ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଳନର ଶେଷ ସପ୍ତାହକ ଯାତ୍ରାସ୍ଥଳ ବଡ଼ ବଜାର ଓ ଆଖପାଖ ଅଞ୍ଚଳରେ ରଥ ଓ କଳାକୁଞ୍ଜ ପ୍ରଦର୍ଶନର
ପରମ୍ପରା ରହିଆସିଛି । ଦେଶବିଦେଶର ଶୋଭାଯାତ୍ରାଭିତ୍ତିକ ବାର୍ଷିକ ବା ଦ୍ୱି-ବାର୍ଷିକ‘କାର୍ନିଭଲ’ସ୍ତରୀୟ ମହୋତ୍ସବଗୁଡ଼ିକରେ ମୃର୍ତ୍ତି ଓ ପ୍ରତିକୃତି ବା ମଡ଼େଲ ପ୍ରଦର୍ଶନ ମୁଖ୍ୟସ୍ଥାନ ଅଧିକାର କରିଥାଏ । ବ୍ରାଜିଲର
ରିଓ-ଡ଼ି-ଜେନାରିଓ ଠାରୁ ଆମ ଦେଶର ଗୋଆ ଯାଏଁ ସର୍ବତ୍ର ଏହି ପ୍ରଥା ଦେଖିବାକୁ ମିଳେ । ୨୦୧୩
ମସିହା ଠାକୁରାଣୀ ଯାତ୍ରାରେ ୨୦ ଗୋଟି ରଥ ଓ ୫୪ ଗୋଟି କଳାକୁଞ୍ଜ ପ୍ରଦର୍ଶିତ ହୋଇଥିଲା
। ୨୦୧୫ରେ ୨୧ଗୋଟି ରଥ ଓ ୪୮ ଗୋଟି କଳାକୁଞ୍ଜ ପ୍ରଦର୍ଶିତ ହୋଇଥିଲା । ଅତୀତରେ କେବଳ ରଥ
ନିର୍ମାଣ କରାଯାଇ ପ୍ରଦର୍ଶନ କରାଯାଉଥିବା ବେଳେ ୧୯୬୩ ମସିହାରୁ କଳାକୁଞ୍ଜ ନିର୍ମାଣ ଧାରା
ଆରମ୍ଭ ହୋଇଥିଲା । ଇତି ମଧ୍ୟରେ କେତେକ ରଥ ନିର୍ମାଣ ବନ୍ଦ ହୋଇ ସାରିଥିବା କିମ୍ୱା କିଛିକାଳ ବନ୍ଦ ହୋଇ ପୁନର୍ବାର ନିର୍ମିତ ହୋଇଥିବା ବେଳେ କଳାକୁଞ୍ଜ ସଂଖ୍ୟା ବଢ଼ିବାରେ
ଲାଗିଛି ।
ଏଠାକାର ରଥ ଓ କଳାକୁଞ୍ଜ ନିର୍ମାଣ ତଥା ପ୍ରଦର୍ଶନ ଲାଗି କେତେକ ନୀତିନିୟମ ପାଳିତ ହୋଇଥାଏ
। ବଡ଼ ଠାକୁରାଣୀ ମନ୍ଦିରରୁ ଇଟାମଲ୍ଲୀ ଫୁଲ ଗୁମ୍ଫା ଦେଶୀ ବେହେରା ସାହୀର ଅସ୍ଥାୟୀ ମଣ୍ଡପକୁ
ଶୋଭାଯାତ୍ରାରେ ଅଣାଯିବା ସହ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥାଏ । ଠାକୁରାଣୀଙ୍କ ପ୍ରତୀକ ଏହି
ଫୁଲ ଗୁମ୍ଫା ତୃତୀୟ ଦିବସରେ ମୁଖ୍ୟ ଘଟରେ ସ୍ଥାପନ କରାଯିବା ପରେ ପ୍ରତ୍ୟେହ ସଂଧ୍ୟାରେ ମୁଖ୍ୟଘଟ
ସହ ଆଠଗୋଟି ପାର୍ଶ୍ୱଘଟକୁ ମଣ୍ଡନ କରି ଆଖପାଖ ସାହୀ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ ।
ସାହୀ ପରିକ୍ରମା କାଳରେ ବିଭିନ୍ନ ସାହୀରେ ରଥ ଓ କଳାକୁଞ୍ଜ ନିର୍ମାଣ ଲାଗି ନିମନ୍ତ୍ରଣ
କରାଯାଇଥାଏ । ପ୍ରାଥମିକ ଭାବେ ଯାତ୍ରାର ଚ଼ତୁର୍ଥ ଦିବସରେ ଧର୍ମଝାଣ୍ଡାକୁ ନିମନ୍ତ୍ରଣ ପରେ
ଅନ୍ୟାନ୍ୟ ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ କରାଯାଏ ।
ପାରମ୍ପରିକ ଭାବେ ଯାତ୍ରା ଆରମ୍ଭର ଦୁଇରୁ ତିନି ସପ୍ତାହ ମଧ୍ୟରେ ପ୍ରଥମେ ଦୋଳି
କିମ୍ୱାବିଞ୍ଚଣା ରଥ ଉନ୍ମୋଚ଼ିତ ହୋଇଥାଏ । ଦୋଳି, ବିଞ୍ଚଣା ଓ ବୋଇତ ରଥ ସର୍ବାପେକ୍ଷା ପୁରାତନ
ରଥ ରୂପେ ପରିଚ଼ିତ । ଏଗୁଡ଼ିକର ନିର୍ମାଣ ଶୈଳୀ ଅତ୍ୟନ୍ତ ସରଳ ଏବଂ ନବୀକରଣରେ ଅପେକ୍ଷାକୃତ କମ
ଅର୍ଥ ବ୍ୟୟ ହୋଇଥାଏ । ଦୋଳି ରଥରେ ଚ଼ାରିଗୋଟି ଦୋଳି ଥାଏ । ପ୍ରଥମ ଦିନ ଏଥିରେ ବସିବା ପାଇଁ ପିଲାମାନେ ମାନସିକ କରିଥାନ୍ତି ।
ବିଞ୍ଚଣା ରଥ ପୂର୍ବେ ଦେବାଙ୍ଗ ସମ୍ପ୍ରଦାୟ ଦ୍ୱାରା ନିର୍ମିତ ହେଉଥିବା ବେଳେ ବର୍ତ୍ତମାନ
ବାଚୁୱାରିସାହୀ ବାସିନ୍ଦାଙ୍କ ଦ୍ୱାରା ନିର୍ମିତ ହେଉଛି । ବିଞ୍ଚଣା ରଥ ଉନ୍ମୋଚ଼ନ ବେଳେ ଏଥିରେ
ଜଣେ କୃଷ୍ଣ ଓ ଚ଼ାରିଜଣ ରାଧା ବେଶଧାରୀ ବସିବା ଦେଖାଯାଇଥାଏ । ବୋଇତ ରଥ ନିର୍ମାଣ କିଛି ବର୍ଷ ବନ୍ଦ ହୋଇ ଯାଇଥିଲା ।
ଠାକୁରାଣୀ ଯାତ୍ରାର ଅନ୍ୟାନ୍ୟ ପୁରାତନ ରଥ ମଧ୍ୟରେ ଶଙ୍କରପୁରସାହୀରରାମଚ଼ନ୍ଦ୍ର ରଥ
ଅନ୍ୟତମ । ପୂର୍ବେ ଏହି ରଥରେ ଚକ ଲାଗୁଥିଲା ଏବଂ ରଥ ଟଣା ହୋଇ ବଡ଼ ବଜାରକୁ ଅଣାଯାଉଥିଲା ।
କିନ୍ତୁ ବର୍ତ୍ତମାନ ଶଙ୍କରପୁରସାହୀରେ ହିଁ ପ୍ରଦର୍ଶିତ ହେଉଅଛି । ଅପରପକ୍ଷେ ଜେନା ସାହୀର ବୀର
ଲକ୍ଷ୍ମଣ ରଥ ଆଜି ଯାଏଁ ବଡ଼ ବଜାରରେ ପ୍ରଦର୍ଶିତ ହେବା ପାଇଁ ଅଣାଯାଉଛି । ଏହି ରଥଟି ୧୯୦୫
ମସିହାରୁ ନିୟମିତ ଭାବେ ପ୍ରସ୍ତୁତ ହେବା ଜଣାଯାଇଥାଏ । ବୀର
ଲକ୍ଷ୍ମଣ ରଥର ମୂର୍ତ୍ତି ସାମଗ୍ରୀ ସବୁ ଜେନା ସାହୀର ଶ୍ରୀ ଶ୍ରୀବୃନ୍ଦାବନ ଚନ୍ଦ୍ର ଯୁଗଳ
ମହାପ୍ରଭୁଙ୍କ ମନ୍ଦିରରେ ସାଇତି ରଖାଯାଇ ପ୍ରତିଥର ଯାତ୍ରାରେ ପ୍ରଦର୍ଶିତ ହୋଇଥାଏ ।
ଏହାକୁ ମରାମତକରି ପ୍ରଦର୍ଶନ ଯୋଗ୍ୟ କରିବା ପାଇଁ ୧୦ ରୁ ୧୨ ଦିନ ସମୟ ଏବଂ ୫୦ ରୁ ୬୦ ହଜାର
ଟଙ୍କା ଖର୍ଚ୍ଚ ହେଉଛି । ପୁରୁଣା ବ୍ରହ୍ମପୁର ଚନ୍ଦ୍ରଶେଖର ସାହୀର ଶ୍ରୀ ହନୁମାନ ରଥକୁ ଅତୀତରେ
ତେଲୁଗୁ ବ୍ରାହ୍ମଣ ସମ୍ପ୍ରଦାୟ ପକ୍ଷରୁ ନିର୍ମାଣ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସାହୀ
ବାସିନ୍ଦାମାନେ ନିର୍ମାଣ କରୁଛନ୍ତି । ଷଣ୍ଢ ମହାନ୍ତି ସାହୀରଶିବାଋଢ଼ କାଳୀ ରଥ ୧୯୨୭ ମସିହାରୁ
ନିର୍ମିତ ହେଉଥିବା କୁହାଯାଏ । ଏଠାରେ କାଳୀଙ୍କ ମୂର୍ତ୍ତିର ଉଚ୍ଚତା ୧୭ ଫୁଟ । ମଞ୍ଜୁଷାର
କାରିଗରମାନେ ଏହାର ନିର୍ମାଣ କାର୍ଯ୍ୟ ତଦାରଖ କରିଥାନ୍ତି । ୨୦୧୫ରେ ଏହାର ନବୀକରଣ ଖର୍ଚ୍ଚ
ଅଢ଼େଇଲକ୍ଷ ବୋଲି କୁହାଯାଇଥିଲା ।
ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ରଥ ପ୍ରଦର୍ଶନ ଯାତ୍ରୀ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ
ରୂପେ ବିବେଚ଼ିତ ହୋଇଥାଏ । ରଥ ଗୁଡ଼ିକରେ ଶୋଭାପାଉଥିବା ମୂର୍ତ୍ତିଗୁଡ଼ିକର ଭାଗ ଭାଗ କରି
ସାଇତି ରଖି ଯାତ୍ରା ପରେ ଯାତ୍ରା ପ୍ରଦର୍ଶିତ କରାଯାଉଥିଲେ ହେଁ ଏହାର ନବୀକରଣ ତଥା ଆନୁସଙ୍ଗିକ
ସାଜସଜ୍ଜା ପାଇଁ ବିପୁଳ ଖର୍ଚ୍ଚ ହୋଇଥାଏ । ସମୟେ ସମୟେ ଏହି ମୂର୍ତ୍ତିଗୁଡ଼ିକର ଭାବଭଙ୍ଗୀକୁ
ମଧ୍ୟ ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଥାଏ ।
No comments:
Post a Comment