Saturday, April 13, 2019

ସାମୂହିକ ପ୍ରଚ଼େଷ୍ଟାରେ ରଥ ନିର୍ମାଣ

ବିଗତ ଦୁଇଶହରୁ ଅଧିକ ବର୍ଷ ଧରି ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକ ମହୋତ୍ସବ ରୂପେ ଗଢ଼ି ଉଠିଛି । ଲୋକ ମହୋତ୍ସବଗୁଡ଼ିକ ଆୟୋଜନରେ ସ୍ଥାନୀୟ ବାସିନ୍ଦାଗଣ ପୂର୍ଣ୍ଣ ସହଯୋଗ କରିଥାନ୍ତି । କିମ୍ୱଦନ୍ତୀ ପ୍ରକାରେ ବୁଣାକରଦେବାଙ୍ଗ ସମ୍ପ୍ରଦାୟ ମୁଖ୍ୟ ଦେଶୀ ବେହେରା ସ୍ୱପ୍ନାଦେଶ ପାଇବା ପରେ ଯାତ୍ରା ଆୟୋଜନ ସକାଶେ ପ୍ରଥମେ ନିଜ ସମ୍ପ୍ରଦାୟର ମୁଖିଆମାନଙ୍କ ସହଯୋଗ ଲୋଡ଼ିଥିଲେ । ପ୍ରାଥମିକ ଅବସ୍ଥାରେ ଯାତ୍ରା ପାଳନ ଦେବାଙ୍ଗ ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ଥିଲା । ସ୍ଥାନୀୟ ଲୋକେ ଯାତ୍ରାରେ ଅଂଶଗ୍ରହଣ କରୁଥିଲେ ହେଁ ଆୟୋଜନର ଦାୟିତ୍ୱ ସେମାନେ ହିଁ ନିର୍ବାହ କରୁଥିଲେ । ବର୍ତ୍ତମାନ ମଧ୍ୟ ଯାତ୍ରା ତିଥି ନିର୍ଦ୍ଧାରଣଲାଗିଦେଶୀବେହେରା କୁଳ ସଭାର ସମ୍ମତ୍ତି ଲୋଡ଼ିଥାନ୍ତି ଏବଂ ଯାତ୍ରାରେ ମୁଖ୍ୟ ଘଟ ସମେତ ଆଠ ଗୋଟି ପାର୍ଶ୍ୱଘଟଦେବାଙ୍ଗ ସଂପ୍ରଦାୟର ମହିଳାମାନେ ହିଁ ଧାରଣ କରିଥାନ୍ତି ।

ଅତୀତରେ ବ୍ରହ୍ମପୁରର ଦେବାଙ୍ଗ ସଂପ୍ରଦାୟ ୧୮ ଗୋଟି ସାହୀରେ ବସବାସ କରୁଥିଲେ ଏବଂ ଏଠାକାର ସଂପ୍ରଦାୟକୁ ୧୮ ଗୋଟି ମଣ୍ଡଳରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ମଣ୍ଡଳରେ ଜଣେ ସେନାପତି ମନୋନୀତ ହୋଇଥିଲେ । ଠାକୁରାଣୀ ଯାତ୍ରା ଆୟୋଜନ ସକାଶେ ଏହି ସେନାପତିମାନେ ମୁଖ୍ୟଭୂମିକା ଗ୍ରହଣ କରୁଥିଲେ । କାଳକ୍ରମେ ରଥ ପ୍ରଦର୍ଶନ ପରମ୍ପରା ଆରମ୍ଭ ହେବା ପରେ ସେମାନେ ରଥ ନିର୍ମାଣର ଦାୟିତ୍ୱରେ ତୁଲାଉଥିଲେ । ରଥଗୁଡ଼ିକ ବିଭିନ୍ନ ସାହୀରେ ନିର୍ମିତ ହୋଇ ଯାତ୍ରାସ୍ଥଳବଡ଼ ବଜାରକୁ ଅଣା ଯାଉଥିଲା । ଏଗୁଡ଼ିକୁ ଟାଣି ଟାଣି ନିଆଯାଉଥିବା ହେତୁ ରଥ ବୋଲି ନାମିତ ହୋଇଥିଲା ।

ବର୍ତ୍ତମାନ ସୁଦ୍ଧା ଏହି ପରମ୍ପରାର ସ୍ମୃତି କମଳାବାରିସାହୀରଧର୍ମଝଣ୍ଡା କ୍ଷେତ୍ରରେ ଦେଖିବାକୁ ମିଳେ । ଯାତ୍ରା ଆରମ୍ଭର ପଞ୍ଚମ ଦିବସରେ ଅସ୍ଥାୟୀ ମଣ୍ଡପ ସାମ୍ନାରେ ଧର୍ମଝଣ୍ଡା ସ୍ଥାପନ କରାଯାଇଥାଏ । ଏହା କମଳାବାରିସାହୀରେ ପ୍ରସ୍ତୁତ ହୋଇ ସେଠାକାର ବାସିନ୍ଦାଙ୍କ ସହାୟତାରେ ଦେଶୀବେହେରାସାହୀକୁ ଅଣାଯାଇଥାଏ । କୁହାଯାଏ ଯେ କମଳାବାରିସାହୀରେ ବସବାସ କରୁଥିବା ଦେବାଙ୍ଗ ସଂପ୍ରଦାୟର ସେନାପତିଙ୍କ ତତ୍ତ୍ୱାବଧାନରେଧର୍ମଝଣ୍ଡା ପ୍ରସ୍ତୁତ ହେଉଥିଲା । ତେବେ ବର୍ତ୍ତମାନ ଉକ୍ତ ସାହୀରେ ସେନାପତିଙ୍କ କେହି ବଂଶଧର ନାହାନ୍ତି । ତଥାପି ପ୍ରଥା ଅନୁଯାୟୀ କମଳାବାରିସାହୀର ବାସିନ୍ଦାମାନେ ଧର୍ମଝାଣ୍ଡା ପ୍ରସ୍ତୁତି କାର୍ଯ୍ୟ ତୁଲାଇ ଆସୁଛନ୍ତି ।

ଧର୍ମଝାଣ୍ଡା ଭଳି ଅନ୍ୟାନ୍ୟ ରଥଗୁଡ଼ିକ ମଧ୍ୟ ପ୍ରାଥମିକ ଅବସ୍ଥାରେ ଦେବାଙ୍ଗ ସେନାପତିଙ୍କ ନେତୃତ୍ୱରେ ନିର୍ମିତ ହେଉଥିଲା ଏବଂ ରଥ ନିର୍ମାଣରେ ସହଯୋଗ କରୁଥିବା ସ୍ଥାନୀୟ ବାସିନ୍ଦାମାନେ ପରବର୍ତ୍ତୀ କାଳରେ ରଥ ନିର୍ମାଣର ଭାର ଗ୍ରହଣ କରିଛନ୍ତି ବୋଲି ଅନୁମାନ କରାଯାଇପାରେ । ଊନବିଂଶ ଶତାଦ୍ଦୀର ଶେଷଭାଗ ତଥା ବିଂଶ ଶତାଦ୍ଦୀର ପ୍ରଥମ ଭାଗ ସୁଦ୍ଧା ବ୍ରହ୍ମପୁର ପାଟର ଆଦର ରହିଥିଲା । ଏହା ଏକ ଲାଭଜନକ ବ୍ୟବସାୟ ରୂପେ ପରିଗଣିତ ହେଉଥିଲା । ବ୍ୟବସାୟରେ ସମୃଦ୍ଧି ଦେବାଙ୍ଗ ସଂପ୍ରଦାୟର ବୁଣାକରମାନଙ୍କୁଯାକଜମକରେ ଯାତ୍ରା ଆୟୋଜନ ଲାଗି ସାମର୍ଥ୍ୟ ଯୋଗାଉଥିଲା । ତେବେ ପ୍ରଥମ ବିଶ୍ୱଯୁଦ୍ଧପରଠାରୁ ବଜାରରେ କମ ମୂଲ୍ୟରେ ପାଟର ବିକଳ୍ପ ବସ୍ତ୍ର ପ୍ରବେଶ ତଥା ସ୍ୱାଧୀନୋତ୍ତର ଅବସ୍ଥାରେ ଦେଶରେ ବିପୁଳ ପରିମାଣରେ ଟେରିନ ବସ୍ତ୍ର ଉତ୍ପାଦନ ହସ୍ତତନ୍ତ ପାଟ ଶିଳ୍ପର ଭିତ୍ତିଭୂମିକୁ ଧୂଳିସାତ କରିଦେଲା । ଦେଶୀବେହେରାସାହୀପଡ଼ୋଶୀ ଅଞ୍ଚଳରୁ ଯେଉଁ ସବୁ ରଥ ନିର୍ମିତ ହେଉଥିଲା ତାହା କ୍ରମଶଃ ଦେବାଙ୍ଗ ସଂପ୍ରଦାୟ ବଦଳରେ ସ୍ଥାନୀୟ ବାସିନ୍ଦାଙ୍କ ପୃଷ୍ଠପୋଷକତା ଗଢ଼ି ଉଠିଲା । ବିଭିନ୍ନ ସାହୀରେ ରଥ ନିର୍ମାଣ ପରେ ଯାତ୍ରାସ୍ଥଳୀକୁ ଟାଣି ଟାଣି ନେବା ପ୍ରଥା ବନ୍ଦ ହୋଇ ସଂପୃକ୍ତ ସାହୀଗୁଡ଼ିକରେ ହିଁ ପ୍ରଦର୍ଶନର ବ୍ୟବସ୍ଥା କରାଗଲା ।

ଶଙ୍କରପୁରସାହୀରରାମଚ଼ନ୍ଦ୍ର ରଥ ଏକ ପୁରାତନ ରଥ । ପୂର୍ବେ ଏହି ରଥରେ ଚକ ଲାଗୁଥିଲା । ଶଙ୍କରପୁରସାହୀଠାରେ ରଥ ନିର୍ମାଣ କାମ ସରିବାପରେବଡ଼ ବଜାର ଛକକୁ ଟାଣି ଟାଣି ଅଣାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ରଥ ଶଙ୍କରପୁରସାହୀରେ ହିଁ ପ୍ରଦର୍ଶିତ ହେଉଅଛି । ରାମଚ଼ନ୍ଦ୍ର ରଥ ସହ ଜେନା ସାହୀର ଲକ୍ଷ୍ମଣ ରଥ ଓ ସୀତାରାମ ସାହୀର ନାଗାର୍ଜୁନ ରଥରେ ମୂର୍ତ୍ତି ଏକା କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କୁହାଯାଏ ।

ପୁରାତନ ରଥଗୁଡ଼ିକ ମଧ୍ୟରେ ସାନ ଖାସ୍ପାସାହୀର ହରି-ଅର୍ଜ୍ଜୁନ ରଥ ଅନ୍ୟତମ । ଏହି ରଥଟିର ନିର୍ମାଣ କିଛି ବର୍ଷ ପାଇଁ ବନ୍ଦ ରହିଥିଲା । ହରି-ଅର୍ଜ୍ଜୁନ ରଥରେ ରଥ ମଧ୍ୟରେ ଅନ୍ୟଏକ ରଥ ନିର୍ମିତ ହୋଇଥାଏ । ମହାଭାରତ ଯୁଦ୍ଧ ଅବସରରେ ହରି ସାରଥି ରୂପେ ଅର୍ଜ୍ଜୁନଙ୍କୁ ଉପଦେଶ ଦେଉଥିବା ଦୃଶ୍ୟ ଏଥିରେ ସଂଯୋଜିତ । ପୂର୍ବରୁ ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ନିର୍ମିତ ଏହି ରଥକୁ ଆକର୍ଷଣୀୟ କରିବା ନିମନ୍ତେ ବର୍ତ୍ତମାନ କୋଲକତାର କାରିଗରଙ୍କୁ ନିୟୋଜିତ କରାଯାଉଛି ।

ରଥ ପ୍ରସ୍ତୁତି ଏକ ବ୍ୟୟବହୁଳ ଉଦ୍ୟମ । ଉଦାହରଣ ସ୍ୱରୂପକାଳୁପାତ୍ରସାହୀରଜ୍ୱାଳାମୁଖୀ ରଥ ବିଚ଼ାରକୁ ନିଆଯାଉ । ରଥ ପ୍ରସ୍ତୁତି କରିବା ନିମନ୍ତେ ୨୦୧୫ ଯାତ୍ରାରେ ଛଅ ଲକ୍ଷ ଟଙ୍କାର ବଜେଟ ହୋଇଥିବା ପ୍ରକାଶ । ଏଥି ନିମନ୍ତେ ସ୍ଥାନୀୟ ଜ୍ୱାଳାମୁଖୀ ଯୁବକ ସଂଘର ସଦସ୍ୟମାନେ ମିଳିମିଶି ଚ଼ାନ୍ଦା ସଂଗ୍ରହ କରିଥାନ୍ତି । କୁହାଯାଏ ଯେ ୧୯୩୯ ମସିହାରେ ଏହି ରଥ ପ୍ରଥମଥର ପାଇଁ ନିର୍ମାଣ କରାଯିବାବେଳେ ୨୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା । ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ମଞ୍ଜୁଷା ଅଞ୍ଚଳର ଜନୈକ ଭକ୍ତ ସେଠାରୁ ଏକ ବିରାଟ କାଠଗଣ୍ଡି ସଂଗ୍ରହ କରି ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଜ୍ୱାଳାମୁଖୀ ମୂର୍ତ୍ତି ନିର୍ମାଣ କରାଇଥିଲେ । ଜ୍ୱାଳାମୁଖୀଙ୍କ ଗଳାରେ ୧୫ ଗୋଟି କଟାମୁଣ୍ଡ ଓ ଅଣ୍ଟାରେ ୨୧ ଗୋଟି ଖଣ୍ଡିଆ ହାତର ମାଳ ଶୋଭା ପାଉଥାଏ । ବାମ ପଟରେ ତାରା ଓ ଡ଼ାହାଣପଟେ କାଳୀ ମୂର୍ତ୍ତି ସ୍ଥାନ ପାଇଥାଏ । ଏଗୁଡ଼ିକର ଉଚ୍ଚତା ଛଅ ଫୁଟ । ଏହି ସବୁ ରଥ ନିର୍ମାଣରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତ୍ୟକ୍ଷ ଯୋଗଦାନ ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଅନ୍ୟତମ ଉଲ୍ଲେଖଯୋଗ୍ୟ ବିଭବ ।

No comments: