୍ଣ୍ଣାଡ଼ିଜ ଅନୁରୂପ କାର୍ଣ୍ଣିଭଲ ଆୟୋଜନ କଲେ l ତତ୍ ପରବର୍ଷ ୧୯୬୭ରେ ଗୋଆ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଦୟାନନ୍ଦ ବନ୍ଦୋକର ସରକାରଙ୍କ ପକ୍ଷରୁ ଏହି କାର୍ଣ୍ଣିଭଲ ଆୟୋଜନର ନିଷ୍ପତ୍ତି ନେଇଥିଲେ ଏବଂ କାଳକ୍ରମେ ବିଗତ ୫୦ ବର୍ଷ ମଧ୍ୟରେ ଏହା ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ଆକର୍ଷଣରେ ପରିଣତ ହୋଇଛି l ଅଶୀବର୍ଷ ବୟସ୍କ ଟିମୋଟୋ ଫର୍ଣ୍ଣାଡ଼ିଜ ଗୋଆ କାର୍ଣ୍ଣିଭଲ ସଂପର୍କରେ ନିକଟରେ ପତ୍ରପତ୍ରିକାକୁ ସାକ୍ଷାତକାର ଦେଇ ନିଜ ଅନୁଭୂତି ବଖାଣିଛନ୍ତି l ଅତଏବ ବ୍ରହ୍ମପୁର ଠାକୁରାଣୀଯାତ୍ରା ଆୟୋଜନର ଉତ୍ପତ୍ତି ହେଉ ବା ବେଶ ଧାରଣ, ରଥ ଓ କଳାକୁଞ୍ଜ ପ୍ରଦର୍ଶନରେ ଅନୁରୂପ ଧାରା ପ୍ରତିଫଳିତ ହୋଇଥିବା ବିଚ଼ାର ଯୁକ୍ତିଯୁକ୍ତ ମନେହୁଏ

No comments: