Wednesday, April 24, 2019

ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା

ବ୍ରହ୍ମପୁର ଠାକୁରାଣୀ ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ରୂପେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ମାନ୍ୟତା ଦିଆଯିଇଛି୨୦୧୪ ଅଗଷ୍ଟ ମାସରେ ଘୋଷିତ ହୋଇଥିଲା । ପୂର୍ବରୁ କଟକର ବାଲିଯାତ୍ରା, ଭୁବନେଶ୍ୱରରମୁକ୍ତେଶ୍ୱର ମହୋତ୍ସବ, କୋଣାର୍କ ମହୋତ୍ସବ, ବରଗଡ଼ର ଧନୁ ଯାତ୍ରା ଓ କୋରାପୁଟର ପରବ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ପାଇଥିବା ସ୍ଥଳେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଷଷ୍ଠ ମହୋତ୍ସବ ରୂପେ ସେହି ତାଲିକାରେ ସଂଯୋଜିତ ହୋଇଛି । କୁହାଯାଇଥିଲା ଯେ ଏହି କ୍ରମରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ମୂଳ ପୀଠ ବଡ଼ ଠାକୁରାଣୀ ମନ୍ଦିର ଉନ୍ନୟନ ସକାଶେ ଏକ କୋଟି ଟଙ୍କା ସହାୟତା ମଞ୍ଜୁର କରାଯାଇଛି

ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ରାଜ୍ୟସ୍ତରୀୟ ମହୋତ୍ସବ ରୂପେ ମାନ୍ୟତା ପାଇବା ନିଷ୍ପତ୍ତି ସହରବାସୀଙ୍କ ନିମନ୍ତେ ଆନନ୍ଦର ବିଷୟ । ଲୋକ ମହୋତ୍ସବଗୁଡ଼ିକରେ ସ୍ଥାନୀୟ ବାସିନ୍ଦାଙ୍କ ଅଂଶଗ୍ରହଣ ଏହାର ଆୟୋଜନ ଓ ପାଳନରେ ସହାୟକ ହୋଇଥାଏ । ଏହା ଆଖପାଖ ଅଞ୍ଚଳର ଦର୍ଶକମାନଙ୍କୁ ଆପେ ଆପେ ଆକର୍ଷିତ କରିଥାଏ ମୁଖ୍ୟତଃ ଲୋକମୁଖରେ ଉତ୍ସବର ବିଭିନ୍ନ ବିଭବ ପ୍ରଚାରିତ ହୋଇଥାଏ । ଠାକୁରାଣୀ ଯାତ୍ରା ବ୍ରହ୍ମପୁରର ମୌଳିକ ଉତ୍ସବ ରୂପେ ପାଳିତ ହେଉଥିଲେ ହେଁ ଏହା ଗଞ୍ଜାମ, ଗଜପତି, ଅବିଭକ୍ତ କୋରାପୁଟ, କନ୍ଧମାଳ ଓ ଅବିଭକ୍ତ ପୁରୀ ଜିଲ୍ଲା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟଣା ଜିଲ୍ଲାରୁ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ଅତୀତରେ ବିଭିନ୍ନ ଅଞ୍ଚଳରୁ ଯାତ୍ରୀମାନେ ଶଗଡ଼ରେସପରିବାରେ ଯାତ୍ରାରେ ଯୋଗଦେବା ନିମନ୍ତେ ପହଞ୍ଚୁଥିଲେ । ଯାତ୍ରା ଉପଭୋଗ କରିବା ସହ ବ୍ରହ୍ମପୁର ବଜାରରେ କିଣାବିକା ଓ ମଉଜମଜଲିସ ଅନ୍ୟତମ ଆକର୍ଷଣ ରହୁଥିଲା । ସ୍ୱାଧୀନତା ପୂର୍ବାବସ୍ଥାରେ ବ୍ରହ୍ମପୁର ମନ୍ଦିରମାଳିନୀ ଓ ପୁଷ୍କରଣୀମୟ ସହର ରୂପେ ଗଢ଼ି ଉଠିଥିଲା । ଗ୍ରାମାଞ୍ଚଳରୁ ଶଗଡ଼ରେ ଆସି ପହଞ୍ଚୁଥିବା ପରିବାରଗୁଡ଼ିକ ପୋଖରୀ ହୁଡ଼ାରେଶଗଡ଼ ଅଟକାଉ ଥିଲେ । ବ୍ରହ୍ମପୁରରେ ଅପରାହ୍ନ ସୁଦ୍ଧା ପହଞ୍ଚି ଅନ୍ତତଃ ପକ୍ଷେ ଗୋଟିଏ ରାତି ବିତାଇ ତହିଁ ପରଦିନ ସକାଳୁ ସକାଳୁବାସସ୍ଥାନ ଅଭିମୁଖେ ଫେରିବା ଏକ ସାଧାରଣ ପ୍ରଥାରୂପେ ପରିଗଣିତ ହେଉଥିଲାଯାତ୍ରାରେ ଯୋଗଦେବାପାଇଁ ଏକାଧିକ ପରିବାର ଏକତ୍ର ଆସୁଥିବା ହେତୁ ଘରୁ ବାହାରିବାଠାରୁ ଘରେ ପହଞ୍ଚିବା ଦୁଇ ଦିନ ଯାଏଁ ଉତ୍ସବମୁଖରମାହୋଲରେ ସମୟ ଅତିବାହିତ ହେଉଥିଲା । ଗ୍ରୀଷ୍ମକାଳୀନ ପାଣିପାଗ ଓ ଫସଲ ଆମଦାନୀପର ସମୟ ଗ୍ରାମାଞ୍ଚଳ କୃଷିଜୀବୀମାନଙ୍କୁ ଯାତ୍ରା ଉପଭୋଗ କରିବାପାଇଁ ଅନୁକୂଳ ବାତାବରଣ ଓ ଖର୍ଚ୍ଚ କରିବାପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦେଉଥିଲା ।

ସ୍ୱାଧୀନୋତ୍ତର ଅବସ୍ଥାରେ ରାସ୍ତାଘାଟର ଉନ୍ନତି ଓ ମଟରଗାଡ଼ିର ବ୍ରହ୍ମପୁରରେ ପହଞ୍ଚିବା ପାଇଁ ନୂତନ ସୁବିଧା ସୃଷ୍ଟି କଲା । ଅତୀତରେ ବ୍ରହ୍ମପୁର ସହର ପରିଦର୍ଶନ ପାଇଁ ଦୀର୍ଘ ସମୟ ବ୍ୟବଧାନରେର ସୁଯୋଗ ପାଉଥିବା ବହୁ ଗ୍ରାମବାସୀ ବିଭିନ୍ନ କାର୍ଯ୍ୟ ଉଦ୍ଦେଶ୍ୟରେ ବାରମ୍ୱାର ବ୍ରହ୍ମପୁର ଗସ୍ତ କରିବା ସମ୍ଭବପର ହୋଇପାରିଲା । ଫଳତଃ  ଠାକୁରାଣୀ ଯାତ୍ରା ଅବସରରେ ବ୍ରହ୍ମପୁର ପରିଦର୍ଶନର ଉନ୍ମାଦନା ଅପସରି ଗଲା । ବହୁ ଦୂରରୁ ଯାତ୍ରୀମାନେ ଖୁବ୍ କମ୍ ସମୟରେ ବ୍ରହ୍ମପୁରରେ ପହଞ୍ଚି ପାରିଲେ । ସହରର ବର୍ଦ୍ଧିଷ୍ଣୁ ହୋଟେଲ ଓ ଲଜିଂରେସପରିବାରରେ ରାତି ବିତାଇଲେ । ବ୍ରହ୍ମପୁର ବଜାରକୁ ଆବଶ୍ୟକମତେ ଯିବା ଆସିବା ଚାଲୁ ରହୁଥିବା ହେତୁ ହୁଏତ କିଣାବିକାର ପୂର୍ବ ଗୁରୁତ୍ୱ ନ ଥିଲେ ମଧ୍ୟ ଯାତ୍ରାର ଉତ୍ସବମୁଖର କିଣାବିକାର ପ୍ରଭାବ ସମୂଳେ ଲୋପ ପାଇପାରିନାହିଁ ।

ଜରୁରିକାଳୀନ ପରିସ୍ଥିତି ପର ଅବସ୍ଥାରେ ଓଡ଼ିଶାରେସମ୍ୱାଦପତ୍ରର ଲୋକପ୍ରିୟତା, ୧୯୮୨ରୁ ଦୂରଦର୍ଶନ, ୧୯୯୨ରୁ କେବଲ ଟେଲିଭିଜନ ଓ ୨୦୦୨ରୁ ଓଡ଼ିଆଚ଼୍ୟାନେଲର ପ୍ରସାରଣ ସଙ୍ଗେ ଜଗତୀକରଣର ପ୍ରଭାବ ଏକବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଳନଲାଗି ସଂପୂର୍ଣ୍ଣ ପରିବର୍ତ୍ତିତ ପରିବେଶ ସୃଷ୍ଟି କଲା । ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳ ପକ୍କାସଡ଼କଦ୍ୱାରା ସଂଯୋଗ ହେବା ସାଙ୍ଗକୁ ଦୁଇ ଚ଼କିଆ, ତିନି ଚ଼କିଆ ଓ ଚ଼ାରିଚ଼କିଆ ହାଲକା ମଟରଗାଡ଼ି ହାତ ପାଆନ୍ତାରେ ଉପଲବ୍ଧ ହେବାପରେ ଯାତ୍ରାରେ ଯୋଗଦେବା ପାଇଁ ବ୍ରହ୍ମପୁର ଯିବା-ଆସିବା ଅତ୍ୟନ୍ତ ସହଜପ୍ରଦ ହୋଇପାରିଛି । ଠାକୁରାଣୀ ଯାତ୍ରା ସଂପର୍କରେ ସମ୍ୱାଦପତ୍ରଗୁଡ଼ିକର ସ୍ଥାନୀୟ ସଂସ୍କରଣଗୁଡ଼ିକରେ ପୁରା ପୃଷ୍ଠା ବିବରଣୀ ତଥା ଓଡ଼ିଆଟେଲିଭିଜନ ଚ଼୍ୟାନେଲରେସୁବିସ୍ତୃତ ବର୍ଣ୍ଣନା ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଟିକିନିଖି ଖବର ପଡ଼ୋଶୀ ଗ୍ରାମାଞ୍ଚଳରେ ପହଞ୍ଚାଇ ଦେଇପାରୁଛି । ଫଳତଃ ଯାତ୍ରାର ଆକର୍ଷଣ ପରିବ୍ୟାପ୍ତ ହୋଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ଠାକୁରାଣୀ ଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ଭବିଷ୍ୟତରେ ଏହାକୁ ରାଜ୍ୟ, ରାଷ୍ଟ୍ର ତଥା ଅନ୍ତଃରାଷ୍ଟ୍ରୀୟସ୍ତରରେ ପର୍ଯ୍ୟଟନ ଆକର୍ଷଣ ରୂପେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ଆଶା କରାଯାଇପାରେ ।

Tuesday, April 23, 2019

ଠାକୁରାଣୀ ଯାତ୍ରାର ଐତିହାସିକ ଅନୁଶୀଳନ

ନୂତନ ଭାବେ ଗଢ଼ି ଉଠୁଥିବା ବ୍ରହ୍ମପୁରରେ ଦାକ୍ଷିଣାତ୍ୟରୁ ଆଗମନ କରିଥିବା ଦେବାଙ୍ଗ ବା ଡ଼େରା ସଂପ୍ରଦାୟର ସ୍ଥାୟୀ ବସତି ସ୍ଥାପନ ପରବର୍ତ୍ତୀ ଅବସ୍ଥାରେ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିଲା ବୋଲି ଧରି ନିଆଯାଏ । ମହୁରି ରାଜବାଟୀ ୧୬୬୨ ରୁ ୧୬୭୨ ମସିହା ମଧ୍ୟରେ ନିର୍ମିତ ହେବା ତଥା ୧୬୭୨ ମସିହାରେ ହରିଡ଼ାଖଣ୍ଡିଠାରେ ଶ୍ରୀଲକ୍ଷ୍ମୀନୃସିଂହ ମନ୍ଦିର ସ୍ଥାପନ ପରେ ସେହି ଅଞ୍ଚଳରେ ଜନବସତି ଗଢ଼ି ଉଠିଥିଲା । ୧୭୭୨ ମସିହାରେ ହରିହର ନରେନ୍ଦ୍ର ଦେବ ମହୁରି ରାଜ ସିଂହାସନ ଆରୋହଣ କରିଥିଲେ ଏବଂ ୧୭୮୨ ମସିହାରେ ତାଙ୍କୁ ହତ୍ୟା କରାଯାଇଥିଲା । ତାଙ୍କରି ରାଜତ୍ୱ ସମୟରେ ରାଜମହେନ୍ଦ୍ରୀ ଅଞ୍ଚଳର ଦେବାଙ୍ଗ ସଂପ୍ରଦାୟ ବ୍ରହ୍ମପୁର ଆଗମନ କରିଥିଲେ । ହରିଡ଼ାଖଣ୍ଡିରେଶ୍ରୀଲକ୍ଷ୍ମୀନୃସିଂହ ମନ୍ଦିର ସ୍ଥାପନକୁ ଯଦି ବ୍ରହ୍ମପୁରର ଜନ୍ମକାଳ ରୂପେ ବିବେଚ଼ନା କରାଯାଏ, ବ୍ରହ୍ମପୁର ଜନପଦ ଆରମ୍ଭ ହେବାର ପ୍ରାୟ ଏକ ଶହ ବର୍ଷ ପରେ ଦେବାଙ୍ଗ ସଂପ୍ରଦାୟ ବ୍ରହ୍ମପୁରରେ ଆସି ପହଞ୍ଚିଥିଲେ ଏବଂ ସେମାନଙ୍କ ପୃଷ୍ଠପୋଷକତାରେ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିଲା । ଏହି ଉତ୍ସବ ଆୟୋଜନ ପ୍ରଥମ ଅବସ୍ଥାରେ ଦେବାଙ୍ଗ ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ଥିବା ଏବଂ ପରବର୍ତ୍ତୀ ଅବସ୍ଥାରେ କ୍ରମଶଃ ସ୍ଥାନୀୟ ବାସିନ୍ଦାଙ୍କୁ ଯାତ୍ରା ଆୟୋଜନରେ ଅଂଶ ଗ୍ରହଣଲାଗି ପ୍ରୋତ୍ସାହିତ କରିଥିଲା ବୋଲି ବିଚ଼ାର କରାଯାଇପାରେ ।

ଗଞ୍ଜାମ ଜିଲ୍ଲାରେ ବହୁ ପୁରାତନ ଶକ୍ତିପୀଠ ବିଛୁରିତ ହୋଇ ରହିଥିବା ହେତୁ ବ୍ରହ୍ମପୁରବାସୀ ନିଶ୍ଚିତ ଭାବେ ଦେବୀ ଭକ୍ତ ଥିଲେ ଏବଂ ଦେବାଙ୍ଗ ସଂପ୍ରଦାୟ ବ୍ରହ୍ମପୁରରେ ଆସି ପହଞ୍ଚିବା ପୂର୍ବରୁ ବଡ଼ ଠାକୁରାଣୀ ମନ୍ଦିର ରହିଥିବା ଅନୁମାନ କରାଯାଇପାରେ । ବ୍ରହ୍ମପୁର ଭଳି ଗଞ୍ଜାମ ଜିଲ୍ଲାର ବହୁ ଶକ୍ତି ପୀଠରେ ଅଣ-ବ୍ରାହ୍ମଣ ପୂଜକ ଭାବେ ନିଯୁକ୍ତ ଥିବା ଦେଖିବାକୁ ମିଳିଥାଏ । ମହୁରି ରାଜ ଉଆସ ସାମ୍ନାରେ ଦେବାଙ୍ଗ ସଂପ୍ରଦାୟ ବସତି ସ୍ଥାପନ କରିଥିବା ହେତୁ ସ୍ଥାନୀୟ ଠାକୁରାଣୀଙ୍କୁ ପୂଜାଅର୍ଚ୍ଚନା ପାଇଁ ସେହିଠାରେ ହିଁ ଯାତ୍ରା ଆୟୋଜନ ହେବା ସ୍ୱାଭାବିକ । ଦେବାଙ୍ଗ ସଂପ୍ରଦାୟର ପାଟ ବୁଣା କ୍ରମଶଃ ପ୍ରସିଦ୍ଧି ଲାଭ କରିଥିଲା ଏବଂ ବ୍ୟବସାୟରେ ଉନ୍ନତିପରେବୁଣାକର ପରିବାର ସଂଖ୍ୟା ବୃଦ୍ଧି ପାଇ ଆଖପାଖ ଇଲାକାରେ ବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ ୧୮ ଗୋଟି ବସ୍ତିକୁ ସଂପ୍ରସାରିତ ହୋଇଥିବା ଜଣାଯାଏ । ପାଟ ବୟନ ବ୍ୟବସାୟରେ ସଫଳତା ବ୍ରହ୍ମପୁର ବଜାରରେ ସେମାନଙ୍କ ସ୍ଥିତିକୁ ଊନବିଂଶ ଶତାଦ୍ଦୀର ଶେଷ ଯାଏଁ ସୁଦୃଢ ରଖିଥିଲା ବୋଲି କୁହାଯାଇପାର । ଊନବିଂଶ ଶତାଦ୍ଦୀର ଶେଷ ଚଉଠ ଓ ବିଂଶ ଶତାଦ୍ଦୀର ପ୍ରଥମ ଚଉଠରେ ଗୋପାଳପୁର ବନ୍ଦରର କାରବାର ବ୍ରହ୍ମପୁର ବଜାରକୁ ପ୍ରଭାବିତ କରିଥିଲା । ରପ୍ତାନୀ ଓ ଆମଦାନୀ ବାଣିଜ୍ୟ ବୃଦ୍ଧି ପରେ ବ୍ରହ୍ମପୁର ବଜାରରେ କିଛି କାଳ ମୁସଲମାନ ବ୍ୟବସାୟୀଙ୍କ ଅଧିପତ୍ୟ ଦେଖିବାକୁ ମିଳିଥିଲା । ବିଂଶ ଶତାଦ୍ଦୀର ପ୍ରଥମ ଦଶକରେ ବ୍ରହ୍ମପୁର ରେଳପଥ ଦ୍ୱାରା ସଂଯୋଗ ହେବା ଓ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ମଟରଗାଡ଼ିରେ ସ୍ଥଳପଥରେ ପରିବହନ ଦୃଢ଼ୀଭୂତ ହେବାପରେ ବ୍ରହ୍ମପୁର ବଜାରରେ ଆନ୍ଧ୍ର ସୀମାନ୍ତ ଅଞ୍ଚଳର ବୈଶ୍ୟକୁମୁଟୀ ସଂପ୍ରଦାୟଙ୍କ ପ୍ରଭୂତ୍ୱ ବୃଦ୍ଧି ପାଇଥିଲା । ୧୯୪୭ ମସିହାରେ ଦେଶବିଭାଜନ ପରେ ବହୁ ସ୍ୱଚ୍ଛଳ ମୁସଲମାନ ବ୍ୟବସାୟୀ ବ୍ରହ୍ମପୁର ଛାଡ଼ିଥିଲେ । ସେମାନଙ୍କ ଘରଦ୍ୱାରବୈଶ୍ୟ ସଂପ୍ରଦାୟ କିଣି ନେଇଥିଲେ । ସ୍ୱାଧୀନୋତ୍ତର ଅବସ୍ଥାରେ ଦେଶରେ ଯାନ୍ତ୍ରିକ ବୟନ ଶିଳ୍ପର ଉନ୍ନୟନ ପରେ ହସ୍ତତନ୍ତ୍ରର ଆଦର କ୍ରମଶଃ କମିବାରେ ଲାଗିଲା ଏବଂ ବ୍ରହ୍ମପୁରର ପାଟ ତନ୍ତ ମଧ୍ୟ ବିପଦର ସମ୍ମୁଖୀନ ହେଲା । ଊନବିଂଶ ଶତାଦ୍ଦୀର ଶେଷ ବେଳକୁ ଖ୍ୟାତି ଲାଭ କରିଥିବା ବ୍ରହ୍ମପୁରୀ ପାଟ ବିଂଶ ଶତାଦ୍ଦୀର ଶେଷ ବେଳକୁ ଲୁପ୍ତ ପ୍ରାୟ କୁଟୀର ଶିଳ୍ପରେ ପରିଣତ ହେଲା । ଏହି ଅବକ୍ଷୟର ଧାରାରେ ବହୁ ବୁଣାକର ପରିବାର କୌଳିକ ବୃତ୍ତି ପରିତ୍ୟାଗ କରିଥିଲେ ଏବଂ ଅନେକେ ବିକଳ୍ପ କର୍ମ ସନ୍ଧାନରେ ଦେଶାନ୍ତର ମଧ୍ୟ ଯାତ୍ରା କରିଥିଲେ । ଏକଦା ଦେବାଙ୍ଗ ସଂପ୍ରଦାୟର କର୍ତ୍ତୃତ୍ୱରେ ଆୟୋଜିତ ଠାକୁରାଣୀ ଯାତ୍ରା ବିଂଶ ଶତାଦ୍ଦୀରେ ଏକ ସାର୍ବଜନୀନ ପର୍ବରେ ରୂପାନ୍ତରିତ ହୋଇ ପଡ଼ିଲା ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଧାର୍ମିକ ଚ଼େତନା ଓ ପାରମ୍ପରିକ ରୀତିନୀତିକୁ ବାଦ ଦେଲେ ଗ୍ରାମାଞ୍ଚଳ ଦର୍ଶକଙ୍କୁ ଏଭଳି ଏକ ମହୋତ୍ସବକୁ ଆକର୍ଷିତ କରିବା ମୁଖ୍ୟ ଉଦ୍ଦେଶ୍ୟ ରୂପେ ଅଭିହିତ କରାଯାଇପାରେ । ପ୍ରଥମ ଅବସ୍ଥାରେ ଦେବାଙ୍ଗ ସଂପ୍ରଦାୟ ନିଜର ପାଟ ବସ୍ତ୍ରର ବିକ୍ରିବଟା ପାଇଁ ଆଡ଼ମ୍ୱରପୂର୍ଣ୍ଣ ଠାକୁରାଣୀ ଯାତ୍ରା ଆୟୋଜନ ଲାଗି ଆଗ୍ରହୀ ଥିବା ବେଳେ  ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁରରେ ମୁଣ୍ଡ ଟେକୁଥିବା କଂସା ପିତ୍ତଳ ବାସନକୁସନ ଏବଂ ସ୍ୱର୍ଣ୍ଣ-ରୌପ୍ୟ ଅଳଙ୍କାର ବ୍ୟବସାୟୀମାନେ ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥା ଯାଏଁ ଯାତ୍ରା ଆୟୋଜନ କ୍ଷେତ୍ରରେ ବିଶେଷ ଆଗ୍ରହ ପ୍ରକାଶ କରୁଥିବା ଜଣାଯାଏ ସ୍ୱାଧୀନୋତ୍ତର ଅବସ୍ଥାରେ ପ୍ରଥମ କିଛି ବର୍ଷ ଆସବାବପତ୍ର ବିକ୍ରିବଟାରେ ବ୍ରହ୍ମପୁର ବଜାର ଗୁରୁତ୍ୱ ବହନ କରୁଥିବା ହେତୁ ସେହି ବ୍ୟବସାୟୀମାନେ ସହଯୋଗ ଜାରୀ ରଖିଥିଲେ । ତେବେ ୧୯୯୨ ମସିହାରେ ଜଗତୀକରଣ ପରବର୍ତ୍ତୀ ଅବସ୍ଥାରେ ଜନସାଧାରଣଙ୍କ ଏହି ଲୋକ ମହୋତ୍ସବରେ ସକ୍ରିୟ ଅଂଶଗ୍ରହଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଜଗତୀକରଣ ସାଥେ ସାଥେଆନ୍ତର୍ଜାତିକସ୍ତରରେ ଧାର୍ମିକ ମନୋଭାବ ପ୍ରସାର ବୃଦ୍ଧି ପାଇଚ଼ାଲିଥିବା ପରିପ୍ରେକ୍ଷୀରେ ବ୍ରହ୍ମପୁର କିମ୍ୱା ଠାକୁରାଣୀ ଯାତ୍ରା ସେଥିରୁ ବା କାହିଁକି ବାଦ ପଡ଼ନ୍ତା?

ବ୍ରହ୍ମପୁର ସହରର ଇତିହାସ ଚର୍ଚ୍ଚା ଉଦ୍ଦେଶ୍ୟରେ ୧୯୯୪ ମସିହାରେ ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି ଶୀର୍ଷକ ୪୦୦ ପୃଷ୍ଠାର ଏକ ପୁସ୍ତକ ପ୍ରକାଶିତ ହୋଇଥିଲା । ସେଥିରେ ମହୁରି ରାଜବଂଶ, ବ୍ରହ୍ମପୁରର ଐତିହାସିକ ପୃଷ୍ଠଭୂମି ଓ ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ପରମ୍ପରା ବିଷୟକ ତିନିଗୋଟି ପ୍ରବନ୍ଧ ସନ୍ନିବେଶିତ କରାଯାଇଥିଲା । ପ୍ରଥମ ଦୁଇଗୋଟି ପ୍ରବନ୍ଧର ଲେଖକ ଇତିହାସ ଅଧ୍ୟାପକ ଓ ତୃତୀୟ ପ୍ରବନ୍ଧର ଲେଖକ ଜଣେ ସାମ୍ୱାଦିକ । ମହୁରି ରାଜବଂଶର ଲେଖକ ଉକ୍ତ ବିଷୟରେ ଗବେଷଣା କରି ୧୯୮୦ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁଡ଼କ୍ଟରେଟ ଲାଭ କରିଥିବା ବେଳେ ବ୍ରହ୍ମପୁରର ଐତିହାସିକ ପୃଷ୍ଠଭୂମିର ଲେଖକ ଦକ୍ଷିଣ ଓଡ଼ିଶାର ଐତିହାସିକ ବିଭବ ସଂପର୍କରେ ଗବେଷଣା କରି ପିଏଚ଼.ଡ଼ି ଓ ଡ଼ି.ଲିଟ ପାଇଥିଲେ । ତୃତୀୟ ପ୍ରାବନ୍ଧିକ ଦୀର୍ଘଦିନ ଧରି ସଂବାଦପତ୍ରରେ ବ୍ରହ୍ମପୁର ସହରର ସାମାଜିକ ଓ ସାଂସ୍କୃତିକ ଧାରା ସଂପର୍କରେ ସ୍ତମ୍ଭ ରଚ଼ନା କରି ଆସୁଥିଲେ । ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି ପୁସ୍ତକ ବର୍ତ୍ତମାନ କ୍ରୟ ନିମନ୍ତେ ଉପଲବ୍ଧ ନଥିବା ବେଳେ ବ୍ରହ୍ମପୁର ନଗର ନିଗମ ପରିଚ଼ାଳିତ ବିଭିନ୍ନ ପଠନାଗାରରେପଢ଼ିବାଲାଗି ମିଳେ । ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଇତିହାସ ଅନୁଶୀଳନ କରିବା ନିମନ୍ତେ ଉଲ୍ଲିଖିତ ତିନିଗୋଟି ପ୍ରବନ୍ଧ ବେଶ ସହାୟକଏହି ପ୍ରବନ୍ଧଗୁଡ଼ିକ ଗଭୀର ଅଧ୍ୟୟନ ଓ ପ୍ରମାଣଯୋଗ୍ୟ ତଥ୍ୟ ଉପରେ ଆଧାରିତ ।

ବ୍ରହ୍ମପୁର ଐତିହାସିକ ପୃଷ୍ଠଭୂମି ପ୍ରବନ୍ଧରେ ପ୍ରାବନ୍ଧିକ (୧) ଡ଼ବ୍ଳ୍ୟୁ. ଡ଼ବ୍ଳ୍ୟୁହଣ୍ଟରଙ୍କଇମ୍ପରିଆଲଗେଜେଟିୟର ଅଫ ଇଣ୍ଡିଆ (ଲଣ୍ଡନ: ୧୮୮୫) ଭାଗ : ପାଞ୍ଚ, ପୃ: ୧୯୯. (୨) ଆର.ବାୟାର୍ଡ଼ (ସବ୍-କଲେକ୍ଟର ଗଞ୍ଜାମ) ଗଞ୍ଜାମ ଡ଼ିଷ୍ଟ୍ରିକ୍ଟରେକର୍ଡ଼ସ: ୧୦ ନଭେମ୍ୱର ୧୮୨୩, ଭାଗ :୩୮୯୭, ପୃ: ୪୧୧. (୩) ଏ.ଭି.ଆପ୍ୱାରାଓଙ୍କହିଷ୍ଟ୍ରୀ ଅଫ ହରିଡ଼ାଖଣ୍ଡି: ମଠ ଏଣ୍ଡ ମହନ୍ତସ (ବ୍ରହ୍ମପୁର :୧୯୩୨) ପୃ: ୧ ଏବଂ ଟି.ଜେ. ମାଲଟବିଙ୍କଗଞ୍ଜାମ ଡ଼ିଷ୍ଟ୍ରିକ୍ଟମାନୁଆଲ (ମାନ୍ଦ୍ରାଜ: ୧୯୩୨) ପୃ:୪୭ କୁ ବିଚ଼ାରକୁ ନେଇ ପ୍ରବନ୍ଧ ଆରମ୍ଭରେ ଲେଖିଥିଲେ :

ବ୍ରହ୍ମପୁର ଅବା ପରବର୍ତ୍ତୀ ସମୟରେ ଇଂରେଜୀ ଭାଷାରେ ଅପଉଚ୍ଚାରିତବେରହମପୁର ସହର ହେଉଛି ସଂସ୍କୃତି ବାଣିଜ୍ୟ ଓ ସରବରାହର ଏକ ପ୍ରଖ୍ୟାତ ପ୍ରାଣକେନ୍ଦ୍ର (୧) ଏହା ମହୁରି ରାଜ୍ୟର ରାଜଧାନୀ ଥିଲା । ମହୁରି (ପେଁକାଳି) ବାଜାର ନାମରେ ଏହି ରାଜ୍ୟ ନାମିତ ହେଲା (୨) ଓଡ଼ିଶାର ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ଅନୁମତିକ୍ରମେ ଜଣେ ସ୍ଥାନୀୟ ମୁଖିଆ ପଞ୍ଚଦଶ ଶତାଦ୍ଦୀରେ ଏହି ରାଜ୍ୟ ସ୍ଥାପନ କରିଥିଲେ । ଗଞ୍ଜାମ ସବ୍-କଲେକ୍ଟର ବାୟାର୍ଡ଼ ସାହେବଙ୍କ ଦ୍ୱାରାନଭେମ୍ୱର ୧୦ ତାରିଖ ୧୮୨୩ ଖ୍ରୀଷ୍ଟାଦ୍ଦରେ ଲିପିବଦ୍ଧ ଗଞ୍ଜାମ ଜିଲ୍ଲା ରେକର୍ଡସ ବିବରଣୀ ଅନୁକ୍ରମେ ମହୁରି ରାଜ୍ୟ ୧୪୬୮ ରୁ ୧୪୯୭ ଖ୍ରୀଷ୍ଟାଦ୍ଦ ମଧ୍ୟରେ ସଂସ୍ଥାପିତ ହେଲା । ପରେ ପରେ ଷଷ୍ଠଦଶ ଶତାଦ୍ଦୀର ପ୍ରାରମ୍ଭରେ ହିଁ ମହୁରି ରାଜବାଟୀର ଚ଼ତୁଃପାର୍ଶ୍ୱରେ ଜନବସତି ପ୍ରତିଷ୍ଠା ଆରମ୍ଭ ହେଲା(୩) ଏଣୁ ରାଜବାଟୀ ପ୍ରତିଷ୍ଠା ସହ ସହରର ନିର୍ମାଣ ପ୍ରକ୍ରିୟା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ପଶ୍ଚିମାଞ୍ଚଳସ୍ଥିତହରିଡ଼ାଖଣ୍ଡିଠାରେ ପ୍ରଥମ ଜନବସତି ସମ୍ଭବତଃ ସ୍ଥାପିତ ହୋଇଥିଲା । ଏକ ହରିଡ଼ା ବୃକ୍ଷ ମୂଳରେ ପ୍ରତିଷ୍ଠିତ କୁଡ଼ିଆକୁକେନ୍ଦ୍ରକରି ଏହି ଜନବସତି ପ୍ରତିଷ୍ଠିତ ହୋଇଥିବା ଯୋଗୁଁ ଏହି ଅଞ୍ଚଳକୁ ହରିଡ଼ାଖଣ୍ଡି ନାମରେ ନାମିତ କରାଗଲା (୩) । ହରିଡ଼ାଖଣ୍ଡି ଓ ମହୁରି ରାଜବାଟୀ ମଧ୍ୟରେ କ୍ରମଶଃ ଘଞ୍ଚ ଜନବସତି ଗଢ଼ି ଉଠିଲା (୪) ।

ମହୁରି ରାଜବଂଶ ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି,ଗଜପତି ପୁରୁଷୋତ୍ତମ ଦେବ ତାଙ୍କର ଦାକ୍ଷିଣାତ୍ୟ ଅଭିଯାନ ବେଳେ ସୋମରାଜା ଓ ଭୀମରାଜା ନାମକ ଦୁଇ ଭାଇଙ୍କୁ ନିଜର ସାଥି-ସର୍ଦ୍ଦାର ରୂପେ ନେଇଥିଲେ । ଦାକ୍ଷିଣାତ୍ୟ ଯୁଦ୍ଧରେ ବିଜୟ ଲାଭ କରି ପ୍ରତ୍ୟାବର୍ତ୍ତନ କଲାବେଳେ ଏମାନଙ୍କ ଉପରେ ପ୍ରୀତ ହୋଇ ପୁରୁଷୋତ୍ତମ ଦେବ ଋଷିକୂଲ୍ୟା ଓ ବାହୁଦା ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳକୁ ବଡ଼ଭାଇସୋମରାଜାଙ୍କୁପ୍ରଦାନ କଲେ । ସୋମରାଜା ଜଣେ ବିଖ୍ୟାତ ମହୁରି ବାଦକ ଥିଲେ । ସେହି ଅନୁସାରେ ଉକ୍ତ ଅଞ୍ଚଳ ମହୁରି ରାଜ୍ୟ ଭାବରେ ଖ୍ୟାତ ହେଲା ।

ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ପରମ୍ପରା ପ୍ରବନ୍ଧରେ ସୂଚ଼ିତ ହୋଇଅଛି, କୁହାଯାଏ ଯେ, ମହୁରି ରାଜା ହରିହର ନରେନ୍ଦ୍ର ଦେବ ଏକଦା ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ ଏବଂ ସେଠାକାର ବୁଣାକରମାନଙ୍କ ଶିଳ୍ପ ଚ଼ାତୁର୍ଯ୍ୟରେ ମୁଗ୍ଧ ହୋଇଥିଲେ । ରାଜାଙ୍କ ସହ ପରିଚ଼ିତ ହେବା ପରେ ରାଜକୃପା ଲାଭ କରି ରାଜମହେନ୍ଦ୍ରୀରୁ କେତେକ ବୁଣାକାର ମହୁରି ରାଜ୍ୟକୁ ଆସି ବ୍ରହ୍ମପୁର ମହୁରି ରାଜବାଟୀ ନିକଟରେ ବସତି ସ୍ଥାପନ କରିଥିଲେ । ବଂଶାନୁକ୍ରମିକ ଭାବେ ସେହିମାନେ ହିଁ ଆଜିକାର ଡ଼େରା ବୁଣାକାର ସଂପ୍ରଦାୟ ରୂପେ ପରିଚ଼ିତ । ଦାକ୍ଷିଣାତ୍ୟରେ ଘଟପୂଜା ପଦ୍ଧତି ଅତୀବ ପୁରାତନ । ବୁଣାକାର ସଂପ୍ରଦାୟଙ୍କ ମହୁରି ରାଜ୍ୟକୁ ଆଗମନ ଓ ବ୍ୟବସାୟ ଆରମ୍ଭ ପରେ ପରେ ସେମାନେ ଦାକ୍ଷିଣାତ୍ୟର ଘଟପୂଜା ପଦ୍ଧତି ଏଠାରେ ପ୍ରଚଳନ କରିଥିଲେ । ପ୍ରାକ୍ ବ୍ରିଟିଶ ଶାସନ ଅବସ୍ଥାରେ ବ୍ରହ୍ମପୁର ପାଟମଠା ବସ୍ତ୍ର ପାଇଁ ବିଖ୍ୟାତ ଥିଲା ଏବଂ ଡ଼େରା ସଂପ୍ରଦାୟ ଆର୍ଥିକ ଦୃଷ୍ଟିକୋଣରୁ ଖୁବ୍ ସ୍ୱଚ୍ଛଳ ଥିଲେ । ବ୍ୟାବସାୟିକ ତଥା ଆର୍ଥିକ ସଫଳତା ଆଡ଼ମ୍ୱରପୂର୍ଣ୍ଣ ଓ ବ୍ୟୟବହୁଳ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ପ୍ରଶସ୍ତ କ୍ଷେତ୍ର ଯୋଗାଉଥିଲା ବୋଲି ବିଶ୍ୱାସ କରାଯାଇପାରେ ।

Monday, April 22, 2019

ଠାକୁରାଣୀ ଯାତ୍ରାବେଳେ ବ୍ରହ୍ମପୁରର ପାଣିପାଗ

ଗ୍ରୀଷ୍ମଋତୁରେ ବ୍ରହ୍ମପୁର ସହରର ତାପମାତ୍ରା ୩୨ ରୁ ୩୮ ଡ଼ିଗ୍ରୀସେଲସିୟସ ଯାଏଁ ରହୁଥିବା ହେତୁ ଠାକୁରାଣୀ ଯାତ୍ରା ଅବସରରେ ଗରମ ପାଗ ଅନୁଭୂତ ହୁଏ । ସଂଭବତଃ ଏହି କାରଣରୁ ଯାତ୍ରାର ସମସ୍ତ ମୁଖ୍ୟ କାର୍ଯ୍ୟକ୍ରମ ସଂଧ୍ୟା ବା ରାତ୍ରୀ ସମୟରେ ସମାହିତ ହୋଇଥାଏ । ଯାତ୍ରା ଆୟୋଜନ ପାଇଁ ସଭା ରାତିର ପ୍ରଥମ ପ୍ରହରରେ ଅନୁଷ୍ଠିତ ହୋଇ ଶୁଭଖୁଣ୍ଟ ଶୋଭାଯାତ୍ରା ତଥା ଶୁଭଖୁଣ୍ଟ ସ୍ଥାପନ ଗଭୀର ରାତ୍ରୀ ସୁଦ୍ଧା ସରିଥାଏ । ଯାତ୍ରା ଆରମ୍ଭ ପାଇଁ ମଧ୍ୟରାତ୍ରୀ ପରେ ଦେଶୀ ବେହେରା ସାହୀରୁ ଶୋଭାଯାତ୍ରା ବଡ଼ ଠାକୁରାଣୀ ମନ୍ଦିର ଯାଇ ଗଭୀର ରାତ୍ରୀରେ ଅସ୍ଥାୟୀ ମଣ୍ଡପରେ ପହଞ୍ଚେ । ପ୍ରତ୍ୟେହ ରାତି ୮ ଘଣ୍ଟାରୁ ୧୧ ଘଣ୍ଟା ମଧ୍ୟରେ ଠାକୁରାଣୀଙ୍କ ଘଟ ସାହୀ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ସେହିପରି ଯାତ୍ରା ଶେଷ ଦିନ ଘଟ ଶୋଭାଯାତ୍ରା ମଧ୍ୟରାତ୍ରୀରୁ ଆରମ୍ଭ ହୋଇ ପାହନ୍ତା ପ୍ରହରରେ ବଡ଼ ଠାକୁରାଣୀ ମନ୍ଦିରରେ ସମାପ୍ତ ହୋଇଥାଏ । ଅଧିକାଂଶ ମାନସିକ କରିଥିବା ବେଶଧାରୀମାନେ ଅପରାହ୍ନରେ ବେଶଭୂଷାରେ ଚ଼ିତ୍ରିତ ହୋଇ ସନ୍ଧ୍ୟା ସୁଦ୍ଧା ଠାକୁରାଣୀଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ ସାରି ନଗର ଭ୍ରମଣ କରିଥାନ୍ତି । ରଥ ଓ କଳାକୁଞ୍ଜଗୁଡ଼ିକ ସନ୍ଧ୍ୟା ପରେ ରଂଗବେରଙ୍ଗ ଆଲୋକରେ ସଜ୍ଜିତ ହୋଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।

ଅସ୍ଥାୟୀ ମଣ୍ଡପରେ ଠାକୁରାଣୀଙ୍କ ପୂଜା ଅର୍ଚ୍ଚନା ଦିନସାରା ଲାଗି ରହୁଥିବା ତଥା ଦର୍ଶନଲାଗି ଭକ୍ତଙ୍କ ଯାତାୟାତକୁ ଲକ୍ଷ୍ୟ ରଖି ଦେଶୀ ବେହେରାଙ୍କ ବାସଭବନ ସମ୍ମୁଖରେ ସ୍ଥାପିତ ଅସ୍ଥାୟୀ ମଣ୍ଡପଠାରୁ ନଡ଼ିଆଗୋର୍ଜି ଏବଂ ନଡ଼ିଆଗୋର୍ଜିରୁଦେଶୀବେହେରାସାହୀ ତ୍ରିନାଥ ମଣ୍ଡପ ଯାଏଁ ଦୁଇଗୋଟି ସୁଉଚ୍ଚଛାମୁଣ୍ଡିଆ ନିର୍ମିତ ହୋଇଥାଏ । ଏହାର ନିର୍ମାଣ ଲାଗି ବାଉଁଶ ଓ ଶୁଖୁଲାନଡ଼ିଆ ବାହୁଙ୍ଗା ବ୍ୟବହୃତ ହୁଏ । ବିଦ୍ୟୁତ ପଙ୍ଖା ଓ ରାତିରେ ଆଲୋକର ସୁବିଧା କରାଯାଇଥାଏ । ଏହା ଦିନବେଳା ଯାତ୍ରୀମାନଙ୍କୁ ଛାୟା ପ୍ରଦାନ ସାଙ୍ଗକୁ ଯାତ୍ରା ଆୟୋଜନର ଆନୁସାଙ୍ଗିକକାର୍ଯ୍ୟଲାଗି ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ନଡ଼ିଆଗୋର୍ଜି ଓ ଗୁଡ଼ଗୋର୍ଜିରେ ମଧ୍ୟ ଚାନ୍ଦୁଆ ଟାଣି ଛାମୁଣ୍ଡିଆର ବ୍ୟବସ୍ଥା ହୋଇଥାଏ ମୋଟ ଉପରେ କହିବାକୁ ଗଲେ ଠାକୁରାଣୀ ଯାତ୍ରାର କେନ୍ଦ୍ରସ୍ଥଳଟି ଯାତ୍ରା ଅବସରରେ ରୌଦ୍ରତାପରୁନିସ୍ତାରଲାଗିସାମର୍ଥ୍ୟମତେ ପ୍ରଚେଷ୍ଟା କରାଯାଇଥାଏ ।

ଠାକୁରାଣୀ ଯାତ୍ରା ଅବସରରେ ବ୍ରହ୍ମପୁରର ଉପକୂଳବର୍ତ୍ତୀ ପାଣିପାଗ ହେତୁ ବେଳେବେଳେ ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହୋଇଥାଏ । ଅତ୍ୟଧିକ ଗରମ ଓ ବାୟୁମଣ୍ଡଳରେ ଆଦ୍ରତା ହେତୁ ଗ୍ରୀଷ୍ମଋତୁରେ ଏଠାରେ କାଳବୈଶାଖୀ ଦେଖିବାକୁ ମିଳେ । ପବନ ବହିବା ସହ କୁଆପଥର ବର୍ଷା ମଧ୍ୟ ହୁଏ । ଅବଶ୍ୟ ଗ୍ରୀଷ୍ମଋତୁରେ ସମଗ୍ର ଉପକୂଳବର୍ତ୍ତୀ ଓଡ଼ିଶାରେ ଏଭଳି ପାଣିପାଗ ଅନୁଭୂତ ହୋଇଥାଏ । ଅପରାହ୍ନ ୩ ଘଣ୍ଟା ୪ ଘଣ୍ଟା ବେଳକୁ ବର୍ଷା ଆରମ୍ଭ ହୋଇ ଘଣ୍ଟାଏ ଦେଢ଼ଘଣ୍ଟା ପରେ ଛାଡ଼ିଯିବା ଫଳରେ ବାୟୁମଣ୍ଡଳ ଆଦ୍ର ହୋଇଯାଏ ଏବଂ ସନ୍ଧ୍ୟାରେ ଘଟ ପରିକ୍ରମାରେ ଅଂଶ ଗ୍ରହଣ କରିବା ପାଇଁ ଯାତ୍ରୀମାନଙ୍କ ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ ।

ପାଣିପାଗ ବିଶାରଦମାନଙ୍କ ମତରେ ପ୍ରାକ୍-ମୌସୁମୀକାଳୀନ ଏପ୍ରିଲ ଓ ମେ ମାସରେ ବ୍ରହ୍ମପୁର-ଗୋପାଳପୁର ବଳୟରେ ବଳଶାଳୀ ସାମୁଦ୍ରିକ ବାୟୁ ପ୍ରବାହ ଅନୁଭୂତ ହୁଏ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ଉତ୍ତପ୍ତ ପରିବେଶ ଉର୍ଦ୍ଧ୍ୱଗାମୀ ଉଷ୍ଣ ଜଳୀୟବାଷ୍ପ ନିକଟସ୍ଥ କେରାଣ୍ଡିମାଳ ପର୍ବତମାଳାରେ ମେଘ ସୃଷ୍ଟି କରିଥାଏ । ଏହି ମେଘର ରଙ୍ଗ କଳା ଏବଂ ପଶ୍ଚିମ ପଟୁ ଆସି ଅଳ୍ପ ସମୟ ମଧ୍ୟରେ ସହରର ଆକାଶକୁ ଆଚ୍ଛାଦିତ କରିଦିଏ । ସମୟେ ସମୟେ ବଜ୍ର ନିର୍ଘୋଷ ସହ ବର୍ଷା ହୁଏ ଏବଂ ଏଭଳି ବର୍ଷା ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ବଳବତ୍ତର ରହେ । ଅନେକ ସମୟରେ ମେଘ ଓ ବର୍ଷା ନିର୍ଦ୍ଧିଷ୍ଟ ସମୟରେ ଆସିଥାଏ ଏବଂ ବ୍ରହ୍ମପୁରରେ ବର୍ଷା ହେବାବେଳେ ଅପେକ୍ଷାକୃତ ସମୁଦ୍ରତଟବର୍ତ୍ତୀଭଞ୍ଜବିହାର ଓ ଗୋପାଳପୁରଠାରେ ବର୍ଷାର ଚ଼ିହ୍ନବର୍ଣ୍ଣ ନଥାଏ । ଡ଼ୁରା-ପଥରା ଗ୍ରାମାଞ୍ଚଳ ନିକଟରେ ସାମୁଦ୍ରିକ ପ୍ରଭାବର ସୀମା ଅନୁଭୂତ ହେଉଥିବା ହେତୁ ଗର୍ଜନଶୀଳ ମେଘର ସଂପ୍ରସାରଣ ବାଧାପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ । ଅତୀତରେ ଏ ରକମର ପାଣିପାଗ ବ୍ରହ୍ମପୁରରେ ବାରମ୍ୱାର ଅନୁଭୂତ ହେଉଥିବା ବେଳେ ଆଜିକାଲି ଅପେକ୍ଷାକୃତ କମ ଦିବସରେ ଦେଖିବାକୁ ମିଳୁଛି । ସମକାଳୀନ ଜଳବାୟୁ ପରିବର୍ତ୍ତନର ଏକ ଉଦାହରଣଭାବେ ଏହାକୁ ଗ୍ରହଣ କରାଯାଇପାରେ ।

ଉପକୂଳବର୍ତ୍ତୀ ବ୍ରହ୍ମପୁର ଲାଗି ସାମୁଦ୍ରିକ ଲଘୁଚ଼ାପଜନିତଝଡ଼ବତାସରୁ ନିସ୍ତାର ନାହିଁ । ଠାକୁରାଣୀ ଯାତ୍ରା ବେଳେ ଦୈବାତଝଡ଼ବତାସର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ । କିମ୍ୱଦନ୍ତୀ ପ୍ରକାରେ ଅତୀତରେ ଥରେ ଘଟ ପରିକ୍ରମାବେଳେ ପ୍ରବଳ ଝଡ଼ବତାସ ହେତୁ ଠାକୁରାଣୀଙ୍କ ଘଟ ଜଉରାସାହୀସ୍ଥିତ କୁବେର ସେନାପତିଙ୍କ ବାସଗୃହରେ କିଛି ସମୟପାଇଁ ଅଟକି ଥିଲା । ସେହିଦିନୁ କୁବେର ସେନାପତିଙ୍କ ବାସଗୃହକୁ ମାଉସୀ ଘର ନାମିତ କରାଯାଇଛି । ଯାତ୍ରା ଅବସରରେ ଘଟ ପରିକ୍ରମା କାର୍ଯ୍ୟସୂଚ଼ୀରେ ଦୁଇଥର ମାଉସୀ ଘରକୁ ଯିବା ପରମ୍ପରା ରହିଛି । ଯାତ୍ରା ଶେଷଦିନ ମନ୍ଦିର ପ୍ରତ୍ୟାବର୍ତ୍ତନ ସମୟରେ ମଧ୍ୟ ମାଉସୀଙ୍କ ଘରଠାରେ ଘଟ ଅଟକି ଥାଏ । ଅନ୍ୟ କିମ୍ୱଦନ୍ତୀରେ ଶତ୍ରୁ ଆକ୍ରମଣରୁ ରକ୍ଷା ପାଇଁ ଘଟ ମାଉସୀଙ୍କ ଘରେ କିଛି ସମୟ ରହିଥିବା ଚର୍ଚ୍ଚିତ ହେଉଥିଲେ ହେଁ ପାଣିପାଗଜନିତ ଘଟଣାଟି ଅପେକ୍ଷାକୃତ ବାସ୍ତବ ମନେ ହୁଏ ।

Sunday, April 21, 2019

ଠାକୁରାଣୀ ଯାତ୍ରାରେ ସର୍ଜନଶୀଳତା

ବ୍ରହ୍ମପୁର ଠାକୁରାଣୀ ଯାତ୍ରା କାର୍ଣ୍ଣିଭଲସ୍ତରୀୟ ଲୋକ ମହୋତ୍ସବ ପର୍ଯ୍ୟାୟଭୁକ୍ତ ହେଉଥିବା ବେଳେ ପାରମ୍ପରିକ ପୂଜାବିଧିକୁ ବାଦ ଦେଲେ ଅନ୍ୟ ସମସ୍ତ ଆୟୋଜନରେ ସର୍ଜନଶୀଳତା ନିମନ୍ତେ ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ଥିବା ଦେଖିବାକୁ ମିଳିଥାଏ । ଏହି ଉତ୍ସବରେ ଶୋଭାଯାତ୍ରା, ବେଶ ଧାରଣ, ରଥ ଓ କଳାକୁଞ୍ଜ ପ୍ରଯୋଜନା ଏବଂ ଯାତ୍ରୀ ଅଭ୍ୟର୍ଥନାକୁ ଚ଼ାରିଗୋଟି ମୁଖ୍ୟ ଉପାଦାନ ରୂପେ ଗ୍ରହଣ କରାଯାଇପାରେ । ପ୍ରଥମତଃ ଶୋଭାଯାତ୍ରା ଆୟୋଜନ ଯାତ୍ରାର ମୁଖ୍ୟ ଆକର୍ଷଣ । ଯାତ୍ରା ତିଥି ନିର୍ଦ୍ଧାରଣ ପରେ ଶୁଭଖୁଣ୍ଟ ନେଇ ଦେଶୀବେହେରାସାହୀରୁବଡ଼ ଠାକୁରାଣୀ ମନ୍ଦିର ଯାତ୍ରା ଓ ଫେରନ୍ତା ଯାତ୍ରା, ଠାକୁରାଣୀଙ୍କୁ ନିମନ୍ତ୍ରଣ ଓ ଠାକୁରାଣୀଙ୍କ ଆଗମନ, ପ୍ରତ୍ୟେହ ସନ୍ଧ୍ୟାରେ ଘଟ ପରିକ୍ରମା ଏବଂ ଶେଷ ଦିବସରେ ଘଟ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ମୁଖ୍ୟତଃ ଶୋଭାଯାତ୍ରାରେ ପର୍ଯ୍ୟବସିତ । ଏହାକୁ ସୁଦୃଶ୍ୟ କରିବା ନିମନ୍ତେ ସର୍ଜନଶୀଳତାର ଆଶ୍ରୟ ନିଆ ଯାଇଥାଏ । ଶୋଭାଯାତ୍ରାରେ ବହୁ ଲୋକଙ୍କ ଅଂଶ ଗ୍ରହଣ, ନେତୃ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି, ସମସ୍ତଙ୍କ ଉତ୍ତମ ପୋଷାକ ପରିଧାନ, ବାଜାବାଜଣା, ଲୋକନୃତ୍ୟ ଏବଂ ଶେଷ ଦିନ ବେଶଧାରୀଙ୍କ କୋଳାହଳମୟ ପରିବେଶ ବ୍ୟକ୍ତିଗତ, ପାରିବାରିକ ତଥା, ସାମୂହିକସ୍ତରରେସର୍ଜନଶୀଳତା ଲାଗି କ୍ଷେତ୍ର ଉନ୍ମୁକ୍ତ ରଖିଥାଏ ।

ଦକ୍ଷିଣ ଆମେରିକା ଓ ଆଫ୍ରିକୀୟ ଦେଶଗୁଡ଼ିକରେକାର୍ଣ୍ଣିଭଲ ପାଳନ ଅବସରରେ ପଶୁପକ୍ଷୀ ତଥା ବିଭିନ୍ନ ଚ଼ରିତ୍ର ବେଶ ଧାରଣ କରିବା ଆନ୍ତର୍ଜାତିକ କ୍ଷେତ୍ରରେ ବେଶ୍ ଆଲୋଚ଼ିତ । ଆମେ ଦେଶର ବିଭିନ୍ନ ପ୍ରାନ୍ତର ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ଅନୁରୂପ ଉଦାହରଣ ଦେଖିବାକୁ ମିଳିଥାଏ । ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବେଶ ଧାରଣରେ ସର୍ଜନଶୀଳତାରପଟ୍ଟାନ୍ତର ନାହିଁ । ପଶୁପକ୍ଷୀ, ପୌରାଣିକ ଓ ଲୋକ ଚରିତ୍ର ଅନୁକରଣରେ ବେଶଧାରଣ ବିବିଧତା ପରିସ୍ପୁଟନରେ ସହାୟକ ହୋଇଥାଏ । ଅତୀତରେ ଏକ ବ୍ୟାୟମଶାଳାର ସଦସ୍ୟମାନେ ଏକ ଛୋଟ ସର୍କସ ଦଳ ବେଶ ବାହାର କରୁଥିଲେ, ଲୋକପ୍ରିୟ ହିନ୍ଦୀ, ଚଳଚ଼ିତ୍ରଚନ୍ଦ୍ରଲେଖାର ନୃତ୍ୟଗୀତି ଅନୁକରଣରେ ଏକ ବେଶ ସଂଯୋଜନା କରାଯାଉଥିଲା । ଯାତ୍ରା ଶେଷ ଦିନ ଘଟ ଶୋଭାଯାତ୍ରାରେ ଶବ ବାହକ ବେଶ ପ୍ରତିବର୍ଷ ଦେଖିବାକୁ ମିଳେ । ବେଶ ଧାରଣରେ କୌଣସି ବାରଣ ନାହିଁ । ଏହି କ୍ଷେତ୍ରରେ ସର୍ଜନଶୀଳତା ବା ବେଶ ଧାରଣ ବ୍ୟକ୍ତି ବିଶେଷଙ୍କ କଳ୍ପନା ପ୍ରବଣତାକୁ ଦର୍ଶକଙ୍କ ପ୍ରଶଂସା ମିଳିଥାଏ ।

ରଥ ଓ କଳାକୁଞ୍ଜ ନିର୍ମାଣରେ ସର୍ଜନଶୀଳତା ଭିତ୍ତିଭୂମି ରୂପେ କାର୍ଯ୍ୟ କରିଥାଏ । ରଥ କ୍ଷେତ୍ରରେ ପ୍ରାରମ୍ଭିକଭାବେ ରଥ ନିର୍ମିତ ହେବା ପରେ ରଥରେ ବ୍ୟବହୃତ ସାମଗ୍ରୀକୁ ଯତ୍ନର ସହକାରେ ରଖାଯାଇ ପ୍ରତିବର୍ଷ ପୁଣି ବ୍ୟବହାର କରାଯାଉଥିବା ବେଳେ କଳାକୁଞ୍ଜ କ୍ଷେତ୍ରରେ ପ୍ରତିବର୍ଷ ନୂଆ ନୂଆ ଦୃଶ୍ୟ ସଂଯୋଜନା କରାଯାଇଥାଏ । ରଥ ସାଜସଜ୍ଜାରେ ସର୍ଜନଶୀଳତାର ପରିପ୍ରକାଶ ଘଟୁଥିବାବେଳେ କଳାକୁଞ୍ଜ ନିର୍ମାଣରେ ଅପେକ୍ଷାକୃତଭାବେ ଅଧିକ କଳ୍ପନା ପ୍ରକାଶର ସୁଯୋଗ ମିଳିଥାଏ । ଏତଦ୍ବ୍ୟତୀତ ରଥ ଓ କଳାକୁଞ୍ଜର ପରିବେଶ ଓ ଆଖପାଖ ଅଞ୍ଚଳ ସାଜସଜ୍ଜାରେ ମଧ୍ୟ କଳାତ୍ମକ ରୁଚ଼ିପରିସ୍ପୁଟିତ ହୋଇଥାଏ ।

ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ସ୍ୱେଚ୍ଛାସେବୀମାନେ ଯାତ୍ରୀ ଅଭ୍ୟର୍ଥନାର ଦାୟିତ୍ୱ ସ୍ୱତଃପ୍ରବୃତ୍ତଭାବେ ନିର୍ବାହ କରିଥାନ୍ତି । ଘଟ ପରିକ୍ରମା କାଳରେ ଶାନ୍ତିଶୃଙ୍ଖଳା ରକ୍ଷାଠାରୁ ଆରମ୍ଭ କରି ଯାତ୍ରୀଙ୍କୁ ଜଳଯୋଗ ଯୋଗାଇ ଦେବା ଯାଏଁ ବିଭିନ୍ନ କାର୍ଯ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ସମାହିତ ହୋଇଥାଏ । ଏକବିଂଶ ଶତାଦ୍ଦୀର ପ୍ରଥମ ଦଶକ ଉତ୍ତରାର୍ଦ୍ଧରୁ ଯାତ୍ରାର ଶେଷ ତିନିଦିନ ବିଭିନ୍ନ ବ୍ୟକ୍ତିବିଶେଷେ, ପରିବାର କିମ୍ୱା ଅନୁଷ୍ଠାନ ପକ୍ଷରୁ ଯାତ୍ରୀମାନଙ୍କ ନିମନ୍ତେ ଜଳଯୋଗର ବ୍ୟବସ୍ଥା ସର୍ଜନଶୀଳତାର ଅନ୍ୟତମ ପରିପ୍ରକାଶ । ଅତୀତରେ ସହର ବାହାରୁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ କନ୍ୟାକାପରମେଶ୍ୱରୀ ମନ୍ଦିରଠାରେ ରିହାତି ଦରରେ ମଧ୍ୟାହ୍ନ ଭୋଜନର ସୁବିଧା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସନ୍ଧ୍ୟା ୫ ରୁ ୧୧ ଯାଏଁ ବିଭିନ୍ନ ସାହୀରେ ବିଭିନ୍ନ ରକମର ମାଗଣା ଜଳଯୋଗ ବିତରଣ କରାଯାଉଛି ।

ଲୋକ ଉତ୍ସବଗୁଡ଼ିକରେ ସ୍ଥାନୀୟ ଅଧିବାସୀଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ରହୁଥିବା ହେତୁ ବିଭିନ୍ନ କଳ୍ପନା ପ୍ରସୂତ ଧାରା ସନ୍ନିବେଶିତ ହେବା ସ୍ୱାଭାବିକ । ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସେହି କାରଣରୁ ଏକ ଚ଼ିତ୍ତାକର୍ଷକ ମହୋତ୍ସବ ରୂପେ ଗଢ଼ି ଉଠିଛି ।

Friday, April 19, 2019

କୃତଜ୍ଞତା ଜ୍ଞାପନର ପର୍ବ ଠାକୁରାଣୀ ଯାତ୍ରା

ହିନ୍ଦୁ ଧର୍ମାବଲମ୍ୱୀମାନେ ଦେବଦେବୀଙ୍କଠାରେ କୃତଜ୍ଞତା ଜ୍ଞାପନ ପାଇଁ ବିଭିନ୍ନ ତୀର୍ଥ ଭ୍ରମଣ ତଥା ଧାର୍ମିକ ଉତ୍ସବରେ ଅଂଶ ଗ୍ରହଣ କରିଥାନ୍ତି । ସାଧାରଣ ଜୀବନଯାତ୍ରାରେ ଝଡ଼ଝଞ୍ଜାର ସମ୍ମୁଖୀନ ହେବାବେଳେ ଅନେକେ ଦେବଦେବୀଙ୍କ କୃପା ଲାଭଲାଗି ପ୍ରାର୍ଥନା କରି ଶରଣାପନ୍ନ ହୋଇଥାନ୍ତି । ସମୟାନ୍ତେ ସ୍ଥିତାବସ୍ଥାକୁ ଫେରିବା ପରେ ବିଭିନ୍ନ ଧାର୍ମିକ ପର୍ବପର୍ବାଣୀରେ ଅଂଶ ଗ୍ରହଣ କରି କୃତଜ୍ଞତା ଜ୍ଞାପନ ମଧ୍ୟ କରିଥାନ୍ତି । ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକ ମହୋତ୍ସବ ଭାବେ ଗଢ଼ିଉଠିଥିବାସ୍ଥଳେ ମୁଖ୍ୟତଃ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ ତଥା ମାନସିକ ବେଶ ଧାରଣକୁ ବିଚ଼ାରକୁ ନେଲେ ଏହାକୁ ଏକ କୃତଜ୍ଞତା ଜ୍ଞାପନର ପର୍ବ ରୂପେ ବିବେଚ଼ନା କରାଯାଇପାରେ ।

ଠାକୁରାଣୀ ଯାତ୍ରାରେ ବେଶ ଧାରଣ ପାଇଁ ଜଣେ ନିଜେ ମାନସିକ କରିପାରେ କିମ୍ୱା ଅନ୍ୟ ଜଣକ ପାଇଁ ମଧ୍ୟ ମାନସିକ କରାଯାଇ ପାରେ । ବୟସ୍କ ପୁରୁଷମାନେ ନିଜେ ମାନସିକ କରୁଥିବା ବେଳେ କମ ବୟସର ବାଳକମାନଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା ବା ପରିବାରର ଗୁରୁଜନମାନେ ମାନସିକ କରିଥାନ୍ତି । ପାରମ୍ପରିକଭାବେ ଗଞ୍ଜାମ ଜିଲ୍ଲାରେ ଶକ୍ତିପୂଜା ବହୁଳଭାବେ ପ୍ରଚଳିତ ଏବଂ ବ୍ରହ୍ମପୁରରେ ବଡ଼ ଠାକୁରାଣୀ ଅଧିଷ୍ଠାତ୍ରୀ ଦେବୀରୂପେ ପୂଜିତ । ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ଦୁଇଶହରୁ ଅଧିକ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ହେତୁ ଏହି ଭଳି ଏକ ଧାର୍ମିକ ମହୋତ୍ସବରେ ବେଶ ଧାରଣଲାଗି ମାନସିକ କରିବା ଧାରା ଲୋକଆଦୃତ ହୋଇପାରିଛି । ବେଶଧାରଣ କେବଳ ପୁରୁଷମାନଙ୍କ କ୍ଷେତ୍ରରେ ବାଳକଙ୍କଠାରୁ ଯୁବକଙ୍କ ମଧ୍ୟରେ ସୀମିତ ଥିବାବେଳେ ମହିଳାମାନେ ଘଟଧାରଣ ଲାଗି ମାନସିକ କରିଥାନ୍ତି । ପୁରୁଣା ବ୍ରହ୍ମପୁରର ଅନେକ ପରିବାରରେ ଏହା ଏକ ପରମ୍ପରା ରୂପେ ପ୍ରବର୍ତ୍ତିତ ହୋଇଆସିଛି ।

ଠାକୁରାଣୀ ଯାତ୍ରା ଆୟୋଜନରେ ବିଭିନ୍ନ ନୀତି ରୂପାୟନ ଲାଗି କେତେକ ନିର୍ଦ୍ଦିଷ୍ଟ ପରିବାର ପୁରୁଷାନୁକ୍ରମିକ ଭାବେ ସେବା ଯୋଗାଇ ଆସୁଥିବା ଲକ୍ଷ୍ୟ କରାଯାଇପାରେ । ଯାତ୍ରା ଆୟୋଜନ ନିମନ୍ତେ ନିଷ୍ପତ୍ତି ଗ୍ରହଣ ପରେ ଶୁଭଖୁଣ୍ଟ ସ୍ଥାପନଠାରୁ ଆରମ୍ଭ କରି, ଅସ୍ଥାୟୀ ମଣ୍ଡପ ନିର୍ମାଣ, ଗୋବର ଲେପନ ଓ ଝୋଟି ଦିଆ, ଘଟ ନିର୍ମାଣ, ଘଟ ଚ଼ିତ୍ରଣ, ଫୁଲ ସଂଗ୍ରହ, ବାଉଁଶ ଚ଼ାଙ୍ଗୁଡ଼ି ପ୍ରଦାନ, ଛାମୁଣ୍ଡିଆ ନିର୍ମାଣ, ଘଟ ପରିକ୍ରମାରେ ସୁରକ୍ଷା ଏବଂ ପୂଜା ପଦ୍ଧତି ପରିଚ଼ାଳନା ଲାଗି ବଂଶାନୁକ୍ରମିକଭାବେ କାର୍ଯ୍ୟ କରି ଆସୁଛନ୍ତି ।

ଦ୍ୱି-ବାର୍ଷିକ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ଦେଶୀବେହେରା ନିଜ କୁଳର ସେନାପତି ଓ ସର୍ବସାଧାରଣଙ୍କ ସମ୍ମତ୍ତି ହାସଲ କରିବା ପରେ ବଡ଼ ଠାକୁରାଣୀଙ୍କଠାରୁ ଆଜ୍ଞା ପାଇ ଶୁଭଖୁଣ୍ଟ ସ୍ଥାପନ ମାଧ୍ୟମରେ ଯାତ୍ରା ତିଥି ଘୋଷଣା କରିଥାନ୍ତି । ଶୁଭଖୁଣ୍ଟ ପ୍ରସ୍ତୁତି ନିମନ୍ତେ ବାଉଁଶ ଆଗାସାହୀସ୍ଥିତ ପୃଷ୍ଟି ବଂଶ ପୁରୁଣା ବ୍ରହ୍ମପୁର ବାଉରି ସାହୀରୁ କାଟି ଆଣିଥାନ୍ତି । ଏହି ବାଉଁଶର ଲମ୍ୱା ନଅ ଫୁଟ ଏବଂ ଏଥିରେ ନଅ ଗୋଟି ଗଣ୍ଠି ଥାଏ । ପୃଷ୍ଟି ପରିବାରଙ୍କ କୌଳିକ ବୃତ୍ତି ତୁଳାଭିଣା । ସେ ବାଉଁଶ ନିଜ ଘରେ ଇଷ୍ଟଦେବୀଙ୍କଠାରେ ପୂଜା କରି ଗେରୁ ଲିପି ଚନ୍ଦନ, ସିନ୍ଦୁର ଲଗାଇ ଦେଶୀବେହେରାଙ୍କ ଘର ସାମ୍ନାରେ ଆୟୋଜିତ ସଭାସ୍ଥଳକୁ ଆଣିଥାନ୍ତି । ଏହି ଶୁଭଖୁଣ୍ଟ ଶୋଭାଯାତ୍ରାରେ ବଡ଼ ଠାକୁରାଣୀ ମନ୍ଦିରକୁ ନିଆଯାଇ ଆଜ୍ଞାମାଳ ସହ ଫେରିବା ପରେ ଅସ୍ଥାୟୀ ମଣ୍ଡପ ନିର୍ମାଣସ୍ଥଳରେ ସ୍ଥାପନ କରାଯାଇଥାଏ ।

ଅସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ ପାଇଁ ଜଣେ କୌଳିକ ମହାରଣା ସ୍ୱତଃପ୍ରବୃତ୍ତଭାବେ ସେବା ଯୋଗାଇଥିବା ବେଳେ ପାରମ୍ପରିକଭାବେଶଙ୍କରପୁରସାହୀର ବାଉରି ସଂପ୍ରଦାୟର ଅବିବାହିତ କନ୍ୟା ଓ ମହିଳାମାନେ ଅସ୍ଥାୟୀ ମଣ୍ଡପରେ ଗୋବର ଲିପା ଓ ଝୋଟି ଦିଆ କାର୍ଯ୍ୟ ସମାପନ କରିଥାନ୍ତି । ଅସ୍ଥାୟୀ ମଣ୍ଡପ କଞ୍ଚା ବାଉଁଶ ଓ ନଡ଼ାରେ ନିର୍ମିତ ହେବା ବେଳେ ଝୋଟି ପାଇଁ ଧଳା ଖଡ଼ି ପାଣିରେ ଘୋରି ପିଠଉ ତିଆରି କରାଯିବା ନୀତି ରହିଛି । ଠାକୁରାଣୀଙ୍କୁ ନିମନ୍ତ୍ରଣ କରିବାପାଇଁ ଫୁଲସୁନ୍ଦରୀସାହୀରୁ ଫୁଲ ଚ଼ାଙ୍ଗୁଡ଼ି ଅଣାଯାଉଥିବା ବେଳେ ଷଣ୍ଢ ମହାନ୍ତି ସାହୀରେ ବସବାସ କରୁଥିବା ଅନ୍ୟଏକ ରାଉଳ ପରିବାର ଇଟାମଲ୍ଲୀ ଫୁଲ ହାର ଯୋଗାଇଥାନ୍ତି ।

ବଡ଼ ବଜାରରେ ଆୟୋଜିତ ଠାକୁରାଣୀ ଯାତ୍ରା ପାଇଁ ଅନ୍ୟୂନ ସାତ କିଲୋମିଟର ଦୂରବର୍ତ୍ତୀ ଲାଞ୍ଜିପଲ୍ଲୀର କୁମ୍ଭାରମାନେ ଘଟ ନିର୍ମାଣ କରି ଆସୁଛନ୍ତି । ଶୁଭ ତିଥି ଚ଼ୟନ କରି କୁମ୍ଭକାରମାନେ ଘଟ ତିଆରି କାମ ଆରମ୍ଭ କରିଥାନ୍ତି । ମଧ୍ୟରାତ୍ରୀରେ କୁମ୍ଭାର ପରିବାରର ଜଣେ ପୁରୁଷ ସଦସ୍ୟ ମୃତ୍ତିକା ପୂଜା କରି ଏକ ନିର୍ଦ୍ଦିଷ୍ଟସ୍ଥାନରୁ କାଠରେ ତାଡ଼ି ମାଟି ସଂଗ୍ରହ କରିଥାନ୍ତି । ମାଟି ହାଣ୍ଡି ନିର୍ମାଣ ପରେ ତାହାକୁ ଯେଉଁ ସ୍ଥାନରେ ପୋଡ଼ା ଯାଇଥାଏ ତାହାକୁ ପୋତି ଦିଆଯାଏ । ଅପର ପକ୍ଷେ ଯାତ୍ରାର ଶେଷ ଦିବସରେ ସାଧାରଣ ମହିଳାମାନେ ମଣ୍ଡନ କରୁଥିବା ଘଟ ଲାଠୀ ଓ ଚ଼ିକରଡ଼ା ଗ୍ରାମର କୁମ୍ଭକାରମାନଙ୍କ ଦ୍ୱାରା ନିର୍ମିତ ହୋଇଥାଏ ।ଲାଞ୍ଜିପଲ୍ଲୀର କୁମ୍ଭକାରମାନେ ଦେଶୀବେହେରାଙ୍କ ଘରେ ଘଟ ଯୋଗାଇ ଦେବା ପରେ ମୁଖ୍ୟ ଘଟ ସହ ଆଠଗୋଟି ପାର୍ଶ୍ୱଘଟକୁ ଆଇନାବନ୍ଧସାହୀର ଏକ ପରିବାରର ମହିଳାମାନେ ତାହାକୁ ଚ଼ିତ୍ରିତ କରିଥାନ୍ତି ଘଟରେ ବ୍ୟବହୃତ ଟାହିଆ ଶଙ୍କରପୁରସାହୀର ମେଦିରିମାନଙ୍କଦ୍ୱାରା ପ୍ରସ୍ତୁତ ହୋଇଥାଏ । ସେହିପରି ଠାକୁରାଣୀଙ୍କୁ ନିମନ୍ତ୍ରଣ ଶୋଭାଯାତ୍ରାରେ ପାଣ୍ଡବ ନଗରର ବାଦ୍ୟକାର ଓ ଷଣ୍ଢ ମହାନ୍ତି ସାହୀର ବୀରକାହାଳି ବାଦକ ସାମିଲ ହୋଇ ଆସୁଛନ୍ତି । ଘଟ ପରିକ୍ରମା, କାଳରେ ମୁଖ୍ୟଘଟପାର୍ଶ୍ୱରେ ଦଳେଇ ବଂଶଜ ସୁରକ୍ଷା ପ୍ରଦାନର ପରମ୍ପରା ରହିଛି । ସେମାନେ ପ୍ରସାଦ ବିତରଣ ଓ ଅସ୍ଥାୟୀ ମଣ୍ଡପରେ ପରିଚ୍ଛନ୍ନତା ଇତ୍ୟାଦି କାର୍ଯ୍ୟ ମଧ୍ୟ ତତ୍ତ୍ୱାବଧାନ କରିଥାନ୍ତି । ଯାତ୍ରା ପାଇଁ ଛାମୁଣ୍ଡିଆ ନିର୍ମାଣ କାମର ଦାୟିତ୍ୱ ପ୍ରତିବର୍ଷ ଦେଶୀ ବେହେରା ସାହୀ ବ୍ୟବସାୟୀ ସଂଘ ପ୍ରମୁଖ ଗ୍ରହଣ କରିଥାନ୍ତି । ଠାକୁରାଣୀ ଯାତ୍ରାରେ ଭୋଗ ରୂପେ ପ୍ରସିଦ୍ଧ ଗଜା ମୁଆଁ ପୁରୁଣା ବ୍ରହ୍ମପୁରର ଗୁଡ଼ିଆ ସଂପ୍ରଦାୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ବିକ୍ରୀ କରାଯାଇଥାଏ ।

ଠାକୁରାଣୀ ଯାତ୍ରା ଆୟୋଜନ କାଳରେ ଦେଶୀବେହେରାଙ୍କ ପକ୍ଷରୁ ବିଭିନ୍ନ ସେବା ପ୍ରଦାନକାରୀ ପରିବାର ଓ ସଂପ୍ରଦାୟଙ୍କୁ ଯାତ୍ରାରେ ଯୋଗଦାନ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯିବା ପରମ୍ପରା ରହିଛି । ଏଭଳି ସାମୂହିକ ଉଦ୍ୟମ ହେତୁ ଯାତ୍ରା ପରିଚ଼ାଳନା ସମ୍ଭବପର ହୋଇଥାଏ ।

Thursday, April 18, 2019

ଠାକୁରାଣୀ ଯାତ୍ରାର ସାମାଜିକ ତତ୍ତ୍ୱ

ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ସାମାଜିକ ତତ୍ତ୍ୱରଗୁରୁତ୍ୱ ରହିଛି । ଦୀର୍ଘଦିନ ଧରି ଏହି ଯାତ୍ରା ଆନ୍ଧ୍ର ପ୍ରଦେଶରୁ ଆସି ଏହି ସହରରେ ସ୍ଥାୟୀଭାବେ ବସବାସ କରୁଥିବା ଦେବାଙ୍ଗ ବା ଡ଼େରା ବୁଣାକର ସଂପ୍ରଦାୟଙ୍କ ଦ୍ୱାରା ଆୟୋଜିତ ହେଉଥିଲେ ହେଁ ପୁରୁଣା ବ୍ରହ୍ମପୁର ଓ ହରିଡ଼ାଖଣ୍ଡି ଅଞ୍ଚଳରେ ବସବାସ କରୁଥିବା ସ୍ଥାନୀୟ ବାସିନ୍ଦା ଏବଂ ବଜାର ଅଞ୍ଚଳରେ ଅବସ୍ଥାପିତ ବ୍ୟବସାୟୀଙ୍କ ଯାତ୍ରା ଉତ୍ସବରେ ଅକୁଣ୍ଠ ଯୋଗଦାନ ଅତୀତରୁ ଦେଖିବାକୁ ମିଳିଛି । ଯାତ୍ରା ଆରମ୍ଭ ସମୟରେ ଭାପୁର, ବିଜିପୁର, କମାପଲ୍ଲୀ, ଲାଞ୍ଜିପଲ୍ଲୀ, ଆଙ୍କୁଲି, ଗୋଇଲୁଣ୍ଡି ଇତ୍ୟାଦି ଭିନ୍ନ ଭିନ୍ନ ଗ୍ରାମ ଥିଲା । ତେବେ ଏ ସବୁ ଗ୍ରାମର ଉଭୟ ଓଡ଼ିଆ ଓ ତେଲୁଗୁ ସଂପ୍ରଦାୟର ଲୋକେ ଠାକୁରାଣୀ ଯାତ୍ରା ପାଳନରେ ସାମିଲ ହୋଇପଡ଼ିଥିଲେ । ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳ ସମେତ ଗଜପତି, ଅବିଭକ୍ତ କୋରାପୁଟ, ଫୁଲବାଣୀ, ପୁରୀ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ବହୁ ପରିବାର ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି । ଆଞ୍ଚଳିକ ସଦ୍ଭାବ ଜାଗ୍ରତ କରାଇବାରେ ଏହିଭଳି ଏକ ଉତ୍ସବର ଉପଯୋଗିତା ଯେକୌଣସି ତତ୍ତ୍ୱବିତ୍ ହୃଦୟଙ୍ଗମ କରିପାରିବେ ।

ପାରିବାରିକ ସଂହତି ସ୍ଥାପନରେ ଠାକୁରାଣୀ ଯାତ୍ରାର ଭୂମିକା ବିଚ଼ାର କରାଯାଉ । ସହରର ଅଧିଷ୍ଠାତ୍ରୀ ଦେବୀଙ୍କ ପିତ୍ରାଳୟ ଆଗମନ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ମୂଳ ଭିତ୍ତି । ସାଧାରଣତଃ ଠାକୁରାଣୀ ଯାତ୍ରା ଅବସରରେ ପୁରାତନ ସହରର ପ୍ରତ୍ୟେକ ପରିବାରର ଝିଅଜ୍ୱାଇଁମାନଙ୍କୁଶ୍ୱଶୁରାଳୟକୁ ନିମନ୍ତ୍ରଣ କରାଯାଇଥାଏ । ବ୍ରହ୍ମପୁରର ଯେଉଁ ଝିଅମାନଙ୍କ ବିବାହ ପରେ ଏହି ସହର ଛାଡ଼ି ଚାଲିଯାଇଥାନ୍ତି ସେମାନେ ସପରିବାର ଯାତ୍ରା ସମୟରେ ଆସିଥାନ୍ତି । ଆଜି ହୁଏତ ବିସ୍ତୃତ ବ୍ରହ୍ମପୁରର ତିନି ଭାଗ ପରିବାର ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ସହରରେ ନୂତନଭାବେ ବସବାସ ଆରମ୍ଭ କରିଥିବା ହେତୁ ଏହି ପ୍ରଥା ସମ୍ପର୍କରେ ଅନଭିଜ୍ଞ । ତେବେ ବଡ଼ବଜାର, ପୁରୁଣା ବ୍ରହ୍ମପୁର ଓ ହରିଡ଼ାଖଣ୍ଡି ସମେତ ସହରରେ ଶହେ ବର୍ଷରୁ ଅଧିକ ସ୍ଥାୟୀଭାବେ ବସବାସ କରୁଥିବା ପରିବାର ଗୁଡ଼ିକରେ ଏଭଳି ପ୍ରଥା ବେଶ୍ ଦେଖିବାକୁ ମିଳିଥାଏ ।

ବ୍ରହ୍ମପୁରବାସୀଙ୍କ ପାରମ୍ପରିକ ସାମାଜିକ ଚାଲିଚଳନରେ ଝିଅ ବିବାହ ପରବର୍ତ୍ତୀ ଅବସ୍ଥାରେ ଖୁବ୍ କମ୍ ସମୟ ପାଇଁ ବାପ ଘରକୁ ଆସିଥାଏ । କୌଣସି ବିବାହ ଉତ୍ସବ ବା ଶୁଦ୍ଧିକ୍ରିୟା ଇତ୍ୟାଦି ଛଡ଼ା ସାଧାରଣତଃ ଜ୍ୱାଇଁମାନେଶ୍ୱଶୁରାଳୟ ଆସନ୍ତି ନାହିଁ ବିନା ନିମନ୍ତ୍ରଣରେ ଜ୍ୱାଇଁ ନ ଆସିବା ଯୋଗୁଁ ଝିଅମାନେ ମଧ୍ୟ ନିଜ ଘରକୁ ମୁକୁଳା ଛାଡ଼ି ବାପ ଘରକୁ ଆସିବା ଅନୁଚିତ ବୋଧ କରନ୍ତି । ଠାକୁରାଣୀ ଯାତ୍ରା ଅବସରରେ ପ୍ରତି ବର୍ଷକ ଅନ୍ତରରେ ଥରେ ସମସ୍ତେ ନିଜ ଜନ୍ମ ସ୍ଥାନକୁ ଫେରି ପାରିବାରିକ ସୌହାଦ୍ଦ୍ୟକୁ ପୁନଃ ଦୃଢ଼ୀକରଣ କରିଥାନ୍ତି । ଏହି ଦୃଷ୍ଟିରୁ ପାରିବାରିକ ସଦ୍ଭାବ ପ୍ରତିଷ୍ଠା ଦିଗରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଏକ ବିଶେଷ ଭୂମିକା ରହିଛି ।

ସହରରେ ବସବାସ କରିଆସୁଥିବା ପୁରାତନ ପରିବାରଗୁଡ଼ିକ ପକ୍ଷରୁ ନିଜ ବନ୍ଧୁବାନ୍ଧବଙ୍କୁ ମଧ୍ୟ ଯାତ୍ରା ଦେଖିବା ଲାଗି ନିମନ୍ତ୍ରଣ ଜଣାଇବା ପ୍ରଥା ରହି ଆସିଛି । ମୁଖ୍ୟତଃ ରଥ ଓ କଳାକୁଞ୍ଜ ପ୍ରଦର୍ଶିତ ହେବା ପରେ ଯାତ୍ରାର ଶେଷ ସପ୍ତାହରେ ଘରେ ଘରେକୁଣିଆଙ୍କଭିଡ଼ ଲାଗି ରହେ । ସହରରେ ପରିବା ଦର ବଢ଼ିଯାଏ, ପାଣି ଅଭାବ ଦେଖାଯାଏ । ତେବେ ମଉଜ ମଜଲିସ ପାଇଁ ଯାତ୍ରା ଏକ ପ୍ରକୃଷ୍ଟ ପରିବେଶ ସୃଷ୍ଟି କରିପାରିଥାଏ ।

Wednesday, April 17, 2019

ଠାକୁରାଣୀ ଯାତ୍ରା ଶେଷ ଦିବସ


ଲୋକ ମହୋତ୍ସବ ପାଳନ ଅବସରରେ ଦେବଦେବୀ ଓ ଆୟୋଜକଙ୍କ ମଧ୍ୟରେ ପାରିବାରିକ ସଂପର୍କ କଳ୍ପନା କରାଯାଇଥାଏ । ସମ୍ୱଲପୁରର ଶୀତଳ ଷଷ୍ଠୀ ଭଳି ରାଜ୍ୟର ବିଭିନ୍ନ ଲୋକଉତ୍ସବରେ ଏହି ରୀତି ଦେଖିବାକୁ ମିଳେ । ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବଡ଼ ଠାକୁରାଣୀ ନିଜ ମନ୍ଦିର ଶ୍ୱଶୁରାଳୟରୁ ପିତ୍ରାଳୟ ଦେଶୀ ବେହେରାଙ୍କ ବାସଭବନ ବୁଲି ଆସିଥାନ୍ତି ବୋଲି କୁହାଯାଏ । ଏଠାକାର ସାମାଜିକ ବ୍ୟବସ୍ଥାରେ ଝିଅଙ୍କ ପାଇଁ ଶାଶୁଘର ଓ ବାପାଘରର କିଛି ଚଳେଣୀ ଯାତ୍ରା ପାଳନରେ ପ୍ରତିବିମ୍ୱିତ ହୋଇଥାଏ । ବାପଘରଭାବେ ଦେଶୀ ବେହେରାଙ୍କ ପକ୍ଷରୁ ଝିଅକୁ ନିମନ୍ତ୍ରଣ କରିବା ରୀତିନୀତି ଯାତ୍ରା ଆରମ୍ଭରେ ପାଳିତ ହେଉଥିବା ବେଳେ ଯାତ୍ରା ଶେଷରେ ଶାଶୁଘର ବଡ଼ ଠାକୁରାଣୀ ମନ୍ଦିରୁ ବୋହୁ ଡ଼ାକରା ପଦ୍ଧତି ଅନୁସରଣ କରାଯାଇଥାଏ । ସପ୍ତଦଶ ଶତାଦ୍ଦୀ ଶେଷ ଭାଗରେ ପ୍ରତିଷ୍ଠିତ ମହୁରି ରାଜବାଟୀ ଚ଼ର୍ତୁଦିଗରେଗଢ଼ି ଉଠୁଥିବା ଜନବସତିକୁ ନେଇ ବ୍ରହ୍ମପୁରର କ୍ରମବିକାଶ ପର ଶହେ ବର୍ଷ ପରେ ଅଷ୍ଟଦଶ ଶତାଦ୍ଦୀ ଶେଷଭାଗରେ ଆଭ୍ୟନ୍ତରୀଣ ଆନ୍ଧ୍ର ପ୍ରଦେଶରୁ ବୁଣାକରଦେବାଙ୍ଗ ସମ୍ପ୍ରଦାୟ ବ୍ରହ୍ମପୁରରେ ପହଞ୍ଚିବାର ପରବର୍ତ୍ତୀ ଶହେ ବର୍ଷ ପରେ ସୀମାନ୍ତ ଆନ୍ଧ୍ର ପ୍ରଦେଶରୁ ବୈଶ୍ୟକୁମୁଟି ସଂପ୍ରଦାୟ ବ୍ରହ୍ମପୁରରେ ପହଞ୍ଚି ବାଣିଜ୍ୟ ବ୍ୟବସାୟରେ ସଂପୃକ୍ତ ହୋଇଥିବା ଅନୁମାନ କରାଯାଏ । ଏହି ସମୟସୀମାରେ ବିକଶିତ ଠାକୁରାଣୀ ଯାତ୍ରାରେ ଦେବାଙ୍ଗ ସମ୍ପ୍ରଦାୟ ବାପଘର ଭାବେ ଚ଼ିହ୍ନିତ ହୋଇଥିବା ବେଳେ କୁମୁଟି ସଂପ୍ରଦାୟ ଶାଶୁଘରର ପ୍ରତିନିଧିତ୍ୱ କରିବା ପ୍ରଥା ଲାଗୁ ହୋଇଥିଲା ।

ଯାତ୍ରା ଶେଷ ଦିବସ ସ୍ଥିର ହେବାପରେ ବଡ଼ ଠାକୁରାଣୀ ମନ୍ଦିରରୁ ମଧ୍ୟହ୍ନରେସହସ୍ରାକ୍ଷି ଘଟ ଦେଶୀବେହେରାଙ୍କ ବାସଭବନରେ ପହଞ୍ଚିଥାଏ । ବ୍ରହ୍ମପୁରର ପୂର୍ବ ଉପକଣ୍ଠ ଆଙ୍କୁଲିଗ୍ରାମରକୁମ୍ଭାରପଲ୍ଲୀର କୁମ୍ଭକାରମାନେ ବହୁ ଛିଦ୍ର ଯୁକ୍ତ ଏକ ସ୍ୱତନ୍ତ୍ର ମାଟି ହାଣ୍ଡି ନିର୍ମାଣ କରି ଯୋଗାଇଥାନ୍ତି । ଏହାକୁ ବହୁ ରଙ୍ଗରେ ଚ଼ିତ୍ରିତ କରାଯାଇଥାଏ । ଦେଶୀବେହେରାଙ୍କ ଘରେ ଏହା ପୂଜାପାଠ କରାଯାଇଥାଏ । ରାତିରେ ପ୍ରତ୍ୟାବର୍ତ୍ତନ ଘଟ ଶୋଭାଯାତ୍ରାରେ କୁମୁଟି ସଂପ୍ରଦାୟ ପାରମ୍ପରିକ ମୁଖ୍ୟଙ୍କ ପତ୍ନୀ ସହସ୍ରାକ୍ଷି ଘଟ ମଣ୍ଡନ କରି ପୁରୋଭାଗରେ ଯିବା ବେଳେ ତାପଛରେ ଦେଶୀ ବେହେରାଙ୍କ ପତ୍ନୀ ମୁଖ୍ୟ ଘଟ ମଣ୍ଡନ କରି ଯିବା ପ୍ରଥା ଚଳି ଆସିଛି । ସହସ୍ରାକ୍ଷି ଘଟ ଯାତ୍ରା ପଥକୁ ଆଲୋକିତ କରିଥାଏ ବୋଲି ବିଶ୍ୱାସ କରାଯାଏ ।

ଯାତ୍ରାରେ ପ୍ରତ୍ୟାବର୍ତ୍ତନ ଘଟ ଶୋଭାଯାତ୍ରା ମଧ୍ୟରାତ୍ରୀର ଠିକ୍ ପରେପରେ ଦେଶୀବେହେରାସାହୀରୁ ଆରମ୍ଭ ହୋଇଥିଲା । ଏହା ମହୁରି ରାଜା ରାସ୍ତା, ବଡ଼ ବଜାର ମୁଖ୍ୟ ରାସ୍ତା, ସାନ୍ତାରାଣୀସାହୀ, ମାର୍ଥାପେଟାସାହୀ, କେଉଟ ସାହୀ, ଶଙ୍କରପୁରସାହୀ, ବାଚୁବାରୀସାହୀ, କେଦାରେଶ୍ୱର ମନ୍ଦିର ରାସ୍ତା, ଚନ୍ଦ୍ରମା ସାହୀ, ଖାସ୍ପାସାହୀ, ଜଉରାସାହୀରେମାଉସୀମା ଘର ଦେଇ ପୁଣି ଖାସ୍ପାସାହୀ, ପୁଜିପେଦୀସାହୀ, ଖରୁଡ଼ାସାହୀ ହୋଇ ବଡ଼ ଠାକୁରାଣୀ ମନ୍ଦିରରରେ ଭୋର ୩ ରୁ ୪ ଘଣ୍ଟା ମଧ୍ୟରେ ପହଞ୍ଚିଥାଏ । ସେଠାରେ ମୁଖ୍ୟ ଘଟ ସହ ପାର୍ଶ୍ୱ ଘଟଗୁଡ଼ିକୁ ମନ୍ଦିରର ରତ୍ନସିଂହାସନରେ ସ୍ଥାପନ କରିବାପରେ ଶୋଭାଯାତ୍ରାରେ ଆସିଥିବା ହଜାର ହଜାର ଘଟ ଧାରୀ ସାଧାରଣ ମହିଳା ମନ୍ଦିର ପ୍ରାଙ୍ଗଣରେ ଘଟ ବିସର୍ଜନ କରିଥାନ୍ତି। ଏହି କାର୍ଯ୍ୟକ୍ରମ ସକାଳ ଯାଏଁ ଚାଲିଥାଏ ।

ଘଟ ଶୋଭାଯାତ୍ରା କାଳରେ ସମଗ୍ର ଯାତ୍ରାପଥକୁ ଭକ୍ତମାନେ ଝାଡ଼ୁ ମାରି ସାଙ୍କେତିକ ଭାବେ ସଫା କରିଥାନ୍ତି ଏବଂ ଘଟ ଶୋଭାଯାତ୍ରାକୁ ସ୍ୱାଗତ କରି ରାସ୍ତାରେ ନୂତନ ବସ୍ତ୍ର, ପୁଷ୍ପ ପାରିଥାନ୍ତି । ଘଟ ଶୋଭାଯାତ୍ରା ଓ ଦର୍ଶକମାନଙ୍କ ଭିଡ଼ ସ୍ଥାନୀୟ ସାହୀଗୁଡ଼ିକର ଯୁବକମାନେ ନିୟନ୍ତ୍ରିତ କରାଇଥାନ୍ତି । ପ୍ରଶାସନ ପକ୍ଷରୁ ପ୍ରାୟ ୧୫ ପ୍ଳାଟୁନପୋଲିସ ନିୟୋଜିତ ହୋଇଥାଏ ଆକଳନ ଅନୁଯାୟୀ ପ୍ରାୟ ଦୁଇଲକ୍ଷ ଲୋକ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ଯୋଗ ଦେଇଥାନ୍ତି ।

Tuesday, April 16, 2019

ଯାତ୍ରା ଶେଷ ନୀତି

ବ୍ରହ୍ମପୁର ଠାକୁରାଣୀ ୟାତ୍ରା ଆରମ୍ଭର ତୃତୀୟ ଦିବସ ଠାରୁ ପ୍ରତ୍ୟେହ ସନ୍ଧ୍ୟାରେ ଘଟ ଶୋଭାଯାତ୍ରା ଆୟୋଜନ କରାଯାଇଥାଏ । ବଡ଼ ଠାକୁରାଣୀଙ୍କ ମନ୍ଦିରରୁ ଯାତ୍ରା ନିମିତ୍ତ ଆସିଥିବା ଇଟାମଲ୍ଲୀ ଫୁଲର ଗୁମ୍ଫା ଯତ୍ନରେ ସାଇତି ରଖାଯାଇଥିବା ଚିତ୍ରିତ ମାଟି ହାଣ୍ଡି ମୁଖ୍ୟ ଘଟ ସହ ଆଠଗୋଟି ପାର୍ଶ୍ୱଦେବୀଙ୍କ ଘଟ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି ମୁଖ୍ୟ ଘଟଟିକୁ ସାଧାରଣତଃ ଦେଶୀବେହେରାଙ୍କ ପତ୍ନୀ କିମ୍ୱାନିକଟସମ୍ୱନ୍ଧୀୟ ମଣ୍ଡନ କରୁଥିବାବେଳେ ଅନ୍ୟ ଆଠଗୋଟି ଘଟ ଦେବାଙ୍ଗ ସଂପ୍ରଦାୟର ମୁଖ୍ୟ ସେନାପତିମାନଙ୍କ ପତ୍ନୀଗଣ ମଣ୍ଡନ କରି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି । ଯେଉଁ ନଅଜଣ ମହିଳା ଘଟ ମଣ୍ଡନ କରି ଶୋଭାଯାତ୍ରାରେ ସାମିଲ ହୁଅନ୍ତି ସେମାନେ ସେହିଦିନ କେବଳ ଦେବୀଙ୍କ ନିକଟରେ ଅର୍ପିତ ଭୋଗ ବିନା ଅନ୍ୟ କୌଣସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ ।

ଯାତ୍ରା ଶେଷ ଦିନ ରାତିରେ ମୁଖ୍ୟ ଘଟ ମନ୍ଦିର ପ୍ରତ୍ୟାବର୍ତ୍ତନ ଅବସରରେ ଅନ୍ୟ ପାର୍ଶ୍ୱଦେବୀଙ୍କ ଆଠଗୋଟି ଘଟ ସହ ସର୍ବସାଧାରଣଙ୍କ ପକ୍ଷରୁ ଅଗଣିତ ଘଟ ଶୋଭାଯାତ୍ରାରେ ସାମିଲ ହୋଇଥାଏ । ଯାତ୍ରା ପାଇଁ ବେଶ ଧାରଣ କରିବା ନିମିତ୍ତ ଯେପରି ଅନେକେ ପୂର୍ବରୁ ମାନସିକ କରିଥାନ୍ତି, ଠିକ୍ ସେହିପରି ଯାତ୍ରା ଶେଷଦିନ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ନିମନ୍ତେ ମଧ୍ୟ ମହିଳାମାନେ ପୂର୍ବରୁ ମାନସିକ କରିଥାନ୍ତି । ସାଧାରଣତଃ ରୋଗ ବା ବିପଦରୁ ମୁକ୍ତି ପାଇବା ନିମନ୍ତେ ବଡ଼ଠାକୁରାଣୀଙ୍କ ନିକଟରେ ଗୁହାରି କରିବା କିମ୍ୱା କୌଣସି ବିଶିଷ୍ଟ କାର୍ଯ୍ୟରେ ନିର୍ବିଘ୍ନତା ପ୍ରାର୍ଥନା କରି ଯାତ୍ରା ଅବସରରେ ପୁରୁଷମାନେ ବିଭିନ୍ନ ବେଶ ଧାରଣ କରିବା ବେଳେ ମହିଳାମାନଙ୍କ ପକ୍ଷରୁ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ବିଧି ରହିଆସିଛି । ଅନେକ କ୍ଷେତ୍ରରେ ଘଟ ଶୋଭାଯାତ୍ରାରେ ମହିଳାମାନେ ଅଂଶଗ୍ରହଣ କରିବା ପାରିବାରିକ ପରମ୍ପରା ରୂପେ ମଧ୍ୟ ପ୍ରଚଳିତ ।

ଯେଉଁ ମହିଳାମାନେ ଯାତ୍ରା ଶେଷ ଦିନ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ କରନ୍ତି ସେମାନେ ଦିନ ସାରା ଉପବାସ ରହିଥାନ୍ତି । ସଭିଏଁ ନିଜ ନିଜ ଘରେ ମଧ୍ୟାହ୍ନରେ ଘଟ ସ୍ଥାପନ କରି ପୂଜା ଅର୍ଚ୍ଚନା କରିଥାନ୍ତି । ସେହିଦିନଦେଶୀବେହେରାଙ୍କ ଘରେ ସହସ୍ର ଚକ୍ଷୁ ଘଟ ବା ଗୁଡ଼ାଏଛିଦ୍ରଯୁକ୍ତ ଏକ ମାଟି ହାଣ୍ଡି ସ୍ଥାପିତ ହୋଇ ପୂଜା ଅର୍ଚ୍ଚନା କରାଯାଇଥାଏ । ଯାତ୍ରା ଶେଷଦିନ ବିଳମ୍ୱିତ ରାତିରେ ମୁଖ୍ୟ ଘଟ, ପାର୍ଶ୍ୱଦେବୀମାନଙ୍କ ଆଠଗୋଟି ଘଟ ସହ ପ୍ରାୟ ୧୦ ରୁ ୨୦ ହଜାର ସର୍ବସାଧାରଣଙ୍କ ଘଟ ଦେଶୀବେହେରାସାହୀସ୍ଥ ଅସ୍ଥାୟୀ ମନ୍ଦିରରୁ ବାହାରି ପୁରୁଣା ବ୍ରହ୍ମପୁର ଅଞ୍ଚଳର ଅନେକ ଅଞ୍ଚଳ ପରିକ୍ରମା କରି ପ୍ରଭାତ ବେଳକୁ ବଡ଼ ଠାକୁରାଣୀ ମନ୍ଦିରଠାରେ ପହଞ୍ଚିଥାଏ । ଶୋଭାଯାତ୍ରା ଶେଷରେ ବଡ଼ ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଏହି ଘଟଗୁଡ଼ିକୁ ବିସର୍ଜନ କରାଯାଇଥାଏ । ସେଠି ଶେଷ ହୁଏ ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ।

ଘଟ ଶୋଭାଯାତ୍ରା ଅବସରରେ ଜଉରାସାହୀସ୍ଥ କୁବେର ସେନାପତି ନାମକ ଜନୈକ କୁମୁଟି ବୈଶ୍ୟ ମହାଜନଙ୍କ ଘରେ କିଛି ସମୟ ଅଟକି ଥାଏ । ଏହା ଠାକୁରାଣୀଙ୍କ ମାଉସୀ ଘରଭାବେ ପରିଚିତ । କିମ୍ୱଦନ୍ତୀରୁ ଜଣାଯାଏ ଯେ ଏକଦା ଘଟ ପରିକ୍ରମା ବେଳେ ହଠାତ ଝଡ଼ବର୍ଷା ଆସିଯିବାରୁ କିଛି ସମୟ ପାଇଁ ମୁଖ୍ୟ ଘଟ ମହାଜନଙ୍କ ଘରେ ସୁରକ୍ଷିତ ରଖାଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା । ତାହାରି ସ୍ମୃତିରେ ଘଟ ଶୋଭାଯାତ୍ରା ଜଉରାସାହୀ ସେନାପତିଙ୍କ ଘର ନିକଟରେ କିଛି ସମୟ ପାଇଁ ଅଟକେ । ଏହି କିମ୍ୱଦନ୍ତୀର ସତ୍ୟତା ଯାହା ହେଉନା କାହିଁକି, ଦେବାଙ୍ଗ ସମ୍ପ୍ରଦାୟ ଦ୍ୱାରା ଆୟୋଜନ କରାଯାଉଥିବା ଠାକୁରାଣୀ ଯାତ୍ରାରେ କୁମୁଟି ବୈଶ୍ୟ ସଂପ୍ରଦାୟର ବ୍ୟବସାୟୀମାନଙ୍କ ସହଯୋଗର ନିଦର୍ଶନ ଏହି ପରମ୍ପରାକୁ ବେଶ୍ ପରଖି ହୁଏ ।