ଠାକୁରାଣୀ ଯାତ୍ରା ଅବସରରେ ବିଭିନ୍ନ ରଥ ଓ କଳାକୁଞ୍ଜ
ନିର୍ମାଣ କରାଯାଇଥାଏ । ରଥ ଓ କଳାକୁଞ୍ଜଗୁଡ଼ିକ ମଧ୍ୟରେ ତଫାତ୍ ଏହି ଯେ,
ରଥଗୁଡ଼ିକରସାଜସରଞ୍ଜାମ ଥରେ ନିର୍ମିତ ତଥା ପ୍ରଦର୍ଶିତ ହେବା ପରେ ସାଇତି ରଖାଯାଏ ଏବଂ ପ୍ରତି
ଠାକୁରାଣୀ ଯାତ୍ରାବେଳେ ପୁଣି ବ୍ୟବହାର କରାଯାଏ । ଅପର ପକ୍ଷେ କଳାକୁଞ୍ଜର ମୂର୍ତ୍ତି ତଥା
ସରଞ୍ଜାମଗୁଡ଼ିକପ୍ରତିଥର ପରିବର୍ତ୍ତିତ ହୋଇ ନୂଆ ଗଢ଼ା ଯାଉଥାଏ ।
ଅତୀତରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଅବସରରେ ବହୁ ରଥ
ନିର୍ମିତ ହେଉଥିଲା ଏବଂ ସବୁ ରଥଗୁଡ଼ିକବଡ଼ବଜାରରେ ସ୍ଥାପିତ ହେବା ପରମ୍ପରା ପ୍ରଚଳିତ ଥିଲା । ସ୍ୱାଧୀନତା ପୂର୍ବବର୍ତ୍ତୀ ୨୦-୨୫ ବର୍ଷ ଏବଂ ସ୍ୱାଧୀନତା
ପରବର୍ତ୍ତୀ ୨୦-୨୫ ବର୍ଷ ଯାତ୍ରା ପାଳନରେ ରଥ ନିର୍ମାଣ ଦିଗରେ ଚାକଚକ୍ୟ ଆଣିଦେଇଥିଲା ।
ବିଦ୍ୟୁତ ଆଲୋକର ପ୍ରଚଳନ ପରେ ରଙ୍ଗବେରଙ୍ଗୀଆଲୋକସଜ୍ଜାଦର୍ଶକବର୍ଗଙ୍କୁ ଚକିତ କରିଦେଉଥିଲା ।
ସେ ସମୟରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ମୂର୍ତ୍ତି
ବିଶିଷ୍ଟ ରଥ ଦୁଇ ଦଳଙ୍କ ଦ୍ୱାରା ପ୍ରତିଯୋଗିତା ମନୋଭାବ ନେଇ ନିର୍ମିତ ହେଉଥିଲା ଏବଂ
ସାଜସଜ୍ଜାରେ ଏକ ଦଳ କିପରି ଅନ୍ୟ ଦଳକୁ ନ୍ୟୂନ କରିଦେବ ସେ ଦିଗରେ ଉଦ୍ୟମ ଜାରୀ ରହୁଥିଲା ।
ଉଦାହରଣ ସ୍ୱରୂପବଡ଼ବଜାର ଛକରେ ଗୋଟିଏ ପର୍ଶୁରାମ ରଥ ଜନୈକ ଖରୁଡ଼ା ପରିବାରଙ୍କ ଦ୍ୱାରା
ନିର୍ମିତ ହେଉଥିବାବେଳେ ଅନ୍ୟ ଗୋଟିଏ ପର୍ଶୁରାମ ରଥ ବୈଶ୍ୟ ସଂପ୍ରଦାୟଙ୍କ ଦ୍ୱାରା ସାମୂହିକ
ଉଦ୍ୟମରେ ନିର୍ମିତ ହେଉଥିଲା । ଦୁଇ ଦଳଙ୍କ ମଧ୍ୟରୁ ସାଜସଜ୍ଜାରେ କାହାର ଜିତାପଟ ହେବ ସେ ଦିଗରେ
ପ୍ରତିଯୋଗିତା ଚାଲୁଥିଲା । ସେହିପରି ରାମଚନ୍ଦ୍ର, ଲକ୍ଷ୍ମଣ ଇତ୍ୟାଦି ରଥ ନିର୍ମାଣ କ୍ଷେତ୍ରରେ
ମଧ୍ୟ ପ୍ରତିଯୋଗିତା ଦେଖିବାକୁ ମିଳୁଥିଲା । କାଳକ୍ରମେ ଆୟୋଜକଙ୍କ ମଧ୍ୟରୁ ପ୍ରତିଯୋଗିତା
ମନୋଭାବ ଉଭେଇ ଯାଇଛି ଏବଂ କେତେକ କ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ସ୍ଥଳେ
ଅନ୍ୟ କେତେକ କ୍ଷେତ୍ରରେ ଯାତ୍ରାର ଶେଷ ଦୁଇ ତିନିଦିନ ପାଇଁ ରଥ ନିର୍ମାଣ କରାଯାଉଛି ।
ବିଗତ ୪୦-୫୦ ବର୍ଷ ମଧ୍ୟରେ ରଥ ନିର୍ମାଣରେ ଶିଥିଳତା
ଦେଖାଦେବା ପରେ ବଜାର ଓ ପୁରୁଣା ବ୍ରହ୍ମପୁରର ବିଭିନ୍ନ ସାହୀରେ କଳାକୁଞ୍ଜ ନିର୍ମାଣ ପ୍ରଥା
ଆରମ୍ଭ ହୋଇଛି । ଅତୀତରେ ଏସବୁ ଅଞ୍ଚଳବାସୀ ନିଜ ଉଦ୍ୟମରେ ରଥ ନିର୍ମାଣ
କରି ବଡ଼ବଜାର ମୁଖ୍ୟ ରାସ୍ତାରେ ସ୍ଥାପନ କରୁଥିବାସ୍ଥଳେ ବର୍ତ୍ତମାନ ନିଜ ସାହୀରେକଳାକୁଞ୍ଜ
ନିର୍ମାଣ ପ୍ରତି ଧ୍ୟାନ ଦେଉଛନ୍ତି । ପୂର୍ବେ ରଥଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଚରିତ୍ର,
ନିର୍ଦ୍ଦିଷ୍ଟ ଭଙ୍ଗୀ ଓ ନିର୍ଦ୍ଦିଷ୍ଟ ସାଜସଜ୍ଜାକୁ ନେଇ ଗଢ଼ି ଉଠୁଥିବାବେଳେ ବର୍ତ୍ତମାନ
କଳାକୁଞ୍ଜ ନିର୍ମାଣ ଦିଗରେ ସୃଜନଶୀଳତା ଦେଖାଦେଇଛି ।
ଠାକୁରାଣୀ ଯାତ୍ରା ଅବସରରେ ରଥ ଓ କଳାକୁଞ୍ଜମାନ
ନିର୍ମିତ ହେବାପରେ ଜନସମାଗମ ବଢ଼ିଥାଏ । ରାମଚ଼ନ୍ଦ୍ର, ଲକ୍ଷ୍ମଣ, ନାଗାର୍ଜୁନ, ନାରାୟଣ,
ଜ୍ୱଳାମୁଖୀ, କାଳୀ, ବନଦୁର୍ଗା ଇତ୍ୟାଦି ବହୁରଥ ନିର୍ମାଣ ସରଞ୍ଜାମ ସାଇତି ରଖାଯାଇଥାଏ ।
ସେଗୁଡ଼ିକ ପ୍ରତିବର୍ଷ ମରାମତକରି ରଙ୍ଗଦେଇ ଆଲୋକ ସଜ୍ଜା ସହ ରଥରେ ପ୍ରଦର୍ଶିତ ହୋଇଥାଏ ।
ପ୍ରତ୍ୟେକଟି ରଥକୁ ଆକର୍ଷଣୀୟ କରିବା ଦଗରେ ତାହାର ଆୟୋଜକମାନଙ୍କ ନିଷ୍ଠାର ପରିଚୟ ଦେଇଥାଏ ।
ଠାକୁରାଣୀ ଯାତ୍ରାରେ ପ୍ରଥମେ ବାଚୁବାରିସାହୀରବିଞ୍ଚଣା
ରଥ ବାହାରିଥାଏ । ଏହି ରଥଟିର ଆକୃତି ଏକ ହାତପଙ୍ଖା ବା ବିଞ୍ଚଣା ଭଳି । ସାଧାରଣତଃ ପିଲାଏ
ଏଥିରେ ଚଢ଼ାଉଠାକରି ଖେଳିଥାନ୍ତି । ଏଥିରେ କୌଣସି ଦେବଦେବୀଙ୍କ ମୂର୍ତ୍ତି ନଥାଏ । ବିଞ୍ଚଣା
ରଥରେ ପିଲାଙ୍କୁ ବସାଇବା ନିମନ୍ତେ କେତେକ କ୍ଷେତ୍ରରେ ଅଭିଭାବକମାନେ ଆଗରୁ ମାନସିକ କରିଥାନ୍ତି
। ଏଥିଲାଗି ପିଲାଏ ବିଞ୍ଚଣାରଥ ବାହାରିବା ଦିନ ଉପବାସ ରହିଥାନ୍ତି । ତେବେ ବିନା ମାନସିକରେ
ପିଲାଏ ମଧ୍ୟ ବିଞ୍ଚଣା ରଥ ଆରୋହଣ କରିବା ପ୍ରଥା ପ୍ରଚଳିତ ।
ଅତୀତରେ ଠାକୁରାଣୀ ଯାତ୍ରା ଅବସରରେ ପ୍ରାୟ ୨୫ ଗୋଟି ରଥ
ନିର୍ମିତ ହେଉଥିବା ସୂଚ଼ନା ମିଳେ । ସେ ସମୟରେ କଳାକୁଞ୍ଜ ପ୍ରଦର୍ଶିତ ହେଉନଥିଲା ଏବଂ ସମସ୍ତ ରଥ
କେବଳ ବଡ଼ବଜାରରେ ହିଁ ସ୍ଥାପିତ ହେଉଥିଲା । ବିଭିନ୍ନ ସାହୀର ବାସିନ୍ଦାମାନେ ନିଜ ନିଜ ମଧ୍ୟରେ
ଚାନ୍ଦାଭେଦା କରି ରଥ ନିର୍ମାଣ ସରଞ୍ଜାମ ଯୋଗାଡ଼ କରୁଥିଲେ ଏବଂ କେତେକ କ୍ଷେତ୍ରରେ ରଥଗୁଡ଼ିକ
ଅର୍ଦ୍ଧାଧିକ ନିର୍ମିତ ହୋଇ ବଡ଼ ବଜାର ମୁଖ୍ୟ ରାସ୍ତା ଉପରେ ସ୍ଥାପନ ହେବା ନିମନ୍ତେ ଟାଣି
ଅଣାଯାଉଥିଲା । କାଳକ୍ରମେ ବଡ଼ବଜାରରେ ରଥ ନିର୍ମାଣ ଦିଗରେ ବିଭିନ୍ନ ବିଭିନ୍ନସାହୀର
ବାସିନ୍ଦାମାନେ ଆଗ୍ରହୀ ହେଲେ ନାହିଁ ଏବଂ ଏହା ବଦଳରେ ଠାକୁରାଣୀ ଯାତ୍ରା ଅବସରରେ ନିଜ
ନିଜସାହୀରେକଳାକୁଞ୍ଜମାନ ନିର୍ମାଣ କରିବାକୁ ଲାଗିଲେ । ଶଙ୍କରପୁରସାହୀ ଓ କେଉଟ ସାହୀଠାରେ
ରାମଚନ୍ଦ୍ର, ଜେନା ସାହୀରେ ଲକ୍ଷ୍ମଣ, ପିତାମୁଣ୍ଡାସାହୀରେ ନାରାୟଣ, ନୃସିଂହ ଦେଉଳ ସାହୀରେ ହରି
ଅର୍ଜ୍ଜୁନ, ପୁରୁଣା ବ୍ରହ୍ମପୁର ସାହୀରେ କର୍ଣ୍ଣ, ସୀତାରାମ ସାହୀରେନାଗାର୍ଜ୍ଜୁନ,
କାଳୁପାତ୍ରସାହୀରେଜ୍ଜଳାମୁଖୀ, ଷଣ୍ଢ ମହାନ୍ତି ସାହୀରେ କାଳୀ, ଆଗା ସାହୀରେ କନକ ଦୁର୍ଗା,
ବାଚୁୱାରିସାହୀରେବିଞ୍ଚଣା ଓ କଂସାରୀ ସାହୀରେପର୍ଶୁରାମ ରଥ ବାହାରିଥାଏ ।
ମହୁରି ରାଜଉଆସ ସମ୍ମୁଖରେ ଅତୀତରେ ରାବଣ ରଥ ନିର୍ମିତ
ହେଉଥିଲା । କିଛିଦିନ ଧରି ରାବଣ ରଥ ନିର୍ମାଣ ବନ୍ଦ ହେବା ପରେ ରମ୍ଭାରୁ ଭଡ଼ାସୂତ୍ରରେ ଆଣି
ପାତାଳ ଭୈରବୀ ରଥ ପ୍ରଦର୍ଶିତ ହୋଇଥିଲା । ତେବେ ସେଥିରେ ନିଆଁ ଲାଗିଯିବା ପରଠାରୁ ସେଠି ଆଉ
କୌଣସି ରଥ ନିର୍ମିତ ହେଉନାହିଁ । କ୍ରିଷ୍ଣାପେଟାସାହୀରେକାମଧେନୁ, ଗାଦିବାରିସାହୀର ନରସିଂହ ଓ
ଖାସ୍ପାସାହୀରେ ହନୁମାନ ରଥ ନିର୍ମାଣ ମଧ୍ୟ କିଛି ବର୍ଷ ଧରି ବନ୍ଦ ରହିଛି ।
ଦେବଦେବୀଙ୍କ ମୂର୍ତ୍ତି ନଥିବା ଅନ୍ୟଏକ ରଥ ହେଲା ବୋଇତ
। ଚନ୍ଦ୍ରମା ସାହୀରେବୋଇତ ବା ଜାହାଜ ଆକୃତିର ଏହି ରଥ ନିର୍ମାଣ ଊନବିଂଶ ଶତାଦ୍ଦୀର
ଶେଷାର୍ଦ୍ଧରୁ ବିଂଶ ଶତାଦ୍ଦୀର ପ୍ରଥମାର୍ଦ୍ଧ ଯାଏଁ ପ୍ରାୟ ପଚ଼ାଶ ବର୍ଷ ଧରି ଗୋପାଳପୁର ବନ୍ଦରର
ବାଣିଜ୍ୟ କାରବାରର ସ୍ମୃତି ବହନ କରୁଥିଲା । ଗୋପାଳପୁର ବନ୍ଦର ଦେଇ ରପ୍ତାନୀ ଓ ଆମଦାନୀରେ
ବ୍ରହ୍ମପୁର ସହରର ବହୁ ବ୍ୟବସାୟୀ ସଂପୃକ୍ତ ଥିଲେ । ହୁଏତ ସେହିମାନଙ୍କ ପ୍ରୋତ୍ସାହନରେ
ଚନ୍ଦ୍ରମା ସାହୀରେବୋଇତ ରଥ ବାହାରୁଥିଲା । ଗତ କିଛିବର୍ଷ ହେବ ଆଉ ବୋଇତ ରଥ ବାହାରୁନାହିଁ ।
ବ୍ରହ୍ମପୁର ଯେତେବେଳେ ଏକ ଛୋଟ ସହର ଥିଲା, ସେତେବେଳେ
ଏଠି ଫୁଟପାଥ ଦୋକାନୀଙ୍କ ଭିଡ଼ ନଥିଲା । ଦୁଇ ବର୍ଷରେ ଥରେ ଠାକୁରାଣୀ ଯାତ୍ରା ଅବସରରେ ଫୁଟପାଥ
ଦୋକାନୀମାନେ ଆସି ପହଞ୍ଚୁଥିଲେ । ‘ହରେକ ମାଲ ଚାରି ଅଣା, ଆଠ ଅଣା,
ଏକ ଟଙ୍କା’ସ୍ୱର ସହରବାସୀଙ୍କୁ କେବଳ ଠାକୁରାଣୀ ଯାତ୍ରାବେଳେ
ଶୁଣିବାକୁ ମିଳୁଥିଲା । ଫୁଟପାଥ ଦୋକାନରୁ କିଛି କିଣାକିଣି କରିବା ଯାତ୍ରାର ଏକ ବିଶିଷ୍ଟ
ଆକର୍ଷଣ ଥିଲା । ପିଲାଙ୍କ ଖେଳନାଠାରୁ ଆରମ୍ଭ କରି ପ୍ଲାଷ୍ଟିକଘରକରଣା, ବିଭିନ୍ନ ମନୋହରି ଜିନିଷ
ପସନ୍ଦ କରି କିଣିବାରେ ଯେଉଁ ଆନନ୍ଦ ହୁଏତ ଆଜି ଆଉ ଉପଭୋଗ କରିହେଉନାହିଁ । କାରଣ ବର୍ତ୍ତମାନ ତ ପ୍ରତିଦିନ ସହରର ରାସ୍ତାଘାଟ ଏକ
ଯାତ୍ରାର ପରିବେଶ ଗଢ଼ି ତୋଳିଥାଏ ଏବଂ ‘ହରେକ ମାଲ’ରୁ କିଣିବାର ଅନୁଭୂତି ଆଉ ରୋମାଞ୍ଚ ଆଣିଦିଏ ନାହିଁ । ମଲ ଓ ଅନ-ଲାଇନ ସଂସ୍କୃତି ଫୁଟପାଥ ଦୋକାନୀଙ୍କୁ
ଇତିହାସର ପୃଷ୍ଠା ସୀମିତ ରଖିବାଭଳି ପରିସ୍ଥିତି ସୃଷ୍ଟି କଲାଣୀ କହିଲେ ଅତ୍ୟୁକ୍ତି ହେବନାହିଁ ।
No comments:
Post a Comment