Sunday, April 30, 2017

ଠାକୁରାଣୀ ଯାତ୍ରା ଶେଷଦିବସ

ଲୋକମହୋତ୍ସବ ପାଳନ ଅବସରରେ ଦେବଦେବୀ ଓ ଆୟୋଜକଙ୍କ ମଧ୍ୟରେ ପାରିବାରିକ ସଂପର୍କ କଳ୍ପନା କରାଯାଇଥାଏ l ସମ୍ୱଲପୁର ଶୀତଳ ଷଷ୍ଠୀ ଭଳି ରାଜ୍ୟର ବିଭିନ୍ନ ଲୋକଉତ୍ସବରେ ଏହି ରୀତି ଦେଖିବାକୁ ମିଳିଥାଏ l ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବଡ଼ ଠାକୁରାଣୀ ନିଜ ମନ୍ଦିର ଶ୍ୱଶୁରାଳୟରୁ ପିତ୍ରାଳୟ ଦେଶୀବେହେରାଙ୍କ ବାସଭବନକୁ ସାମୟିକଭାବେ ଆସିଥାନ୍ତି ବୋଲି କୁହାଯାଏ l ଏଠାକାର ସାମାଜିକ ବ୍ୟବସ୍ଥାରେ ଝିଅଙ୍କ ପାଇଁ ଶାଶୁଘର ଓ ବାପଘରର କିଛି ଚାଲିଚଳେଣୀ ଯାତ୍ରା ପାଳନରେ ପ୍ରତିବିମ୍ୱିତ ହୋଇଥାଏ l ବାପଘରଭାବେ ଦେଶୀବେହେରାଙ୍କ ପକ୍ଷରୁ ଝିଅକୁ ନିମନ୍ତ୍ରଣ କରିବା ରୀତିନୀତି ଯାତ୍ରା ଆରମ୍ଭରେ ପାଳିତ ହେଉଥିବା ବେଳେ ଯାତ୍ରା ଶେଷରେ ଶାଶୁଘର ବଡ଼ ଠାକୁରାଣୀ ମନ୍ଦିରରୁ ଏହି ଅଞ୍ଚଳରେ ପ୍ରଚଳିତ ବୋହୁ ଡ଼ାକରା ପଦ୍ଧତି ଅନୁସରଣ କରାଯାଇଥାଏ l ସପ୍ତଦଶ ଶତାଦ୍ଦୀ ଶେଷ ଭାଗରେ ପ୍ରତିଷ୍ଠିତ ମହୁରି ରାଜବାଟୀ ଚର୍ତୁଦିଗରେ ଗଢ଼ି ଉଠୁଥିବା ଜନବସତିକୁ ନେଇ ବ୍ରହ୍ମପୁରର କ୍ରମବିକାଶ ପର ଶହେ ବର୍ଷ ଉତ୍ତାରେ ଅଷ୍ଟଦଶ ଶତାଦ୍ଦୀ ଶେଷଭାଗରେ ଆଭ୍ୟନ୍ତରୀଣ ଆନ୍ଧ୍ର ପ୍ରଦେଶରୁ ବୁଣାକାର ଦେବାଙ୍ଗ ସମ୍ପ୍ରଦାୟ ବ୍ରହ୍ମପୁରରେ ପହଞ୍ଚିବାର ପରବର୍ତ୍ତୀ ଶହେ ବର୍ଷ ପରେ ସୀମାନ୍ତ ଆନ୍ଧ୍ର ପ୍ରଦେଶରୁ ବୈଶ୍ୟ କୁମୁଟି ସଂପ୍ରଦାୟ ବ୍ରହ୍ମପୁରରେ ପହଞ୍ଚି ବ୍ୟବସାୟରେ ସଂପୃକ୍ତ ହୋଇଥିବା ଅନୁମାନ କରାଯାଏ l ଏହି ସମୟସୀମାରେ ବିକଶିତ ଠାକୁରାଣୀ ଯାତ୍ରାରେ ଦେବାଙ୍ଗ ସମ୍ପ୍ରଦାୟ ବାପଘର ଭାବେ ଚିହ୍ନିତ ହୋଇଥିବା ବେଳେ କୁମୁଟି ସଂପ୍ରଦାୟ ଶାଶୁଘରର ପ୍ରତିନିଧିତ୍ୱ କରିବା ପ୍ରଥା ଲାଗୁ ହୋଇଥିଲା l

ଯାତ୍ରା ଶେଷଦିବସ ସ୍ଥିର ହେବାପରେ ବଡ଼ ଠାକୁରାଣୀ ମନ୍ଦିରରୁ ମଧ୍ୟାହ୍ନରେ ସହସ୍ରାକ୍ଷି ଘଟ ଦେଶୀବେହେରାଙ୍କ ବାସଭବନରେ ପହଞ୍ଚିଥାଏ l ବ୍ରହ୍ମପୁରର ପୂର୍ବ ଉପକଣ୍ଠ ଆଙ୍କୁଲିଗ୍ରାମର କୁମ୍ଭାରପଲ୍ଲୀର କୁମ୍ଭକାରମାନେ ବହୁ-ଛିଦ୍ର-ଯୁକ୍ତ ଏକ ସ୍ୱତନ୍ତ୍ର ମାଟି ହାଣ୍ଡି ନିର୍ମାଣ କରି ଯୋଗାଇଥାନ୍ତି l ଏହାକୁ ବହୁ ରଙ୍ଗରେ ଚିତ୍ରିତ କରାଯାଇଥାଏ l ଦେଶୀବେହେରାଙ୍କ ଘରେ ଏହାକୁ ପୂଜାପାଠ କରାଯାଇଥାଏ l ରାତିରେ ପ୍ରତ୍ୟାବର୍ତ୍ତନ ଘଟ ଶୋଭାଯାତ୍ରାରେ କୁମୁଟି ସଂପ୍ରଦାୟ ପାରମ୍ପରିକ ମୁଖ୍ୟଙ୍କ ପତ୍ନୀ ସହସ୍ରାକ୍ଷି ଘଟ ମଣ୍ଡନ କରି ପୁରୋଭାଗରେ ଯିବା ବେଳେ ତାପଛରେ ଦେଶୀବେହେରାଙ୍କ ପତ୍ନୀ ମୁଖ୍ୟ ଘଟ ମଣ୍ଡନ କରି ଯିବା ପ୍ରଥା ଚଳି ଆସିଛି l ସହସ୍ରାକ୍ଷି ଘଟ ଯାତ୍ରା ପଥକୁ ଆଲୋକିତ କରିଥାଏ ବୋଲି ବିଶ୍ୱାସ କରାଯାଏ l

ଠାକୁରାଣୀଙ୍କୁ ନିମନ୍ତ୍ରଣ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳର ପୁରୁଷମାନେ ସାମିଲ ହେଉଥିବାବେଳେ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରାରେ ବିବାହିତ ମହିଳାମାନେ ଅଂଶ ଗ୍ରହଣ କରିଥାନ୍ତି l ଆଖପାଖ ଅଞ୍ଚଳରେ ଦୀର୍ଘବର୍ଷ ଧରି ବସବାସ କରୁଥିବା ବହୁ ପରିବାରରୁ ପ୍ରତିନିଧିତ୍ୱ କରି ମହିଳାମାନେ ଏହି ଶୋଭାଯାତ୍ରାରେ ଯୋଗ ଦେଇଥାନ୍ତି l କେତେକ ମହିଳା ଏଥିଲାଗି ମାନସିକ କରିଥିବା ବେଳେ ଅନ୍ୟ କେତେକ ପାରମ୍ପରିକ ପାରିବାରିକ ରୀତିନୀତି ଭାବେ ପାଳନ କରିଥାନ୍ତି l

ଯାତ୍ରା ଶେଷଦିନ ଘଟ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ମହିଳାମାନେ ନିଜ ନିଜ ଘରେ ମଧ୍ୟାହ୍ନରୁ ଇଷ୍ଟଦେବୀଙ୍କ ନିକଟରେ ଘଟ ସ୍ଥାପନ କରି ପୂଜାଅର୍ଚ୍ଚନା କରିଥାନ୍ତି l ଅଧିକାଂଶ ମୂର୍ତ୍ତିକା ଘଟ ସ୍ଥାପନ କରୁଥିବାବେଳେ କେହି କେହି ପିତ୍ତଳ ବା କଂସା ଘଟ ମଧ୍ୟ ସ୍ଥାପନ କରିଥାନ୍ତି l ମହିଳାମାନେ ଦିନ ସାରା ଉପବାସ ରହି କେବଳ ପୂଜାପ୍ରସାଦ ହିଁ ଗ୍ରହଣ କରିଥାନ୍ତି l ସମସ୍ତେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି l ସଂଧ୍ୟାରେ ଘଟ ମଣ୍ଡନ କରି ଦେଶୀବେହେରା ସାହୀସ୍ଥ ଅସ୍ଥାୟୀ ମଣ୍ଡପଠାରେ ଏକତ୍ରୀତ ହୋଇଥାନ୍ତି l ମଧ୍ୟରାତ୍ରୀରେ ମୁଖ୍ୟଘଟ ବଡ଼ ଠାକୁରାଣୀ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବାପରେ ସଭିଏଁ ନିଜ ନିଜ ଘଟ ମଣ୍ଡନ କରି ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି l

ପ୍ରତ୍ୟାବର୍ତ୍ତନ ଘଟ ଶୋଭାଯାତ୍ରା ରାତି ୧୨ ଘଣ୍ଟା ପରେ ଦେଶୀବେହେରା ସାହୀରୁ ଆରମ୍ଭ ହୋଇଥାଏ l ଏହା ମହୁରି ରାଜାବାଟୀ ରାସ୍ତା, ବଡ଼ ବଜାର ମୁଖ୍ୟ ରାସ୍ତା, ସାନ୍ତାରାଣୀ ସାହୀ, ମାର୍ଥାପେଟା ସାହୀ, କେଉଟ ସାହୀ, ଶଙ୍କରପୁର ସାହୀ, ବାଚୁବାରୀ ସାହୀ, କେଦାରେଶ୍ୱର ମନ୍ଦିର ରାସ୍ତା, ଚନ୍ଦ୍ରମା ସାହୀ, ଖାସ୍ପା ସାହୀ, ଜଉରା ସାହୀରେ ମାଉସୀମା ଘର ଦେଇ ପୁଣି ଖାସ୍ପା ସାହୀ, ପୁଡିପେଦୀ ସାହୀ, ଖରୁଡ଼ା ସାହୀ ହୋଇ ବଡ଼ ଠାକୁରାଣୀ ମନ୍ଦିରରେ ଭୋର ସାଢ଼େ ତିନିରୁ ଚାରିଟା ବେଳେ ପହଞ୍ଚିଥାଏ l ସେଠାରେ ମୁଖ୍ୟ ଘଟ ସହ ପାର୍ଶ୍ୱ ଘଟଗୁଡ଼ିକୁ ମନ୍ଦିରର ରତ୍ନସିଂହାସନରେ ସ୍ଥାପନ କରିବାପରେ ଶୋଭାଯାତ୍ରାରେ ଆସିଥିବା ହଜାର ହଜାର ଘଟଧାରୀ ସାଧାରଣ ମହିଳା ମନ୍ଦିର ପ୍ରାଙ୍ଗଣରେ ଘଟ ବିସର୍ଜନ କରିଥାନ୍ତି l ଏହି କାର୍ଯ୍ୟକ୍ରମ ସକାଳ ଯାଏଁ ଚାଲିଥାଏ l


ଘଟ ଶୋଭାଯାତ୍ରା କାଳରେ ସମଗ୍ର ଯାତ୍ରାପଥକୁ ଭକ୍ତମାନେ ଝାଡୁ ମାରି ସାଙ୍କେତିକ ଭାବେ ସଫା କରନ୍ତି ଏବଂ ଘଟ ଶୋଭାଯାତ୍ରାକୁ ସ୍ୱାଗତ କରି ରାସ୍ତାରେ ନୂତନ ବସ୍ତ୍ର, ପୁଷ୍ପ ପାରିଥାନ୍ତି l ଘଟ ଶୋଭାଯାତ୍ରା ଓ ଦର୍ଶକମାନଙ୍କ ଭିଡ ସ୍ଥାନୀୟ ସାହୀଗୁଡ଼ିକର ଯୁବକମାନେ ନିୟନ୍ତ୍ରିତ କରାଇଥାନ୍ତି l ପ୍ରଶାସନ ପକ୍ଷରୁ ପ୍ରାୟ ୧୫ ପ୍ଳାଟୁନ ପୋଲିସ ନିୟୋଜିତ ହୋଇଥାଏ l ଆକଳନ ଅନୁଯାୟୀ ପ୍ରାୟ ଦୁଇଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ଯୋଗ ଦେଇଥାନ୍ତି l

No comments: